କାଳିଦାସ ସନ୍ଦର୍ଭ

 

 

 

 

 

 

 

 

 

 

 

କାଳିଦାସ ସନ୍ଦର୍ଭ

ଶ୍ରୀ କୁଳମଣି ଦାଶ

 

ସୂଚୀପତ୍ର

 

ରଘୁବଂଶ :—

 

୧.

ଦିଲୀପ

୨.

ଦିଲୀପଙ୍କ ଗୋଚାରଣ ବ୍ରତ

୩.

ରଘୁଙ୍କ ରାଜ୍ୟାଭିଷେକ

୪.

ରଘୁଙ୍କ ଦିଗ୍‍ବିଜୟ

୫.

ଅଜ

୬.

ଇନ୍ଦୁମତୀ ସ୍ୱୟଂବର

୭.

ଅଜ ପାଣିଗ୍ରହଣ

୮.

ଅଜବିଳାପ

୯.

ଦଶରଥଙ୍କ ମୃଗୟା

୧୦.

ରାମଚନ୍ଦ୍ର

୧୧.

ସୀତା ବିବାହ

୧୨.

ରାବଣବଧ

୧୩.

ଅଯୋଧ୍ୟାପ୍ରତ୍ୟାଗମନ

୧୪.

ସୀତା ବନବାସ

୧୫.

ରାମଚନ୍ଦ୍ରଙ୍କ ସ୍ୱର୍ଗାରୋହଣ

୧୬.

କୁମୁଦ୍ଚତୀପରିଣୟ

୧୭.

ଅତିଥି

୧୮.

ସୁଦର୍ଶନ

୧୯.

ଅଗ୍ନିବର୍ଣ୍ଣ

 

 

କୁମାରସମ୍ଭବ :—

 

 

୧.

ପାର୍ବତୀଙ୍କ ଜନ୍ମ

୨.

ତାରକାର ଅତ୍ୟାଚାର

୩.

ମଦନ ଦହନ

୪.

ରତିବିଳାପ

୫.

ପାର୍ବତୀଙ୍କ ତପଶ୍ଚର୍ଯ୍ୟା

୬.

ଉମା ପ୍ରଦାନ

୭.

ପାର୍ବତୀପରିଣୟ

 

 

ଶକୁନ୍ତଳା :—

 

 

୧.

କଣ୍ୱାଶ୍ରମ

୨.

ଦୁଷ୍ମନ୍ତଙ୍କ ଅନୁଶୋଚନା

୩.

ଗାନ୍ଧର୍ବବିବାହ

୪.

ଶକୁନ୍ତଳାଙ୍କର ସ୍ୱାମୀ ଗୃହପ୍ରୟାଣ

୫.

ଶକୁନ୍ତଳା ପ୍ରତ୍ୟାଖ୍ୟାନ

୬.

ମୁଦ୍ରିକାପ୍ରାପ୍ତି

୭.

ରାଜାଙ୍କର ଅନୁସ୍ମୃତି

୮.

ମିଳନ

Image

 

ଭୂମିକା

 

ଇଂରେଜରାଜତ୍ୱରେ ଏ ଦେଶରେ ଯେଉଁ ସକଳ ଅଭ୍ୟୁନ୍ନତିର ସୂଚନା ହୋଇଅଛି, ତନ୍ମଧ୍ୟରେ ଭାରତୀୟ ବିଭିନ୍ନ ପ୍ରାଦେଶିକ ଭାଷାମାନଙ୍କର ଉନ୍ନତି ଅନ୍ୟତମ । ଅବଶ୍ୟ ଇଂରେଜରାଜତ୍ୱର ପ୍ରତିଷ୍ଠା ପୂର୍ବରୁ ଏ ଦେଶରେ ପଦ୍ୟସାହିତ୍ୟର ଆଲୋଚନା ଥିଲା, କିନ୍ତୁ ଆଧୁନିକ ଗଦ୍ୟସାହିତ୍ୟର ପ୍ରଚାର ଯେ ସେହି ପାଶ୍ଚାତ୍ୟ ପ୍ରେରଣାର ଫଳ ଏଥିରେ କାହାରି ଦ୍ୱିରୁକ୍ତି ନାହିଁ । ଭାରତୀୟ ପ୍ରାଦେଶିକ ଭାଷାମାନଙ୍କର ଜନନୀରୂପିଣୀ ସଂସ୍କୃତଭାଷାରେ ମହାକବି ବାଣପ୍ରଣୀତ କାଦମ୍ବରୀ ଓ ଦଣ୍ଡିପ୍ରଣୀତ ଦଶକୁମାରଚରିତ ଦୁଇଖଣ୍ଡି ଅତୁଳନୀୟ ଗଦ୍ୟଗ୍ରନ୍ଥ । ସଂସ୍କୃତଗଦ୍ୟର ଲିଖନପ୍ରଣାଳୀ ଓ ଧରଣ ସେ ସ୍ୱାତନ୍ତ୍ର୍ୟ ରକ୍ଷା କରିଅଛି । ମାତ୍ର ବଙ୍ଗଳା, ଓଡ଼ିଆ, ହିନ୍ଦୀପ୍ରଭୃତି ଭାଷାର ଆଧୁନିକ ଗଦ୍ୟ ସାହିତ୍ୟ ସଂସ୍କୃତର ସେହି ସ୍ୱାତନ୍ତ୍ରର ଅନୁବର୍ତ୍ତୀ ନୁହେଁ । ପରନ୍ତୁ ଏହା ନବ୍ୟଯୁଗର ସର୍ବଶ୍ରେଷ୍ଠ ଭାଷା ଇଂରେଜୀର ଅନୁସରଣ କରି ଆସୁଅଛି । ଏହାହି ଯୁଗୋଚିତ ସମୀଚୀନତା ପରି ବୋଧହୁଏ ।

 

ଆଧୁନିକ ବଙ୍ଗଭାଷାର ପ୍ରବର୍ତ୍ତକ ସ୍ୱର୍ଗୀୟ ବିଦ୍ୟାସାଗର, ଭୂଦେବ ଓ ଅକ୍ଷୟକୁମାରଙ୍କ ଅନୁକରଣରେ ପୂଜନୀୟ ସ୍ୱର୍ଗତ ମଧୁସୂଦନ ରାଓ ଓଡ଼ିଆ ଭାଷାରେ ନବ୍ୟରୀତିରେ ଗଦ୍ୟସାହିତ୍ୟ ଲେଖିବାକୁ ଆରମ୍ଭ କରିଥିଲେ । ତାଙ୍କର ସ୍ୱଭାବ-ସୁନ୍ଦର-ଶବ୍ଦ-ଯୋଜନା ଓ ରଚନାସୌଷ୍ଠବ ଯେ ତାଙ୍କୁ ଚିରକାଳ ସାହିତ୍ୟ ସମାଜରେ ସର୍ବୋଚ୍ଚ ଆସନ ପ୍ରଦାନ କରିବ ଏଥିରେ ସନ୍ଦେହ ନାହିଁ । ପଦ୍ୟରଚନାରେ ରାଧାନାଥ ଯେପରି ଯଶର ଅଧିକାରୀ ଗଦ୍ୟ ରଚନାରେ ମଧୁସୂଦନ ସେହିପରି ଯଶସ୍ୱୀ । ଏହାର କାରଣ ଅନୁସନ୍ଧାନ କଲେ ଜଣାଯାଏ ଯେ ଏହି ମହାତ୍ମା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ସାହିତ୍ୟରେ ଅସାଧାରଣ ପଣ୍ଡିତ ଥିଲେ । ପରବର୍ତ୍ତୀ ଅନେକ କବି ଓ ଲେଖକ ଏ ଦୁହିଙ୍କୁ ଅନୁକରଣ କରିବାକୁ ଚେଷ୍ଟା କରିଅଛନ୍ତି ଏବଂ କରୁଅଛନ୍ତି, କିନ୍ତୁ ସଂସ୍କୃତ ତଥା ଇଂରେଜୀ ସାହିତ୍ୟରେ ସମ୍ୟକ୍ ବ୍ୟୁତ୍ପତ୍ତି ନ ଥିବାରୁ ସେମାନଙ୍କ ମଧ୍ୟରୁ କେହି ଅଦ୍ୟାବଧି ସେ ଦୁହିଙ୍କର ସୀମାସ୍ପର୍ଶ କରିପାରୁନାହାନ୍ତି ।

 

ମଧ୍ୟମଶ୍ରେଣୀ (Middle Vernacular) ସ୍କୁଲ ଅତିକ୍ରମ କରି ଯେଉଁମାନେ ମାଟ୍ରିକୁଲେଶନ ଶ୍ରେଣୀରେ, କଟକ ଟ୍ରେନିଂସ୍କୁଲରେ ଏବଂ କଲେଜରେ ଓଡ଼ିଆଭାଷାର ଆଲୋଚନା କରନ୍ତି ସେମାନେ ମଧୁସୂଦନକୃତ ପ୍ରବନ୍ଧମାଳାକୁ ହିଁ ସର୍ବତ୍ର ପାଠ୍ୟରୂପେ ନିର୍ଦ୍ଦିଷ୍ଟ ଥିବାର ଦେଖି ଏକାନ୍ତ ନିରାଶ ହୁଅନ୍ତି । ଏହି ଅଭାବ ନିରାକରଣନିମିତ୍ତ ମୁଁ ଏହି ପୁସ୍ତକଖଣ୍ଡି ଲେଖିଅଛି । ଏ ବିଷୟରେ ମୋର ହିତାକାଂକ୍ଷୀ ପରମବନ୍ଧୁ କଟକ ଟ୍ରେନିଂସ୍କୁଲର ହେଡ୍‍ମାଷ୍ଟର ବାବୁ ଦାଶରଥି ପାଣିଗ୍ରାହୀ B. A. B. T. ମହୋଦୟ ସର୍ବପ୍ରଧାନ ଉତ୍ସାହଦାତା । ହେଡ୍‍ମାଷ୍ଟର ରୂପେ ହାଇସ୍କୁଲ ଓ ଟ୍ରେନିଂସ୍କୁଲରେ ଉପଯୁକ୍ତ ଓଡ଼ିଆ ଗଦ୍ୟପୁସ୍ତକ ଅଭାବ ବହୁକାଳ ଅନୁଭବ କରି ସେ ମୋତେ ଏହି କାର୍ଯ୍ୟନିମିତ୍ତ ପୁନଃ ପୁନଃ ଉତ୍ସାହିତ କରିଥିବାରୁ ମୁଁ ଆଜି ତାଙ୍କ ନିକଟରେ ହୃଦୟର କୃତଜ୍ଞତା ଜ୍ଞାପନ କରୁଅଛି ।

 

ପ୍ରକୃତରେ କହିବାକୁ ଗଲେ ଏ ପୁସ୍ତକରେ ମୋର ନିଜତ୍ୱ କିଛି ନାହିଁ । ମହାକବି କାଳିଦାସ ଯେଉଁସବୁ ସମୁଚ୍ଚଭାବ ଓ କଳ୍ପନାମାନ ସଂସ୍କୃତଭାଷାରେ ଲିପିବଦ୍ଧ କରି ଯାଇଅଛନ୍ତି ମୁଁ ତାକୁ ଓଡ଼ିଆଭାଷାରେ ପ୍ରକାଶ କରିଅଛି, ସୁତରାଂ ଏପରି ପୁସ୍ତକ ଲେଖିବାଦ୍ୱାରା ମୁଁ ଭାବୁକ ବା ପଣ୍ଡିତ ବୋଲି ଖ୍ୟାତିଲାଭ କରିବାର ଏକାନ୍ତ ଅପାତ୍ର । ଆଧୁନିକ

 

ଏହି ଗ୍ରନ୍ଥ ପ୍ରଣୟନ କରି ସେଗୁଡ଼ିକ ସ୍ତ୍ରୀଙ୍କ ହସ୍ତରେ ସମର୍ପଣ କରିବାରୁ ସ୍ତ୍ରୀ ପରମସମାଦରରେ ତାଙ୍କୁ ପତିରୂପେ ଗ୍ରହଣ କଲେ । ଏହି କିମ୍ବଦନ୍ତୀ ମୂଳରେ କୌଣସି ସତ୍ୟ ନିହତ ଅଛି କି ନା ତାହା ନିର୍ଣ୍ଣୟ କରିବାକୁ ଯିବା ଆମ୍ଭମାନଙ୍କ ଶକ୍ତିର ଅତୀତ । ତେବେ ଏଥିରୁ ଏହାହି ଅନୁମାନ କରାଯାଉଅଛି, ଦିନେ ଏହି ମନୀଷୀଙ୍କର ପ୍ରତିଭା ଭାରତର ଗ୍ରାମେ ଗ୍ରାମେ ପ୍ରଚାରିତ ହୋଇଥିଲା । ଆମ୍ଭମାନଙ୍କ ଏହି ଉତ୍କଳଖଣ୍ଡରେ ନୀଚଜାତୀୟ ବାଉରୀପ୍ରଭୃତଙ୍କ ମଧ୍ୟରେ ‘‘କାଳିଦାସଙ୍କ ଶେଉଳବନ୍ଧା କଥା’’ ‘ଅସ୍ତିବତ୍ ଦଧିବତ୍ ଚୈବ, ତଥା ଗେଙ୍ଗୁଟି ମାଟିବତ୍; ଭୋଜତେ ରାଜତେ କୀର୍ତ୍ତିଃ, ଶରଚ୍ଚନ୍ଦ୍ର ମରୀଚିବତ୍’’ ଶ୍ଳୋକମୂଳକ ଗଳ୍ପ ଅଦ୍ୟାବଧି ପ୍ରଚଳିତ ଉଲ୍ଲେଖ ଦେଖାଯାଏ । ପଣ୍ଡିତହିଁ ପଣ୍ଡିତଙ୍କୁ ଚିହ୍ନନ୍ତି, ମାତ୍ର ଏହି ଆଦିମ ଅନାର୍ଯ୍ୟମାନଙ୍କୁ ମଧ୍ୟରେ ତାଙ୍କର ଖ୍ୟାତି କିପରି ପ୍ରବେଶ କଲା, ତାହା ସହଜରେ ଜାଣି ହୁଏ ନାହିଁ । ଏଥିରୁ କେହି କେହି ଅନୁମାନ କରନ୍ତି, କାଳିଦାସ ସମ୍ଭବତଃ ଏ ଦେଶରେ ଜନ୍ମଗ୍ରହଣ କରିଥିଲେ; ତେଣୁ ଏ ଦେଶର ଅଶିକ୍ଷିତ ଲୋକମାନଙ୍କ ମଧ୍ୟରେ ମଧ୍ୟ ତାଙ୍କର ଖ୍ୟାତି ଅଛି । ମାତ୍ର ଏଭଳି ଅନୁମାନର ଅନ୍ୟ କୌଣସି ସନ୍ତୋଷଜନକ ପ୍ରମାଣ ଦେଖା ଯାଏ ନାହିଁ ।

 

ପୃଥିବୀରେ ଏପର୍ଯ୍ୟନ୍ତ ତିନିଜଣ ମାତ୍ର ଅସାଧାରଣ ପ୍ରତିଭାଶାଳୀ କବି ଜନ୍ମଗ୍ରହଣ କରିଅଛନ୍ତି । ଭାରତରେ କାଳିଦାସ, ଇଂଲଣ୍ଡରେ ସେକ୍ସପିୟର ଓ ଜର୍ମାନୀରେ ଗେଟେ । ଶକୁନ୍ତଳା ପାଠ କରି ମହାତ୍ମା ଗେଟେ କାଳିଦାସଙ୍କ ସମ୍ବନ୍ଧରେ ଲେଖିଅଛନ୍ତି-

 

Wouldst thou the young years blossoms

And the fruits of its decline

And all by which the soul is charmed

Enraptured, feasted, fed ?

Wouldst thou earth and heaven itself.

In one sole name combine

I name “thee, O Sakuntala, and

All at one is said.

 

କେବଳ ଭାରତରେ ନୁହେ, ସମଗ୍ରପାଶ୍ଚାତ୍ୟଦେଶରେ ମଧ୍ୟ ଯେ କାଳିଦାସଙ୍କର ଅସାଧାରଣ ଖ୍ୟାତି ଅଦ୍ୟାପି ଉଦ୍ପୋଷିତ ହେଉଅଛି, ଏହାହିଁ ତାହାର ନିର୍ଦଶନ । ଶତ ଶତ ପାଶ୍ଚାତ୍ୟ ପଣ୍ଡିତ ତାଙ୍କର ଅସାଧାରଣ ଶକ୍ତିମତ୍ତା ଦେଖି ଆଜି ମୋହିତ ହେଉଅଛନ୍ତି । ସେମାନଙ୍କର ନାମ ବା ଆଲୋଚନୀୟ ବିବରଣ ଏଠାରେ ସନ୍ନିବେଶିତ କରିବା ପ୍ରୟୋଜନୀୟ ହେଲେହେଁ, ପ୍ରବନ୍ଧବାହୁଲ୍ୟ ଭୟରେ ଅଗତ୍ୟା ତହିଁରୁ ନିବୃତ୍ତ ହେଲି ।

 

ପ୍ରକୃତରେ କହିବାକୁ ଗଲେ ରଘୁବଂଶ ଓ କୁମାରସମ୍ଭବ ସଂସ୍କୃତଭାଷାରେ ସର୍ବୋକୃଷ୍ଟ ମହାକାବ୍ୟ, ଓ ଶକୁନ୍ତଳା ସର୍ବୋକୃଷ୍ଟ ନାଟକ । ଉତ୍କଳଭାଷାରେ ଏହାର ଅନୁଲିଖନ ଅବଶ୍ୟ ଶକ୍ତିସାପେକ୍ଷ । ମୁଁ ନିତାନ୍ତ ଓ ସଶଙ୍କହୃଦୟରେ ଜାଣି ପାରୁଅଛି ଯେ ମୋଦ୍ୱାରା ସେହି ମହାକବିଙ୍କର ଅସାଧାରଣ କବିତ୍ୱ ଓଡ଼ିଆଭାଷାରେ ସମ୍ପର୍ଣ୍ଣରୂପେ ପ୍ରକାଶିତ ହୋଇ ପାରି ନାହିଁ । ଏଥିପାଇଁ ସ ହୃଦୟ ପାଠକବର୍ଗଙ୍କ ନିକଟରେ ମୁଁ କୃପାଭିକ୍ଷୁ ।

 

ଇତି

ଲେଖକ

 

ଓଡ଼ିଆ ଭାଷା ଏପର୍ଯ୍ୟନ୍ତ ବାଲ୍ୟକାଳ ଅତିକ୍ରମ କରି ନାହିଁ । ତେଣୁ ସଂସ୍କୃତଭାଷାନିବନ୍ଧ ମହାଳଭାବମାନ ଧାରଣ କରିବାରେ ଏହା ଏକାନ୍ତ ଅକ୍ଷମ । ତଥାପି ମୁଁ ଯଥାଶକ୍ତି ପରିମାର୍ଜିତ ଭାଷାରେ ଭାବ ପ୍ରକାଶ କରିଅଛି, ମୋଠାରୁ ଅଧିକତର ଭାଷାଭିଜ୍ଞ ଯୋଗ୍ୟବ୍ୟକ୍ତି ଏହି ଭାର ଗ୍ରହଣ କରିଥିଲେ ଗ୍ରନ୍ଥଖଣ୍ଡି ଯେ ଆହୁରି ସର୍ବାଙ୍ଗସୁନ୍ଦର ହୋଇଥାନ୍ତା ଏଥିରେ ସନ୍ଦେହ ନାହିଁ ।

 

ଇଂରାଜୀ ଭାଷାରେ ‘Tales from Shakespeare’ ନାମକ ଯେଉଁ ପୁସ୍ତକଖଣ୍ଡ ଇଂରେଜୀସାହିତ୍ୟଶିକ୍ଷାର୍ଥୀ ପ୍ରତ୍ୟେକଙ୍କ ସମୀପରେ ସୁପରିଚିତ, ତାହାର ଧରଣ ଏବଂ ପ୍ରଣାଳୀ ଅନୁସରଣ କରି ଓଡ଼ିଆରେ ଏହି ‘Tales from Kalidas’ ବା କାଳିଦାସ-ସନ୍ଦର୍ପ ଲେଖା ଯାଇଅଛି । ଏଥିରେ ମୂଳଭାବମାନ ସର୍ବତ୍ର ଅବିକଳ ପରିରକ୍ଷିତ ହୋଇ ପାରିନାହିଁ । ତାହାର ପ୍ରଥମ କାରଣ ଆମ୍ଭମାନଙ୍କ ମାତୃଭାଷାର ଅପର୍ଣ୍ଣତା । ଉତପ୍ରେକ୍ଷା, ରୂପକ, ଶ୍ଳେଷ, ସମାସୋକ୍ତି ଓ ଅର୍ଥାନ୍ତର ନ୍ୟାସ ପ୍ରଭୃତି ମନୋହର ଅଳଙ୍କାର ଧାରଣ କରିବା ଭଳି ଗଦ୍ୟଭାଷା ଆଜିଯାଏ ସୃଷ୍ଟି ହୋଇ ନାହିଁ । ତେଣୁ ଘୋର ଦୁଃଖ ସହକାରେ ସ୍ଥାନେ ସ୍ଥାନେ ମହାକବିଙ୍କର ଭାବକୁ ପରିବର୍ତ୍ତିତ ଆକାରରେ ପ୍ରକାଶ କରାଯାଇ ଅଛି ଏବଂ ସ୍ଥାନେ ସ୍ଥାନେ କେତେକ ଅମୂଲ୍ୟଭାବ ଉପେକ୍ଷିତ ହୋଇଅଛି । ଦ୍ୱିତୀୟତଃ ପାଠ୍ୟପୁସ୍ତକ ଉଦ୍ଦେଶ୍ୟରେ ଏ ପୁସ୍ତକ ଲିଖିତ ହେଉଥିବା ସ୍ଥଳେ ଆଦିରସାତ୍ମକ ବର୍ଣ୍ଣନାବଳି ସର୍ବଥା ପରିତ୍ୟକ୍ତ ହୋଇଅଛି । ତୃତୀୟତଃ ଏ ପୁସ୍ତକର ଉପଜୀବ୍ୟ ଗ୍ରନ୍ଥତ୍ରିତୟ ପଦ୍ୟତ୍ମକ । ଅନେକଟି ପଦ୍ୟର ଭାବ ଗଦ୍ୟରେ ପ୍ରକାଶ କରାଯାଇ ପାରେ ନାହିଁ । କୁମାର ସମ୍ଭବ ହି ଏହାର ଦୃଷ୍ଟାନ୍ତ ସ୍ଥଳ ।

 

ଏ ସ୍ଥାନରେ ଗଳ୍ପଗୁଡ଼ିକର Style ବା ଧରଣସମ୍ବନ୍ଧରେ ପଦେ ଅଧେ କହିବା ଆବଶ୍ୟକ-। ମୁଁ ଏ ବିଷୟରେ ମୋର ଗୁରୁଦେବ ମଧୁସୂଦନଙ୍କୁ ହିଁ ଅନୁସରଣ କରିଅଛି । କିନ୍ତୁ ଦୁଃଖର କଥା ମୋର ଜ୍ଞାନର ଅଲଡ଼ା ମୋତେ ସେ ବିଷୟରେ ସଂପୂର୍ଣ୍ଣ କୃତକାର୍ଯ୍ୟ କରି ପାରି ନାହିଁf । ଉଚ୍ଚଶ୍ରେଣୀମାନଙ୍କର ପାଠ୍ୟପୁସ୍ତକ ହେବା ଉଦ୍ଦେଶ୍ୟରେ ଲିଖିତ ହଉଥିବା ସ୍ଥଳେ ଏଥିରେ ଉଚ୍ଚଭାବମାନଙ୍କ ସଙ୍ଗେ ତଦ୍‌ତଦ୍‌ପ୍ରକାଶକ ନୂତନଶବ୍ଦାବଳି ରହିବା ବାଞ୍ଛନୀୟ । ଅନ୍ୟଥା ଭାବଗ୍ରହଣରେ ସଂପୂର୍ଣ୍ଣ ଅସୁବିଧା ହେବ । ତେଣୁ ମୁଁ ସ୍ଥାନେ ସ୍ଥାନେ ନୂତନ ନୂତନ ଶବ୍ଦର ପ୍ରୟୋଗ କରିଅଛି । ଅବଶ୍ୟ ଯେଉଁସବୁ ଦୂରୁହ ଓ ଅପ୍ରଚଳିତ ସଂସ୍କୃତଶବ୍ଦ ଓ ସମାସବହୁଲପଦ ଓଡ଼ିଆ ବା ବଙ୍ଗଳାଭାଷାର ଅଭିଧାନରେ ଏବଂ ବ୍ୟାକରଣରେ ପରିଲକ୍ଷିତ ହୁଏ ନାହିଁ ସେପରି ଶବ୍ଦ ଏ ପୁସ୍ତକରେ ଆଦୌ ପ୍ରଯୁକ୍ତ ହୋଇ ନାହିଁ; ତାହା ବୋଲି ଏହା ନିତାନ୍ତ ସରଳଭାଷାରେ ଲେଖା ଯାଇ ନାହିଁ । ଭାଷାରେ ନୂତନତ୍ୱ ଏବଂ ସୌଷ୍ଠବ ନ ଥିଲେ ପ୍ରକୃତ ଶିକ୍ଷାର୍ଥୀ ଯେ ପୁସ୍ତକଶେଷକୁ ଉପେକ୍ଷା କରେ ଏହା କହିବା ଅନାବଶ୍ୟକ । ପ୍ରବନ୍ଧମାଳାର Style ବା ଧରଣ ଲେଖକ ଜ୍ଞାତସାରରେ କଠିନ କରିଅଛନ୍ତି । ତାର ଉଦ୍ଦେଶ୍ୟ, ଶିକ୍ଷାର୍ଥୀ ତାହାର କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହଲେ ସଂସାରରେ ପରବର୍ତ୍ତୀ ତାବତୀୟ ପରୀକ୍ଷାରେ ସହଜରେ ଉତ୍ତୀର୍ଣ୍ଣ ହୋଇପାରିବ । ପକ୍ଷାନ୍ତରରେ କେବଳ ସରଳ ଗ୍ରାମ୍ୟଭାଷାରେ ପୁସ୍ତକ ଲେଖିଲେ ତହିଁରେ ଯେ ଉଚ୍ଚଭାବମାନ ପ୍ରକାଶିତ ହୋଇ ପାରିବ ନାହିଁ, ଏହା ସମସ୍ତେ ସ୍ୱୀକାର କରିବେ । କି ପ୍ରାଚ୍ୟଖଣ୍ଡରେ କି ପାଶ୍ଚାତ୍ୟଖଣ୍ଡରେ କାଳିଦାସ ସେକ୍ସପିଅରପ୍ରଭୃତି ପ୍ରତିଭାଶାଳା ମହାପୁରୁଷମାନଙ୍କ ପରି ଲୋକ ଏ ଯୁଗରେ ଆଉ ଜନ୍ମଗ୍ରହଣ କରୁନାହାନ୍ତି । ସେମାନଙ୍କ ପ୍ରଦତ୍ତ ନୀତି, ସମାଜଚିତ୍ର ତଥା ମୌଳିକଚିନ୍ତା-ପ୍ରସୂତ ସ୍ୱର୍ଗୀୟଭାବମାନ ଧାରଣ କରି ଆଜି ଏହି ପୃଥିବୀ ଗୌରବାନ୍ୱିତା । ଏପରି ଅବସ୍ଥାରେ ସେମାନଙ୍କ ମୌଳିକଚିନ୍ତା ପାଠ୍ୟପୁସ୍ତକ ହେବାର ସଂପୂର୍ଣ୍ଣ ଉପଯୋଗୀ ହେବ, ଏହି ଆଶା ଏ ଭଳି ଦୂରୂହକାର୍ଯ୍ୟର ଏକମାତ୍ର ପ୍ରବର୍ତ୍ତକ ।

 

ମହାକବି କାଳିଦାସଙ୍କର ସମଗ୍ର ଗ୍ରନ୍ଥାବଳୀକୁ ଗଦ୍ୟରୂପେ ପ୍ରକାଶ କରିବାର ଇଚ୍ଛା ଥିଲା, ମାତ୍ର ବିକ୍ରମୋବଂଶୀ, ମେଘଦୂତ, ଓ ମାଳବିକାଗ୍ନି ମିତ୍ର କେବଳ ଆଦିର ସ୍ନାତକ ଥିବାରୁ ଏବଂ ଋତୁସଂହାରଖଣ୍ଡିକରେ ବର୍ଣ୍ଣନା ବ୍ୟତୀତ ଗଳ୍ପାଂଶ ନ ଥିବାରୁ ତାହା ଏଥିରେ ପ୍ରକାଶ କଲି ନାହିଁ । ରଘୁବଂଶ, ଶକୁନ୍ତଳା ଓ କୁମାରସମ୍ଭବ ତାଙ୍କର ସର୍ବଶ୍ରେଷ୍ଠ ଲେଖା । କି ବର୍ଣ୍ଣନାଚାତୁରୀ, କି ନୈତିକଆଦର୍ଶ, କି ସ୍ୱଭାବଚିତ୍ର ପ୍ରତ୍ୟେକ ବିଷୟରେ ଶଂସିତ ଗ୍ରନ୍ଥତ୍ରୟ ପରସ୍ପରକୁ ଅତିକ୍ରମ କରିଅଛି । ବିଶେଷତଃ ରଘୁବଂଶଖଣ୍ଡି ତାଙ୍କର ଅସାଧାରଣ ପାଣ୍ଡିତ୍ୟର ନିଦର୍ଶନ । ଶିକ୍ଷାର୍ଥୀର ଶିକ୍ଷଣୀୟ ନାନାବିଷୟର ଏପରି ଏକ ତ୍ରସମନ୍ୱୟ ସଂସ୍କୃତଭାଷାରେ ଅନ୍ୟ କୌଣସି ପୁସ୍ତକରେ ଦେଖାଯାଏ ନାହିଁ । ତେଣୁ ତାହା ଏଥିରେ ପ୍ରଥମେ ପ୍ରଦତ୍ତ ହେଲା । କୁମାର ସମ୍ଭବର ପ୍ରଥମ ସାତସର୍ଗ ଏଥିରେ ଗଳ୍ପାକାରରେ ଲେଖାଯାଇ ଅଛି । ଶେଷ ୧୦ ସର୍ଗକୁ ପଣ୍ଡିତମାନେ କାଳିଦାସଙ୍କ ରଚନା ବୋଲି ବିଶ୍ୱାସ କରନ୍ତି ନାହିଁ । କାରଣ ସେ ଅଂଶରେ ଜଗତର ପିତାମାତା ହରପାର୍ବତୀଙ୍କର ପ୍ରଣୟବର୍ଣ୍ଣନା ଅତି କୁତ୍ସିତରୂପେ ଚିତ୍ରିତ ହୋଇଅଛି । କାଳିଦାସଙ୍କ ପରି ନୀତିତତ୍ତ୍ୱବିଦ୍ ସୁଧୀ ଯେ ଏ ଅଂଶର ପ୍ରଣେତା ନୁହନ୍ତି, ତାହା ସହଜରେ ଅନୁମାନ କରାଯାଇ ପାରେ । ପରନ୍ତୁ ଗ୍ରନ୍ଥର ‘‘କୁମାର ସମ୍ଭବ’’ ନାମକରଣରୁ ଜଣାଯାଏ ଯେ କୁମାରଙ୍କ ଉତ୍ପତ୍ତି ପର୍ଯ୍ୟନ୍ତ ବିଷୟ ଗ୍ରନ୍ଥର ବର୍ଣ୍ଣନୀୟ । ହରପାର୍ବତୀଙ୍କ ବିବାହରେହିଁ ଏହା ସୂଚିତ ହେଲା । ସୈନ୍ୟସମାବେଶ, ଅଭିଯାନ ଓ ତାରକବଧପ୍ରଭୃତି ଯେ ଗ୍ରନ୍ଥର ବର୍ଣ୍ଣନୀୟ ଅଙ୍ଗ ନୁହେ ତାହା ସହଜରେ ଜଣା ଯାଉଅଛି-

 

ପ୍ରାୟ ଏକବର୍ଷ ହେଲା ପୁସ୍ତକଖଣ୍ଡିକର ଲେଖା ଶେଷ ହୋଇଥିଲା, ମାତ୍ର ଓଡ଼ିଶାର ସାହିତ୍ୟ-କ୍ଷେତ୍ରରେ ଲବ୍ଧପ୍ରତିଷ୍ଠ ଲୋକମାନଙ୍କୁ ଏହା ନ ଦେଖାଇ ମୁଁ ପ୍ରକାଶ କରାଇବାକୁ ସାହସୀ ହେଉ ନ ଥିଲି । ଗତ ପୂଜା ଅବକାଶରେ ମୋର ଗୁରୁକଳ୍ପ ଭାଷାତତ୍ତ୍ୱବିଦ୍ ସାହିତ୍ୟରଥୀ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରାଣା ବି.ଏ, ମହୋଦୟଙ୍କୁ ଏହାର ପାଣ୍ଡୁଲିପି ଦେଖାଇବା ନିମିତ୍ତି ମୁଁ ବାଲେଶ୍ୱର ଯାଇଥିଲି । ସେ ମହାଶୟ ମୋପ୍ରତି ଏକାନ୍ତ ଦୟାର୍ଦ୍ର ହୋଇ ପ୍ରାୟ ୧୫ ଦିନ ପରିଶ୍ରମ କରି ସମଗ୍ର ପୁସ୍ତକଟି ସଂଶୋଧନ କରିଦେଲେ ଏବଂ ଶେଷରେ ପରମପ୍ରୀତିପ୍ରକାଶପୂର୍ବକ ଅନ୍ୟ ସଂସ୍କୃତକାବ୍ୟମାନଙ୍କୁ ଏହି ଭଳି ଗଦ୍ୟପ୍ରବନ୍ଧରୂପରେ ପ୍ରକାଶ କରିବାକୁ ଅନୁରୋଧ କଲେ । ଏହି ପୁସ୍ତକ ସମ୍ବନ୍ଧରେ ତାଙ୍କର ମନ୍ତବ୍ୟ ମୁଁ ଏହି ଗ୍ରନ୍ଥରେ ସନ୍ନିବେଶିତ କଲି । ବୃଦ୍ଧ ବୟସରେ ସେ ମୋପାଇଁ ଯେଉଁ ଦୁରୂହ ଶ୍ରମସ୍ୱୀକାର କରିଅଛନ୍ତି, ମୁଁ ଏ ଜନ୍ମରେ ତାହାର ପରିଶୋଧ କରି ପାରିବି ନାହିଁ । କେବଳ ହୃଦୟର କୃତଜ୍ଞତା ମାତ୍ର ଜ୍ଞାପନ କରୁଅଛି ।

 

ବାଲେଶ୍ୱରରୁ ଫେରିବା ପରେ ମୁଁ ଉତ୍କଳର ଲବ୍ଧପ୍ରତିଷ୍ଠ ସାହିତ୍ୟସେବୀ ଭକ୍ତିଭାଜନ ମାନନୀୟ ବିଶ୍ୱନାଥ କର ମହୋଦୟଙ୍କୁ ଏବଂ ମୋର ପରମହିତୈଷୀ ଗବେଷଣାପ୍ରିୟ ନୀରବ-ସାହିତ୍ୟ-ପ୍ରେମିକ ଓଡ଼ିଶା ଟେକ୍ସଟ୍-ବୁକ୍‌କମିଟିର ସମ୍ପାଦକ ଶ୍ରୀଯୁକ୍ତ ବାବୁ ରାଧାଚରଣ ଦାସ ବି.ଏ., ବି.ଟି. ମହୋଦୟଙ୍କୁ ଏହାର ପାଣ୍ଡୁଲିପି ପାଠ କରିବା ପାଇଁ ଅନୁରୋଧ କରିଥିଲି । ସେମାନେ ଏହାର ପାଣ୍ଡୁଲିପି ପାଠ କରି ଏବଂ ଶୀଘ୍ର ପ୍ରକାଶ କରିବାକୁ ମତ ଦେଇ ମୋତେ କୃତଜ୍ଞତାପାଶରେ ଆବଦ୍ଧ କରିଅଛନ୍ତି । ମାନନୀୟ ଚନ୍ଦ୍ରମୋହନବାବୁ ସମଗ୍ର ପୁସ୍ତକଟି ସଂଶୋଧନ କରି ଦେଇଥିବାର ଦେଖି ସେମାନେ ଏକାନ୍ତ ପ୍ରୀତ ହେଲେ ଏବଂ ଅତି ଅଳ୍ପସ୍ଥାନରେ ସମାନ୍ୟ ପରିବର୍ତ୍ତନ କରିବାକୁ ମୋତେ ଅନୁରୋଧ କଲେ । ତଦନୁସାରେ ତାହା ମୁଁ କରି ଦେଇଅଛି । ସେମାନଙ୍କ ମନ୍ତବ୍ୟ ମଧ୍ୟ ଏହି ପୁସ୍ତକ ସଙ୍ଗରେ ପ୍ରକାଶ କଲି । ପ୍ରକୃତରେ ଏହି ତିନିଜଣ ସୁଗୃହୀତ ନାମା ସାହିତ୍ୟିକ ମୋତେ ପ୍ରକାଶକାର୍ଯ୍ୟରେ ପ୍ରବର୍ତ୍ତିତ କରି ନ ଥିଲେ ମୁଁ ଏହା ପ୍ରକାଶ କରାଇ ନ ଥାନ୍ତି । ପ୍ରଥମେ ଏହି ପୁସ୍ତକର ନାମ ‘କାବ୍ୟମଞ୍ଜୁଷା’ ରଖା ଯାଇଥିଲା । ମାତ୍ର ମହାକବି କାଳିଦାସଙ୍କ ପବିତ୍ର ନାମ ସଙ୍ଗେ ଏହି ପୁସ୍ତକ ନାମର ସମ୍ପର୍କ ରଖିବାକୁ ମୋର ବନ୍ଧୁମାନେ ମୋତେ ପରାମର୍ଶ ଦେବାରୁ ମୁଁ ତଦନୁସାରେ ଏହାକୁ ‘କାଳିଦାସ-ସନ୍ଦର୍ଭ’ ନାମରେ ଅଭିହିତ କଲି ।

 

ବାଲେଶ୍ୱରର ସ୍ୱର୍ଗତ ଜମିଦାର ଶ୍ରୀଯୁକ୍ତ ବାବୁ ରାଧାଗୋବିନ୍ଦ ଦାସ ଏବଂ ପୁରୀ ଏମାରମଠ ବିଦ୍ୟୋତ୍ସାହୀ ମହନ୍ତ ଭକ୍ତି ଭାଜନ ଶ୍ରୀଯୁକ୍ତ ଗଦାଧରରାମାନୁଜ ଦାସ ଏହି ଗ୍ରନ୍ଥର ପ୍ରକାଶ ବିଷୟରେ ମୋତେ ଏକାନ୍ତ ସମୁତ୍ସାହିତ କରିଥିବାରୁ ମୁଁ ସେମାନଙ୍କ ନିକଟରେ ଚିରକୃତଜ୍ଞତା ପାଶରେ ଆବଦ୍ଧ ରହିଲି ।

 

ପରିଶେଷରେ ବକ୍ତବ୍ୟ ଏହି ଯେ ଏ ଭଳି ସାହିତ୍ୟଗ୍ରନ୍ଥର ରଚନାରେ ତଥା ମୁଦ୍ରଣରେ ଭ୍ରମପ୍ରମାଦ ରହିବା ସ୍ୱାଭାବିକ । ପବିତ୍ର ସାହିତ୍ୟ-ସେବା–ବ୍ରତର ପଥପ୍ରଦର୍ଶକ ମାନନୀୟ ବିଶ୍ୱନାଥବାବୁ ମହାଶୟ ନାନାକାର୍ଯ୍ୟ ଜଞ୍ଜାଳ ମଧ୍ୟରେ ମଧ୍ୟ ସ୍ୱୟଂ ଏହାର ପ୍ରୁଫ୍ ସଂଶୋଧନର ଭାରଗ୍ରହଣ କରି ମୋର ପରମ ଉପକାର ସାଧନ କରିଅଛନ୍ତି । ତେଣୁ ପୁନରପି ମୁଁ ତାଙ୍କ ନିକଟରେ ହୃଦୟର ଗଭୀରତମ ପ୍ରଦେଶର ଭକ୍ତି ଜଣାଉଅଛି ।

 

କଟକ ଟ୍ରେନିଂସ୍କୁଲ

ଇତି

୩ । ୮ । ୧୯୨୪

ଶ୍ରୀ କୁଳମଣି ଦାଶ

Image

 

ମହାକବି କାଳିଦାସ

 

ଏହି କ୍ଷଣଜନ୍ମା ମହାପୁରୁଷ କେଉଁ ଯୁଗକୁ ଏବଂ କେଉଁ ସ୍ଥାନକୁ ଅଳଂକୃତ କରିଥିଲେ ତାହା ନିର୍ଦ୍ଧାରଣ କରିବା ଏକାନ୍ତ ଅସମ୍ଭବ । ଏ ସମ୍ବନ୍ଧରେ ଅନେକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମନୀଷୀ ନାନାପ୍ରକାର ଗବେଷଣା କରି କୌଣସି ସ୍ଥିର ସିନ୍ଧାନ୍ତରେ ଉପନୀତ ହୋଇ ନାହାନ୍ତି କହିଲେ ଚଳେ-। ସେମାନେ ଯେ କେବଳ ଅନ୍ଧକାର ମଧ୍ୟକୁ ଅନୁମାନ କରି କ୍ରୋଷ୍ଟନିକ୍ଷେପ କରିଅଛନ୍ତି, ଏହା ସେମାନେ ନିଜେ ନିଜେ ସ୍ୱୀକାର କରିଅଛନ୍ତି । ଏ ଯୁଗରେ ପ୍ରାଦେଶିକତାର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ପ୍ରତ୍ୟେକ ପ୍ରଦେଶବାସୀ ଯେ କୌଣସି ମହାଜନଙ୍କୁ ନିଜ ପ୍ରଦେଶର ବୋଲି ପ୍ରମାଣ କରିବାରେ ସତତ ପ୍ରୟାସୀ କିନ୍ତୁ ପୂର୍ବେ ଏ ଭାବ ଏ ଦେଶରେ ନ ଥିଲା, ତେଣୁ ମହାଜନମାନେ ନିଜ ପ୍ରଦେଶ ବା ଜାତୀୟତା କୁ ପ୍ରଦର୍ଶନ କରି ନାହାନ୍ତି । ସେମାନଙ୍କ ଏହି ମହାଭାବ ଆମ୍ଭମାନଙ୍କୁ ଆଜି ଏକ ଭାରତୀୟ ଜାତୀୟତାରେ ଆବଦ୍ଧ ରହିବାକୁ ଶିକ୍ଷା ଦେଉ ନାହିଁ କି ?

 

ସେ ଯାହାହେଉ ନାନାପ୍ରକାର ଆଲୋଚନା ଦ୍ୱାରା ଏହା ଜଣା ଯାଉଅଛି ଯେ, କାଳିଦାସ ଷଷ୍ଠ ଶତାବ୍ଦୀର ମଧ୍ୟଭାଗରେ ଜନ୍ମଗ୍ରହଣ କରିଥିଲେ । ଯେଉଁ ବିକ୍ରମାଦିତ୍ୟ ମଣିମାଣିକ୍ୟାଦି ପାର୍ଥ୍ୱିବ ରତ୍ନାବଳି ଉପେକ୍ଷା କରି କାଳିଦାସପ୍ରମୁଖ ‘ନବରତ୍ନ’ ଦ୍ୱାରା ସ୍ୱୀୟ ରାଜସଭା ମଣ୍ଡିତ କରିଥିଲେ ସେ ସଂବତ୍‌ସରପ୍ରବର୍ତ୍ତକ ବିକ୍ରମାଦିତ୍ୟ ନୁହନ୍ତି । ବିକ୍ରମାଦିତ୍ୟ କୌଣସି ରାଜାଙ୍କର ନାମ ନ ଥିଲା, ଉପାଧି ମାତ୍ର । ଶକମାନଙ୍କୁ ପରାସ୍ତ କରି ଯେଉଁ ବିକ୍ରମାଦିତ୍ୟ ଶିକାରି ଉପାଧି ପ୍ରାପ୍ତ ହାଇଥିଲେ, ତାଙ୍କର ଅନ୍ୟ ନାମ ଯଶୋଧର୍ମ । କାଳିଦାସ ତାଙ୍କରି ସଭାମଣ୍ଡନ କରିଥିଲେ ବୋଲି ଆଧୁନିକ ପଣ୍ଡିତମାନଙ୍କର ମତ । ସେ ମାଳବର ଅଧିପତି ଥିଲେ । ବୃହତ୍‌ସଂହିତାନାମକ ପ୍ରସିଦ୍ଧ ଜ୍ୟୋତିଃଶାସ୍ତ୍ରପ୍ରଣେତା ବରାହମିହିର ନବରତ୍ନଙ୍କ ମଧ୍ୟରୁ ଅନ୍ୟତମ । ସେ ଅବନ୍ତୀନଗରରେ ଜନ୍ମଗ୍ରହଣ କରି ୫୭୮ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ ବୋଲି କେହି କେହି ପ୍ରମାଣ କରିଅଛନ୍ତି । ‘‘ଧନ୍ୱନ୍ତରିକ୍ଷପଣକାମରସିଂହଶଙ୍କୁ ବେତାଳଭଟ୍ଟ ଘଟକର୍ପବ କାଳିଦାସାଃ, ଖ୍ୟାତୋ ବରାହମିହିରୋ ନୃପତେଃ ସଭାୟାଂ, ରତ୍ନାନି ବୈ ବରରୁଚିର୍ନବ ବିକ୍ରମସ୍ୟ ।’’ ଏହାକୁ ଯେବେ ପ୍ରାମାଣିକ ବଚନ ରୂପେ ଗ୍ରହଣ କରାଯାଏ ତେବେ କାଳିଦାସ ଯେ ସେହି ସମୟରେ ବର୍ତ୍ତମାନ ଥିଲେ ଏଥିରେ ଆଉ ସନ୍ଦେହ କରାଯାଇ ନ ପାରେ ।

 

ମନ୍ଦାଶୋନାମକ ସ୍ଥାନର ପ୍ରାଚୀନ ଲିପିରୁ ଜଣାଯାଏ ଯେ ଯଶୋଧର୍ମ ଦେବ ଶକ୍ ବା ହୁନ୍‌ମାନଙ୍କର ଅଧିନାୟକ ମିହିରକୁଳକୁ ପରାସ୍ତ କରି ଭାରତରୁ ବିତାଡ଼ିତ କରି ଦେଇଥିଲେ । ତାଙ୍କର ପୂର୍ବୋକ୍ତ ଲିପିବର୍ଣ୍ଣିତ ହୁନ୍‌ପରାଜୟ ସଙ୍ଗରେ କାଳିଦାସଙ୍କ ରଘୁବଂଶର ୪ର୍ଥ ସର୍ଗବର୍ଣ୍ଣିତ ରଘୁଙ୍କ ଦିଗ୍‌ବିଜୟ ପ୍ରସଙ୍ଗର ଯଥେଷ୍ଟ ସାଦୃଶ୍ୟ ଅଛି । ଐତିହାସିକ ମାନେ କହନ୍ତି ମିହିରକୁଳ ୫୩୦ ଖ୍ରୀଷ୍ଟାବ୍ଦରେ ପରାସ୍ତ ହୋଇଥିଲେ । ସୁତରାଂ କାଳିଦାସ ଯେ ଷଷ୍ଠ ଶତାବ୍ଦୀର ମଧ୍ୟଭାଗରେ ଜନ୍ମଗ୍ରହଣ କରିଥିଲେ, ଏହା ତାହାର ଅନ୍ୟତର ପ୍ରମାଣ ।

 

କାଳିଦାସଙ୍କ ଅସାଧାରଣ ପାଣ୍ଡିତ୍ୟ, ଅଲୌକିକ ଶକ୍ତିମତ୍ତା ଓ ଜ୍ୱଳନ୍ତ ପ୍ରତିଭାର ପରିଚୟ ବହୁକାଳରୁ ଏ ଦେଶରେ ପ୍ରଚାରିତ ହୋଇ ଅଛି । ପ୍ରସିଦ୍ଧ ଟୀକାକାର ମଲ୍ଲିନାଥ ସୂରି ଚତୁର୍ଦ୍ଦଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ । ତତ୍‌ପୂର୍ବରୁ ଯେ କାଳିଦାସଙ୍କ ଗ୍ରନ୍ଥାବଳି ଉପରେ ନାନାପ୍ରକାର ଟୀକା ପ୍ରଚଳିତ ଥିଲା, ତାହା ସେ ଅନେକତ୍ର ଲେଖିଅଛନ୍ତି । ସ୍ଥଳତଃ ଏତିକି କହିଲେ ଯଥେଷ୍ଟ ହେବ ଯେ ଜନସମାଜ ତାଙ୍କର ଅମରମୟୀ ଲେଖନୀନିଃସୃତ ସୁଧାଧାରଚ ମାଧୁରୀରେ ମୁଗ୍ଧ ହୋଇ ତାଙ୍କୁ ସରସ୍ୱତୀଙ୍କ ବରପୁତ୍ର ବୋଲି ନିର୍ଦ୍ଦେଶ କରି ଯାଇଅଛନ୍ତି । ଏ ପ୍ରବାଦ କେବଳ ଏ ପ୍ରଦେଶରେ ନୁହେ, ଭାରତର ସକଳପ୍ରଦେଶରେ ଅଳ୍ପାଧିକ ପରିମାଣରେ ପ୍ରଚଳିତ । ବୌଦ୍ଧ ଗ୍ରନ୍ଥକାରମାନେ ବୌଦ୍ଧଧର୍ମରୁ ମାହାତ୍ମ୍ୟ ବୃଦ୍ଧିକାମନାରେ ଯେପରି ବିଶ୍ୱପ୍ରେମିକ ଅଶୋକଙ୍କର ପୂର୍ବଚରିତ୍ରକୁ ଅତି କୁତ୍ସିତ ବର୍ଣ୍ଣରେ ରଞ୍ଚିତ କରିଅଛନ୍ତି, ପୂର୍ବୋକ୍ତ ପ୍ରବାଦପ୍ରଚାରକମାନେ ମଧ୍ୟ ସରସ୍ୱତୀଙ୍କର ଶକ୍ତିମତ୍ତାର ସୂଚନାନିମିତ୍ତ କବିଗୁରୁ କାଳିଦାସଙ୍କ ପୂର୍ବଜୀବନକୁ ଅତି ଜଘନ୍ୟରୂପେ ଚିତ୍ରିତ କରିଅଛନ୍ତି । ଆମ୍ଭମାନଙ୍କ ଉତ୍କଳପ୍ରଦେଶରେ କାଳିଦାସଙ୍କ ସମ୍ବନ୍ଧରେ ଯେଉଁ ପ୍ରବାଦ ପ୍ରଚଳିତ ଅଛି ସଂକ୍ଷେପରେ ଏଠାରେ ତାହାର ସୂଚନା ହେଲା:—

 

କାଳିଦାସ ଜଣେ ହଳୁଆ ମାସ୍ତାନ ବ୍ରାହ୍ମଣର ପୁତ୍ର । କୁଳୋଚିତ ହଳାଦି କାର୍ଯ୍ୟକରି ସେ ଜୀବିକା ନିର୍ବାହ କରୁଥିଲେ । ତାଙ୍କର ଅଚାନକ ସ୍ଥୂଳଶରୀର ଦଦ୍ରୁରୋଗରେ ଆଚ୍ଛାଦିତ ହୋଇ ଅର୍ଦ୍ଧଜ୍ୱଳିତ ନିର୍ବାଣପ୍ରାପ୍ତ କାଷ୍ଠଖଣ୍ଡର ଶୋଭା ଧାରଣ କରିଥିଲା । ସେ ସମୟରେ ଏ ଦେଶରେ ବିକ୍ରମାଦିତ୍ୟଙ୍କର ପିତା ଭୋଜରାଜ ରାଜତ୍ୱ କରୁଥିଲେ । ତାଙ୍କର ସର୍ବଗୁଣସଂପନ୍ନା ବିଦ୍ୟାବତୀନାମ୍ନୀ ଗୋଟିଏ ପରମରୂପବତୀ କନ୍ୟା ଥିଲେ । ସେ ପ୍ରତିଜ୍ଞା କରିଥିଲେ, ବିଦ୍ୟାବଳରେ ତାଙ୍କୁ ଯେ ପରାସ୍ତ କରିବେ ସେ ତାଙ୍କର ପାଣିଗ୍ରହଣ କରିବେ । ସେତେବେଳେ ଏ ଦେଶରେ ଅଧିକାଂଶ ଲୋକ ନାନାଶାସ୍ତ୍ରରେ ସ୍ୱପଣ୍ଡିତ ଥିଲେ । ମାତ୍ର ବିଦୁଷୀ ବିଦ୍ୟାବତୀଙ୍କୁ କେହି ଜ୍ଞାନବଳରେ ପରାସ୍ତ କରି ପାରିଲେ ନାହିଁ । ଶେଷରେ ମନ୍ତ୍ରୀ ଏକାନ୍ତ ବିରକ୍ତ ହୋଇ ରାଜକନ୍ୟାକୁ ଜଣେ ଗଣ୍ଡମୂର୍ଖ ସଙ୍ଗେ ବିବାହ ଦେବେ ବୋଲି ପ୍ରତିଜ୍ଞା କଲେ । ସେହି ଉଦ୍ଦେଶ୍ୟରେ ଭ୍ରମଣ କରୁ କରୁ ସେ ଏକତ୍ର ଦେଖିଲେ ଯେ ଗ୍ରୀଷ୍ମଋତୁର ମଧ୍ୟାହ୍ନ ସମୟରେ ଜଣେ ଲୋକ ବିଶ୍ରାମ ନ କରି କ୍ଷେତ୍ରରେ ଭୂମିକର୍ଷଣରେ ଅଭିନିବିଷ୍ଟ ଅଛି ଏବଂ ବସ୍ତୁ ମଧ୍ୟସ୍ଥିତ ପିଷ୍ଟକଖଣ୍ଡ ଭକ୍ଷଣ କରି ଏବଂ ଶିରାସ୍ଥିତ କଳସରୁ ଜଳପାନ କରି କ୍ଷୁଧା ଓ ତୃଷା ନିବାରଣ କରୁଅଛି । ତାହାକୁ ହିଁ ଏକାନ୍ତ ଗଣ୍ଡମୂର୍ଖ ବୋଲି ଭାବି ମନ୍ତ୍ରୀ ରାଜାଦେଶ ଜ୍ଞାପନପୂର୍ବକ ତାକୁ ସଙ୍ଗରେ ଘେନିଗଲେ । ପରେ ନାନାକୌଶଳରେ ଏହି ନବାଗତବ୍ୟକ୍ତିକୁ ମୌନବ୍ରତାବଲମ୍ବୀ ଦିଗ୍ଗଜ ପଣ୍ଡିତରୂପେ ରାଜକନ୍ୟାଙ୍କ ନିକଟରେ ପରିଚିତ କରାଇ ତାଙ୍କ ସଙ୍ଗେ ପରିଣୟ ସୂତରେ ଆବଦ୍ଧ କରାଇଲେ । ସେହି ରାଜଜାମାତା ଯେ ଆମ୍ଭମାନଙ୍କର କାଳିଦାସ ଏକଥା ଆଉ କହିବାକୁ ହେବ ନାହିଁ । ରାତ୍ରିରେ ଶଯ୍ୟାଗୃହର କମନୀୟ ଶୋଭା ଦେଖି କାଳିଦାସ ଏକାନ୍ତ ବିସ୍ମିତ ହୋଇଗଲେ । ତାଙ୍କ ଜୀବନରେ କେବେ ଏପରି ସୁଷମାମଣ୍ଡିତ ଦିବ୍ୟପୁରୀ ସେ ଦେଖି ନ ଥିଲେ । ତେଣୁ ଗୃହର ତଳଦେଶରେ ପାତିତ ସୁମନୋହର ଆସ୍ତରଣକୁ ଶୟନ ସ୍ଥାନ ମନେ କରି ସେହି ସ୍ଥାନରେ ଶୟନ କଲେ । ଅନନ୍ତର ବିଦ୍ୟାବତୀ ଗୃହରେ ଉପସ୍ଥିତ ହୋଇ ପ୍ରାଣେଶ୍ୱରଙ୍କର ଏବଂବିଧ ଅବସ୍ଥା ନିରୀକ୍ଷଣ କରି ଏକାନ୍ତ ହତବୁଦ୍ଧି ହୋଇଗଲେ ଏବଂ ତାଙ୍କୁ ପଚାରିଲେ ‘‘ଅସ୍ତି କଶ୍ଚିତ୍ ବାଗ୍‌ବିଶେଷଃ ?’’ ମାତ୍ର ମୂର୍ଖସ୍ୱାମୀ ପ୍ରଶ୍ନର ମର୍ମ ବୁଝି ନ ପାରି ନିରୁତ୍ତର ହେଲେ । ପରେ ବୁଦ୍ଧିମତୀ ରାଜକନ୍ୟା ମନ୍ତ୍ରୀଙ୍କଦ୍ୱାରା ପ୍ରତାରିତ ହୋଇଥିବା ଜାଣି ପାରି ତତ୍‌କ୍ଷଣାତ୍ ସ୍ୱାମୀଙ୍କୁ ଅନ୍ତଃପୁର ମଧ୍ୟରୁ ବାହାର କରାଇ ଦେଇ ଘୋର ମନସ୍ତାପରେ କାଳହରଣ କରିବାକୁ ଲାଗିଲେ ।

 

ପତ୍ନୀକର୍ତ୍ତୃକ ଏହିପରି ଲବ୍ଧିତ ଓ ଅବମାନିତ ହେବାରୁ କାଳିଦାସଙ୍କ ମନରେ ଘୋର ଦୁଃଖ ଜାତ ହେଲ । । ପରିଶେଷରେ ସେ ସ୍ଥିର କଲେ ଯେ, ମୂର୍ଖର ଜୀବନଧାରଣ ମରଣ ଅପେକ୍ଷା ଅଧିକତର ଯନ୍ତ୍ରଣାପ୍ରଦ । ବିଦ୍ୟାଲାଭ ଲାଳସାର ବଶବର୍ତ୍ତୀ ହୋଇ ସେ ଇତସ୍ତତଃ ଭ୍ରମଣ କରିବାକୁ ଲାଗିଲେ । ଦୈବଗତ୍ୟା ଜଣେ ଜଟିଳ ସନ୍ନ୍ୟାସୀଙ୍କୁ ସେ ବିଦ୍ୟାଲାଭର ଉପାୟ ସମ୍ବନ୍ଧରେ ପ୍ରଶ୍ନ କରନ୍ତେ, ସନ୍ନ୍ୟାସୀ କହିଲେ ସରସ୍ୱତୀଙ୍କର ଅନୁଗ୍ରହ ନ ହେଲେ ତୁମର ବିଦ୍ୟାଲାଭ ହେବ ନାହିଁ । ଏହାଶୁଣି କାଳିଦାସ ପ୍ରଶ୍ନ କଲେ ‘‘ସରସ୍ୱତୀ କେଉଁଠାରେ ଥାନ୍ତି ?’’ ସନ୍ନ୍ୟାସୀ ଏହି ପ୍ରଶ୍ନ ଭଙ୍ଗୀରୁ ବୁଝିଲେ ଯେ ଲୋକଟି ଗଣ୍ଡମୂର୍ଖ; ମାତ୍ର ତାଙ୍କର ଆଗ୍ରହାତିଶଯ୍ୟା ଦେଖି କହିଲେ ‘‘ତୁମ୍ଭର ନାକ ସଳଖ ଗଲେ ସରସ୍ୱତୀଙ୍କୁ ପାଇବ ।’’ ମୂର୍ଖ ଲୋକ ସହଜରେ ଯେ କୌଣସି କଥାରେ ବିଶ୍ୱାସ ସ୍ଥାପନ କରିପାରେ । କାଳିଦାସ ସନ୍ନ୍ୟାସୀଙ୍କ ଉତ୍ତରରେ ଏକାନ୍ତ ଆସ୍ଥା ସ୍ଥାପନ କରି ସମ୍ମୁଖ ଦିଗରେ ଅଗ୍ରସର ହେଲ । ପୁରୋବର୍ତ୍ତୀ ନଦୀ, ପୁଷ୍କରିଣୀ, ଗିରି, ବନ ପ୍ରଭୃତିକୁ ବହୁତକଷ୍ଟରେ ଅତିକ୍ରମ କରିବାରେ ଏକାନ୍ତ କ୍ଳାନ୍ତ ହୋଇ ପଡ଼ିଲେ ସୁଦ୍ଧା ସେ ତହିଁରୁ ନିବୃତ୍ତ ଦେଲେ ନାହିଁ । ଶେଷରେ ଉତ୍ତାଳତରଙ୍ଗମୟ ମହାସାଗର ତାଙ୍କର ଗତିରୋଧ କଲା । ସମୁଦ୍ରସଂଚରଣ ବିଷୟରେ ଏକାନ୍ତ ହତବୁଦ୍ଧି ହୋଇ ସେ ତୀରବର୍ତ୍ତୀ ବାଲୁକାରାଶିର ନିକ୍ଷେପଦ୍ୱାରା ତନ୍ମଧ୍ୟରେ ବନ୍ଧ ରଚନା କରି ଉତ୍ତରଣର ଉପାୟକଳ୍ପନା କଲେ । ଏହି ଉଦ୍ଦେଶ୍ୟରେ ସେ ଅହୋରାତ୍ର ଅନାହାରରେ ଓ ଅନିଦ୍ରାରେ କୂଳସ୍ଥିତ ସିକତାରାଶି ସମୁଦ୍ରରେ ନିକ୍ଷେପ କରିବାରୁ ଲାଗିଲେ । ତାଙ୍କର ଏହି ଐକାନ୍ତିକୀ ଅନୁରକ୍ତି ଦେଖି ଦୟାମୟୀ ବାଗଦେବୀ ଗୋଟିଏ ବୃଦ୍ଧା ବିଧବା ବ୍ରାହ୍ମଣୀରୂପେ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ପ୍ରସଙ୍ଗ କ୍ରମେ ସେହି ଅଦୂରଦର୍ଶୀ ବ୍ରାହ୍ମଣଙ୍କୁ କହିଲେ ‘‘ତୁମ୍ଭର ସମୁଦ୍ରରେ ବାଲି ବନ୍ଧ ଗଢିବାର ଚେଷ୍ଟା ଯେପରି, ଏ ଜୀବନରେ ବିଦ୍ୟାଲାଭ ଚେଷ୍ଟା ଠିକ୍ ସେହିପରି ।’’ ଏହା ଶୁଣି କାଳିଦାସ କହିଲେ ‘‘ଯେବେ ମୋର ଏ ଜୀବନରେ ବିଦ୍ୟାଲାଭ ନ ହୁଏ, ତେବେ ମୁଁ ନିଶ୍ଚୟ ଏହି ସମୁଦ୍ରକୁ ଡେଇଁ ଏ ଜୀବନ ବିସର୍ଜନ କରିବି ।’’ ଏଥିରେ ଦେବୀଙ୍କର ସ୍ୱଭାବସୁକୋମଳ ଚିତ୍ତ ଦ୍ରବୀଭୂତ ହୋଇଗଲା । ସେ କାଳିଦାସଙ୍କୁ କହିଲେ ‘‘ଦେଖ, ଏକା ଏ ଜନ୍ମରେ କାହିଁକି ପରବର୍ତ୍ତୀ ସାତ ଜନ୍ମରେ ସୁଦ୍ଧା ତୁମ୍ଭର ବିଦ୍ୟା ହେବ ନାହିଁ । ମୁଁ ସ୍ୱୟଂ ସରସ୍ୱତୀ, ତୁମର ଦୃଢଶଭକ୍ତିରେ ଏକାନ୍ତ ସନ୍ତୁଷ୍ଟ ହୋଇଅଛି । ତେବେ ଆସେ ମୁଁ ତୁମ୍ଭଙ୍କୁ ଏହିଠାରେ ସପ୍ତବାର ଗର୍ଭସ୍ଥ କରି ଜନ୍ମପ୍ରଦାନ କରିବି । ତଦ୍ଦ୍ୱାରା ତୁମ୍ଭର ବିଧିନିର୍ଦ୍ଦିଷ୍ଟ ଅଦୃଷ୍ଟଲିପିର ଅନ୍ୟଥାଚରଣ ହେବ ନାହିଁ । ଏହା କହି ଦେବୀ ସ୍ୱୀୟ ଅସାଧାରଣଶକ୍ତି ବଳରେ ତାଙ୍କୁ ସେହି ସମୁଦ୍ରକୂଳରେ ସପ୍ତବାର ଗର୍ଭସ୍ଥ କରି ସପ୍ତଜନ୍ମ ପ୍ରଦାନ କଲେ । ସପ୍ତମଥର ଶେଷରେ ସେ ଭୂମିଷ୍ଠ ହେବା ପରେ ସରସ୍ୱତୀଙ୍କୁ ସମ୍ମୁଖରେ ସ୍ୱୀୟ ଦିବ୍ୟଶୋଭାରେ ଦଣ୍ଡାୟମାନ ଥିବା ଦେଖି ଏକାନ୍ତ ମୁଗ୍ଧ ହୋଇ ସ୍ତବ କଲେ :—

 

କଜ୍ଜ୍ୱଳପୂରିତ ଲୋଚନଭାଲେ

ସ୍ତନଯୁଗଶୋଭିତ ମୁକୁତାହାରେ

ବୀଣାପୁସ୍ତକରଞ୍ଜିତହସ୍ତେ

ଭଗବତି, ଭାରତି, ଦେବି ନମସ୍ତେ ।

 

ମାତ୍ର ଦେବୀ ପୁତ୍ରଙ୍କର ଏହି ସ୍ତୁତି ଶ୍ରବଣରେ ଏକାନ୍ତ ଦୁଃଖିତା ହୋଇ କହିଲେ ‘‘ଦେଖ ତୁମ୍ଭେ ପ୍ରଥମେ ମୋର ଚରଣବର୍ଣ୍ଣନ ନ କରି ମୁଖ ଶୋଭାବର୍ଣ୍ଣନ କରିବାଦ୍ୱାରା ଶିଷ୍ଟାଚାରବିରୁଦ୍ଧ କର୍ମ କରିଅଛ । ତୁମ୍ଭେ ଜଗତରେ ଅଦ୍ୱିତୀୟ ପଣ୍ଡିତ ହେବ ସତ୍ୟ ମାତ୍ର ବିଦ୍ୟାନଗରୀ (ବାରାଣସୀ) ଜୟ କରି ପାରିବ ନାହିଁ । ଏହି ଅଭିଶାପ ପ୍ରଭାବରୁ କାଳିଦାସ ବିଦ୍ୟାନଗରୀରେ ଉପସ୍ଥିତ ହୋଇ କେତେକ ସାମାନ୍ୟ ଲୋକଙ୍କ ନିକଟରେ ପରାଜୟସ୍ୱୀକାରପୂର୍ବକ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତତ୍ପରେ ତାଙ୍କର ସ୍ତ୍ରୀଙ୍କର ପ୍ରଶ୍ନ ‘‘ଅସ୍ତିକଶ୍ଚିଦ୍‌ବାଚ୍‌ବିଶେଷଃ’’ ତାଙ୍କର ସ୍ମୃତିପଥାରୁଢ଼ ହେଲା । ସେହି ପ୍ରଶ୍ନସ୍ଥ ପ୍ରତ୍ୟେକ ପଦକୁ ଆଦ୍ୟ ପଦରୂପେ ଅବଲମ୍ବନ କରି ସେ ଖଣ୍ଡିଏ ଖଣ୍ଡିଏ କାବ୍ୟ ପ୍ରଣୟନ କଲେ । କୁମାରସମ୍ଭବର ପ୍ରଥମରେ ‘‘ଅସ୍ତି’’ ମେଘଦୂତର ପ୍ରଥମରେ ‘‘କଶ୍ଚିତ; ରଘୁବଂଶର ପ୍ରତମେ ‘‘ବାକ୍’’ ପଦର ପ୍ରୟୋଗ ଏହି ଜନଶ୍ରୁତିର ମୂଳ । ‘‘ବିଶେଷ’’ ପଦମୂଳକ କାବ୍ୟ-ଖଣ୍ଡି କାଳଗର୍ଭରେ ଲୀନ ହୋଇ ଯାଇଅଛି ବୋଲି ଲୋକମାନଙ୍କର ଧାରଣା ।

Image

 

ରଘୁବଂଶ

ଦିଲୀପ

 

ସୂର୍ଯ୍ୟବଂଶୀୟ ରାଜାମାନେ ପ୍ରାଚୀନକାଳରେ ଏହି ଭାରତବର୍ଷରେ ରାଜତ୍ୱ କରୁଥିଲେ । ସେମାନଙ୍କର ଦିଗନ୍ତବିଶ୍ରୁତ କୀର୍ତ୍ତିକଳାପ ସମଗ୍ର ଭୂମଣ୍ଡଳ ଅତିକ୍ରମ କରି ସ୍ୱର୍ଲୋକ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିଲା । ସେହି ମତଭାଷୀ ଆଫଳୋଦୟକର୍ମା ନରପତିମାନେ କେବଳ ସତ୍‍ପାତ୍ରରେ ବିନିଯୋଗ କରିବା ପାଇଁ ଅର୍ଥ ସଞ୍ଚୟ କରୁଥିଲେ ଓ ସନ୍ତାନ ନିମିତ୍ତ ପରିଣୀତ ହେଉଥିଲେ ଏବଂ ଆଶ୍ରାମାନୁରୂପ ସଂସାରଯାଏ । ନିର୍ବାହ କରି ଶେଷରେ ମୁନିଋଷି ଅବଲମ୍ବନପୂର୍ବକ ଯୋଗମାର୍ଗରେ ତନୁତ୍ୟାଗ କରୁଥିଲେ । ସେମାନଙ୍କ ପୂର୍ବ ବଂଶରେ ଦିଲୀପନାମଥେୟ ଜଣେ ମହାଯଶା ମହୀପତି ଜାତ ହୋଇଥିଲେ । ତାହାଙ୍କର ଶାଳତରୁ ପରି ଉନ୍ନତ ଶରୀର, ସୁବିପୁଳ ବକ୍ଷସ୍ଥଳ, ଉନ୍ନତ ସ୍କନ୍ଧଦେଶ, ଆକାନୁଲମ୍ବିତ ବାହୁଯୁଗଳ ଓ ଆତ୍ମକର୍ମକ୍ଷମ ଶରୀର ଅବଲୋକନ କଲେ ବୋଧ ହେଉଥିଲା, ସତେ ଯେପରି କ୍ଷାତ୍ରଧର୍ମ ମୁନି ପରିଗ୍ରହ କରି ଭୂମଣ୍ଡଳରେ ଅବତୀର୍ଣ୍ଣ ହୋଇଅଛି । ସେ ଆକୃତି ଅନୁରୂପ ବୃଦ୍ଧି ଏବଂ ବୁଦ୍ଧି ଅନୁରୂପ ଶାସ୍ତ୍ରଜ୍ଞାନ ଲାଭ କରିଥିଲେ । ରାଜୋଚିତ ଭୀମକାନ୍ତ ରାଣଦ୍ୱାରା ବିମଣ୍ଡିତ ହୋଇ ମହାରାଜ ଦିଲୀପ ପୃଥିବୀର ଅନ୍ୟାନ୍ୟ ରାଜାମାନଙ୍କୁ ସ୍ୱତେଜରେ ଅଭିଭୂତ କରି ରଖିଥିଲେ । ସୂର୍ଯ୍ୟ ଯେପରି ସହସ୍ରଗୁଣରେ ପ୍ରତ୍ୟର୍ପଣ କରିବା ପାଇଁ ପୃଥିବୀରୁ ରସ ଗ୍ରହଣ କରିଥାନ୍ତି, ସେ ସେହିପରି ପ୍ରଜାମାନଙ୍କର ଉପକାର ବିଧାନ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଠାରୁ ଦ୍ରବ୍ୟର ଷଷ୍ଠାଂଶ ମାତ୍ର କରରୂପେ ଗ୍ରହଣ କରୁଥିଲେ ଚତୁରଙ୍ଗବଳ ଛତ୍ରଚାମର ପରି ତାଙ୍କର କେବଳ ଶୋଭାସମ୍ପାଦକ ଥିଲା; ପରନ୍ତୁ ଅକୁଣ୍ଠିତ ଶାସ୍ତ୍ରଜ୍ଞାନ ଏବଂ ଶରାସନରେ ଆରୋପିତ ଗୁଣ ତାଙ୍କର ସମଗ୍ର ପ୍ରୟୋଜନ ସାଧବ କରୁଥିଲା । ସେ ଅତି ଗୋପନରେ ମନ୍ତ୍ରଣା କରୁଥିଲେ, ତେଣୁ କେହି ତାଙ୍କର ଆକୃତି ବା ଇଙ୍ଗିତ ଦେଖି ତଦୀୟ କାର୍ଯ୍ୟଗତି ଅନୁମାନ କରି ପାରୁ ନ ଥିଲେ । ଭୀତ ନ ହୋଇ ଆତ୍ମରକ୍ଷା କରିବା, ଆତୁର ନ ହୋଇ ଧର୍ମାଚରଣ କରିବା, ଲୁବ୍ଧ ନ ହୋଇ ଅର୍ଥଗ୍ରହଣ କରିବା ଦିଲୀପଙ୍କ ଚରିତ୍ରର ବିଶିଷ୍ଟ ଗୁଣ । ବିପୁଳ ବିଷୟସୁଖ ସମ୍ମୁଖରେ ବିଦ୍ୟମାନ ଥିଲେହେଁ ସେ ଆସକ୍ତ ନ ହୋଇ ସେ ସବୁ ସଯୋଚ କରୁଥିଲେ-। ନାନା ଶାସ୍ତ୍ରରେ ସୁପଣ୍ଡିତ ଥିଲେହେଁ କଦାପି ଜ୍ଞାନ ବିଷୟରେ ଅଭିମାନ କରୁ ନ ଥିଲେ ଏବଂ ନିୟତ ଦାନାଦି ପବିତ୍ର ଅନୁଷ୍ଠାନରେ ବ୍ୟାପୃତ ଥିଲେ ସୁଦ୍ଧା କେବେ ଆତ୍ମଶ୍ଳାଘା କରୁ ନଥିଲେ-। ଅପତ୍ୟନିର୍ବିଶେଷରେ ପ୍ରଜାପାଳନ କରୁଥିବାର ପ୍ରଜାମାନେ ତାଙ୍କ ପିତୃବତ୍ ଭକ୍ତି କରୁଥିଲେ-। କେବଳ ଲୋକସ୍ଥିତି ନିମିତ୍ତ ସେ କେବେ କେବେ ଦଣ୍ଡବିଧାନ କରୁଥିଲେ ସତ୍ୟ, ନଚେତ୍ ତସ୍ୱରତା ତାଙ୍କ ରାଜ୍ୟ ମଧ୍ୟରେ କଥାମାତ୍ରରେ ରହିଥିଲା । ଶିଷ୍ଟବ୍ୟକ୍ତି ଶତ୍ରୁ ହେଲେହେଁ ରୋଗୀର ଔଷଧ ପଚି ତାଙ୍କର ପୀତିପାତ୍ର ହେଉଥିଲେ; ପରନ୍ତୁ ଦୁଷ୍ଟଲୋକ ପ୍ରିୟ ହେଲେ ସୁଦ୍ଧା ଉରଗଦଷ୍ଟ ଅଙ୍ଗୁଳି ପରି ସେ ତାହାକୁ ତତ୍‍କ୍ଷଣାତ୍ ତ୍ୟାଗ କରୁଥିଲେ । ଫଳତଃ ସେ ଦେବଦୁର୍ଲଭ ଗୁଣାବଳି କେବଳ ପରୋପକାର ନିମିତ୍ତ କରିଥିଲେ ଏବଂ ସାଗରମେଖଳା ଏହି ବସୁନ୍ଧରାକୁ ଜୟ କରି ଗୋଟିଏ ନଗରୀ ପରି ତାହା ଶାସନ କରୁଥିଲେ ।

 

ଦାକ୍ଷିଣ୍ୟାଦି ଉଦାରଗୁଣସମନ୍ୱିତା ପରମରୂପବତୀ ମଗଧରାଜ ନନ୍ଦନା ସୁଦକ୍ଷିଣା ମହାରାଜ ଦିଲୀପଙ୍କ ଧର୍ମପତ୍ନୀ ଥିଲେ । ତାଙ୍କର ବହୁ କଳତ୍ର ଥିଲେ ସୁଦ୍ଧା ସେ ସୁଦକ୍ଷିଣାଙ୍କ ପ୍ରତି ଏକାନ୍ତ ଅନୁରକ୍ତ ଥିଲେ ମାତ୍ର ତାଙ୍କ ଗର୍ଭରୁ ଆତ୍ମାନୁରୂପ ପୁତ୍ର ଜାତ ହେବାରେ ବିଳମ୍ବ ଦେଖି ସେ ଘୋର ଦୁଃଖରେ କାଳାତିପାତ କରୁଥିଲେ । ଏକଦା ମହାରାଜା ଦିଲୀପ ସନ୍ତାନାର୍ଥୀ ହୋଇ ରାଜ୍ୟଶାସନ ଭାର ମନ୍ତ୍ରୀଙ୍କ ଉପରେ ଅର୍ପଣ ପୂର୍ବକ ସହଧର୍ମିଣୀ ସହ କୁଳଗୁରୁ ମହର୍ଷି ବଶିଷ୍ଠଙ୍କ ଆଶ୍ରମକୁ ପ୍ରସ୍ଥାନ କଲେ ବା ଶିଶିର-ଋତୁର ଅବସାନରେ ଚିତ୍ରା-ସଂଯୁକ୍ତ ଚନ୍ଦ୍ରମା ଆକାଶରେ ଯେପରି ଅନିର୍ବଚନୀୟ ଶୋଭା ବିସ୍ତାର କରନ୍ତି, ସେହିପରି ସେହି ଗଜଦମ୍ପତି ରଥାରୁଢ଼ ହୋଇ ରାଜମାର୍ଗକୁ ଦିବ୍ୟ ଶୋଭାରେ ଉଦ୍‍ଭାସିତ କରି ଗମନ କରିବାକୁ ଲାଗିଲେ । ରଥଚକ୍ରର ସ୍ନିଗ୍ଧଗମ୍ଭୀର ନିର୍ଘୋଷ ଶୁଣି ମେଘଧ୍ୱନି ଜ୍ଞାନରେ ମୟୂରମାନେ ପଥପାର୍ଶ୍ୱରେ କେକାରବ ସହ ଆନନ୍ଦରେ ନୃତ୍ୟ କରୁଥିଲେ । ପୁଷ୍ପରେଣୁସମାକୀର୍ଣ୍ଣ ସୁଖସ୍ପର୍ଶ ଅନୁକୂଳ ସମୀରଣ ପ୍ରବାହିତ ହୋଇ ରାଜଦମ୍ପତିଙ୍କ ଅଭୀଷ୍ଟସିଦ୍ଧିର ସୂଚନା କରୁଥିଲା । ଅଶ୍ରୁତପୂର୍ବ ରଥଧ୍ୱନି ଶ୍ରବଣରେ ମୃଗମାନେ ସ୍ୟନ୍ଦନ ସମୀପରେ ସମବେତ ହୋଇ ଚକିତ ନେତ୍ରରେ ତାହା ନିରୀକ୍ଷଣ କରୁଥିଲେ । ସ୍ଥାନେ ସ୍ଥାନେ ନଳଗବୀ, ଶ୍ରେଣିବଦ୍ଧ ସାରସପଂକ୍ତି ନିରବଲମ୍ବ ପୁଷ୍ପମାଳା ପରି ସମ୍ମୁଖରେ ଶୋଭା ପାଉଥିଲେ । କେଉଁଠାରେ ବିକଚପଙ୍କଜରାଜି-ପରିପୂରିତ ପୁଷ୍କରିଣୀମାନ ରାଜଦମ୍ପତିଙ୍କର ମନଃ ପ୍ରାଣ ହରଣ କରୁଥିଲା । କାହିଁ ବା ରହିକ୍‍ବୃନ୍ଦ ପଥପାର୍ଶ୍ୱରେ ଦଣ୍ଡାୟମାନ ହୋଇ ହସ୍ତୋତ୍ତୋଳନପୂର୍ବକ ଅମୋଘ ଆଶୀର୍ବାଦ ପ୍ରଦାନ କରୁଥିଲେ । ଗୋପବୃନ୍ଦ ଅଭୀରପଲ୍ଲୀ ସମୀପରେ ଉପହାର ଦେବାପାଇଁ ହୈୟଙ୍ଗବୀନ ହସ୍ତରେ ଧରି ରହିଥିଲେ । ପ୍ରିୟଦର୍ଶନ ମହାରାଜ ପତ୍ନୀଙ୍କୁ ଏହି ସମସ୍ତ ବିଚିତ୍ର ଦୃଶ୍ୟ ପ୍ରଦର୍ଶନ କରୁଁ କରୁଁ ସାୟଂକାଳରେ ମହର୍ଷି ବଶିଷ୍ଠଙ୍କ ଆଶ୍ରମ ସମୀପରେ ଉପସ୍ଥିତ ହେଲେ ।

 

ରାଜା ସେଠାର ସମୁପାଗତ ହୋଇ ଦେଖିଲେ ଯେ, ତପସ୍ୱୀମାନେ ବନାନ୍ତରରୁ ସମିତ୍, କୁଶ ଓ ଫଳ ଆହାରଣ କରି ପ୍ରତ୍ୟାବୃତ୍ତ ହେଉଅଛନ୍ତି । ମୃଗମାନେ ନୀବାରବୀଜ ଭକ୍ଷଣ କରି ଉଟଜ-ଦ୍ୱାରଦେଶରେ ରୋମନ୍ଥନରେ ବ୍ୟାପୃତ ଅଛନ୍ତି । ମୁନିକନ୍ୟାମାନେ କ୍ଷୁଦ୍ର କ୍ଷୁଦ୍ର ବୃକ୍ଷମାନଙ୍କର ଆଳବାଳରେ ଜଳ ସେଚନ କରି ଚାଲିଗଲା ମାତ୍ରେ ବିହଙ୍ଗମାନେ ବିଶ୍ରବ୍ଧମନରେ ତହିଁରୁ ଜଳପାନ କରୁଅଛନ୍ତି । ଆତପ ଅପସୃତ ହୋଇ ଯାଇଥିବାରୁ ଉଟଜାଙ୍ଗନ ଭୂମିରେ ନୀବାରଧାନ୍ୟ ରାଶୀକୃତ ହୋଇ ରହିଅଛି । ଆହୁତିଗନ୍ଧାପୂର୍ଣ୍ଣ ଧୂମରାଶି ବାୟୁପ୍ରବାହଦ୍ୱାରା ଇତସ୍ତତଃ ଚାଳିତ ହୋଇ ଆଶ୍ରମୋନ୍ମୁଖ ଅତିଥିମାନଙ୍କ ଅନ୍ତଃକରଣକୁ ପବିତ୍ର ଶାନ୍ତିରସରେ ଆପ୍ଳୁତ କରୁଅଛି ।

 

ମହାରାଜ ସ୍ୱୟଂ ରଥରୁ ଅବତରଣ କରି ପତ୍ନୀଙ୍କୁ ଅବତାରଣ କଲେ । ଉପସ୍ଥିତ ମୁନିମାନଙ୍କକର୍ତ୍ତୃକ ଯଥାବିଧି ଅଭ୍ୟର୍ଥିତ ହୋଇ ରାଜା ଓ ରାଜ୍ଞୀ ସାଂୟତନ ଉପାସନା ଶେଷରେ ଗୁରୁ ଓ ଗୁରୁପତ୍ନୀଙ୍କ ଚରଣ ବନ୍ଦନା କଲେ । ଅନନ୍ତର ମହର୍ଷି ରାଜର୍ଷିଙ୍କୁ ରାଜ୍ୟର କୁଶଳ ପ୍ରଶ୍ନ କରନ୍ତେ ବାଗ୍ମିପ୍ରବର ନୃପତି ବିନୟବଚନରେ ନିବେଦନ କଲେ ‘‘ଗ୍ଳଗେ ! ଆପଣ ଦୈବୀ ଓ ମାନଷୀ ଆପଦର ପ୍ରତିସଂହର୍ତ୍ତାରୂପେ ବିଦ୍ୟମାନ ଥିବା ସ୍ଥଳେ ମୋର ରାଜ୍ୟରେ ସର୍ବତ୍ର ଶାନ୍ତି ବିରାଜିତ ନ ରହିବ କାହିଁକି ? ଆପଣଙ୍କ ମନ୍ତ୍ରବଳରେ ଅସ୍ତ୍ରପ୍ରୟୋଗ ବିନା ମୋର ଶତ୍ରୁମାନେ ପ୍ରଶାସିତ ହୋଇଅଛନ୍ତି । ଆପଣ ବିଧାନାନୁଯାୟୀ ଅଗ୍ନିରେ ଯେଉଁ ଆହୁତି ପ୍ରଦାନ କରନ୍ତି, ତଦ୍ଦ୍ୱାରା ମୋ ରାଜ୍ୟର ଅବଗ୍ରହ ପ୍ରତିହତ ହୋଇଅଛି । ଆପଣଙ୍କ ବ୍ରହ୍ମତେଜୋବଳରେ ମୋର ପ୍ରଜାମାନେ ଦୀର୍ଘଜୀବୀ ହାଇ ନିର୍ଭୀକ ଭାବରେ କାଳଯାପନ କରୁଅଛନ୍ତି ଏବଂ ରାଜ୍ୟରୁ ଇତିଭୟ ନିରାକୃତ ହୋଇଅଛି । ସାକ୍ଷାତ୍ ବିଧାତାଙ୍କ ପୁତ୍ର ସତତ ଯାଦାଙ୍କର ମଙ୍ଗଳାନୁଧ୍ୟାନରେ ନିଯୁକ୍ତ ତାଙ୍କର ରାଜ୍ୟ ଯେ ଅବ୍ୟାହତ ରହିବ, ଏଥିରେ ଆଉ ସନ୍ଦେହ କଣ ? ମାତ୍ର ଆପଣଙ୍କର ଏହି ବଧୂଙ୍କ ଗର୍ଭରୁ ଅନୁରୂପ ସନ୍ତାନ ଜନ୍ମଗ୍ରହଣ ନ କରିବାରୁ ଏହି ରତ୍ନପ୍ରସ୍ଥ ସସାଗରା ମେଦିନୀର ଏକାଧିପତ୍ୟରେ ସୁଦ୍ଧା ମୋର ତୃପ୍ତି ହେଉ ନାହିଁ । ମୋ ପରେ ପିଣ୍ଡଲୋପ ହେବ ଏହି ଭୟରେ ମୋର ପୂର୍ବପୁରୁଷମାନେ ହତାଶ ହୋଇ ଶ୍ରାଦ୍ଧରେ ମଦ୍ଦତ୍ତ ପିଣ୍ଡ ଗ୍ରହଣ ନ କରି ଭବିଷ୍ୟତ୍ ନିମିତ୍ତ ସଞ୍ଚୟ କରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଅଛନ୍ତି ଏବଂ ମଦର୍ପିତ ତର୍ପଣ ଜଳ ନିଃଶ୍ୱାସନଳିରେ କବୋଷ୍ଣ କରି ପାନ କରୁଅଛନ୍ତି । ମୁଁ ସ୍ୱାଧ୍ୟୟଦ୍ୱାରା ଋଷି-ଋଣରୁ ଏବଂ ଯଜ୍ଞାନୁଷ୍ଠାନଦ୍ୱାରା ଦେବ-ଋଣରୁ ମୁକ୍ତ ହୋଇଅଛି ସତ୍ୟ, ମାତ୍ର ସନ୍ତାନାଭାବରୁ ପିତୃ-ଋଣରୁ ମୁକ୍ତ ହୋଇ ପାରି ନାହିଁ । ତପୋଦାନାଦି ସତ୍‌କର୍ମସମୂହର ଅନୁଷ୍ଠାନଦ୍ୱାରା କେବଳ ପରଲୋକରେ ସୁଖଲାଭ ହୁଏ ମାତ୍ର ସତ୍‍ପୁତ୍ରଯୋଗେ ଇହଲୋକ ଓ ପରଲୋକ ଉଭୟ ସୁଖଜନକ ହୋଇଥାଏ । ଗୁରୋ ! ସ୍ୱହସ୍ତରୋପିତ ଆଶ୍ରମବୃକ୍ଷ ଫଳଶୂନ୍ୟ ହେଲେ ଯେପରି ଦୁଃଖ ଅନୁଭୂତ ହୁଏ , ମୋତେ ଅନପତ୍ୟ ଦେଖି ଆପଣଙ୍କ ମନରେ ସେହିପରି ଦୁଃଖ ଜାତ ହେଉ ନାହିଁ କି ? ଭଗବାନ୍, ଅସ୍ମାତ ଗଜ ପକ୍ଷରେ ବନ୍ଧନସ୍ତମ୍ଭ ନିତାନ୍ତ ମର୍ମନ୍ତୁଦ ହୋଇଥାଏ, ମୋ ପକ୍ଷରେ ପିତୃ-ଋଣ ସେହିପରି ନିତାନ୍ତ ଅସହ୍ୟ ହୋଇ ଉଠିଅଛି । ସେହି ଋଣରୁ ମୁଁ ଯେପରି ମୁକ୍ତିଲାଭ କରି ପାରିବି, ଆପଣ ଦୟାର୍ଦ୍ର ହୋଇ ତାହାର ଉପାୟ ବିଧାନ କରିବା ହୁଅନ୍ତୁ । ଯେହେତୁ ଈକ୍ଷ୍ୱାକୁବଂଶୀୟମାନେ ଆପଣଙ୍କ ଅନୁଗ୍ରହରୁ ଦୁଃସାଧ୍ୟ କାର୍ଯ୍ୟରେ ମଧ୍ୟ ସିଦ୍ଧିଲାଭ କରିଥାନ୍ତି ।’’

 

ରାଜା ଏହିପରି ନିବେଦନ କରନ୍ତେ ତ୍ରିକାଳଜ୍ଞ ମହର୍ଷି ବଶିଷ୍ଠ ନିସ୍ତରଙ୍ଗ ସ୍ଥିର ଜଳାଶୟ ପରି ଧ୍ୟାନସ୍ତିମିତଲୋଚନରେ କ୍ଷଣକାଳ ସନ୍ତାନାଭାବର କାରଣ ଚିନ୍ତା କରି ପରେ ଦିଲୀପଙ୍କୁ କହିଲେ, ‘‘ମହାରାଜା ! ତୁମ୍ଭେ ଦିନେ ସ୍ୱର୍ଲୋକରୁ ଭୂଲୋକକୁ ପ୍ରତ୍ୟାବର୍ତ୍ତନ କଲାବେଳେ କାମଧେନୁ ସୁରଭି ପଥରେ କଳ୍ପବୃକ୍ଷ ଛାୟାରେ ଶୟନ କରିଥିଲେ, ଅନୁଲଙ୍ଘନୀୟ କର୍ତ୍ତବ୍ୟାନୁରୋଧରେ ତୁମ୍ଭେ ତାଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ ନ କରି ଚାଲି ଆସିବାରୁ କ୍ରୁଦ୍ଧ ହୋଇ ତୁମ୍ଭଙ୍କୁ ଅଭିଶାପ ପ୍ରଦାନ କରିଅଛନ୍ତି—‘ତୁମ୍ଭେ ମୋତେ ଅବଜ୍ଞା କରି ଗମନ କରିଅଛ, ତେଣୁ ମତ୍‌ସନ୍ତତିର ଉପାସନା ତୁମ୍ଭର ସନ୍ତାନଲାଭ ହେବ ନାହିଁ ।’ ସେତେବେଳେ ଦିଗ୍ଗଜମାନେ ଆକାଶଗଙ୍ଗାରେ ଉଦ୍ଦାମ ଜଳକ୍ରୀଡ଼ାରେ ମତ୍ତ ହୋଇ ଘୋରତର ଚିତ୍‍କାର କରୁଥିଲେ, ସେହି ହେତୁରୁ ତାଙ୍କର ଅଭିଶାପ ତୁମ୍ଭର ବା ତୁମ୍ଭ ସାରଥିଙ୍କର କର୍ଣ୍ଣଗୋଚର ହୋଇ ପାରିଲା ନାହିଁ । ଅତଏବ ମହାରାଜ ! ସୁରଭିଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରିବାରୁ ତୁମ୍ଭର ଅଭୀଷ୍ଟସିଦ୍ଧିରେ ଅଯଥା ବିଳମ୍ବ ହୋଇଅଛି । ପୂଜ୍ୟପୂଜା-ବ୍ୟତିକ୍ରମ ହେଲେ ମଙ୍ଗଳ କାର୍ଯ୍ୟରେ ପ୍ରାୟଶଃ ଏହିପରି ବିଘ୍ନ ଘଟିଥାଏ । ସଂପ୍ରତି ସୁରଭି ବରୁଣଙ୍କ ଯଜ୍ଞରେ ହବିର୍ଦାନ କରିବା ପାଇଁ ପାତାଳରେ ଅବସ୍ଥାନ କରୁଅଛନ୍ତି; ସୁତରାଂ ତାଙ୍କର ଆରାଧନା ତୁମ୍ଭ ପକ୍ଷରେ ବର୍ତ୍ତମାନ ଦୁଷ୍କର । ତାଙ୍କ କନ୍ୟା ନନ୍ଦିନୀ ଆମ୍ଭ ଆଶ୍ରମରେ ଅଛନ୍ତି-। ତାଙ୍କୁ ସୁରଭିଙ୍କର ପିତିନିଧି କରି ସତ୍ସୀକଶୁନି ହୋଇ ତାଙ୍କର ଆରାଧନାରେ ପ୍ରବୃତ୍ତ ହୁଅ । ସେ ପ୍ରସନ୍ନ ହେଲେ ଅଚିରେ ତୁମ୍ଭର ମନୋରଥ ସିଦ୍ଧ ହେବ ।’’ ମହର୍ଷି ଏହିପରି କହୁଅଛନ୍ତି, ଇତ୍ୟବସରରେ ପଲ୍ଲବପାଟଳା ନନ୍ଦିନୀ ମସ୍ତକରେ ଶ୍ୱେତରୋମରେଖା ଧାରଣ କରି ନବୋଦିତ ଶଶି କଳାସମନ୍ୱିତା ସନ୍ଧ୍ୟାପରି ମନ୍ଥର ଗତିରେ ବନ ମଧ୍ୟରୁ ପ୍ରତ୍ୟାବର୍ତ୍ତନ କଲେ-। ବତ୍ସାବଲୋକନରେ ତାଙ୍କର ଘଟସ୍ତନରୁ କଦୁଷ୍ଣ କ୍ଷୀର ନିଃସୃତ ହୋଇ ଭୂତଳକୁ ଅଭିଷିକ୍ତ କରୁଥିଲା-। ନିମିତ୍ତଜ୍ଞ ମହର୍ଷି ବଶିଷ୍ଠ ସେହି ପୁଣ୍ୟଦର୍ଶନା ଦେବଗବୀଙ୍କୁ ଦର୍ଶନ କରି କହିଲେ, ‘‘ରାଜନ୍, ନାମକୀର୍ତ୍ତନ ମାତ୍ରକେ ଏ କଲ୍ୟାଣୀ ଏଠାରେ ସମୁପସ୍ଥିତ ହେବାରୁ ମୁଁ ମନେ କରୁଅଛି, ଅନତିବିଳମ୍ବରେ ତୁମ୍ଭର ମନୋବାଞ୍ଛା ସିଦ୍ଧ ହେବ । ନିୟତ ଅଭ୍ୟାସଦ୍ୱାରା ବିଦ୍ୟା ଯେପରି ଅଧିଗତ କରାଯାଏ, ତୁମ୍ଭେ ବନ୍ୟଫଳ–ମୂଳାଦି ଭକ୍ଷଣ କରି ଅନୁସରଣପୂର୍ବକ ପ୍ରସାଦକାଳ ପର୍ଯ୍ୟନ୍ତ ଏହାଙ୍କର ସେବା କଲେ ସେହିପରି ଫଳ ଲାଭ କରି ପାରିବ । ନନ୍ଦିନୀ ପ୍ରସ୍ଥାନ କଲେ ତୁମେ ପ୍ରସ୍ଥାନ କରିବ, ଦଣ୍ଡାୟମାନ ହେଲେ ଦଣ୍ଡାୟମାନ ହେବ, ଶୟନ କଲେ ଆସୀନ ହେବ ଏବଂ ଜଳପାନ କଲେ ଜଳପାନ କରିବ । ସୁଦକ୍ଷିଣା ମଧ୍ୟ ଭକ୍ତିମତୀ ହୋଇ ଏହାଙ୍କର ଅର୍ଚ୍ଚନା କରିବେ; ପ୍ରାତଃକାଳରେ ବନଗମନ ବେଳେ ସେ ତପୋବନର ଶେଷ ପର୍ଯ୍ୟନ୍ତ ଏହାଙ୍କର ଅନୁଗମନ କରିବେ ଏବଂ ସାୟଂକାଳରେ ପ୍ରତ୍ୟାଗମନବେଳେ ପ୍ରଭୁଗ୍ଗମନ କରିବେ । ମହାରାଜ ! ଏ ଯେପର୍ଯ୍ୟନ୍ତ ପ୍ରସନ୍ନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ଏହିପରି ପରିଚର୍ଯ୍ୟା କରିବାକୁ ହେବ । ତାହାହେଲେ ତୁମ୍ଭେ ସର୍ବଗୁଣସମ୍ପନ୍ନ ପୁତ୍ରଲାଭ କରିବ, ଏଥିରେ ସନ୍ଦେହ ନାହିଁ ।’’ ରାଜା ପ୍ରୀତିଯୁକ୍ତ ହୋଇ ସୁଦକ୍ଷିଣାଙ୍କ ସହିତ ଋଷିଙ୍କ ଉପଦେଶ ଅବନତମସ୍ତକରେ ଗ୍ରହଣ କଲେ-। ବ୍ରତପ୍ରୟୋଗାଭିଜ୍ଞ ମହର୍ଷି ତପଃସିଦ୍ଧି ପ୍ରଭାବରେ ରାଜାଙ୍କ ପାଇଁ ରାଜୋଚିତ ଶଯ୍ୟାଦିର ବ୍ୟବସ୍ଥା କରିବାରେ କ୍ଷମ ଥିଲେହେଁ ନିୟମାନୁରୋଧରେ ବନ୍ୟଶଯ୍ୟାଦିର ବ୍ୟବସ୍ଥା କରିଥିଲେ । ମହାରାଜ ଦିଲୀପ କୁଳପତି ବଶିଷ୍ଠଙ୍କ କର୍ତ୍ତୃକ ନିର୍ଦ୍ଦିଷ୍ଟ ପର୍ଣ୍ଣଶାଳାରେ ପତ୍ନୀ-ସମତ୍ତିବ୍ୟବହାରରେ ସେହି ରାତ୍ରି ଯାପନ କରି ତଦୀୟ ଶିଷ୍ୟମାନଙ୍କର ଅଧ୍ୟୟନାରମ୍ଭଦ୍ୱାରା ନିଶାବସାନ ସୂଚିତ ହୁଅନ୍ତେ ଶଯ୍ୟା ତ୍ୟାଗ କଲେ ।

Image

 

ଦିଲୀପଙ୍କ ଗୋଚାରଣ ବ୍ରତ

 

ରାତ୍ରି ପ୍ରଭାତ ହୁଅନ୍ତେ ସୁଦକ୍ଷିଣା ପୁଷ୍ପଚନ୍ଦନଦ୍ୱାରା ଯଥାବିଧ ନନ୍ଦିନୀଙ୍କର ଅର୍ଚ୍ଚନା କଲେ-। ଦୋହନାନନ୍ତର ବତ୍‌ସକୁ ବନ୍ଧନ କରି ରାଜା ବନଗମନ ନିମିତ୍ତ ଧେନୁକୁ ମୁକ୍ତ କରି ଦେଲେ-। ସଚ୍ଚୀଶିରୋମଣି ସୁଦକ୍ଷିଣା ମଧ୍ୟ ତପୋବନର ପ୍ରାନ୍ତଦେଶ ପର୍ଯ୍ୟନ୍ତ ତାଙ୍କର ଅନୁଗମନ କଲେ-। ରାଜା ତାହାଙ୍କୁ ଆଶ୍ରାମାଭିମୁଖରେ ଫେରାଇ ଦେଇ ସ୍ୱୟଂ ଏକାକୀ ହୋଇ ତାହାଙ୍କର ଅନୁସରଣ କଲେ । ସୁସ୍ୱାଦୁ ତୃଣଦାନ ଗାତ୍ରକଣ୍ଡୂୟନ ଓ ଦଂଶମଶକାଦି ନିବାରଣ କରି ଏବଂ ଯଥେଚ୍ଛ ଗମନରେ ବାଧା ନ ଦେଇ ସମ୍ରାଟ୍ ତାହାଙ୍କର ସେବାରେ ପ୍ରବୃତ୍ତ ହେଲେ । ସେ ଠିଆ ହେଲେ ସମ୍ରାଟ୍ ଠିଆ ହେଉଥିଲେ ଗମନ କଲେ ଗମନ କରୁଥିଲେ, ଶୟନ କଲେ ଉପବେଶନ କରୁଥିଲେ ଏବଂ ଜଳପାନ କଲେ ଜଳପାନ କରୁଥିଲେ; ଏହି ଭାବରେ ଛାୟାପରି ସେ ତାଙ୍କର ଅନୁବର୍ତ୍ତୀ ହୋଇ ରହିଲେ । ଛାତ୍ରଚାମରମଣିମୁକୁଟ ପ୍ରଭୃତି ଯାବତୀୟ ରାଜବିତ୍ତ ସେ ପରିହାର କରିଥିଲେ ତଥାପି ତେଜୋବିଶେଷଦ୍ୱାରା ତାଙ୍କ ବଦନମଣ୍ଡଳରେ ରଜଶ୍ରୀ ସ୍ପଷ୍ଟ ପ୍ରତିଭାତ ହେଉଥିଲା-। ଲତାପ୍ରତାନରେ କେଶପାଶ ବନ୍ଧନ କରି ଧନୁର୍ବାଣ ହସ୍ତରେ ତାଙ୍କୁ ଅରଣ୍ୟରେ ବିଚରଣ କରୁଥିବା ଦେଖିଲେ ବିତର୍କ ହେଉଥିଲା ମୁନିଙ୍କ ହୋମଧେନୁ ରକ୍ଷା ବ୍ୟାପଦେଶରେ ସେ ଅରଣ୍ୟଚାରୀ ଦୁଷ୍ଟଜୀବମାନଙ୍କୁ ଶାସନ କରିବାପାଇଁ ନିଯୁକ୍ତ ଅଛନ୍ତି କି ? ତାଙ୍କ ସଙ୍ଗରେ କୌଣସି ଆନୁଯାତ୍ରିକ ନ ଥିଲେ ସୁଦ୍ଧା ପାର୍ଶଦ୍ରୁମମ୍ଭାନେ ବିହଙ୍ଗ କାକଳିକ୍କଳରେ ତାଙ୍କର ଯଶୋଗାନ କରିବାକୁ ଲାଗିଲେ-। ସୁଶୀତଳ ସମୀରଣ ପ୍ରବାହିତ ହୋଇ ବନଲତାମାନଙ୍କରୁ ତାଙ୍କ ମସ୍ତକରେ ପୁଷ୍ପ ବର୍ଷଣ କରାଉଥିଲା । ତାଙ୍କର ସୁବିପୁଳ ସ୍କନ୍ଧଦେଶରେ ଶରାସନ ଲମ୍ବମାନ ଥିଲା, ତଥାପି ହରିଣଗଣ ତାଙ୍କର ଦୟାମୟ କମନୀୟାକୃତି ଅବଲୋକନ କରି ନିଃଶଙ୍କଚିତ୍ତରେ ତାଙ୍କ ପ୍ରତି ସସ୍ନେହ ଦୃଷ୍ଟିପାତ କରି ରହୁଥିଲେ । ମଧ୍ୟେ ମଧ୍ୟେ ନିର୍ଝରଶୀକରବାହୀ ସମୀରଣ ଅତପକ୍ଳିଷ୍ଟ ରାଜାଙ୍କର ଗାସ୍ପର୍ଶ କରି ତାଙ୍କର ଶାନ୍ତି ଅପନୋଦନ କରୁଥିଲା ।

 

ସନ୍ଧ୍ୟା ସମାଗତ ପ୍ରାୟ ବରାହଯୂଥ ପକ୍ୱଳପଙ୍କରୁ ଉତ୍ଥିତ ହୋଇ ଆହାର ଅନ୍ୱେଷଣରେ ବହିର୍ଗତ ହେଲେ; ମୟୂରମୟୂରୀଗଣ ସ୍ୱ ସ୍ୱ ଆବାସ ବୃକ୍ଷ ଅଭିମୁଖରେ ଗମନ କଲେ; ମୃଗସମୂହ ତୃଣାଚ୍ଛନ୍ନ ଭୂତଳରେ ଶୟନ କଲେ ଏବଂ ଶ୍ୟାମାୟମାନ ବନଭୂମି ମନୋହର ବେଶରେ ଶୋଭା ପାଇବାକୁ ଲାଗିଲା । ଦିନମଣିଙ୍କୁ ଅସ୍ତାଚଳଚୂଡ଼ାବଲମ୍ବା ଦେଖି ନନ୍ଦିନୀ ଆଶ୍ରମାଭିମୁଖ ହୋଇ ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କଲେ । ରାଜା ମଧ୍ୟ ଯଥାବିଧି ତାହାଙ୍କର ଅନୁସରଣ କରିବାକୁ ଲାଗିଲେ । ସୁଦକ୍ଷିଣା ତପୋବନର ପ୍ରାନ୍ତଦେଶରେ ଅର୍ଘ୍ୟପାତ୍ରହସ୍ତରେ ଦଣ୍ଡାୟମାନ ହୋଇଥିଲେ । ନନ୍ଦିନୀ ବତ୍ସ ସଂଦର୍ଶନ ନିମିତ୍ତ ଉତ୍‌କଣ୍ଠିତ ହୋଇଥିଲେହେଁ ସ୍ଥିର ଭାବରେ ଦଣ୍ଡାୟମାନ ହୋଇଥିଲେ । ନନ୍ଦିନୀ ବତ୍ସ ସଂଦର୍ଶନ ନିମିତ୍ତ ଉତ୍‍କଣ୍ଠିତ ହୋଇଥିଲେହେଁ ସ୍ଥିର ଭାବରେ ଦଣ୍ଡାୟମାନ ହୋଇ ତାଙ୍କର ସପର୍ଯ୍ୟା ଗ୍ରହଣ କଲେ । ଏହା ଦେଖି ରାଜା ଓ ରାଣୀ ହୃଦୟରେ ପରମାନନ୍ଦ ଅନୁଭବ କଲେ । ବାସ୍ତବରେ ଭକ୍ତିସହକା ସେବା କଲେ ତାଦୃଶ ପ୍ରାଣୀଙ୍କର ପ୍ରସାଦଚିତ ଆଶ୍ରୁଫଳପ୍ରଦ ହୋଇଥାଏ । ଅନନ୍ତର ରାଜା ଗୁରୁ ଓ ଗୁରୁପତ୍ନୀଙ୍କର ଚରଣବନ୍ଦନା କରି ସାନ୍ଧ୍ୟୋପାସନାଶେଷରେ ପୁନରପି ନନ୍ଦିନୀଙ୍କ ସେବାରେ ପତ୍ନୀଙ୍କ ସହିତ ନିଯୁକ୍ତ ହେଲେ ଏବଂ ପ୍ରଭାତରେ ନନ୍ଦିନୀ ନିଦ୍ରାତ୍ୟାଗ କରନ୍ତେ ରାଜଦମ୍ପତି ଗାତ୍ରୋତ୍ଥାନ କରି ପୂର୍ବବତ୍ ତାହାଙ୍କର ପରିଚର୍ଯ୍ୟାରେ ଅଭିନିବିଷ୍ଟ ହେଲେ । ସନ୍ତାନ କାମନାରେ ମହନୀୟକୀର୍ତ୍ତି ଦୀନବତ୍ସଳ ମହାରାଜ ଦିଲୀପ ସପତ୍ନୀକ ହୋଇ ଏହିପରି କଠୋର ବ୍ରତ ଅବଲମ୍ବନ କରି ଏକବିଶଂତି ଦିବସ ଅତିବାହନ କଲେ । ଦ୍ୱାବିଂଶ ଦିବସରେ ନନ୍ଦିନୀ ରାଜାଙ୍କର ମନୋଗତ ଭାବ ଜାଣିବା ଉଦ୍ଦେଶ୍ୟରେ ହିମାଦ୍ରିର ଯେଉଁ ଅଞ୍ଚଳରେ ଗଙ୍ଗା ପ୍ରବାହିତ, ନବତୃଣ ଭକ୍ଷଣ ନିମିତ୍ତ ସେହି ଅଂଶର ଗହରବିଶେଷରେ ପ୍ରବେଶ କଲେ । ରାଜା ଜାଣିଥିଲେ ଯେ ନନ୍ଦିନୀ ସାମାନ୍ୟ ଗାଭୀ ନୁହନ୍ତି । କୌଣସି ହିଂସ୍ରପଶୁ ତାଙ୍କୁ କଦାପି ଆକ୍ରମଣ କରି ନ ପାରେ । ତେଣୁ ନନ୍ଦିନୀଙ୍କ ଅବେକ୍ଷଣରେ ଶିଥିଳପ୍ରଯତ୍ନ ହୋଇ ସେ ହିମାଦ୍ରିର ହିମଗୌର ଶୃଙ୍ଗମାନଙ୍କର କମନୀୟ ଶୋଭା ନିରୀକ୍ଷଣ କରୁଥିଲେ । ଏହି ସମୟରେ ଗୋଟାଏ ପ୍ରକାଣ୍ଡ ସିଂହ ହଠାତ୍ ନନ୍ଦିନୀଙ୍କୁ ଆକ୍ରମଣ କଲା । ନନ୍ଦିନୀ ତତ୍‌କ୍ଷଣାତ୍ ଆର୍ତ୍ତନାଦ କରି ଉଠିଲେ । ସେହି ଆର୍ତ୍ତଧ୍ୱନି ସତେ ଯେପରି ରାଜାଙ୍କ ଗିରିନିହିତ ଦୃଷ୍ଟିକୁ ରଶ୍ମି ସଂଯତ କରି ତାଙ୍କ ଆଡ଼କୁ ପ୍ରତ୍ୟାବର୍ତ୍ତିତ କଲା । ଧନୂର୍ଦ୍ଧାରୀ ଶରଣାଗତବତ୍ସଳ ମହାରାଜ ଦିଲୀପ ଧାତୁମୟୀ ଅଧିତ୍ୟକାରେ ପୁଷ୍ପିତ ଲୋସ୍ତ ଦ୍ରୁମ ପରି ପାଟଳବର୍ଣ୍ଣ ନନ୍ଦିନୀଙ୍କ ପୃଷ୍ଠଦେଶରେ ଅବସ୍ଥିତ ସିଂହକୁ ଅବଲୋକନ କରି କିଂ କର୍ତ୍ତବ୍ୟବିମୂଢ଼ ହୋଇ ତାହାର ବିନାଶ ନିମିତ୍ତ ତୂଣୀରରୁ ଶର ନିଷ୍କାସନ କରିବାପାଇଁ ଦକ୍ଷିଣହସ୍ତ ପ୍ରସାରଣ କଲେ । ମାତ୍ର ବିସ୍ମୟର ବିଷୟ ଯେ, ହସ୍ତ ତୂଣ-ମୁଖରେ ଦୃଢ଼ରୂପେ ସଂଲଗ୍ନ ହୋଇ ରହିଗଲା । ଯତ୍‌ପରୋନାସ୍ତି ଯତ୍ନରେ ସୁଦ୍ଧା ସେ ହସ୍ତକୁ ସଞ୍ଚାଳନ କରି ପାରିଲେ ନାହିଁ । ବାହୁର ଅବରୋଧ ହେତୁରୁ ସମୀପବର୍ତ୍ତୀ ଦଣ୍ଡାର୍ହ ଶତ୍ରୁର ଦଣ୍ଡବିଧାନରେ ଅକ୍ଷମ ହୋଇ ରାଜା ମନ୍ତ୍ରୌଷଧିରୁଦ୍ଧବୀର୍ଯ୍ୟ ସର୍ପ ପରି ମନେ ମନେ ଦଗ୍ଧ ହେବାକୁ ଲାଗିଲେ । ଏହି ସମୟରେ ସିଂହ ତାହାଙ୍କୁ ଅଧିକତର ବିସ୍ମୟାଭୂତ କରି ମନୁଷ୍ୟବାକ୍ୟରେ କହିଲା, ‘‘ମହାରାଜ ! ବୃଥା ଚେଷ୍ଟାରେ କି ପ୍ରୟୋଜନ ? ମୋ ପ୍ରତି ଆପଣଙ୍କ ଶରନିକ୍ଷେପ ବ୍ୟର୍ଥ ହେବ । ପ୍ରଭଞ୍ଜନବେଗରେ ପାଦପ ସିନା ଉନ୍ତୂଳ ହୁଏ, ପର୍ବତ କେବେ ବିଚଳିତ ହୁଏ କି ? ମୋ ନାମ କୁମ୍ଭୋଦର, ମୁଁ ନିକୁମ୍ଭର ମିତ୍ର ଏବଂ ମହାଦେବଙ୍କର କିଙ୍କର ଅଟେ । ମହାଦେବ ପ୍ରଥମେ ତାଙ୍କର ପବିତ୍ର ପଦ ମୋ ପୃଷ୍ଠରେ ଅର୍ପଣ କରି ଅତ୍ୟନ୍ନତ ବୃଷଭୋ ପରି ଆରୋହଣ କରନ୍ତି । ସମ୍ମୁଖରେ ଏହି ଯେ ଦେବଦାରୁ ବୃକ୍ଷ ଦେଖୁଅଛନ୍ତି, ସ୍ୱୟଂ ପାର୍ବତୀ ହେମକୁମ୍ଭରେ ଜଳ ସେଚନ କରି ତାହାକୁ ସଂବର୍ଦ୍ଧିତ କରିଅଛନ୍ତି ।

 

‘‘ଏକଦା ଗୋଟିଏ ବନ୍ୟଗଜ ତାହାର କଣ୍ଡୂୟମାନ କଟର ଘର୍ଷଣ ଦ୍ୱାରା ଏହାର ତୃକ୍ ଉଥିତ କରିଦେବାରୁ ସନ୍ଦଙ୍କ ଶରୀରରେ ଅସରାସ୍ତ ବିଦ୍ଧ ହେଲେ ପାର୍ବତୀ ଯେପରି କଷ୍ଟ ଅନୁଭବ କରନ୍ତି, ସେ ସେହିପରି କଷ୍ଟ ଅନୁଭବ କରିଥିଲେ ଏବଂ ସେହିଦିନଠାରୁ ବନ୍ୟଗଜ ମାନଙ୍କର ତ୍ରାସୋତ୍ଥାଦନ ନିମିତ୍ତ ଶୂଳପାଣି ମୋତେ, ଏହି ପର୍ବତ ଗହ୍ୱରରେ ନିଯୁକ୍ତ କରି ଆଦେଶ କରିଅଛନ୍ତି ଯେ, ମୋ ନିକଟରେ ଯେଉଁ ପ୍ରାଣୀ ଉପସ୍ଥିତ ହେବ ତାହାକୁ ଭକ୍ଷଣ କରି ମୁଁ ପ୍ରାଣଧାରଣ କରିବି । ବହୁ ଦିବସ ହେଲା ମୁଁ ଏଠାରେ କ୍ଷୁଧାର୍ତ୍ତ ହୋଇ ଅବସ୍ଥାନ କରୁଥିଲି । ପରମେଶ୍ୱରଙ୍କ ନିର୍ଦ୍ଦେଶ ଅନୁସାରେ ଭାଗ୍ୟକ୍ରମେ ଆଜି ଶୋଣିତପାରଣା ଉପସ୍ଥିତ ହୋଇଅଛି । ଏହାକୁ ଭକ୍ଷଣ କଲେ ମୋ ପର୍ଯ୍ୟାପ୍ତ ତୃପ୍ତି ହେବ । ଅତଏବ ମହାରାଜ ! ଲଜ୍ଜା ତ୍ୟାଗ କରି ନିବୃତ୍ତ ହୁଅନ୍ତୁ । ଆପଣ ଯଥାଶକ୍ତି ଗୁରୁଭକ୍ତି ପ୍ରଦର୍ଶନ କରିଅଛନ୍ତି । ଆହୁରି ମଧ୍ୟ ଦେଖନ୍ତୁ, ରକ୍ଷଣୀୟ ବସ୍ତୁ ଶସ୍ତ୍ରର ଅସାଧ୍ୟ ହେଲେ ସେଥିରେ ଶସ୍ତ୍ରଧାରୀ ପୁରୁଷର ଯଶୋହାନି ହୁଏ ନାହିଁ ।’’ ସିଂହ ଏହିପରି ଆତ୍ମପରିଚୟ ପ୍ରଦାନ କରି ମୋନାବଲମ୍ବନ କରନ୍ତେ ଦୈବବଳରେ ସ୍ୱଶକ୍ତି ପ୍ରତି ହୋଇଥିବା ଜାଣି ପାରି ରାଜା ଆତ୍ମଗ୍ଳାନି ପରିତ୍ୟାଗପୂର୍ବକ ସିଂହକୁ କହିବାକୁ ଲାଗିଲେ, ‘‘ମୁଗେନ୍ଦ୍ର ! ମୁଁ କିଛି କହିବାକୁ ଇଚ୍ଛା କଲେ, ମାତ୍ର ମୋର ଯତ୍ନ ବିଫଳ ହୋଇଥିବା ସ୍ଥଳେ ମୋ କଥା ତୁମ୍ଭ ନିକଟରେ ଉପହସନୀୟ ହେବ, ଏଥିରେ ସନ୍ଦେହ ନାହିଁ । ତୁମ୍ଭେ ଦୈବଶକ୍ତି ପ୍ରଭାବରେ ସମସ୍ତଙ୍କର ମନୋଗତ ଭାବ ଜାଣିବାକୁ ସମର୍ଥ, ତେଣୁ ମୁଁ କହିବାକୁ ସାହସୀ ହେଉଅଛି । ସେହି ସୃଷ୍ଟିସ୍ଥିତିପ୍ରଳୟକାରୀ ଭଗବାନ୍ ଭବାନୀପତି ମୋର ସମ୍ମାନନୀୟ । ମାତ୍ର ସମ୍ମୁଖରେ ଆହିତାଗ୍ନି ଗୁରୁଙ୍କର ଧନ ବିନଷ୍ଟ ହେବ, ଏହା ମୋହର ଉପେକ୍ଷଣୀୟ ନୁହେ । ଏହାର ବାଳବତ୍ସଟି ଦିନାବସାନରେ ମାତୃସନ୍ଦର୍ଶନ ନିମିତ୍ତ ନିତାନ୍ତ ଉତ୍କଣ୍ଠିତ ହେଉଥିବ, ଅତଏବ ତୁମ୍ଭେ ପ୍ରସନ୍ନ ହୋଇ ଏହି ଧେନୁ ପରିବର୍ତ୍ତନରେ ମୋର ଶରୀରଦ୍ୱାରା ଜୀବନଯାତ୍ରା ନିର୍ବାହ କର ।’’ ଅନନ୍ତର ସିଂହ ଈଷଦ୍ଧାସ୍ୟଦ୍ୱାରା ସ୍ୱୀୟ ଦଶନମୟୂଖରେ ଗୁହାନ୍ତର୍ବତ୍ତୀ ଅନ୍ଧକାର ବିଦୃତ କରି ପୁନର୍ବାର ରାଜାଙ୍କୁ କହିବାକୁ ଆରମ୍ଭ କଲା; ‘‘ହେ ନୃପେନ୍ଦ୍ର ! କି ଆଶ୍ଚର୍ଯ୍ୟ ! ସମଗ୍ର ଭୂମଣ୍ଡଳର ଏକଛତ୍ର ଆଧିପତ୍ୟ ଏହି ନବଯୌବନ ଏବଂ କମନୀୟ ଶରୀରକୁ ଗୋଟିଏ ସାମାନ୍ୟ ଧେନୁପାଇଁ ଆପଣ ତ୍ୟାଗ କରିବାକୁ ଇଚ୍ଛା କରୁଅଛନ୍ତି, ଏଥିରୁ ମୁଁ ମନେ କରୁଅଛି ଆପଣଙ୍କର ବିବେଚନା ଶକ୍ତି ଆଦୌ ନାହିଁ । ଏହି ଧେନୁ ପ୍ରତି ଅନୁକମ୍ପା ପ୍ରକାଶ କରି ସ୍ୱଦେହ ପ୍ରଦାନ କଲେ ଗୋଟିଏ ପ୍ରାଣୀର ଉପକାର ହେବ, ମାତ୍ର ହେ ପ୍ରଜାନାଥ । ଆପଣ ଜୀବନ ରହିଲେ କୋଟି କୋଟି ପ୍ରଜାଙ୍କର ଅଶେଷ ଉପକାର ସାଧନ କରି ପାରିବେ । ଯେବେ ଆପଣ ମନେ କରନ୍ତି ଯେ, ଏହି ଧେନୁର ବିନାଶରେ ଗୁରୁ କୁପିତ ହେବେ, ତାହାହେଲେ ଏହିପରି ଶତସହସ୍ର ପୟସ୍ୱିନୀ ଧେନୁ ଦାନ କରି ଆପଣ ସେହି ଅଗ୍ନି କଳ୍ପ ମହର୍ଷିଙ୍କର କୋପ-ଶାନ୍ତି କରି ପାରିବେ । ଅତଏବ କଲ୍ୟାଣପରମ୍ପରାର ନିଦାନଭୂତ ଆତ୍ମଦେହ ବିସର୍ଜନରୂପ ଅସତ୍ ବ୍ୟାପାରରୁ ଆପଣ ବିରତ ହୁଅନ୍ତୁ । ଆପଣଙ୍କର ସମୃଦ୍ଧ ରାଜ୍ୟ ମହାତଳସ୍ଥିତ, ନଚେତ୍ ଇନ୍ଦ୍ରତ୍ୱ ଅପେକ୍ଷା ଏହା କୌଣସିରୂପେ ନ୍ୟୂନ ନୁହେଁ ।’’ ମୁଗେନ୍ଦ୍ର ଏହା କହି ନୀରବ ହୁଅନ୍ତେ ଗିରିଗୁହା ମଧ୍ୟରେ ତାହା ପ୍ରତିଧ୍ୱନିତ ହୋଇଉଠିଲା । ସେହି ପ୍ରତିଧ୍ୱନି ଶୁଣି ପ୍ରକୀୟମାନ ହେଲା, ସତେ ଯେପରି ଗିରିରାଜ ପ୍ରୀତିପୂର୍ବକ ଏହି ସିଂହୋକ୍ତିର ଅନୁମୋଦନ କଲେ । ଏହିପରି କଥୋପକଥନ ସମୟରେ ନନ୍ଦିନୀ ଅତି କାତର ନୟନରେ ରାଜାଙ୍କ ପ୍ରତି ପୁନଃ ପୁନଃ ଦୃଷ୍ଟିପାତ କରୁଥାନ୍ତି । ଏହା ଦେଖି ରାଜା ଆହୁରି ଦୟାର୍ଦ୍ରଚିତ୍ତ ହୋଇ ସିଂହକୁ କହିଲେ, ‘‘ଦେଖ ମୁଗେନ୍ଦ୍ର ! ବିପଦରୁ ଉଦ୍ଧାର କରିବା କ୍ଷତ୍ରିୟର ପ୍ରଧାନ କର୍ତ୍ତବ୍ୟ । ଯେବେ ମୁଁ ଏହି କର୍ତ୍ତବ୍ୟ ପାଳନରେ ଅକ୍ଷମ ହେଲି ତେବେ ରାଜ୍ୟରେ ଏହି ଗର୍ହିତ ଜୀବନରେ ବା ମୋର କି ପ୍ରୟୋଜନ ଅନ୍ୟ ଧେନୁପ୍ରଦାନ ଦ୍ୱାରା କିପରି ବା ମହର୍ଷିଙ୍କର କୋପଶାନ୍ତି କରି ପାରିବି ? ଏ ସୁରଭିଙ୍କଠାରୁ କୌଣସି ଅଂଶରେ ନ୍ୟୂନ ନୁହନ୍ତି, କେବଳ ରୁଦ୍ରତେଜଦ୍ୱାରା ତୁମ୍ଭେ ଏହାଙ୍କର ଅଭିଭବରେ କ୍ଷମ ହୋଇଅଛ । ଅତଏବ ଏହାଙ୍କ ପରିବର୍ତ୍ତରେ ମୋର ଶରୀର ଭକ୍ଷଣ କରି କ୍ଷୁଧା ନିବୃତ୍ତ କର । ଏହାଦ୍ୱାରା ତୁମ୍ଭର ଧାରଣା ବ୍ୟାହତ ହେବ ନାହିଁ । ଅଥଚ ଆମ୍ଭ ଗୁରୁଙ୍କର ଯଜ୍ଞ କାର୍ଯ୍ୟ ମଧ୍ୟ ନିର୍ବାଧରେ ସମାହିତ ହେବ । ଆହୁରି ମଧ୍ୟ ବିଚାର କରି ଦେଖ, ତୁମ୍ଭେ ପରାଧୀନ, ଏହି ଦେବଦାରୁ ବୃକ୍ଷକୁ ରକ୍ଷା କରିବାରେ ତୁମ୍ଭେ ଯଥାଶକ୍ତି ଯତ୍ନ କରୁଅଛ-। ମୁଁ ମଧ୍ୟ ଏହି ନନ୍ଦିନୀଙ୍କୁ ରକ୍ଷା କରିବାରେ ନିଯୁକ୍ତ ଅଛି । ଏହାକୁ ବିନଷ୍ଟ ଦେଖି ସ୍ୱୟଂ କିପରି ଅକ୍ଷତଶରୀରରେ ମହର୍ଷିଙ୍କ ଆଗରେ ମୁଖ ଦେଖାଇବି ? ମୋର ନିଷ୍କଳଙ୍କ ଯଶ କଳଙ୍କିତ ହେଲେ ଯାଦୃଶ ମର୍ମନ୍ତୁଦ ଯାତନା ଜାତ ହେବ, ନିତାନ୍ତ ନଶ୍ୱର ଏହି ପାଞ୍ଚଭୌତିକ ଶରୀର ବିନାଶରେ କଦାପି ତାଦୃଶ କଷ୍ଟ ହେବ ନାହିଁ । ହେ ଶିବାନୁଚର ! ପଣ୍ଡିତମାନେ କହନ୍ତି ସୃଜନ ମାନଙ୍କ ମଧ୍ୟରେ କ୍ଷଣକାଳ ପରସ୍ପର ଆଳାପ ହେଲେ ସୌହାର୍ଦ୍ଦ ହୋଇଥାଏ । ତଦନୁଯାୟୀ ଆମ୍ଭ ଦୁହିଙ୍କ ମଧ୍ୟରେ ଏହି ଅରଣ୍ୟରେ ମିତ୍ରତା ହେଲା । ଅତଏବ ଅନୁରୋଧ ରକ୍ଷା କରିବା ସର୍ବଥା ତୁମ୍ଭର କର୍ତ୍ତବ୍ୟ ଅଟେ ।’’

 

ଅନନ୍ତର ମୁଗାଧପ ନରପତିଙ୍କ ଅନୁରୋଧ ରକ୍ଷା କରିବାକୁ ସ୍ୱୀକାର କରନ୍ତେ ତତ୍‌କ୍ଷଣାତ୍ ରାଜାଙ୍କ ହସ୍ତ ଅବରୋଧମୁକ୍ତ ହୋଇଗଲା । ରାଜା ଅସତ୍ୟାଗପୂର୍ବକ ସିଂହ ସମ୍ମୁଖରେ ଆମିଷପିଣ୍ଡ ପରି ସ୍ୱଦେହ ସମର୍ପଣ କଲେ । ସେ ଅଧୋମୁଖ ହୋଇ ସେହି ପ୍ରଚଣ୍ଡ ସିଂହର ଭୀଷଣ ଆକ୍ରମଣକୁ ଅପେକ୍ଷା କରି ରହିଅଛନ୍ତି, ଇତ୍ୟବସରରେ ତାଙ୍କ ଉପରେ ସ୍ୱର୍ଗରୁ ବିଦ୍ୟାଧରକରମୁକ୍ତ ପୁଷ୍ପବୃଷ୍ଟି ହେବାକୁ ଲାଗିଲା । ନନ୍ଦିନୀ ରାଜାଙ୍କୁ ସମ୍ବୋଧନ କରି କହିଲେ, ‘‘ବତ୍ସ ! ଗାତ୍ରୋତ୍ଥାନ କର-।’’ ମହାରାଜ ଦିଲୀପ ଏହି ଅମୃତାୟମାନ ବାକ୍ୟ ଶ୍ରବଣ କରି ଗାତ୍ରୋତ୍ଥାନ ପୂର୍ବକ ଦେଖିଲେ ଯେ, ସେହି ପ୍ରକାଣ୍ଡ ମାୟାସିଂହ ଅନ୍ତର୍ହିତ ହୋଇଅଛି । ନନ୍ଦିନୀ ଜନନୀ ପରି ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି । ସ୍ନେହରେ ତାଙ୍କ ପ୍ରସବରୁ କ୍ଷୀରଧାରା କ୍ଷରିତ ହେଉଅଛି । ଅନନ୍ତର ନନ୍ଦିନୀ ବିସ୍ମୟରସାପ୍ଳୁତ ରାଜାଙ୍କୁ ସମ୍ବୋଧନ କରି କହିଲେ, ‘‘ବତ୍ସ ! ମୁଁ ମାୟାଜାଲ ବିସ୍ତାର କରି ତୁମ୍ଭର ଭକ୍ତି ପରୀକ୍ଷା କରୁଥିଲି । ସାମାନ୍ୟ ହିସ୍ରଂଜନ୍ତୁ କଥା ତେଣିକି ଥାଉ, ମହର୍ଷିଙ୍କ ପ୍ରଭାବରୁ ସ୍ୱୟଂ ଅନ୍ତକ ସୁଦ୍ଧା ମୋର ଅନିଷ୍ଟ କରି ନ ପାରେ । ହେ ବତ୍ସ ! ତୁମ୍ଭର ଏହି ପ୍ରଗାଢ଼ ଗୁରୁଭକ୍ତ ଏବଂ ମୋ ପ୍ରତି ଅନିର୍ବଚନୀୟ ଅନୁକମ୍ପା ଦର୍ଶନ କରି ମୁଁ ଏକାନ୍ତ ପ୍ରୀତ ହୋଇଅଛି । ତୁମ୍ଭେ ସଂପ୍ରତି ଅଭିଳାଷାନୁ ରୂପ ବର ପ୍ରାର୍ଥନା କର; ମୋତେ କେବଳ ଦୁଗ୍ଧଦାତ୍ରୀ ବୋଲି ମନେ କରିବ ନାହିଁ । ପ୍ରସନ୍ନ ହେଲେ ମୁଁ ସକଳ ଅଭିଳାଷ ପୂରଣ କରିପାରେଁ ।’’ ଏହା ଶୁଣି ବଦାନ୍ୟବର ବୀରଶ୍ରେଷ୍ଠ ମହାରାଜ ଦିଲୀପ ବଦ୍ଧାଞ୍ଜଳିପୁଟରେ ସୁଦକ୍ଷିଣାଙ୍କ ଗର୍ଭରେ ଅନନ୍ତକୀର୍ତ୍ତି ବଂଶରକ୍ଷକ ପୁତ୍ର ପ୍ରାର୍ଥନା କଲେ । ନନ୍ଦିନୀ ‘ତଥାସ୍ତୁ’ ବୋଲି ରାଜାଙ୍କୁ ବର ଦେଇ କହିଲେ, ‘‘ ବତ୍ସ ! ପତ୍ରପୁଟରେ ମଦୀୟ ଦୁଗ୍ଧ ଦୋହନ କରି ପାନ କର ।’’ ଏହା ଶୁଣି ନୃପତି ବିନୀତଭାବରେ ନିବେଦନ କଲେ, ‘‘ମାତଃ ! ବତ୍ସର ପୀତାବିଶିଷ୍ଟ ଓ ହୋମାର୍ଥ ଦୁଗ୍ଧର ଅବଶିଷ୍ଟାଂଶ ମୁନିଙ୍କ ଆଦେଶାନୁସାରେ ପାନ କରିବାକୁ ଇଚ୍ଛା କରେଁ ।’’ ରାଜା ଏହିପରି ନିବେଦନ କରନ୍ତେ ନନ୍ଦିନୀ ଅଧିକତର ପ୍ରୀତ ହୋଇ ସେହି ହିମାଦ୍ରିଗହରରୁ ଆଶ୍ରମଭିମୁଖରେ ଅଗ୍ରସର ହେବାକୁ ଲାଗିଲେ । ରାଜା ମଧ୍ୟ ରାଜାଙ୍କର ପଶ୍ଚାତ୍ ଗମନ କଲେ ।

 

ନୃପତି ଆଶ୍ରମରେ ଉପସ୍ଥିତ ହୋଇ ଅରଣ୍ୟ ମଧ୍ୟରେ ଘଟିଥିବା ତାବତୀୟ ଘଟନା ବିନୀତ ଭାବରେ ମହର୍ଷିଙ୍କ ନିକଟରେ ନିବେଦନ କଲେ । ନିବିଷ୍ଟଚିତ୍ତରେ ତାହା ଶ୍ରବଣ କରି ମହର୍ଷି ଅତ୍ୟନ୍ତ ପ୍ରୀତ ହେଲେ । ରାଜାଙ୍କ ପ୍ରସନ୍ନ ବଦନମଣ୍ଡଳ ଅବଲୋକନ କରି ସୁଦକ୍ଷିଣା ଅଭୀଷ୍ଟ-ସିଦ୍ଧି ହୋଇଥିବାର ଅନୁମାନ କରିଥିଲେ । ତଥାପି ପୁନରୁକ୍ତି ପରି ରାଜା ପ୍ରିୟତମାଙ୍କୁ ସମସ୍ତ ବିଷୟ ଶୁଣାଇଲେ । ଅନନ୍ତର ରାଜା ସାୟଂସନ୍ଧ୍ୟା ସମାପନ କରି ମହର୍ଷିଙ୍କକର୍ତ୍ତୃକ ଆଦିଷ୍ଟ ହୋଇ ହୋମ-ଶେଷରେ ବତ୍ସ ପାନାବଶିଷ୍ଟ ଦୁଗ୍ଧ ଦୋହନ କରି ପାନ କଲେ ।

 

ପରଦିନ ପୂର୍ବାହ୍ନରେ ମହର୍ଷି ବଶିଷ୍ଠ ଅବଲମ୍ବିତ ଗୋଚାରଣ ବ୍ରତର ଯଥାବିଧି ପାରଣା କରାଇ ପ୍ରାସ୍ଥାନିକ ଆଶୀର୍ବାଦ ପ୍ରୟୋଗପୂର୍ବକ ରାଜଦମ୍ପତିଙ୍କୁ ରାଜଧାନୀକୁ ପ୍ରସ୍ଥାନ କରିବା ନିମନ୍ତେ ଆଦେଶ ପ୍ରଦାନ କଲେ । ମହାରାଜ ଦିଲୀପ ଓ ରାଜ୍ଞୀ ସୁଦକ୍ଷିଣା ପ୍ରଥମେ ଗୁରୁ ବଶିଷ୍ଠ ଏବଂ ଗୁରୁପତ୍ନୀ ଅରୁନ୍ଧତୀଙ୍କ ଚରଣବନ୍ଦନା, ତରୁରେ ହୋମାଗ୍ନି ଏବଂ ସବତ୍ସା ନନ୍ଦିନୀଙ୍କୁ ପ୍ରଦକ୍ଷିଣ କରି ସ୍ୱୀୟ ନଗରାଭିମୁଖରେ ପ୍ରତ୍ୟାଗମନ କଲେ । ବିଚିତ୍ରରଥାରୂଢ଼ ସେହି ରାଜଦମ୍ପତି ନିର୍ବିଘ୍ନରେ ସ୍ୱନଗରରେ ଉପସ୍ଥିତ ହୁଅନ୍ତେ, ପ୍ରଜାମାନେ ତାଙ୍କର ବ୍ରତକ୍ଳିଷ୍ଟ କଳେବରକୁ ନବୋଦିତ ଶଶିକଳା ପରି ନିର୍ନିମେଷ ନୟନରେ ନିରୀକ୍ଷଣ କରିବାକୁ ଲାଗିଲେ । ନରନାଥ ପୁରପ୍ରବେଶ ପରେ ପୌରଜନମାନଙ୍କକର୍ତ୍ତୃକ ଅଭିନନ୍ଦିତ ହୋଇ ରାଜ୍ୟଭାର ପୂନର୍ଗ୍ରହଣପୂର୍ବକ ପରମସୁଖରେ ରାଜକାର୍ଯ୍ୟ ପର୍ଯ୍ୟାଲୋଚନା କରିବାକୁ ଲାଗିଲେ ।

Image

 

ରଘୁଙ୍କ ରାଜ୍ୟାଭିଷେକ

 

ଅନନ୍ତର ରାଜ୍ଞୀ ସୁଦକ୍ଷିଣା ଯଥାକାଳରେ ଇକ୍ଷ୍ୱାକୁକୁଳର ନିଦାନଭୂତ ଗର୍ଭଧାରଣ କଲେ-। କ୍ରମେ କ୍ରମେ ଗର୍ଭର ସମ୍ପୂର୍ଣ୍ଣ ଲକ୍ଷଣ ପ୍ରକାଶିତ ହେବା ଦେଖି ସଖୀମାନେ ଅତ୍ୟନ୍ତ ଆନନ୍ଦିତ ହେଲେ-। ଅବୟବମାନଙ୍କର କଶତାବଶତଃ ସେ ସମଗ୍ର ଭୂଷଣ ଧାରଣ କରିବାକୁ ଅକ୍ଷମ ହୋଇ ପରିମିତ ଭୂଷଣ ମାତ୍ର ପରିଧାନ କଲେ । ତାଙ୍କର ବଦନ ଲେପ୍ର ପୁଷ୍ପ ପରି ପାଣ୍ଡୁବର୍ଣ୍ଣ ଦିଶିଲା । ପ୍ରଭାତ ପୂର୍ବକ୍ଷଣରେ ସ୍ୱଳ୍ପସଂଖ୍ୟକ ତାରକା ଓ ତେଜୋହୀନ ଚନ୍ଦ୍ରମାଯୋଗେ ଶର୍ବରୀ ଯେପରି ଶୋଭା ଧାରଣ କରେ, ସେ ସେହିପରି ଶୋଭା ଧାରଣ କରି କର୍ତ୍ତାଙ୍କର ଚିତ୍ତବିନୋଦନ କରିବାକୁ ଲାଗିଲେ । ରାଜ୍ଞୀ ଯେତେବେଳେ ଯେଉଁ ଦ୍ରବ୍ୟପାଇଁ ଇଚ୍ଛା କରୁଥିଲେ, ତାହା ଦୁର୍ଲଭ ହେଲେ ସୁଦ୍ଧା ମହାବୀର ଦିଲୀପ ତତ୍‍କ୍ଷଣାତ୍ ତାହା ପ୍ରଦାନ କରି ତାଙ୍କର ଅଭିଳାଷ ପୂରଣ କରୁଥିଲେ । ଇନ୍ଦ୍ର ଯେପରି ସ୍ୱଲୋକ ଉପଭୋଗ କରନ୍ତି, ତାହାଙ୍କର ଯଶସ୍ୱୀ ପୁତ୍ର ସେହିପରି ଏ ନିଖିଳ ଅବନୀମଣ୍ଡଳ ଉପଭୋଗ କରିବେ, ଏଥିପାଇଁ ମତେ ଯେପରି ସୁଦକ୍ଷିଣା ଅନ୍ୟାନ୍ୟ ଭୋଗ୍ୟବସ୍ତୁମାନ ଉପେକ୍ଷା କରି କେବଳ ମୃତ୍ତିକା ଭକ୍ଷଣ ଓ ଭୂମିଶଯ୍ୟାରେ ମନ ବଳାଇଲେ । କ୍ରମେ ଦୋହିଦବ୍ୟଥା ଅପସାରିତ ହୁଅନ୍ତେ, ନବପଲ୍ଲବିତା ଲତା ପରି ତାଙ୍କର ଅଙ୍ଗ ଯଷ୍ଟି ଲାବଣ୍ୟମୟ ଓ ହୃଷ୍ଟପୁଷ୍ଟ ହୋଇ ଉଠିଲା । ରାଜା ଅନ୍ତଃସତ୍ତ୍ୱା ପତ୍ନୀଙ୍କୁ ରତ୍ନଗଳା ବସୁନ୍ଧରା ପରି, ଅନ୍ତରଗ୍ନି ଶମୀଲତା ପରି ଏବଂ ଅନ୍ତଃସଲିଳା ସରସ୍ୱତୀ ପରି ମନେ କରିବାକୁ ଲାଗିଲେ । ବିପୁଳବିଭବାନୁରୂପ ପୁଂସବନାଦି କାର୍ଯ୍ୟ ଯଥାକାଳରେ ମହାସମାରୋହସହକାରେ ସମ୍ପାଦନ କରି ମହାରାଜ ଦିଲୀପ ନିଜ ଉଦାର ହୃଦୟବତ୍ତାର ପରିଚୟ ପ୍ରଦାନ କଲେ । କ୍ରମେ ମହିଷୀଙ୍କର ଗର୍ଭଭାଗ ହୋଇ ଉଠିଲା । ରାଜା ଅନ୍ତଃପୁର ମଧ୍ୟରେ ପ୍ରବେଶ କଲେ ସେ ତାଙ୍କର ଅଭ୍ୟର୍ଥନା ନିମିତ୍ତି ଅତି କଷ୍ଟରେ ଦଣ୍ଡାୟମାନ ହେଉଥିଲେ । ସେତେବେଳେ ତାଙ୍କର ଉପଚାରାଞ୍ଚଳିବନ୍ଧନରେ ଖିନ୍ନଦସ୍ତତା ଓ ପାରିପ୍ଳବ ନୟନଯୁଗଳ ନିରୀକ୍ଷଣ କରି ରାଜା ପରମ ପ୍ରୀତି ଲାଭ କରୁଥିଲେ । ଏହିପରି ଦଶମ ମାସ ଅତୀତ ହେବା ପରେ ରାଜା ବିଜ୍ଞବଳ ଚିକିତ୍ସକ ଆନୟନ କରି ଗ୍ରୀଷ୍ମାବସାନରେ ଲୋକେ ଅଭ୍ରିତ ଗଗନମଣ୍ଡଳକୁ ଅପେକ୍ଷା କଲା ପରି ପ୍ରସବୋନ୍ନୁଖୀ ପ୍ରିୟାଙ୍କର ପ୍ରସବକାଳକୁ ଅପେକ୍ଷା କରି ରହିଲେ ।

 

ମହିଷା ଶୁଭଲଗ୍ନରେ ଏବଂ ଶୁଭମୁହୁର୍ତ୍ତରେ ପୁତ୍ରସନ୍ତାନ ପ୍ରସବ କଲେ । ସେହି କ୍ଷଣଜନ୍ମା ବାଳକର ଶରୀରତେଜରେ ଅରିଷ୍ଟଶଯ୍ୟା ସମୁଜ୍ଜ୍ୱଳ ହୋଇ ଉଠିଲା ଏବଂ ସମୀପବର୍ତ୍ତୀ ପ୍ରଜ୍ଜ୍ୱଳିତ ଦୀପାବଳି ନିଷ୍ପ୍ରଭ ହୋଇ ଚିତ୍ରାର୍ପିତପ୍ରାୟ ପ୍ରତୀୟମାନ ହେଲା । କୁମାରଜନ୍ମସଂବାଦରେ ନରପତି ବାର୍ତ୍ତାବହକୁ ଆଶାତିରିକ୍ତ ପରିତୋଷିକ ପ୍ରଦାନପୂର୍ବକ ତତ୍‍କ୍ଷଣାତ୍ ପୁତ୍ରମୁଖନିରୀକ୍ଷଣ ଆଶାରେ ସୂଚିକାଗୃହରେ ପ୍ରବେଶ କଲେ । ନିର୍ନିମେଷ ନୟନରେ ସୁତାନନ ଅବଲୋକନ କଲାବେଳେ ଚନ୍ଦ୍ରୋଦୟରେ ମହାସାଗର ପରି ତାଙ୍କର ଆନନ୍ଦସିନ୍ଧୁ ଉତ୍‌ବେଳ ହୋଇ ଉଠିଲା । ମହର୍ଷି ବଶିଷ୍ଠ ତପୋବନରୁ ରାଜଭବନକୁ ଆଗମନ କରି ନବଜାତ ନୃପନନ୍ଦନଙ୍କର ଜାତକର୍ମାଦି ସଂସ୍କାରମାନ ବିଧାନାନୁସାରେ ସମାଧାନ କଲେ । ଅନନ୍ତର ପ୍ରଯୁକ୍ତ-ସଂସ୍କାର ରାଜପୁତ୍ର ଆକରୋଭବ ଶାଣାଲୀଢ଼ କ୍ଷଣି ପରି ଦେଦୀପ୍ୟମାନ ହୋଇ ଉଠିଲେ । ରାଜପୁତ୍ରଙ୍କ ଜନ୍ମରେ କେବଳ ଯେ ରାଜାନ୍ତଃପୁରରେ ଏବଂ ପ୍ରତ୍ୟେକ ପ୍ରଜାଙ୍କ ଗୃହରେ ନିତ୍ୟଗୀତାଦି ମହୋତ୍ସବ ହେଲା ତାହା ନୁହେ, ସ୍ୱର୍ଗରେ ଦେବତାମାନେ ମଧ୍ୟ ଆନନ୍ଦରେ ମହୋତ୍ସବର ଅନୁଷ୍ଠାନ କଲେ । ସାଧାରଣତଃ ଏହିପରି ଉତ୍ସବ ସମୟରେ ରାଜାମାନେ କାରାରୁଦ୍ଧ ଲୋକମାନଙ୍କୁ କାରାଗାରରୁ ମୁକ୍ତ ପ୍ରଦାନ କରିଥାନ୍ତି; ମାତ୍ର ସେତେବେଳେ ମହାରାଜ ଦିଲୀପଙ୍କ କାରଗାରରେ ଜଣେ ସୁଦ୍ଧା ବନ୍ଦୀ ନ ଥିବାରୁ ସେ କେବଳ ଆପଣାକୁ ପିତୃ-ଋଣରୁ ମୁକ୍ତ କଲେ । ଏହି ବାଳକ ଶସ୍ତ୍ରବିଦ୍ୟା ଓ ଶାସ୍ତ୍ରବିଦ୍ୟାର ପାରକୁ ଗମନ କରିବ, ଏହି ବିବେଚନାରେ ସୁପଣ୍ଡିତ ମହାରାଜ ଦିଲୀପ କୃତ୍ୟର୍ଥକ ‘ଲଘୁ’ (ରଘ୍‌) ଧାତୁର ଅର୍ଥାନୁସାରେ ପୁତ୍ରକୁ ‘ରଘୁ’ ନାମ ପ୍ରଦାନ କଲେ । ଯେପରି ସୂର୍ଯ୍ୟ-ରଶ୍ମିର ଅନୁପ୍ରବେଶଦ୍ୱାରା ବାଳଚନ୍ଦ୍ରମା କ୍ରମଶଃ ବୃଦ୍ଧି ପ୍ରାପ୍ତ ହୋଇ ସୌଷ୍ଠବାନ୍ୱିତ ହୁଏ, ସେହିପରି ପିତାଙ୍କ ପ୍ରଯତ୍ନରେ କୁମାର ଦିନୁଦିନୁ ହୃଷ୍ଟପୃଷ୍ଟାଙ୍ଗ ଓ ପରିବର୍ଦ୍ଧିତ ହେବାକୁ ଲାଗିଲେ । ଗୌରୀହର ଷଡ଼ାନନଙ୍କ ପାଇଁ ଯେପରି ଆନନ୍ଦିତ ହୋଇଥିଲେ ଏବଂ ଶଚୀପୁରନ୍ଦର ଜୟନ୍ତଙ୍କୁ ପାଇ ଯେପରି ଆନନ୍ଦ ଅନୁଭବ କରିଥିଲେ, ସୁଦକ୍ଷିଣା ଓ ଦିଲୀପ ରଘୁଙ୍କୁ ପାଇ ତଦ୍ରୁପ ଆନନ୍ଦ ଅନୁଭବ କଲେ । ପୁତ୍ରଜନ୍ମଦ୍ୱାରା ରାଜା ଓ ରାଣୀଙ୍କର ପରସ୍ପରାଶ୍ରିତ ଅକୃତ୍ରିମ ପ୍ରେମ ବିଭକ୍ତ ହେଲେ ସୁଦ୍ଧା କ୍ରମଶଃ ପରିବର୍ଦ୍ଧିତ ହେବାକୁ ଲାଗିଲା । ରଘୁ ଯେତେବେଳେ ଅର୍ଦ୍ଧସ୍ଫୁଟସ୍ୱରରେ ଧାତ୍ରୀ-ଉପଦିଷ୍ଟ ବାକ୍ୟ ଉଚ୍ଚାରଣ କଲେ, ତଦୀୟ ଅଙ୍ଗୁଳି ଅବଲମ୍ବନ କରି ଏକ ଏକ ପଦ ଅଗ୍ରସର ହେଲେ ଏବଂ ଦେବଦେବୀମାନଙ୍କୁ ପ୍ରଣାମ କରି ଶିଖିଲେ ସେତେବେଳେ ପିତାମାତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେମାନେ ପୁତ୍ରକୁ କ୍ରୋଡ଼ରେ ଧାରଣ କରି ଅର୍ଦ୍ଧନିମୀଳିତନେତ୍ରରେ ସତସ୍ପର୍ଶ ମତସୁଖ ଅନୁଭବ କରି ନିଜ ନିଜକୁ କୃତକୃତ୍ୟ ମନେ କରୁଥିଲେ ।

 

ଅନନ୍ତର ତୃତୀୟ ବର୍ଷରେ ରଘୁ ରତ୍ତଚୂଳ ହୋଇ ଯଥାକାଳରେ ସମବୟସ୍କ ଅମାତ୍ୟପୁତ୍ରମାନଙ୍କ ସହିତ ବର୍ଣ୍ଣଶିକ୍ଷାର୍ଥ ପାଠଶାଳାକୁ ପ୍ରେରିତ ହେଲେ । ଗର୍ଭୈକାଦଶବର୍ଷ ବୟସରେ ତାହାଙ୍କର ଉପନୟନ ସମାପ୍ତ ହୁଅନ୍ତେ ନାନା ଶାସ୍ତ୍ରବିଦ୍ ବିଚକ୍ଷଣ ପଣ୍ଡିତଗଣ ତାହାଙ୍କୁ ବିବିଧ ଶାସ୍ତ୍ର ଶିକ୍ଷା ଦେବାକୁ ଆରମ୍ଭ କଲେ । ରଘୁସ୍ୱୀୟ ଅସାଧାରଣ ବୁଦ୍ଧି ପ୍ରଭାବରେ ଅଳ୍ପକାଳ ମଧ୍ୟରେ ସମଗ୍ର ବିଦ୍ୟା ଅଧ୍ୱଗତ କରି ଗୁରୁଜନମାନଙ୍କର ଆଶୀର୍ବାଦଭାଜନ ହେଲେ । ଶାସ୍ତ୍ରବିଦ୍ୟା ଶେଷ ହେଲା ପରେ ରଘୁ ପବିତ୍ର ମୃଗଚର୍ମ ପରିଧାନ କରି ସ୍ୱୀୟ ପିତାଙ୍କ ନିକଟରୁ ସମନ୍ତ୍ରକ ଶସ୍ତ୍ରବିଦ୍ୟା ଅଭ୍ୟାସ କଲେ । ତାଙ୍କ ପିତା ଯେ ପୃଥିବୀରେ କେବଳ ଅସାଧାରଣ ରାଜା ଥିଲେ, ତାହା ନୁହେ, ସେ ସମଗ୍ର ଭୂମଣ୍ଡଳରେ ଜଣେ ଅଦ୍ୱିତୀୟ ଧନୁର୍ଦ୍ଧର ମଧ୍ୟ ଥିଲେ । ଗୋବତ୍ସ ଯେପରି କ୍ରମେ ମହାବୃଷଭରେ ପରିଣତ ହୁଏ, କରଭ ଯେପରି କ୍ରମେ ଗଳରାଳଭାବ ଧାରଣ କରେ, ରଘୁ ସେହିପରି କ୍ରମେ ବାଲ୍ୟ ଅତିକ୍ରମପୂର୍ବକ ଯୌବନରେ ପଦାର୍ପଣ କରି ଗାମ୍ଭୀର୍ଯ୍ୟମନୋହର ବପୁ ଧାରଣ କଲେ । ଯୌବନରେ ସେ ଶରୀର ପ୍ରକର୍ଷଦ୍ୱାରା ପିତାଙ୍କୁ ପରାସ୍ତ କଲେହେଁ ସର୍ବଦା ପିତାଙ୍କ ନିକଟରେ ବିନୀତ ଭାବରେ ଅବସ୍ଥାନ କରୁଥିଲେ ।

 

ମହାରାଜ ଦିଲୀପ ଯଥାକାଳରେ ପୁତ୍ରଙ୍କର ଉଦ୍‌ବାହ କାର୍ଯ୍ୟ ମହାସମାରୋହରେ ସମ୍ପାଦନ କଲେ ଏବଂ ତାଙ୍କର ଉପଯୋଗିତା ବିବେଚନାରେ ତାଙ୍କୁ ଯୌବରାଜ୍ୟରେ ଅଭିଷିକ୍ତ କରି ଗୁରୁତର ରାଜ୍ୟ ଶାସନଭାର ତାଙ୍କୁ ସ୍କନ୍ଧରେ ବିନ୍ୟସ୍ତ କଲେ । କମଳା ଯେପରି ଚିରୋଭିନ୍ନ ପଦ୍ମ ପରିତ୍ୟାଗ କରି ନବପ୍ରସ୍ଫୁଟିତ ପଦ୍ମକୁ ଗମନ କରନ୍ତି, ଗୁଣାଭିଳାଷିଣୀ ଲକ୍ଷ୍ମୀଦେବୀ ସେହିପରି ପୂର୍ବତନ ଆବାସସ୍ଥାନ ମହାରାଜ ଦିଲୀପଙ୍କୁ ଅଂଶତଃ ପରିତ୍ୟାଗ କରି ଯୁବରାଜ ରଘୁକୁ ଆଶ୍ରୟ କଲେ । ଅଗ୍ନି ବାୟୁ ସହାୟତାରେ ଯେପରି ପ୍ରବଳ ହୋଇ ଉଠେ, ଶରତ୍‌ସମାଗମରେ ସୂର୍ଯ୍ୟ ଯେପରି ପ୍ରଖର ହୋଇ ଉଠନ୍ତି ଏବଂ ମହୋଦୟରେ କରୀ ଯେପରି ଉଦ୍ଧତ ହୋଇପଡ଼େ, ଯୁବରାଜ ରଘୁଙ୍କ ସହାୟତାରେ ଦିଲୀପ ସେହିପରି ସୁଦୁଃସହ ହୋଇ ଉଠିଲେ ।

 

ମହାରାଜ ଦିଲୀପ ଯଜ୍ଞ କରିବାର ଉପଯୁକ୍ତ ଅବସରରେ ଧନୁର୍ଦ୍ଧାରୀ ଯୁବରାଜ ରଘୁଙ୍କୁ ହୋମତୁରଙ୍ଗ ବୃକ୍ଷଣରେ ନିଯୁକ୍ତ କରି ନିର୍ବିଘ୍ନରେ ଏକୋନଶତ ଅଶ୍ୱମେଧଯଜ୍ଞସମାପନ କଲେ । ଅନନ୍ତର ଯେତେବେଳେ ସେ ଅଶ୍ୱମେଧଯଜ୍ଞ ସାଙ୍ଗ କରିବା ଉଦ୍ଦେଶ୍ୟରେ ଯଥେଚ୍ଛ ଭ୍ରମଣ ନିମିତ୍ତ ଯଜ୍ଞୀୟ ଅଶ୍ୱକୁ ମୁକ୍ତ କରିଦେଲେ, ସେତେବେଳେ ଇନ୍ଦ୍ର ଶଙ୍କାନ୍ୱିତ ହୋଇ ତିରଷ୍କରିଣୀ ବିଦ୍ୟା ପ୍ରଭାବରେ ଲୋକଲୋଚନର ଅଗୋଚର କଳେବର ଧାରଣ କରି ଧନୁର୍ଦ୍ଧାରୀ ରକ୍ଷିଗଣଙ୍କ ସମ୍ମୁଖରୁ ଅଶ୍ୱକୁ ଅପହରଣ କରି ନେଲେ । ଅଶ୍ୱର ଆଦର୍ଶନରେ ଯୁବରାଜ ତଥା ରକ୍ଷିବର୍ଗ ବିଷାଦ ଓ ବିସ୍ମୟରେ ହତବଦ୍ଧ ଓ କିଂକର୍ତ୍ତବ୍ୟବିମୂଢ଼ ହୋଇ ଅବସ୍ଥାନ କରୁଅଛନ୍ତି, ଇତ୍ୟବସରରେ ସର୍ବଜନବନ୍ଦନୀୟା ବଶିଷ୍ଠଙ୍କର ହୋମଧେନୁ ସେହି ନନ୍ଦିନୀ ଯଦୃଚ୍ଛାକ୍ରମେ ସେଠାରେ ଆସି ଉପସ୍ଥିତ ହେଲେ । ତଦଙ୍ଗନିଃସୃତ ପବିତ୍ର ସଲିଳରେ ଚକ୍ଷୁମାର୍ଜନାନନ୍ତର ଦିବ୍ୟଦୃଷ୍ଟିଲାଭପୂର୍ବକ ରାଜପୁତ୍ର ଇତସ୍ତତଃ ଦୃଷ୍ଟି ସଞ୍ଚାଳନ କରି ଦେଖିଲେ ଯେ, ପୂର୍ବଦିଗରେ ଜଣେ ଲୋକ ଯଜ୍ଞୀୟ ଅଶ୍ୱକୁ ସ୍ୱୀୟ ରଥରଜ୍ଜୁରେ ବନ୍ଧନ କରି ନେଇ ଯାଉଅଛନ୍ତି ଏବଂ ତଦୀୟ ସାରଥି ଅଶ୍ୱର ଚପଳତା ନିବାରଣପାଇଁ ତାହାକୁ ପୁନଃ ପୁନଃ କଷାଘାତ କରୁଅଛି । ରଘୁ ସେହି ରଥକୁ ହରିଦ୍‌ବର୍ଣ୍ଣ ଅଶ୍ୱସଂଯୋଜିତ ଏବଂ ରଥାରୋହୀଙ୍କୁ ନିମେଷଶୂନ୍ୟସହସ୍ରଲୋଚନବିଶିଷ୍ଟ ଦେଖି ଅଶ୍ୱାପହାରୀଙ୍କୁ ଦେବରାଜ ଇନ୍ଦ୍ର ବୋଲି ନିର୍ଣ୍ଣୟ କରି ଗଗନସ୍ପର୍ଶୀ ଗମ୍ଭୀର ସ୍ୱରରେ କହିଲେ, ‘‘ହେ ଦେବେନ୍ଦ୍ର ! କି ଆଶ୍ଚର୍ଯ୍ୟ କଥା ! ମନୀଷୀମାନେ ଆପଣଙ୍କୁ ଯଜ୍ଞାଂଶଭାଗୀମାନଙ୍କର ଅଗ୍ରଣୀ ବୋଲି ନିର୍ଦ୍ଦେଶ କରନ୍ତି, ଅଥଚ ଆପଣା ସ୍ୱୟଂ ଯଜ୍ଞର ବ୍ୟାଘାତ କରିବାପାଇଁ ପ୍ରବୃତ୍ତ ହୋଇଅଛନ୍ତି ! ଆପଣ ପରା ଯଜ୍ଞବ୍ୟାଘାତକାରୀମାନଙ୍କର ଶାସ୍ତା ? ସ୍ୱୟଂ ଏଭଳି ଅନ୍ୟାୟାଚରଣ କଲେ ଧର୍ମକାର୍ଯ୍ୟ ଏକାବେଳକେ ଲୋପ ପାଇବ ସିନା ? ଏତଏବ ଆପଣ ଅଶ୍ୱମେଧର ପ୍ରଧାନ ଅଙ୍ଗ ଏହି ଅଶ୍ୱକୁ ଛାଡ଼ି ଦିଅନ୍ତୁ । ମହାପୁରୁଷମାନେ ସନ୍ମାର୍ଗର ପ୍ରଦର୍ଶକ । ସେମାନେ କେବେହେଁ ଏଭଳି ନୀତିଗର୍ହିତ ପଦ୍ଧତି ଅବଲମ୍ବନ କରନ୍ତି ନାହିଁ ।’’

 

ଦେବରାଜ ରଘୁଙ୍କର ଏହି ପ୍ରଗଳ୍ପ ବାକ୍ୟରେ ଏକାନ୍ତ ବିସ୍ମିତ ହୋଇ ସାରଥିକୁ ରଥ ନିବୃତ୍ତ କରିବାକୁ ଆଦେଶ ପ୍ରଦାନପୂର୍ବକ ପ୍ରତ୍ୟୁତ୍ତର ଦେବାକୁ ଆରମ୍ଭ କଲେ, ‘‘ଯୁବରାଜ ! ତୁମ୍ଭେ ଯାହା କହିଲ ତାହା ସତ୍ୟ, ମାତ୍ର ଯଶୋଧନ ବ୍ୟକ୍ତିମାନଙ୍କର ଯଶୋରକ୍ଷା କରବା ସର୍ବତୋଭାବରେ କର୍ତ୍ତବ୍ୟ ଅଟେ । ତୁମ ପିତା ଯଜ୍ଞଦ୍ୱାରା ଆମ୍ଭର ଭୁବନବିଦିତ ପବିତ୍ର ଯଶକୁ ଅପହରଣ କରିବାକୁ ଚେଷ୍ଟା କରୁଅଛନ୍ତି । ପୁରୁଷୋତ୍ତମ କହିଲେ ଯେପରି କେବଳ ବିଷ୍ଣୁଙ୍କୁହିଁ ବୁଝାଏ ଏବଂ ମହେଶ୍ୱର କହିଲେ ଯେପରି କେବଳ ତ୍ରିଲୋଚନଙ୍କୁ ବୁଝାଏ, ସେହିପରି ଶତତ୍ରତୁ ଶବ୍ଦଦ୍ୱାରା ଲୋକେ କେବଳ ଆମ୍ଭକୁହିଁ ବୁଝନ୍ତି । ଏ ଶବ୍ଦ କେବେହେଁ ଦ୍ୱିତୀୟଗାମୀ ହୁଏ ନାହିଁ । ଅତଏବ ଆମ୍ଭେ ମହର୍ଷି କପିଳଙ୍କ ଅନୁକରଣ କରି ଏହି ହୋମତୁରଙ୍ଗ ଅପହରଣ କରୁଅଛୁଁ । ଏହାକୁ ପୁନର୍ଗ୍ରହଣ କରିବାପାଇଁ ତୁମ୍ଭେ ବୃଥା ଚେଷ୍ଟା କର ନାହିଁ । ସଗରସନ୍ତାନମାନେ ମହର୍ଷି କପିଳଙ୍କ ନିକଟରୁ ଅଶ୍ୱ ଆଣିବାପାଇଁ ଗମନ କରି ସେପରି ବିପଦ୍‌ଗ୍ରସ୍ତ ହୋଇଥିଲେ, ତୁମ୍ଭେ କଣ ସେହିପରି ବିପଦରେ ପଡ଼ିବାକୁ ଇଚ୍ଛା କରୁଅଛ-?’’

 

ଅନନ୍ତର ତୁରଙ୍ଗରକ୍ଷକ ଯୁବରାଜ ରଘୁ ଈଷଦ୍ଧାସ୍ୟପୂର୍ବକ ନିର୍ଭୀକଚିତ୍ତରେ ଦେବରାଜଙ୍କୁ ସମ୍ବୋଧନ କରି କହିଲେ, ‘‘ଦେଖ ଦେବେନ୍ଦ୍ର ଯେବେ ଆପଣ ଅଶ୍ୱକୁ ତ୍ୟାଗ ନ କରିବାପାଇଁ ସଂକଳ୍ପ କରିଥାନ୍ତି, ତେବେ ଅସ୍ତ୍ର ଗ୍ରହଣ କରନ୍ତୁ, ରଘୁକୁ ପରାସ୍ତ ନ କରି ନିଜକୁ କେବେହେଁ କୃତକାର୍ଯ୍ୟ ମନେ କରିବେ ନାହିଁ ।’’ ଏହା କହି ରଘୁ ଧନୁରେ ଶରସନ୍ଧାନ କରି ଉର୍ଦ୍ଧ୍ୱମୁଖରେ ଗୋଟିଏ ସ୍ତମ୍ଭାକାର ଶର ଇନ୍ଦ୍ରଙ୍କ ପ୍ରତି ନିକ୍ଷେପ କଲେ । ରଘୁଙ୍କ ବାଣ ଇନ୍ଦ୍ରଙ୍କ ବକ୍ଷସ୍ଥଳରେ ବିଦ୍ଧ ହେଲା; ତେଣୁ ସେ କ୍ରୋଧରେ ଅଧୀର ହୋଇ ତାହାଙ୍କର ଯେଉଁ ଧନୁ ନବାମ୍ବୁଦମାଳାରେ ବେଳେ ବେଳେ ମୁହୂର୍ତ୍ତକପାଇଁ ପ୍ରତିଭାତ ହୁଏ, ସେହି ପ୍ରକାଣ୍ଡ ଧନୁରେ ଗୋଟିଏ ଅମୋଘ ଶାୟକ ନିକ୍ଷେପ କଲେ । ଇନ୍ଦ୍ରଶର ରଘୁଙ୍କର କପାଟବତ୍‌ ବିଶାଳ ବକ୍ଷୋଦେଶରେ ବିଦ୍ଧ ହୋଇ ରହିଗଲା । ତାହା ଦେଖି ବୋଧ ହେଲା, ସତେ ଯେପରି ନିତ୍ୟଅସୁର ଶୋଣିତପାୟୀ ସେହି ଇନ୍ଦ୍ରାଶୁଗ ନରରକ୍ତ ପାନନିମିତ୍ତ ଅତୀବ ସତୃଷ୍ଣଭାବରେ ସେଠାରେ ଲାଖି ରହିଲା । କୁମାରବିକ୍ରମ ରଘୁ ମଧ୍ୟ ସୁନାମାଙ୍କିତ ଗୋଟିଏ ଶାୟକ ଶଚୀପତିଙ୍କ ବାହୁରେ ପ୍ରବେଶ କରାଇଦେଲେ ଏବଂ ମୟୂରପୁଚ୍ଛଯୁକ୍ତ ଅନ୍ୟ ଗୋଟିଏ ଶରଦ୍ୱାରା ତାହାଙ୍କ ରଥର ଧ୍ୱଜ ଛିନ୍ନ କରି ଭୂପୃଷ୍ଠରେ ପାତିତ କଲେ । ପୁରନ୍ଦର ତଦର୍ଶନରେ ସ୍ୱର୍ଗଲକ୍ଷ୍ମୀଙ୍କର କେଶଚ୍ଛେଦନ ହେଲା ଭାବି ଅତିଶୟ କ୍ରୂଦ୍ଧ ହୋଇପଡ଼ିଲେ । ବୀରଦ୍ୱୟଙ୍କର ଉପର୍ଯ୍ୟଧୋଭାଗରେ ଅବସ୍ଥିତି ହେତୁରୁ ଇନ୍ଦ୍ରଙ୍କର ଶାୟକ ନିମ୍ନମୁଖରେ ଆସୁଥିଲା ଏବଂ ରଘୁଙ୍କର ଶାୟକ ଉର୍ଦ୍ଧ୍ୱମୁଖରେ ଯାଉଥିଲା । ଉଭୟଙ୍କର ପକ୍ଷଯୁକ୍ତ ଶରସମୂହର ଗମନାଗମନ ଦର୍ଶନରେ ପ୍ରତୀୟମାନ ହେଉଥିଲା, ସତେ ଯେପରି ପକ୍ଷଯୁକ୍ତ ବିଷଧରମାନେ ଆକାଶରେ ଉଡ଼୍ଡୀନ ହେଉଅଛନ୍ତି । ଏହିପରି ତୁମୂଳ ଯୁଦ୍ଧ ଆରମ୍ଭ ହେଲା । ଉଭୟେ ଜୟାକାଙ୍କ୍ଷୀ, ମାତ୍ର କେହି କାହାରିକୁ ପରାସ୍ତ କରି ପାରୁ ନାହାନ୍ତି । ମେଘ ଯେପରି ସ୍ୱଶରୀରୋଦ୍ଭୂତ ବଜ୍ରାଗ୍ନିକୁ ବାରିବର୍ଷଣ ଦ୍ୱାରା ନିର୍ବାପିତ କରି ପାରେ ନାହିଁ, ଇନ୍ଦ୍ର ସେହିପରି ସତେଜୋକଽଶସମ୍ଭୁତ ରଘୁଙ୍କୁ ସୁତୀକ୍ଷ୍ଗ ଶରଜାଲ ନିକ୍ଷେପ କରି ପରାସ୍ତ କରି ପାରିଲେ ନାହିଁ । ଅନନ୍ତର ରଘୁ ଅର୍ଦ୍ଧଚନ୍ଦ୍ରମୁଖ ବାଣଦ୍ୱାରା ଇନ୍ଦ୍ରଙ୍କର ଗଭୀର ନିନାଦକାରୀ ଧନୁର୍ଗୁଣକୁ ଖଣ୍ଡ ଖଣ୍ଡ କରି କାଟି ପକାଇଦେଲେ । ଲଜ୍ଜା ଏବଂ ଅପମାନରେ ନିତାନ୍ତ କ୍ରୋଧାନ୍ୱିତ ହୋଇ ବାସବ ସେହି ଛିନ୍ନ ଧନୁ ପରିତ୍ୟାଗପୂର୍ବକ ରଘୁଙ୍କ ବିନାଶନିମିତ୍ତ ସ୍ୱକୀୟ ବୀର୍ଯ୍ୟସର୍ବସଭୂତ ପର୍ବତପକ୍ଷଚ୍ଛେଦୀ ଅମୋଘ କୁଳିଶାସ୍ତ୍ର ନିକ୍ଷେପ କଲେ । ବଜ୍ର ପ୍ରଭାକାଳରେ ଦିଙ୍ମଣ୍ଡଳ ଉଦ୍‌ଭାସିତ କରି ଭୟଙ୍କର ନନାଦସହକାରେ ରଘୁଙ୍କ ବକ୍ଷସ୍ଥଳରେ ପତିତ ହେଲା । ରଘୁ ମୂର୍ଚ୍ଛିତ ହୋଇ ଭୂତଳରେ ପଡ଼ିଗଲେ-। ସୈନ୍ୟମାନଙ୍କର ଆର୍ତ୍ତ ହାହାକାର ଶବ୍ଦରେ ରଣଭୂମି ଶବ୍ଦିତ ହୋଇ ଉଠିଲା । ମାତ୍ର ରଘୁ ନିମେଷ ମଧ୍ୟରେ ଅଶନିପାତର ନିଦାରୁଣ ବ୍ୟଥାକୁ ସମ୍ଭରଣ କରି ପୁନର୍ବାର ଉତ୍ଥିତ ହେଲେ ଏହା ଦେଖି ସୈନ୍ୟମାନେ ଆନନ୍ଦରେ ସିଂହନାଦ କରି ଉଠିଲେ ।

 

ରଘୁ ଉଥିତ ହେବାମାତ୍ରକେ ଶତ୍ରୁଭାବ ଅବଲମ୍ବନ କରି ପୁନର୍ବାର ଯୁଦ୍ଧ ନିମିତ୍ତ ଅସ୍ତ୍ର ଗ୍ରହଣ କଲେ । ତାଙ୍କର ଏହି ଅସାମାନ୍ୟ ପରାକ୍ରମ ଅବଲୋକନରେ ବୃକ୍ରହା ଏକାନ୍ତ ପ୍ରୀତ ହୋଇ କହିଲେ, ‘‘ଯୁବରାଜ ! ଆମ୍ଭର ଏହି ଅମୋଘ କୁଳଶାସ୍ତ୍ରର ଆଘାତ ସହ୍ୟ କରିବ । ତ୍ରିଭୁବନରେ ଏପରି ଲୋକ ଦେଖି ନାହୁଁ; ଏହା ପର୍ବତରେ ପଡ଼ିଲେ ପର୍ବତକୁ ସୁଦ୍ଧା ଚୂର୍ଣ୍ଣ କରିଦିଏ; ତୁମ୍ଭ ଶରୀରର କି ଅଲୌକିକ ସାରବତ୍ତା ତୁମ୍ଭେ ଅନାୟାସରେ ଈଦୃଶ ଅସ୍ତ୍ରର ଆଘାତ ସହ୍ୟ କଲା ! ତୁମ୍ଭର ଏହି ଆଲୋକସାମାନ୍ୟ ବିକ୍ରମ ଦର୍ଶନରେ ଆମେ ଏକାନ୍ତ ପ୍ରସନ୍ନ ହୋଇଅଛୁଁ; ଏହି ଅଶ୍ୱ ବ୍ୟତୀତ ଅନ୍ୟ ଯେଉଁ ବର ମାଗିବ, ତାହା ଦେବାକୁ ଇଚ୍ଛା କରୁଁ ।’’

 

ଦେବରାଜଙ୍କର ଏହି କଥାଗୁଡ଼ିକ ଶ୍ରବଣ କରି ପ୍ରିୟଂବଦ ରାଜପୁତ୍ର ତୂଣୀର ମଧ୍ୟରୁ ବାହାର କରୁଥିବା ଶରକୁ ପୁନର୍ବାର ତନ୍ମଧ୍ୟର ସ୍ଥାପନ କରି କହିଲେ, ‘‘ଭଗବାନ୍, ଆପଣ ଏହି ଅଶ୍ୱକୁ ଯେବେ ଏକାନ୍ତ ଅମୋଚ୍ୟ ବୋଲି ମନେ କରନ୍ତି, ତେବେ ଆମ୍ଭର ପିତା ଯହିଁରେ ଆରକ୍ତ ଯଜ୍ଞର ସମ୍ପୂର୍ଣ୍ଣ ଫଳ ଉପଭୋଗ କରିବେ, ସେହିପରି ବର ପ୍ରଦାନ କରନ୍ତୁ । ଆହୁରି ଆମ୍ଭେ ରକ୍ଷଣୀୟ ବସ୍ତୁ ହରାଇ ଏକାନ୍ତ ଲଜ୍ଜିତ ହୋଇଅଛି । ସୁତରାଂ ପିତାଙ୍କ ସମ୍ମୁଖରେ ସ୍ୱୟଂ ଏହା ନିବେଦନ କରିବା ଆମ୍ଭ ପକ୍ଷରେ ନିତାନ୍ତ କଷ୍ଟକର ହେବ । ଅତଏବ ଭୂପତି ଆପଣଙ୍କ ଦୂତମୁଖରୁ ଏହି ସମ୍ବାଦ ଯେପରି ପୂର୍ବରୁ ଅବଗତ ହେବେ, ତାହାର ଉପାୟ କରିବା ହେଉ ।’’ ଇନ୍ଦ୍ର ‘ତଥାସ୍ତୁ’ ବୋଲି ସମ୍ମତି ପ୍ରଦାନ କରି ସାରଥିକୁ ରଥ ଚାଳନନିମିତ୍ତ ଆଦେଶ ଦେଲେ; ରଘୁ ମଧ୍ୟ ନାତିହୁଷ୍ଟଚିତ୍ତରେ ପିତାଙ୍କ ଯଜ୍ଞଶାଳାଭିମୁଖରେ ପ୍ରସ୍ଥାନ କଲେ । ମହାରାଜ ଦିଲୀପ ରଘୁଙ୍କ ଉପସ୍ଥିତି ପୂର୍ବେ ଇନ୍ଦ୍ରପ୍ରେରିତ ଦୂତମୁଖରୁ ସମସ୍ତ ବୃତ୍ତାନ୍ତ ଅବଗତ ହୋଇଥିଲେ; ସମ୍ପ୍ରତି ରଘୁଙ୍କୁ ଗୃହରେ ଉପସ୍ଥିତ ଦେଖି କୁଳିଶବ୍ରଣାଙ୍କିତ ତଦୀୟ ଗାତ୍ର ହର୍ଷବିଜଡ଼ିତ ହସ୍ତରେ ପରାମର୍ଶ କରି ତାଙ୍କୁ ଯଥେଷ୍ଟ ଅଭିନନ୍ଦନ କଲେ ।

 

ଅନନ୍ତର ନରେନ୍ଦ୍ରକୁଳତିଳକ ରାଜର୍ଷି ଦିଲୀପ ସ୍ୱର୍ଗପ୍ରାପ୍ତି ଆଶାରେ ସକୋନଶତ ଅଶ୍ୱମେଧଯଜ୍ଞ ଯଥାବିଧି ସାଙ୍ଗ କରି ଇନ୍ଦ୍ରଙ୍କ ବରରୁ ଶତ ଅଶ୍ୱମେଧ ଯଜ୍ଞର ଫଳଲାଭ କଲେ ଏବଂ ତଦ୍ଦ୍ୱାରା ଯେପରି ସ୍ୱର୍ଗକୁ ସୋପାନପରମ୍ପରା ନିର୍ମାଣ କରି ରଖିଲେ । ତତ୍ତ୍ୱରେ ବିଷୟବାସନାରୁ ବିରତ ହୋଇ ଯୁବରାଜଙ୍କୁ ରାଜ୍ୟଭାର ପ୍ରଦାନପୂର୍ବକ ଧର୍ମପତ୍ନୀ ସହିତ ଲକ୍ଷ୍ୱାକୁକୁଳୋଚିତ ବାନପ୍ରସ୍ଥ ଅବଲମ୍ବନ କରି ଜୀବନର ପଶ୍ଚିମଭାଗ ଅରଣ୍ୟର ତରୁଛାୟାରେ ଅତିବାହିତ କଲେ ।

Image

 

ରଘୁଙ୍କ ଦିଗ୍‍ବିଜୟ

 

ସାୟଂକାଳରେ ସୂର୍ଯ୍ୟନିହିତ ତେଜଃପୁଞ୍ଜଦ୍ୱାରା ଅଗ୍ନି ଯେପରି ଉଚ୍ଚ୍ୱଳତର ହୋଇ ଉଠେ, ପିତଦତ୍ତ ରାଜ୍ୟ ଲାଭ କରି ରଘୁ ସେହିପରି ଅଧିକତର ତେଜସ୍ୱୀ ହୋଇ ଉଠିଲେ । ଦିଲୀପଙ୍କ ରାଜତ୍ୱକାଳରେ ବିପକ୍ଷ ରାଜାମାନଙ୍କ ହୃଦୟରେ ଯେଉଁ ବିଦ୍ୱେଷବତି ପ୍ରଧମିକ ହେଉଥିଲେ, ସଂପ୍ରତି ରଘୁଙ୍କ ସିଂହାସନାଧ୍ୱରୋହଣ–ସଂବାଦରେ ସେମାନଙ୍କ ହୃଦୟରେ ସେହି ବହ୍ନି ପ୍ରଜ୍ଜ୍ୱଳିତ ହୋଇ ଉଠିଲା । ତାଙ୍କ ସୌରାଜ୍ୟରେ ପ୍ରଜାମାନେ ପରମ ଆନନ୍ଦରେ ବାସ କରି ନିତ୍ୟ ତାଙ୍କର ଉନ୍ନତିକାମନା କରୁଥିଲେ । ନବରାଜ୍ୟାଭିଷିକ୍ତ ରଘୁଙ୍କୁ ବିଚିତ୍ର ତେଜୋମଣ୍ଡଳଦ୍ୱାରା ଦେଦୀପ୍ୟମାନ ଦେଖି ବୋଧ ହେଉଥିଲା, ସତେ ଯେପରି ଲକ୍ଷ୍ମୀ ଅଲକ୍ଷିତରୂପେ ତାଙ୍କ ମସ୍ତକରେ ଉର୍ଦ୍ଧସ୍ଥଳ ପଦ୍ମାତପତ୍ର ଧାରଣ କରି ରହିଥିଲେ । ସରସ୍ୱତୀ ମଧ୍ୟ ଯଥାକାଳରେ ବନ୍ଦିମାନଙ୍କ କଣ୍ଠଦେଶରେ ଆବିର୍ଭୁତ ହୋଇ ମହନୀୟକୀର୍ତ୍ତି ସେହି ମହୀପତିଙ୍କୁ ହୃଦୟଗ୍ରାହିଣୀ ସ୍ରୁତିଦ୍ୱାରା ଉପାସନା କରୁଥିଲେ । ମନ ପ୍ରଭୃତି ପୂର୍ବଭୁପତିମାନେ ଉପଭୋଗ କରିଥିଲେ ସୁଦ୍ଧା ଏହି ବସୁନ୍ଧରା ରଘୁଙ୍କ ନିକଟରେ ଅନୁପଭକ୍ତା ପରି ପ୍ରତୀୟମାନ ହେଉଥିଲା । ସେ ବିଧାନାନୁରୂପ ରାଜ୍ୟ ଶାସନ କରି ନାତିଶୀତୋଷ୍ଣ ମଳୟାନିଳ ପରି ପ୍ରଜାମାନଙ୍କର ମନୋରଞ୍ଜନ କରିବାକୁ ଲାଗିଲେ । ଚୂତତରୁ ଫଳତ ହେଲେ ସେପରି ଲୋକମାନଙ୍କର ବକୁଳଗତ ଔତ୍ସକ୍ୟ ତିରୋହିତ ହୁଏ, ଅଧିକ ଗୁଣଶାଳୀ ରଘୁ ସିଂହାସନାରୂଢ଼ ହୁଅନ୍ତେ ପ୍ରଜାମାନେ ସେହିପରି ଦିଲୀପଙ୍କ ବିୟୋଗଜନିତ ଦୁଃଖ ବିସ୍ତୃତ ହୋଇଗଲେ । ରାଜନୀତିବିଶାରଦ ଅମାତ୍ୟବର୍ଗ ଅଭିନବ ନୃପତିଙ୍କ ସତ୍ ଓ ଅସତ୍ ଉଭୟବିଧି ମାର୍ଗ ପ୍ରଦର୍ଶନ କରୁଥିଲେ, ମାତ୍ର ରାଜା ଅସତ୍‌ପକ୍ଷ ପରିତ୍ୟାଗ କରି ନିତ୍ୟ ସତ୍‍ପକ୍ଷ ହିଁ ଅବଲମ୍ବନ କରୁଥିଲେ । ଚନ୍ଦ୍ର ଯେପରି ଲୋକଲୋଚନର ପ୍ରହ୍ଲାଦନ କରି ଏବଂ ତପନ ତାପ ପ୍ରଦାନ କରି ସ୍ୱ ସ୍ୱ ନାମର ସାର୍ଥକତା ସମ୍ପାଦନ କରିଅଛନ୍ତି, ରଘୁ ସେହିପରି ପ୍ରକୃତିରଞ୍ଜନ କରି ‘ବଳା’ ଏହି ନାମର ସାର୍ଥକତା ସମ୍ପାଦନ କରିଥିଲେ । ତାଙ୍କର ଆକର୍ଣ୍ଣବିସ୍ତୃତ ନୟନଯୁଗଳ ଥିଲା ସତ୍ୟ, ମାତ୍ର ସୂକ୍ଷ୍ମତତ୍ତ୍ୱାର୍ଥବିଚାର ବିଷୟରେ ଶାସ୍ତ୍ରହିଁ ତାଙ୍କର ଦୃଷ୍ଟିର କାର୍ଯ୍ୟ ସମାଧାନ କରୁଥିଲା ।

 

ରଘୁ ଏହିପରି ରାଜ୍ୟରେ ଶାନ୍ତି ସ୍ଥାପନ କରି ସୁସ୍ଥଚିତ୍ତରେ ଦେଶଶାସନ କରୁଅଛନ୍ତି, ଏହି ସମୟରେ ଋତୁପର୍ଯ୍ୟାୟରେ ଶରତ୍‌କାଳ ପୃଥିବୀରେ ଆସି ଉପସ୍ଥିତ ହେଲା । ନଭୋମଣ୍ଡଳ ମେଘବିମୁକ୍ତ ହେବାରୁ ସୂର୍ଯ୍ୟରଶ୍ମି ପ୍ରଖରତର ହୋଇ ଉଠିଲା । ଇନ୍ଦ୍ରଧନୁର କମନୀୟ ଶୋଭାବଲୋକନରୁ ପୃଥିବୀ ବଞ୍ଚିତ ହେଲା ସତ୍ୟ, ମାତ୍ର ନବବିକଶିତ ଅରବିନ୍ଦ ଓ କାଶକୁସୁମ ଚତୁର୍ଦ୍ଦିଗରେ ମନୋଜ୍ଞତର ଶୋଭା ବିକାଶ କରିବାକୁ ଲାଗିଲା । ବିମଳ ଆକାଶରେ ଶାରତଚନ୍ଦ୍ରକାର ଚିତ୍ତ ବିନୋଦନ ସୁଷମା ଅବଲୋକନ କରି ସଂସାର ଆନନ୍ଦସାଗରରେ ଭାସମାନ ହେଲା । ଚତୁର୍ଦ୍ଦିଗରେ ଉଡ଼୍‍ଡୀୟମାନ ସାରସଂପକ୍ତି ଗଗନତଳରେ ପ୍ରସ୍ପୁଟିତ ତାରକାସମୂହ ଏବଂ ସ୍ୱଚ୍ଛସଲିଳୋପରି ବିଜଚବିଶଦ କୁସୁମଶ୍ରେଣୀଦ୍ୱାରା ପୃଥିବୀ ଶ୍ୱେତାୟମାନ ହେବାରୁ ବୋଧ ହେଲା, ସତେ ଯେପରି ମହାରାଜ ରଘୁଙ୍କ ଶୁଭ୍ରଯଶ ସର୍ବତ୍ର ପରିବ୍ୟାପ୍ତ ହୋଇ ରହିଅଛି । କୃଷକକାମିନୀଗଣ ଇକ୍ଷୁଚ୍ଛାୟାରେ ଉପବେଶନ କରି ସେହି ପ୍ରଜାଚଞ୍ଚନ ନରପତିଙ୍କର ଯଶୋଗାନ କରିବାକୁ ଲାଗିଲେ । ମହାତେଜସ୍ୱୀ ଅଗସ୍ତ୍ୟଙ୍କ ଉଦୟରେ ସଲିତ ନିର୍ମଳ ଏବଂ ପଥ କର୍ଦ୍ଦମଶୂନ୍ୟ ହେଲା । ମଦୋଦ୍ଧଢ଼ କକୁଦ୍ମାନ୍ ବୃଷଭଗଣ ନଦୀତଟରେ ଉତ୍‌ଖାତ କେଳି କରି ସୁବିକ୍ରମ ପ୍ରକାଶ କରିବାକୁ ଏବଂ ସପ୍ତସର୍ଣ୍ଣ କୁସୁମର ଗନ୍ଧରେ ଉନ୍ମତ୍ତ ହୋଇ ମଦମତ୍ତ ମାତଙ୍ଗଗଣ ସପ୍ତାବୟବରୁ ମଦଧାରା କ୍ଷରଣ କଲେ ।

 

ମହାରାଜ ରଘୁ ଏହି ମନୋଦର ଶରତ ଋତୁର ରାମଣୀୟକ ଦର୍ଶନରେ ଏକାନ୍ତ ପ୍ରୀତ ହୋଇ ଦିଗ୍‌ବଳୟ ନିମିତ୍ତ ଯାତ୍ରା କରିବାକୁ ଅଭିଳାଷୀ ହେଲେ । ଏହି ଉଦ୍ଦେଶ୍ୟରେ ସେ ରାଜ୍ୟର ବିଭିନ୍ନ ବିଭାଗରୁ ସୈନ୍ୟ ସଂଗ୍ରହ କରି ରାଜଧାନୀ ଏବଂ ରାଜ୍ୟର ସୀମାନ୍ତବର୍ତ୍ତୀ ଦୁର୍ଗରକ୍ଷାର ଭାର ଉପଯୁକ୍ତ ଅମାତ୍ୟମନଙ୍କ ହସ୍ତରେ ସମର୍ପଣପୂର୍ବକ ଯୁଦ୍ଧୋପଯୋଗୀ ନାନାବିଧ ଦ୍ରବ୍ୟ ସମ୍ଭାର ସହିତ ମହୋତ୍ସାହରେ ଯାତ୍ରା ଆରମ୍ଭ କଲେ । ଗମନୋଦ୍ୟତ ମହାରାଜଙ୍କ ଉପରେ ବୟୋବୃଦ୍ଧା ପୁରକାମିନୀମାନେ ବିକୀର୍ଣ୍ଣ କରି ତାହାଙ୍କର ମଙ୍ଗଳ କାମନା କଲେ ।

 

ରଘୁ ପ୍ରଥମତଃ ପୂର୍ବଦିଗକୁ ଯାତ୍ରା କଲେ । ଅନୁକୂଳ ଅନିଳ ପ୍ରବାହରେ ତାଙ୍କର ରଥପତାକାମାନେ ଉଡ଼୍ଡୀନ ହୋଇ ସତେ ଯେପରି ତଦ୍ଦେଶୀୟ ଭୂପାଳମାନଙ୍କୁ ତର୍ଜନ କରିବାକୁ ଲାଗିଲା । ସ୍ୟନ୍ଦନୋଦ୍ଧୂତ ରଳୋରାଶିଦ୍ୱାରା ଗଗନତଳ ଭୂତଳ ପରି ଏବଂ ଘନସନ୍ନିଭ କୃଷ୍ଣବର୍ଣ୍ଣ ପ୍ରକାଶକଳେବର ରାଜସମୁହଦ୍ୱାରା ଭୂତଳ ଗଗନତଳ ପରି ପ୍ରତୀୟମାନ ଦେଲା । ଅଗ୍ରେ ପ୍ରତାପ, ତରୁରେ ଶବ୍ଦ, ତଦନ୍ତର ଶୂଳରାଶି, ପଶ୍ଚାତ୍ ରଥାଦି ଚତୁରଙ୍ଗବଳ ଗମନ କରିବା ଦେଖି ବୋଧ ହେଲା, ଯେପରି ରଘୁସେନା ଚତୁବ୍ୟୂହରେ ବିଭକ୍ତ ହୋଇ ଗମନ କରୁଅଛନ୍ତି । ସେ ସ୍ୱଶକ୍ତିବଳରେ ଗତିପଥରେ ନିର୍ଜଳ ପ୍ରଦେଶକୁ ଜଳମୟ ନାବ୍ୟ ନଦୀମାନଙ୍କୁ ସୁଖତରଣଯୋଗ୍ୟା ଏବଂ ବନପ୍ରଦେଶକୁ ବୃକ୍ଷଶୂନ୍ୟ କରି ଗମନ କରିବାକୁ ଲାଗିଲେ । ସେ ତାଙ୍କର ବାହିନୀକୁ ପୂର୍ବସାଗର ଗାମିନୀ ଭାଗୀରଥୀ ପରି ବଙ୍ଗୋପସାଗର ଆଡ଼କୁ କ୍ରମେ ପରିଚାଳନ କଲେ । ମତ୍ତଦନ୍ତାବଳ ଅରଣ୍ୟପଥରେ ଗମନ କଲାବେଳେ ଯେପରି କେତେକ ବୃକ୍ଷକୁ ଫଳଶୂନ୍ୟ, କେତେକକୁ ଉଦ୍ଘାଟିତ ଏବଂ କେତେକକୁ ଭଗ୍ନ କରିଯାଏ, ସେହିପରି ରଘୁ ପଥମଧ୍ୟରେ କେତେକ ରାଜାଙ୍କ ଧନଶୂନ୍ୟ, କେତେକଙ୍କୁ ରାଜ୍ୟଚ୍ୟୁତ ଏବଂ କେତେକଙ୍କୁ ପରାଜିତ କରି ଗମନ କଲେ । ଜୟଶୀଳ ରଘୁ ପ୍ରାଚ୍ୟ ଜନପଦମାନଙ୍କୁ ଏହିପରି ଆକ୍ରମଣ କରି ପରିଶେଷରେ ତାଳୀବନଶ୍ୟାମ ମହୋଦଧିର ଉପକଣ୍ଠରେ ଉପସ୍ଥିତ ହେଲେ । ସେଠାରେ ସୁହୁଦେଶୀୟ ଭୁପାଳଗଣ ବୈତସୀ ବୃତ୍ତି ଅବଲମ୍ବନ କରି ଅବିନୀତମାନଙ୍କର ଶାସକ ରଘୁଙ୍କଠାରୁ ଆତ୍ମରକ୍ଷା କରିଥିଲେ । ବଙ୍ଗଦେଶୀୟ ରାଜନ୍ୟବୃନ୍ଦ ରଣତରୀ ଆରୋହଣପୂର୍ବକ ରଘୁଙ୍କ ସଙ୍ଗେ ଯୁଦ୍ଧ କରିବାପାଇଁ ଉଦ୍ଗାଗ କରୁଥିଲେ । ମାତ୍ର ରଘୁ ସେମାନଙ୍କୁ ବାହୁବଳରେ ପରାସ୍ତ ଏବଂ ରାଜ୍ୟଚ୍ୟୁତ କରି ଗଙ୍ଗାପ୍ରବାହ ମଧ୍ୟବର୍ତ୍ତୀ ଦ୍ୱୀପପୁଞ୍ଜରେ ଜୟସ୍ତମ୍ଭ ସ୍ଥାପନ କଲେ । ପରେ ସେମାନେ ରଘୁଙ୍କ ପାଦପଦରେ ଶାଳିଧାନ୍ୟ ପରି ପ୍ରଣତ ହୁଅନ୍ତେ ସେ ସେମାନଙ୍କୁ ପୁନର୍ବାର ସ୍ୱପଦରେ ପ୍ରତିଷ୍ଠିତ କଲେ । ଅନନ୍ତର ଗଜମୟ ସେତୁଦ୍ୱାରା ସସୈନ୍ୟରେ କପିଶା ନଦୀ ଉତ୍ତୀର୍ଣ୍ଣ ହୋଇ ଉତ୍କଳ ଦେଶରେ ଉପସ୍ଥିତ ହେଲେ । ଉତ୍କଳୀୟ ଭୂପାଳମଣ୍ଡଳୀ ତାଙ୍କର ପଥପ୍ରଦର୍ଶକ ହେବାରୁ ସେ ସେଠାରେ ଆଉ ଯୁଦ୍ଧ ନ କରି ଶୀଘ୍ର କଳିଙ୍ଗ ଅଭିମୁଖରେ ପ୍ରସ୍ଥାନ କଲେ ।

 

ରଘୁ କଳିଙ୍ଗରେ ଉପସ୍ଥିତ ହୋଇ ତକ୍ରତ୍ୟ ମହେନ୍ଦ୍ରପର୍ବତର ଶିଖରଦେଶରେ ସେନାନିବେଶ ସଂସ୍ଥାପନ କଲେ । ପୂର୍ବକାଳରେ ଯେପରି ପର୍ବତମାନେ ପକ୍ଷଚ୍ଛେଦନୋଦ୍ୟତ ବଜ୍ରପାଣି ଇନ୍ଦ୍ରଙ୍କୁ ଶିଳାବର୍ଷଣଦ୍ୱାରା ଆକ୍ରମଣ କରିଥିଲେ, ସେହିପରି ତଦ୍ଦେଶୀୟ ରାଜାମାନେ ଗଜାରୂଢ଼ ହୋଇ ଅସ୍ତ୍ର ବର୍ଷଣପୂର୍ବକ ରଘୁଙ୍କୁ ଆକ୍ରମଣ କଲେ । ସେ କିୟନ୍ତୁହୁର୍ତ୍ତ ସେମାନଙ୍କ ନାରାଚବର୍ଷଣ ସହ୍ୟ କରି ଶେଷରେ ସେମାନଙ୍କୂ ସଂପୂର୍ଣ୍ଣରୂପେ ପରାଭୂତ କଲେ । ତାଙ୍କର ସୈନିକବୃନ୍ଦ ବିଜୟୋଲ୍ଲାସରେ ଉନ୍ମତ୍ତ ହୋଇ ମହେନ୍ଦ୍ରର ଅଧିତ୍ୟକାରେ ପାନଭୂମି ରଚନା କରି ତାମ୍ବୁଲଦଳନିର୍ମିତ ପତ୍ରପୁଟରେ ପର୍ଯ୍ୟାପ୍ତ ପରିମାଣେ ନାରିକେଳାସବ ପାନ କଲେ । ଧର୍ମବିଜୟୀ ମହାତ୍ମା ରଘୁ ପ୍ରଥମେ ମହେନ୍ଦ୍ରଧିପତିଙ୍କର ରାଜ୍ୟ ଗ୍ରହଣ କରିଥିଲେ, କିନ୍ତୁ ପରେ ତାଙ୍କୁ ସ୍ୱପଦରେ ପ୍ରତିଷ୍ଠିତ କରି ତାଙ୍କର ରାଜଶ୍ରୀ ମାତ୍ର ଅପହରଣ କଲେ ।

 

ପ୍ରାଚୀନବିଜୟାନନ୍ତର ମହାରାଜ ଫଳପୂର୍ଣ୍ଣଗୁବାକତରୁବିଭୁଷିତ ଲବଣମହହକର୍ଣ୍ଣବର ଦେଇ ଦକ୍ଷିଣଦିଗକୁ ଜୈତ୍ରଯାତ୍ରା ଆରମ୍ଭ କଲେ । ସେ କ୍ରମେ କାବେରୀ ନଦୀ ଉତ୍ତୀର୍ଣ୍ଣ ହୋଇ ବିଶ୍ରାମାର୍ଥ ମଳୟ –ପର୍ବତର ସୁମନେ ହର ଉପତ୍ୟକାରେ ଉପସ୍ଥିତ ହେଲେ । ସେଠାରେ ମରୀଚବନରେ ହାରୀତ ପକ୍ଷୀମାନେ ଇତସ୍ତତଃ ଭ୍ରମଣ କରୁଥିଲେ । ସପୁଷ୍ପ ଲବଙ୍ଗଲତା ଏଲାବୃକ୍ଷରେ ବିଜତିତ ହୋଇ ଚତୁର୍ଦ୍ଦିଗରେ ମନୋଜ୍ଞ ସୁବାସ ବିକିରଣ କରୁଥିଲା । ଚନ୍ଦନବୃକ୍ଷମାନଙ୍କରେ ସର୍ପବେଷ୍ଟନ ଚିହ୍ନମାନ ସୁଷ୍ପଷ୍ଟ ପରିଲକ୍ଷିତ ହେଉଥିଲା । ମଳୟାଦ୍ରି ସମୀପରେ ପାଣ୍ଡ୍ୟ ନାମକ ଗୋଟିଏ ଦେଶ ଥିଲା । ତତ୍ରତ୍ୟ ଅଧିପତି ରଘୁଙ୍କ ଦୁର୍ବିସହ ପ୍ରତାପ ସହ୍ୟ କରି ନ ପାରି ତାମ୍ରପର୍ଣ୍ଣୀ ଓ ମହାଦଧିର ସଙ୍ଗମସ୍ଥାନଜାତ ଉତ୍‌କୃଷ୍ଟ ମୁକ୍ତାରାଶି ସ୍ୱକୀୟ ଚିରସଞ୍ଚିତ ଯଶଃସମୂହ ପରି ତଦୀୟ ପାଦତଳରେ ସମର୍ପଣପୂର୍ବକ ତାଙ୍କର ଶରଣାପନ୍ନ ହେଲେ । ସେ ଦକ୍ଷିଣଦିଗବର୍ତ୍ତୀ ଚନ୍ଦନତରୁବିଭୂଷିତ ମଳୟ ଓ ଦଦ୍ଦୁର ପର୍ବତରେ କିୟତ୍‌କାଳ ବିହାର କରି ପାଶ୍ଚାତ୍ୟ ନରପତିମାନଙ୍କ ବିଜୟକାମନାରେ ପଶ୍ଚିମଦିଗକୁ ଯାତ୍ରା କଲେ ।

 

ମହାରାଜ ରଘୁଙ୍କର ସେନାସାଗର ସହ୍ୟାଦ୍ରି ଓ ସମୁଦ୍ର ମଧ୍ୟବର୍ତ୍ତୀ ଭୁଖଣ୍ଡ ଆକୀର୍ଣ୍ଣ କରି ଗମନ କଲାବେଳେ ବୋଧ ହେଲା, ସତେ ଯେପରି ସହ୍ୟାଦ୍ରି ପୁନରପି ସମୁଦ୍ର ସଙ୍ଗେ ସଂଲଗ୍ନ ହୋଇଗଲା । ରଘୁ କେରଳ ଦେଶରେ ଉପସ୍ଥିତ ହୁଅନ୍ତେ ତଦେଶାୟ କାମିନୀଗଣ ରଘୁଙ୍କ ଭୟରେ ଭୀତ ହୋଇ ବିଭୂଷଣାଦି ପରିତ୍ୟାଗପୂର୍ବକ ପଳାୟନ କଲେ । ମରଳା ନାମକ ଗୋଟିଏ ନଦୀ କେରଳ ଦେଶ ମଧ୍ୟ ଦେଇ ପ୍ରବାହିତ ହେଉଥିଲା । ରଘୁଙ୍କ ସୈନ୍ୟମାନେ ସେହି ନଦୀର ତୀରଭୂମିରେ ଯେତେବେଳେ ଅବସ୍ଥାନ କଲେ, ସେତେବେଳେ ତଟୋତୃନ୍ନ କେତକୀକୁସୁମର ପରାଗ ମୁରଳାମାରୁତଦ୍ୱାରା ସଂଚାଳିତ ହୋଇ ସେମାନଙ୍କ କଞ୍ଚୁକରେ ଅଯତ୍ନଲବ୍ଧ ଗନ୍ଧଚୂର୍ଣ୍ଣ ପରି ପତିତ ହେବାକୁ ଲାଗିଲା । କେରଳଦେଶର ଖର୍ଜୁର-ପଗ-ନାଗକେଶର —ରାଜତାଳୀସମାକୀର୍ଣ୍ଣ ଅରଣ୍ୟାନୀରେ ରଘୁଙ୍କର ଗଜବାଜୀମାନେ କିଛିଦିନ ବିହାର କରି ପରମସୁଖରେ କାଳହରଣ କଲେ । ପଶ୍ଚିମଦେଶୀୟ ରାଜନ୍ୟବୃନ୍ଦ କରଦାନରେ ରଘୁଙ୍କ ପଦତଳରେ ଅବନତ ହୁଅନ୍ତେ ରଘୁ ମତ୍ତମାତ୍ତଙ୍ଗରଦନୋତ୍କୀର୍ଣ୍ଣ ତ୍ରିକୂଟାବଳକୁ ପଶ୍ଚିମ ଦେଶରେ ବିଜୟବର୍ଣ୍ଣୋତ୍କୀର୍ଣ୍ଣ ଉନ୍ନତ ଜୟସ୍ତମ୍ଭରୂପେ ସ୍ଥାପନ କରି ସେଠାରୁ ଗମନ କଲେ ।

 

ଯୋଗୀ ଯେପରି ତତ୍ତ୍ୱଜ୍ଞାନଦ୍ୱାରା ଦୂରନ୍ତ ରିପୁମାନଙ୍କୁ ବଶୀଭୂତ କରନ୍ତି, ରଘୁ ସେହିପରି ପାରସିକମାନଙ୍କୁ ଜୟ କରିବା ଉଦ୍ଦେଶ୍ୟରେ ସ୍ଥଳଦେଶରେ ପ୍ରସ୍ଥାନ କଲେ । ମରୁମୟ ପାରସ୍ୟ ମାଳଭୂମିରେ ଅଶ୍ୱାରୋହୀ ଯବନଯୋଦ୍ଧୃବୃନ୍ଦଙ୍କ ସଙ୍ଗେ ରଘୁଙ୍କର ତୁମୁଳ ସଂଗ୍ରାମ ହେଲା । ବାଜିରାଜିଖୁରୋତ୍ଥିତ ପ୍ରକାଣ୍ଡ ଧୂଳିପଟଳ ଅନ୍ତରୀକ୍ଷକୁ ଏପରି ନିବିଡ଼ ଅନ୍ଧକାରରେ ଆବୃତ କଲା ଯେ, କେବଳ ଧନୁଷ୍ଟାଙ୍କାର ଶବ୍ଦରେ ପ୍ରତିଯୋଧମାନଙ୍କର ଅବସ୍ଥିତି ଅନୁମିତ ହେଉଥିଲା । ଶେଷରେ ରଘୁ ଉଲ୍ଲାସଦ୍ୱାରା ଯବନସୈନିକମାନଙ୍କର ଶୁଶ୍ରୁଳ ମସ୍ତକ ଛେଦନ ଭୂପୃଷ୍ଠ ଆବୃତ କରି ପକାଇଲେ । ତାହା ଦେଖି ବୋଧ ହେଲା, ସତେ ଯେପରି ଶରଘାବ୍ୟାପ୍ତ ମଧୁକୋଷମାନଙ୍କଦ୍ୱାରା ଋଣଭୂମି ସମାକୀର୍ଣ୍ଣ ହୋଇଅଛି । ହତାବଶିଷ୍ଟ ଯବନମାନେ ଶିରସ୍ତାଣ ଅପନୀତ କରି ତାଙ୍କର ଆଶ୍ରୟପ୍ରାର୍ଥୀ ହେବାରୁ ଶରଣାଗତବତ୍ସଳ ମହାରାଜ ସେମାନଙ୍କୁ ଅଭୟ ପ୍ରଦାନ କରି ରକ୍ଷା କଲେ । ପ୍ରକୃତରେ ପ୍ରଣିପାତଦ୍ୱାରାହିଁ ମହାପୁରୁଷମାନଙ୍କର କୋପଶାନ୍ତି ହୋଇ ଥାଏ । ତଦୀୟ ବିଜୟୋନ୍ନତ୍ତ ସେନାସଂଘ ତଦତ୍ୟ ଦ୍ରକ୍ଷା ଉଦ୍ୟାନରେ ଅଜିନାସନୋପରି ଦ୍ରାକ୍ଷାମଧୁ ପାନ କରି ରଣଶ୍ରାନ୍ତି ଅପନୋଦନ କଲେ ।

 

ତରୁରେ ରାଜନ୍ୟକୁଳତିଳକ ମହାବୀର ରଘୁ କୁଙ୍କୁମରକେ :– ବିଧୁରିତ କାଶ୍ମୀରଦେଶବାହୀ ସିନ୍ଧୁନଦୀ ତୀରେ ତୀରେ ଉଦୀଚ୍ୟ ରାଜାମାନଙ୍କୁ ଦମନ କରିବାପାଇଁ ଉତ୍ତର ଦିଗକୁ ପ୍ରୟାଣ କଲେ । ସେଠାରେ ପ୍ରଥମେ ହୁଣମାନଙ୍କ ସଙ୍ଗେ ରଘୁଙ୍କର ଘୋର ଯୁଦ୍ଧ ହେଲା । ହୁଣାଙ୍ଗନାମାଙ୍କର କରୁଣ କ୍ରନ୍ଦନଧ୍ୱନିରେ ତାଙ୍କର ଦୟାର୍ଦ୍ର ହୃଦୟ ବିଚଳିତ ହେବାରୁ ସେ ବନ୍ଦୀକୃତ ହୃଣବୀରମାନଙ୍କୁ ବନ୍ଧନରୁ ମୁକ୍ତି ପ୍ରଦାନ କର କାମ୍ବୋଜ ଅଭିମୁଖରେ ଯାତ୍ରା କଲେ । କାମ୍ବୋଜବୀରମାନେ ଯୁଦ୍ଧରେ ରଘୁଙ୍କ ପରାକ୍ରମ ସହ୍ୟ କରି ନ ପାରି ଉତ୍କୃଷ୍ଟ ଅଶ୍ୱଦ୍ରବିଣାଦି ଉପଢ଼ୌକନ ପ୍ରଦାନପୂର୍ବକ ତାଙ୍କ ଚରଣରେ ଶରଣାଗତ ହୁଅନ୍ତେ ସେ ସେମାନଙ୍କ ସଙ୍ଗେ ସନ୍ଧିବନ୍ଧନ କରି ସେ ସ୍ଥାନରୁ ପ୍ରସ୍ଥାନ କଲେ-

 

ଅନନ୍ତର ସ୍ୱୟଂ ଅଶ୍ୱାରୋହଣ କରି ଅଶ୍ୱାରୋହୀ ସୈନ୍ୟଗଣ ସମଭିବ୍ୟାହାରରେ ସମଭିବ୍ୟାହାରରେ ସେ ହିମାଦ୍ରିଶିଖର ଆରୋହଣ କଲେ । ଅଶ୍ୱଖୁରୋତ୍ଥିତ ଗୈରିକ ଧୂଳିପଟଳ ଆକାଶରେ ଉଡ଼୍ଡୀନ ହେବାରୁ ହିମାଳୟର ଶିଖରମାନ ଉଚ୍ଚତର ଦେଖାଗଲା । ହିମଗିରିଗୁହାଶାୟୀ ସିଂହସମୂହ ତୁଲ୍ୟ ବଳଶାଳୀ ସୈନିକମାନଙ୍କ କଳରବରେ କିଞ୍ଚିତ ଭୀତ ନ ହୋଇ କେବଳ ଗ୍ରୀବାଭଙ୍ଗ କରି ଥରେ ଥରେ ତୀର୍ଯ୍ୟକ ଦୃଷ୍ଟିରେ ଅବଲୋକନ କରୁଥିଲେ । ସୈନ୍ୟମାନେ ନମେରୁ ଛାୟାରେ ମୃଗନାଭିସୁବାସିତ ଶିଳାତଳରେ ବିଶ୍ରାମ କରି ଗଙ୍ଗାଶୀକରବାହୀ ସମୀରଣ ସେବନପୂର୍ବକ ଶ୍ରାନ୍ତି ଅପନୋଦନ କରିବାକୁ ଲାଗିଲେ । ରଜନୀରେ ଓଷଧିଲତାସମୂହ ପ୍ରଜ୍ୱଳିତ ହୋଇ ସେମାନଙ୍କର ତୈଳଶୂନ୍ୟ ପଦୀପକାର୍ଯ୍ୟ ସମାହିତ କଲା । ସେଠାରେ ଉତ୍ସବସଙ୍କେତ ପ୍ରଭୃତି ସପ୍ତବିଧ ପାର୍ବତ୍ୟ ଜାତିଙ୍କ ସଙ୍ଗେ ରଘୁଙ୍କର ତୁମୂଳ ସଂଗ୍ରାମ ହେଲା । ରଘୁସୈନିକମାନଙ୍କର ନାରାଚ ଭିନ୍ଦିପାଳ ପ୍ରଭୃତି ବାଣ ଏବଂ ଅସଭ୍ୟଜାତୀୟ ଲୋକମାନଙ୍କର ଅଚଳ ସୁଲଭ ଶିଳାବର୍ଷଣର ପରସ୍ପର ସଂଘର୍ଷଣରେ ଅଗ୍ନିଶିଖା ସମୁତ୍ଥିତ ହେବାକୁ ଲାଗିଲା । ପରିଶେଷରେ ରଘୁ ଖଚତର ଶରଜାଲରେ ଉତ୍ସବସଙ୍କେତ ମାନଙ୍କ ଉତ୍ସବବିଦାନ କରନ୍ତେ ସେମାନେ ହିମାଦ୍ରି ସମୂତ ବହୁମୁଲ୍ୟ ସମୁଜ୍ଜ୍ୱଳ ରତ୍ନରାଜି ରଘୁଙ୍କ ଶ୍ରୀଚରଣରେ ଉପଢ଼ୌକନରୂପେ ସମର୍ପଣ କରି ତାଙ୍କର ଆଧୀନ୍ୟ ସ୍ୱୀକାର କଲେ । ଏହିପରି ହିମାଚଳଶିଖରରେ ଅବିକଣ୍ଠର କୀର୍ତ୍ତି ସଂସ୍ଥାପନ କରି ରଘୁ ସେଠାରୁ ଅବତୀର୍ଣ୍ଣ ହେଲେ ।

 

ତଦନନ୍ତର ସେ ଲୌହିତ୍ୟା ନଦୀ ପାର ହୋଇ ପ୍ରାଗ୍‌ଜ୍ୟୋତିଷପୁର ଅଭିମୁଖରେ ଯାତ୍ରା କଲେ । ରଘୁଙ୍କ ଅଭିଯାନ ସଂବାଦ ଶ୍ରବଣରେ ପ୍ରାଗ୍‌ଜ୍ୟୋତିଷେଶ୍ୱର ଭୟରେ କମ୍ପିତ ହେବାକୁ ଲାଗିଲେ । ରଥଚକ୍ର ଘର୍ଷଣରେ ଧୂଳିପଟଳ ସମୁତ୍ଥିତ ହୋଇ ବୃଷ୍ଟିହୀନ ମେଘାଚ୍ଛନ୍ନ ଦିବସ ପରି ଆକାଶ ଆବୃତ କରନ୍ତେ ପ୍ରାଗ୍‌ଜ୍ୟୋତିଷନାଥ ଏହାକୁ ପ୍ରକୃତ ଦୁର୍ଦିନ ବୋଲି ମନେ କରି ଆକ୍ରମଣ ପୂର୍ବରୁ ପ୍ରଣିପାତପୁରଃସର ରଘୁଙ୍କ ପାଦତଳରେ ପତିତ ହେଲେ । କାମରୂପାଧିପତି ମଧ୍ୟ ଯେଉଁ ଗଜସମୂହ ଦ୍ୱାରା ଅନ୍ୟମାନଙ୍କୁ ଆକ୍ରମଣ କରୁଥିଲେ, ସେ ସମସ୍ତ ରଘୁଙ୍କୁ ଉପହାର ସ୍ୱରୂପ ପ୍ରଦାନ କରି ତଦୀୟ ଚରଣଯୁଗଳକୁ ରତ୍ନପୁଷ୍ପୋହାରଦ୍ୱାରା ଭକ୍ତିସହକାରେ ଅର୍ଜନା କଲେ ।

 

ରାଜାଧିରାଜ ରଘୁ ଏହିପରି ଦିଗ୍‍ବିଜୟ ବ୍ୟାଜରେ ଭାରତର ରାଜାମାନଙ୍କୁ ଛତ୍ରଶୂନ୍ୟ କରି ସ୍ୱୟଂ ଏକଛତ୍ର ସମ୍ରାଟ ହେଲେ । ଯେପରି ମେଘବୃନ୍ଦ ପୃଥିବୀରୁ ରସ ଆକର୍ଷଣ କରି ପୁନର୍ବାର ତହିଁରେ ବର୍ଷଣ କରନ୍ତି, ସେହିପରି ମହାରାଜ ରଘୁ ଦିଗ୍‍ବିଜୟଦ୍ୱାରା ସଂଗୃହୀତ ତଥା ପୂର୍ବସମ୍ମତ ଅର୍ଥରାଶି ବିତରଣ କରିବା ଉଦ୍ଦେଶ୍ୟର ସ୍ୱକୀୟ ରାଜଧାନୀ ଅଯୋଧ୍ୟାରେ ବିଶ୍ୱଜିତ୍‍ନାମକ ସର୍ବସ୍ୱନାମକ ସର୍ବସ୍ୱଦକ୍ଷିଣ ଯଜ୍ଞ ଆରମ୍ଭ କଲେ । ଯଜ୍ଞାବସାନରେ ନିମନ୍ତ୍ରିତ ଏବଂ ବିଜିତ ରାଜାମାନଙ୍କୁ ବହୁମୂଲ୍ୟ ପୁରସ୍କାର ପ୍ରଦାନପୂର୍ବକ ସେମାନଙ୍କର ପରାଜୟଜନିତ ଲଜ୍ଜା ଅପନୋଦନ କରି ସ୍ୱ ସ୍ୱ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କରିବା ନିମିତ୍ତ ଅନୁମତି ପ୍ରଦାନ କଲେ । ସେମାନେ ବିଦାୟ କାଳରେ ସମ୍ରାଟଙ୍କର ଧ୍ୱଜବଜ୍ରାତପତ୍ରଚିହ୍ନିତ ଚରଣଯୁଗଳକୁ ସ୍ୱମୌଳିସ୍ଥିତ ପୁଷ୍ପମାଳାର ରେଣୁଦ୍ୱାରା ରଞ୍ଜିତ କରି ନିଜ ନିଜ ନଗରୀଭିମୁଖରେ ପ୍ରସ୍ଥାନ କଲେ ।

Image

 

ଅଜ

 

ବିଶ୍ୱଜିତ୍ ଯଜ୍ଞରେ ସମସ୍ତ ଅର୍ଥ ଅକୁଣ୍ଠିତଚିତ୍ତରେ ଦାନ କରି ରଘୁ ପରମାହ୍ଲାଦରେ କାଳାତିପାତ କରୁଅଛନ୍ତି, ଏହି ସମୟରେ ବରତନ୍ତୁ ମହର୍ଷିଙ୍କର ଶିଷ୍ୟ କୌତ୍‌ସ ଅଧ୍ୟୟନ ଶେଷରେ ଗୁରୁଦକ୍ଷିଣା ପ୍ରଦାନ ନିମିତ୍ତ ଧନକାମନାରେ ମହାରାଜ ରଘୁଙ୍କ ନିକଟରେ ଉପସ୍ଥିତ ହେଲେ । ମହାଯଶା ମହୀପତି ହରିଣ୍ଚୟପାତ୍ର ନିଃଶେଷିତ ହୋଇଥିବାରୁ ମଣ୍ମୟପାତ୍ରରେ ଅର୍ଘ୍ୟ ସ୍ଥାପନ କରି ବେଦଶାସ୍ତ୍ର ସୁପଣ୍ଡିତ ଅତିଥିଙ୍କୁ ଅଭ୍ୟର୍ଥନା କଲେ । ତପୋଧନ ବିଧିବତ୍ ଅତ୍ୟର୍ଥିତ ହୋଇ ଆସନ ପରିଗ୍ରହ କରନ୍ତେ, ମହାରାଜ ବଦ୍ଧାଞ୍ଜଳିପୁଟରେ ନିବେଦନ କଲେ, ‘‘ମହାତ୍ମନ୍‍, ଆପଣଙ୍କର ଉପାଧ୍ୟାୟ ମନ୍ତ୍ରସ୍ରଷ୍ଟା ମହର୍ଷି ବରତନ୍ତୁଙ୍କର ସର୍ବାଙ୍ଗୀନ କୁଶଳ ତ ? ଋଷିପୁଙ୍ଗବ କାୟମନୋବାକ୍ୟରେ ଯେଉଁ ତପଶ୍ଚରଣ କରୁଅଛନ୍ତି, ତହିଁରେ ତ କୌଣସି ପ୍ରତ୍ୟବାୟ ଉପସ୍ଥିତ ହେଉନାହିଁ ? ଅଳବାଳବନ୍ଧନ ପ୍ରଭୃତି ଉପାୟରେ ମହର୍ଷି ସୃତନିର୍ବିଶେଷରେ ଯେଉଁ ଶ୍ରମାପହାରକ ଆଶ୍ରମପାଦପମାନ ପରିବର୍ଦ୍ଧନ କରିଅଛନ୍ତି, ସେମାନଙ୍କର ପ୍ରଭଞ୍ଜନ ବା ଦାବାନଳ ଯୋଗୁଁ କୌଣସି ବ୍ୟାଘାତ ତ ହେଉ ନାହିଁ ? ଯେଉଁ ହରିଣଶାବକଗଣ ମୃତହୋମସାଧନ କୁଶ ଭକ୍ଷଣ କରି ମୁନିମାନଙ୍କ ଅଙ୍କଦେଶରେ ଅତିସ୍ନେହରେ ପରିବର୍ଦ୍ଧିତ ହୋଇଅଛନ୍ତି, ସେମାନେ ନିରୁପଦ୍ରବରେ ଅଛନ୍ତି ଟି ? ଯେଉଁ ତୀର୍ଥଜଳଚେ ନିତ୍ୟ ଅଭିଷେକକ୍ରିୟା ସୁସମାହିତ କରି ଆପଣମାନେ ପିତୃଲୋକ ଉଦ୍ଦେଶ୍ୟରେ ତର୍ପଣାଦି କରନ୍ତି, ସେହି ପବିତ୍ର ତୀର୍ଥୋଦକକୁ ତ କେହି କଳୁଷିତ କରି ନାହିଁ ? ଅତିଥିସତ୍କାର, ତଥା ଭବଦୀୟ ଶରୀରସ୍ଥିତିର ପ୍ରଧାନ ସାଧନ ନୀବାରାଦି ତୃଣଧାନ୍ୟସକଳ ଗ୍ରାମ୍ୟଗବାଦିପଶୁମାନଙ୍କକର୍ତ୍ତୃକ ବିନାଶିତ ହେଉ ନାହିଁ ତ ? ମହର୍ଷି କଣ ଶିକ୍ଷାଶେଷର ପ୍ରସନ୍ନାନ୍ତଃକରଣରେ ଆପଣଙ୍କ ଗୃହସ୍ଥାଶ୍ରମରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରିଅଛନ୍ତି ? ଯେ ହେତୁରୁ ସର୍ବାଶ୍ରମର ଉପକାରସାଧନକ୍ଷମ ଦ୍ୱିତୀୟାଶ୍ରମରେ ପ୍ରବିଷ୍ଟ ହେବାରେ ଏହାହିଁ ଆପଣଙ୍କ ପକ୍ଷରେ ଉପଯୁକ୍ତ ସମୟ । କେବଳ ଆପଣଙ୍କ ଅଭିଗମନରେ ମୋର ମନ ପରିତୃପ୍ତ ହେଉ ନାହିଁ, ଭବଦୀୟ ଆଜ୍ଞା ପ୍ରତିପାଳନ କରି ଆପଣାକୁ କୃତାର୍ଥ କରିବାକୁ ଇଚ୍ଛା କରୁଅଛି । ଆପଣ ମହର୍ଷିଙ୍କ ଆଦେଶ ଅନୁସାରେ ନା ସ୍ୱତଃପ୍ରବୃତ୍ତ ହୋଇ ମୋତେ ଅନୁଗୃହୀତ କରିବା ପାଇଁ ବନରୁ ଆଗମନ କରିଅଛନ୍ତି ?’’

 

ମହାମନା କୌତ୍ସ ଅର୍ଘ୍ୟପାତ୍ରରୁ ମହାରାଜଙ୍କର ତତ୍‌କାଳୀନ ଅବସ୍ଥା ସମ୍ୟକ୍‌ରପେ ଅନୁମାନ କରି ସ୍ୱାର୍ଥ ସିଦ୍ଧି ବିଷୟରେ ନିରାଶ ହୋଇ ପ୍ରତ୍ୟୁତ୍ତରରେ କହିଲେ ‘‘ମହାରାଜ ! ଆମ୍ଭମାନଙ୍କର ସର୍ବତ୍ର କୁଶଳ, ଆପଣଙ୍କ ପରି ରକ୍ଷାକର୍ତ୍ତା ଥିବା ସ୍ଥଳେ ପ୍ରଜାମାନଙ୍କର କୌଣସି ଅମଙ୍ଗଳର ଆଶଙ୍କା ଥାଏ କି ? ଦିବାକର କିରଣଜାଳ ବିସ୍ତାର କଲେ ତମୋରାଶି କଣ ଲୋକଲୋଚନକୁ ଆବୃତ କରି ପାରେ ? ମହାତ୍ମନ୍ ! ପୂଜ୍ୟଲୋକ ପ୍ରତି ଭକ୍ତିପ୍ରଦର୍ଶନ ଆପଣଙ୍କ କୁଳୋତିତ କର୍ମ । ଆପଣ ବିଶେଷତଃ ମୋ ବିଷୟରେ ଆପଣଙ୍କ ପୂର୍ବପୁରୁଷମାନଙ୍କୁ ଅତିକ୍ରମ କରିଅଛନ୍ତି । କିନ୍ତୁ ମୁଁ ଅସମୟରେ ଆପଣଙ୍କ ନିକଟରୁ ଯାଚକରୂପେ ଅର୍ଥପ୍ରାର୍ଥନା କରିବାକୁ ଆସିଅଛି, ତେଣୁ ମୋ ମନରେ ଦୁଃଖ ଜାତ ହେଉଅଛି । ଅରଣ୍ୟଚାରୀ ତପସ୍ୱୀମାନେ ଶସ୍ୟ-ଚୟନ କରିନେଲେ ଯେପରି ନୀବାଲର ସ୍ତମ୍ଭମାତ୍ର ଅବଶିଷ୍ଟ ଥାଏ, ଆପଣ ସେହିପରି ସତ୍‌ପାତ୍ରରେ ସମଗ୍ର ଅର୍ଥ ବିନିଯୋଗ କରି ଶରୀର ମାତ୍ର ଧାରଣ କରି ରହିଅଛନ୍ତି । ଆପଣ ନିଖିଲ ଅବନୀମଣ୍ଡଳର ଏକାଧିପତି ହୋଇ ଯଜ୍ଞୋପଲକ୍ଷରେ ସର୍ବସ୍ୱ ଦାନପୂର୍ବକ ସମ୍ପତି ଅବିଞ୍ଚନରୂପେ ଅବସ୍ଥାନ କରୁଅଛନ୍ତି । ଏହା ସାମାନ୍ୟ ଶ୍ଳାଘାର ବିଷୟ ନୁହେ । ଦେବଗଣକର୍ତ୍ତୃକ ନିପାତ ଚନ୍ଦ୍ରମାନଙ୍କର କଳାକ୍ଷୟ ବୃଦ୍ଧି ଅପେକ୍ଷା ଅଧିକ ଗୌରବଜନକ ନୁହେ କି ? ମୁଁ ଗୁରୁଙ୍କ ନିମିତ୍ତ ଅର୍ଥ ଆହରଣ କରିବାପାଇଁ ଅନ୍ୟ ବଦନ୍ୟଙ୍କ ନିକଟକୁ ଗମନ କରୁଅଛି । ଆପଣଙ୍କର ମଙ୍ଗଳ ହେଉ; ଦେଖନ୍ତୁ, ଚାତକ ଅନନ୍ୟଗତି ହୋଇ ମଧ୍ୟ ଶରତକାଳୀନ ନିର୍ଜଳ ଜଳଧର ନିକଟରେ କେବେହେଁ ଜଳପ୍ରାର୍ଥନା କରେ ନାହିଁ ।’’

 

ଏହା କହି କୋତ୍ସ ଗମନ କରିବାକୁ ଉଦ୍ୟତ ହୁଅନ୍ତେ ନୃପତି ନିଷେଧ କରି ପଚାରିଲେ, ‘‘ବିଦ୍ୱାନ୍ ! ଆପଣ କି ବସ୍ତୁ ଗୁରୁଦେବଙ୍କୁ ଦେବାକୁ ଅଭିଳାଷ କରନ୍ତି ଏବଂ ତାହାର ବା ପରିମାଣ କେତେ ? ଏହା ଥରେ ଶୁଣିବାକୁ ଇଚ୍ଛା କରୁଅଛୁଁ ।’’ ଏହା ଶୁଣି ବ୍ରହ୍ମଚାରୀ କୌତ୍ସ ନିରହଙ୍କାରସ୍ୱଭାବ ବର୍ଣ୍ଣାଶ୍ରମପାଳକ ନରପତିଙ୍କୁ କହିଲେ, ‘‘ମହାଶୟ, ଅଧ୍ୟୟନ ସାଙ୍ଗ ହେବା ପରେ ଗୁରୁଦକ୍ଷିଣା ପ୍ରଦାନ କରିବାକୁ ଇଚ୍ଛା କରି ମୁଁ ଉପାଧ୍ୟାୟଙ୍କ ନିକଟରେ ନିବେଦନ କଲି । ସେ ପ୍ରଥମତଃ କହିଲେ, ‘‘ବତ୍ସ ! ତୁମ୍ଭର ଅବିଚଳିତ ପ୍ରଗାଢ଼ ଭକ୍ତି ଦେଖି ଆମ୍ଭେ ଅତ୍ୟନ୍ତ ପ୍ରୀତ ହୋଇଅଛୁଁ-। ତେଣୁ, ଦକ୍ଷିଣାନ୍ତର ଗହଣର ଅଭିଳାଷ କରୁ ନାହୁଁ । ସେହି ଭକ୍ତିହିଁ ଆମ୍ଭ ପ୍ରଦତ୍ତ ବିଦ୍ୟାର ନିଷ୍ପ୍ରୟ ହେଲା ।’’ ପରେ ମୋର ନିର୍ବାଦ୍ଧାତିଶଯ୍ୟ ଦେଖି ମହର୍ଷି କ୍ରୁଦ୍ଧ ହେଲେ ଏବଂ ମୋର ଦରିଦ୍ରତା ବିଷୟ ଆଦୌ ଚିନ୍ତା ନ କରି କହିଲେ, ‘‘ଯାଅ, ତୁମ୍ଭେ ଆମ୍ଭଠାରୁ ଚତୁର୍ଦ୍ଦଶ ଗୋଟି ବିଦ୍ୟା ଅଧ୍ୟୟନ କରିଅଛି, ଏହି ବିଦ୍ୟାର ସଂଖ୍ୟାନୁସାରେ ଚତୁର୍ଦ୍ଦଶ କୋଟି ସ୍ୱର୍ଣ୍ଣମୁଦ୍ରା ଦକ୍ଷିଣାରୂପେ ଆହରଣ କର ।’’ଏହା ଶୁଣି ମୁଁ ମହାବିଷମ ସମସ୍ୟାରେ ପଡ଼ିଲି ଏବଂ ଆପଣଙ୍କୁ ହିଁ ଏହି ବିପୁଳ ଅର୍ଥ ପ୍ରଦାନ କରିବାରେ କ୍ଷମ ମନେ କରି ଆପଣଙ୍କ ନିକଟକୁ ଆସିଥିଲି । ସମ୍ପ୍ରତି ଅର୍ଘ୍ୟଭାଜନରୁ ଆପଣଙ୍କ ଅବସ୍ଥା ଅନୁମାନ କରି ଏହି ପ୍ରଚୁର ବିଦ୍ୟାନିଷ୍କ୍ରଞ ନିମିତ୍ତ ଆପଣଙ୍କୁ ଅନୁରୋଧ କରିବାକୁ ମୋର ସାହସ ହଉ ନାହିଁ ।’’

 

କୌତ୍ସଙ୍କ ବାକ୍ୟାବସାନରେ ମହାନୁଭବ ନରପତି ପୁନର୍ବାର ନିବେଦନ କଲେ, ‘‘ମହାତ୍ମନ୍ ! ଆପଣ ନିରାଶ ହୋଇ ଏଠାରୁ ପ୍ରତ୍ୟାବର୍ତ୍ତନ କଲେ ଲୋକେ କହିବେ, ଗୁରୁଦକ୍ଷିଣାର୍ଥୀ ଜନୈକ ବେଦଶାସ୍ତ୍ରବେତ୍ତା ତପସ୍ୱୀ ରଘୁଙ୍କଠାରୁ ବିଫଳମନୋରଥ ହୋଇ ଅନ୍ୟ ବଦାନ୍ୟଙ୍କ ନିକଟକୁ ଗମନ କରିଅଛନ୍ତି; ଏହି ଲୋକାପବାଦ ମୋ ପକ୍ଷରେ ନିତାନ୍ତ ଅସହ୍ୟ ହେବ । କାରଣ ଏହି ପବିତ୍ର ସୂର୍ଯ୍ୟବଂଶରେ ଏପରି ପରୀବାଦ ପୂର୍ବେ କଦାପି ଘଟି ନାହିଁ । ଅତଏବ ମୁଁ ପ୍ରାର୍ଥନା କରେଁ, ଆପଣ ଅନୁଗ୍ରହପୂର୍ବକ ଆମ୍ଭର ପ୍ରଶସ୍ତ ଅଗ୍ନି-ଗୃହରେ ଦୁଇ ତିନି ଦିନ ଅପେକ୍ଷା କରନ୍ତୁ । ଏଥିମଧ୍ୟରେ ମୁଁ ଆପଣଙ୍କ ଉଦ୍ଦେଶ୍ୟସାଧନ ନିମିତ୍ତ ଯଥାସାଧ୍ୟ ଯତ୍ନ କରିବି ।’’

 

ଦ୍ୱିଜବର କୌତ୍ସ ରଘୁଙ୍କର ଏହି ଅମୋଘ ପ୍ରତିଜ୍ଞାରେ ‘ତଥାସ୍ତୁ’ କହି ସମ୍ମତ ଦେଲେ । ରଘୁ ମଧ୍ୟ ଦିଗ୍‍ବିଜୟଦ୍ୱାରା ପୃଥିବୀସ୍ଥ ରାଜାମାନେ ଧନଶୂନ୍ୟ ହୋଇଅଛନ୍ତି ଜାଣି କୁବେରଙ୍କଠାରୁ ବଳାତ୍କାରରେ ଧନ ଆହରଣ କରିବାକୁ ଅଭିଳାଷୀ ହୋଇ ତାଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ସ୍ୱଗୃହରୁ ଯାତ୍ରା କରି ବିବିଧ ଅସ୍ତ୍ର-ଶସ୍ତ୍ର-ପରିପୂରିତ ସ୍ୱକୀୟ ଅପ୍ରତିହତଗତି ରଥୋପରି ସଂଯତନିତ୍ତରେ ରାତ୍ରି ଯାପନ କଲେ । ପ୍ରଭାତରେ ସେ ଗମନ ନିମିତ୍ତ ଉଦ୍ୟତ ହେଉଅଛନ୍ତି, ଏହି ସମୟରେ କୋଷାଗାରରେ ନିଯୁକ୍ତ ଭୃତ୍ୟମାନେ ବିସ୍ମୟାନ୍ୱିତ ହୋଇ ତାଙ୍କୁ ଜଣାଇଲେ ଯେ, ଗତ ରାତ୍ରିରେ ଆକାଶରୁ କୋଷାଗାରରେ ପ୍ରଚୁର ସୁବର୍ଣ୍ଣବୃଷ୍ଟି ହୋଇଅଛି । ରାଜା ଏହା ଶୁଣି ମନେ କଲେ, କୁବେର ଆକ୍ରମଣ ଭୟରେ ନିଶ୍ଚୟ ଏହି ସୁବର୍ଣ୍ଣବୃଷ୍ଟି କରିଅଛନ୍ତି ।

 

ଅନନ୍ତର ବଦାନ୍ୟପ୍ରବର ନୃପତି ସେହି ସମସ୍ତ ସ୍ୱର୍ଣ୍ଣରାଶିକୁ ମହର୍ଷି କୌତ୍ସଙ୍କୁ ସମ୍ପ୍ରଦାନ କଲେ । କୌତ୍ସ ଗୁରୁଦକ୍ଷିଣାରୁ ଅତିରିକ୍ତ ଧନ ଗ୍ରହଣ କରିବାକୁ ଏକାନ୍ତ ଅନିଚ୍ଛୁକ । କିନ୍ତୁ ମହାରାଜ ରଘୁ ତାଙ୍କୁ ପ୍ରାର୍ଥନାଧିକ ଅର୍ଥ ଗ୍ରହଣ କରାଇବାକୁ ଅତୀବ ଅଭିଳାଷୀ । ସାକେତପୁରବାସୀ ଲୋକମାନେ ଏହି ଅଭୁତପୂର୍ବ କୌତୁକାବହ ବ୍ୟାପାର ସନ୍ଦଶନ କରି ଦାତା ଗ୍ରହୀତା ଉଭୟଙ୍କୁ ଶତ ଶତ ଧନ୍ୟବାଦ ପ୍ରଦାନ କଲେ । ପରିଶେଷରେ ନୃପତି ଅସଂଖ୍ୟ ଉଷ୍ଟ୍ର ଓ ବଡ଼ବାଦ୍ୱାରା ସେହି ସମଗ୍ର ସ୍ୱର୍ଣ୍ଣରାଶିକୁ ମହର୍ଷିଙ୍କ ଆଶ୍ରମକୁ ପଠାଇ ଦେଲେ ।

 

ପ୍ରତ୍ୟାଗମନକାଳରେ ତପୋଧନ କୌତ୍ସ ଅଭୀଷ୍ଟଲାଭରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ପ୍ରୀତିପ୍ରଫୁଲ୍ଲ ହୃଦୟରେ ବିନୟନମ୍ର ମହାରାଜଙ୍କ ଗାତ୍ରକୁ ସ୍ୱୀୟ ପବିତ୍ର କରଦ୍ୱାରା ସ୍ପର୍ଶ କରି କହିଲେ, ‘‘ମହାରାଜ ! ଏହି ବସୁନ୍ଧରା ସଦ୍‌ବୃତ୍ତରେ ଅବସ୍ଥିତ ରାଜାମାନଙ୍କର ଅଭୀଷ୍ଟ ପୂରଣ କରନ୍ତି-। କିନ୍ତୁ ଏ କି ବିସ୍ମୟକର ବ୍ୟାପାର ! ଆପଣଙ୍କର କି ଅଚିନ୍ତନୀୟ ଶକ୍ତି ! ସ୍ୱୟଂ ସ୍ୱର୍ଲୋକ ମଧ୍ୟ ଆପଣଙ୍କର ଇଷ୍ଟସିଦ୍ଧି ସମ୍ପାଦନ କଲା । ଏପରି ଅବସ୍ଥାନେ ଆମ୍ଭେ କଣ ବା ଆପଣଙ୍କୁ ଆଶୀର୍ବାଦ କରିବୁଁ ? ଯେଉଁ ବିଷୟରେ ବା ଆଶୀର୍ବାଦ କରନ୍ତୁ, ସେ ସମସ୍ତହିଁ ଆପଣଙ୍କଠାରେ ବିଦ୍ୟମାନ ଅଛି-। ଅତଏବ ଏତିକିମାତ୍ର ଆଶୀର୍ବାଦ ଯେ, ଆପଣଙ୍କୁ ପୁତ୍ରରୂପେ ପାଇ ଆପଣଙ୍କ ପିତା ଯେପରି କୃତାର୍ଥମ୍ମନ୍ୟ ହୋଇଥିଲେ, ଆପଣ ସେହିପରି ଗୋଟିଏ ଆତ୍ମଗୁଣାନୁରୂପ ପୁତ୍ର ଲାଭ କରନ୍ତୁ-।’’ ଏହା କହି ମହର୍ଷି ଆଶ୍ରମାଭିମୁଖରେ ପ୍ରୟାଣ କଲେ । କିୟଦ୍ଦିବସ ପରେ ରାଜାଙ୍କର ଗୋଟିଏ ପୁତ୍ରସନ୍ତାନ ଜାତ ହେଲା । ବ୍ରାହ୍ମମୂହୁର୍ତ୍ତରେ ପୁତ୍ର ଭୂମିଷ୍ଠ ହୋଇଥିବାରୁ ପିତା ବ୍ରହ୍ମାଙ୍କ ନାମାନୁସାରେ ଆତ୍ମଜକୁ ‘ଅଜ’ ନାମରେ ଅଭିହିତ କଲେ । ଗୋଟିଏ ଦୀପରୁ ଅନ୍ୟ ଗୋଟିଏ ଦୀପ ପ୍ରଜ୍ୱାଳିତ କଲେ ଯେପରି ଉଭୟ ମଧ୍ୟରେ କୌଣସି ବିଭେଦ ଦୃଷ୍ଟ ହୁଏ ନାହିଁ, ସେହିପରି କୁମାରକଳ୍ପ ନବଜାତ କୁମାର ଓ ତତ୍‌ପିତା ରଘୁଙ୍କ ମଧ୍ୟରେ କୌଣସି ବିଷୟରେ ପ୍ରଭେଦ ଦେଖାଗଲା ନାହିଁ-। ସେ ରୂପରେ, ବୀର୍ଯ୍ୟରେ ତଥା ଆକୃତିରେ ସର୍ବଥା ପିତାଙ୍କର ସୌସାଦୃଶ୍ୟ ଲାଭ କରି ନାନା ଶାସ୍ତ୍ରରେ ସୁପଣ୍ଡିତ ହୋଇ କ୍ରମେ ଯୌବନରେ ପଦାର୍ପଣ କଲେ ।

 

ଏହି ସମୟରେ ବିଦର୍ଭାଧିପତି ଭୋଜ ସ୍ୱୀୟ ସ୍ୱସା ଇନ୍ଦୁମତୀଙ୍କ ସ୍ୱୟମ୍ବର ଉପଲକ୍ଷରେ ରାଜକୁମାର ଅଜଙ୍କୁ ଆନୟନ କରିବା ନିମିତ୍ତ ରଘୁଙ୍କ ନିକଟକୁ ଦୂତ ପ୍ରେରଣ କଲେ । ରଘୁ ପୁତ୍ରଙ୍କର ବିବାହଯୋଗ୍ୟ ବୟସ ଦେଖି ଉପଯୁକ୍ତ ସୈନ୍ୟସମଭିବ୍ୟାହରରେ ତାଙ୍କୁ ବିଦର୍ଭନଗରକୁ ପଠାଇଲେ । ଗମନମାର୍ଗରେ ସେ ମନୋହର ଉପକାର୍ଯ୍ୟାରେ ବାସ କରି ଜନପଦବାସୀ ପ୍ରଜାଗଣଙ୍କଠାରୁ ଜନପଦସୁଲଭ ବିବିଧ ଉପଢ଼ୌକନ ଗ୍ରହଣପୂର୍ବକ ବିଦେଶଯାତ୍ରାକୁ ଉଦ୍ୟାନବିହାରତୁଲ୍ୟ ମନେ କଲେ । ଅଜ ଏହିପରି ବହୁପଥ ଅତିକ୍ରମ କରି ପରମରମଣୀୟ ରେବା ତୀରଦେଶରେ ଉପସ୍ଥିତ ହେଲେ । ସେଠାରେ ଦେଖିଲେ ସେ ନର୍ମଦା-ସଲିଳ-ଶୀକରବାହୀ ସୁଶୀତଳ ସମୀରଣ ନୀରତରୁମାନଙ୍କ ପତ୍ରାବଳୀ କମ୍ପିତ କରାଇ ପ୍ରବାହିତ ହେଉଅଛି । ସିକତାମୟ ସୁବିପୁଳ ପୁଳିନ ରଜତ ଆସ୍ତରଣ ପରି ସମ୍ମୁଖରେ ବିସ୍ତୃତ ରହିଅଛି । ଏହି ସମସ୍ତ କମନୀୟ ନିସର୍ଗ-ଶୋଭାରେ ସେ ଏକାନ୍ତ ମୁଗ୍ଧ ହୋଇ ସେଠାରେ ଶିବିର ସନ୍ନିବେଶ କରିବାକୁ ଆଦେଶ ପ୍ରଦାନ କଲେ ।

 

ଅଜ ନଦୀର ଶୋଭା ସଂଦର୍ଶନାକାଂକ୍ଷାରେ ନୀରଭୂମିରେ ବିହାର କରୁଁ କରୁଁ ନଦୀ ମଧ୍ୟରେ ଏକତ୍ର ଦେଖିଲେ ଯେ, କେତେ ଗୁଡ଼ିଏ ଭ୍ରମର ସଲିଳ ଉପରେ ଗୁଣୁ ଗୁଣୁ ଶବ୍ଦରେ ଭ୍ରମଣ କରୁଅଛନ୍ତି । ନିବିଷ୍ଟ ଚିତ୍ତରେ ସେ ଏହାର କାରଣ ଅନୁଧ୍ୟାନ କରୁଅଛନ୍ତି, ଏହି ସମୟରେ ଗୋଟାଏ ପ୍ରକାଣ୍ଡକାୟ ବନ୍ୟଗଜ ଜଳମଧ୍ୟରୁ ଉତ୍ଥିତ ହେଲା । ଜଳରେ ନିମକ୍ଟନ ହେତୁ ତାହାର ଗଣ୍ଡଭିତ୍ତିରୁ ଦାନବାରିଧାରା ଧୌତ ହୋଇ ଯାଇଥିଲା । ମାତ୍ର ଦନ୍ତାଗ୍ରଭାଗରେ ନୀଳବର୍ଣ୍ଣ ଊର୍ଦ୍ଧ୍ୱରେଖା ସମ୍ପୂର୍ଣ୍ଣରୂପେ କ୍ଷାଳିତ ନ ହୋଇ ତାହାର ପ୍ରାଗ୍‌ଭୂତ ବପ୍ରକ୍ରୀଡ଼ାସକ୍ତି ପ୍ରକାଶ କରୁଥିଲା । ସେ ପ୍ରକାଣ୍ଡ ଶୁଣ୍ଡଦଣ୍ଡର ସଙ୍କୋଚପ୍ରସାରଣଦ୍ୱାରା ନର୍ମଦାର ବିଶାଳ ତରଙ୍ଗାବଳୀକୁ ଭେଦ କରି ସଶବ୍ଦରେ ତୀରାଭିମୁଖରେ ଧାବିତ ହେଲା । ତାହାର କପୋଳଦେଶରୁ କ୍ଷାଳିତ ହୋଇଥିବା ମଦବାରିଧାରା ବନ୍ୟେତର ଗଗଦର୍ଶନରେ ପୁନରପି ଉଦ୍ଦାପିତ ହୋଇ ଉଠିଲା । ଅଜଙ୍କର ସେନାଗଜସମୂହ ସପ୍ତଚ୍ଛଦକ୍ଷୀରଗନ୍ଧବତ୍ ତଦୀୟ ତୀବ୍ର ମଦ ଗନ୍ଧ ଆଘ୍ରାଣରେ ହସ୍ତିପକମାନଙ୍କ ଚେଷ୍ଟାକୁ ବ୍ୟର୍ଥ କରିଦେଇ ଏକାନ୍ତ ଉନ୍ମତ୍ତ ହୋଇ ଉଠିଲେ । ଅଶ୍ୱଗଣ ବନ୍ଧନରକ୍ତ, ଛିନ୍ନ ଏବଂ ରଥଚ ଅକ୍ଷଦଣ୍ଡ ଭଗ୍ନ କରି ଇତସ୍ତତଃ ପଳାୟନ କଲେ । ସୈନ୍ୟବୃନ୍ଦ ଅବଳାମାନଙ୍କ ରକ୍ଷଣାବେକ୍ଷଣରେ ଏକାନ୍ତ ବିବ୍ରତ ହୋଇ ପଡ଼ିଲେ । ଏହିପରି କ୍ଷଣକାଳ ମଧ୍ୟରେ ସେହି ମତ୍ତଗଜେନ୍ଦ୍ର ଅଜଙ୍କ ସେନାନିବେଶକୁ ବ୍ୟାକୁଳ କରି ପକାଇଲା । ରାଜକୁମାର ଶାସ୍ତ୍ରରୁ ଅବଗତ ହୋଇଥିଲେ । ଯେ, ବନ୍ୟଗଜ ରାଜାଙ୍କର ଅବଧ୍ୟ ଅଟେ । ତେଣୁ କେବଳ ନିବାରଣ ଉଦ୍ଦେଶ୍ୟରେ ଶିବିରାଭିମୁଖରେ ଧାବମାନ ସେହି ଅରଣ୍ୟଗଜର କୁମ୍ଭକୁ ଲକ୍ଷ୍ୟ କରି ସେ ଗୋଟିଏ ଶର ନିକ୍ଷେପ କଲେ । ଶର କୁମ୍ଭଦେଶରେ ବିଦ୍ଧ ହେବା ମାତ୍ରକେ ସେ ଗଜରୂପ ପରିତ୍ୟାଗପୂର୍ବକ ଗଗନବିହାରୀ ମନୋହର ଗନ୍ଧର୍ବରୂପ ଧାରଣ କଲା । ତଦୀୟ ଶରୀରରୁ ଚତୁର୍ଦ୍ଦିଗରେ ସ୍ନିଗ୍ଧ ପ୍ରଭାମଣ୍ଡଳ ବିଛୁରିତ ହେଲା । ତଦ୍ଦର୍ଶନରେ ଅଜଙ୍କ ସୈନ୍ୟମଣ୍ଡଳୀ ଏକାନ୍ତ ବିସ୍ମୟାଭିଭୂତ ହୋଇଗଲେ । ଅନନ୍ତର ସେହି ଦିବ୍ୟଗନ୍ଧର୍ବ କୁମାରଙ୍କ ଉପରେ ସ୍ୱକୀୟ ପ୍ରଭାବୋପଲବ୍ଧ କଳ୍ପଦ୍ରୁମ କୁସୁମାବଳି ବର୍ଷଣ କରି ହର୍ଷଗଦ୍ଗଦସ୍ୱରରେ କହିଲା, ‘‘ରାଜପୁତ୍ର ! ମୁଁ ପ୍ରିୟଦର୍ଶନନାନକ ଗନ୍ଧର୍ବରାଜଙ୍କର ପୁତ୍ର, ମୋ ନାମ ପ୍ରିୟଂବଦ । ଗର୍ବାତିଶଯ୍ୟ ହେତୁରୁ ମହର୍ଷି ମତଙ୍ଗଙ୍କ ଶାପରେ ମୁଁ ମାତଙ୍ଗରୂପ ଧାରଣ କରିଥିଲି । ମହର୍ଷି ଅଭିସମ୍ପତ ଦେବାରେ ମୁଁ ଏକାନ୍ତ କାତର ହୋଇ ତାଙ୍କ ପଦତଳେ ପଡ଼ି ଶାପମୁକ୍ତି ନିମିତ୍ତ ବହୁ ଅନୁନୟ କଲି । ଜଳ ଅଗ୍ନି ଓ ଅତପ ସଯୋଗରେ ସିନା ଉତ୍ତପ୍ତ ହୁଏ, କିନ୍ତୁ ଶୀତଳତା ତାହାର ସ୍ୱଭାବସିଦ୍ଧ ଧର୍ମ । ଅବଶେଷରେ ମୋର କରୁଣ କ୍ରନ୍ଦନଧ୍ୱନି ତାଙ୍କର ଦୟାର୍ଦ୍ର ଅନ୍ତଃକରଣକୁ ଦ୍ରବୀଭୂତ କଲା । ତପୋନିଧି ପ୍ରସନ୍ନ ହୋଇ ମୋତେ କହିଲେ, ‘‘ଯେତେବେଳେ ଈକ୍ଷ୍ୱାକୁବଂଶୀୟ ରାଜକୁମାର ଅଜ ଲୌହମୟ ବାଣଦ୍ୱାରା ତୁମ୍ଭର ମାତଙ୍ଗ କଳେବରର କୁମ୍ଭଦେଶ ଭେଦ କରିବେ, ତୁମ୍ଭେ ସେତେବେଳେ ଗଜରୂପ ତ୍ୟାଗ କରି ସ୍ୱଦେହ ଧାରଣ କରିବ ।’’ ମୁଁ ବହୁକାଳ ହେଲା ଆପଣଙ୍କ ଦର୍ଶନ ପ୍ରତୀକ୍ଷାରେ ରହିଥିଲି । ସମ୍ପ୍ରତି ଆପଣଙ୍କ ବୀର୍ଯ୍ୟ ପ୍ରଭାବରୁ ମୁଁ ଶାପମୁକ୍ତ ହୋଇଅଛି । ଏପରି ଅବସ୍ଥାରେ ପ୍ରତ୍ୟୁପକାରସ୍ୱରୂପ ଯେବେ ମୁଁ ଆପଣଙ୍କର କୌଣସି ପ୍ରିୟକାର୍ଯ୍ୟ ସାଧନ କରି ନ ପାରେଁ, ତେବେ ମୋର ଏହି ସ୍ୱପଦୋପଲବ୍ଧି ବୃଥା ହେବ । ଅତଏବ ହେ ମିତ୍ର ! ପ୍ରୟୋଗସଂହାରମନ୍ତ୍ରସମନ୍ୱିତ ସମ୍ମୋହନନାମଧେୟ । ଏହି ଗନ୍ଧର୍ବ ଅସ୍ତ୍ରଟି ପ୍ରଦାନ କରୁଅଛି । ଆପଣ ସାଦରେ ଏହା ଗ୍ରହଣ କରନ୍ତୁ । ଏହି ମନ୍ତ୍ରର ପ୍ରୟୋଗକର୍ତ୍ତାଙ୍କୁ ଜୀବହିଂସା କରିବାକୁ ପଡ଼େ ନାହିଁ, ଅଥଚ ଏହାଦ୍ୱାରା ଶତ୍ରୁମାନଙ୍କୁ ସଂମୋହିତ କରି ଅକ୍ଳେଶରେ ଜୟଲାଭ କରାଯାଇ ପାରେ । ମୋତେ ପ୍ରହାର କରିଅଛନ୍ତି ବୋଲି ଆପଣ କେବେହେଁ ଲଜ୍ଜିତ ହେବେ ନାହିଁ । ଦେଖନ୍ତୁ, ଆପଣ ମୋତେ କ୍ଷଣିକ ପ୍ରହାରକ୍ଳେଶ ଦେଇ ନ ଥିଲେ ମୁଁ ଏହି କମନୀୟ ବପୁଃ ପୁନଃପ୍ରାପ୍ତ ହୋଇ ପାରିଥାନ୍ତି କି ? ମୋର ସମ୍ପୂର୍ଣ୍ଣ ଆଶା ଯେ, ଏହି ଅନୁରୋଧ ରକ୍ଷା କରିବାକୁ ଆପଣ କଦାପି କୁଣ୍ଠିତ ହେବେ ନାହିଁ ।’’ ପ୍ରିୟଂବଦ କର୍ତ୍ତୃକ ଏହିପରି ଅନୁରୁଦ୍ଧ ହୋଇ ଅଜ ଅସ୍ତ୍ର ଗ୍ରହଣ କରିବାକୁ ଅଗତ୍ୟା ସମ୍ମତ ହେଲେ । ତତ୍ତ୍ୱରେ ତାଙ୍କ ଉପଦେଶାନୁସାରେ ନୃପନନ୍ଦନ ପରମ ପବିତ୍ର ରେବାସଲିଳରେ ଆଚମନପୂର୍ବକ ଉଦଙୁଖ ହୋଇ ତାଙ୍କଠାରୁ ସମନ୍ତୁକ ଅସ୍ତ୍ର ଗ୍ରହଣ କଲେ । ପଥମଧ୍ୟରେ ଦୁଇଜଣଙ୍କର ଏକବିଧ ମିତ୍ରତା ହେଲା । ତତ୍ତ୍ୱରେ ପରସ୍ପର ପ୍ରିୟସମ୍ଭାଷଣାନନ୍ତର ଜଣେ ମନୋହର ଚୈତ୍ରରଥ ପ୍ରଦେଶକୁ, ଅନ୍ୟ ଜଣେ ସୌରାଜ୍ୟରନ୍ୟ ବିଦର୍ଭ ନଗରକୁ ପ୍ରସ୍ଥାନ କଲେ ।

 

ମହାରାଜ ରଘୁଙ୍କ ଆତ୍ମଜ ଅଜ ଇଉରୋପକଣ୍ଠରେ ଉପସ୍ଥିତ ହୋଇଅଛନ୍ତି, ଏହା ଶୁଣିବା ମାତ୍ରକେ ବିଦ୍ୟାଧିପତି ଅତୀବ ଆନନ୍ଦିତ ଚିତ୍ତରେ ତାହାଙ୍କର ପ୍ରତ୍ୟୁଦ୍ଗମନନିମିତ୍ତ ଅଗ୍ରସର ହେଲେ । ଅନନ୍ତର ଯଥୋଚିତ ଅଭ୍ୟର୍ଥନାସହକାରେ ତାହାଙ୍କୁ ନଗର ମଧ୍ୟରେ ପ୍ରବେଶ କରାଇ ତାଙ୍କ ପ୍ରତି ଏପରି ସୌଜନ୍ୟ ପ୍ରକାଶ କଲେଯେ, ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୋଜଙ୍କୁ ଆଗନ୍ତୁକ ଓ ଅଜଙ୍କୁ ଗୃହସ୍ୱାମୀ ବୋଲି ମନେ କଲେ । ଅଜ ସେଠାରେ ଭୋଜ-ନିୟୋଜିତ ବିନୀତ ପୁରୁଷଗଣଙ୍କ କର୍ତ୍ତୃକ ପ୍ରଦର୍ଶିତ ପୂର୍ଣ୍ଣକୁମ୍ଭପରିଶୋଭିତ ରମଣୀୟ ବୋଲି ମନେ କଲେ । ଅଜ ସେଠାରେ ଭୋଜ-ନିୟୋଜିତ ବିନୀତ ପୁରୁଷଗଣଙ୍କ କର୍ତ୍ତୃକ ପ୍ରଦର୍ଶିତ ପୂର୍ଣ୍ଣକୁମ୍ଭପରିଶୋଭିତ ରମଣୀୟ ନବୋପକାର୍ଯ୍ୟାରେ ବାସ କଲେ । ଯାହାଙ୍କୁ ଲାଭ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଦେଶରୁ ଶତ ଶତ ରାଜତନୟ ସମାଗତ ହେଉଥିଲେ, ସେହି ଭୁବନମୋହିନୀ ଲଳନାଲଲାମଭୂତା ଇନ୍ଦୁମତୀଙ୍କ ପ୍ରାପ୍ତିବିଷୟ ଚିନ୍ତା କରି କରି ରାତ୍ରିରେ ବହୁକ୍ଷଣ ପରେ ସେ ଦୁଗ୍ଧଫେନନିଭ ଶଯ୍ୟୋପରି ନିଦ୍ରାଦେବୀଙ୍କ କ୍ରୋଡ଼ରେ ଆଶ୍ରୟ ନେଲେ । ଅନନ୍ତର ପ୍ରାତଃକାଳରେ ତାଙ୍କର ନିଦ୍ରାଭଙ୍ଗ ଉଦ୍ଦେଶ୍ୟରେ ସମବୟସ ବନ୍ଦି-ପୁତ୍ରଗଣ ସ୍ତୁତିପାଠ କରିବାକୁ ଲାଗିଲେ ।

 

‘‘ମତିମନ୍ ! ରାତ୍ରି ପ୍ରଭାତ ହୋଇଅଛି, ଶଯ୍ୟା ତ୍ୟାଗ କରିବା ହେଉଛି ବିଧବା ଭୁବନର ଭାରକୁ ଦୁଇ ଭାଗରେ ବିଭକ୍ତ କରିଦେଇ ସ୍ୱୟଂ ନିଶ୍ଚିନ୍ତ ଅଛନ୍ତି । ଆପଣଙ୍କ ପିତା ନିଦ୍ରା ପରିତ୍ୟାଗପୂର୍ବକ ସେହି ଭାରର ଏକାଂଶ ଧାରଣ କରିଅଛନ୍ତି । ଆପଣ ସମ୍ପ୍ରତି ବିନିଦ୍ର ହୋଇ ତାହାର ଅପରାଂଶ ଧାରଣ କରନ୍ତୁ । ଲକ୍ଷ୍ମୀଦେବୀ ଆପଣଙ୍କ ପ୍ରତି ଏକାନ୍ତ ଅନୁରାଗିଣୀ ହେଲେହେଁ ଆପଣଙ୍କୁ ନିଦ୍ରାସକ୍ତ ଦେଖି ଖଣ୍ଡିତା ନାୟିକା ପରି ଇର୍ଷ୍ୟାକଳୁଷିତ ହୋଇ ଚନ୍ଦ୍ରଙ୍କୁ ଆଶ୍ରୟ କରିଥିଲେ; ବର୍ତ୍ତମାନ ସେ ମଧ୍ୟ ପଶ୍ଚିମାଶାକ୍ରୋଡ଼ାଚଲମ୍ବନ କରିବାରୁ ଆପଣଙ୍କର ମୁଖସାଦୃଶ୍ୟ ପରିତ୍ୟାଗ କଲେଣି; ତେଣୁ ଲକ୍ଷ୍ମୀ ସମ୍ପ୍ରତି ଅନନ୍ୟଶରଣା ହୋଇଅଛନ୍ତି । ନିଦ୍ରା ତ୍ୟାଗ କରି ତାଙ୍କୁ ପୁନର୍ବାର ଗ୍ରହଣ କରିବା ହେଉ । ଚକ୍ଷୁ ରୁନ୍ନୀଳନ କଲେ ଆପଣଙ୍କର ପ୍ରସ୍ସନ୍ଦମାନ ସ୍ନିଗ୍ଧ କନୀନିକାସୁଶୋଭିତ ନୟନଯୁଗଳ ଅଳିଚୁମ୍ବିତ ଅର୍ଦ୍ଧବିକଶିତ କମଳକୁମୁଳର ସାଦୃଶ୍ୟ ଲାଭ କରିବ-। ଆଉ ମଧ୍ୟ ଏହି ପ୍ରଭାତବାୟୁ ଆପଣଙ୍କ ମୁଖର ସ୍ୱାଭାବିକ ସୌରଭଲାଭ ବାସନାରେ ବୃକ୍ଷମାନଙ୍କର ଶ୍ଳଥବୃନ୍ତ କୁସୁମାବଳିକୁ ହରଣ କରୁଅଛି ଏବଂ ତରଣିକିରଣୋଦ୍ଚୋଧିତ କମଳକଳ ସଙ୍ଗେ ସମ୍ମିଳିତ ହେଉଅଛି । ଶିଶିର ବିନ୍ଦୁନିଚୟ ତାମ୍ରବର୍ଣ୍ଣ ତରୁପଲ୍ଲବ ମଧ୍ୟରେ ମାର୍ନିତ ମୁକ୍ତାମଣି ସଦୃଶ ରମଣୀୟ ରୂପ ଧାରଣ କରି କିପରି ତ୍ୱଦୀୟ ଅଧରୋଷ୍ଠରେ ବିରାଜିତ ଲୀଳାସିତକୁ ଅନୁକରଣ କରୁଅଛି, ଥରେ ଦେଖିବା ହେଉ । ହେ ବୀର ! ଗାତ୍ରୋତ୍ଥାନ କରି ପ୍ରଭାତକାଳର ଏହି ମନୋହର ଦୃଶ୍ୟାବଳି ଥରେ ନେତ୍ରାତିଥି କରନ୍ତୁ; ତେଜୋନିଧି ହରଣୟ କିରଣକାଳରେ ଧରାତଳକୁ ମଣିତ କରିଅଛନ୍ତି, ସ୍ତମ୍ବେରମକୁଳ ପାର୍ଶ୍ୱ ପରିବର୍ତ୍ତନ ପୂର୍ବକ ନିଦ୍ରା ତ୍ୟାଗ କରି ଶଦାୟମାନ ଶୃଙ୍ଖଳଦାମ ଆକର୍ଷଣ କରୁଁ କରୁଁ ଗାତ୍ରୋତ୍ଥାନ କରୁଅଛନ୍ତି । ତରୁଣାରୁଣକିରଣ ସମ୍ପର୍କରେ ସେମାନଙ୍କ ଦନ୍ତସମୂହ ଅଦ୍ରିତଟା ଭିଘାତଜନିତ ଗୈରିକ ଧାତୁଦ୍ୱାରା ରଞ୍ଜିତ ହେଲା ପରି ଶୋଭା ପାଉଅଛି । ସୁଦୀର୍ଘ ପଟମଣ୍ଡପରେ ସଂଯମିତ ପାରସୀକ ଅଶ୍ୱସମୂହ ନିଦ୍ରା ତ୍ୟାଗ କରି ପୁରୋବର୍ତ୍ତୀ ସୈନ୍ଧବଶିଳାଶକଳ ଅବଲେହନପୂର୍ବକ ମୁଖନିଃସୃତ ମାରୁତ ଦ୍ୱାରା ତାହା ମଳିନ କରୁଅଛନ୍ତି । ପୂଜା ନିମିତ୍ତ ଗ୍ରଥିତ ପୁଷ୍ପମାଳ ମ୍ଳାନ ହୋଇଗଲାଣି । ପ୍ରଦୀପାବଳି ପରିବେଶ ପରିତ୍ୟାଗପୂର୍ବକ କ୍ରମଶଃ ହ୍ରସ୍ୱଶିଖ ହୋଇ ପଡ଼ିଲାଣି, ପିଞ୍ଜରମଧ୍ୟଗତ ମନ୍ତୁବାକ୍ ଶୁକପକ୍ଷୀ ମଧ୍ୟ ଆପଣଙ୍କ ଜାଗରଣ ଉଦ୍ଦେଶ୍ୟରେ ଅସ୍ମତ୍‌ପ୍ରଯୂକ୍ତ ସ୍ତୁତିବାକ୍ୟଗୁଡ଼ିକର ଅନୁକରଣ ପୂର୍ବକ ପୁନରୁକ୍ତି କରୁଅଛି ।’’ ରାଜକୁମାର ବନ୍ଦିପୁତ୍ରମାନଙ୍କ କର୍ତ୍ତୃକ ଗୀୟମାନ ଏହି ମନୋବିମୋହନ ସ୍ତୁତି ଶ୍ରବଣ କରି ଶଯ୍ୟାତ୍ୟାଗ କଲେ ଏବଂ ଶାସ୍ତ୍ରବିଧାନାନୁ ରୂପ ପ୍ରାତଃକୃତ୍ୟାଦି ସମାପନ ସ୍ୱୟଂ ବଗେଚିତ ବେଶଭୂଷାରେ ମଣ୍ଡିତ ହୋଇ ସଭାମଣ୍ଡପକୁ ଗମନ କଲେ ।

Image

 

ଇନ୍ଦୁମତୀ ସ୍ୱୟମ୍ବର

 

ସଭାସ୍ଥଳରେ ସମୁପସ୍ଥିତ ହୋଇ ଅଜ ଦେଖିଲେ ଯେ, ମନୋହର ମଞ୍ଚୋପରି ଦେଦୀପ୍ୟମାନ ସ୍ୱର୍ଣ୍ଣସିଂହାସନ-ସମୂହରେ ମନୋଜ୍ଞବେଶଧାରୀ ଦେବୋପମ କେତେଗୁଡ଼ିଏ ରାଜପୁତ୍ର ଉପବେଶନ କରିଅଛନ୍ତି । ଅଜଙ୍କର କମନୀୟ ରୂପ, ନବୀନ ଯୌବନ ଏବଂ ଲାବଣ୍ୟୋଦ୍‌ଭାସିତ ବଦନର ସୁଷମା ନିରୀକ୍ଷଣ କରି ସନ୍ନିହିତ ରାଜତନୟମାନଙ୍କ ମନରୁ ଇନ୍ଦୁମତୀଲାଭାଶା ଏକାବେଳକେ ତିରୋହିତ ହୋଇଗଲା । ସେମାନେ ମନେ କଲେ, ବୋଧହୁଏ ପତିବିୟୋଗବିଧୁରା କନ୍ଦର୍ପକାମିନୀ ରତିଙ୍କର କରୁଣ କ୍ରନ୍ଦନଧ୍ୱନିରେ ଦୟାପରବଶ ହୋଇ ଆଶୁତୋଷ ଅନଙ୍ଗକୁ ପୁନରପି ଅଙ୍ଗ ପ୍ରଦାନ କରିଅଛନ୍ତି; ତାହା ନ ହେଲେ ଏଭଳି ବିଶ୍ୱବିମୋହନ ରୂପ ନରଲୋକରେ ଦୃଷ୍ଟିଗୋଚର ହୁଅନ୍ତା କି ? ମୃଗରାଜଶିଶୁ ଶିଳାବଳି ସାହାର୍ଯ୍ୟରେ ଯେପରି ପର୍ବତଶିଖରକୁ ଆରୋହଣ କରେ, ମହାବୀର କୁମାର ଅଜ ସେହିପରି ମଣିମୟ ସେପାନପରମ୍ପରାରେ ପଦାର୍ପଣ କରି ଭୋଜନିର୍ଦ୍ଦିଷ୍ଟ ସୁମନୋଜ୍ଞ ମଞ୍ଚ ଉପରକୁ ଆରୋହଣ କଲେ । ଅଜ ସେଠାରେ ବିବିଧବର୍ଣ୍ଣ ରତ୍ନରାଜିବିମଣ୍ଡିତ ମହାର୍ହ ଆସ୍ତରଣସମନ୍ୱିତ ସିଂହାସନୋପରି ସମାସୀନ ହୋଇ ମୟୂରପୃଷ୍ଠାରୂଢ଼ କାର୍ତ୍ତିକେୟଙ୍କ ପରି ଶୋଭା ପାଇବାକୁ ଲାଗିଲେ । ଯେପରି ଦ୍ୱିରେଫବୃନ୍ଦ ପୁଷ୍ପିତ ଲକ୍ଷସମୂହ ତ୍ୟାଗ କରି ମଦସ୍ରାବୀ ଆରଣ୍ୟ ଦ୍ୱିପେନ୍ଦ୍ର ଆଡ଼କୁ ଧାବିତ ହୁଅନ୍ତି, ସେହିପରି ଉପସ୍ଥିତ ଜନମଣ୍ଡଳୀଙ୍କ ନେତ୍ରପଂକ୍ତି ମନୋହର ନେପଥ୍ୟଧାରୀ ରାଜନ୍ୟକୁଳକୁ ପରିତ୍ୟାଗ କରି ଲୋକାତ୍ତର ଲାବଣ୍ୟଧାମ ଅଜଙ୍କ ପ୍ରତି ଧାବିତ ହେଲା । କ୍ରମେ ସମସ୍ତ ନୃପନନ୍ଦନ ସଭାସ୍ଥଳରେ ସମୁପସ୍ଥିତ ହୁଅନ୍ତେ ମାଙ୍ଗଳିକ ବାଦ୍ୟନିବହ ନିନାଦିତ ହୋଇ ଉଠିଲା । ଅଗୁରୁସାର ଧୂପ ଧୂମଦ୍ୱାରା ସଭାସ୍ଥଳ ଅମୋଦିତ ହେଲା । ବୈତାଳିକବୃନ୍ଦ ସୋମସୂର୍ଯ୍ୟୋବଂଶୀୟ ରାଜାମାନଙ୍କର ଗୁଣକୀର୍ତ୍ତନ ଆରମ୍ଭ କଲେ । ଇତ୍ୟବସରରେ ବିଦୁର୍ଭରାଜତନୟା ପତିମ୍ବରା ଇନ୍ଦୁମତୀ ବିବାଦୋଚିତ ବେଶଭୂଷାରେ ବିଭୂଷିତ ହୋଇ ପରିଜନବେଷ୍ଟିତ ମନୁଷ୍ୟବାହ୍ୟ ଚତୁରସ୍ର ଯାନାରୋହଣ ପୂର୍ବକ ମଞ୍ଚଶ୍ରେଣୀମଧ୍ୟମତ ରାଜମାର୍ଗର ସମୁପସ୍ଥିତ ଦେଲେ । ସେହି ଭୁବନମୋହିନୀଙ୍କର ଅପୂର୍ବ ରୂପଲାବଣ୍ୟ ନିରୀକ୍ଷଣ କଲା ମାତ୍ରକେ ରାଜକୁମାରମାନଙ୍କର ଶରୀରମାତ୍ର ସିଂହାସନରେ ରହିଲା; କିନ୍ତୁ ସମଗ୍ର ଇନ୍ଦ୍ରିୟବୃତ୍ତି ଦର୍ଶନେନ୍ଦ୍ରିୟକୁ ଆଶ୍ରୟ କଲା । ସେମାନେ ନିର୍ନିମେଷନୟନରେ ସେହି ରୂପସାଗରରୁ ଲାବଣ୍ୟ-ପୀୟୁଷ ପାନ କରି ଏକାନ୍ତ ମୁଗ୍ଧ ହୋଇଗଲେ । କିପରି ସେହି କନ୍ୟାରତ୍ନ ଲାଭ ହେବ, ଏହି ଚିନ୍ତାରେ ମସୁତ୍ସୁକ ହୋଇ ପ୍ରତ୍ୟେକେ ଶୃଙ୍ଗାରରସାଶ୍ରିତ ଭାବ ହାବ ପ୍ରକାଶ କରିବାକୁ ଲାଗିଲେ । କେହି କରତଳରେ ଲୀଳାରବିନ୍ଦ ଧାରଣ କରି ଆଲୋକପତ୍ରା ବର୍ଲାରେ ଦ୍ୱିରେଫ ତାଡ଼ନପୂର୍ବକ ତାହା ସଞ୍ଚାଳନ କରିବାକୁ ଲାଗିଲେ-। ଅନ୍ୟ କୌଣସି ବିଲାସୀ ସ୍ୱୀୟ ଗୁରୁତର ମୁଖମଣ୍ଡଳ ଈଷତ୍ ବକ୍ର କରି ସ୍କନ୍ଧଦେଶରୁ ସ୍ରସ୍ତ ହୋଇ ପଡ଼ିଥିବା ମାଳାକୁ ଯଥାସ୍ଥାନରେ ସନ୍ନିବେଶିତ କରି ରଖିଲେ । କେହି ରତ୍ନାଙ୍ଗଚୀୟ ପ୍ରଭାରେ କ୍ରୀଡ଼ାପାଶକ ଅନୁରଞ୍ଜିତ କରି କୁଶେଶୟତାମ୍ଭ କରତଳରେ ତାହାକୁ ଉତ୍‌କ୍ଷିପ୍ତ କଲେ । କେହିବା ମସ୍ତକସ୍ଥ କିରୀଟ ଯଥାସ୍ଥାନରେ ସନ୍ନିବେଶିତ ଥିଲେହେଁ, ଯେପରି ଏହା ସ୍ଥାନଭ୍ରଷ୍ଟ ହୋଇଅଛି, ଏହି ବ୍ୟାଜରେ କିରୀଟରେ ହସ୍ତପ୍ରଦାନପୁର୍ବକ ରତ୍ନକାନ୍ତିବିଚ୍ଛୁରିତ ଅଙ୍ଗୁଳିର ଶୋଭା ପ୍ରଦର୍ଶନ କରିବାକୁ ଲାଗିଲେ ।

 

ଅନନ୍ତର ଇନ୍ଦୁମତୀଙ୍କ ସହଚାରିଣୀ ରାଜାମାନଙ୍କର କୁଳଶୀଳାଦି ବିଷୟରେ ଅଭିଜ୍ଞା ପ୍ରତୀହାରୀ ସୁନନ୍ଦା କୁମାରୀଙ୍କୁ ପ୍ରଥମେ ମଗଧେଶ୍ୱରଙ୍କ ସମୀପକୁ ଘେନିଯାଇ ପୁଂବତ୍ ପ୍ରଗଲବାକ୍ୟରେ କହିଲା, ‘ସୁନ୍ଦରି ତୁମ୍ଭର ପୁରୋବର୍ତ୍ତୀ ଏହି ମହାରାଜ ମଗଧଦେଶର ସିଂହାସନ ଅଳଂକୃତ କରି ଅଛନ୍ତି । ଶରଣାର୍ଥୀକୁ ରକ୍ଷା କରିବାରେ ଏବଂ ପ୍ରଜାରଞ୍ଜନରେ ଏହାଙ୍କ ଅପେକ୍ଷା ଅଧିକ ଯଶସ୍ୱୀ ରାଜା ଭୂମଣ୍ଡଳରେ ଜନ୍ମଗ୍ରହଣ କରି ନାହାନ୍ତି କହିଲେ ଅଭୁକ୍ତି ହେବ ନାହିଁ । ତାଙ୍କ ନାମ ପରନ୍ତପ । ପ୍ରକୃତରେ ଏହି ଅଗାଧସତ୍ତ୍ୱ ରାଜା ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣରୂପେ ପଦାନତ କରି ସ୍ୱୀୟ ନାମର ସାର୍ଥକତା ସମ୍ପାଦନ କରିଅଛନ୍ତି । ଯେପରି ରାତ୍ରି ଅସଂଖ୍ୟ ନକ୍ଷତ୍ରତାରାଗ୍ରହ ବିମଣ୍ଡିତା ହୋଇଥିଲେହେଁ କେବଳ ଚନ୍ଦ୍ରମାଙ୍କ ଉଦୟରେ ଜ୍ୟୋତିଷ୍ମତୀ ବୋଲାଏ, ସେହିପରି ଭୂମଣ୍ଡଳରେ ଅନ୍ୟ ଶତସହସ୍ର ରାଜା ଥିଲେହେଁ ପୃଥିବୀ ଏହାଙ୍କ ଦ୍ୱାରା ରାଜନୃତୀ ନାମରେ ପ୍ରଥିତ ହୁଏ । ମହାରାଜ ପରନ୍ତପ ନିତ୍ୟ ଯଜ୍ଞ କାର୍ଯ୍ୟରେ ଦୀକ୍ଷିତ । ତେଣୁ ଇନ୍ଦ୍ର ସନ୍ତୁଷ୍ଟ ଥିବାରୁ ଏହାଙ୍କର ପ୍ରଜାମାନେ ଅତିବୃଷ୍ଟି ବା ଅନାବୃଷ୍ଟିଜନିତ ବିପତ୍‌ପାତରୁ କେବେହେଁ ଭୀତ ହୁଅନ୍ତି ନାହିଁ । ଯେବେ ଏହି ମହୀପାଳଙ୍କର ପାଣି ଗ୍ରହଣ କରିବ, ତେବେ ଏହାଙ୍କ ରାଜଧାନୀ ପାଟଳୀପୁତ୍ର ନଗରୀର ସୁରବିମୋହିନୀ କାମିନୀମାନେ ପରିଚାରିକା ପରି ତୁମ୍ଭର ପଦତଳରେ ସେବା କରିବେ ।’ ସୁନନ୍ଦା ଏହା କହି ବିରତ ହୁଅନ୍ତେ କୃଶାଙ୍ଗୀ ଇନ୍ଦୁମତୀ ନରପତି ପରନ୍ତପଙ୍କୁ ଅବଲୋକନପୂର୍ବକ ବିନା ବାକ୍ୟବ୍ୟୟରେ ଭାବଶୂନ୍ୟ ପ୍ରଣାମଟିଏ କରି ସେଠାରୁ ପ୍ରସ୍ଥାନ କଲେ ।

 

ଯେପରି ସମୀରଣ ପ୍ରବାହରେ ଉତ୍ଥିତ ତରଙ୍ଗମାଳା ମାନସରୋବରରେ ରାଜହଂସୀକୁ ଗୋଟିଏ ପଦ୍ମ ନିକଟରୁ ଅନ୍ୟ ପଦ୍ମ ନିକଟକୁ ନେଇଯାଏ, ସେହିପରି ବେତ୍ରବତୀ ସୁନନ୍ଦା ରାଜକୁମାରୀଙ୍କ ଅନ୍ୟ ଗୋଟିଏ ରାଜାଙ୍କ ନିକଟକୁ ନେଇଯାଇ କହିଲା, ସଖି ! ଏହି ପରମ ରୂପବାନ୍ ଯୁବା ଅଙ୍ଗଦେଶର ଅର୍ଥାଶ୍ୱର । ସୁରାଙ୍ଗନାମାନେ ମଧ୍ୟ ଏହାଙ୍କର କମନୀୟ ଯୌବନଶ୍ର ଉପଭୋଗ କରିବାପାଇଁ ସର୍ବଦା ଲାଳାୟିତ । ଲୋକୋତ୍ତର ଦୋର୍ଦ୍ଦଣ୍ଡସମ୍ପନ୍ନ ଏହି ମହୀପତି ଥରିକୁଳର ସମୁଳୋଚ୍ଛେଦ କରି ତଦୀୟ ପତ୍ନୀଗଣଙ୍କୁ ଅକାଳବୈଧବ୍ୟ ଯନ୍ତ୍ରଣା ଉପଭୋଗ କରାଉଅଛନ୍ତି । ଏ ନରଲୋକରେ ଅବସ୍ଥାନ କଲେହେଁ ସର୍ବଥା ଦେବରାଜ ଇନ୍ଦ୍ରଙ୍କ ସଦୃଶ । ଲକ୍ଷ୍ମୀ ଓ ସରସ୍ୱତୀ ପରସ୍ପର ଚିରବୈର ପରିତ୍ୟାଗ କରି ଏଠାରେ ଏକତ୍ର ଅବସ୍ଥାନ କରୁଅଛନ୍ତି । ତୁମ୍ଭେ ସର୍ବାଂଶରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ତୁଲ୍ୟ; ଅତଏବ ଅୟି କଲ୍ୟାଣି ! ତୁମ୍ଭେ ଯେବେ ଏହାଙ୍କର ସହଚାରିଣୀ ହୁଅ, ତେବେ ସେ ଦୁହିଁଙ୍କର ତୃତୀୟରୂପେ ପରମସୁଖରେ କାଳଯାପନ କରିବ ।’ କୁମାରୀ ଅଙ୍ଗରାଜଙ୍କଠାରୁ ଦୃଷ୍ଟି ପ୍ରତିସଂହାର କରି ସୁନନ୍ଦାକୁ ଅନ୍ୟତ୍ର ଯିବାପାଇଁ ଆଦେଶ କଲେ । ଅଙ୍ଗେଶ୍ୱର ପରମ ରୂପବାନ୍ ଯୁବକ, ଇନ୍ଦୁମତୀ ମଧ୍ୟ ବିଚାରଚତୁରା । ତେବେ ଭିନ୍ନ ଭିନ୍ନ ଲୋକଙ୍କର ରୁଚି ଭିନ୍ନ ଭିନ୍ନ ।

 

ତତ୍ତ୍ୱରେ ଦୌବାରିକୀ ସୁନନ୍ଦା ନବୋଦିତ ଇନ୍ଦୁ ପରି ମନୋଜ୍ଞଦର୍ଶନ ଅନ୍ୟ ଜଣେ ନୃପତିଙ୍କ ନିକଟକୁ ରାଜକୁମାରୀଙ୍କୁ ନେଇଯାଇ କହିଲା, ଏହି ବିଶାଳବକ୍ଷା ଦୀର୍ଘବାହୁ ପୁରୁଷପୁଙ୍ଗବ ଅବନ୍ତୀଦେଶୀଧୀଶ୍ୱର । ଏହାଙ୍କର ତେଜୋମୟ ଶରୀରସୋଷ୍ଠବ ଦେଖିଲେ ବୋଧ ହୁଏ, ଏହାଙ୍କର ନିର୍ମାଣ କାର୍ଯ୍ୟରେ ବିଧାତା ଯେପରି ବିଶେଷ ଯତ୍ନ କରିଅଛନ୍ତି । ଶକ୍ତିକ୍ରୟସମନ୍ୱିତ ଏହି ନରବରଙ୍କର ସମରାଭିଯାନ ବାର୍ତ୍ତା ଶ୍ରବଣ ମାତ୍ରକେ ଅରାତିକୁଳ ଏହାଙ୍କ ଚରଣତଳରେ ଶରଣାପନ୍ନ ହୁଅନ୍ତି । ଏହାଙ୍କ ରାଜଧାନୀ ଉଜ୍ଜୟିନୀ ନଗରରେ ମହାକାଳନାମକ ଶିବଙ୍କର ଅଧିଷ୍ଠାନ । ଚନ୍ଦ୍ରମୌଳିଙ୍କ ସମୀପବର୍ତ୍ତୀ ପ୍ରାସାଦରେ ବାସ କରୁଥିବାରୁ କୃଷ୍ଣପକ୍ଷରେ । ମଧ୍ୟ ଏ ପ୍ରିୟମାନଙ୍କ ସଙ୍ଗେ ଜ୍ୟୋସ୍ନାମୟୀ ଯାମିନୀ ଉପଭୋଗ କରନ୍ତି । ଅୟି ରମ୍ଭୋରୁ ! ଶିପ୍ରାଶୀକରବାହୀ ସମୀରଣ ପ୍ରବାହରେ ପ୍ରକମ୍ପିତ ଉଦ୍ୟାନସମୁହରେ ଏହି ଯୁବକ ନରପତିଙ୍କ ସଙ୍ଗେ ବିଦାର କରିବାକୁ ତୁମ୍ଭର ଇଚ୍ଛା ହେଉଅଛି କି ?’ ଯେପରି କୁମୁଦିନୀ କେବେହେଁ ପଦ୍ମିନୀବଲ୍ଲଭ ଦିବାକରଙ୍କ ପ୍ରତି ସସ୍ନେହ ଦୃଷ୍ଟିପାତ କରେ ନାହିଁ, ସେହିପରି ସର୍ବାଙ୍ଗସୁନ୍ଦରୀ ଇନ୍ଦୁମତୀ ଅବନ୍ତୀନାଥଙ୍କ ପ୍ରତି କୃପକଟାକ୍ଷ ନିକ୍ଷେପ କଲେ ନାହିଁ ।

 

ଅନନ୍ତର ସୁଦତୀ ସୁନନ୍ଦା ସେହି ବିଶ୍ୱବିମୋହିନୀଙ୍କୁ ଅନ୍ୟ ଜଣେ ନରପତିଙ୍କ ସମୀପକୁ ଘେନି ଯାଇ ପୁନରପି ବାଗ୍‌ଜାଲ ବିସ୍ତାରପୂର୍ବକ କହିଲା, ‘ମୃଗାକ୍ଷି ! ଶୁଣିଥିବ, ପୂର୍ବକାଳରେ କାର୍ତ୍ତବୀର୍ଯ୍ୟ ନାମରେ ଜଣେ ପରମଯୋଗୀ ରାଜା ଥିଲେ; ସ୍ୱଭାବତଃ ତାଙ୍କର ଦିଓଟି ମାତ୍ର ଭୁଜ ଥିଲା; କିନ୍ତୁ ଦେବବରପ୍ରସାଦରେ ସଂଗ୍ରାମବେଳେ ସେ ସହସ୍ରବାହୁବିଶିଷ୍ଟ ହେଉଥିଲେ । ଅଷ୍ଟାଦଶଦ୍ୱୀପଜୟାନନ୍ତର ସେ ଯଜ୍ଞୀୟ ଯୂପସ୍ତମ୍ଭ ଏବଂ ଜୟସ୍ତମ୍ଭ ନିଖାତ କରି ସେହି ଦ୍ୱୀପମାନଙ୍କୁ ଅଳଙ୍କୃତ କରିଥିଲେ ଏବଂ ବିଧାନାନୁରୂପ ପ୍ରଜାପାଳନ କରି ଅନନ୍ୟସାଧାରଣ ରାଜପଦ ଲାଭ କରିଥିଲେ । ତାଙ୍କର କୌଣସି ପ୍ରଜା ଅସତ୍‌କାର୍ଯ୍ୟର ଚିନ୍ତା କରିବା ମାତ୍ରରେ ସେ ଯୋଗବଳରେ ତାହା ଜାଣି ପାରି ତତ୍‌କ୍ଷଣାତ୍ ଧନୁଷ୍ପାଣି ହୋଇ ତାହା ସମ୍ମୁଖରେ ଉପସ୍ଥିତ ହେଉଥିଲେ ଏବଂ ତତ୍‍କାଳରେ ସେହି ମାନସିକ ଅବିନୟାନୁଷ୍ଠାନ ନିବାରଣ କରୁଥିଲେ । ଅନ୍ୟ କଥା ବା କଣ କହିବା-? ସ୍ୱୟଂ ଇନ୍ଦ୍ରବିଜୟୀ ଲଙ୍କେଶ୍ୱର ରାବଣ ମଧ୍ୟ ତାହାଙ୍କର ଅସାଧାରଣ ଶକ୍ତିଦ୍ୱାରା ହୃତବୀର୍ଯ୍ୟ ହୋଇ ଅନୁଗ୍ରହକାଳ-ପର୍ଯ୍ୟନ୍ତ ତଦୀୟ ବନ୍ଧନାଗାରରେ ଆବଦ୍ଧ ହୋଇ ରହିଥିଲେ । ଏହି ପୁରୋବର୍ତ୍ତୀ ରାଜା ତାଙ୍କର ପବିତ୍ର ବଂଶରେ ଜନ୍ମ ଗ୍ରହଣ କରିଅଛନ୍ତି । ଏହାଙ୍କ ନାମ ପ୍ରତୀପ । ଶାସ୍ତ୍ରଜ୍ଞାନ-ବୃଦ୍ଧ ବ୍ୟକ୍ତିଗଣ ନିତ୍ୟ ଏହାଙ୍କର ସେବାରେ ତତ୍ତ୍ୱର । ସ୍ୱଭାବଚପଳା ବୋଲି କମଳାଙ୍କର ଯେଉଁ ଅପବାଦ ଅଛି, ଏହାଙ୍କଠାରେ ନିତ୍ୟ ଅଚଳ ଭାବରେ ଅବସ୍ଥାନ କରିଥିବାରୁ ତାହାଙ୍କର ସେହି ଅପବାଦ ଦୂରୀଭୂତ ହୋଇଅଛି । ହୁତାଶନ ବରପ୍ରସାଦରୁ ଏହି ରାଜା ସଂଗ୍ରାମରେ କ୍ଷତ୍ରିୟକୁଳର କାଳରାତ୍ରି ରୂପୀ ପରଶୁରାମଙ୍କର ତିକ୍ଷ୍ଗଧାର କୁଠାରକୁ ମଧ୍ୟ ଉତ୍ତୁଳପତ୍ରଧାର ପରି ମନେ କରନ୍ତି । ଯେବେ ମାହୀଷ୍ମତୀ ନଗରୀର ପ୍ରାସାଦବାତାୟନପଥରେ ଜଳବେଣୀରମ୍ୟ ରେବା ନଦୀର ମନୋହର ଦୃଶ୍ୟ ଦେଖିବାକୁ ଇଚ୍ଛା ଥାଏ, ତେବେ ଏହି ଭୂପତିଙ୍କର ଅଙ୍କଲକ୍ଷ୍ମୀ ହୁଅ ।’ ଯେପରି ଶରତ କାଳରେ ମେଘନିର୍ମୁକ୍ତ ପୂର୍ଣ୍ଣ ଶଶିଧର ନଳିନୀର ନୟନନନ୍ଦନ ହୁଏ ନାହିଁ ସେହିପରି ପ୍ରିୟଦର୍ଶନ ହେଲେହେଁ ପ୍ରତୀପ ରୂପବତୀ ଇନ୍ଦୁମତୀଙ୍କର ମନୋରଞ୍ଜନ ହେଲେ ନାହିଁ ।

 

ଅନନ୍ତର ସୁନନ୍ଦା ରାଜକୁମାରୀଙ୍କୁ ଅନ୍ୟ ଜଣେ ନରେନ୍ଦ୍ରନନ୍ଦନଙ୍କର ସମ୍ମୁଖୀନ କରାଇ କହିଲା ‘ପୁଣ୍ୟଶୀଳେ । ଶୁଣିଥିବ ମଥୁରା ଭଗବାନ୍ ଶ୍ରୀକୃଷ୍ଣଙ୍କର ପ୍ରିୟଲୀଳାସ୍ଥଳୀ ଥିଲା । ମହାରାଜ ସୁଷେଣ ସେହି ଦେଶର ସିଂହାସନକୁ ବର୍ତ୍ତମାନ ଅଳଙ୍କୃତ କରୁଅଛନ୍ତି । ନିରନ୍ତର ଯଜ୍ଞ କାର୍ଯ୍ୟରେ ବ୍ୟାପୃତ ଥିବାରୁ ଏହାଙ୍କର ମହୀୟସୀ କୀର୍ତ୍ତି ନିତ୍ୟ ସୁରଲୋକରେ ଗୀୟମାନ ହେଉଅଛି । ଯେପରି ପରସ୍ପରବିରୋଧୀ ଳୀବକୁଳ ସିଦ୍ଧାଶ୍ରମ ବାସରେ ନିଜ ନିଜ ଦୃର୍ବୃତ୍ତତା ବିସ୍ତୃତ ହୋଇଯାନ୍ତି, ସେହିପରି ପରସ୍ପରବିରୋଧୀ ଜ୍ଞାନମୌନାଦି ଗୁଣାବଳୀ ଏହାଙ୍କୁ ଆଶ୍ରୟ କରି ସ୍ୱଭାବବୈର ପରିତ୍ୟାଗ କରିଅଛନ୍ତି । ଜଳବିହାରକାଳରେ ଏହାଙ୍କର ପୁରାଙ୍ଗନାମାଙ୍କର ଅଙ୍ଗଲିପ୍ତ ଚନ୍ଦନଦ୍ୱାରା କାକଚକ୍ଷୁପ୍ରଭ ଯମୁନାଜଳ ମଥୁରାସମୀପରେ ମଧ୍ୟ ଶୁଭ୍ର ଗଙ୍ଗାଜଳ ସଙ୍ଗେ ସଂସ୍ପଷ୍ଟୀ ହେଲାପରି ପ୍ରତୀୟମାନ ହୁଏ । ଯମୁନାଜଳବାସୀ କାଳିୟନାମକ ନାଗ ଏକଦାଗରୁଡ଼ ଭୟରେ ଭୀତ ହୋଇ ଏହାଙ୍କର ଶରଣାପନ୍ନ ହୋଇଥିଲେ ଏବଂ ଏହି ରାଜା ସୁଷେଣ ତାଙ୍କୁ ଅଭୟ ଦାନ କରୁଥିବାରୁ ସେ ଆତ୍ମନିଷ୍ପ୍ରୟରୂପେ ତାଙ୍କୁ ଗୋଟିଏ ବହୁମୂଲ୍ୟ ସମୁଜ୍ଜ୍ୱଳ ମଣି ପ୍ରଦାନ କରିଥିଲେ । ସେହି କମନୀୟକାନ୍ତି ମଣିକୁ ବକ୍ଷସ୍ଥଳରେ ଧାରଣ କରି ମହାରାଜ ସୁଷେଣ କୌସ୍ତୁଭଧାରୀ ଭଗବାନ୍ ଶ୍ରୀକୃଷ୍ଣଙ୍କ ସୁଦ୍ଧା ଲଜ୍ଜା ପ୍ରଦାନ କରନ୍ତି । ଅୟି ସୁମଧ୍ୟମେ । ଯେବେ ଚୈତ୍ରରଥକଳ୍ପ ବୃନ୍ଦାବନରେ ପ୍ରବାଳୋପରିସ୍ଥ ପୁଷ୍ପଶଯ୍ୟାରେ ଶୟନ କରି ଯୌବନଶ୍ରା ଉପଭୋଗ କରିବାକୁ ଇଚ୍ଛା ଥାଏ ଏବଂ ଯେବେ ଗୋବର୍ଦ୍ଧନ ଗିରିର ପରମରମଣୀୟ ଶୈଳେୟସୁବାସିତ କନ୍ଦରା ମଧ୍ୟରେ ଉପେବଶନ କରି ବର୍ଷାକାଳରେ କଳାପି-କୁଳର ନୃତ୍ୟ ଦର୍ଶନ କରିବାକୁ ମନ ହୁଏ, ତେବେ ଏହି ଭୁପନନ୍ଦନଙ୍କୁ ପତିରୂପେ ବରଣ କର ।’ ଯେପରି ସାଗରଗାମିନୀ ସ୍ରୋତସ୍ୱତୀ ମାର୍ଗମଧ୍ୟସ୍ଥିତ ପର୍ବତକୁ ଅତିକ୍ରମ କରି ଚାଲିଯାଏ, ସେହିପରି ଇନ୍ଦୁମତୀ ଅନ୍ୟ ରାଜାଙ୍କର ପ୍ରଣୟିନୀ ହେବା ଅଭିଳାଷରେ ତାହାଙ୍କୁ ତ୍ୟାଗ କରି ଗମନ କଲେ ।

 

ତତ୍ତ୍ୱରେ ସୁନନ୍ଦା ସେହି ପୂର୍ଣ୍ଣେନ୍ଦୁନିଭାନନା ବାଳା ଇନ୍ଦୁମତୀଙ୍କ ହେମାଙ୍ଗଦ ନାମକ କଳିଙ୍ଗ ରାଜାଙ୍କର ସମ୍ମୁଖବର୍ତ୍ତିନୀ କରି କହିଲା, ‘ସୁମୁଖି ! ମହେନ୍ଦ୍ର ଓ ମହୋଦଧିର ଅଧୀଶ୍ୱର ଏହି ଭୂପତି ଅସାଧାରଣ ଶକ୍ତିସମ୍ପନ୍ନ । ଏହାଙ୍କର ପ୍ରାସାଦ-ଗବାକ୍ଷ ନିକଟରେ ଉପବେଶନ କଲେ ମହୋଦଧିର ତରଙ୍ଗ-ଲୀଳା-ବିଭୂତି ନେତ୍ରାତିଥି ହୁଏ ଏବଂ ତାହାର ଗମ୍ଭାର ନିଃସ୍ୱନ ପ୍ରହରାବସାନସୂଚନ ତୂର୍ଯ୍ୟଧ୍ୱନିର କାର୍ଯ୍ୟ ସମ୍ପାଦନ କରି ନିଜ ସଦନରେ ପ୍ରସୂପ୍ତ ମହାରାଜ ହେମାଙ୍ଗଦଙ୍କୁ ଜାଗରିତ କରେ । ଅୟି ରସିକେ । ଯେବେ ତୁମ୍ଭେ ଏହାଙ୍କର ପାଣି ଗ୍ରହଣ କର, ତେବେ ଏହାଙ୍କ ସଙ୍ଗେ ତାଳୀବନର ମର୍ମରଶବ୍ଦଯୁକ୍ତ ସମୁଦ୍ରତୀରରେ ବିହାର କରି ଦ୍ୱୀପାନ୍ତରଜାତ ଲବଙ୍ଗପୁଷ୍ପପରିମଳବାହୀ ମନ୍ଦମଳୟାନିଳଦ୍ୱାରା ଶ୍ରାନ୍ତଜନିତ ସ୍ୱେଦବିନ୍ଦୁ ଦୂରୀକୃତ କରି ପାରିବ ।’ ସୁନନ୍ଦାର ସେହି ପ୍ରଲୋଭନ ବାକ୍ୟରେ ଗୁଣବତୀ ଇନ୍ଦୁମତୀଙ୍କ ମନ ହେମାଙ୍ଗଦଙ୍କ ପ୍ରତି ଆକୃଷ୍ଟ ହେଲା ନାହିଁ । ତହୁଁ ସେ ତାଙ୍କୁ ତ୍ୟାଗ କରି ଅନ୍ୟ ଜଣେ ରାଜପୁତ୍ରଙ୍କ ନିକଟକୁ ଗମନ କଲେ ।

 

ଏହି ସମୟରେ ଦୌବାଳିକୀ ସୁନନ୍ଦା ଇନ୍ଦୁମତୀଙ୍କୁ ସମ୍ବୋଧନ କରି କହିଲା, ‘ଅୟି ଚକୋରାକ୍ଷ ! ଦେଖ ଦେଖ ଦେବରୂପ ପାଣ୍ଡୁନାଥ ସମ୍ମୁଖରେ ବିଦ୍ୟମାନ । ଏହାଙ୍କର ହରିଚନନ୍ଦନାନୁ ଲିପ୍ତ କଳେବରରେ ମୁକ୍ତାମୟୀ ହାରଲତିକା ଲମ୍ବମାନ ହୋଇ ବାଲାତପରାଗଞ୍ଜିତ ନିର୍ଝରଶୋଭିତ ହିମାଦ୍ରିର ଶୋଭାକୁ ଶତଧିକ୍କାର କରୁଅଛି । ମହର୍ଷି ଅଗସ୍ତ୍ୟ ସର୍ବଦା ଏହାଙ୍କର ହିତାକାପ୍ପାରେ ନିଯୁକ୍ତ । ମହାରାଜ ପାଣ୍ଡୁ ଭଗବାନ୍ ପଶୁପତିଙ୍କ ଉଗ୍ର ତପସ୍ୟାରେ ସନ୍ତୁଷ୍ଟ କରି ତାଙ୍କଠାରୁ ବ୍ରହ୍ମଶିରା ନାମକ ଦୁର୍ଲଭ ଅସ୍ତ୍ର ଲାଭ କରିଅଛନ୍ତି । ସ୍ୱୟଂ ବୀର୍ଯ୍ୟଦୁପ୍ତ ଦଶାନନ ଯେତେବେଳେ ସୁରଲୋକଜୟକାମନାରେ ସ୍ୱର୍ଗକୁ ଗମନ କରିଥିଲେ, ସେତେବେଳେ ଜନସ୍ଥାନନିବାସୀ ଖରଦୂଷଣଙ୍କର ବାସସ୍ଥାନ ବିମର୍ଦ୍ଦନାଶଙ୍କାରେ ଏହି ଭୂପତିଙ୍କ ସଙ୍ଗେ ସନ୍ଧବନ୍ଧନ କରିଥିଲେ । ଏହି ମହାକୁଳସମୁଦ୍‌ଭୂତ ମହୀପତିଙ୍କର ପାଣିଗ୍ରହଣ କଲେ ତୁମ୍ଭେ ମଧ୍ୟ ମହୀୟସୀ ବସୁମତୀ ପରି ରତ୍ନାକରମେଖଳା ଦକ୍ଷିଣ ଦିଗର ସପତ୍ନୀ ହେବ । ମଳୟପର୍ବତର ଉପତ୍ୟକା ଅତି ରମଣୀୟ ସ୍ଥାନ, ସେଠାରେ ତାମ୍ବଳ-ବଲ୍ଲରୀ ପୁରାତରୁସମୂହରୁ ପରିବେଷ୍ଟନ କରି ରହିଅଛି, ଏଲାଲତାସମୂହ ଚନ୍ଦନ ବୃକ୍ଷକୁ ଆଲିଙ୍ଗନ କରି ପରିବର୍ଦ୍ଧିତ ହେଉଅଛି ଏବଂ ତମାଳଦଳମାଳା ମନୋରମ ଆସ୍ତରଣର କାର୍ଯ୍ୟ ସମ୍ପାଦନ କରୁଅଛି । ତୁମ୍ଭେ ଏହାଙ୍କ ପ୍ରତି ପ୍ରସନ୍ନ ହେଲେ ପୂର୍ବୋକ୍ତ ମଧୁମୟ ସ୍ଥାନରେ ଆନନ୍ଦରେ ବିହାର କରି ପାରିବେ । ବିଶେଷତଃ ଏହି ରାଜା ଇନ୍ଦୀବର ପରି ଶ୍ୟାମତନୁ, ତୁମ୍ଭର ଶରୀର ଗୋରୋଚନା ପରି ଗୌରବର୍ଣ୍ଣ । ତୁମ୍ଭେ ଏହାଙ୍କର ଅଙ୍କ-ପ୍ରଣୟିନୀ ହେଲେ ସୌଦାମିନୀ ଶୋଭିତ ନବଘନ ପରି ପରସ୍ପରର ଶୋଭା ବର୍ଦ୍ଧନ କରିବ ।’ ଦିବାକରଙ୍କ ଅଦର୍ଶନରୁ ବଦ୍ଧକୋଶ ଅରବିନ୍ଦ ମଧ୍ୟରେ ଯେପରି ଜ୍ୟୋସ୍ନା ପ୍ରବେଶ କରି ପାରେ ନାହିଁ, ସେହିପରି ସୁନନ୍ଦାର ଉପଦେଶ–ବାକ୍ୟ ଭୋଜରାଜଭଗିନୀ ଇନ୍ଦୁମତୀଙ୍କ ହୃଦୟ ମଧ୍ୟରେ ସ୍ଥାନ ଲାଭ କରି ପାରିଲା ନାହିଁ ।

 

ଯେପରି ନିଶୀଥ ସମୟରେ ସଞ୍ଚାରିଣୀ ଦୀପଶିଖା ରାଜମାର୍ଗର ଅତିକ୍ରାନ୍ତ ସୌଧାବଳୀକୁ ତିମିରାଚ୍ଛନ୍ନ କରି ପୁରୋବର୍ତ୍ତୀ । ଅଟ୍ଟାଳିକା ସମୂହକୁ କ୍ରମଶଃ ସମୁଜ୍ଜ୍ୱଳ କରୁଥାଏ, ସେହିପରି ପତିଂବରା ସେହି ଇନ୍ଦୁମତୀ ଯେଉଁ ରାଜାମାନଙ୍କୁ ଅତିକ୍ରମ କରି ଗମନ କରୁଥାନ୍ତି, ସେମାନଙ୍କ ମୁଖଶଶୀ ବିଷାଦଚ୍ଛାୟାରେ ମଳିନ ହୋଇଯାଉଥାଏ ଏବଂ ସମ୍ମୁଖବର୍ତ୍ତୀ ରାଜାମାନଙ୍କ ବଦନମଣ୍ଡଳ ସମୁଜ୍ଜ୍ୱଳ ହୋଇ ଉଠୁଥାଏ । ପରିଶେଷରେ ଇନ୍ଦୁମତୀ ରଘୁସୂନୁ ଅଜଙ୍କ ସମାରେ ସମୁପସ୍ଥିତ ହୁଅନ୍ତେ ଅଜ ପ୍ରଥମତଃ ଚରଣ ବିଷୟରେ ସନ୍ଦିହାନ ହୋଇଥିଲେ । ମାତ୍ର ଏହି ସମୟରେ ତାଙ୍କର ଦକ୍ଷିଣ ଭୁଜ ସ୍ପନ୍ଦିତ ହୋଇ ସେହି ସଂଶୟ ଦୂର କରିଦେଲା । ଯେପରି ଭ୍ରମରୀ ପ୍ରଫୁଲ୍ଲ ସହକାରତରୁ ପ୍ରାପ୍ତ ହୋଇ ଅନ୍ୟ ତରୁ ନିକଟକୁ ଗମନ କରିବାକୁ ଅଭିଳାଷ କରେ ନାହିଁ, ସେହିପରି ରାଜକୁମାରୀ ଇନ୍ଦୁମତୀ ସର୍ବାବୟବାନବଦ୍ୟ ଅଜଙ୍କୁ ପ୍ରାପ୍ତ ହୋଇ ଅନ୍ୟ ଭୂପତିଙ୍କ ସମୀପକୁ ଯିବାକୁ ଆକାପ୍ପା କଲେ ନାହିଁ ।

 

ଏତେବେଳେ ବିଚକ୍ଷଣା ସୁନନ୍ଦା ବୁଝି ପାରିଲା ଯେ, ଇନ୍ଦୁପ୍ରଭା ଇନ୍ଦୁମତୀଙ୍କ ମନ ସର୍ବଥା ଏହି ରାଜତନୟଙ୍କଠାରେ ଅନୁରକ୍ତ ହୋଇଅଛି । ତେଣୁ ସେ ସ୍ୱଭାବସୁଲଭ ବାକ୍ୟାବଳୀ ବିସ୍ତାରପୂର୍ବକ କହିବାକୁ ଲାଗିଲା, ‘ସୁନ୍ଦରି ! ପୂର୍ବକାଳରେ ଇକ୍ଷ୍ୱାକୁବଂଶରେ ସୁବିଦିତନାମା କକୁତ୍‌ସ୍ଥ ବୋଲି ଜଣେ ରାଜା ଥିଲେ । ଉନ୍ନତମନା ଦିଲୀପପ୍ରମୁଖ ଉତ୍ତରକୋଶଳର ନରପତିଗଣ ତାହାଙ୍କଠାରୁ କୀର୍ତ୍ତିକର କାକୁତ୍‌ସ୍ଥ ପଦ ପ୍ରାପ୍ତ ହୋଇଅଛନ୍ତି । ସେହି ନରପତି କକୁତ୍‌ସ୍ଥ ଦେବାସୁର-ଯୁଦ୍ଧରେ ମହର୍ଷଭରୂପୀ ଇନ୍ଦ୍ରଙ୍କ କାକୁଦରେ ଆରୋହଣ କରି ଅସୁରବିଜୟ ପୂର୍ବକ ମହେନ୍ଦ୍ରଙ୍କ ସିଂହାସନର ଅର୍ଦ୍ଧାଂଶରେ ଉପବେଶନ କରିଥିଲେ । ସେହି ମହାଯଶା ମହୀପତିଙ୍କର ବିଶାଳ ବଂଶରେ ଦିଲୀପ ନାମରେ କୁଳପ୍ରଦୀପ ଜଣେ ରାଜର୍ଷି ଜାତ ହୋଇଥିଲେ । ସେ ଏକୋନଶତ ଅଶ୍ୱମେଧଜ୍ଞ ସମାପନ କରି ଆରକ୍ତ ଶତତମ ଯଜ୍ଞର ସମାପ୍ତିରୁ ଦେବ ରାଜଙ୍କ ପ୍ରୀତି ନିମିତ୍ତ ବିରତ ହେଲେ । ବର୍ତ୍ତମାନ ତଦୀୟ ପୁତ୍ର ରଘୁ ରାଜ୍ୟ ଶାସନରେ ଅଭିନିଯୁକ୍ତ ଅଛନ୍ତି । ସେ ବିଧାନାନୁସାରେ ବିଶ୍ୱଜିତ୍‌ନାମକ ଯଜ୍ଞ ସମ୍ପାଦନ କରି ଯେଉଁ ସୁବିପୁଳ ଅର୍ଥରାଶି ସଞ୍ଚୟ କରିଥିଲେ, ସେ ସବୁ ଅକୁଣ୍ଠିତ ଚିତ୍ତରେ ପୂର୍ବୋକ୍ତ ଯଜ୍ଞର ଦକ୍ଷିଣାରୂପେ ପ୍ରଦାନ କରି ମୃତ୍‌ପାତ୍ର ମାତ୍ର ଅବଶିଷ୍ଟ ରଖିଲେ । ମହାରାଜ ରଘୁଙ୍କର ଦିଗନ୍ତବିଶ୍ରୁତ କୀର୍ତ୍ତିକଳାପ ବର୍ଣ୍ଣନା କରିବା ମୋର ସାଧ୍ୟାତୀତ । ଏହି ଯଶଃ ଭୂତ ଭବିଷ୍ୟତ୍ ବର୍ତ୍ତମାନ ଏହି କାଳତ୍ରୟରେ ଅପରିଚ୍ଛିନ୍ନ । ଜୟନ୍ତ ଯେପରି ସୁରପତିଙ୍କଠାରୁ ଜନ୍ମଗ୍ରହଣ କରିଅଛନ୍ତି, ଏହି ଯୁବରାଜ ଅଜ ସେହିପରି ମହାରାଜ ରଘୁଙ୍କଠାରୁ ଜାତ ହୋଇଅଛନ୍ତି । ସମ୍ପ୍ରତି ଏ ଯୌବରାଜ୍ୟରେ ଅଭିଷିକ୍ତ ଥିଲେହେଁ ପିତାଙ୍କ ସଦୃଶ ଭବନର ଗୁରୁଭାର ସ୍ୱୟଂଧାରଣ କରିଅଛନ୍ତି । ଅଭିନବଯୌବନ ମନୋହର ଲାବଣ୍ୟ, ସୁପବିତ୍ର ବଂଶ ଓ ଅନ୍ୟାନ୍ୟ ସଗ୍ଗୁଣନିଚୟରେ ଏ ସର୍ବଥା ତୁମ୍ଭର ଅନୁରୂପ ଅଟନ୍ତି । ଅତଏବ ତୁମ୍ଭେ ଏହାଙ୍କୁ ବରମାଲ୍ୟ ପ୍ରଦାନ କଲେ ମଣିକାଞ୍ଚନତୁଲ୍ୟ ତୁମ୍ଭ ଦୁହିଙ୍କର ଯୋଗ ଶ୍ଳାଘନୀୟ ହେବା ସୁନନ୍ଦାର ବାକ୍ୟାବସାନରେ ନରେନ୍ଦ୍ରନନ୍ଦନା ଲଜ୍ଜା ସଙ୍କୋଚ କରି ପ୍ରସନ୍ନଦୃଷ୍ଟିରେ ରାଜକୁମାରଙ୍କ ଆଡ଼କୁ ଚାହିଁ ରହିଲେ; ସ୍ୱଭାବସୁଲଭ ଲଜ୍ଜାବଶତଃ ସେ ସ୍ୱୀୟ ଅନୁରାଗ ବ୍ୟକ୍ତ କଲେ ନାହିଁ ସତ୍ୟ, ମାତ୍ର ତାହାଙ୍କ ଅଙ୍ଗଯଷ୍ଟିରେ ରୋମାଞ୍ଚାଦି ସତ୍ତ୍ୱିକ ଲକ୍ଷଣମାନ ସଂଜାତ ହୋଇ ମନୋଗତ ଭାବକୁ ପ୍ରକାଶ କରି ଦେଲା । ଏହା ଜାଣି ପାରି ସୁଦ୍ଧା ବେକ୍ରବତୀ ସଖୀ ସୁନନ୍ଦା ପରିହାସ ଛଳରେ କହିଲା, ‘ଆର୍ଯ୍ୟ ! ତେବେ ଚାଲ ଅନ୍ୟ ନୃପତିଙ୍କ ସମୀପଙ୍କୁ ଗମନ କରିବା ।’ ଇନ୍ଦୁମତୀ ଏହା ଶୁଣି ରୋଷକାୟିତନୟନରେ ତାଙ୍କ ଆଡ଼କୁ ଦୃଷ୍ଟିପାତ କଲେ । ଅନନ୍ତର ଇନ୍ଦୁମତୀ ଧାତ୍ରୀମାତା ସୁନନ୍ଦା ହସ୍ତରେ ରଘୁନନ୍ଦନ ଅଜଙ୍କ କଣ୍ଠଦେଶରେ ମୂର୍ତ୍ତିମାନ୍ ଅନୁରାଗସ୍ୱରୂପ ବରମାଲ୍ୟ ଅର୍ପଣ କରାଇଲେ । ଅଜ ବକ୍ଷଃସ୍ଥଳରେ ସେହି ମଙ୍ଗଳପୁଷ୍ପମୟୀ ମାଳା ଧାରଣ କରି ମନେ କଲେ, ସତେ ଯେପରି ବିଦର୍ଭରାଜଭଗିନୀ ଇନ୍ଦୁମତୀ ତାଙ୍କ କଣ୍ଠରେ ବାହୁଲତା ସମର୍ପଣ କରିଅଛନ୍ତି । ଅନନ୍ତର ସଭାସ୍ଥଳରେ ସମବେତ ପୌରଜାନପଦଗଣ ଉପଯୁକ୍ତ ବରଠାରେ ବରଣମାଲ୍ୟ ଅର୍ପିତ ହୋଇଥିବା ଦେଖି ଏକବାକ୍ୟରେ କହି ଉଠିଲେ, ‘‘କୌମୁଦୀ ମେଘମୁକ୍ତ ନିର୍ମଳ ଶଶାଙ୍କ ସଙ୍ଗେ ସଙ୍ଗତା ହେଲେ ଯେପରି ମନୋହର ଦେଖାଯାଏ ଏବଂ ନାଭବୀ ଅନୁରୂପ ସାଗର ସଙ୍ଗେ ମିଳିତ ହେଲେ ଯେପରି ଶୋଭା ଧାରଣ କରେ, ଏହି ତୁଲ୍ୟଗୁଣ ବରକନ୍ୟାଙ୍କର ଯୋଗ ସେହିପରି ହେଲା-।’’ କିନ୍ତୁ ଅଜଙ୍କର ଏହି ସ୍ତୁତିବାଦ ଅନ୍ୟ ନୃପତିମାନଙ୍କର ଏକାନ୍ତ ଶ୍ରବଣ କଟୁ ହେଲା । ପ୍ରଭାତକାଳରେ ଏକଆଡ଼େ କମଳକୁଳ ପ୍ରସ୍ପୁଟିତ ଏବଂ ଅନ୍ୟଆଡ଼େ କୁମୁଦସମୂହ ମୁଦ୍ରିତ ହେଲେ ଜଳାଶୟର ଯେପରି ରମଣୀୟତା ପରିଦୃଷ୍ଟ ହୁଏ, ସେହି ସଭା ପ୍ରମୁଦିତ ବରପକ୍ଷ ଓ ବିଷଣ୍ଣ ବିପକ୍ଷ ନୃପଗଣଙ୍କର ହର୍ଷବିଷାଦ ଦ୍ୱାରା ସେହିପରି ଶୋଭା ଧାରଣ କଲା ।

Image

 

ଅଜ ପାଣିଗ୍ରହଣ

 

ଅନନ୍ତର ବିଦର୍ଭନାଥ ସଭାସ୍ଥଳରୁ ବରକନ୍ୟାଙ୍କୁ ନେଇ ରାଜଭବନାଭିମୁଖରେ ଯାତ୍ରା କଲେ । ଅନ୍ୟାନ୍ୟ ରାଜା ପ୍ରଭାତକାଳୀନ ନକ୍ଷତ୍ରମାନଙ୍କ ପରି କ୍ଷୀଣକାନ୍ତି ହୋଇ ଆପଣା ଆପଣା ରୂପ ଓ ବେଶକୁ ନିନ୍ଦା କରି ସ୍ୱ ସ୍ୱ ଶିବିରାଭିମୁଖରେ ପ୍ରସ୍ଥାନ କଲେ । ଈର୍ଷାନଳରେ ଦନ୍ଦହ୍ୟମାନ ହେଲେ ସୁଦ୍ଧା ସେମାନେ ସଭାସ୍ଥଳରେ କ୍ରୋଧାବେଗ କଥଞ୍ଚିତ୍ ସଂବରଣ କରିଥିଲେ । ତତ୍ତ୍ୱରେ ବରବଧୁ ଇନ୍ଦ୍ରଚାପଚାରୁତୋରଣାବଳି ଅତିକ୍ରମ କରି ରାଜମାର୍ଗରେ ଉପସ୍ଥିତ ହେଲେ । ଧ୍ୱଜପଟର ଛାୟାରେ ରାଜପଥରୁ ସୂର୍ଯ୍ୟତାପ ଏକାବେଳକେ ନିବାରିତ ହୋଇଥିଲା । ପୁରକାମିନୀମାନେ ଅଭିନବ ବରବଧୂସମାଗମ ସନ୍ଦର୍ଶନାକାଙ୍ଙାରେ ପ୍ରାସାଦପରମ୍ପରାସଂଲଗ୍ନ ସ୍ୱର୍ଣ୍ଣମୟ ଗବାକ୍ଷାବଳି ସମୀପକୁ ଧାବମାନ ହେଲେ । କେହି ଦ୍ରୁତଗମନ ହେତୁ ମୁକୁଳିତ କେଶପାଶ ହସ୍ତରେ ଧାରଣ କରି ଗବାକ୍ଷନିକଟରେ ଦଣ୍ଡାୟମାନ ହେଲା; କେଉଁ ସୁନ୍ଦରୀ ପ୍ରସାଧିକାର ହସ୍ତରୁ ଅର୍ଦ୍ଧରଞ୍ଜିତ ପଦ ବଳପୂର୍ବକ ଆକର୍ଷଣ କରି ଲୀଳାମନ୍ଦଗତି ପରିହାରପୂର୍ବକ ବାତାୟନ ପର୍ଯ୍ୟନ୍ତ ପଦବୀକୁ ଅଳକ୍ତକରସରେ ରଞ୍ଜିତ କଲା । କେଉଁ ଯୁବତୀ ଏକ ଚକ୍ଷୁରେ ଅଞ୍ଜନ ଘେନି ସମ୍ଭ୍ରମବଶତଃ ଅନ୍ୟ ଚକ୍ଷୁ ଅଞ୍ଜନଶୂନ୍ୟ ରଖି ଶଳାକାହସ୍ତରେ, କେହି ବା ସ୍ରସ୍ତବସ୍ତ୍ରଗ୍ରନ୍ଥିକୁ ହସ୍ତରେ ଧାରଣ କରି ଗବାକ୍ଷ ରନ୍ଧ୍ରରେ ଚକ୍ଷୁ ସନ୍ନିବେଶିତ କଲା । ସେହି ବରବର୍ଣ୍ଣିନୀମାନଙ୍କର ବିଲୋଳଲୋଚନସଂଯୁତ ବଦନମଣ୍ଡଳଦ୍ୱାରା ବାତାୟନାଥ ପରିପୂରିତ ହେବାରୁ ବୋଧ ହେଲା, ଯେପରି ବାତାୟନଗୁଡ଼ିକ ଚପଳ ମଧୁକର ସମନ୍ୱିତ ସ୍ୱର୍ଣ୍ଣ ପଦ୍ମାବଳିରେ ଅଳଙ୍କୃତ ହୋଇଅଛି । ଅନନ୍ତର ସେମାନେ ପରସ୍ପର ମଧ୍ୟରେ କଥୋପକଥନ କରିବାକୁ ଲାଗିଲେ, ‘‘ଶତ ଶତ ଭୂପତିଙ୍କକର୍ତ୍ତୃକ ପ୍ରାର୍ଥିତା ହେଲେହେଁ ଇନ୍ଦୁମତୀ ସୌଭାଗ୍ୟକ୍ରମେ ସ୍ୱୟଂବର ମନୋନୀତ କରିଥିଲେ, ତାହା ହୋଇ ନ ଥିଲେ ଲକ୍ଷ୍ମୀ ନାରାୟଣଙ୍କୁ ଲାଭ କଲା ପରି ସେ ଏପରି ମନୋମତ ପତି ଲାଭ କରି ପାରିଥାନ୍ତେ କି ? ପ୍ରଜାପତି ଯେବେ ଏହି ଲୋକାତିଶାୟୀ ସୁଷମାସନ୍ୱିତ ବରବଧୂଙ୍କୁ ପରସ୍ପର ସଂଯୋଜିତ କରି ନ ଥାନ୍ତେ, ତେବେ ଏହି ଦୁହିଙ୍କର ଅପ୍ରତିମ ରୂପବିଧାନରେ ପ୍ରଯୁକ୍ତ ତଦୀୟ କୌଶଳ ବିଫଳ ହୋଇଥାନ୍ତା । ସମ୍ଭବତଃ ଏ ଦୁହେଁ ପୂର୍ବଜନ୍ମରେ ସ୍ମର ଓ ଗତି ଥିଲେ । ନଚେତ୍ ବାଳା ଇନ୍ଦୁମତୀଙ୍କର ସହସ୍ର ସହସ୍ର ନୃପତିଙ୍କ ମଧ୍ୟରୁ ଏହାଙ୍କୁ ପତିରୂପେ ମନୋନୀତି କରିବା ସହଜସାଧ୍ୟ ନୁହେଁ । ଏଥିରୁ ବୋଧ ହେଉଅଛି ଯେ, ମନ ଜନ୍ମାନ୍ତରୀଣ ସଂସ୍କାର ପରିଷ୍ପୁଟରୂପେ ଗ୍ରହଣ କରି ପାରେ ।’’

 

ଅଜ ପୁରକାମିନୀମାନଙ୍କ ମୁଖରୁ ଏହିପରି ଶ୍ରୁତିସୁଖାବହ ପ୍ରଶଂସାବାଦ ଶୁଣି ଶୁଣି ମାଙ୍ଗଳିକ ଦ୍ରବ୍ୟସମ୍ଭାରସୁଶୋଭିତ ଭୋଜରାଜଙ୍କ ଭବନ ସମ୍ମୁଖରେ କରେଣୁ କାପୃଷ୍ଠରୁ ଅବତରଣପୂର୍ବକ କାମରୂପାଧିପତିଙ୍କ ହସ୍ତ ଧାରଣ କରି, ଅନ୍ତଃପୁରଚତ୍ୱର ମଧ୍ୟରେ ପ୍ରବେଶ କଲେ ଏବଂ ସେଠାରେ ମହାର୍ହ ସ୍ୱର୍ଣ୍ଣସିଂହାସନରେ ଉପବେଶନ କରି ଭୋଜ ପ୍ରଦତ୍ତ ରତ୍ନ, ମଧୁପର୍କ ଓ ପଟ୍ଟବସ୍ତ୍ରଯୁଗଳ ଗ୍ରହଣ କଲେ । ଯେପରି ନବୋଦିତ ଶଶିକରଜାଳ ଶୁଭ୍ରମେନପରିଶୋଭିତ ସମୁଦ୍ରକୁ ବେଳା ସମୀପକୁ ନେଇଯାଏ, ସେହିପରି ଅନ୍ତଃପୁରଭୃତ୍ୟଗଣ ବରଙ୍କୁ ବଧୁଙ୍କ ନିକଟକୁ ଘେନିଗଲେ । ଅଗ୍ନିକଳ୍ପ ଭୋଜବଂଶୀୟ ପୁରୋହିତ ଯଥା-ବିଧାନରେ ଆଜ୍ୟପ୍ରଦାନଦ୍ୱାରା ହୋମାନଳ ସନ୍ଦୀପିତ କରି ଅଗ୍ନିସାକ୍ଷିକ ଉଦ୍‌ବାହ ବିଧାନ ଆରମ୍ଭ କଲେ । କନ୍ୟାଙ୍କର କରକିଶଳୟ ସ୍ୱହସ୍ତରେ ଧାରଣ କଲାବେଳେ ଅଜଙ୍କ ପ୍ରକୋଷ୍ଠଦେଶ କଣ୍ଟକିତ ହୋଇ ଉଠିଲା ଏବଂ ସେହି ସୁଖସ୍ପର୍ଶରେ ଇନ୍ଦୁମତୀଙ୍କର ଅଙ୍ଗୁଳି ମଧ୍ୟ ସ୍ୱିନ୍ନ ହୋଇଗଲା । ଶୁଭଦୃଷ୍ଟିପାତକାଳରେ ପରସ୍ପର ସତୃଷ୍ଣନୟନ ଅପାଙ୍ଗଦେଶ ପର୍ଯ୍ୟନ୍ତ ପ୍ରସାରିତ ହୋଇ ଈଷଦ୍ଦର୍ଶନମାତ୍ରକେ ପ୍ରତିନିବୃତ୍ତ ହେବାରୁ ଉଭୟେ ଏକପ୍ରକାର ଅନିର୍ବଚନୀୟ ଲଜ୍ଜ୍ୱପୀଡ଼ା ଅନୁଭବ କଲେ । ବରବଧୂ ପ୍ରଜ୍ଜ୍ୱଳିତ ହୁତାଶନ ପ୍ରଦକ୍ଷିଣ କଲା ପରେ ମତ୍ତଚକୋଚନେତ୍ରା ଲଜ୍ୱାବତୀ ଇନ୍ଦୁମତୀ ପୁରୋହିତଙ୍କ ନିର୍ଦ୍ଦେଶକ୍ରମେ ହୋମାଗ୍ନିରେ ଲାଜାଞ୍ଜଳି ବିସର୍ଜନ କଲେ ଏବଂ ଘୃତଶମୀପଲ୍ଲବଲାଜଗନ୍ଧବିଶିଷ୍ଟ ପବିତ୍ର ଧୂମ ଗ୍ରହଣ କଲେ । ଅନନ୍ତର ବରକନ୍ୟା ସ୍ୱର୍ଣ୍ଣାସନରେ ଉପବେଶନ କରି ପୂଜନୀୟ ଅତ୍ମୀୟ ସ୍ୱଜନମାନଙ୍କକର୍ତ୍ତୃକ ନିକ୍ଷିପ୍ତ ଆର୍ଦ୍ର ଅକ୍ଷତ ସହ ଆଶୀର୍ବଚନ ଲାଭ କଲେ । ଏହିପରି ବିବାହବିଧାନ ସମାପନ କରି ଭୋଜ ଅନ୍ୟାନ୍ୟ ଭୂପତିଙ୍କ ସତ୍କାର ନିମନ୍ତେ ଯୋଗ୍ୟ କର୍ମଚାରୀମାନଙ୍କୁ ଆଦେଶ ଦେଲେ । ସେହି ରାଜାମାନେ ବାଦ୍ୟ ସନ୍ତୋଷ ପ୍ରକାଶଦ୍ୱାରା ଅନ୍ତର୍ଗତ ବୈରାନଳ ସଂବୃତ ରଖି ଉପଢ଼ୌକନ ଛଳରେ ତତ୍‌ପ୍ରଦତ୍ତ ଉପହାରମାନ ତାହାଙ୍କୁ ପ୍ରତ୍ୟର୍ପଣ କରି ବିଦାୟ ଗ୍ରହଣପୂର୍ବକ ପ୍ରସ୍ଥାନ କଲେ ।

 

ଅମର୍ଷାନ୍ୱିତ ସେହି ରାଜନ୍ୟବୃନ୍ଦ ପୂର୍ବସଙ୍କେତ ଅନୁସାରେ ବଳାତ୍କାରରେ ଇନ୍ଦୁମତୀଙ୍କୁ ଗ୍ରହଣ କରିବା ଅଭିଳାଷରେ ଅଜଙ୍କର ଗମନପଥ ଅବରୋଧ କଲେ । ଏଆଡ଼େ କ୍ରଥକୈଶିକାଧିପତି ଅନୁଜାଙ୍କର ବିବାହାନନ୍ତର ଉପଯୁକ୍ତ ଯୌତୁକ ପ୍ରଦାନ କରି ସ୍ୱୟଂ ତାହାଙ୍କର ଅନୁଗମନ କଲେ ଏବଂ ନିରାତ୍ରମାତ୍ର ତାଙ୍କ ସହ ପଥରେ ଅଭିବାହିତ କରି ବିଦାୟ ଗ୍ରହଣପୂର୍ବକ ସ୍ୱଦେଶକୁ ପ୍ରତ୍ୟାବୃତ୍ତ ହେଲେ । ମହାରାଜ ଦିଗ୍‍ବିଜୟବ୍ୟାପାରରେ ଏଥିପୂର୍ବେ ଏହି ରାଜାମାନଙ୍କର ସର୍ବସ୍ୱ ହରଣ କରିଥିବାରୁ ସେମାନେ ଜାତକ୍ରୋଧ ହୋଇଥିଲେ । ସମ୍ପ୍ରତି ତତ୍‌ପୁତ୍ର ଅଜ ସେମାନଙ୍କୁ ବଞ୍ଚିତ କରି ସ୍ତ୍ରୀ-ରତ୍ନ ଲାଭ କରିବେ, ଏହା ସେମାନଙ୍କର ଏକାନ୍ତ ଅସହ୍ୟ ହେଲା; ତେଣୁ ସେମାନେ ସମ୍ମିଳିତ ହୋଇ ପଥରେ ତାହାଙ୍କୁ ଆକ୍ରମଣ କଲେ । କୁମାର ଅନଳ୍ପସୈନ୍ୟ ପରିବୃତ ସଚିବଙ୍କ ଉପରେ ଇନ୍ଦୁମତୀଙ୍କ ରକ୍ଷାର ଭାର ପ୍ରଦାନ କରି ସ୍ୱୟଂ ସେହି ସୁବିପୁଳ ପାର୍ଥିବବାହିନୀକୁ ପ୍ରତ୍ୟାକ୍ରମଣ କଲେ । ପଦାତି ପଦାତି ସହିତ, ରଥୀ ରଥାରୋହୀ ସହିତ, ଅଶ୍ୱାରୋହୀ ଅଶ୍ୱାରୋହୀ ସହିତ ଓ ଗଜାରୋହୀ ଗଜାରୋଜୀ ସହିତ ତୁମୂଳ ସଂଗ୍ରାମରେ ପ୍ରବୃତ୍ତ ହେଲେ । ଭୀଷଣ ବାଦ୍ୟଗୋଳରେ ଧନୁର୍ଦ୍ଧାରୀ ଯୋଦ୍ଧବୃନ୍ଦ ପ୍ରତିଯୋଦ୍ଧାମାନଙ୍କ ବାକ୍ୟ ସ୍ପଷ୍ଟରୂପେ ଶୁଣି ପାରିଲେ ନାହିଁ-। କେବଳ ଶରରେ ଉତ୍କୀର୍ଣ୍ଣ ଅକ୍ଷରାବଳିଦ୍ୱାରା ପରସ୍ପରର ନାମ ଅବଗତ ହେଲେ । ସଂଗ୍ରାମଭୂମିରେ ଅଶ୍ୱଖୁରୋତିତ ଧୂଳିପଟଳକ୍ରମସମୂହ ଦ୍ୱାରା ଘନୀଭୂତ ଓ କରିକର୍ଣ୍ଣ ଚାଳନାରେ ଦୂରକୁ ପ୍ରସାରିତ ହୋଇ ଚନ୍ଦ୍ରାତପ ପରି ସୂର୍ଯ୍ୟମଣ୍ଡଳକୁ ଅବରୋଧ କଲା । ଧ୍ୱଜସ୍ଥ କୃତ୍ରିମ ମତ୍ସ୍ୟାବଳି ବାୟୁପ୍ରବାହରେ ଧୂଳିଧୂସରିତ ଆକାଶମଧ୍ୟରେ ବିବୃତାସ୍ୟ ହେବାରୁ ବୋଧ ହେଉଥିଲା, ସତେ ଯେପରି ପ୍ରକୃତ ମତ୍ସ୍ୟ ପ୍ରାବୃଟକାଳୀନ ଆବିଳଜଳପୂର୍ଣ୍ଣ ହ୍ରଦରୁ ଜଳପାନ କରୁଅଛନ୍ତି । କ୍ରମେ ଧୂଳିରାଶି ଉଡ଼୍‌ଡ଼ୀନ ହୋଇ ଗଗନମଣ୍ଡଳକୁ ଅନ୍ଧକାରାବୃତ କରିପକାଇଲ ଯୋଧବୃନ୍ଦ କେବଳ ଚକ୍ରଶବ୍ଦରୁ ରଥ, କଣ୍ଠାଲମ୍ବିତ-ଘଣ୍ଟାସ୍ୱନରୁ ଗଜ ଏବଂ ସ୍ୱ ସ୍ୱ ସ୍ୱାମି-ନାମ-ଉଚ୍ଚାରଣରୁ ସ୍ୱପକ୍ଷ ବିପକ୍ଷ ଲୋକ ବୋଲି ଚିହ୍ନି ପାରିଲେ । ସେହି ରଜୋମୟ ଅନ୍ଧକାର ମଧ୍ୟରେ ଅସ୍ତ୍ରାହତ ହସ୍ତୀ ଅଶ୍ୱ ଓ ବୀରମାନଙ୍କର ରୁଧିରପ୍ରବାହ ବାଳଭାନୁ ପରି ପ୍ରତିଭାତ ହେଲା । ରେଣୁରାଶି ଅଧୋଭାଗରେ ରକ୍ତସ୍ରୋତଦ୍ୱାରା ଛିନ୍ନମୂଳ ହୋଇ ଊର୍ଦ୍ଧ୍ୱଦେଶରେ ବାୟୁପ୍ରବାହରେ ଇତସ୍ତତଃ ସଞ୍ଚାଳିତ ହେବାରୁ କ୍ରୋଧ ହେଲା, ସତେ ଯେପରି ଜ୍ୱଳନ୍ତ ଅଙ୍ଗାର ଉପରେ ପୂର୍ବୋତ୍ଧିତ ଧୂମରାଶି ଭାସମାନ ହେଉଅଛି-। କବଚଧାରୀ ଯୋଦ୍ଧାମାନଙ୍କର କୋଷନିଷ୍ପାଶିତ ଅସିପ୍ରହାରରେ ପ୍ରକାଣ୍ଡ ଗଜଦନ୍ତସମୂହରୁ ଅଗ୍ନିପ୍ପୁଲିଙ୍ଗ ନିର୍ଗତ ହେଲା । ତଦ୍ଦର୍ଶନରେ କରିଯୂଥ ଭୀତ ହୋଇ ଶୁଣ୍ଡନିଃସୃତ ଶୀକର ରାଶିଦ୍ୱାରା ତାହା ନିର୍ବାଣ କରିବାକୁ ଲାଗିଲେ । ଶ୍ୱାନଶୃଗାଳାଦି ମାଂସ-ପ୍ରିୟ ପ୍ରାଣିଗଣ ବିକଟ ଚିତ୍କାର ସହ ଶବହସ୍ତପଦାଦି ଆକର୍ଷଣ କରିବାକୁ ଲାଗିଲେ । କୌଣସି ବୀର ବିପକ୍ଷଶସ୍ତ୍ରାଘାତରେ ଛିନ୍ନମସ୍ତକ ହୋଇ ତତ୍‌କ୍ଷଣାତ୍ ବ୍ୟୋମଯାନାରୋହଣ କରି ସୁରାଙ୍ଗନାଙ୍କୁ କ୍ରୋଡ଼ରେ ସ୍ଥାପନପୂର୍ବକ ସ୍ୱର୍ଗାରୋହଣ କରିବାବେଳେ ଦେଖିଲେ ଯେ, ନିଜ କବନ୍ଧ ରଣଭୂମିରେ ନୃତ୍ୟ କରୁଅଛି । କେଉଁଠାରେ ସାରଥିଦ୍ୱୟ ନିହତ ହୁଅନ୍ତେ ରଥିଦ୍ୱୟ ସ୍ୱୟଂ ରଥୀ ଓ ସାରଥି ଉଭୟର କାର୍ଯ୍ୟ କରିବାକୁ ଲାଗିଲେ; ପରେ ଅଶ୍ୱନିହତ ହୁଅନ୍ତେ ପଦାତିକରୂପ ଗଦାଯୁଦ୍ଧରେ ନିଯୁକ୍ତ ହେଲେ ଏବଂ ଶେଷରେ ଗଦା ଚୂର୍ଣ୍ଣୀଭୂତ ହୁଅନ୍ତେ ବହୁକ୍ଷଣ ବାହୁଯୁଦ୍ଧ କରି ନିଧନପ୍ରାପ୍ତ ହେଲେ ।

 

ଯେପରି ଅନୁକୂଳ ଓ ପ୍ରତିକୂଳ ପବନାତିଘାତରେ ସାଗରୋର୍ମି ପର୍ଯ୍ୟାୟକ୍ରମେ ଥରେ ଏକଦିଗକୁ ଅନ୍ୟଥର ତାହାର ବିପରୀତ ଦିଗକୁ ଧାବିତ ହୁଏ, ସେହିପରି ଉଭୟପକ୍ଷୀୟ ବ୍ୟୂହିତ ସେନାଦ୍ୱୟ ଅବ୍ୟବସ୍ଥିତରୂପେ କେତେବେଳେ ଜୟ, କେତେବେଳେ ବା ପରାଜୟ ପ୍ରାପ୍ତ ହୋଇ ଅଗ୍ରପଶ୍ଚାତ୍ ଚାଳିତ ହେବାକୁ ଲାଗିଲେ । ସ୍ୱୀୟ ସୈନ୍ୟସଂଘ ଧରି ସେନାଦ୍ୱାରା ଛିନ୍ନଭିନ୍ନ ହେଲେହେଁ ମହାବଳଶାଳୀ ରଘୁନନ୍ଦନ ଅଜ ଅରାତିସେନା ଅଭିମୁଖରେ ଧାବିତ ହେଲେ; ଯେପରି ମହାବରାଳ କଳ୍ପକ୍ଷୟବେଳେ ଏକାକୀ ଉଦ୍ଦେୁଳ ଅର୍ଣ୍ଣବସଲିଳରାଶିକୁ ନିରୋଧ କରନ୍ତି, ସେହିପରି ରଣଦପ୍ତ ଅଜ ନିଃସହାୟ ଅବସ୍ଥାରେ କେତେବେଳେ ରଥୀ, କେତେବେଳେ ନିଷଙ୍ଗୀ, କେତେବେଳେ କବଚୀ, କେତେବେଳେ ବା ଧନୁଷ୍ମାନ୍ ହୋଇ ସେହି ରାଜସମୂହଙ୍କୁ ନିବାରଣ କରିବାକୁ ଲାଗିଲେ । ତାହାଙ୍କର ତୀକ୍ଷ୍ଣଧାର ଖଡ଼୍ଗାଘାତରେ ଶତ ଶତ୍ରୁ ସୈନ୍ୟଙ୍କର ମୁଣ୍ଡ ଧରା ବିମଣ୍ଡିତ କଲା । ନରପତିଗଣ ମଧ୍ୟ ବିବିଧ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଅଜଙ୍କୁ ଗୁରୁତରରୂପେ ପ୍ରହାର କରିବାକୁ ଲାଗିଲେ । ପରିଶେଷରେ ଅପ୍ରମତ୍ତ ରଘୁନନ୍ଦନ ଅଜ ପୂର୍ବୋକ୍ତ ଗନ୍ଧର୍ବରାଜ ପ୍ରିୟଂବଦଙ୍କଠାରୁ ପ୍ରାପ୍ତ ପ୍ରସ୍ତ୍ରାପନ ଅସ୍ତ୍ରକୁ ଧନୁରେ ସନ୍ଧାନ କଲେ । ଚାହୁଁ ଚାହୁଁ ବିପକ୍ଷପକ୍ଷୀୟ ଲୋକେ ନିଦ୍ରାଭିଭୁତ ହୋଇପଡ଼ିଲେ ଧନୁ ଆକର୍ଷଣ ନିମିତ୍ତ ସେମାନଙ୍କ ହସ୍ତ ଆଉ ପ୍ରସାରିତ ହେଲା ନାହିଁ; କେହି ରଥ ଉପରେ, କେହି, କେହି ଗଜସ୍କନ୍ଧରେ କେହି ବା ଅଶ୍ୱପୃଷ୍ଠରେ ସ୍ୱପ୍ନସୁଖ ଅନୁଭବ କରିବାକୁ ଲାଗିଲେ । ଜୟଶ୍ରୀବିମଣ୍ଡିତ ହୋଇ ଅନନ୍ତର ଅଜ ଉଚ୍ଚୈସ୍ୱରରେ ଶଙ୍ଖଧ୍ୱନି କଲେ । ବିଜୟସଙ୍କେତ ସେହି ଶଙ୍ଖସ୍ୱନ ଶ୍ରବଣମାତ୍ରକେ ପଳାୟିତ ତଦୀୟ ସୈନ୍ୟଗଣ ତାଙ୍କ ସମୀପରେ ସମବେତ ହୋଇ ଦେଖିଲେ ଯେ, ରଘୁକୁଳ-ପ୍ରଦୀପ ଅଜ ଶତ୍ରୁ ସମୁହ ମଧ୍ୟରେ ଅବସ୍ଥାନ କରି ମୁକୁଳିତ ପଦ୍ମବନ ମଧ୍ୟରେ ପ୍ରତିବିମ୍ବିତ ଶଶିଧର ପରି ଶୋଭା ପାଉଅଛନ୍ତି । ସେତେବେଳେ କୁମାର ରୁଧିରଲିପ୍ତ ଶରାଗଦ୍ୱାରା ଶତ୍ରୁ ପକ୍ଷୀୟ ରଥଧ୍ୱଜରେ ଏହି ଅକ୍ଷରଗୁଡ଼ିକ ଲେଖାଇଲେ, ‘‘ରାଘବ ଅଜ ତୁମ୍ଭମାନଙ୍କର ଯଶ ଅପହରଣ କଲେ, କିନ୍ତୁ ଅନୁକମ୍ପାପୂର୍ବକ ପ୍ରାଣହରଣ କଲେ ନାହିଁ-।’’ ଅନନ୍ତର ଘର୍ମକ୍ତକଳେବର କୁମାର ଭୟତ୍ରିସ୍ତା ପ୍ରିୟତମାଙ୍କ ନିକଟରେ ଉପସ୍ଥିତ ବୋଲି ଶରାସନର ଏକ ପ୍ରାନ୍ତରେ ବାହୁ ସ୍ଥାପନପୂର୍ବକ ପ୍ରୀତିପ୍ରଫୁଲ୍ଲମନରେ କହିଲେ, ‘‘ଅୟି ବିଦର୍ଭରାଜକନ୍ୟେ ! ଆମ୍ଭେ ଅନୁମତି ପ୍ରଦାନ କରୁଅଛୁ, ତୁମ୍ଭେ ଥରେ ଏହି ବିପକ୍ଷଗଣଙ୍କୁ ଅବଲୋକନ କର; ସମ୍ପ୍ରତି ଗୋଟିଏ ବାଳକ ମଧ୍ୟ ଏମାନଙ୍କଠାରୁ ଅସ୍ତ୍ରଶସ୍ତ୍ରମାନ ଅନାୟାସରେ ହରଣ କରିପାରେ । ଏମାନେ ଏହିପରି ଯୁଦ୍ଧ କରି ତୁମ୍ଭଙ୍କୁ ମୋ ନିକଟରୁ ବଳପୂର୍ବକ ହରଣ କରିବାକୁ ଇଚ୍ଛା କରିଥିଲେ ।’’

 

ପ୍ରିୟତମଙ୍କ ମୁଖରୁ ଏହି କଥାଗୁଡ଼ିକ ଶୁଣି ଇନ୍ଦୁମତୀଙ୍କ ଭୟଚକିତ ବିଷର୍ଣ୍ଣ ମୁଖମଣ୍ଡଳ ଉତ୍‌ଫୁଲ୍ଲ ହୋଇ ଉଠିଲା; ସେ ପ୍ରିୟତମଙ୍କ ପୌରୁଷ ଦର୍ଶନରେ ପ୍ରଫୁଲ୍ଲାନ୍ତଃକରଣ ହେଲେହେଁ ଲଜ୍ଜାବଶତଃ ସ୍ୱୟଂ ତାହାଙ୍କୁ ଅଭିନନ୍ଦନ କରି ପାରିଲେ ନାହିଁ । କିନ୍ତୁ ବନସ୍ଥଳୀ ଯେପରି ନବକଳବିନ୍ଦୁଦ୍ୱାରା ଅଭିଷିକ୍ତା ହୋଇ ମୟୂରୀମାନଙ୍କ କେକାରବରେ ଜଳଧରକୁ ଅଭିନନ୍ଦନ କରେ, ସେହିପରି ସେ ସଖୀମୁଖରେ ପ୍ରିୟତମଙ୍କର ଭୂୟସୀ ପ୍ରଶଂସା କରିବାକୁ ଲାଗିଲେ ।

 

ଅନବଦ୍ୟ-ଚରିତ ରାଜକୁମାର ଅଜ ଏହିପରି ନୃପତିମାନଙ୍କ ମସ୍ତକରେ ବାମପାଦ ମୂର୍ତ୍ତିମତୀ ବିଜୟଲକ୍ଷ୍ମୀରୂପିଣୀ ଇନ୍ଦୁମତୀଙ୍କ ସହ ରାଜଧାନୀ ଅଭିମୁଖରେ ପ୍ରସ୍ଥାନ କଲେ । ମହାରାଜ ରଘୁ ଇତିପୂର୍ବେ ଦୂତମୁଖରୁ ତାବତୀୟ ସଂବାଦ ଶ୍ରବଣ କରିଥିଲେ, ସମ୍ପ୍ରତି ଜୟଶ୍ରାମଣ୍ଡିତ ପୁତ୍ର ଓ ପୁତ୍ରବଧୂଙ୍କୁ ଗୃହାଗତ ଦେଖି ପରମପରିତୋଷସହକାରେ ସେ ଦୁହିଙ୍କୁ ଅଭିନନ୍ଦନ କଲେ । ତତ୍ତ୍ୱରେ ସେ ଶାନ୍ତିପ୍ରୟାସୀ ହୋଇ ଯଥାକାଳରେ ଆତ୍ମଜଙ୍କ ହସ୍ତରେ ରାଜ୍ୟଭାର ସମର୍ପଣ କଲେ; କାରଣ ପୁତ୍ର କୁଳଭାରବହନରେ ସମର୍ଥ ହେଲେ ସୂର୍ଯ୍ୟବଂଶୀୟ ରାଜାମାନେ ଗୃହସ୍ଥାଶ୍ରମରେ ଅବସ୍ଥାନ କରୁ ନ ଥିଲେ ।

Image

 

କାଳିଦାସ ସନ୍ଦର୍ଭ

ଅଜ ବିଳାପ

 

ମହାରାଜ ରଘୁ ପୁତ୍ରଙ୍କ ବିବାହର କିୟଦ୍ଦିବସ ପରେ ଦ୍ୱିତୀୟ ଇନ୍ଦୁମତୀଙ୍କ ପରି ବସୁମତୀର ଭାର ତାଙ୍କ ହସ୍ତରେ ଅର୍ପଣ କଲେ । ସେ ଅନ୍ୟାନ୍ୟ ଭୂପତିଙ୍କ ପରି ଭୋଗବାସନା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ରାଜ୍ୟଭାର ଗ୍ରହଣ ନ କରି କେବଳ ପିତାଙ୍କ ଆଜ୍ଞା ପ୍ରତିପାଳନ ପାଇଁ ରାଜତ୍ୱ ଅଙ୍ଗୀକାର କଲେ । କୁଳଗୁରୁ ବ୍ରହ୍ମଜ୍ଞ ବଶିଷ୍ଠଙ୍କକତ୍ତୃକ ଯଥାନିୟମରେ ଅଭିଷିକ୍ତ ହୋଇ ଅଜ ଶତ୍ରୁମାନଙ୍କର ନିତାନ୍ତ ଦୁର୍ଦ୍ଧର୍ଷ ହୋଇ ଉଠିଲେ । ପ୍ରକୃତରେ କ୍ଷତ୍ରିୟତେଜ ସଙ୍ଗେ ବ୍ରହ୍ମତେଜର ସମ୍ମିଳନ ପବନାଗ୍ନି ସମାଗମତୁଲ୍ୟ ।

 

ପ୍ରଜାମାନେ ନବୀନ ନରପତିଙ୍କୁ ପ୍ରାପ୍ତ ହୋଇ ମନେ କଲେ, ଯେପରି ସେମାନେ ପ୍ରତିନିବୃତ୍ତ-ଯୌବନ ରଘୁଙ୍କୁହିଁ ପୁନରପି ପାଇଅଛନ୍ତି । କାରଣ ଅଜ ଯେ କେବଳ ପିତାଙ୍କ ସିଂହାସନର ଉତ୍ତରାଧିକାରୀ ହୋଇଥିଲେ । ତାହା ନୁହେଁ, ସେ ପୈତୃକଗୁଣସମୂହର ମଧ୍ୟ ସମ୍ୟକ୍‌ରୂପେ ଉତ୍ତରାଧିକାରୀ ଥିଲେ । ସୁସମୃଦ୍ଧ ପୈତୃକ ରାଜ୍ୟ ତାହାଙ୍କ ହସ୍ତଗତ ହୋଇ ଯେପରି ଶୋଭା ଧାରଣ କଲା, ତାଙ୍କର ନବୀନ ଯୌବନ ବିନୟନମ୍ର ବ୍ୟବହାର ସହ ମିଳିତ ହୋଇ ଶୋଭାର ଅନୁରୂପ ହେଲା । ସେ ନିତାନ୍ତ ମୃଦୁ କିମ୍ବା ନିତାନ୍ତ ଉଗ୍ରସ୍ୱଭାବ ନ ଥିଲେ । ପବନ ଯେପରି ତରୁମାନଙ୍କ, ଭଗ୍ନ ବା ଉନ୍ତୂଳ ନ କରି କେବଳ ଆନତ କରେ, ସେହିପରି ସେ ମଧ୍ୟମ ବୃତ୍ତ ଅବଲମ୍ବନ କରି ଶତ୍ରୁମାନଙ୍କୁ ବଶୀଭୂତ କଲେ । ତାଙ୍କର ସାଧୁଜନୋଚିତ ବ୍ୟବହାରରେ ସନ୍ତୁଷ୍ଟ ହୋଇ ପ୍ରଜାମାନେ ସର୍ବଦା ତାଙ୍କର ହିତାନୁଷ୍ଠାନ ଓ ପ୍ରିୟସାଧନରେ ରତ ଥିଲେ ।

 

ଅନନ୍ତର ରଘୁ ଆତ୍ମଜଙ୍କୁ ପ୍ରଜାମଣ୍ଡଳୀରେ ସୁପ୍ରତିଷ୍ଠିତ ଦେଖ ଅନିତ୍ୟ ସ୍ୱର୍ଗୀୟ ସମ୍ପଦରେ ସୁଦ୍ଧା ବୀତସ୍ପୃହ ହେଲେ । ଦିଲୀପବଂଶଜ ନୃପତିମାନେ ପରିଣତ ବୟସରେ ଗୁଣବାନ୍ ପୁତ୍ରହସ୍ତରେ ରାଜ୍ୟଭାର ସମର୍ପଣ କରି ବକୁଳଧାରୀ ସଂଯମୀମାନଙ୍କ ପଦବୀ ଅବଲମ୍ବନ କରୁଥିଲେ । ରଘୁ ବନଗମନ ନିମିତ୍ତ ଉନ୍ମୁଖ ହୁଅନ୍ତେ ଅଜ ତଦୀୟ ଚରଣତଳରେ ପ୍ରଣିପାତପୂର୍ବକ ଗୃହବାସ ଭିକ୍ଷା କଲେ । ପୁତ୍ରବତ୍ସଳ ରଘୁ କୁମାରଙ୍କର ଅଶ୍ରୁପୂର୍ଣ୍ଣ ଲୋଚନ ନିରୀକ୍ଷଣ ଓ କାତରୋକ୍ତି ଶ୍ରବଣ କରି ତାହାଙ୍କର ଅଭିଳାଷ ପୂରଣ କରିବା ନିମିତ୍ତ ସମ୍ମତ ହେଲେ; ମାତ୍ର ଭୁଜଙ୍ଗ ପରିତ୍ୟକ୍ତ ନିର୍ମୋକ ଯେପରି ପୁନର୍ବାର ଗ୍ରହଣ କରେ ନାହିଁ, ସେ ସେହିପରି ପୁତ୍ରାର୍ପିତ ଗଜଲକ୍ଷ୍ମୀ ପୁନର୍ବାର ସ୍ୱୀକାର କଲେ ନାହିଁ । ସେ ବାନପ୍ରସ୍ଥବ୍ରତ ଅବଲମ୍ବନପୂର୍ବକ ନଗରର ଉପକଣ୍ଠରେ ନିର୍ଜନ ସ୍ଥାନରେ ବାସ କରି ଯୋଗ ସାଧନ କରିବାକୁ ଲାଗିଲେ ।

 

ପ୍ରାଚୀନ ଭୂପତି ରଘୁ ଶାନ୍ତିମାର୍ଗ ଏବଂ ନବୀନ ଭୂପତି ଅଜ ଅଭ୍ୟୁଦୟ ମାର୍ଗ ଅବଲମ୍ବନ କଲେ । ସୁତରାଂ ଚନ୍ଦ୍ର ଅସ୍ତମିତ ଓ ସୂର୍ଯ୍ୟ ଉଦିତ ହେଲେ ଗଗନମଣ୍ଡଳ ଯେପରି ଅନୁପମ ଶୋଭା ଧାରଣ କରେ, ରାଜକୁଳ ସେହିପରି ଶୋଭା ପ୍ରାପ୍ତ ହେଲା । ଯଥାକ୍ରମେ ଯତି ପାର୍ଥିବ ଲକ୍ଷଣଧାରୀ ରଘୁ ରାଘବଙ୍କ ଅବଲମ୍ବିତ ଅପବର୍ଗର ଓ ଅଭ୍ୟୁଦୟର ମାର୍ଗ ପରସ୍ପର ବିସଦୃଶ ହୋଇ ପଡ଼ିଲା । ଅଜରାଜ ଅର୍ଜିତ ରାଜ୍ୟମାନଙ୍କର ଅଧିକାର ନିମିତ୍ତ ନୀତିବିଶାରଦ ମନ୍ତ୍ରୀମାନଙ୍କ ସଙ୍ଗେ ମିଳିତ ହେଲେ, ରଘୁ ମୋକ୍ଷ-ପଦ ପ୍ରାପ୍ତି ନିମିତ୍ତ ତତ୍ତ୍ୱଦର୍ଶୀ ଯଥାର୍ଥବାଦୀ ଯୋଗୀମାନଙ୍କ ସହ ସଙ୍ଗତ ହେଲେ । ଯୁବକ ନୃପତି ପ୍ରକୃତପରିଜ୍ଞାନ ନିମିତ୍ତ ଧର୍ମାସନ ଗ୍ରହଣ କଲେ, ସ୍ଥବିର ଭୂପତି ରଘୁ ମଧ୍ୟ ନିର୍ଜନ ସ୍ଥାନରେ ମନର ଏକାଗ୍ରତା ସମ୍ପାଦନ ନିମିତ୍ତ ପବିତ୍ର କୁଶାସନ ପରିଗ୍ରହ କଲେ । ଜଣେ କୋଷଦଣ୍ଡଜ ଶକ୍ତିଦ୍ୱାରା ଅନନ୍ତରବର୍ତ୍ତୀ ଭୁପତିମାନଙ୍କୁ ନିଜ ବଶବର୍ତ୍ତୀ କଲେ, ଅନ୍ୟ ଜଣେ ସମାଧି ଅଭ୍ୟାସଦ୍ୱାରା ଶରୀରସ୍ଥ ପଞ୍ଚବାୟୁକୁ ବଶୀଭୂତ କରିବାକୁ ଲାଗିଲେ । ତରୁଣ ଭୂପତି ଶତ୍ରୁମାନଙ୍କର ଆରକ୍ତ କର୍ମସମୂହ ଭସ୍ମସାତ୍ କଲେ ଏବଂ ବୃଦ୍ଧ ନରପତି ଭବବନ୍ଧନର କାରଣରୂପୀ କର୍ମପରମ୍ପରାକୁ ତତ୍ତ୍ୱଜ୍ଞାନମୟ ବହ୍ନିଦ୍ୱାରା ଭସ୍ମୀଭୂତ କରିଦେଲେ । ଅଜ ଫଳଯୋଗ ବିବେଚନା କରି ସନ୍ଧିବିଗ୍ରହାଦି ପ୍ରୟୋଗ କରିବାକୁ ଲାଗିଲେ, ରଘୁ ଲୋଷ୍ଟ୍ରା କାଞ୍ଚନରେ ସମାନ ଜ୍ଞାନ ରଖି ସତ୍ତ୍ୱରଜସ୍ତମ ଏହି ଗୁଣକ୍ରୟକୁ ଜୟ କଲେ । ନବନରପତି ଫଳୋଦୟ ନ ହେବା ପର୍ଯ୍ୟନ୍ତ ପ୍ରାରବ୍ଧ କର୍ମରୁ ବିରତ ହେଉ ନ ଥିଲେ; ସ୍ଥିରଚେତା ପ୍ରାଚୀନ ଭୂପତି ମଧ୍ୟ ପରମାତ୍ମାଙ୍କ ସାକ୍ଷାତ୍‌କାର ନ ହେବା ପର୍ଯ୍ୟନ୍ତ ଯୋଗବିଧିରୁ ନିବୃତ୍ତ ହେଉ ନ ଥିଲେ । ଏହିପରି ଉଭୟେ ଶତ୍ରୁ ଓ ଇନ୍ଦ୍ରିୟପ୍ରବୃତ୍ତି ନିବାରଣ କରି ଉଦୟ ଓ ଅପବର୍ଗରେ ସଂସକ୍ତ-ଚିତ୍ତ ହେଲେ । ରଘୁ କେତେକ ବର୍ଷ ଶରୀର ଧାରଣ କରି ଶେଷରେ ଯୋଗବଳରେ ତନୁତ୍ୟାପୂର୍ବକ ପରମପଦ ପ୍ରାପ୍ତ ହେଲେ ।

 

ପିତାଙ୍କର ଦେହବିସର୍ଜନସଂବାଦ ଶ୍ରବଣ କରି ଅଜ ଏକାନ୍ତ ଶୋକାକୁଳ ହୋଇପଡ଼ିଲେ ଏବଂ ପରେ ଶୋକାବେଗ ସଂଚରଣ କରି ପତିମାନଙ୍କ ସହ ତାହାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାଧାନ କଲେ । ଯୋଗମାର୍ଗରେ ତନୁତ୍ୟାଗକାରୀ ତାଦୃଶ ମହାତ୍ମାମାନେ ପୁତ୍ରପ୍ରଦତ୍ତ ପିଣ୍ଡାଦିର ଅକାପ୍ପା କରନ୍ତି ନାହିଁ, ଏହା ଜାଣି ସୁଦ୍ଧା ଅଜ ପିତୃଭକ୍ତିପ୍ରଯୁକ୍ତ ତାହାଙ୍କର ଔର୍ଦ୍ଧ୍ୱ ଦୈହିକ କ୍ରିୟା ସକଳ ସମାପନ କଲେ ।

 

ପିତାଙ୍କ ମୃତ୍ୟୁପରେ ବୀର ଅଜ ସ୍ୱକୀୟ ଅସାଧାରଣ ଶକ୍ତି ସାହାଯ୍ୟରେ ସମଗ୍ର ଅବନୀମଣ୍ଡଳରେ ଏକାଧିପତ୍ୟ ବିସ୍ତାର କରି ପରମସୁଖରେ ରାଜ୍ୟଶାସନ କରିବାକୁ ଲାଗିଲେ । ତାହାଙ୍କର ସୌରାଜ୍ୟରେ ରତ୍ନପ୍ରସ୍ତ ବସୁମତୀଙ୍କ ପରି ତଦୀୟ ପ୍ରଣୟିନୀ ଇନ୍ଦୁମତୀ ଗୋଟିଏ ବୀରପୁତ୍ର ପ୍ରସବ କଲେ । ସେ ପୁତ୍ରଙ୍କୁ ଦଶଶତକରଧାରୀ ଭାସ୍କରବିମ୍ବ ପରି ତେଜସ୍ୱୀ ଦେଖି ଦଶରଥ ନାମରେ ଅଭିହିତ କଲେ । ମହାରାଜ ଅଜ ବେଦାଧ୍ୟୟନ ଯଜ୍ଞାନୁଷ୍ଠାନ ଓ ସନ୍ତାନୋତ୍ତାଦନଦ୍ୱାରା ଋଷି-ଋଣ, ଦେବ-ଋଣ ଓ ପିତୃ-ଋଣରୁ ମୁକ୍ତିଲାଭ କରି ପରିବେଶନିମୁକ୍ତ ମାର୍ତ୍ତଣ୍ଡମଣ୍ଡଳ ପରି ଅଧିକତର ଦୀପ୍ତିଶାଳୀ ହୋଇ ଉଠିଲେ । ତାହାଙ୍କର ଧନରାଶି ମାତ୍ର ଯେ ପରୋପକାର ନିମିତ୍ତ ସଞ୍ଚିତ ଥିଲା ତାହା ନୁହେ, ଗୁଣାବଳୀ ମଧ୍ୟ ପରହିତ ସମ୍ପାଦନରେ ନିତ୍ୟ ନିୟୋଜିତ ହେଉଥିଲା । ସେ ସ୍ୱୀୟ ଅସାଧାରଣ ଶକ୍ତିମତ୍ତା ବିପନ୍ନରକ୍ଷଣରେ ଏବଂ ବହୁଶାସ୍ତ୍ରଜ୍ଞତା ପଣ୍ଡିତମାନଙ୍କର ସତ୍କାରରେ ବିନିଯୋଗ କରି ଆପଣାକୁ କୃତକୃତ୍ୟ ମନେ କରୁଥିଲେ ।

 

ଏକଦା ଅଜ ପୌରକାର୍ଯ୍ୟ ପରିଦର୍ଶନାନନ୍ତର ଉଦ୍ୟାନବିହାର କାମନାରେ ପ୍ରିୟତମା ମହର୍ଷି ଇନ୍ଦୁମତୀଙ୍କ ସହ ନଗରପ୍ରାନ୍ତସ୍ଥିତ ଉପବନକୁ ଗମନ କଲେ । ଏହି ସମୟରେ ଦେବର୍ଷି ନାରଦ ଦକ୍ଷିଣ ମହାସାଗରତୀରବର୍ତ୍ତୀ ଗୋ-କର୍ଣ୍ଣେଶତୱର ଶିବଙ୍କ ଆରାଧନା ନିମିତ୍ତ ବୀଣାହସ୍ତରେ ଆକାଶପଥରେ ଗମନ କରୁଥିଲେ । ତାହାଙ୍କର ବୀଣାସଂଲଗ୍ନ ଦିବ୍ୟକୁସୁମମାଳା ବାୟୁପ୍ରବାହରେ ଚକିତ ହୋଇ ସ୍ୱର୍ଗୀୟ ସୌରଭରେ ଚତୁର୍ଦ୍ଦିଗ ପୂର୍ଣ୍ଣ କରି ଅବଶେଷରେ ଇନ୍ଦୁମତୀଙ୍କ ବକ୍ଷଃସ୍ଥଳରେ ନିପତିତ ହେଲା । ନରୋତ୍ତମ-ପ୍ରିୟା ଇନ୍ଦୁମତୀ ସ୍ୱୀୟ ବକ୍ଷୋପରିସ୍ତ ସେହି ମକରନ୍ଦମୟୀ ଦିବ୍ୟମାଳାର ସନ୍ଦର୍ଶନମାତ୍ରକେ ଏକାନ୍ତ ବିହ୍ୱଳ ହୋଇ ପଡ଼ିଲେ ଏବଂ ରାହୁଗ୍ରସ୍ତ ଶଶିକଳା ପରି ବିବର୍ଣ୍ଣ ହୋଇ ତତ୍‌କ୍ଷଣାତ୍ ପ୍ରାଣ ବିସର୍ଜନ କଲେ । ଯେପରି ପ୍ରଦୀପ୍ତ ଦୀପଶିଖାରୁ ତୈଳବିନ୍ଦୁ ଭୂପତିତ ହେଲେ ତତ୍‌ସଙ୍ଗେ ଦୀପାର୍ଜିର କିୟଦଂଶ ମଧ୍ୟ ନିପତିତ ହୁଏ ସେହିପରି ପ୍ରିୟତମାଙ୍କର ଗତଚେତନ ଦେହ ସଙ୍ଗେ ନରପତି ମଧ୍ୟ ମୂର୍ଚ୍ଛିତ ହୋଇ ପୃଥିବୀପୃଷ୍ଠରେ ପତିତ ହେଲେ । ଏହି ମହାବିସ୍ମୟକର ବ୍ୟାପର ଦର୍ଶନରେ ରାଜା ଓ ରାଜ୍ଞୀ ଉଭୟଙ୍କର ପାର୍ଶ୍ୱଚରମାନେ ହାହାକାର କରି ଉଠିଲେ; ତତ୍ରତ୍ୟ ବୃକ୍ଷଲତାସମୂହ ମଧ୍ୟ ଉଦ୍ୟାନଚାରୀ ପକ୍ଷି-କୁଳ ବରାବଦ୍ୱାରା କରୁଣ ବିଳାପ କଲେ । ଅନନ୍ତର ବ୍ୟନନାଦି ଉପଚାର ଦ୍ୱାରା ରାଜାଙ୍କର ଅଚୈତନ୍ୟ ବିୟତ୍‌ପରିମାଣରେ ଅପସାରିତ ହେଲା; କିନ୍ତୁ ରାଜ୍ଞୀ ସେହିପରି ଅବସ୍ଥାରେ ପଡ଼ି ରହିଲେ । ପରମାୟୁର ଅବଶେଷ ନ ଥିଲେ ପ୍ରତୀକାରବିଧାନ ଫଳୋପଧାୟକ ହୁଏ କି ? ତତ୍‌ପରେ ସେ ପ୍ରେୟସୀଙ୍କ ଚୈତନ୍ୟଶୂନ୍ୟ କଳେବରକୁ ପ୍ରତିଯୋଜୟିତବ୍ୟ ବୀଣା ପରି ସ୍ୱୀୟ ଅଙ୍କଦେଶରେ ସ୍ଥାପନ କରି ଅବିରଳ ଧାରାରେ ଅଶ୍ରୁ ବିମୋଚନ କରିବାକୁ ଲାଗିଲେ । ଇନ୍ଦ୍ରିୟାପଗମ ହେତୁ ଇନ୍ଦୁମତୀଙ୍କ ଶରୀର ବିବର୍ଣ୍ଣ ହୋଇ ପଡ଼ିଥିଲା । ସୁତରାଂ ନୃପତି କ୍ରୋଡ଼ରେ ଧାରଣ କରି ମଳିନ ମୃଗଲେଖାଧାରୀ ପ୍ରଭାତ-କାଳୀନ ଚନ୍ଦ୍ରମାଙ୍କ ପରି ଦିଶିଲେ । ସେ ସ୍ୱୀୟ ସ୍ୱଭାବସୁଲଭ ଧୈର୍ଯ୍ୟ ପରିତ୍ୟାଗ କରି ବାସ୍ପଚଦ୍‌ଗଦଳଣ୍ଠରେ ବିଳାପ କରିବାକୁ ଲାଗିଲେ । ରକ୍ତମାଂସମୟ ଶରୀରଧାରୀ ମନୁଷ୍ୟ କଥା ବା କଣ କହିବା ? କଠିନ ଲୌହ ମଧ୍ୟ ଅଗ୍ନି ଉତ୍ତାପରେ ଅଭିତପ୍ତ ହେଲେ ତରଳଭାବ ଧାରଣ କରେ । ସେହି ଦିବ୍ୟ କୁସୁମମାଳା ପ୍ରତି ଦୃଷ୍ଟିପାତ କରି ରାଜା କରୁଣସ୍ୱରରେ କହିଲେ, ହାୟ ! ଯେବେ ଏହି ସୁକୋମଳ କୁସୁମ ମଧ୍ୟ ଶରୀର ସ୍ପର୍ଶ ମାତ୍ରକେ ପ୍ରାଣସଂହାର କରିପାରେ, ତେବେ ସଂସାରରେ ଆଉ କେଉଁ ବସ୍ତୁ ଜୀବନଜିହୀତ ବିଧାତାଙ୍କର ସଂହାରାସ୍ତ୍ର ହୋଇ ନ ପାରେ ? ଅଥବା କାଳ ସୁକୁମାର ବସ୍ତୁଦ୍ୱାରାହିଁ ସୁକୁମାରବସ୍ତୁର ବିନାଶ ସାଧନ କରେ; ହିମପାତ-ଦଗ୍ଧ-ନଳିନୀ ଏ ବିଷୟରେ ପ୍ରତ୍ୟକ୍ଷ ନିଦର୍ଶନ । ଯେବେ ଏହି ପୁଷ୍ପମାଳା ଜୀବନ ବିନାଶକ୍ଷମ, ତେବେ ମୁଁ ତ ଏହାକୁ ବହୁକ୍ଷଣ ହୃଦୟରେ ଧାରଣ କରିଅଛି । କାହିଁ ମୋର ତ ପ୍ରାଣନାଶ କରୁ ନାହିଁ; ଅହୋ, ଏବେ ବୁଝିଲି ଈଶ୍ୱରେଚ୍ଛାରେ କେଉଁ ସ୍ଥଳରେ ବିଷ ଅମୃତରେ ଏବଂ କେଉଁ ସ୍ଥଳରେ ବା ଅମୃତ ବିଷରେ ପରିଣତ ହୁଏ । ଅଥବା ମୋର ଭାଗ୍ୟବିପର୍ଯ୍ୟୟ ହେତୁରୁ ବିଧାତା ଏହି ଅଶନି ସୃଷ୍ଟି କରିଅଛନ୍ତି; କାରଣ ଏହାଦ୍ୱାରା ବୃକ୍ଷ ନିପତିତ ହେଲା ନାହିଁ, କିନ୍ତୁ ବୃକ୍ଷାଶ୍ରିତ ଲତା ବିନାଶପ୍ରାପ୍ତ ହେଲା ।

 

ଅନନ୍ତର ନରପତି ଇନ୍ଦୁମତିଙ୍କ ମୃତଦେହକୁ ଅବଲୋକନ କରି ଏକାନ୍ତ ଅଧୀର ହୋଇ ବିକଳ କଣ୍ଠରେ କହିବାକୁ ଲାଗିଲେ ‘‘ଅୟି ପ୍ରିୟେ ! ଶତ ଅପରାଧ କଲେ ସୁଦ୍ଧା ତୁମ୍ଭେ କେବେ ମୋ ପ୍ରତି ଅନାଦର ପ୍ରଦର୍ଶନ କରି ନାହଁ, କିନ୍ତୁ ଆଜି ତ ମୁଁ କୌଣସି ଅପରାଧ କରି ନାହିଁ, ତୁମ୍ଭେ କାହିଁକି ମୋତେ ସମ୍ଭାଷଣ କରୁ ନାହଁ ? ଅୟି ଶୁଚିସ୍ମିତେ ! ତୁମ୍ଭେ ମୋତେ ନିଶ୍ଚୟ ଶଠ ଏବଂ କୈତବ ବୋଲି ମନେ କରିଥିଲ, ତାହା ହୋଇ ନ ଥିଲେ ମୋତେ ନ କହି ଚିରଦିନ । ନିମିତ୍ତ ଇହଲୋକ ପରିତ୍ୟାଗ କରିଥାନ୍ତି କି ? ରେ ହତଜୀବିତ ! ତୁ ଯେବେ ମୂର୍ଚ୍ଛାବସ୍ଥାରେ ପ୍ରିୟତମାଙ୍କର ଅନୁଗମନ କରିଥିଲୁ, ତେବେ ତାଙ୍କୁ ଛାଡ଼ି କାହିଁକି ପୁନର୍ବାର ପ୍ରତ୍ୟାବର୍ତ୍ତନ କଲୁ ? ତାହାହେଲେ ବର୍ତ୍ତମାନ ଆତ୍ମକୃତ ଅପରାଧର ଫଳସ୍ୱରୂପ ତିବ୍ର ବିରହବେଦନା ଅନୁଭବ କର । ଅୟି ସଖି ! ତୁମ୍ଭ ବଦନସରୋଜରେ ବିହାରଶ୍ରମଜନିତ ସ୍ୱେଦବିନ୍ଦୁ ଅଦ୍ୟାପି ବର୍ତ୍ତମାନ ଅଛି । କିନ୍ତୁ ତୁମ୍ଭେ ସ୍ୱୟଂ ଦେହତ୍ୟାଗ କରି ଚାଲି ଯାଇଅଛି । ଶରୀରର ଈଦୃଶ ଅସାରତାକୁ ଧିକ୍ ! ହା ପ୍ରିୟେ ! ମୁଁ ମନୋମଧ୍ୟରେ ସୁଦ୍ଧା କେତେବେଳେ ତୁମ୍ଭର ଅପ୍ରିୟାଚରଣ କରି ନାହିଁ । ତେବେ କି ହେତୁରୁ ତୁମ୍ଭେ ମୋତେ ପରିତ୍ୟାଗ କଲ ? ମୁଁ ନାମମାତ୍ର ପୃଥିବୀର ପତି, ଫଳତଃ ତୁମ୍ଭଠାରେ ଦୃଢ଼ରୂପେ ଅନୁରକ୍ତ ଥିବାରୁ ମୁଁ ତୁମ୍ଭରହିଁ ପତି ଥିଲି । ହା କରଭୋରୁ ! ସମୀରଣ ତୁମ୍ଭର କୁସୁମଖଚିତ ଭୃଙ୍ଗରୁଚି କୁଟିଳ ଅଳକାବଳିକୁ କମ୍ପିତ କରିବାରୁ ମୋର ମନେ ହେଉଅଛି, ତୁମ୍ଭେ ମୋର ଦୁଃସହ ଯନ୍ତ୍ରଣା ଅବଲୋକନ କରି ପ୍ରତ୍ୟାଗମନ କଲ କି ? ହେ ପ୍ରିୟତମେ ! ରାତ୍ରି ଉପସ୍ଥିତ ହେଲେ ଓଷଧି ସକଳ ଯେପରି ପ୍ରଜ୍ୱଳିତ ହୋଇ ହିମାଦ୍ରିର ଗୁହାଭ୍ୟନ୍ତରସ୍ଥ ଅନ୍ଧକାର-ସମୂହ ବିନାଶ କରେ, ତୁମ୍ଭେ ସେହିପରି ସଂଜ୍ଞାଲାଭ କରି ମୋର ଦୁଃଖ ଦୂର କର ।

 

‘‘ପୁନଃସମାଗମାକାପ୍ପାରେ ଶଶାଙ୍କ ରଜନୀଠାରୁ ଓ ଚକ୍ରବାକ ଚକ୍ରବାକୀଠାରୁ ବିଚ୍ଛେଦଜନିତ ଯନ୍ତ୍ରଣା ସହ୍ୟ କରି ପାରନ୍ତି, ମାତ୍ର ତୁମ୍ଭେ ଚିରକାଳ ନିମିତ୍ତ ମୋତେ ପରିତ୍ୟାଗ କରିଅଛ, ମୁଁ ଏହା କିପରି ସହିବି ? ଅୟି ପ୍ରଣୟିନି ! ତୁମ୍ଭର ଯେଉଁ ସୁକୁମାର ଶରୀର ନବପଲ୍ଲବ ରଚିତ ସୁକୋମଳ ଶଯ୍ୟାରେ ଶୟନ କରି କ୍ଳେଶ ଅନୁଭବ କରୁଥିଲା, ଆଜି ତାହା କିପରି ଚିତାରୋହଣଜନିତ ନିଦାରୁଣ କଷ୍ଟ ସହ୍ୟ କରିବ ତୁମ୍ଭେ ସୁରଲୋକଗମନାଭିଳାଷିଣୀ ହୋଇ ମୋର ଚିତ୍ତବିନୋଦନ ନିମିତ୍ତ କୋକିଳଠାରେ ମଧୁରଭାଷଣ, କଳହଂସୀଠାରେ ମଦମନ୍ଥରଗମନ, ହରିଣୀଠାରେ ବିଲୋଳଲୋଚନ ଏବଂ ପବନକମ୍ପିତ ଲତାଠାରେ ସ୍ୱକୀୟ ବିଳାସ ସମର୍ପଣ କରି ଯାଇଅଛଇ ସତ୍ୟ ମାତ୍ର ମୋର ବିରହବ୍ୟଥା ଏତେ ପ୍ରବଳ ହୋଇଅଛି ଯେ ସେ ସବୁ ମୋର ଅନ୍ତଃକରଣରେ କୌଣସିରୂପେ ଶାନ୍ତି ପ୍ରଦାନ କରି ପାରୁ ନାହିଁ । ସଖି ! ତୁମ୍ଭେ ଏହି ସହକାରତରୁ ସଙ୍ଗେ ପ୍ରିୟଙ୍ଗୁଲତାକୁ ମିଥୁନ ଭାବରେ ସମୃଦ୍ଧ କରିବ ବୋଲି ବହୁଦିନରୁ କଳ୍ପନା କରିଥିଲ, ସେମାନଙ୍କର ପରିଣୟକାର୍ଯ୍ୟ ସମ୍ପାଦନ ନ କରି ସ୍ୱର୍ଗମନ କରିବା ତୁମ୍ଭ ପକ୍ଷରେ ଉଚିତ ହୋଇ ନାହିଁ । ତୁମ୍ଭର ପାଦ ତାଡ଼ନାରେ କୃତଦୋହଦ ଏହି ଅଶୋକତରୁ ଯେଉଁ କୁସୁମରାଶି ପ୍ରସବ କରିବ, ତଦ୍ଦ୍ୱାରା ତୁମ୍ଭର ଅଳକାଭରଣ ପ୍ରସ୍ତୁତି କରିବ ବୋଲି ଆଶା କରିଥିଲା । ଆହା ବର୍ତ୍ତମାନ ତଦ୍ଦ୍ୱାରା ମୁଁ କିପରି ତୁମ୍ଭର ପ୍ରେତମାଳା ରଚନା କରିବି ? ଅୟି ସୁଗାତ୍ରି ! ଦେଖ, ଏହି ଅଶୋକବୃକ୍ଷ ତୁମ୍ଭର ନୂପୁରଶବ୍ଦଯୁକ୍ତ ଦୁର୍ଲଭ ଚରଣତାଡ଼ନାରୂପ ଅନୁଗ୍ରହ ସ୍ମରଣ କରି କୁସୁମ ବର୍ଷଣ ଛଳରେ ସମ୍ପ୍ରତି ଅଶ୍ରୁ ବିମୋଚନ କରୁଅଛି । ହେ କିନ୍ନରକଣ୍ଠି ! ତୁମ୍ଭେ ସୌରଭମୟ ବକୁଳପୁଷ୍ପଦ୍ୱାରା ଯେଉଁ ବିଳାସମେଖଳା ଅର୍ଦ୍ଧମାତ୍ର ରଚନା କରିଅଛି, ତାହା ପରିସମାପ୍ତ ନ ହେଉଁ କେଉଁଆଡ଼େ ଚାଲିଗଲ ? ତୁମ୍ଭର ସହଚରୀଗଣ ନିତ୍ୟ ତୁମ୍ଭର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ, ରୂପବାନ୍ ଏହି ଶିଶୁପୁତ୍ରଟି ଦ୍ୱିତୀୟା ଚନ୍ଦ୍ରତୂଲ୍ୟ ଓ ମୁଁ ତୁମ୍ଭଠାରେ ଏକାନ୍ତ ଅନୁରକ୍ତ, ଏପରି ଅବସ୍ଥାରେ ତୁମ୍ଭେ କି ଦୁଃଖରେ ସଂସାର ତ୍ୟାଗ କରିଗଲ, କିଛି ସ୍ଥିର କରି ପାରୁ ନାହିଁ । ପ୍ରିୟେ ! ଆଜିଠାରୁ ମୋର ପୃତି ଲୁପ୍ତ ହେଲା, ଅନୁରାଗ ନିବୃତ୍ତ ହେଲା, ଗୀତ ରହିତ ହେଲା, ବସନ୍ତାଦି ଋତୁମାନେ ଉତ୍ସବହୀନ ହେଲେ, ଆଭରଣ-ପ୍ରୟୋଜନ ଅପଗତି ହେଲା ଏବଂ ଶୟନ ପରିଶୂନ୍ୟ ହେଲା । ଅୟି ପ୍ରେୟସି ! ତୁମ୍ଭେ ମୋର ଗୃହିଣୀ, ତୁମ୍ଭେ ମୋର ସଚିବ, ତୁମ୍ଭେ ମୋର ନର୍ମସଖୀ ଏବଂ ଲଳିତକଳା ବିଦ୍ୟାରେ ପ୍ରିୟଶିଷ୍ୟା ଥିଲ; ନିର୍ଦ୍ଦୟ ବିଧି ତୁମ୍ଭଙ୍କୁ ହରଣ କରିବାଦ୍ୱାରା ମୋର କିପରି ସର୍ବନାଶ କଲା ଥରେ ଭାବି ଦେଖ । ହେ ପ୍ରାଣପ୍ରିୟେ ! ଅତୁଳ ଐଶ୍ୱର୍ଯ୍ୟର ଅଧିକାରୀ ହେଲେହେଁ ତୁମ୍ଭ ବିନା ଆଜିଠାରୁ ଅଜର ସୁଖଭୋଗ ଶେଷ ହୋଇଗଲା । କାରଣ ତାହାର ତାବତୀୟ ସୁଖସମ୍ଭୋଗ ତୁମ୍ଭର ହିଁ ଅଧୀନ ଥିଲା ।’’

 

କୋଶଳାଧିପତି ଅଜଙ୍କର ଏହି କରୁଣ କ୍ରନ୍ଦନଧ୍ୱନି ଶ୍ରବଣ କରି ଉଦ୍ୟାନସ୍ଥ ମହୀରୁହଗଣ ମଧ୍ୟ ମକରନ୍ଦନିସ୍ୟନ୍ଦ ଛଳରେ ଅଶ୍ରୁବର୍ଷଣ କରିଥିଲେ । ଅନନ୍ତର ସ୍ୱଜନଗଣ ବହୁକଷ୍ଟରେ ତାହାଙ୍କର ଅଙ୍କଦେଶରୁ ଇନ୍ଦୁମତୀଙ୍କୁ ଅପସାରିତ କରି, ସେହି ଦିବ୍ୟମାଲ୍ୟରେ ତଦୀୟ ଅନ୍ତିମ ଆଭରଣ ସମ୍ପାଦନପୂର୍ବକ ଅଗୁରୁଚନ୍ଦନକାଷ୍ଠପ୍ରଦୀପ୍ତ ଚିତାନଳରେ ତାହାଙ୍କୁ ସମର୍ପଣ କଲେ-। ଅଜ ପ୍ରଣୟିନୀଙ୍କ ଚିତାନଳରେ ସ୍ୱଦେହ ଭସ୍ମସାତ୍ କରିବାପାଇଁ ଉଦ୍ଗୋଗ କରିଥିଲେ, ‘‘ଅଜ ରାଜା ହୋଇ ସ୍ୱୀୟ ସ୍ୱୀୟ ଅନୁମୃତ ହେଲେ’’ ଏହି ଲୋକାପବାଦଭୟରେ ତହିଁରୁ ନିବୃତ୍ତ ହେଲେ; ନଚେତ୍ ଇନ୍ଦୁମତୀଙ୍କ ମୃତ୍ୟୁ ପରେ ତାଙ୍କର ଜୀବନଧାରଣରେ ଆଦୌ ସ୍ପୃହା ନ ଥିଲା । ସେହି ଉଦ୍ୟାନ ମଧ୍ୟରେ ଅବସ୍ଥାନ କରି ଦଶଦିବସ ପରେ ବିଧାନାନୁସାରେ ଅତ୍ୟନ୍ତ ସମାରୋହ ସହକାରେ ଗୁଣଶେଷା ପ୍ରଣୟିନୀଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧାଦି ସମାଧାନ କଲେ । ଅନନ୍ତର ପ୍ରିୟାବିରହବିଧୁର ନୃପତି ପ୍ରଭାତକାଳୀନ ଚନ୍ଦ୍ରମାଙ୍କ ପରି ମ୍ଳାନବେଶରେ ଶୋକାଶ୍ରୁ ସମ୍ବଳିତ ପୁରନାରୀମାନଙ୍କକର୍ତ୍ତୃକ ପରିଦୃଷ୍ଟ ହୋଇ ନଗର ମଧ୍ୟରେ ପ୍ରବେଶ କଲେ । ଏଣେ ସ୍ୱୀୟ ଆଶ୍ରମରେ କୁଳଗୁରୁ ମହର୍ଷି ବଶିଷ୍ଠ ସମାଧିବଳରେ ଏହି ସମସ୍ତ ବୃତ୍ତାନ୍ତ ଅବଗତ ହୋଇ ଶୋକାଭିସନ୍ତପ୍ତ ଅଜଙ୍କ ପ୍ରବୋଧ ନିମିତ୍ତ ଜଣେ ଶିଷ୍ୟ ପ୍ରେରଣ କଲେ । ଶିଷ୍ୟ ନୃପତିଙ୍କ ସନ୍ନିଧାନରେ ଉପସ୍ଥିତ ହୋଇ କହିଲେ, ‘ମହାରାଜ ! ମହର୍ଷି ସମ୍ପ୍ରତି ଯଜ୍ଞକର୍ମରେ ଦୀକ୍ଷିତ ଅଛନ୍ତି ସୁତରାଂ ସେ ଆପଣଙ୍କୁ ପ୍ରକୃତିସ୍ଥ କରିବାପାଇଁ ସ୍ୱୟଂ ଏଠାକୁ ଆସି ପାରିଲେ ନାହିଁ । ସେ ଆମ୍ଭଦ୍ୱାରା ଆପଣଙ୍କ ନିକଟରୁ କେତେକ ଉପଦେଶ କହି ପଠାଇ ଅଛନ୍ତି, ଆପଣ ଅବହିତଚିତ୍ତରେ ସେ ସମସ୍ତ ଶ୍ରବଣ କରି ହୃଦୟରେ ଧାରଣ କରନ୍ତୁ । ଭଗବାନ୍ ବଶିଷ୍ଠ ସ୍ୱୀୟ ଅପ୍ରତିହତ ଜ୍ଞାନଚକ୍ଷୁରେ ଭୂତ ଭବିଷ୍ୟତ୍ ବର୍ତ୍ତମାନ ତିନିକାଳର ତତ୍ତ୍ୱ ଜାଣି ପାରନ୍ତି ।

 

‘‘ମହାରାଜ ! ପୂର୍ବକାଳରେ ତୃଣବିନ୍ଦୁ ନାମରେ ଜଣେ ଋଷିଙ୍କର ଉଗ୍ରତପଶ୍ଚରଣରେ ଭୀତ ହୋଇ ଇନ୍ଦ୍ର ତାଙ୍କର ସମାଧିଭଙ୍ଗ ଉଦ୍ଦେଶ୍ୟରେ ହରିଣୀ ନାମରେ ଜଣେ ସୁରାଙ୍ଗନାଙ୍କୁ ପ୍ରେରଣ କଲେ । ହରିଣୀ ତଦୀପ୍ତ ଆଶ୍ରମରେ ଉପସ୍ଥିତ ହୋଇ ସମାଧିଭଙ୍ଗ ନିମିତ୍ତ ତାଙ୍କ ସମ୍ମୁଖରେ ନାନାବିଧ ବିଳାସବିଭ୍ରମ ପ୍ରଦର୍ଶନ କଲେ । ତହିଁରେ ମହର୍ଷି କ୍ରୁଦ୍ଧ ହୋଇ ତାଙ୍କୁ ଅଭିଶାପ ଦେଲେ, ତୁମ୍ଭେ ମର୍ତ୍ତ୍ୟଲୋକରେ ମାନୁଷୀ ହୁଅ । ଶାପ-ଶ୍ରବଣରେ ହରିଣୀ ମହର୍ଷିଙ୍କ ଚରଣତଳରେ ପ୍ରଣିପାତ କରି ନିବେଦନ କଲେ, ‘ମହାତ୍ମନ୍, ମୁଁ ପରାଧିନ ଆପଣଙ୍କର ପ୍ରତିକୂଳାଚରଣହେତୁ ଯେଉଁ ଅପରାଧ କରିଅଛି, ତାହା କୃପା କରି ମାର୍ଜନା କରନ୍ତୁ ।’ ନାରୀ-ଜନର କାରୁଣ୍ୟପୂର୍ଣ୍ଣ ଲୋତକଜଳରେ ମହର୍ଷିଙ୍କ କୋପାନଳ ନିର୍ବାପିତ ହୋଇଗଲା, ଆମ୍ଭର ବାକ୍ୟ କଦାପି ଅନ୍ୟଥା ହେବ ନାହିଁ; ଯେ ପର୍ଯ୍ୟନ୍ତ ତୁମ୍ଭେ ସୁରପୁଷ୍ପ ଦର୍ଶନ ନ କରିବ, ସେପର୍ଯ୍ୟନ୍ତ ମାନୁଷୀ ହୋଇ ମର୍ତ୍ତ୍ୟଲୋକରେ ଅବସ୍ଥାନ କରିବ । ସୁରପୁଷ୍ପ ଦର୍ଶନମାତ୍ରକେ ତୁମ୍ଭେ ଶାପମୁକ୍ତ ହୋଇ ଦିବ୍ୟଶରୀର ଧାରଣପୂର୍ବକ ପୁନରପି ସୁରଲୋକକୁ ଆସିବ ।’

 

‘‘ମହାରାଜ ! ସେହି ହରିଣୀ ତଥକୈଶିକବଂଶରେ ଇନ୍ଦୁମତୀ ନାମରେ ଜନ୍ମଗ୍ରହଣ କରି ଆଜିପର୍ଯ୍ୟନ୍ତ ଆପଣଙ୍କର ମହିଷୀ ହୋଇଥିଲେ । ଶାପ ନିବୃତ୍ତିର ନିଦାନସ୍ୱରୂପ ସୁରକୁସୁମ ଦର୍ଶନ କରି ସେ ସମ୍ପ୍ରତି ମାନୁଷୀବିଗ୍ରହ ପରିତ୍ୟାଗ କରିଅଛନ୍ତି । ଅତଏବ ବର୍ତ୍ତମାନ ତାଙ୍କପାଇଁ ଶୋକ କରିବା ନିଷ୍ପ୍ରୟୋଜନ । ଜନ୍ମଗ୍ରହଣ କଲେ ମୃତ୍ୟୁ ସୁନିଶ୍ଚିତ । ବର୍ତ୍ତମାନ ଆପଣ ଏହି ବସୁମତୀକୁ ପାଳନ କରନ୍ତୁ । ବସୁମତୀହିଁ ରାଜାଙ୍କର କଳତ୍ରସ୍ଥାନୀୟ ଆଉ ମଧ୍ୟ ଆପଣ ଅଭ୍ୟୁଦୟ ସମୟରେ ଅପ୍ରମତ୍ତ ହୋଇ ଅଧ୍ୟାତ୍ମଶାସ୍ତ୍ରାଲୋଚନାଦ୍ୱାରା ଯେଉଁ ଜ୍ଞାନଲାଭ କରିଅଛନ୍ତି, ସମ୍ପ୍ରତି ମାନସିକ ସନ୍ତାପବେଳେ ଧୈର୍ଯ୍ୟବଲମ୍ବନପୂର୍ବକ ସେହି ସମସ୍ତ ଜ୍ଞାନ ପ୍ରକାଶ କରନ୍ତୁ । ଦେଖିବା ହେଉ, ଆପଣ ନିରନ୍ତର ରୋଦନ କଲେହେଁ ତାଙ୍କୁ ପାଇ ପାରିବେ ନାହିଁ, ଅନୁମୃତ ହେଲେ ମଧ୍ୟ ତାଙ୍କ ସଙ୍ଗେ ଆପଣଙ୍କର ସାକ୍ଷାତ୍‌କାର ହେବା ଏକାନ୍ତ ଦୁର୍ଲଭ । କାରଣ ପରଲୋକଗାମୀ ଜୀବଗଣ ସ୍ୱ ସ୍ୱ କର୍ମାନୁସାରେ ଭିନ୍ନ ଭିନ୍ନ ପଥରେ ଗମନ କରନ୍ତି । ଅତଏବ ମହାରାଜ ! ମନରୁ ଶୋକ ଦୂର କରନ୍ତୁ । ଧର୍ମଶାସ୍ତ୍ରରେ କଥିତ ଅଛି ଯେ, ସ୍ୱଜନମାନେ ମୃତବ୍ୟକ୍ତି ଉଦ୍ଦେଶ୍ୟରେ ଯେତେ ରୋଦନ କରନ୍ତି, ପ୍ରେତ ପରଲୋକରେ ସେହି ଶୋକାଶ୍ରୁଦ୍ୱାରା ତେତେ ଦଗ୍ଧ ହୁଏ । ପଣ୍ଡିତମାନେ କହନ୍ତି, ମରଣହିଁ ଶରୀରୀ ଜୀବର ପ୍ରକୃତି, ଜୀବର ପ୍ରକୃତି, ଜୀବନଧାରଣହିଁ ବିକୃତି, ଅତଏବ ଯେତେ ସମୟ ଏ ସଂସାରରେ ଜୀବନଧାରଣ କରାଯାଏ, ତାହାହିଁ ପରମଲାଭ । ମୂଢ଼ଲୋକମାନେ ପ୍ରିୟନାଶକୁ ହୃଦୟନିହିତ ଶଲ୍ୟ ପରି ମନେ କରନ୍ତି; ମାତ୍ର ସ୍ଥିରବୁଦ୍ଧି ମନୀଷୀମାନେ ତାହାକୁ ପ୍ରିୟଜନର ମୋକ୍ଷୋପାୟ ମନେ କରି ହୃଦୟୋଦ୍ଧୃତ ଶଲ୍ୟ ପରି ଜ୍ଞାନ କରନ୍ତି । ଆଉ ମଧ୍ୟ ବିଚାର କରି ଦେଖନ୍ତୁ, ଯେତେବେଳେ ସ୍ୱୀୟ ଶରୀର ଓ ଆତ୍ମାର ସଂଯୋଗ ବିୟୋଗ ପ୍ରତ୍ୟକ୍ଷସନ୍ଧ, ସେତେବେଳେ ପୁତ୍ରକଳତ୍ର ପ୍ରଭୃତି ବାହ୍ୟ ବିଷୟବିରହରେ ଅନୁତପ୍ତ ହେବା ଉଚିତ କି ? ହେ ଜିତେନ୍ଦ୍ରୟବର୍ଯ୍ୟ । ପ୍ରାକୃତ ଲୋକ ପରି ଶୋକରେ ଅଭିଭୂତ ହେବା ଆପଣଙ୍କ ପକ୍ଷରେ ଉଚିତ ନୁହେ । ଯେବେ ବାୟୂପ୍ରବାହରେ ବୃକ୍ଷ ଓ ପର୍ବତ ଉଭୟ ବିଚଳିତ ହୁଅନ୍ତି, ତେବେ ଏମାନଙ୍କ ମଧ୍ୟରେ ଆଉ ପାର୍ଥକ୍ୟ କଣ ?’’

 

ଅନନ୍ତର ଅଜ ଉଦାରଚେତା ମହର୍ଷିଙ୍କ ଉପଦେଶବାକ୍ୟ ସ୍ୱୀକାର ପୂର୍ବକ ଶିଷ୍ୟଙ୍କୁ ବିଦାୟ ପ୍ରଦାନ କଲେ, ମାତ୍ର ତାହାଙ୍କର ସେହି ଉପଦେଶ ବାକ୍ୟ ଅଜଙ୍କ ଶୋକସନ୍ତପ୍ତ ହୃଦୟରେ ସ୍ଥାନ ନ ପାଇ ସତେ ଯେପରି ଶିଷ୍ୟଙ୍କ ସଙ୍ଗେ ସଙ୍ଗେ ବଶିଷ୍ଠଙ୍କ ସମୀପକୁ ଚାଲିଗଲା । ମହାରାଜ ଅଜ ସେତେବେଳେ କୁମାର ଦଶରଥଙ୍କୁ ନିତାନ୍ତ ବାଳକ ଦେଖି ପ୍ରଣୟିନୀଙ୍କର ପ୍ରତିକୃତି ପ୍ରଭୃତି ଦର୍ଶନଦ୍ୱାରା ଅତି କଷ୍ଟରେ ଆଠ ବର୍ଷ ଅତିବାହିତ କଲେ । ଯେପରି ବଟବୃକ୍ଷର ପ୍ରରୋହ ସୌଧତଳକୁ ଭେଦ କରେ ସେହିପରି ତୀବ୍ର ଶୋକଶଙ୍କୁ ତାଙ୍କ ହୃଦୟକୁ ଭେଦ କଲା । ମାତ୍ର ଶୀଘ୍ର ପ୍ରାଣପ୍ରୟାଣ ହେଲେ ପ୍ରିୟତମାଙ୍କୁ ପାଇ ପାରିବେ ଏହା ଭାବି ସେ ବୈଦ୍ୟଗଣଙ୍କର ଅସାଧ୍ୟ ମୃତ୍ୟୁ ନିଦାନ ସେହି ଶୋକକୁ ପରମଲାଭ ବୋଲି ମନେ କରିବାକୁ ଲାଗିଲେ । ତତ୍ତ୍ୱରେ ଅଜ ପ୍ରାପ୍ତବୟସ୍କ କୁମାର ଦଶରଥଙ୍କୁ ପ୍ରଜାପାଳନ କାର୍ଯ୍ୟରେ ବିଧାନାନୁସାରେ ନିଯୁକ୍ତ କରି ରୋଗକ୍ଳିଷ୍ଟ ଶରୀର ଧରଣରେ ଏକାନ୍ତ ଅନିଚ୍ଛୁକ ହୋଇ ଦେହତ୍ୟାଗ ଇଚ୍ଛାରେ ପ୍ରାୟୋପବେଶନ ନିମିତ୍ତ ଅଭିଳାଷୀ ହେଲେ । ଅନନ୍ତର ସେ ସରଯୂ ଓ ଜାହ୍ନବୀର ସଙ୍ଗମସ୍ଥଳ ପବିତ୍ର ତୀର୍ଥରେ କଳେବର ପରିତ୍ୟାଗପୂର୍ବକ ତତ୍‌କ୍ଷଣାତ୍ ଦେବଗଣଙ୍କ ସହ ମିଳିତ ହୋଇ ପୂର୍ବାପେକ୍ଷା ଅଧିକତର ସୌନ୍ଦର୍ଯ୍ୟଶାଳିନୀ କାନ୍ତାଙ୍କ ସଙ୍ଗେ ନନ୍ଦନକାନନର ଅନ୍ତର୍ବତ୍ତୀ ଲୀଳାଗୃହରେ ପୁନରପି ବିହାର କରିବାକୁ ଲାଗିଲେ ।

Image

 

ଦଶରଥଙ୍କ ମୃଗୟା

 

ଜିତେନ୍ଦ୍ରିୟ ବୀରବର ଦଶରଥ ପିତାଙ୍କ ପରେ ଉତ୍ତରକୋଶଳର ଅଧିପତି ହୋଇ ଯଥାନିୟମରେ ପ୍ରକୃତିରଞ୍ଜନ କରିବାଦ୍ୱାରା ଅଳ୍ପକାଳ ମଧ୍ୟରେ ଅନଳ୍ପଯଶର ଅଧିକାରୀ ହୋଇ ଉଠିଲେ । ସେହି ପବିତ୍ରତେଜା ରାଜାଙ୍କ ରାଜତ୍ୱରେ ପ୍ରଜାମାନେ ରୋଗେଶେ କରେ ଅଭିଭୁତ ହେଉ ନ ଥିଲେ, ପୃଥିବୀ ଶସ୍ୟଶାଳିନୀ ହେଉଥିଲା ଏବଂ ରାଜ୍ୟ ମଧ୍ୟରେ ଶତ୍ରୁ କୃତ ଅଭିଭବର ନାମମାତ୍ର ଶୁଣା ଯାଉ ନ ଥିଲା । ଦିଗ୍‌ବିଜୟୀ ମହାରାଜ ରଘୁଙ୍କ ସମୟରେ ଏବଂ ତତ୍ତ୍ୱରେ ତତ୍‌ପୁତ୍ତ୍ର, ପରାକ୍ରାନ୍ତ ଅଜଙ୍କ ରାଜତ୍ୱରେ ପୃଥିବୀ ଯେପରି ଶ୍ରୀସମ୍ପନ୍ନା ଥିଲା, ଅମରତେଜା ମହନୀୟକୀର୍ତ୍ତି ଦଶରଥଙ୍କ ସମୟରେ ମଧ୍ୟ ସେହିପରି ସୌଭାଗ୍ୟବତୀ ହୋଇ ଶୋଭା ପାଇବାକୁ ଲାଗିଲା । ସେ ଧନରେ କୁବେର ସମ, ଅସାନୁନିଗ୍ରରେ ବରୁଣ ସମ, ଅପକ୍ଷପାତିତାରେ କୃତାନ୍ତ ସମ ଓ ତେଜରେ ସୂର୍ଯ୍ୟ ସମ ଥିଲେ । କି ମୃଗୟା, କି ଦୁରୋଦର, କି ମଦିରା, କିବା ନବଯୌବନା ନାରୀ କେହି ସେହି ଅଭ୍ୟୁଦୟାକାପ୍ପୀ ନରପତିଙ୍କୁ ଆକର୍ଷଣ କରି ପାରୁ ନ ଥିଲା । ଇନ୍ଦ୍ରପ୍ରଭୁ ହେଲେ ସୁଦ୍ଧା ସେ କେବେହେଁ ତାଙ୍କ ନିକଟରେ ଦୀନବାକ୍ୟ ପ୍ରୟୋଗ କରୁ ନ ଥିଲେ, ପରିହାସରେ ସୁଦ୍ଧା ସେ କଦାପି ମିଥ୍ୟାକଥା କହୁ ନ ଥିଲେ । ଅନ୍ୟ କଥା ବା କଣ କହିବା ଶତ୍ରୁ ପ୍ରତି ମଧ୍ୟ ସେହି ଈତକ୍ରୋଧ ଭୂପତି ନିଷ୍ଠୁରବାକ୍ୟ ଉଚ୍ଚାରଣ କରୁ ନ ଥିଲେ । ସାମନ୍ତ ନରପତିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ଆଜ୍ଞା ପ୍ରତିପାଳନ କରୁଥିଲେ, ସେମାନେ ତାଙ୍କର ପରମମିତ୍ର ଥିଲେ; ମାତ୍ର ଯେଉଁମାନେ ତାଙ୍କର ପ୍ରତିକୁଳାଚରଣ କରୁଥିଲେ, ସେମାନଙ୍କ ପ୍ରତି ସେ ଲୌହବତ୍‌ କଠିନ ଥିଲେ ।

 

ମହାରାଜ ଦଶରଥ ଦିଗ୍‌ବିଜୟପ୍ରସଙ୍ଗରେ ଏକାକୀ ସମଗ୍ର ମେଦିନୀମଣ୍ଡଳ ଜୟ କରିଥିଲେ । ମେଘଗମ୍ଭୀର ସାଗର ସେତେବେଳେ ତାଙ୍କର ବିଜୟଦନ୍ଦୁଭିର କାର୍ଯ୍ୟ ସମ୍ପନ୍ନ କରୁଥିଲା-। ଗଜବାଜିପରିପୂରିତ ତଦୀୟ ମଦତୀ ଚମ୍ପୂ କେବଳ ତାଙ୍କର ଜୟଘୋଷଣାରେ ନିରତ ରତ ଥିଲା । ଯେପରି ମରୁଦ୍‌ଗଣ ଇନ୍ଦ୍ରଙ୍କ ଚରଣତଳରେ ନିତ୍ୟ ସେବା କରନ୍ତି, ସେହିପରି ବିଦିତ ଭୁପତିବୃନ୍ଦ ମଣିମୟ ମୁକୁଟର ରତ୍ନକରଣଦ୍ୱାରା ତାହାଙ୍କ ଚରଣଯୁଗଳକୁ ନିତ୍ୟ ଅନୁରଞ୍ଜନ କରୁଥିଲେ । ରାଜା ନିଖିଳ ଅବନୀମଣ୍ଡଳରେ ଏକାଧିପତ୍ୟ ଲାଭ କଲେହେଁ କମଳାଙ୍କୁ ଚପଳା ଜାଣି ନିରନ୍ତର ଜାଗରୂକ ଥିଲେ । ପତିବ୍ରତା କମଳା ମଧ୍ୟ ଆର୍ତ୍ତପରିତ୍ରାଣପରାୟଣ ସେହି ନରପତିଙ୍କୁ ଏବଂ ପୁରାଣପୁରୁଷ ନାରାୟଣଙ୍କୁ ତ୍ୟାଗ କରି ପତ୍ୟନ୍ତରସେବା କରୁ ନ ଥିଲେ ।

 

ଅନନ୍ତର ଅଚିବିମର୍ଦ୍ଦନ ମହାରାଜ ଦଶରଥ କୋଶଳ, କେକୟ ମଗଧର ରାଜକନ୍ୟାଙ୍କ ପାଣି ଗ୍ରହଣ କରି ପ୍ରଭୁଶକ୍ତି, ଉତ୍ସାହଶକ୍ତି ଓ ମନ୍ତ୍ରଶକ୍ତି ଦ୍ୱାରା ସମନ୍ୱିତ ଦେବରାଜଙ୍କ ପରି ଅବନୀମଣ୍ଡଳରେ ଶୋଭା ପାଇବାକୁ ଲାଗିଲେ । ସେ ବେଳେ ବେଳେ ଦାନବ ସୁରରାଜାଙ୍କର ସହାୟତା କରି ସ୍ୱର୍ଲୋକରେ ମଧ୍ୟ ସ୍ୱକୀୟ ବିମଳ ଯଶୋରାଶି ବିସ୍ତାର କରୁଥିଲେ ।

 

କୋରିକ୍ତମନା ସେହି ମହାବୀର ସ୍ୱଭଳୋପର୍ଜିତ ବିପୁଳ ଅର୍ଥରାଶି ସାହାଯ୍ୟରେ ଅଶ୍ୱମେଧଯଜ୍ଞମାନ ନିୟମାନୁସାରେ ସମାଧାନ କରି ସରଯୂ ଓ ତମସାର ତୀରଦେଶକୁ କନକୟପମଳାଦ୍ୱାରା ପରିଶୋଭିତ କଲେ ।

 

ସେହି ଅମିତତେଜା ପରିତ୍ରଚେତା ନରାଧିପଙ୍କୁ ସତେ ଯେପରି ସେବା କରିବାପାଇଁ ଋତୁପର୍ଯ୍ୟାୟରେ ନବକୁସୁମଶୋଭିତ ବସନ୍ତକାଳ ପୃଥିବୀରେ ଆବିର୍ଭୁତ ହେଲା । ଉଦୀଚୀଗମନାଭିଳାଷରେ ଦିନକର ମଳୟ ପର୍ବତ ପରିତ୍ୟାଗ କଲେ । ଋତୁରାଜ ବନସ୍ଥଳୀରେ ଅବତୀର୍ଣ୍ଣ ହୁଅନ୍ତେ ପ୍ରଥମେ କୁସୁମୋଦ୍ଗମ, ପରେ ନବପଲ୍ଲବ, ଅନନ୍ତର ଭ୍ରମର ଗୁଞ୍ଜନ ଓ କୋକିଳକୁଜନ ଯଥାକ୍ରମେ ଅରଣ୍ୟପ୍ରଦେଶକୁ ମଧୁମୟ କଲା । ଅଳିପୁଳ ସୌରଭ ଲୋଭରେ ମୁଗ୍ଧ ହୋଇ ବସନ୍ତବିକଶିତ ନବନଳିନ ପ୍ରତି ଧାବମାନ ହେଲେ । ନବପ୍ରଫୁଲ୍ଲ ସ୍ତବକ ଓ କିଶଳୟରେ ଅଶୋକତରୁ ବିଚିତ୍ର ଶୋଭା ଧାରଣା କଲା । ବସନ୍ତରଚିତ ବନଲକ୍ଷ୍ମୀଙ୍କର ନବପତ୍ର ଲେଖାସଦୃଶ ମଧୁଦାନବିଶାରଦ କୁରବକ କୁସୁମର ମଧୁପାନରେ ମତ୍ତ ହୋଇ ଭୁଙ୍ଗକୂଳ ଆନନ୍ଦରେ ଗାନ କରିବାକୁ ଲାଗିଲେ । ମଧୁଲୋଲୁପ ଅନୁକୂଳ ଦଳଦଳ ହୋଇ ବକୁଳତରୁକୁ ଆକୁଳ କରି ପକାଇଲେ । କିଂଶୁକକୁସୁମରାଶି ବିକଶିତ ହୋଇ ଚତୁର୍ଦ୍ଦିଗକୁ ବର୍ଣ୍ଣଶୋଭାରେ ରଞ୍ଜିତ କଲା । ନବୀନପଲ୍ଲବମଣ୍ଡିତା ସକଳିକା ସହକାରଲତା ମଳୟମାରୁତଦ୍ୱାରା କମ୍ପିତକଳେବରା ହୋଇ ନର୍ତ୍ତକୀ ପରି ନାନା ଅଙ୍ଗଭଙ୍ଗୀ ପ୍ରକାଶ କରିବାକୁ ଲାଗିଲା । ବସନ୍ତସମାଗମରେ କୋକିଳାର ଗୀତାଳାପ ମୁଗ୍ଧାଙ୍ଗନାମାନଙ୍କର ବିରଳ ବଚନରଚନା ପରି ପ୍ରତୀୟମାନ ହେଲା । ହଂସକାରଣବାଦି ଜଳଚର ବିହଙ୍ଗକୂଳ ବିକଶିତକମଳଧରି ଶୋଭିତ ଗୃହଦୀର୍ଘିକାମାନଙ୍କରେ ସନ୍ତରଣରେ ରତ ହେଲେ । ହିମାପଗମରେ ହିମରଶ୍ମିଙ୍କର ମଧୁମୟ କିରଣଜାଳଧରଣୀତଳ ମଣ୍ଡିତ କରି ଯୁବକ ଯୁବତୀଙ୍କ ଚିତ୍ତରେ ଅଭିନବ ବସନ୍ତୋନ୍ମାଦ ସଞ୍ଚାରିତ କଲା । ଉପବନ ଲକ୍ଷ୍ମୀଙ୍କର କନକାଳଙ୍କାରସ୍ୱରୂପ କର୍ଣ୍ଣିକାରକୁସୁମାବଳୀ କାମିନୀଗଣ ସ୍ୱୀୟ ଅଳକମଣ୍ଡନରେ ସନ୍ନିବେଶିତ କଲେ । ତିଳକୁ ସମାବଳି ଅଞ୍ଜନବିନ୍ଦୁ ମନୋହର ଅଳିପୁଞ୍ଜଦ୍ୱାରା ସୁଶୋଭିତ ହୋଇ ବନସ୍ଥଳୀର ଅପୂର୍ବ ଶୋଭା ବିଧାନ କଲା । ନବମଲ୍ଲିକା ବିକଶିତକୁସମାବଳିରୂପ ହାସ୍ୟଜଟାଦ୍ୱାରା ଦର୍ଶକମାନଙ୍କର ନୟନ ମନ ଅପହରଣ କରିବାକୁ ଲାଗିଲା ।

 

ମହାରାଜା ଦଶରଥ ବସନ୍ତସୁଖ ଅନୁଭବ କରି ମୃଗୟାବିହାର ନିମିତ୍ତ ସମୁତ୍ସକ ହୋଇ ସ୍ୱୀୟ ଅମାତ୍ୟବର୍ଗ ସମୀପରେ ମନୋରତ ଭାବ ପ୍ରକାଶ କଲେ । ବ୍ୟସନଦୋଷଦୂଷିତ ହେଲେହେଁ ମୃଗୟାରେ ଚଳଲକ୍ଷଭେଦର ଅଭ୍ୟାସ ହୁଏ, ପଶୁମାନଙ୍କର ଭୟକ୍ରୋଧଜନିତ ଇଙ୍ଗିତଜ୍ଞାନ ହୁଏ ଏବଂ ଶ୍ରମସହିଷ୍ଣୁତା ହେତୁରୁ ଶରୀରଲାଘବ ପ୍ରଭୃତି ବହୁବିଧ ଉପକାର ସାଧିତ ହୁଏ, ଇତ୍ୟାଦି ବିବେଚନା କରି ମନ୍ତ୍ରୀବର୍ଗ ରାଜାଙ୍କର ମୃଗୟାଭିଗମନ ଅନୁମୋଚନ କଲେ । ରାଜା ବନଗମନୋଚିତ ବେଶଭୂଷାରେ ଭୂଷିତ ହୋଇ ସୁବିପୁଳ ସ୍କନ୍ଧଦେଶରେ ବିଶାଳଧନୁ ସ୍ଥାପନପୂର୍ବକ ନଗରୀରୁ ବହିର୍ଗତ ହେଲେ । ବନମାଳାରେ କେଶପାଶ ବନ୍ଧନ କରି ତରୁପତ୍ରସଦୃଶ କବଚଦ୍ୱାରା ଶରୀରାଚ୍ଛାଦନପୂର୍ବକ ସେ ରୁରୁମୃଗନିଷେବିତ ବନଭୂମିରେ ବିଚରଣ କଲେ । ଅନନ୍ତର ତାହାଙ୍କର ଆଦେଶରେ ପ୍ରଥମତଃ ବ୍ୟାଧଗଣ କୁକ୍କୁରଦଳ ଓ ବାଗୁରା ସହ ବନମଧ୍ୟରେ ପ୍ରବେଶ କଲେ । ଦାବାନଳ ଓ ଦସ୍ୟୁଭୟ ନିବାରଣଦ୍ୱାରା ବନଭୂମି ନିରୁପଦ୍ରବ କରାଗଲା । ତତ୍ତ୍ୱରେ ସେ ମୃଗପକ୍ଷିସମାକୀର୍ଣ୍ଣ ବିସ୍ତୀର୍ଣ୍ଣ ଗହନ ମଧ୍ୟରେ ପ୍ରବେଶ କଲେ ।

 

ମହାବୀର ଦଶରଥଙ୍କର ଇନ୍ଦ୍ରଚାପସମ ଅଧ୍ୱଜ୍ୟ ଶରାତନର ଗୁରୁଗମ୍ଭୀର ନିନାଦ ଶ୍ରବଣରେ ଅରଣ୍ୟବିହାରୀ କେଶରିକୁଳ ରୋଷାବିଷ୍ଟ ହୋଇ ଉଠିଲେ । ଏହି ସମୟରେ ରାଜା ଦେଖିଲେ ଯେ, କୁଶ ଚର୍ବଣ କରୁଁ କରୁଁ ଏକ ମୃଗଯୂଥ କ୍ରମେ ଅଗ୍ରସର ହେଉଅଛନ୍ତି, ସ୍ତନନ୍ଧିୟ ମୃଗଶାବକମାନେ ସମ୍ମୁଖରେ ହରିଣୀଗଣର ଗତିରୋଧ କରୁଅଛନ୍ତି । ମଦଚର୍ବିତ ଗୋଟିଏ କୃଷ୍ଣସାର ଯୂଥର ଆଗେ ଆଗେ ଗମନ କରୁଅଛି । ରାଜା ସେହି ଯୂଥ ଆଡ଼କୁ ଦ୍ରୁତଗତିରେ ଅଶ୍ୱସଞ୍ଚାଳନ କରିଦେଇ ତୃଣୀର ମଧ୍ୟରୁ ଶରନିଷ୍କାସନ କରିବା ମାତ୍ରକେ ସେମାନେ ଯୂଥଭ୍ରଷ୍ଟ ହେଇ ବାୟୁସଞ୍ଚାଳିତ ଆର୍ଦ୍ର ଉତ୍ତଳ ଦଳ ପରି ଆକୁଳଦୃଷ୍ଟିପାତରେ ବନଭୂମିକୁ ଶ୍ୟାମାୟମାନ କରିଦେଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହରିଣକୁ ଲକ୍ଷ୍ୟ କରି ରାଜା ଶରସନ୍ଧାନ କରିବାକୁ ଉଦ୍ୟତ ହୁଅନ୍ତେ, ତାହାର ସହଚାରିଣୀ ପ୍ରିୟତମର କଳେବରବ୍ୟବଧାନରେ ଦଣ୍ଡାୟମାନ ହେଲା । ରାଜା ସେମାନଙ୍କର ଦାମ୍ପତ୍ୟପ୍ରେମ ଦେଖି ଏକାନ୍ତ ଦୟାର୍ଦ୍ର ହୋଇ ଅକର୍ଣ୍ଣାକୃଷ୍ଟ ଶର ପ୍ରତିସଂହାର କଲେ । ଶରବ୍ୟ ହରିଣୀର ଭୟଚକିତ ନୟନଭଙ୍ଗୀରେ ସ୍ୱକୀୟ ପ୍ରଣୟିନୀଙ୍କର ବିଳାସବିଭ୍ରମ-ଲୋଚନଶୋଭା ନିରୀକ୍ଷଣ କରି କର୍ଣ୍ଣପର୍ଯ୍ୟନ୍ତ ଆକୃଷ୍ଟ ଦୃଷ୍ଟିକୁ ଶିଥିଳ କଲେ । ତଦନନ୍ତର ସେ ମୁସ୍ତାକବଳଦ୍ୱାରା ଅକୀର୍ଣ୍ଣ ଓ ଆର୍ଦ୍ର-ପଦପଂକ୍ତିଚିତ୍ତଦ୍ୱାରା ଲକ୍ଷିତ ମାର୍ଗରେ ସତ୍ୟ ପଲ୍ୱଳପଙ୍କରୁ ଉତ୍ଥିତ ପଳାୟମାନ ବରାଦଯୂଥର ଅନୁସରଣ କଲେ । ସେମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୁଅନ୍ତେ ସେ ଅଶ୍ୱୋପରି ସ୍ୱଦେହର ଉର୍ଦ୍ଧ୍ୱ ଭାଗ କିଞ୍ଚିତ୍ ଅବନତ କରି ଶରପ୍ରହାରଦ୍ୱାରା ସେମାନଙ୍କର ଜଘନପ୍ରଦେଶକୁ ଆଶ୍ରିତ ବୃକ୍ଷ ସଙ୍ଗରେ ବିଦ୍ଧ କରି ଦେଲେ । ଗୋଟିଏ ବନ୍ୟମହିଷ ତାଙ୍କୁ ଅଭିଘାତ କରିବାକୁ ଉଦ୍ୟତ ହେଲାରୁ ସେ ତାହାର ନେତ୍ରବିଚରକୁ ଲକ୍ଷ୍ୟ କରି ଗୋଟିଏ ସୁତୀକ୍ଷ୍ଣ ଶର ନିକ୍ଷେପ କଲେ । ଶର ଏପରି ଦ୍ରୁତବେଗରେ ଗମନ କଲା ଯେ, ତାହା ମହିଷଶରୀର ବିଦ୍ଧ କରି ରକ୍ତଲିପ୍ତ ନ ହୋଇ ପ୍ରଥମେ ମହିଷକୁ ପାତିତ କଲା ଏବଂ ପରେ ସ୍ୱୟଂ ଭୂପୃଷ୍ଠରେ ନିପତିତ ହେଲା । ସେ ନିଶିତକ୍ଷୁରପ୍ର ପ୍ରହାରରେ ଗଣ୍ଡାରମାନଙ୍କର ଖଡ଼୍ଗ ଛେଦନ କରି ସେମାନଙ୍କ ମସ୍ତକ ଭାରକୁ ଲଘୁ କରି ଦେଲେ । ମାତ୍ର ସେମାନଙ୍କର ଶିରଶ୍ଛେଦନ କଲେ ନାହିଁ କାରଣ ସେ ଶତ୍ରୁ ମାନଙ୍କର ପ୍ରାଧାନ୍ୟ ସହ୍ୟ କରି ପାରୁ ନ ଥିଲେ; ପରନ୍ତୁ ସେମାନଙ୍କର ଦୀର୍ଘାୟୁର ବିରୋଧୀ ନ ଥିଲେ । ସେ ଭୟଶୂନ୍ୟ ହୃଦୟରେ ଅଭିମୁଖାଗତ ବ୍ୟାଘ୍ରମାନଙ୍କ ମୁଖବିବରକୁ ଶତ ଶତ ତୀକ୍ଷ୍ଣ ଶରଦ୍ୱାରା ପରିପୂର୍ଣ୍ଣ କରି ପକାଇଲେ । ତାଙ୍କର ଭୀଷଣ ଧନୁଷ୍ଟଙ୍କାର ଶବ୍ଦରେ ସିଂହମାନେ ଭୀତ ହୋଇ ଲତାନ୍ତରାଳରେ ଲୁକ୍କାୟିତ ହେଲେ, ମାତ୍ର ସେ ସେହି କରିବୈରୀ କେଶରିକୁଳର ପ୍ରାଣସଂହାର କିରି ଆପଣାକୁ ସଂଗ୍ରାମସହାୟ ରାଜଯୂଥର ଋଣରୁ ମୁକ୍ତ କଲେ । ସେ କୌଣସିଠାରେ ସୁତୀକ୍ଷ୍ଣ ଉଲ୍ଲାସ୍ତ୍ରାପାତରେ ଚମରୀମାନଙ୍କୁ ଚାମର ବିହୀନ କରି ଶାନ୍ତି ଲାଭ କଲେ । ପ୍ରିୟତମାଙ୍କର ବିଚିତ୍ରମାଲ୍ୟପରି ଶୋଭିତ ଆଲୁଲାୟିତ କେଶପାଶର ଶୋଭା ସହସା ସ୍ମୃତିପଥରେ ଉଦିତ ହୁଅନ୍ତେ ସେ ରୁଚିରକଳାପଧାରୀ ଉଡ଼ୀୟମାନ ମୟୂରଗଣଙ୍କ ପ୍ରତି ଶର ସନ୍ଧାନ କଲେ ନାହିଁ-। ତୁଷ୍ନାରଶୀକରବାହୀ ବନାନିଳ ନୃପତିଙ୍କ ବଦନମଣ୍ଡଳରୁ ମୃଗୟାଜନିତ ସ୍ୱେଦବିନ୍ଦୁ ଅପସାରିତ କରିବାକୁ ଲାଗିଲା ।

 

ମହାରାଜ ଦଶରଥ ମନ୍ତ୍ରମାନଙ୍କ ଉପରେ ରାଜ୍ୟଭାର ନ୍ୟସ୍ତ କରି ଏହିପରି ମୃଗୟାସକ୍ତ ହୋଇ ଅହୋରାତ୍ର ଅରଣ୍ୟରେ ବିଚରଣ କରିବାକୁ ଲାଗିଲେ । ସୁକୋମଳପଲ୍ଲବପୁଷ୍ପବିରଚିତ ଶଯ୍ୟାରେ ଶୟନ କରି ସେ ପ୍ରାସାଦର ଦୁଗ୍ଧଫେନନିଭ ତୂଳତଳ୍ପ ବିସ୍ମୃତ ହୋଇଗଲେ । ରାତ୍ରିରେ ପ୍ରଜ୍ୱଳିତ ଓଷଧି ଲତାବଳି ତାଙ୍କର ପ୍ରଦୀପର କାର୍ଯ୍ୟ ସମ୍ପାଦନ କରୁଥିଲା । କରିକର୍ଣ୍ଣତାଳ ପଟହବାଦ୍ୟଧ୍ୱନି ପରି ଓ ବିହଙ୍ଗସଙ୍ଗୀତ ବୈତାଳିକମାନଙ୍କର ମନୋହର ମଙ୍ଗଳଗୀତ ପରି ମହାରାଜଙ୍କୁ ପ୍ରଭାତକାଳରେ ବୀତନିଦ୍ର କରୁଥିଲା ।

 

ଏକଦା ଅଶ୍ୱାରୂଢ଼ ମହୀପତି ରୁରୁମୃଗମାନଙ୍କର ମାର୍ଗ ଅନୁସରଣ କରି ଏକାକୀ ବହୁତାପସାଧ୍ୟାସିତ ତମସାନଦାତୀରବର୍ତ୍ତୀ ଅରଣ୍ୟରେ ପ୍ରବେଶ କଲେ । ସେହି ନଦୀ ମଧ୍ୟରୁ ଉଥିତ ହେଉଥିବା କୁମ୍ଭପୁରାଣ ସମ୍ଭୂତ ଗମ୍ଭୀରଧ୍ୱନିକୁ ସେ ଗଜବୃଂହିତ ମନେ କରି ଗୋଟିଏ ଶବ୍ଦଭେଦ ଶର ନିକ୍ଷେପ କଲେ । ‘ବନ୍ୟହସ୍ତୀ ରାଜାଙ୍କର ଅବଧ୍ୟ’ ଏହା ଜାଣି ସୁଦ୍ଧା ଦଶରଥ ରଜୋଗୁଣବିମୁଗ୍ଧ ହୋଇ ଏହିପରି କୁପଥରେ ପଦାର୍ପଣ କଲେ । ଅକସ୍ମାତ୍ ନଦୀଗର୍ଭରୁ ‘ହା ତାତ-!’ ଏହି କରୁଣ କ୍ରନ୍ଦନଧ୍ୱନି ସମୁଥିତ ହୋଇ ତାହାଙ୍କର କର୍ଣ୍ଣକୁହରରେ ପ୍ରବେଶ କଲା । ସେ ତୟୋଦ୍ଗିଗ୍ନଚିତ୍ତରେ ଶବ୍ଦାନୁସରଣରେ ଅଶ୍ୱଚାଳନ କରି ଦେଖିଲେ ଯେ ଜଣେ ଜଳକୁମ୍ଭଧାରୀ ଋଷିକୁମାର ଶଲ୍ୟବିଦ୍ଧ ହୋଇ କରୁଣ କ୍ରନ୍ଦନ ଧ୍ୱନିରେ ଚିତ୍କାର କରୁଅଛନ୍ତି । ମହାରାଜ ତଦବସ୍ଥାପନ୍ନ ଋଷିପୁତ୍ରଙ୍କୁ ନିରୀକ୍ଷଣ କରି ମର୍ମନ୍ତୁଦ ଯନ୍ତ୍ରଣାରେ ଏକାନ୍ତ ଅଧୀର ହୋଇ ପଡ଼ିଲେ ଏବଂ ତତ୍‌କ୍ଷଣାତ୍‌ ଅଶ୍ୱରୁ ଅବତରଣ କରି ତାହାଙ୍କର ପରିଚୟ ଜିଜ୍ଞାସା କଲେ । ମୁନିତନୟ ମୂମୂର୍ଷୁ ଅବସ୍ଥାରେ ଅର୍ଦ୍ଧୋଚ୍ଚାରିତ ସ୍ୱରରେ କହିଲେ, ‘‘ମହାରାଜ ! ଭୟ କରିବେ ନାହିଁ । ବ୍ରହ୍ମହତ୍ୟା ଦୋଷ ଆପଣଙ୍କୁ ସ୍ପର୍ଶ କରି ନାହିଁ । ଆମ୍ଭେ ବ୍ରାହ୍ମଣ ନୋହୁଁ, ବୈଶ୍ୟଔରସରେ ଶୂଦ୍ରାଗର୍ଭରୁ ଆମ୍ଭର ଉତ୍ପତ୍ତି-। ଆମ୍ଭର ଅନ୍ଧ ବୃଦ୍ଧ ପିତାମାତା ଏହି ଅରଣ୍ୟରେ ତପସ୍ୟା କରିଅଛନ୍ତି । ଆପଣ ଆମ୍ଭଙ୍କୁ ତାଙ୍କ ସମୀପକୁ ନେଇ ଚାଲନ୍ତୁ ।’’ ରାଜା ଋଷିପୁତ୍ରଙ୍କୁ ସେହି ଅବସ୍ଥାରେ ତାଙ୍କର ଅନ୍ଧ ଜନକଜନନୀଙ୍କ ନିକଟକୁ ନେଇ ଯାଇ ଆତ୍ମପରିଚୟ ପ୍ରଦାନପୂର୍ବକ ସେମାନଙ୍କର ସେହି ଏକମାତ୍ର ପୁତ୍ରର ତାଦୃଶୀ ଅବସ୍ଥା ଏବଂ ସ୍ୱକୀୟ ଅଜ୍ଞାନକୃତ ଦୁଷ୍କର୍ମ ପ୍ରଭୃତି ସମସ୍ତ ବିଷୟ କରୁଣକଣ୍ଠରେ ତାହାଙ୍କ ସମୀପରେ ନିବେଦନ କଲେ । ସେହି ବଜ୍ରସମ ନିଦାରୁଣ ବାକ୍ୟ ଶ୍ରବଣ କରି ଦମ୍ପତି ବହୁକ୍ଷଣ ବିଳାପ କଲେ ଏବଂ ପୁତ୍ରର ବକ୍ଷଃସ୍ଥଳରୁ ଶର ଉଦ୍ଧାର କରିବାନିମିତ୍ତ ରାଜାଙ୍କୁ ଆଦେଶ କଲେ । ରାଜା ଶଲ୍ୟୋଦ୍ଧାର କରିବା ମାତ୍ରକେ ଋଷିକୁମାରଙ୍କର ପ୍ରାଣବାୟୁ ବହିର୍ଗତ ହୋଇଗଲା । ତତ୍ତ୍ୱରେ ଅନ୍ଧମୁନି ନୟନନିଃସୃତ ଜଳ ହସ୍ତରେ ଧାରଣ କରି ରାଜାଙ୍କୁ ଅଭିଶାପ ଦେଲେ, ‘‘ରାଜନ୍, ମୁଁ ଯେପରି ଚରମକାଳରେ ପୁତ୍ରଶୋକରେ ପ୍ରାଣତ୍ୟାଗ କଲି, ତୁମ୍ଭେ ମଧ୍ୟ ସେହିପରି ଅନ୍ତିମବୟସରେ ପୁତ୍ରଶୋକରେ ପ୍ରାଣତ୍ୟାଗ କରିବ ।’’ ରାଜା ପଦାହତ ରୋଷିତ ବିଷଧରରୁପୀ ସେହି ଅନ୍ଧକ ଋଷିଙ୍କୁ କହିଲେ, ‘‘ମହାତ୍ମନ୍ ! ଆପଣଙ୍କ ଅଭିଶାପ ମୋ ପକ୍ଷରେ ଆଶୀର୍ବାଦସ୍ୱରୂପ ହୋଇଅଛି; ମୁଁ ଅଦ୍ୟାପି ପୁତ୍ରମୁଖାବଲୋକନ କରି ନାହିଁ । ଯେପରି ପ୍ରଜ୍ୱଳିତ ହୁତାଶନ କୃଷ୍ୟଭୂମିକୁ ଦଗ୍ଧ କଲେହେଁ ତାହାର ଉଦ୍ଦାଦିକାଶକ୍ତିକୁ ବୃଦ୍ଧି କରେ, ସେହିପରି ଆପଣଙ୍କର ଅଭିଶାପ ଏହି ଆପୁତ୍ରିକ ପକ୍ଷରେ ବରସ୍ୱରୂପ ହେଲା । ଦୁର୍ଦ୍ଦୈବ ବଶତଃ ଯାହା ହେବାର ତାହା ହୋଇଯାଇଅଛି, ସମ୍ପ୍ରତି ଏହି ବିଧାର୍ହ ନିର୍ଘୃଣ ବ୍ୟକ୍ତି ଆପଣଙ୍କର କି ଉପକାର କରିବ, ଆଦେଶ କରନ୍ତୁ ।’’ ସେହି ପୁତ୍ରଶୋକାତୁର ନିରାଶ୍ରୟ ଅନ୍ଧକଦମ୍ପତି ମୃତପୁତ୍ରର ଅନୁଗମନ କରିବାକୁ ଅଭିଳାଷୀ ହୋଇ କାଷ୍ଠାହରଣପୂର୍ବକ ଚିତା ପ୍ରଜ୍ୱଳିତ କରିବାକୁ ନରପତିଙ୍କୁ ଆଦେଶ ଦେଲେ । ନରପତି ତତ୍‌କ୍ଷଣାତ୍ ଅନୁଚରବର୍ଗ ସହିତ ମିଳିତ ହୋଇ ମୁନିଙ୍କ ଆଦେଶ ପ୍ରତିପାଳନ କଲେ ଏବଂ ଋଷବଧପାପରେ ଭଗ୍ନୋତ୍ସାହ ହୋଇ ଘୋର ଦୁଃଖରେ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ।

Image

 

ରାମଚନ୍ଦ୍ର

 

ଇନ୍ଦ୍ରତୁଲ୍ୟ ପରାକ୍ରମଶାଳୀ ମହର୍ଦ୍ଧିସମ୍ପନ୍ନ ମହାରାଜ ଦଶରଥ ଅତଃପର ପ୍ରାୟ ଅଯୁତବତ୍ସର ପୃଥିବୀ ଶାସନରେ ଅତିବାହିତ କଲେ, ମାତ୍ର ପିତୃଋଣ ମୁକ୍ତିର ସାଧନଭୂତ ଶୋକତମୋଽପହ ପୁତ୍ରଜ୍ୟୋତିଃ ଲାଭ କରି ନ ପାରି ଏକାନ୍ତ ମ୍ରିୟମାଣଭାବରେ ଅବସ୍ଥାନ କରୁଥିଲେ । ଅନନ୍ତର ସେ ସନ୍ତାନାର୍ଥ ହୋଇ ବଶୀନ୍ଦ୍ର ଋଷ୍ୟଶୃଙ୍ଗପ୍ରମୁଖ ଯତିବୃନ୍ଦଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ଆରମ୍ଭ କଲେ ।

 

ଯେପରି ନିଦାଘାର୍ତ୍ତ ପଥିକଗଣ ବୃକ୍ଷଚ୍ଛାୟାଭିମୁଖରେ ଧାବିତ ହୁଅନ୍ତି, ସେହିପରି ସେ ସମୟରେ ଦେବତାମାନେ ରାକ୍ଷସରାଜ ରାବଣକର୍ତ୍ତୃକ ଏକାନ୍ତ ଉପଦ୍ରୁତ ହୋଇ କ୍ଷୀରସାଗରଶାୟୀ ଭଗବାନ୍ ନାରାୟଣଙ୍କ ସମୀପକୁ ଗମନ କଲେ । ସେମାନେ ସମୁଦ୍ରତୀରରେ ଉପସ୍ଥିତ ହେବା ମାତ୍ରକେ ଭଗବାନ୍ ଆଦିପୁରୁଷଙ୍କର ଯୋଗନିଦ୍ରାଭଙ୍ଗ ହେଲା, ପ୍ରକୃତରେ ଗମ୍ୟ ବସ୍ତୁ ବା ବ୍ୟକ୍ତିର ଅଚିରଦର୍ଶନହିଁ କାର୍ଯ୍ୟସିଦ୍ଧିର ଲକ୍ଷଣ ଅଟେ । ଦେବତାମାନେ ଦେଖିଲେ ଯେ, ନାରାୟଣ ଭୋଗି-ଭୋଗ-ସିଂହାସନରେ ଉପବିଷ୍ଟ ଅଛନ୍ତି । ଅନନ୍ତଫଣାମଣ୍ଡଳସ୍ଥ ଦୀପ୍ତିମାନ୍ ମଣିର ସମୁଚ୍ଚ୍ୱଳ କିରଣ ଜାଲରେ ତାହାଙ୍କର କଳେବର ଉଦ୍ଭାସିତ ହଉଅଛି । ସ୍ୱକୀୟ ଅଙ୍କଦେଶରେ ନିହିତ ପଦ୍ମାସୀନା ପଦ୍ମା ଦେବୀଙ୍କ କରପଲ୍ଲବରେ ଭଗବାନ୍ ଚରଣକମଳଯୁଗଳ ବିନ୍ୟାସ କରିଅଛନ୍ତି । ବାଳାର୍କବର୍ଣ୍ଣଶୋଭୀ ବସନ ପରିଧାନ କରି ସେ ସୁଖଦର୍ଶନ ଶାରଦୀୟ ଦିବସର ପ୍ରଭାତକାଳ ପରି ଶୋଭା ପାଉଅଛନ୍ତି । ଲକ୍ଷ୍ମୀଙ୍କର ବିଳାସଦର୍ପଣରୂପୀ କୌସ୍ତୁଭମଣି ବକ୍ଷୋଦେଶରେ ଲମ୍ବମାନ ହୋଇ ପ୍ରଭାମଣ୍ଡଳଦ୍ୱାରା ଶ୍ରୀବତ୍ସଲାଞ୍ଛନକୁ ସମୁଚ୍ଚ୍ୱଳ କରୁଅଛି । ତାଙ୍କର ନାନାରତ୍ନବିଭୁଷିତ ବାହୁଚତୁଷ୍ଟୟ ଦେଖି ଦେବତାମାନଙ୍କର ପ୍ରତୀତି ହେଲା, ସତେ ଯେପରି ଦ୍ୱିତୀୟ ପାରିଜାତତରୁ ଶିଖା ବିସ୍ତାର କରି ସାଗର ମଧ୍ୟରେ ଆବିର୍ଭୁତ ହୋଇଅଛି । ସଚେତନ ଶସ୍ତ୍ରଗଣ ଚତୁର୍ଦ୍ଦିଗରେ ବିରାଜିତ ରହି ତାଙ୍କ ଜୟଗାନ କରୁଅଛନ୍ତି । ଖଗେନ୍ଦ୍ର ନାଗେନ୍ଦ୍ରଙ୍କ ସହ ସହଜ ବୈରଭାବ ପରିତ୍ୟାଗ କରି ବିନୟବଦ୍ଧ ହୋଇ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛି ।

 

ଭଗବାନ୍ ଯୋଗନିଦ୍ରାବସାନରେ ଦେବତାମାନଙ୍କ ପ୍ରତି ପ୍ରସନ୍ନ ଦୃଷ୍ଟିପାତ କରନ୍ତେ ସେମାନେ ପ୍ରଣତିପୁରଃସର ବାକ୍ୟମନର ଅଗୋଚର ସେହି ପରମପୁରୁଷଙ୍କୁ ସ୍ତବ କରିବାକୁ ଆରମ୍ଭ କଲେ । ‘‘ଭଗବାନ୍, ଆପଣ ବ୍ରହ୍ମାରୂପରେ ଜଗତ୍‌ସୃଷ୍ଟି କରି ବିଷ୍ଣୁରୂପ ଧରି ତାହା ପାଳନ କରନ୍ତି ଓ ରୁଦ୍ରରୂପରେ ସଂହାର କରନ୍ତି; ଅତଏବ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆପଣଙ୍କର ବିଭିନ୍ନ ମୂର୍ତ୍ତିମାତ୍ର । ଯେପରି ମେଘନିଃସୃତ ନିର୍ମଳ ବାରିଧାରା ପାତ୍ରଭେଦରେ ବିଭିନ୍ନ ସ୍ୱାଦ-ଯୁକ୍ତ ହୁଏ ସେହିପରି ଆପଣ ନିର୍ବିକାର ହେଲେହେଁ ସତ୍ତ୍ୱାଦିଗୁଣଭେଦରେ ଭିନ୍ନ ଭିନ୍ନ ଅବସ୍ଥା ପ୍ରାପ୍ତ ହୁଅନ୍ତି । ହେ ଦେବ ! ଆପଣଙ୍କ ମହିମାର ଇୟତ୍ତା କରିବା ଲୋକ ପକ୍ଷରେ ଅସମ୍ଭବ, ମାତ୍ର ଆପଣ ସମଗ୍ର ଜଗତର ଇୟତ୍ତା କରିଅଛନ୍ତି । ଆପଣ ସ୍ୱୟଂ ନିସ୍ପୃହ, କିନ୍ତୁ ସମସ୍ତଙ୍କର ସ୍ପୃହା ପୂରଣ କରନ୍ତି । ଆପଣଙ୍କୁ କେହି ଜୟ କରି ପାରେ ନାହିଁ, ମାତ୍ର ଆପଣ ସମସ୍ତଙ୍କର ବିଜେତା; ସ୍ୱୟଂ ଅବ୍ୟକ୍ତ ହୋଇ ସୁଦ୍ଧା ଏହି ବ୍ୟକ୍ତ ସ୍ଥୂଳଜଗତର କାରଣ । ହେ ପ୍ରଭୋ ! ଆପଣ ଅନ୍ତର୍ଯ୍ୟାମୀରୂପେ ସର୍ବଦା ସମସ୍ତଙ୍କର ସନ୍ନିହିତ, ମାତ୍ର ଆପଣଙ୍କର ଅଗମ୍ୟ ରୂପ କାହାରି ଦୃଷ୍ଟିଗୋଚର ହୁଏ ନାହିଁ । ଆପଣ ଅତି ପୁରାତନ, କିନ୍ତୁ ନିର୍ବିକାର ହୋଇଥିବାରୁ ଜରାପରିଶୂନ୍ୟ ଅଟନ୍ତି । ଆପଣ ସର୍ବଜ୍ଞ, ମାତ୍ର କୌଣସି ବ୍ୟକ୍ତି ଆପଣଙ୍କ ସ୍ୱରୂପ ଅବଗତ ହୋଇ ପାରେ ନାହିଁ । ଆପଣ ଏହି ସମଗ୍ର ବ୍ରହ୍ମାଣ୍ଡର ଆଦିକାରଣ, ମାତ୍ର ସ୍ୱୟଂ ସ୍ୱୟଂଭୁ । ଆପଣ ଏହି ବିଶ୍ୱସଂସାରର ନିଗହାନୁଗ୍ରହକ୍ଷମ, ମାତ୍ର ଆପଣଙ୍କର କେହି ପ୍ରଭୁ ନାହାନ୍ତି । ଆପଣ ଏକ ହୋଇ ସୁଦ୍ଧା ସମସ୍ତଙ୍କ ଆତ୍ମାରେ ବିରାଜିତ ଅଛନ୍ତି ଏବଂ ନିତ୍ୟ ଜାଗରୂକ ହୋଇ ସୁଦ୍ଧା ଯୋଗନିଦ୍ରା ଅନୁଭବ କରନ୍ତି । ଏହିପରି ପରସ୍ପରବିରୋଧୀ କାର୍ଯ୍ୟମାନ ଦେଖି କିଏ ଆପଣଙ୍କ ମହିମାର ଇୟତ୍ତା କରି ପାରିବ ?

 

‘‘ଯୋଗିଗଣ ମୁକ୍ତିକାମନାରେ ଅଭ୍ୟାସଦ୍ୱାରା ମନକୁ ନିଗୃହୀତ କରି ହୃଦୟ-ମଧ୍ୟରେ ଜ୍ୟୋତିର୍ମୟ ରୂପରେ ଆପଣଙ୍କୁହିଁ ଧ୍ୟାନ କରନ୍ତି । ଯେପରି ନଦୀମାନେ ବିଭିନ୍ନ ପଥରେ ଗମନ କରି ଏକ ମହାର୍ଣ୍ଣବରେ ନିପତିତ ହୁଅନ୍ତି, ସେହିପରି ଭିନ୍ନ ଭିନ୍ନ ଶାସ୍ତ୍ରରେ ଉପାସନାର ଭିନ୍ନ ଭିନ୍ନ ପନ୍ଥା ପ୍ରଦର୍ଶିତ ହୋଇଥିଲେହେଁ ଆପଣଙ୍କର ସର୍ବବ୍ୟାପିହ ହେତୁ ସେ ସମସ୍ତହିଁ ଆପଣଙ୍କ ଉପାସନାରେ ପରିଣତ ହୁଏ । ଯେଉଁମାନେ ଆପଣଙ୍କଠାରେ ଚିତ୍ତ ଏବଂ କର୍ମସମୁଦାୟ ସମର୍ପଣ କରିଅଛନ୍ତି, ଆପଣହିଁ ସେହି ସଂସାର ବିରାଗୀ ମୁମୁକ୍ଷୁ ଯୋଗିଗଣଙ୍କର ଏକମାତ୍ର ଗତିସ୍ୱରୂପ ଅଟନ୍ତି । ଆପଣଙ୍କ ମହିମାର ନିଦର୍ଶନ ସ୍ୱରୂପ ଏହି ଯେଉଁ ଭୂମି, ଜଳ, ବାୟୁ ପ୍ରଭୃତି ଅବଲୋକନ କରୁଅଛୁଁ, ପରିମାଣଦ୍ୱାରା ଏ ସମଗ୍ରର ଇୟତ୍ତା କରାଯାଇ ନ ପାରେ; ଏପରି ଅବସ୍ଥାରେ ବେଦାଦିଶାସ୍ତ୍ରସମୂହଦ୍ୱାରା ନିରୁପଣୀୟ ଭବଦୀୟ ଅତୀନ୍ଧ୍ରିୟ ରୂପ ନିର୍ଦ୍ଧାରଣ କରିବା ଏକାନ୍ତ ଅସମ୍ଭବ । ଆପଣଙ୍କର ସ୍ମରଣମାତ୍ରେ ପୁରୁଷ ପବିତ୍ର ହୁଏ, ସ୍ମରଣାତିରିକ୍ତ ଦର୍ଶନ ଶ୍ରବଣାଦିଦ୍ୱାରା ଯେ କିପରି ଫଳଲାଭ ହୁଏ ତାହା ଅବଧାରଣ କରାଯାଇ ନ ପାରେ । ଆପଣଙ୍କର ଅପରିସୀମ ମହିମା ଓ ଚରିତ ବର୍ଣ୍ଣନା କରିବା କାହାର ସାଧ୍ୟ ? କିଏ ବା ରତ୍ନାକରସ୍ଥିତ ରତ୍ନରାଶି ଓ ସୂର୍ଯ୍ୟଙ୍କର କିରଣାବଳି ଗୁଣନା କରିପାରେ ? ଆପଣଙ୍କର ଅପ୍ରାପ୍ତ୍ୟ ବା ପ୍ରାପ୍ତ୍ୟ କୌଣସି ବସ୍ତୁ ନାହିଁ, ତଥାପି ଜୀବ ପ୍ରତି ଅନୁଗ୍ରହବଶତଃ ଆପଣ ଏହି ସଂସାରରେ ଜନ୍ମଗ୍ରହଣ କରି ନାନାବିଧ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଆପଣଙ୍କର ମହିମା କୀର୍ତ୍ତନ କରି ଲୋକ ଯାହା ନିବୃତ୍ତ ହୁଏ, ତାହାର କାରଣ କେବଳ ବାଗ୍‌ବ୍ୟାପାରର ଶାନ୍ତି ବା ଅଶକ୍ତି; ଆପଣଙ୍କ ମହିମାର ପରିସମାପ୍ତି ତାହାର କାରଣ ନୁହେଁ ।’’

 

ଶୈବଗଣଙ୍କର ଏବଂ ବିଧ ସ୍ତୁତିଦ୍ୱାରା ଭଗବାନ୍ ଅଧୋକ୍ଷଜ ପ୍ରସନ୍ନ ହୋଇ ସେମାନଙ୍କୁ କୁଶଳ ପ୍ରଶ୍ନ ଜିଜ୍ଞାସା କଲେ । ସେମାନେ ତୁରନ୍ତ ରାକ୍ଷସ ରାବଣର ଉପଦ୍ରବ ବିଷୟ ଯଥାବତ୍‌ବର୍ଣ୍ଣନ କରନ୍ତେ ଭଗବାନ୍ ଜଳଦଗମ୍ଭୀର ସ୍ୱରରେ କହିଲେ, ‘‘ଦେବବୃନ୍ଦ, ଯେପରି ତମୋଗୁଣ ସତ୍ତ୍ୱ ଓ ରଜୋଗୁଣକୁ ଅଭିଭୂତ କରେ, ସେହିପରି ରାକ୍ଷସାଧିପ ରାବଣ ଯେ ତୁମ୍ଭମାନଙ୍କ ଅନୁଭାବ ଓ ପରାକ୍ରମ ଅପହରଣ କରିଅଛି; ତାହା ଆମ୍ଭର ଅବିଦିତ ନୁହେଁ; ତାହାର ଅତ୍ୟାଚାର ଓ ଉତ୍ପୀଡ଼ନରେ ନିଜମତର ଦଗ୍ଧ ହେବା ବିଷୟ ମଧ୍ୟ ଆମ୍ଭେ ଜାଣି ପାରିଅଛୁଁ । ଇନ୍ଦ୍ର ଓ ଆମ୍ଭେ ଉଭୟେ ଦୃଷ୍ଟିରକ୍ଷା କରିବାରେ ଦାୟୀ ଥିବା ସ୍ଥଳେ, ଏ ବିଷୟରେ ଇନ୍ଦ୍ରଙ୍କର ଆମ୍ଭ ନିକଟରେ ପ୍ରାର୍ଥନା କରିବାର ପ୍ରୟୋଜନ ନାହିଁ । ବାୟୁ ସ୍ୱତଃ ଅଗ୍ନିର ସାହାଯ୍ୟ କରିଥାଏ । ଦୁରାତ୍ମା ଦଶାନନ ଉଗ୍ର ତପସ୍ୟାରେ ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ତୀକ୍ଷ୍ଣଧାର ଅସିଦ୍ୱାରା ସ୍ୱୀୟ ନବମସ୍ତକ ଛିନ୍ନ କରିଥିଲା । ସମ୍ଭବତଃ ଆମ୍ଭ ଚକ୍ରର ଲଭ୍ୟାଂଶ ବୋଲି ଦଶମ ମସ୍ତକଟି ଛେଦନ କରି ନାହିଁ । ଯେପରି ଚନ୍ଦନତରୁ ଭୁଜଙ୍ଗମର ଅତ୍ୟାଚାର ସହ୍ୟ କରେ, ସେହିପରି ପ୍ରଜାପତିଙ୍କ ବରରେ ପ୍ରଭାବବାନ୍ ସେହି ଦୁରାତ୍ମା ରାବଣର ଅତ୍ୟାଚାର ଆମ୍ଭେ ସହ୍ୟ କରୁଅଛୁଁ । ସମ୍ପ୍ରତି ସୂର୍ଯ୍ୟବଂଶାବତଂସ ମହାରାଜ ଦଶରଥଙ୍କର ପୁତ୍ରରୂପେ ଜନ୍ମଗ୍ରହଣ କରି ତୀକ୍ଷ୍ନଶରଜାଲରେ ସେହି ଦୁରାତ୍ମାର ଶିରଃକମଳକୁ ଛେଦନ କରି ରଣଭୁମିର ବଳରୂପେ ପ୍ରଦାନ କରିବୁଁ । ତୁମ୍ଭେମାନେ ପୂର୍ବବତ୍ ଯଜ୍ଞଭାଗ ଲାଭ କରି ପାରିବ ଏବଂ ବିମାନଚାରୀମାନେ ରାବଣର ପୁଷ୍ପକବିମାନ ଦର୍ଶନରେ ଭୀତ ହୋଇ ମେଘାନ୍ତରାଳରେ ଆଉ ଲୁକ୍କାୟିତ ହେବେ ନାହିଁ । ତୁମ୍ଭେମାନେ ବନ୍ଦୀକୃତ ସୁଗଙ୍ଗନାମାଙ୍କର ଅଦୃଷିତ କେଶବନ୍ଧନ ଅଚିରେ ମୁକ୍ତ କରି ପାରିବ ।’’ ଭଗବାନ୍ ରାବଣାବଗ୍ରହକାନ୍ତ ଦେବତାମାନଙ୍କୁ ଏହିରୂପେ ବଚନାମୃତବର୍ଷଣରେ ଆଶ୍ୱସ୍ତ କରି ଅନ୍ତର୍ହିତ ହେଲେ । ଦେବତାମାନେ ମଧ୍ୟ ସୁରକାର୍ଯ୍ୟୋଦ୍ୟତ ନାରାୟଣଙ୍କର ସାହାଯ୍ୟ ନିମିତ୍ତ ତାଙ୍କର ଅନୁଗମନ କଲେ ।

 

ଏଣେ ମହାରାଜ ଦଶରଥଙ୍କର ପୁତ୍ତ୍ରେଷ୍ଟି ଯଜ୍ଞ ପରିସମାପ୍ତ ହେଲା । ଯଜ୍ଞ ଶେଷରେ ଋତ୍ୱିକ୍‌ମାନଙ୍କର ବିସ୍ମୟୋତ୍ପାଦନପୂର୍ବକ ଏକ ଦିବ୍ୟ ପୁରୁଷ ହେମପାତ୍ରଗତ ପୟଶ୍ଚରୁ ଦୁଇହସ୍ତରେ ଧାରଣ କରି ଯଜ୍ଞନଳ ମଧ୍ୟରୁ ଆବିର୍ଭୁତ ହେଲେ । ସେହି ଦିବ୍ୟପୁରୁଷ ପୁଣ୍ୟାତ୍ମା ରାଜା ଦଶରଥଙ୍କର ଭୁୟସୀ ପ୍ରଶଂସା କରି ତଦୀୟ ହସ୍ତରେ ତରୁ ପ୍ରଦାନ କରନ୍ତେ ରାଜା ଭକ୍ତି ସହକାରେ ତାହା ଗ୍ରହଣ କଲେ ଏବଂ ତାହାକୁ ଦୁଇ ଅଂଶରେ ବିଭକ୍ତ କରି ପ୍ରିୟତମା ମହିଷୀ କୌଶଲ୍ୟା ଓ କୈକେୟୀଙ୍କୁ ଏକ ଏକ ଭାଗ ପ୍ରଦାନ କଲେ । ସେମାନେ ରାଜାଙ୍କର ଅଭିପ୍ରାୟ ଅବଗତ ହୋଇ ପରମପ୍ରଣୟଭାଜନ ସପତ୍ନୀ ସୁମିତ୍ରାଙ୍କୁ ସ୍ୱ ସ୍ୱ ଅଂଶରୁ ଅର୍ଦ୍ଧାର୍ଦ୍ଧ ଭାଗ ପ୍ରଦାନ କଲେ ।

 

କିଛିକାଳ ପରେ ରାଜମହିଷୀକ୍ରୟ ବିଶ୍ୱମଙ୍ଗଳନିଦାନ ଗର୍ଭଧାରଣ କରି ଫଳଶାଳିନୀ ଶସ୍ୟସମ୍ପଦ୍ ପରି ଶୋଭାମାନ ହେବାକୁ ଲାଗିଲେ । ରାଣୀମାନେ ସ୍ୱପ୍ନରେ ଦେଖିଲେ, କେତେବେଳେ ଶଙ୍ଖ-ଖଡ୍ଗ-ଗଦା-ପଦ୍ମ–ଚକ୍ରଧାରୀ ଖର୍ବାକୃତ ଦିବ୍ୟପୁରୁଷ ସେମାନଙ୍କୁ ରକ୍ଷା କରୁଅଛନ୍ତି, ଗରୁଡ଼ ସ୍ୱର୍ଣ୍ଣବର୍ଣ୍ଣ ପକ୍ଷଜାଲ ବିସ୍ତାର କରି ଗଗନମାର୍ଗରେ ସେମାନଙ୍କୁ ବହନ କରୁଅଛନ୍ତି; କେବେ ବା କୌସ୍ତୁଭଧାରିଣୀ କମଳା ଦେବୀ ପଦ୍ମବ୍ୟଜନ ହସ୍ତରେ ସେମାନଙ୍କ ଉପାସନାରେ ନିଯୁକ୍ତ ଅଛନ୍ତି; ସପ୍ତର୍ଷିଗଣ ମନ୍ଦାକିନୀର ବିମଳ ଜଳରେ ଅବଗାହନ କରି ପରଂବ୍ରହ୍ମନାମ ଉଚ୍ଚାରଣପୂର୍ବକ ସେମାନଙ୍କୁ ସେବା କରୁଅଛନ୍ତି । ମହିଷୀମାନଙ୍କଠାରୁ ଏହି ସମସ୍ତ ସୂକ୍ଷ୍ମ ବିବରଣ ଶ୍ରବଣ କରି, ଦଶରଥ ଜଗଦ୍‌ଗୁରୁଙ୍କର ଗୁରୁ ହେବେ ଭାବି ମନେ ମନେ ପରମପ୍ରୀତିଲାଭପୂର୍ବକ ଆପଣାକୁ ଚରିତାର୍ଥ ବୋଧ କଲେ । ଯେପରି ଏକ ଚନ୍ଦ୍ରବିମ୍ବ ଭିନ୍ନ ଭିନ୍ନ ଜଳାଶୟରେ ବିଭିନ୍ନରୂପେ ପ୍ରତିଭାତ ହୁଏ, ସେହିପରି ଏକ ପରମାତ୍ମା ରାଜମହିଷୀମାନଙ୍କ ଜଠରରେ ଚତୁର୍ବିଧ ଅଂଶରେ ବିଭକ୍ତ ହୋଇ ବାସ କରିବାକୁ ଲାଗିଲେ ।

 

ଅନନ୍ତର ଯଥାକାଳରେ ଜ୍ୟେଷ୍ଠା ମହିଷୀ କୌଶଲ୍ୟା ଗୋଟିଏ ପୁତ୍ର ପ୍ରସବ କଲେ । ପିତା ଦଶରଥ ପୁତ୍ରର ରମଣୀୟ କାନ୍ତି ନିରୀକ୍ଷଣ କରି ତାହାକୁ ଜଗତ୍‌ମଙ୍ଗଳନିଦାନ ‘‘ରାମ’’ ନାମରେ ଅଭିହିତ କଲେ । ଶରତକାଳରେ କୁଶକଳେବରା ଜାହ୍ନବୀର ତୀରଦେଶ ବଳିବିସୃଷ୍ଟ ଶତଦଳ ଦ୍ୱାରା ଯେପରି ଶୋଭା ଧାରଣ କରେ, କୃଶୋଦରୀ ମାତା କୌଶଲ୍ୟା ରାମଚନ୍ଦ୍ରଙ୍କୁ ଅଙ୍କରେ ଧାରଣ କରି ସେହିପରି ଅନିର୍ବଚନୀୟ ଶୋଭା ପ୍ରାପ୍ତ ହେଲେ । ବିନୟ ଯେପରି ସମ୍ପତ୍ତିକୁ ଅଳଂକୃତ କରେ, ସେହିପରି କୈକେୟୀ ବିନୟଭୂଷଣ ‘‘ଭରତ’’ ନାମକ ପୁତ୍ର ପ୍ରସବ କରି ଶୋଭାନ୍ୱିତ ହେଲେ । ଜ୍ଞାନବିନୟପ୍ରସବକାରିଣୀ ସଦ୍‌ବିଦ୍ୟା ପରି କନିଷ୍ଠା ମହିଷୀ ସୁମିତ୍ରା ମଧ୍ୟ ଯଥାକାଳରେ ‘ଲକ୍ଷ୍ମଣ ଶତ୍ରୁଘ୍ନ’ ନାମକ ଯମଜ ପୁତ୍ର ପ୍ରସବ କଲେ ।

 

ସେହି ଜଗନ୍ନଙ୍ଗଳ ହରିଙ୍କ ଆବିର୍ଭାବରେ ପୃଥିବୀରୁ ରୋଗ ଶୋକ ଦୁର୍ଭିକ୍ଷାଦି ଅପସାରିତ ହୁଅନ୍ତେ ବୋଧ ହେଲା, ସତେ ଯେପରି ସ୍ୱର୍ଗରାଜ୍ୟ ପୃଥିବୀରେ ଅବତୀର୍ଣ୍ଣ ପୁରୁଷୋତ୍ତମଙ୍କ ଅନୁଗମନ କରିଅଛି । ରାମ ଭୂମିଷ୍ଠ ହେବା ମାତ୍ରକେ ଦଶାନନ କିରୀଟରୁ ମଣିବ୍ୟାଜରେ ରାକ୍ଷସ ଲକ୍ଷ୍ମୀଙ୍କର ଅଶ୍ରୁବିନ୍ଦୁ ଭୂପୃଷ୍ଠରେ ପତିତ ହେଲା । ଦେବତାମାନେ ପାରିଜାତ ପୁଷ୍ପ ବୃଷ୍ଟି କରି ସ୍ୱର୍ଗରେ ଦୁନ୍ଦୁଭି-ନିନାଦ କଲେ ।

 

କୃତସଂସ୍କାର ରାଜପୁତ୍ରମାନେ ସିତପକ୍ଷର ଐନ୍ଦବୀ କଳା ପରି ଯେପରି ଦିନୁ ଦିନୁ ପରିବର୍ଦ୍ଧିତ ହେବାକୁ ଲାଗିଲେ, ପିତା ଦଶରଥଙ୍କର ଆନନ୍ଦ ମଧ୍ୟ ତାହା ସଙ୍ଗେ ସଙ୍ଗେ ସେହିପରି ବୃଦ୍ଧି ପ୍ରାପ୍ତ ହେବାକୁ ଲାଗିଲା । ଯେପରି ଘୃତାହୁତିଦ୍ୱାରା ହୁତାଶନର ସ୍ୱାଭାବିକ ତେଜଃ ବଢ଼ି ଉଠେ, ସେହିପରି ସତଶିକ୍ଷାଦ୍ୱାରା କୁମାରମାନଙ୍କର ନୈସର୍ଗିକ ବିନୀତ ଭାବ ବିବର୍ଦ୍ଧିତ ହେଲା । ସେମାନେ ସମସ୍ତେ ଏକ ଅଭେଦ୍ୟ ସୌଭ୍ରାତ୍ର ବନ୍ଧନରେ ଆବଦ୍ଧ ଥିଲେହେଁ ରାମ ଲକ୍ଷ୍ମଣ ଓ ଭରତ ଶତ୍ରୁଘ୍ନ ଦ୍ୱନ୍ଦଚରରୂପେ ନିତ୍ୟ ବିହାର କରୁଥିଲେ । ଯେପରି ଚନ୍ଦ୍ର ସମୁଦ୍ରର ଓ ବାୟୁ ଅଗ୍ନିର ପ୍ରଣୟ ନିତ୍ୟ ଅସ୍ପଳିତ, ସେହିପରି ରାମ ଲକ୍ଷ୍ମଣଙ୍କର ଓ ଭରତ ଶତ୍ରୁଘ୍ନଙ୍କର ପରସ୍ପର ପ୍ରୀତି କେବେହେଁ ସ୍ଫଳିତ ହେଉ ନ ଥିଲା । ଗ୍ରୀଷ୍ମାବସାନରେ ନୀଳ ମେଘଶ୍ୟାମ ଦିବସ ଯେପରି ଲୋକମାନଙ୍କ ମନୋହରଣ କରେ ସେହିପରି ରଘୁକୁଳଦାୟାଦ ମୂର୍ତ୍ତମାନ୍ ଧର୍ମ-ଅର୍ଥ-କାମ-ମୋକ୍ଷରୂପ ସେହି ପୁତ୍ରଚତୁଷ୍ଟୟ ପ୍ରକୃତିପୁର ଚିତ୍ତରଞ୍ଜନ କଲେ । ମହାରାଜ ଦଶରଥ ଅନନ୍ୟସାଧାରଣଗୁଣ-ଗଣ ସମନ୍ୱିତ ପୁତ୍ରଙ୍କର ପିତା ହୋଇ ପରମ ସୁଖରେ କାଳଯାପନ କରିବାକୁ ଲାଗିଲେ ।

Image

 

ସୀତା ବିବାହ

 

ଏକଦା ମହର୍ଷି ବିଶ୍ୱାମିତ୍ର ମହାରାଜ ଦଶରଥଙ୍କ ନିକଟରେ ଉପସ୍ଥିତ ହୋଇ ଯଜ୍ଞବିଘ୍ନଶାନ୍ତି ନିମିତ୍ତ ରାମଚନ୍ଦ୍ରଙ୍କୁ ତପୋବନକୁ ନେବାପାଇଁ ଯାଚ୍‌ଜ୍ଞା କଲେ । ରାମ ଅଳ୍ପବୟସ୍କ ହେଲେହେଁ ରାଜା ମୁନିଙ୍କ ଅନୁରୋଧ ଅନ୍ୟଥା କରି ନ ପାରି ତାଙ୍କର ପ୍ରାଣପ୍ରିୟ ସନ୍ତାନ ରାମଙ୍କୁ ଲକ୍ଷ୍ମଣଙ୍କ ସଙ୍ଗେ ବନକୁ ଯିବାପାଇଁ ଅନୁମତି ପ୍ରଦାନ କଲେ । ରାମଙ୍କ ଅଦର୍ଶନରେ ତାଙ୍କର ଯେ ଘୋର କଷ୍ଟ ହେବ, ଏହା ସେ ଆଦୌ ଭାବିଲେ ନାହିଁ; କାରଣ ରଘୁବଂଶୀୟ ନୃପତିମାନେ ଜୀବନାର୍ଥୀ ଯାଚକମାନଙ୍କର ମଧ୍ୟ ପ୍ରାର୍ଥନା ପୂରଣ କରିବାରେ କେବେହେଁ ପରାଙ୍ମୁଖ ହୁଅନ୍ତି ନାହିଁ । ଧନୁର୍ଦ୍ଧାରୀ ରାମ ଓ ଲକ୍ଷ୍ମଣ ଯାତ୍ରା ପୂର୍ବରୁ ପିତାଙ୍କ ଚରଣକମଳରେ ପ୍ରଣିପାତ କଲେ ପ୍ରବାସଗମନୋଦ୍ୟତ ପୁତ୍ରଦ୍ୱୟଙ୍କର ମୁଖାରବିନ୍ଦ ଅବଲୋକନ କରି ପିତାଙ୍କ ନୟନରୁ ଲୋତକଧାରା ପ୍ରବାହିତ ହେଲା । ବିଶ୍ୱାମିତ୍ର କେବଳ ରାମ ଲକ୍ଷ୍ମଣଙ୍କୁ ସଙ୍ଗରେ ନେବାପାଇଁ ଅଭିଳାଷ କରିଥିଲେ, ତେଣୁ ପୁତ୍ରମାନଙ୍କ ସମଭିବ୍ୟାହାରରେ ସୈନ୍ୟାଦି ପ୍ରେରଣ କଲେ ନାହିଁ । ଅନନ୍ତର ରାଜପୁତ୍ରଦ୍ୱୟ ମାତୃ-ବର୍ଗଙ୍କ ଚରଣ ତଳରେ ପ୍ରଣିପାତ କରି ମହର୍ଷିଙ୍କର ଅନୁଗମନ କଲେ-। ଗମନକାଳରେ ସେହି ବାଳକଦ୍ୱୟଙ୍କର ଲୀଳାଞ୍ଚିତ ଗତି ଲୋକଲୋଚନର ଅତୀବ ଆନନ୍ଦପ୍ରଦ ହୋଇଥିଲା ।

 

ପଥ ମଧ୍ୟରେ ମୁନିବର କୁମାରଦ୍ୱୟଙ୍କୁ ବଳା ଅତିବଳା ନାମକ ଦିଓଟି ମନ୍ତ୍ରର ଉପଦେଶ ଦେଲେ । ସେହି ମନ୍ତ୍ର-ସ୍ମରଣରେ ସେମାନେ ମାର୍ଗରେ କ୍ଷୁଧା ତୃଷା ଆଦୌ ଅନୁଭବ କଲେ ନାହିଁ । ପୁରାବୃତ୍ତଜ୍ଞ ବୃଦ୍ଧ ମହର୍ଷିଙ୍କ ମୁଖରୁ ବିବିଧ ଐତିହାସିକ ବିବରଣ ଶୁଣି ଶୁଣି ଅଧ୍ୱଗମନଜନିତ କାନ୍ତି ସେମାନଙ୍କର ଆଦୌ ଅନୁଭୂତ ହେଉ ନ ଥିଲା । ପରନ୍ତୁ ମଣିମୟ କୁଟ୍ଟିମରେ ବିହାର କରି ଅଶ୍ୱାଦି ଯାନାରୋହଣ କରି ମାତୃଗଣଙ୍କ ସମୀପରେ ସେମାନେ ଯେପରି ଆନନ୍ଦ ଅନୁଭବ କରୁଥିଲେ, ପଦବ୍ରଜରେ ଗମନ କଲେହେଁ ସେହିପରି ସୁଖ ଅନୁଭବ କରିବାକୁ ଲାଗିଲେ । ସରୋବରସମୁହ ସରସ ସଲିଳଦ୍ୱାରା, ପତତ୍ରିକୁଳ ଶ୍ରୁତିମୁଖାବହ ସୁମଧୁର କୂଳନଦ୍ୱାରା, ଗନ୍ଧବହ ସୁରଭି କୁସୁମରେଣୁଦ୍ୱାରା ଏବଂ ମେଘାବଳି ସୁଶୀତଳ ଛାୟାଦାନଦ୍ୱାରା ମାର୍ଗ ମଧ୍ୟରେ ସେମାନଙ୍କୁ ସେବା କରିବାକୁ ଲାଗିଲେ । କମଳଶୋଭିତ ସରୋବର ଦର୍ଶନରେ କିଂବା ଶ୍ରମବିନୋଦନ ବିଟପି-ଦର୍ଶନରେ ଅରଣ୍ୟବାସୀ ତପସ୍ୱିସମୂହ ଯେଉଁ ଆନନ୍ଦ ଅନୁଭବ କରୁଥିଲେ, ପ୍ରିୟଦର୍ଶନ ରାମ ଲକ୍ଷ୍ମଣଙ୍କୁ ଦେଖି ତତୋଽଧିକ ସୁଖ ଅନୁଭବ କଲେ । ଯେଉଁ ବନରେ ମହାଦେବ କାମଦେବଙ୍କୁ ଭସ୍ମସାତ କରିଥିଲେ କ୍ରମେ ସେମାନେ ସେ ବନରେ ଉପସ୍ଥିତ ହେଲେ । ତତ୍ରତ୍ୟ ତାପସଗଣ କମନୀୟକାନ୍ତି ଧନୁର୍ଦ୍ଧାରୀ ରାମଚନ୍ଦ୍ରଙ୍କୁ ସେଠାରେ ଦେଖି ମନେ କଲେ, ସତେ ଯେପରି ହରକୋପାନଳଦଗ୍ଧ ମଦନ ପୁନର୍ବାର ସେହି ଅରଣ୍ୟରେ ଆବିର୍ଭୁତ ହେଲେ । ଏଥିପୂର୍ବେ ରାମ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ମୁଖରୁ ସୁକେତୁ ସୁତା ତାଡ଼କାର ଶାପବୃତ୍ତାନ୍ତ ଶ୍ରବଣ କରିଥିଲେ, ସମ୍ପ୍ରତି ତାହାର ଅତ୍ୟାଚାର ହେତୁରୁ ଅବରୁଦ୍ଧ ଜନସମାଗମଶୂନ୍ୟ ମାର୍ଗରେ ଉପସ୍ଥିତ ହୋଇ ରାମ ଧନୁରେ ଜ୍ୟା ରୋପଣ କଲେ । ଧନୁଷ୍ଟଙ୍କାର ଶବ୍ଦ ଶୁଣିବା ମାତ୍ରକେ ସେହି ଘୋରରୂପା ରାକ୍ଷସୀ ତାଙ୍କ ସମ୍ମୁଖକୁ ଧାବମାନ ହେଲା । ତାହାର ଶରୀର ଅମାବାସ୍ୟାର ଅନ୍ଧକାର ପରି ଘୋର କୃଷ୍ଣବର୍ଣ୍ଣ ନର କପାଳ କୁଣ୍ଡଳରୂପେ କର୍ଣ୍ଣରେ ଦୋଳାୟମାନ ହେଉଥିଲା । ତାକୁ ଦେଖି ବୋଧ ହେଲା, ଯେପରି ଖଣ୍ଡେ ବଳାକାଶୋଭିତ ଶ୍ୟାମବର୍ଣ୍ଣ ନବମେଘ ବାୟୁବେଗରେ ଧାଇଁ ଆସୁଅଛି । ପ୍ରେତଚୀବରପରିଧାନା ସେହି ରାକ୍ଷସୀ ଗତି-ବେଗରେ ମାର୍ଗସ୍ଥ ବୃକ୍ଷାବଳୀ କମ୍ପିତ କରି ଶ୍ମଶାନୋତ୍ଥ ବାତ୍ୟା ପରି ଭୀଷଣ ଶବ୍ଦରେ ରାମଚନ୍ଦ୍ରଙ୍କୁ ଆକ୍ରମଣ କଲା । ରାମ ଦେଖିଲେ, ସେହି ବିକଟଦର୍ଶନା ରାକ୍ଷସୀ ନର-ଅନ୍ତ୍ରଦ୍ୱାରା ନିର୍ମିତ ମେଖଳା ନିତମ୍ବଦେଶରେ ଧାରଣ କରିଅଛି ଏବଂ ସୁଦୀର୍ଘ ଭୁଜ-ଯଷ୍ଟି ଉତ୍ତୋଳନ କରି ତାଙ୍କ ଆଡ଼କୁ ଧାବମାନ ହେଉଅଛି । ତେଣୁ ସେ ସ୍ତ୍ରୀବଧଘୃଣା ପରିତ୍ୟାଗ କରି ଗୋଟିଏ ସୂତୀକ୍ଷ୍ଣ ଶର ତାହାର ବିଶାଳ ବକ୍ଷଃସ୍ଥଳକୁ ଲକ୍ଷ୍ୟ କରି ନିକ୍ଷେପ କଲେ । ନିଶାଚରୀ ତତ୍‌କ୍ଷଣାତ୍ ଦୁର୍ଗନ୍ଧରୁଧିରଲିପ୍ତ କଳେବରରେ ଭୂତଳରେ ପତିତ ହୋଇ ପ୍ରାଣତ୍ୟାଗ କଲା ।

 

ମହର୍ଷି ରାମଙ୍କ ପରାକ୍ରମ ଦର୍ଶନରେ ଏକାନ୍ତ ପ୍ରୀତ ହୋଇ ତାହାଙ୍କୁ ଗୋଟିଏ ରକ୍ଷୋଘ୍ନ ଅସ୍ତ୍ର ପ୍ରଦାନ କଲେ । ଅନନ୍ତର ସେମାନେ ପରମପବିତ୍ର ବାମନ ଶ୍ରମରେ ଉପସ୍ଥିତ ହୁଅନ୍ତେ ରାମ ସ୍ତୁତିଦୌର୍ବଲ୍ୟବଶତଃ ପ୍ରଥମ ଜନ୍ମବୃତ୍ତାନ୍ତ ସ୍ମରଣ କରି ନ ପାରିଲେହେଁ ସେଠାରେ ଏକାନ୍ତ ଉନ୍ନନା ହୋଇ ପଡ଼ିଲେ । ତତ୍ୱରେ ମହର୍ଷି ରାଜପୁତ୍ରଦ୍ୱୟଙ୍କ ସହ ସ୍ୱକୀୟ ଆଶ୍ରମରେ ଉପସ୍ଥିତ ହୋଇ ଶିଷ୍ୟବର୍ଗ-ପରିକଳ୍ପିତ ପୂଜା ଗ୍ରହଣ କଲେ । ତଦୀୟ ଆଶ୍ରମସ୍ଥ ରକ୍ଷାବଳୀ ସେତେବେଳେ ମହର୍ଷିଙ୍କ ସମ୍ବର୍ଦ୍ଧନା ନିମିତ୍ତ ପତ୍ର-ପୁତ୍ର ରୂପ ଅଚଳ ବନ୍ଧନ କରି ରହିଥିଲେ ଏବଂ ହରିଣଗଣ ମୁନିଚରଣ ଦର୍ଶନୋନ୍ମୁଖ ହୋଇ ଦଣ୍ଡାୟମାନ ଥିଲେ ।

 

ମହର୍ଷି ସ୍ୱୀୟ ଆଶ୍ରମରେ ଯଜ୍ଞକାର୍ଯ୍ୟରେ ଦୀକ୍ଷିତ ହୁଅନ୍ତେ, ଯେପରି ସୂର୍ଯ୍ୟ ଚନ୍ଦ୍ର ପର୍ଯ୍ୟାୟକ୍ରମେ ଉଦିତ ହୋଇ ଜଗତକୁ ଅନ୍ଧକାରକବଳରୁ ରକ୍ଷା କରନ୍ତି, ସେହିପରି ରାମ ଲକ୍ଷ୍ମଣ ଯଜ୍ଞଦୀକ୍ଷିତ ମହର୍ଷିକୁ ରକ୍ଷା କରିବାକୁ ଲାଗିଲେ । ଯଜ୍ଞାରମ୍ଭରେ ସର୍ବଦା ବେଦୀ ବନ୍ଧୁଜୀବକୁ ସୁମସଦୃଶ ସ୍ଥୂଳ ରକ୍ତବିନ୍ଦୁଦ୍ୱାରା ସିନ୍ଦୁରିତ ହୋଇଗଲା, ଭୟରେ ଋହିକ୍ ମାନଙ୍କ ହସ୍ତରୁ ସ୍ରୁଚାଦି ଯଜ୍ଞସାଧନ ସ୍ଫଳିତ ହୋଇ ପଡ଼ିଲା । ରାମ ଅବିଳମ୍ବରେ ତୂଣୀର ମଧ୍ୟରୁ ଶର ଗ୍ରହଣ କରି ଋର୍ଦ୍ଧ୍ୱମୁଖ ହୋଇ ଦେଖିଲେ ଯେ, ରାକ୍ଷସସୈନ୍ୟ-ଦଳ ନିର୍ଦ୍ଦୟଚିତ୍ତରେ ଗଗନଦେଶରେ ବିଚରଣ କରୁଅଛନ୍ତି । ଯେପରି ମହାଭୁଜଙ୍ଗମସଂହାରକାରୀ ଗରୁଡ଼ କ୍ଷୁଦ୍ର ନୀଚ ଡ଼ୁଣ୍ଡୁଭମାନଙ୍କୁ ବିନାଶ କରିବାକୁ ଇଚ୍ଛା କରେ ନାହିଁ, ସେହିପରି ମହାବାହୁ ରାମ ଇତର ରାକ୍ଷସସେନା ସଂହାରରେ ଅଭିଳାଷୀ ନ ହୋଇ ସେମାନଙ୍କର ନେତା ସୁବାହୁ ଓ ମାରୀଚକୁ ଲକ୍ଷ୍ୟ କରି ଶରନିକ୍ଷେପ କଲେ । ତାହାଙ୍କର ଅଭୁଗ୍ର ବାର୍ୟୁବାସ୍ତ୍ର ଆଘାତରେ ମାରୀଚ ପକ୍ୱପର୍ଣ୍ଣ ପରି ଭୁପୃଷ୍ଠରେ ପତିତ ହେଲା ଏବଂ ସେ ସୁତୀକ୍ଷ୍ଣ କ୍ଷୁରପ୍ରାପ୍ତ ପ୍ରହାରରେ ମାୟାବୀ ସୁବାହୁକୁ ଖଣ୍ଡ ଖଣ୍ଡ କରି ଆଶ୍ରମର ବହିର୍ଦେଶରେ ବୁଭୂକ୍ଷୁ ପକ୍ଷିଗଣଙ୍କୁ ବଣ୍ଟନ କରିଦେଲେ । ଏହି ଯଜ୍ଞ ବିଘାତକମାନଙ୍କ ବିନାଶରେ ଋହିକ୍‌ଗଣ ମୌନବ୍ରତାଲମ୍ବୀ କୁଳପତି ବିଶ୍ୱାମିତ୍ରଙ୍କର ଯଜ୍ଞ କାର୍ଯ୍ୟ ନିର୍ବିଘ୍ନରେ ସମାପନ କଲେ । ଯଜ୍ଞ ଶେଷରେ ମହର୍ଷି ଅନ୍ୟାନ୍ୟ ଋଷିଙ୍କ ସହ ରାମ ଲକ୍ଷ୍ମଣଙ୍କୁ ଅଭିନନ୍ଦନ ଓ ଆଶୀର୍ବାଦ କରି କୁଶକ୍ଷତକରତଳରେ ସେମାନଙ୍କର ଗାତ୍ର ପରାମର୍ଶ କଲେ ।

 

ଏହି ସମୟରେ ମିଥିଳାଧିପତି ରାଜର୍ଷି ଜନକ ତଦୀୟ ଅନୁଷ୍ଠିତ ଯଜ୍ଞରେ ଯୋଗ ଦେବାପାଇଁ ମହର୍ଷି ବିଶ୍ୱାମିତ୍ରଙ୍କୁ ନିମନ୍ତ୍ରଣ କଲେ । ସେ ଯିବାବେଳେ ଧନୁର୍ଭଙ୍ଗଦର୍ଶନକୌତୂହଳୀ ରାମ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇଗଲେ । ପଥରେ ରାତ୍ରି ଉପସ୍ଥିତ ହୁଅନ୍ତେ ସେମାନେ ମହର୍ଷି ଗୌତମଙ୍କ ଆଶ୍ରମ ତରୁତଳେ ଅବସ୍ଥାନ କଲେ । ସେଠାରେ ସ୍ୱାମି-ଶାପରେ ପାଷାଣମୟୀ ଗୌତମପତ୍ନୀ ଅହଲ୍ୟା କଳୁଷହର ଶ୍ରୀରାମଚରଣରେଣୁ ସ୍ପର୍ଶରେ ବହୁକାଳ ପରେ ସ୍ୱୀୟ ମନୋହର ବସୁ ପୁନର୍ବାର ପ୍ରାପ୍ତ ହେଲେ ।

 

ମହର୍ଷି ବିଶ୍ରାମିତ୍ର ରଘୁବଂଶୀୟ ରାଜପୁତ୍ର ରାମ ଲକ୍ଷ୍ମଣଙ୍କ ସହ ମିଥିଳାରେ ଉପସ୍ଥିତ ହୋଇଅଛନ୍ତି ଶୁଣିପାରି ଜନକ ପରମସମାଦରରେ ସେମାନଙ୍କୁ ପ୍ରଭୁଦ୍ଗମନ କଲେ । ପୁରବାସୀମାନେ ମହର୍ଷିଙ୍କ ସହ ନୃପ ନନ୍ଦନଦ୍ୱୟଙ୍କୁ ମିଥିଲା ଦାଣ୍ଡରେ ନିରୀକ୍ଷଣ କରି ମନେ କଲେ, ସତେ ଯେପରି ମୂର୍ତ୍ତିମାନ୍ ଧର୍ମ ସହଚର ଅର୍ଥ କାମଙ୍କ ସଙ୍ଗେ ମିଥିଳା ନଗରୀ ଅଳଂକୃତ କରିବାକୁ ଆଗମନ କରୁଅଛନ୍ତି । ଅପରୂପକାନ୍ତି ରାଜନନ୍ଦନଙ୍କର ରୂପମାଧୁରୀ ଦର୍ଶନରେ ସେମାନେ ଚକ୍ଷୁର ପକ୍ଷପାତକୁ ମଧ୍ୟ ବଞ୍ଚନା ବୋଲି ମନେ କରୁଥିଲେ ।

 

ଯଜ୍ଞ ସାଙ୍ଗ ହୁଅନ୍ତେ ଅବସରଜ୍ଞ ମହର୍ଷି ବିଶ୍ୱାମିତ୍ର ରାମ ଲକ୍ଷ୍ମଣଙ୍କର ଧନଦର୍ଶନାଭିଳାଷ ଜନକଙ୍କ ନିକଟରେ ପ୍ରକାଶ କଲେ । ଜନକ ସେହି ସୁବିଖ୍ୟାତ ରାଜବଂଶଜ ରାମଙ୍କର ଲଳିତପୁର ଦର୍ଶନ କରି ଏବଂ ପଣ ଦ୍ୱରାନମ୍ୟତା ବିବେଚନା କରି କନ୍ୟାର ପଣସଂସ୍ଥାପନ ହେତୁରୁ ନିତାନ୍ତ ଦୁର୍ମନାୟମାନ ହୋଇ କହିଲେ ‘‘ଭଗବାନ୍, ଯେଉଁ କାର୍ଯ୍ୟ ବୃହତ୍ ମତଙ୍ଗଜମାନଙ୍କର ଦୁଷ୍କର ବୋଲି ପ୍ରମାଣିତ ହୋଇଅଛି, କରିଶାବକକୁ ସେ କାର୍ଯ୍ୟରେ ପ୍ରବୃତ୍ତ ହେବାପାଇଁ ଅନୁମତି ଦେବାକୁ ଆମ୍ଭର ଉତ୍ସାହ ହେଉ ନାହିଁ । ଏହି ଧନୁରେ ଗୁଣାଧିରୋପଣ କରିବାକୁ ଯାଇ କେତେ କେତେ ମହାଧନୁର୍ଦ୍ଧର ମଧ୍ୟ ସ୍ୱକୀୟ ଜ୍ୟା-ଘାତ-କର୍କଶ ଭୁଜକୁ ଶତ ଧିକ୍କାର କରି ଅଧୋବଦନରେ ପ୍ରତ୍ୟାବର୍ତ୍ତନ କରିଅଛନ୍ତି ।’’

 

ଏହା ଶୁଣି ବିଶ୍ୱାମିତ୍ର କହିଲେ,‘‘ମହାରାଜ ! ଆପଣ ଦଶରଥାତ୍ମନ ରାମଚନ୍ଦ୍ରଙ୍କର ସାରବତ୍ତା ସ୍ୱୟଂ ପ୍ରତ୍ୟକ୍ଷ କରନ୍ତୁ, କହିବାର ପ୍ରୟୋଜନ ନାହିଁ । ପର୍ବତପୃଷ୍ଠରେ ବଜ୍ରର ବୀର୍ଯ୍ୟବତ୍ତା ଯେପରି ପରୀକ୍ଷିତ ହୁଏ, ଏହି କାର୍ମୁକରେହିଁ ଏହାଙ୍କର ସାରବତ୍ତାର ପରୀକ୍ଷା ହେବ ।’’ ରାଜର୍ଷି ଜନକ ବିଶ୍ୱାମିତ୍ରଙ୍କର ଏହି ଆପ୍ତବାକ୍ୟରେ ବିଶ୍ୱାସ ସ୍ଥାପନ କରି, ଇନ୍ଦ୍ରଗୋପକୀଟ ପ୍ରମାଣ ଅଗ୍ନି ମଧ୍ୟରେ ଦାହିକାଶକ୍ତି ନିହତ ଥିବା ପରି, ଏହି ଶିଖଣ୍ଡଧାରୀ ରାମଙ୍କଠାରେ ମଧ୍ୟ ଅସୀମ ଶକ୍ତି ନିହତ ଥିବ ଭାବି ଆଶସ୍ତ ହେଲେ ।

 

ଅନନ୍ତର ମିଥିଳାନାଥଙ୍କ ଆଦେଶରେ ପାର୍ଶ୍ୱଚରମାନେ ଅତି କଷ୍ଟରେ ସେହି ସୁବିଶାଳ ଧନୁକୁ ସେଠାକୁ ଆନୟନ କଲେ । ରାମଚନ୍ଦ୍ର ପ୍ରସୁପ୍ତରଜଙ୍ଗମାକୃତି ସେହି ଶିବଧନୁକୁ କୁସୁମଚାପ ପରି ଅବଲୀଳାକ୍ରମେ ଅଧିଜ୍ୟ କରନ୍ତେ ସଭାସଦ୍‌ମାନେ ବିସ୍ମୟବିସ୍ପାରିତ ନିର୍ମିମେଷ ନୟନରେ ତାହାଙ୍କର ଧନୁର୍ଗୁଣାକର୍ଷକୌଶଳ ଅବଲୋକନ କରିବାକୁ ଲାଗିଲେ । ଅତିମାତ୍ର ଆକର୍ଷଣଦ୍ୱାରା ଧନ ଦୂରବଜ୍ରନିନାଦତୁଲ୍ୟ ଭୟାବହ ଧ୍ୱନି କରି ଦ୍ୱିଖଣ୍ଡିତ ହୋଇଗଲା । ତଦ୍ଦର୍ଶନରେ ଉପସ୍ଥିତ ଜନମଣ୍ଡଳୀ ବିସ୍ମୟ ସାଗରରେ ନିମଗ୍ନ ହୋଇ ସାଧୁବାଦ କରିବାକୁ ଲାଗିଲେ ।

 

ସତ୍ୟପ୍ରତିଜ୍ଞ ରାଜର୍ଷି ଜନକ ଦଶରଥତନୟ ରାମଚନ୍ଦ୍ରକର୍ତ୍ତୃକ ଶିବଧନୁ ଦ୍ୱିଧା ବିଭକ୍ତ ହୋଇଅଛି ଦେଖି ମନେ ମନେ ସୀତାବିବାହ ପ୍ରସଙ୍ଗରେ କରାଯାଇଥିବା ଧନୁର୍ଭଙ୍ଗପଣର ଭୂୟସୀ ପ୍ରଶଂସା କଲେ ଏବଂ ଅବିଳମ୍ବରେ ତପୋନିଧି ବିଶ୍ୱାମିତ୍ରଙ୍କ ସମୀପରେ ଅଗ୍ନିକୁ ସାକ୍ଷୀ କରି ରାମଙ୍କ ହସ୍ତରେ ଲକ୍ଷ୍ମୀରୂପିଣୀ ସୀତାଙ୍କୁ ସମର୍ପଣ କଲେ । ତତ୍ତ୍ୱରେ ସେ ସ୍ୱୀୟ କୁଳପୁରୋହିତଙ୍କୁ ଦଶରଥଙ୍କ ସନ୍ନିଧାନକୁ ପ୍ରେରଣ କରି କହି ପଠାଇଲେ, ‘‘ଆପଣ ମୋର କନ୍ୟାକୁ ସ୍ରୂଷାରୂପେ ଗ୍ରହଣ କରି ନିମିକୁଳକୁ ଭୃତ୍ୟଭାବାପନ୍ନ କରନ୍ତୁ ।’’

 

ପୁଣ୍ୟବାନ୍ ଲୋକମାନଙ୍କ ଅଭୀଷ୍ଟ ସ୍ୱତଃ ସିଦ୍ଧ ହୋଇଥାଏ, ଯେତେବେଳେ ମହାରାଜ ଦଶରଥ ସ୍ୱୀୟ ପୁତ୍ରଙ୍କ ପାଇଁ ଅନୁରୂପ କୁଳବଧୂ ଅନ୍ୱେଷଣ କରୁଥିଲେ, ସେତେବେଳେ ପ୍ରିୟବାଦୀ ଜନକ-ପୁରୋହିତ ତାଙ୍କ ସମୀପରେ ଉପସ୍ଥିତ ହୋଇ ଏହି ସୁସଂବାଦ ପ୍ରଦାନ କଲେ । ରଜା ପୁରୋହିତଙ୍କର ଯଥୋଚିତ ସତ୍କାର କରି ତାଙ୍କଠାରୁ ସମସ୍ତ ବିଷୟ ଅବଗତ ହେଲେ ଏବଂ ସୈନ୍ୟସାମନ୍ତସନଭିବ୍ୟାହାରେ ମିଥିଲାଭିମୁଖରେ ପ୍ରସ୍ଥାନ କଲେ । ବାସବ-ବରୁଣ-ସଦୃଶ ସେହି ନରପତିଦ୍ୱୟ ସମ୍ମିଳିତ ହୋଇ ମହାସମାରୋହରେ ପୁତ୍ରକନ୍ୟାଙ୍କର ବିବାହୋତ୍ସବ ସମାଧାନ କଲେ-। ରାମ ଅଯୋନିଜା କନ୍ୟା ସୀତାଙ୍କର ଏବଂ ଲକ୍ଷ୍ମଣ ଜନକଙ୍କର ଔରସୀ କନ୍ୟା ଊର୍ମିଳାଙ୍କର ପାଣିଗ୍ରହଣ କଲେ । ଜନକାନୁଜ କୁଶଧ୍ୱଜଙ୍କର ମାଣ୍ଡବୀ ଓ ଶ୍ରୁତକୀର୍ତ୍ତି ନାମରେ ଦିଓଟି କନ୍ୟା ଥିଲେ-। ଭରତଙ୍କ ସଙ୍ଗେ ମାଣ୍ଡବୀଙ୍କର ଏବଂ ଶ୍ରୁତିକୀର୍ତ୍ତିଙ୍କ ସଙ୍ଗେ ଶତ୍ରୁଘ୍ନର ପରିଣୟ ବିଧାନ ମଧ୍ୟ ମହାସମାରୋହରେ ସେଠାରେ ସମ୍ପନ୍ନ ହେଲା । କି କୁଳ, କି ଶୀଳ, କି ବୟସ, କି ରୂପ ସବୁ ବିଷୟରେ ବରବଧୂମାନେ ପରସ୍ପର ଅନୁରୂପ ଥିଲେ ।

 

ପୁତ୍ରମାନଙ୍କର ଶୁଭପରିଣୟବିଧାନ ସୁସଂପନ୍ନ କରି ମହାରାଜ ଦଶରଥ ପୁତ୍ର ଓ ପୁତ୍ରବଧୂମାନଙ୍କ ସହିତ ସ୍ୱୀୟ ନଗରାଭିମୁଖରେ ପ୍ରତ୍ୟାଗମନ କଲେ । ରାଜର୍ଷି ଜନକ ଦିବସତ୍ରୟ ସେମାନଙ୍କର ଅନୁଗମନ କରି ପରେ ବିଦାୟ ଗ୍ରହଣପୂର୍ବକ ପ୍ରତ୍ୟାବୃତ୍ତ ହେଲେ । କିୟଦ୍ଦୂର ଅଗ୍ରସର ହେବା ପରେ ଦିନେ ପଥମଧ୍ୟରେ ନାନାବିଧ ଦୁର୍ନିମିତ୍ତ ଦଶରଥଙ୍କର ଦୃଷ୍ଟିପଥାରୂଢ଼ ହେଲା-। ପ୍ରତିକୂଳ ବାୟୂପ୍ରବାହରେ ଧ୍ୱଜାବଳି ବିକମ୍ପିତ ହେବାକୁ ଲାଗିଲା । ଭୀଷଣ ପରିବେଶ ମଣ୍ଡଳଦ୍ୱାରା ରବିବିମ୍ବ ପରିକୃତ ହେଲା । ଦିଗ୍‌ଦିଗନ୍ତ ଧୂଳିଧୂସରିତ ହୋଇ ରକ୍ତବର୍ଣ୍ଣ ମେଘସମୂହଦ୍ୱାରା ସମାଚ୍ଛାଦିତ ଦେଖାଗଲା । ଗୋମାୟୁକୁଳ ସୂର୍ଯ୍ୟାଭିମୁଖରେ ଭୀଷଣ ରବ କରିବାକୁ ଲାଗିଲେ । ଏହି ସମସ୍ତ ବିକୃତି ଦର୍ଶନ କରି ଦଶରଥ ଶାନ୍ତିକାମନାରେ କୁଳଗୁରୁ ବଶିଷ୍ଠଙ୍କ ଶରଣାପନ୍ନ ହୁଅନ୍ତେ ସେ ପରିଣାମ ମଙ୍ଗଳମୟ ହେବ ବୋଲି ଅଭୟ ପ୍ରଦାନ କଲେ ।

 

ସହସା ସୈନ୍ୟବ୍ୟୂହ ସମ୍ମୁଖରେ ଏକ ତେଜୋମୟ ଦିବ୍ୟପୁରୁଷ ଆବିର୍ଭୁତ ହେଲେ । ସେ ସ୍କନ୍ଧଦେଶରେ ପୈତୃକଚିହ୍ନ ଯଜ୍ଞୋପବୀତ ଏବଂ ମାତୃକଚିହ୍ନ ଶରାସନ ଧାରଣାପୂର୍ବକ ଭୁଜଙ୍ଗବେଷ୍ଟିତ ଚନ୍ଦନତରୁ ପରି ଶୋଭା ପାଉଥିଲେ । ଯେ ରୋଷମରବଶ ପିତାଙ୍କ ଆଦେଶର ଅନୁବର୍ତ୍ତୀ ହୋଇ ଅତି ନିର୍ଦ୍ଦୟହୃଦୟରେ ସ୍ୱୀୟ ବେପମାନା ଜନନୀଙ୍କର ଶରଶ୍ଚେଦନ କରିଥିଲେ ଏବଂ ଯେ ଏକବିଂଶତ୍ତିବାର ପୃଥିବୀକୁ ନିଃଷକ୍ରିୟା କରି ଯେପରି ତାହାର ଗଣନାବ୍ୟାଳରେ ଦକ୍ଷିଣ କର୍ଣ୍ଣରେ ଅକ୍ଷବୀଜମାଳ ଧାରଣ କରିଥିଲେ, ପିତୃବଧଜନିତ କ୍ରୋଧରେ କ୍ଷତ୍ରିୟବଂଶ ବିନାଶୋଦ୍ୟତ ସେହି ଭାର୍ଗବଙ୍କୁ ସମ୍ମୁଖରେ ଦେଖି ପୁତ୍ରଗଣଙ୍କର ବାଳଭାବ ଏବଂ ନିଜର ବାର୍ଦ୍ଧକ୍ୟ ବିବେଚନାରେ ମହାରାଜ ଦଶରଥ ହଠାତ୍ ବିଷାଦ-ସାଗରରେ ନିମଗ୍ନ ହେଲେ ଏବଂ ଭୟୋଦ୍‌ବିଗ୍ନ ଭଗ୍ନକଣ୍ଠରେ ‘‘ଅର୍ଘ୍ୟ’’ ‘‘ଅର୍ଘ୍ୟ’’ କହି ଉଠିଲେ; କିନ୍ତୁ ଜାମଦଗ୍ନ୍ୟ ତାଙ୍କ ଆଡ଼କୁ ଦୃଷ୍ଟିପାତ ନ କରି ଯେଉଁଠାରେ ରାମଚନ୍ଦ୍ର ଅବସ୍ଥାନ କରୁଥିଲେ, ସେହିଆଡ଼େ କ୍ଷତ୍ରିୟକୋପାଗ୍ନି ଶିଖା-ସଦୃଶ ଉଦଗ୍ରତାରକାଯୁକ୍ତ ଚକ୍ଷୁ ନିକ୍ଷେପ କଲେ ଏବଂ ଯୁଦ୍ଧାଭିଳାଷୀ ହୋଇ ଏକହସ୍ତରେ ଧନୁ ଓ ଅପରହସ୍ତରେ ଶର ଧାରଣ କରି ରାମଚନ୍ଦ୍ରଙ୍କୁ କହିଲେ, ‘‘ଦେଖ, ଆମ ପିତାଙ୍କୁ ହତ୍ୟା କରିଥିବା ହେତୁରୁ କ୍ଷତ୍ରିୟଜାତି ଆମ୍ଭର ପରମଶତ୍ରୁ, ଏକବିଂଶତିବାର ସେମାନଙ୍କର ବିନାଶ ସାଧନ କରି ଆମ୍ଭେ ଶାନ୍ତି ଲାଭ କରିଥିଲୁଁ, ସମ୍ପ୍ରତି ତୁମ୍ଭର ପରାକ୍ରମ ଶ୍ରବଣରେ ଦଣ୍ଡଘଟ୍ଟିତ ପ୍ରସୁପ୍ତ ଭୁଜଙ୍ଗମ ପରି ରୋଷିତ ହୋଇଅଛୁଁ । ଜନକକଙ୍କର ସେହି ସୁବିଶାଳ ଧନୁକୁ ପୂର୍ବେ କୌଣସି ରାଜା ଆନମିତ କରି ନ ଥିଲେ, ତୁମ୍ଭେ ତାହା ଭଗ୍ନ କରିଅଛ ଶୁଣି ଆମ୍ଭର ମନେ ହେଉଅଛି, ସତେ ଯେପରି ତୁମେ ଆମ୍ଭର ବୀର୍ଯ୍ୟଶୃଙ୍ଗ ଭାଙ୍ଗି ଦେଇଅଛ । ପୂର୍ବେ ତମନାମ ଉଚ୍ଚାରିତ ହେଲେ ତାହା କେବଳ ଆମ୍ଭଙ୍କୁ ବୁଝାଉଥିଲା । ସଂପ୍ରତି ସେହି ନାମ ଉଦୟୋନ୍ମୁଖ ତୁମ୍ଭଠାରେ ବିଭକ୍ତ ହେବାରୁ ଆମ୍ଭେ ଅତୀବ ଲଜ୍ଜିତ ହେଉଅଛୁଁ ।

 

‘‘ଏହି ଯେଉଁ ଅସ୍ତ୍ର ହସ୍ତରେ ଧାରଣ କରିଅଛୁଁ, ତଦ୍ଦ୍ୱାରା ଆମ୍ଭେ ଅକ୍ଳେଶରେ ପର୍ବତଗାତ୍ର ବିଦାରଣ କରିପାରୁଁ, ଏହା ସାହାଯ୍ୟରେ ଆମ୍ଭେ ଭୂମଣ୍ଡଳରେ ଅସପତ୍ନ ହୋଇଅଛୁଁ, ଧେନୁବତ୍ସଅପହାରକ କୀର୍ତ୍ତବୀର୍ଯ୍ୟ ଆମ୍ଭ ନିକଟରେ ଯେପରି ଅପରାଧୀ ଆମ୍ଭର ବିମଳଯଶୋହରଣୋଦ୍ୟତ ତୁମ୍ଭେ ମଧ୍ୟ ସେହିପରି ଅପରାଧୀ । ସଂପ୍ରତି ତୁମ୍ଭଙ୍କୁ ପରାସ୍ତ ନ କଲେ ଆମ୍ଭର କ୍ଷତ୍ରିୟହତ୍ୟାକୀର୍ତ୍ତିରେ କଳଙ୍କ ରହିବ । ଅନଳ ଶୁଷ୍କ ତୃଣ ଉପରେ ଯେପରି ପ୍ରଜ୍ଜ୍ୱଳିତ ହୁଏ, ସମୁଦ୍ରରେ ମଧ୍ୟ ସେହିପରି ପ୍ରଜ୍ଜ୍ୱଳିତ ହୋଇଥାଏ; ତାହାହିଁ ତାହାର ମହିମା । ତୁମ୍ଭେ ଯେଉଁ ଜୀର୍ଣ୍ଣ ଶଙ୍କରଶରାସନ ଭଗ୍ନ କରିଅଛି, ଭଗବାନ୍ ନାରାୟଣ ପୂର୍ବରୁ ତାହାର ସାରାଂଶ ହରଣ କରିଥିଲେ; ସୁତରାଂ ନଦୀବେଗଦ୍ୱାରା ଯେଉଁ ତଟସ୍ଥତରୁର ମୂଳ ଉତ୍‌ଖାତ ହୋଇଥାଏ, ମନ୍ଦବାୟୁ ପ୍ରବାହ ତାକୁ ଅକ୍ଳେଶରେ ଭୂପତିତ କରିପାରେ, ଏଥିରେ ବାୟୁର ଶକ୍ତିମତ୍ତା ସୂଚିତ ହୁଏ କି ? ବର୍ତ୍ତମାନ ଯୁଦ୍ଧର ପ୍ରୟୋଜନ ନାହିଁ, ଯେବେ ଆମ୍ଭର ଏହି ଧନୁରେ ଜ୍ୟାରୋପଣ କରି ସଶର ଅନୁଜକୁ ଆକର୍ଷଣ କରି ପାର, ତେବେ ତୁମ୍ଭଙ୍କୁ ବଳଶାଳୀ ବିବେଚନା କରି ତୁମ୍ଭ ନିକଟରେ ପରାଜୟ ସ୍ୱୀକାର କରିବୁଁ; ନଚେତ୍ ଯଦି ତୁମ୍ଭେ ଏହି ତୀକ୍ଷ୍ଣଧାର ପ୍ରଦୀପ୍ତ ପରଶୁ ଦର୍ଶନରେ ଭୀତ ହୋଇଥାଅ, ତେବେ ବିନୟଶ୍ରଦ୍ଧାଞ୍ଜଳି ଦେଇ ଅଭୟ ଭିକ୍ଷା କର, ଦେବାକୁ ପ୍ରସ୍ତୁତ ଅଛୁଁ ।’’

 

ଭୀଷଣଦର୍ଶନ ଭାର୍ଗବଙ୍କର ଏବଂବିଧ ବୀର୍ଯ୍ୟୋଦ୍ଧତ ବଚନ ଶ୍ରବଣ କରି ରାମଚନ୍ଦ୍ର କିଛିମାତ୍ର ଉତ୍ତର ନ ଦେଇ ସାହସ୍ୟବଦନରେ ତଦୀୟ ଧନୁ ଗ୍ରହଣ କଲେ । ଯେପରି ନିସର୍ଗସୁନ୍ଦର ନବଜଳଧର ଇନ୍ଦ୍ରଚାପସହ ଯୋଗରେ ମରମରମଣୀୟ ଦିଶେ, ଦୂର୍ବାଦଳ-ଶ୍ୟାମଳ-କଳେବର ରାମଚନ୍ଦ୍ର ଭାର୍ଗବଶରାସନ ଧାରଣ କରି ସେହିପରି ଶୋଭମାନ ହେଲେ । ମହାବଳ ରାମ ଶରାସନର ଏକକୋଟି ଭୂପୃଷ୍ଠରେ ନିହିତ କରି ତହିଁରେ ଜ୍ୟାରୋପଣ କରନ୍ତେ କ୍ଷତ୍ରିୟନିସୃଦନ ପରଶୁରାମ ଧୂମାବିଶିଷ୍ଟ ବହ୍ନିପରି ପ୍ରଭା ପରିଶୂନ୍ୟ ହୋଇଗଲେ । ସେତେବେଳେ ବିଦୃକ୍ଷୁ ଜନତା ସମ୍ମୁଖରେ ସେହି ହୀନ ତେଜା ଭାର୍ଗବ ଓ ତେଜସ୍ୱୀ ରାମଚନ୍ଦ୍ର ପୂର୍ଣ୍ଣିମାତିଥିର ସାୟଂକାଳୀନ ଅସ୍ତକାମୀ ସୂର୍ଯ୍ୟ ଓ ଉଦୀୟମାନ ଚନ୍ଦ୍ରମାଙ୍କ ପରି ପ୍ରତିଭାତ ହେଲେ ।

 

ଅନନ୍ତର କୁମାରବିକ୍ରମ ରାମଚନ୍ଦ୍ର ଭାର୍ଗବଙ୍କୁ କୃପାମୃଦୁ ଓ ହୀନବୀର୍ଯ୍ୟ ଦେଖି ସ୍ୱୀୟ ସଂହିତ ଶରର ଅମୋଘତ୍ୱ ବିବେଚନାରେ କହିଲେ, ‘‘ଆପଣ ଆମ୍ଭଙ୍କୁ ଯଥେଷ୍ଟ ତିରସ୍କାର କରିଥିଲେହେଁ, ବ୍ରାହ୍ମଣ ବୋଲି ଆପଣଙ୍କୁ ନିର୍ଦ୍ଦୟରୂପେ ଆଘାତ କରିବାକୁ ଆମ୍ଭେ ଇଚ୍ଛା କରୁ ନାହୁଁ । ବର୍ତ୍ତମାନ କହନ୍ତୁ, ଏହି ଶରଦ୍ୱାରା ଆପଣଙ୍କର ସ୍ୱୈରଗତି କିଂବା ମଖାର୍ଜିତ ସ୍ୱର୍ଗଲୋକ ଅବରୋଧ କରିବୁଁ ?’’ ସେତେବେଳେ ମହର୍ଷି ଭାର୍ଗବ କହିଲେ, ‘‘ଆମ୍ଭେ ଯେ ଆପଣଙ୍କୁ ସ୍ୱରୂପତଃ ପୁରାଣପୁରୁଷ ବୋଲି ନ ଜାଣୁ ଏପରି ନୁହେ, ଆପଣ ସାକ୍ଷାତ୍ ନାରାୟଣ ଧରାମଣ୍ଡଳରେ ଅବତୀର୍ଣ୍ଣ ହୋଇଅଛନ୍ତି, ଆପଣଙ୍କର ବୈଷ୍ଣବତେଜଃ ଦର୍ଶନାକାଙ୍‌କ୍ଷାରେ କେବଳ ଆପଣଙ୍କୁ କୋପିତ କରିଅଛୁଁ । ପିତୃ-ଶତୃ କ୍ଷତ୍ରିୟବଂଶର ଉଚ୍ଛେଦ ସାଧନ କରି ଆମ୍ଭେ ଏହି ସମଗ୍ର ଅବନୀମଣ୍ଡଳକୁ ସତ୍‌ପାତ୍ରରେ ଅର୍ପଣ କରିଅଛୁଁ, ସମ୍ପ୍ରତି ଆପଣଙ୍କ କର୍ତ୍ତୃକ ପରାସ୍ତ ହେବା ଆମ୍ଭ ପକ୍ଷରେ ଶ୍ଳାଘାର ବିଷୟ, ଅତଏବ ହେ ମହାତ୍ମନ୍, ଆମ୍ଭର ସ୍ୱୈରଗତି ଅବ୍ୟାହତ ରହିଲେ ଆମ୍ଭେ ଅନେକ ପୁଣ୍ୟତୀର୍ଥକୁ ଗମନ କରି ପାରିବୁଁ; ସ୍ୱର୍ଗଲୋକ ଅବରୁଦ୍ଧ ହେଲେ ଆମ୍ଭର ଅଣୁମାତ୍ର କଷ୍ଟ ହେବ ନାହିଁ, କାରଣ ଆମ୍ଭେ ବିଷୟଭୋଗରୁ ଏକାନ୍ତ ପରାଙ୍ମୁଖ ହୋଇଅଛୁ । ଏହା ଶୁଣି ରାମଚନ୍ଦ୍ର ପୂର୍ବମୁଖ ହୋଇ ସେହି ସଂହିତ ଶାୟକ ନିକ୍ଷେପ କଲେ, ତଦ୍ଦ୍ୱାରା ପୁଣ୍ୟାତ୍ମା ଭାର୍ଗବଙ୍କର ସ୍ୱର୍ଗଗମନପଥ ଅବରୁଦ୍ଧ ହେଲା ।

 

ଅନନ୍ତର ମହାବୀର ରାମଚନ୍ଦ୍ର ‘କ୍ଷମା କରନ୍ତୁ କହିଁ ତପୋଧନ ପରଶୁରାମଙ୍କର ଚରଣତଳେ ପ୍ରଣିପାତ କଲେ । ପ୍ରକୃତରେ ସ୍ୱଭୁଜବଳ ନିର୍ଜିତ ଶତ୍ରୁ ନିକଟରେ ନତମସ୍ତକ ହେବା ମହାବୀରମାନଙ୍କ ପକ୍ଷରେ କୀର୍ତ୍ତିକର, ଏଥିରେ ସନ୍ଦେହ ନାହିଁ । ପୁଣାତ୍ମା ପରଶୁରାମ କହିଲେ, ‘‘ବୀରବର, ଆପଣଙ୍କ ଅନୁଗ୍ରହରୁ ଆମ୍ଭ ସଂପ୍ରତି ମାତୃକ ରଜୋଗୁଣ ତ୍ୟାଗ କରି ପୈତୃକ ସତ୍ତ୍ୱଗୁଣ ଲାଭ କଲୁଁ, ସୁତରାଂ ଆପଣ ଆମ୍ଭର ପରମ ଉପକାର ସାଧନ କରିଅଛନ୍ତି, ଆମ୍ଭେ ବିଦାୟ ନେଉଅଛୁଁ । ଆପଣ ନିର୍ବିଘ୍ନରେ ଦେବକାର୍ଯ୍ୟ ସଂପାଦନ କରନ୍ତୁ ।’’ ଏହା କହି ଭୃଗୁପତି ଅନ୍ତର୍ହିତ ହୁଅନ୍ତେ ପିତା ଦଶରଥ ବିଜୟୀ ପୁତ୍ର ରାମଚନ୍ଦ୍ରଙ୍କୁ ଆଲିଙ୍ଗନ କରି ସ୍ନେହାତିରେକବଶତଃ ମନେ କଲେ, ସତେ ଯେପରି ରାମଚନ୍ଦ୍ର ପୁନର୍ବାର ଅତିବାହିତ କରି ପୁତ୍ର ଓ ପୁତ୍ରବଧୂମାନଙ୍କ ସହିତ ଅଯୋଧ୍ୟାନଗରୀରେ ଶୁଭଷଣରେ ପ୍ରବେଶ କଲେ ।

Image

 

ରାବଣବଧ

 

ପାତ୍ରସ୍ଥିତ ତୈଳ ଗ୍ରହଣ କରିସାରି ପ୍ରଭାତକାଳରେ ଯେପରି ଦୀପଶିଖା ନିର୍ବାଣୋନ୍ମୁଖ ହୁଏ, ମହାରାଜ ଦଶରଥ ସେହିପରି ବିଷୟ-ଭୋଗ ଶେଷରେ ନିର୍ବାଣାବସ୍ଥାର ସମୀପବର୍ତ୍ତୀ ହେଲେ । ବାର୍ଦ୍ଧକ୍ୟଜନିତ ଶରୀର-କ୍ଷୟ ନିରୀକ୍ଷଣ କରି ସେ ଜ୍ୟେଷ୍ଠ ରାମଚନ୍ଦ୍ରଙ୍କୁ ଯୌବରାଜ୍ୟ ପ୍ରଦାନ କରିବାକୁ ଅଭିଳାଷ କଲେ । ରାମଙ୍କର ଅଭିଷେକ-ବାର୍ତ୍ତା ଶ୍ରବଣରେ ପ୍ରତ୍ୟେକ ପୁରବାସୀଙ୍କର ହୃଦୟ ଉଲ୍ଲସିତ ହେଲା । କ୍ରୂରନିଶ୍ଚୟା କୈକେୟୀ ଅଭିଷେକ ନିମିତ୍ତ କଳ୍ପତ ଦ୍ରବ୍ୟସମ୍ଭାରକୁ ପରିଣାମରେ ରାଜାଙ୍କର ଶୋକାଶ୍ରୁଦ୍ୱାରା ଦୂଷିତ କଲେ । ଯେପରି ବୃଷ୍ଟିଜଳସିକ୍ତ ଭୂମି ବିଳବିଳୀନ ଭୁଜଙ୍ଗମକୁ ଉଦ୍‌ବମନ କରେ, ସେହିପରି ଚଣ୍ଡୀ କୈକେୟୀ ପତିଙ୍କକର୍ତ୍ତୃକ ଆଶସ୍ତ ହୋଇ ପୂର୍ବପ୍ରତିଶ୍ରୁତି ବରଦ୍ୱୟ ପ୍ରାର୍ଥନା କରି ବସିଲେ । ସେ ପ୍ରଥମ ବରରେ ଚତୁର୍ଦ୍ଦଶବର୍ଷନିମିତ୍ତ ରାମଚନ୍ଦ୍ରଙ୍କର ବନବାସ ଏବଂ ଦ୍ୱିତୀୟ ବରରେ ପରିଣାମରେ ସ୍ୱୀୟ ବୈଧବ୍ୟବିଧାୟନୀ ଭରତଙ୍କର ରାଜ୍ୟଶ୍ରୀ କାମନା କଲେ । ରାମ ପ୍ରଥମେ ପିତାଙ୍କ ରାଜ୍ୟତ୍ୟାଗ ହେତୁରୁ ରୋଦନ କରି କରି ରାଜଶ୍ରୀ ଅଙ୍ଗୀକାର କରିଥିଲେ । ମାତ୍ର ପରେ ‘ବନକୁ ଗମନ କର’ ପିତାଙ୍କର ଏହି ଆଦେଶକୁ ପ୍ରମୁଦିତାନ୍ତଃ କରଣରେ ପ୍ରତିପାଳନ କଲେ । ମାଙ୍ଗଳିକ କ୍ଷୌମ-ଯୁଗଳ ପରିଧାନ କଲାବେଳେ ପୁରବାସୀମାନେ ତାଙ୍କର ଯେପରି ମୁଖଶୋଭା ଅବଲୋକନ କରିଥିଲେ ସଂପ୍ରତି ବକୁଳ ପରିଧାନରେ ଅବିକୃତ ସେହି ମୁଖଶୋଭା ନିରୀକ୍ଷଣ କରି ଅତ୍ୟନ୍ତ ବିସ୍ମୟାପନ୍ନ ହେଲେ । ରାମ ଏହିପରି ପିତାଙ୍କର ସତ୍ୟଲୋପଭୟରେ କନିଷ୍ଠ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ଦଣ୍ଡକାରଣ୍ୟରେ ପ୍ରବେଶ କଲେ । ପୁତ୍ରବିୟୋଗକାତର ରାଜା ଦଶରଥ ମଧ୍ୟ ମୁନି-ପୁତ୍ର-ବଧ-ଶାପ-ବୃତ୍ତାନ୍ତ ସ୍ମରଣ କରି ଶରୀରତ୍ୟାଗକୁ ସେହି ପାପର ସମାଚୀନ ପ୍ରାୟଶ୍ଚିତ୍ତ ବୋଲି ମନେ କଲେ ।

 

ପୁତ୍ରଦ୍ୱୟଙ୍କର ବନଗମନ ଏବଂ ରାଜାଙ୍କର ନିଧନ ହେତୁରୁ ଏହି ସମୟରେ କୋଶଳରାଜ୍ୟ ଛିଦ୍ରାନ୍ୱେଷୀ ଶତ୍ରୁମାନଙ୍କର ଲୋଭନୀୟ ବସ୍ତୁ ହୋଇ ପଡ଼ିଲା । ଅନନ୍ତର ଅନାଥ ପ୍ରକୃତିମଣ୍ଡଳୀ ବହୁକଷ୍ଟରେ ଶୋକାଶ୍ରୁ ସଂବରଣ କରି ସଚିବମାନଙ୍କଦ୍ୱାରା ଭରତଙ୍କୁ ମାତାମହଗୃହରୁ ଆନୟନ କଲେ । କୈକେୟୀନନ୍ଦନ ପିତାଙ୍କର ତଥାବିଧ ମୃତ୍ୟୁ ଏବଂ ରାମଙ୍କର ବନବିବାସନବୃତ୍ତାନ୍ତ ଶ୍ରବଣ କରି କେବଳ ଯେ ଜନନୀଙ୍କ ପ୍ରତି କୁପିତ ହେଲେ ତାହା ନୁହେ, ରାଜଲକ୍ଷ୍ମୀ ଗ୍ରହଣରେ ମଧ୍ୟ ପରାଙ୍ମୁଖ ହେଲେ । ସେ ସୈନ୍ୟସାମନ୍ତସମରିବ୍ୟାଦାରରେ ରୋଦନ କରି କରି ମୁନିଜନପ୍ରଦର୍ଶିତ ପନ୍ଥାରେ ଶ୍ରୀରାମଚରଣରେଣୁପୂତ ଗହାରଣ୍ୟ ମଧ୍ୟରେ ପ୍ରବେଶ କଲେ-। ଚିତ୍ରକୂଟପ୍ରବାସୀ ରାମଙ୍କ ସମୀପରେ ଉପସ୍ଥିତ ହୋଇ ଭରତ ପିତାଙ୍କ ସ୍ୱର୍ଗମନବୃତ୍ତାନ୍ତ ନିବେଦନପୂର୍ବକ ଅନୁଚ୍ଛିଷ୍ଟ ରାଜଲକ୍ଷ୍ମୀଙ୍କର ଉପଭୋଗ ନିମିତ୍ତ ରାମଙ୍କୁ ନିର୍ବନ୍ଧାତିଶଯ୍ୟ ସହକାରେ ପ୍ରାର୍ଥନା କଲେ । ରାମ ରାଜଶ୍ରୀପରିଗ୍ରହ ଅସ୍ୱୀକାର କରନ୍ତେ ସେ ସ୍ୱୟଂ ତାହା ଗ୍ରହଣ କରି ଆପଣାକୁ ପରିବେତ୍ତା ବୋଲି ମନେ କଲେ । ସ୍ୱର୍ଗତ ପିତାଙ୍କର ଆଦେଶରୁ ତାହାଙ୍କୁ ନିବର୍ତ୍ତିତ କରି ନ ପାରି ମହାମନା ଭରତ ରାଜ୍ୟର ଅଧିଦେବତା କରିବା ଉଦ୍ଦେଶ୍ୟରେ ତଦୀୟ ଚରଣପୂତ ପାଦୁକାଦ୍ୱୟ ଯାଚ୍‌ଞ୍ଚା କରନ୍ତେ ରାମ ପାଦୁକାଦ୍ୱୟ ପ୍ରଦାନ କରି ତାଙ୍କୁ ବିଦାୟ ଦେଲେ । ଭ୍ରାତୃ-ଭକ୍ତ ଭରତ ରାମଶୂନ୍ୟ ରାଜଧାନୀକୁ ପ୍ରତ୍ୟାବୃତ୍ତ ନ ହୋଇ ତାହାର ଅଦୂରବର୍ତ୍ତୀ ନନ୍ଦିଗ୍ରାମରେ ଅବସ୍ଥାନ କରି ଅନ୍ୟକର୍ତ୍ତୃକ ନ୍ୟାସୀକୃତ ଧନ ପରି ଜ୍ୟେଷ୍ଠଙ୍କ ରାଜ୍ୟ ରକ୍ଷା କରିବାକୁ ଲାଗିଲେ । ରାଜ୍ୟ-ତୃଷ୍ଣା-ବିମୁଖ ଦୃଢ଼ଭକ୍ତି ଭରତ ତପସ୍ୱି ବେଶରେ ଏହିପରି ଜୀବନ ଯାପନ କରି ଯେପରି ମାତୃକୃତ ପାପର ପ୍ରାୟଶ୍ଚିତ୍ତ କଲେ ।

 

ଏଣେ ମନସ୍ୱୀ ରାମଚନ୍ଦ୍ର ପ୍ରିୟତମ ଭ୍ରାତା ଓ ପତ୍ନୀଙ୍କ ସଙ୍ଗେ ବନରେ ଫଳମୂଳାଶନଦ୍ୱାରା ଜୀବିକା ନିର୍ବାହ କରି ଯୌବନରେ ବୃଦ୍ଧ ଇକ୍ଷ୍ୱାକୁମାନଙ୍କର ଅନୁଷ୍ଠିତ ବ୍ରତ ପ୍ରତିପାଳନ କରିବାକୁ ଲାଗିଲେ । ରାଜଧାନୀରୁ ସେହି ସ୍ଥାନର ଅଦୂରବର୍ତ୍ତିତା ବିଷୟ ଭାବି କାଳେ ଭରତ ପୁନର୍ବାର ସେ ସ୍ଥାନକୁ ଆଗମନ କରିବେ, ଏହି ଆଶଙ୍କାରେ ସେ ଚିତ୍ରମୃଗସମାକୀର୍ଣ୍ଣ ଚିତ୍ରକୂଟ ପର୍ବତ ପରିତ୍ୟାଗ କରି ପଥରେ ଆତିଥେୟ ଋଷିମାନଙ୍କର ଆତିଥ୍ୟ ଗ୍ରହଣପୂର୍ବକ କ୍ରମେ ଦକ୍ଷିଣଦିଗକୁ ଗମନ କଲେ-। ସୀତାଙ୍କୁ ରାମଙ୍କର ଅନୁଗାମିନୀ ଦେଖି ବୋଧ ହେଉଥିଲା, ସତେ ଯେପରି ଗୁଣପକ୍ଷପାତିନୀ ରାଜ-ଲକ୍ଷ୍ମୀ କୈକେୟୀଙ୍କ ନିଷେଧ ଗ୍ରାହ୍ୟ ନ କରି ତାଙ୍କର ଅନୁଗମନ କରୁଅଛନ୍ତି-। ପଥରେ ବିରାଧ ନାମକ ଦୁରନ୍ତ ନିଶାଚର ମୃର୍ଗାବରୋଧ କରି ରାମ ଲକ୍ଷ୍ମଣଙ୍କ ମଧ୍ୟବର୍ତ୍ତିନୀ ସୀତାଙ୍କୁ ଅପହରଣ କରିବାରୁ ରାମ ଅବିଳମ୍ବେ ତାହାକୁ ଶମରସଦନର ଅତିଥି କରି ସୀତାଙ୍କୁ ଉଦ୍ଧାର କଲେ ଏବଂ ତାହାର ସୁପ୍ରକାଣ୍ଡ ମୃତ କଳେବରର ପୂତିଗନ୍ଧରେ ଅରଣ୍ୟ ପ୍ରଦେଶ ଦୁର୍ଗନ୍ଧମୟ ହେବ ଭାବି ତାହାକୁ ଭୂଗର୍ଭରେ ନିଖାତ କଲେ । ତଦନନ୍ତର ରାମ ମହର୍ଷି ଅଗସ୍ତ୍ୟଙ୍କ ଶାସନକ୍ରମେ ପଞ୍ଚବଟୀରେ ଅବସ୍ଥାନ କରିବାକୁ ଲାଗିଲେ ।

 

ଏକଦା ରାବଣର ଅନୁଜା ମଦନାତୁରା ସୁର୍ପଣଖା ଚନ୍ଦନ ବୃକ୍ଷାଭିଳାଷିଣୀ ନିଦାଘସନ୍ତପ୍ତା ଭୁଜଙ୍ଗୀ ପରି ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହେଲା ଏବଂ ନିଜ ବଂଶପରିଚୟ ପ୍ରଦାନପୂର୍ବକ ସୀତାଙ୍କ ସମ୍ମୁଖରେହିଁ ରାମଙ୍କୁ ପତିରୂପେ ବରଣ କଲା । ରାମ କହିଲେ, ‘‘ବାଳେ ! ମୋର ପତ୍ନୀ ସମୀପରେ ଅଛନ୍ତି, ତୁମ୍ଭେ ମୋର କନିଷ୍ଠ ଲକ୍ଷ୍ମଣଙ୍କୁ ଭଜ ।’’ ସେ ଲକ୍ଷ୍ମଣଙ୍କୁ ତାହାର ଅଭିଳାଷ ପୂରଣ ନିମନ୍ତେ ଅନୁରୋଧ କରିବାରୁ ଲକ୍ଷ୍ମଣ କହିଲେ, ‘‘ତୁମ୍ଭେ ପ୍ରଥମେ ଆମ୍ଭ ଜ୍ୟେଷ୍ଠ ଭ୍ରାତାଙ୍କୁ ପତିରୂପେ ବରଣ କରିଥିବାସ୍ଥଳେ ଆମ୍ଭେ ତୁମ୍ଭଙ୍କୁ ଗ୍ରହଣ କରି ନ ପାରୁଁ ।’’ ଏହା ଶୁଣି ନିଶାଚରୀ ପୁନରପି ରାମଙ୍କ ସମୀରେ ଉପସ୍ଥିତ ହେଲା । ଏହି ବ୍ୟାପାର ଦର୍ଶନରେ ସୀତା ହାସ୍ୟ ସଂବରଣ କରି ରହି ପାରିଲେ ନାହିଁ । ସୀତାଙ୍କର ସହାସ୍ୟ ବଦନମଣ୍ଡଳ ଅବଲୋକନ କରି ରାକ୍ଷସୀ କ୍ଷଣକାଳନିମିତ୍ତ କ୍ରୋଧରେ ସଂକ୍ଷୁବ୍ଧ ହୋଇ ଉଠିଲା । ସେ ତର୍ଜନ-ଗର୍ଜନପୂର୍ବକ କହିଲା, ‘‘କହିଲା, ‘‘ତୁ ଶୀଘ୍ର ଏହି ଉପହାସର ଫଳ ଭୋଗ କରିବୁ, ମନେ ରଖ ମୃଗୀ ହୋଇ ବ୍ୟାଘ୍ରୀକୁ ଉପହାସ କଲୁ ।’’ ଏହା କହୁ କହୁ ସେ ସ୍ୱୀୟ ନାମସଦୃଶ ଭୀଷଣ ବିକଟ ରାକ୍ଷସୀ-ରୂପ ଧାରଣ କଲା । ସୀତା ଦୟତ୍ରସ୍ତ ହୋଇ ସ୍ୱାମୀଙ୍କ ଅଙ୍କଦେଶରେ ଲୁକ୍କାୟିତ ହେଲେ । ଲକ୍ଷ୍ମଣ ତାହାର ଶିବାରବସଦୃଶ ଭୈରବ ରବ ଶ୍ରବଣ କରି ଛଦ୍ମବେଶିନୀକୁ ରାକ୍ଷସୀ ବୋଲି ଜାଣି ପାରିଲେ ଏବଂ ତତ୍‌କ୍ଷଣାତ୍ ପର୍ଣ୍ଣଶାଳା ମଧ୍ୟରେ ପ୍ରବେଶ କରି ତୀକ୍ଷ୍ଣଧାର ଅସି ଗ୍ରହଣପୂର୍ବକ ସେହି ଭୀମଦର୍ଶନା ରାକ୍ଷସୀର ନାସାକର୍ଣ୍ଣାଦି ଛେଦନ କରି ତାହାର ଆକୃତିକୁ ଭୀଷଣତର କରି ଦେଲେ ।

 

ଅନନ୍ତର ସେହି ରାକ୍ଷସୀ ଗଗନଦେଶକୁ ଉଠି ଅଙ୍କୁଶାକାରବକ୍ର ନଖଯୁକ୍ତ ସପର୍ବବେଣୁଯଷ୍ଟିସଦୃଶ ଅଙ୍ଗୁଳିଦ୍ୱାରା ରାମଲକ୍ଷ୍ମଣଙ୍କୁ ନାନା ଭାବରେ ତର୍ଜନ କରି କରି ଜନସ୍ଥାନକୁ ଗମନ କଲା ଏବଂ ସେଠାରେ ଖରାଦିଙ୍କ ସମ୍ମୁଖରେ ତାବତୀୟ ବିଷୟ ବର୍ଣ୍ଣନ କଲା । ଗମକର୍ତ୍ତୃକ ରାକ୍ଷସବଂଶର ଅଭିନବ ପରାଭବ ବିଷୟ ସେମାନଙ୍କର ଏକାନ୍ତ ଅସହ୍ୟ ହେବାରୁ ସେମାନେ ଦଳବଳ ସହ ରାମଙ୍କ ସଙ୍ଗେ ଯୁଦ୍ଧ କରିବା ନିମିତ୍ତ ବହିର୍ଗତ ହେଲେ । ଯାତ୍ରାବେଳେ ବିକୃତାନନା ସୂର୍ପଣଖା ରାକ୍ଷସୀ ସେନାର ଅମଙ୍ଗଳର ନିଦାନ ରୂପେ ଅଗ୍ରେ ଅଗ୍ରେ ଧାବିତ ହେବାକୁ ଲାଗିଲା । କ୍ରୋଧଦୃପ୍ତ ଉଦ୍ୟତାୟୁଧ ରାକ୍ଷସମାନଙ୍କୁ ଦର୍ଶନ କରି ରାମ ସ୍ୱୀୟ ଶରାସନରେ ବିଜୟ-ଆଶା ଏବଂ ଲକ୍ଷ୍ମଣଙ୍କ ହସ୍ତରେ ସୀତାଙ୍କୁ ସ୍ଥାପନ କରି ଯୁଦ୍ଧନିମିତ୍ତ ଅଗ୍ରସର ହେଲେ । ରାମ ଏକାକୀ ଅସଂଖ୍ୟ, କିନ୍ତୁ ରଣଭୂମିରେ ବୋଧ ହେଲା ସତେ ଯେପରି ରାକ୍ଷସମାନଙ୍କର ସମାନସଂଖ୍ୟକ ରାମ ସେମାନଙ୍କ ସଙ୍ଗରେ ଯୁଦ୍ଧରେ ବ୍ୟାପୃତ ଅଛନ୍ତି । ରାମ-ନିକ୍ଷିପ୍ତ ଶରାବଳି ପର୍ଯ୍ୟାୟକ୍ରମେ ଶରାସନରୁ ନିଃସୃତ ହେଉଥିଲେହେଁ ଜଣାଯାଉଥିଲା ଯେପରି ସେ ସମସ୍ତ ଯୁଗପତ୍ ତହିଁରୁ ନିର୍ଗତ ହେଉଅଛନ୍ତି । ପରିଶେଷରେ ରାମଙ୍କର ସତୀକ୍ଷ୍ଣ ସାୟକ ଦୂଷଣ ତ୍ରିଶିରା ଖରଙ୍କର ପରମାୟୁ ପାନ କରି ସେମାନଙ୍କ ଶୋଣିତକୁ ପକ୍ଷୀମାନଙ୍କୁ ପାନ କରାଇଲ । ସେହି ମହତି ରାକ୍ଷସୀ ସେନା ବାଣବର୍ଷୀ ରାମଚନ୍ଦ୍ରଙ୍କ ସହ କ୍ଷଣକାଳ ଯୁଦ୍ଧ କରି ଶାନ୍ତିବଶତଃ ଗୃଧ୍ରପକ୍ଷଚ୍ଛାୟାବୃତ ସମରାଙ୍ଗନରେ ମହାନିଦ୍ରାରେ ଅଭିଭୂତ ହୋଇ ପଡ଼ିଲା । ସେତେବେଳେ ଦେଖାଗଲା ଯେ, ରଣଭୂମିରେ କେବଳ କେତେ ଗୁଡ଼ିଏ କବନ୍ଧ ନୃତ୍ୟ କରୁଅଛି । ରାବଣ ନିକଟରେ ଏହି ଦୁଃସବାଦ ଜ୍ଞାପନ କରିବାପାଇଁ ସୂର୍ପଣଖା ମାତ୍ର ଅବଶିଷ୍ଟ ରହିଗଲା ।

 

ରାବଣ ଭଗିନୀର ନିଗ୍ରହ ଓ ଆତ୍ମୀୟମାନଙ୍କର ନିଧନବୃତ୍ତାନ୍ତ ଅବଗତ ହୋଇ ମନେ କଲା, ଯେପରି ରାମଚନ୍ଦ୍ର ତାହାର ଦଶମସ୍ତକରେ ପଦାର୍ପଣ କରିଅଛନ୍ତି । କିୟଦ୍ଦିବସ ମଧ୍ୟରେ ସେ ମୃଗରୂପଧାରୀ ମାୟାବୀ ରାକ୍ଷସ ମାରୀଚ କର୍ତ୍ତୃକ ରାମ ଲକ୍ଷ୍ମଣଙ୍କୁ ବଞ୍ଚିତ କରି ସୀତାଙ୍କୁ ହରଣ କରି ଘେନିଗଲା । ପଥରେ ଯାଉ ଯାଉ ପକ୍ଷୀନ୍ଦ୍ର ଜଟାୟୁ ତାହାର ଗତି ରୋଧ କରି କ୍ଷଣକାଳ ନିମିତ୍ତ ଏହି ଦୁଷ୍ପାର୍ଯ୍ୟରେ ବାଧା ପ୍ରଦାନ କଲେ । ରାମ ଲକ୍ଷ୍ଣଣ ସୀତାଙ୍କର ଅନ୍ୱେଷଣ କରି କରି ଏକତ୍ର ଦେଖିଲେ ପକ୍ଷିରାଜ ଜଟାୟୁ ଛିନ୍ନପକ୍ଷ ଓ କଣ୍ଠାଗତପ୍ରାଣ ହୋଇ ପଡ଼ିଅଛନ୍ତି । ‘‘ରାବଣ ସୀତାଙ୍କୁ ହରଣ କରିଅଛି’’ ଏହି ସଂବାଦ ପ୍ରଦାନ କରି ଜଟାୟୁ ପ୍ରାଣତ୍ୟାଗ କଲେ । ତଦ୍ଦର୍ଶନରେ ରାମଲକ୍ଷ୍ମଣଙ୍କ ମନରେ ପିତୃ-ଶୋକ ନବୀଭୂତ ହୋଇ ଉଠିଲା । ସେମାନେ ସେଠାରେ ପିତୃକଳ୍ପ ଜଟାୟୁଙ୍କର ଅଗ୍ନିସଂସ୍କାରାଦି ତାବତୀୟ ଔର୍ଦ୍ଧ୍ୱ ଦେହିକ କ୍ରିୟା ସଂପାଦନ କଲେ । ପଥରେ ରାମ କବନ୍ଧନାମକ ରାକ୍ଷାସକୁ ହତ୍ୟା କଲେ । କବନ୍ଧ ଶାପମୁକ୍ତ ହୋଇ ସୁଗ୍ରୀବଙ୍କ ସହ ମିତ୍ରତା କରିବା ପାଇଁ ତାହାଙ୍କୁ ଉପଦେଶ ପ୍ରଦାନ କଲେ । ତଦନୁଯାୟୀ ରାମଚନ୍ଦ୍ର ସମଦୁଃଖଭାଗୀ ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ସ୍ଥାପନ କରି କୌଶଳକ୍ରମେ ତଦୀୟ ଭ୍ରାତା କିସ୍କିନ୍ଧ୍ୟାରାଜ ବାଳିଙ୍କର ନିଧନସାଧନପୂର୍ବକ ତାହାଙ୍କୁ ଚିରାକାପ୍ପିତ କିସ୍କିନ୍ଧ୍ୟା ରାଜସିଂହାସନରେ ପ୍ରତିଷ୍ଠିତ କଲେ ।

 

ଅନନ୍ତର ସୁଗ୍ରୀବଙ୍କ ଆଦେଶରେ ତଦୀୟ ଅନୁଚରବୃନ୍ଦ ସୀତାଙ୍କ ଅନ୍ୱେଷଣ ନିମିତ୍ତ ବହିର୍ଗତ ହେଲେ । ମହାବୀର ହନୁମାନ୍ ଜଟାୟୁଙ୍କର ଜ୍ୟାୟାନ୍ ଭ୍ରାତା ସମ୍ପାତିଙ୍କ ମୁଖରୁ ସୀତାଙ୍କର ଲଙ୍କାପୁରୀରେ ଅବସ୍ଥାନ କଥା ଶ୍ରବଣ କରି ଅନନ୍ତ ମହାସାଗର ଉଲ୍ଲଙ୍ଘନପୂର୍ବକ ଲଙ୍କାରେ ଉପସ୍ଥିତ ହେଲେ ଏବଂ ସେଠାରେ ଦେଖିଲେ ଯେ, ସୀତା ବିଷବଲ୍ଲୀବେଷ୍ଟିତ ମହୌଷଧି ପଚି ରାକ୍ଷସୀ-ଗଣପରିବେଷ୍ଟିତା ହୋଇ ଅବସ୍ଥାନ କରୁଅଛନ୍ତି । ହନୁମାନ୍ ରାମଙ୍କର ଅଭିଜ୍ଞାନ ଅଙ୍ଗୁରୀୟକ ସତୀଙ୍କୁ ପ୍ରଦାନ କରନ୍ତେ ସେ କୃତକୃତ୍ୟ ହୋଇ ତାହା ଗ୍ରହଣ କଲେ । ଅନନ୍ତର ପ୍ରିୟସନ୍ଦେଶ-ସଲିଳ-ସେଚନରେ ସେ ସୀତାଙ୍କ ଶୋକାନଳକୁ କଥଜ୍ୱତ୍ ନିର୍ବାପିତ କରି ରାବଣପୁତ୍ର ଅକ୍ଷର ପ୍ରାଣସଂହାର କଲେ । ତଦ୍ଦ୍ୱାରା ରାକ୍ଷସକୁଳ କ୍ରୁଦ୍ଧ ହୋଇ ତାହାଙ୍କୁ ଆବଦ୍ଧ କରନ୍ତେ ସେ କୌଶଳକ୍ରମେ ଅଗ୍ନି ସଂଯୋଗରେ ଲଙ୍କାପୁରୀକୁ ଭସ୍ମସାତ୍ କରି ପୁନର୍ବାର ସମୁଦ୍ରୋଲ୍ଲଙ୍ଘପୂର୍ବକ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହେଲେ । ରାମ କୃତୀ ହନୁମାନ୍‍ଙ୍କ ହସ୍ତରୁ ପ୍ରିୟାଙ୍କର ମୂର୍ତ୍ତିମାନ୍ ହୃଦୟରୂପୀ ପ୍ରତ୍ୟଭିଜ୍ଞନ ମଣି ଗ୍ରହଣ କରି ସ୍ୱୀୟ ବକ୍ଷଉପରି ସ୍ଥାପନପୂର୍ବକ ନିମୀଳିତ ନୟନରେ ପ୍ରିୟତମାଙ୍କର ଆଲିଙ୍ଗନସୁଖ ଅନୁଭବ କଲେ ଏବଂ ପରେ ତନ୍ମୁଖରୁ ତାହାଙ୍କର ସମଗ୍ର ବୃତ୍ତାନ୍ତ ଅବଗତ ହୋଇ ପ୍ରିୟା-ସମାଗମ-ସମୁତ୍ସୁକହୃଦୟରେ ଲଙ୍କାର ମହାର୍ଣ୍ଣବବେଷ୍ଟନକୁ ସାମାନ୍ୟ ପରିଖା ବେଷ୍ଟନ ପରି ମନେ କଲେ ।

 

ରାମ କାଳବିଳମ୍ବ ନ କରି କପି-ସୈନ୍ୟ ସମଭିବ୍ୟାହାରରେ ଶତ୍ରୁସଂହାର ନିମିତ୍ତ ଅଗ୍ରସର ହେଲେ । ସୈନ୍ୟଗଣ କେବଳ ଭୂପୃଷ୍ଠ ନୁହେ, ଆକଶଦେଶ ମଧ୍ୟ ସମାଚ୍ଛନ୍ନ କରି ଗମନ କରିବାକୁ ଲାଗିଲେ । ରାମ ସମୁଦ୍ରତୀରର; ଶିବିର-ସନ୍ନିବେଶପୂର୍ବକ ଅବସ୍ଥାନ କଲାବେଳେ ରାବଣର କନିଷ୍ଠ ପୁଣ୍ୟାତ୍ମା ବିଭୀଷଣ ତାଙ୍କର ଶରଣାପନ୍ନ ହେଲେ । ରାମ ତାଙ୍କ ସଙ୍ଗେ ମିତ୍ରତା କରି ତାଙ୍କୁ ରାକ୍ଷସ-ରାଜ୍ୟର ରାଜା କରିବେ ବୋଲି ପ୍ରତିଜ୍ଞା କଲେ । ଅନନ୍ତର ସେ କପି-ସେନା-ସାହାଯ୍ୟରେ ସମୁଦ୍ରରେ ଦ୍ୱିତୀୟ ଶେଷନାଗ ସଦୃଶ ପ୍ରକାଣ୍ଡ ସେତୁ ନିର୍ମାଣ କରାଇ ଲଙ୍କାରେ ପ୍ରବେଶପୂର୍ବକ ତାହା ଅବରୋଧ କଲେ । ପିଙ୍ଗଳବର୍ଣ୍ଣ କପିଯୂଥଦ୍ୱାରା ପରିବେଷ୍ଟିତ ହୋଇ ଲଙ୍କାପୁରୀ ଦ୍ୱିତୀୟ ସ୍ୱର୍ଣ୍ଣପ୍ରାଚୀରପରିବେଷ୍ଟିତ ହେଲା ପରି ଦେଖାଗଲା । କପିସେନା ରାକ୍ଷସସେନା ମଧ୍ୟରେ ଘୋରଯୁଦ୍ଧ ଆରମ୍ଭ ହେଲା । ରାମରାବଣ ଜୟଧ୍ୱନିରେ ଚତୁର୍ଦ୍ଦିଗ ପରିପୂର୍ଣ୍ଣ ହେଲା । ନିକ୍ଷିପ୍ତ ବୃକ୍ଷମାନଙ୍କଦ୍ୱାରା ପରିଘାସସମୂହ ଭଗ୍ନ ହୋଇଗଲା; ଶିଳାବର୍ଷଣରେ ମୁଦ୍ଗର ନିଷ୍ପିଷ୍ଟ ହେଲା; ଶସ୍ତ୍ରାଘାତ ଅପେକ୍ଷା ନଖାଘାତରେ ରାକ୍ଷସୈନ୍ୟମାନେ ଉଦ୍‌ବେଜିତ ହୋଇଉଠିଲେ, ଶୈଳାବପାତରେ ପ୍ରକାଣ୍ଡ କରିକୁଳ ଚୂର୍ଣ୍ଣୀଭୂତ ହେବାକୁ ଲାଗିଲେ । ଏକଦା ଜାନକୀ ରାମଙ୍କର ଛିନ୍ନମସ୍ତକ ଦେଖି ଭୂତଳରେ ପଡ଼ି ଅଚେତନ ହୁଅନ୍ତେ ତ୍ରିଜଟାନାମ୍ନୀ ନିଶାଚରୀ ତାହା ମାୟା-କଳ୍ପିତ ବୋଲି କହି ତାହାଙ୍କୁ ସଂଜ୍ଞା ପ୍ରଦାନ କଲେ । ପ୍ରାଣନାଥ ନିଶ୍ଚୟ ଜୀବିତ ଅଛନ୍ତି, ଜାଣି ସୀତା ଶୋକ ପରିତ୍ୟାଗ କଲେ, ମାତ୍ର ପୂର୍ବେ ତାଙ୍କ ପ୍ରାଣନାଶ ସତ୍ୟ ବୋଲି ଜାଣି ଯେ ଜୀବିତ ଥିଲେ, ଏଥିପାଇଁ ଅତ୍ୟନ୍ତ ଲଜ୍ଜିତ ହେଲେ । ଦିନେ ମେଘନାଦ ନାଗପାଶଦ୍ୱାରା ରାମଲକ୍ଷ୍ମଣଙ୍କୁ ବଦ୍ଧ କରିଥିଲା ମାତ୍ର ଗରୁଡ଼ର ଉପସ୍ଥିତିରେ ନାଗପାଶ ଶିଥିଳ ହୋଇ ଯିବାରୁ ସେହି ବନ୍ଧନ ସ୍ୱପ୍ନବୃତ୍ତାନ୍ତ ପରି ରାମଲକ୍ଷ୍ମଣଙ୍କ ପକ୍ଷରେ ମୂହୂର୍ତ୍ତକପାଇଁ କ୍ଳେଶକର ହୋଇଥିଲା । ଅନନ୍ତର ରାବଣ ଶକ୍ତିନାମକ ଅସ୍ତ୍ରଦ୍ୱାରା ଲକ୍ଷ୍ମଣଙ୍କ ବକ୍ଷୋଦେଶ ବିଦୀର୍ଣ୍ଣ କରନ୍ତେ ରାମ ଅନାହତ ହୋଇ ମଧ୍ୟ ଭ୍ରାତୃ-ଶୋକରେ ଏକାନ୍ତ ଅଧୀର ହୋଇପଡ଼ିଲେ, ପରେ ମହାବୀର ମାରୁତିକର୍ତ୍ତୃକ ଆନୀତ ମହୌଷଧି ଆଘ୍ରାଣରେ ସେ ଗତବ୍ୟଥ ହୋଇ ରକ୍ଷୋଯୁବତୀମାନଙ୍କୁ ପୁନରପି ବୈଧବ୍ୟ ଦୀକ୍ଷା ପ୍ରଦାନ କରିବାକୁ ଲାଗିଲେ-। ତାହାଙ୍କର ତୀକ୍ଷ୍ଣ ଶରାଘାତ ମେଘନାଦର ସିଂହନାଦ ଓ ଇନ୍ଦ୍ରାୟୂଧତୁଲ୍ୟ ଧନୁର କିଛି ମାତ୍ର ଅବଶେଷ ରଖିଲା ନାହିଁ । ମହାବୀର ସୁଗ୍ରୀବ ନାସାକର୍ଣ୍ଣ ଛେଦନଦ୍ୱାରା କୁମ୍ଭକର୍ଣ୍ଣକୁ ଭଗିନୀର ତୁଲ୍ୟାବସ୍ଥା ପ୍ରଦାନ କରନ୍ତେ ସେ କ୍ରୋଧାନ୍ଧ ହୋଇ ପ୍ରଚଣ୍ଡବେଗରେ ରାମଚନ୍ଦ୍ରଙ୍କୁ ଆକ୍ରମଣ କଲା । କୁମ୍ଭକର୍ଣ୍ଣ ବଡ଼ ନିଦ୍ରାପ୍ରିୟ, ରାବଣକର୍ତ୍ତୃକ ଅକାଳରେ ପ୍ରବୋଧିତ ହୋଇ ସେ ରଣସ୍ଥଳକୁ ଆଗମନ କରିଥିଲା, ତେଣୁ ଯେପରି ରାମଙ୍କ ଶରଜାଳ ଅନତିବିଳମ୍ବରେ ତାକୁ ମହାନିଦ୍ରାରେ ଅଭିଭୂତ କଲା-। ସମରୋତ୍ଧିତ କୋଟି କୋଟି ଧୂଳିକଣା ଯେପରି ରକ୍ତନଦୀରେ ନିପତିତ ହେଉଥିଲା, ସେହିପରି କୋଟି କୋଟି ରାକ୍ଷସସୈନ୍ୟ ବାନରସୈନ୍ୟ କର୍ତ୍ତୃକ ରଣଭୂମିରେ ନିପାତିତ ହେବାକୁ ଲାଗିଲେ-। ପରିଶେଷରେ ମହାବୀର ରାବଣ ‘‘ଅଦ୍ୟ ପୃଥିବୀ ରାମଶୂନ୍ୟ ବା ରାବଣଶୂନ୍ୟ ହେବ’’ ଏହା ନିଶ୍ଚୟ କରି ପୁନର୍ବାର କରି ପୁନର୍ବାର ଯୁଦ୍ଧନିମିତ୍ତ ସ୍ୱଗୃହରୁ ବହିର୍ଗତ ହେଲା । ପୁରନ୍ଦର ରାବଣକୁ ରଥସ୍ଥ ଏବଂ ରାମଚନ୍ଦ୍ରଙ୍କୁ ପାଦଚାରୀ ଦେଖି ଦେବପ୍ରିୟ ରାମଙ୍କର ଆରୋହଣ ନିମିତ୍ତ ସ୍ୱକୀୟ ଦିବ୍ୟରଥ ପ୍ରେରଣ କଲେ । ଇନ୍ଦ୍ରସାରଥି ମାତୁଳଙ୍କର ହସ୍ତାବଲମ୍ବନ ପୂର୍ବକ ରାମ ସେହି ଜୈତ୍ରରଥରେ ଆରୋହଣ କରି ଇନ୍ଦ୍ରପ୍ରଦତ୍ତ ଦୁର୍ଭେଦ୍ୟ ବର୍ମ ପରିଧାନ କଲେ । ବହୁକାଳ ପରେ ସେମାନେ ପରସ୍ପର ସମ୍ମୁଖୀନ ହୋଇ ସ୍ୱ ସ୍ୱ ବିକ୍ରମ ପ୍ରକାଶର ଯୋଗ୍ୟ ଅବସର ପ୍ରାପ୍ତ ହେଲେ । ଭୀଷଣ ଯୁଦ୍ଧ ଆରମ୍ଭ ହେଲା; ରାକ୍ଷସ ସୈନ୍ୟର ବିନାଶରେ ଏକାକୀ ରାବଣ ମସ୍ତକ, ବାହୁ ଓ ପାଦର ବହୁଳତା ହେତୁରୁ ଯୁଦ୍ଧକ୍ଷେତ୍ରରେ ଅସଂଖ୍ୟରାକ୍ଷସପରିବେଷ୍ଟିତ ହେଲା ପରି ପ୍ରତୀୟମାନ ହେଲା-। ଲୋକପାଳବିମର୍ଦ୍ଦନ କୈଳାସୋତ୍ତ୍ପାଟନକ୍ଷମ ଶତ୍ରୁର ଅତୁଳ ପରାକ୍ରମ ସନ୍ଦର୍ଶନ କରି ରାମ ମନେ ମନେ ତାହାକୁ ଶତ ଧନ୍ୟବାଦ ପ୍ରଦାନ କଲେ । ଏହି ସମୟରେ ରାବଣ ରାମଙ୍କ ସବ୍ୟେତର ଭୁଜକୁ ଲକ୍ଷ୍ୟ କରି ଗୋଟିଏ ସୁତୀକ୍ଷ୍ଣ ଶର ନିକ୍ଷେପ କଲା । ରାମ ମଧ୍ୟ ରାବଣର ବିଶାଳ ବକ୍ଷଃସ୍ଥଳରେ ବଜ୍ରକଳ୍ପ ଗୋଟିଏ ଶର ପ୍ରବେଶ କରାଇ ଦେଲେ । ରାମଶର ରାବଣର ବକ୍ଷୋଦେଶ ବିଦୀର୍ଣ୍ଣ କରି ସତେ ଯେପରି ନାଗ ଲୋକରେ ପ୍ରିୟସଂବାଦ ଦେବାପାଇଁ ଭୂଗର୍ଭରେ ପ୍ରବେଶ କଲା-। ବାକ୍ୟଦ୍ୱାରା ବାକ୍ୟର ଏବଂ ଅସ୍ତ୍ରଦ୍ୱାରା ଅସ୍ତ୍ରର ପ୍ରତିଶୋଧ ପ୍ରଦାନ କରୁଁ କରୁଁ ସେହି ବିଜିଗୀଷୁ ବୀରଦ୍ୱୟଙ୍କର ବିଳିଗୀଷା କ୍ରମଶଃ ପରିବର୍ଦ୍ଧିତ ହେବାକୁ ଲାଗିଲା । ଉଭୟ ପକ୍ଷ ପର୍ଯ୍ୟାୟକ୍ରମେ ଜୟ-ପରାଜୟ-ଭାଗୀ ହେଉଅଛନ୍ତି ଦେଖି ବିଜୟଲକ୍ଷ୍ମୀ କୌଣସି ବିଶିଷ୍ଟ ପକ୍ଷ ଅବଲମ୍ବନ ନ କରି ମଧ୍ୟବର୍ତ୍ତିନୀ ହେଲେ । କେତେବେଳେ ରାମଙ୍କର ରଣ-ନୈପୁଣ୍ୟ ଦର୍ଶନରେ ସୁରବୃନ୍ଦ ନଭସ୍ଥଳରୁ ପୁଷ୍ପବୃଷ୍ଟି କରୁଥିଲେ, କେତେବେଳେ ବା ରାବଣର ବିକ୍ରମ ଅବଲୋକନରେ ଅସୁରବୃନ୍ଦ କୁସୁମବୃଷ୍ଟି କରୁଥିଲେ ।

 

ଅନନ୍ତର ରକ୍ଷୋନାଥ ଚତୁସ୍ତାଳପରିମିତ ଲୌହକଣ୍ଟକକୀଳିତ ଶତଗ୍ନୀନାମକ ଗୋଟିଏ ପ୍ରକାଣ୍ଡ ଅସ୍ତ୍ର ରାମଙ୍କ ପ୍ରତି ପ୍ରୟୋଗ କଲା । ରାମ ଲକ୍ଷ୍ମଣ ସେହି ଅସ୍ତ୍ରକୁ ନିଶାଚରମାନଙ୍କର ଜୟାଶା ସହିତ ଅର୍ଦ୍ଧଚନ୍ଦ୍ରବାଣଦ୍ୱାରା କଦଳୀ ପରି ଅବଲୀଳାକ୍ରମେ ଖଣ୍ଡ ଖଣ୍ଡ କରି ପକାଇଲେ । ପରିଶେଷରେ ଧନୁର୍ଦ୍ଧର ରଘୁନାଥ ସ୍ୱକୀୟ ସୁବୃହତ୍ କୋଦଣ୍ଡରେ ଶତ୍ରୁ ବିନାଶ ନିମିତ୍ତ ଅମୋଘ ବ୍ରହ୍ମାସ୍ତ୍ର ସନ୍ଧାନ କଲେ । ସେହି ପ୍ରଦୀପ୍ତ ଅସ୍ତ୍ର ଦିବ୍ୟତେଜରେ ଗଗନମଣ୍ଡଳକୁ ଉଦ୍‌ଭାସିତ କରି କରାଳଫଣମଣ୍ଡଳଧାରୀ ଶେଷନାଗ ପରି ମହାବେଗରେ ଧାବିତ ହେଲା ଏବଂ ଅର୍ଦ୍ଧନିମେଷ ମଧ୍ୟରେ ଦଶାନନର ଶିରଃପଂକ୍ତିକୁ ବିନାଯନ୍ତ୍ରଣାରେ ମସ୍ତକଚ୍ୟୁତ କରି ଭୁତଳ ଶାୟିନୀ କରିଦେଲା । କେଳବର ଭୂପତିତ ହେବା ପୂର୍ବେ ତଦୀୟ ଛିନ୍ନ-ମସ୍ତକ କଣ୍ଠଶ୍ରେଣୀ ଚଞ୍ଚଳତରଙ୍ଗରେ ନିପତିତ ବାଳାର୍କ ପ୍ରତିବିମ୍ବ ପରି ଶୋଭା ପାଉଥିଲା । ରାବଣର ଶିରଃଶ୍ରେଣୀ ଛିନ୍ନ ହୋଇ ଭୂତଳରେ ପତିତ ହେଲା, ତଥାପି ଯୁଦ୍ଧଦର୍ଶୀ ଦେବତାମାନେ ସେଗୁଡ଼ିକର ପୁନଃସନ୍ଧାନ ଆଶଙ୍କାରେ ସନ୍ଦିହାନ ହୋଇଥିଲେ । ମାତ୍ର ପଶ୍ଚାତ୍ ତଦୀୟ ମରଣରେ ନିଃସନ୍ଦିଗ୍ଧ ହୋଇ ପରମପରିତୋଷ ପ୍ରକାଶପୂର୍ବକ ରାମଙ୍କ ମସ୍ତକରେ ପୁଷ୍ପବୃଷ୍ଟି କରିବାକୁ ଲାଗିଲେ ।

 

ରାମ ଏହିପରି ଦେବକାର୍ଯ୍ୟ ସମ୍ପାଦନପୂର୍ବକ ସ୍ୱୀୟ ଶରାସନକୁ ଗୁଣମୁକ୍ତ କଲେ । ଇନ୍ଦ୍ରସାରଥି ମାତଳି ମଧ୍ୟ ତାଙ୍କଠାରୁ ବିଦାୟ ନେଇ ଶୀଘ୍ର ସୁରଲୋକକୁ ପ୍ରୟାଣ କଲେ । ତତ୍ପରେ ରାମଚନ୍ଦ୍ର ଅଗ୍ନିପରୀକ୍ଷା ଉତ୍ତାରେ ସାଧ୍ୱୀ ସୀତା ଦେବୀଙ୍କୁ ଗ୍ରହଣ କରି ବିଭୀଷଣଙ୍କୁ ଅଙ୍ଗୀକୃତ ରାକ୍ଷସରାଜ୍ୟର ଆଧିପତ୍ୟ ପ୍ରଦାନ କଲେ ଏବଂ ସୁଗ୍ରୀବ ବିଭୀଷଣ ଓ ଲକ୍ଷ୍ମଣଙ୍କ ସଙ୍ଗରେ ସ୍ୱଭକବିଦିତ ପୁଷ୍ପକବିମାନରେ ଆରୋହଣ କରି ପିତୃରାଜଧାନୀ ଆଯୋଧ୍ୟଭିମୁଖରେ ପ୍ରୟାଣ କଲେ ।

Image

 

କାଳିଦାସ ସନ୍ଦର୍ଭ

ଅଯୋଧ୍ୟାପ୍ରତ୍ୟାଗମନ

 

ଅନନ୍ତର ପୁଷ୍ପକବିମାନ ଗଗନଦେଶରେ ବାୟୁ-ବେଗରେ ଧାବିତ ହେଲା । ସର୍ବଗୁଣାଧାର ରଘୁ-କୁଳ-ତିଳକ ରାମଚନ୍ଦ୍ର ସମ୍ମୁଖରେ ରତ୍ନାକର ଦର୍ଶନ କରି ପ୍ରଣୟିନୀଙ୍କୁ ସୁମଧୁର ବାକ୍ୟରେ କହିବାକୁ ଆରମ୍ଭ କଲେ; ‘‘ବୈଦେହି ! ଦେଖି ଛାୟାପଥଦ୍ୱାରା ସୁଚାରୁତାରକାପରିଶୋଭିତ ଶାରଦୀୟ ସୁପ୍ରସନ୍ନ ନଭୋମଣ୍ଡଳ ଯେପରି ରମଣୀୟ ଶୋଭା ଧାରଣ କରେ, ଫେନ-ପୁଞ୍ଜ-ବିରାଜିତ ଏହି ବିଶାଳ ଅମ୍ବୁରାଶି ମତ୍‌କର୍ତ୍ତୃକ ନିର୍ମିତ ସେତୁଦ୍ୱାରା ମଳୟାଦ୍ରି ପର୍ଯ୍ୟନ୍ତ ଦୁଇଭାଗରେ ବିଭକ୍ତ ହୋଇ ସେହି ଶୋଭା ପ୍ରକାଶ କରୁଅଛି । ପୂର୍ବେ ଆମ୍ଭ ବଂଶରେ ସଗରନାମକ ଜଣେ ରାଜା ଜନ୍ମଗ୍ରହଣ କରିଥିଲେ । ତାଙ୍କର ମେଧ୍ୟ ଯଜ୍ଞୀୟ ତୁରଙ୍ଗକୁ ଇନ୍ଦ୍ର ଅପହରଣ କରି ପାତାଳରେ କପିଳ ମୁନିଙ୍କ ସମୀପରେ ବନ୍ଧନ କଲେ । ଅଶ୍ୱାନ୍ୱେଷଣତତ୍ତ୍ୱର ସଗରପୁତ୍ରମାନେ ରସାତଳଗମନୋଦେଶ୍ୟରେ ଭୂଭାଗ ବିଦୀର୍ଣ୍ଣ କରିଥିବାରୁ ଏହି ମହାସାଗର ଉତ୍ପତ୍ତି ହୋଇଅଛି । ଏହି ସୁବିସ୍ତୀର୍ଣ୍ଣ ମହାର୍ଣ୍ଣବରୁ ଜଳ ଗ୍ରହଣ କରି ସୂର୍ଯ୍ୟ ମେଘର ସୃଷ୍ଟି କରନ୍ତି । ଏହାର ଗର୍ଭରେ ମଣି-ମୁକ୍ତା-ପ୍ରବାଳାଦି କେତେ ବହୁମୂଲ୍ୟ ରତ୍ନ ପରିପୂର୍ଣ୍ଣ ଅଛି, ତାହାର ଇୟତ୍ତା ନାହିଁ । ଏହା ବେଳେ ବେଳେ ବାଡ଼ବାନଳୋତ୍ତ୍ୱାତଦ୍ୱାରା ବିକ୍ଷୋଭିତ ହୁଏ । ବିଶ୍ୱପ୍ରହ୍ଲାଦନ ଚନ୍ଦ୍ରମା ଏଥିରୁ ଜନ୍ମଗ୍ରହଣ କରିଅଛନ୍ତି । ପାରାବାରର ଆକୃତି ବା ଆୟତନର ପରିମାଣ କରିବା ସହଜସାଧ୍ୟ ନୁହେଁ । କଳ୍ପାନ୍ତରେ ପୁରାଣପୁରୁଷ ସର୍ବଲୋକ ସଂହାରପୂର୍ବକ ଏହି ସାଗର ମଧ୍ୟରେ ଯୋଗନିଦ୍ରାରେ ଅଭିଭୂତ ହୁଅନ୍ତି । ଯେତେବେଳେ ଇନ୍ଦ୍ର କୁପିତ ହୋଇ ବଜ୍ରାସ୍ତ୍ରଦ୍ୱାରା ପର୍ବତମାନଙ୍କର ପକ୍ଷଚ୍ଛେଦନ କଲେ, ସେତେବେଳେ ଶତ ଶତ ପର୍ବତ ଏହି ମହାସମୁଦ୍ରର କ୍ରୋଡ଼ରେ ଆଶ୍ରୟ ନେବାରୁ ଇନ୍ଦ୍ରଙ୍କଠାରୁ ରକ୍ଷା ପାଇଲେ । ବରାହରୂପୀ ଭଗବାନ୍ ନାରାୟଣ ପୃଥିବୀକୁ ରସାତଳରୁ ଉତ୍ତୋଳନ କରିବାବେଳେ ଏହାର ଜଳ ସ୍ପୀତ ହୋଇ ପୃଥିବୀର ଅବଗୁଣ୍ଠନ ପରି ଶୋଭାପାଇଥିଲା । ସହସ୍ର ସହସ୍ର ନଦୀ ସମୁଦ୍ରରେ ପତିତ ହୋଇଅଛନ୍ତି, ତେଣୁ ଏହା ସରିତ୍‌ପତି ନାମରେ ଅଭିହିତ ହୁଏ ।

 

ପ୍ରିୟେ ! ଦେଖ ଦେଖ, ତିମିଗଣ ନଦୀମୁଖରେ ବଦନବ୍ୟାଦାନ ପୂର୍ବକ ଜଳଚରପ୍ରାଣିସହିତ ସଲିଳ ପାନ କରି ପରେ ମୁଖ ସଂକୋଚନ କରିବାଦ୍ୱାରା କିପରି ମସ୍ତକସ୍ଥ ରନ୍ଧ୍ରବାଟେ ଜଳ ନିର୍ଗମନ କରି ଦେଉଅଛନ୍ତି । ଏଆଡ଼େ ଜଳହସ୍ତୀମାନେ ପେନରାଶିକୁ ସହସା ଭେଦ କରି କିପରି ସମୁଦ୍ର ଗର୍ଭରୁ ଉତ୍ଥିତ ହେଉଅଛନ୍ତି, ଦୃଷ୍ଟିପାତ କର । ଫେନପୁଞ୍ଜ ସେମାନଙ୍କ କପୋଳଦେଶରେ କ୍ଷଣକାଳ ସଂଲଗ୍ନ ହୋଇ କର୍ଣ୍ଣଚାମର ପରି ମନୋଚନ ଦିଶୁ ନାହିଁ କି ? ସୁପ୍ରକାଣ୍ଡ ସାମୁଦ୍ରିକ ସର୍ପମାନେ ବେଳାନିଳପାନ ନିମିତ୍ତ ତୀରଭିମୁଖରେ ଗମନ କରୁଅଛନ୍ତି, ଏମାନଙ୍କର ଆକାର ଓ ସୁବୃହତ୍ ସମୁଦ୍ରତରଙ୍ଗାବଳିର ଆକାର ଏକାପରି । ସୌର-କିରଣ-ସମ୍ପାତରେ ଏମାନଙ୍କର ଫଣାସ୍ଥ ମଣିସବୁ ଜାଜ୍ୱଲ୍ୟମାନ ହୋଇ ଉଠିବାରୁହିଁ ଏମାନେ ସର୍ପ ବୋଲି ଜଣା ପଡ଼ୁ ଅଛନ୍ତି । ଶଙ୍ଖଯୂଥ ପ୍ରବାଳାଙ୍କରରେ ତରଙ୍ଗବେଗବଶତଃ ବିପର୍ଯ୍ୟସ୍ତଭାବରେ ପତିତ ହୋଇ ଅତି କଷ୍ଟରେ ତନ୍ମଧ୍ୟରୁ ବହିର୍ଗତ ହେଉଅଛି । ସମୁଦ୍ରଜଳ ବାଷ୍ପୀଭୂତ ହୋଇ ମେଘରୂପେ ଉପରକୁ ଉଠୁ ଉଠୁ ଆବର୍ତ୍ତବେଗରେ ଘୃର୍ଣ୍ଣ୍ୟମାନ ହେବାରୁ ବୋଧ ହେଉଅଛି, ସତେ ଯେପରି ମହାର୍ଣ୍ଣବ ପୁନର୍ବାର ଦେବାସୁରମାନଙ୍କ କର୍ତ୍ତୃକ ମନ୍ଦରପର୍ବତ ପ୍ରମଥିତ ହେଉଅଛି । ପ୍ରିୟେ ଏଆଡ଼େ ତମାଳତାଳାବନଦ୍ୱାରା ନୀଳବର୍ଣ୍ଣ ଅସ୍ପଷ୍ଟ ବେଳାଭୂମି ଦୂରରୁ କିପରି ଲୌହଚକ୍ରାକାର ମହାର୍ଣ୍ଣବର ଧାରାନିବଦ୍ଧ କଳଙ୍କରେଖା ପରି ମନୋହର ଦିଶୁଅଛି, ଦେଖ । ବେଳା ବିହାରୀ ସମୀରଣ ପ୍ରବାହିତ ହୋଇ ତୁମ୍ଭର ଅଳକପନ୍ତି କମ୍ପିତ କଲାଣି ।

 

ଚାହୁଁ ଚାହୁଁ ଆମ୍ଭେମାନେ ବିମାନବେଗରେ ମୁହୂର୍ତ୍ତକ ମଧ୍ୟରେ ସମୁଦ୍ର ଉପକୂଳରେ ଆସି ଉପସ୍ଥିତ ହୋଇଗଲୁ । ଆହା ! ପୁଳିନ-ପ୍ରଦେଶର ଶୋଭା କି ରମଣୀୟ ! କେଉଁଠାରେ ମୁକ୍ତାପଟଳ ଶୁକ୍ତି ମଧ୍ୟରୁ ନିର୍ଗତ ହୋଇ ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୋଇ ପଡ଼ିଅଛି, କାହିଁ ବା ପୂଗତରୁମାନେ ଫଳଭରରେ ଅବନତ ହୋଇ ମନୋହରବେଶରେ ଦଣ୍ଡାୟମାନ ହୋଇଅଛନ୍ତି । ଥରେ ପଶ୍ଚାଦେଶରେ ଦୃଷ୍ଟିପାତ କରି ଦେଖ, ଆମ୍ଭେମାନେ ଯେତେ ଅଗ୍ରସର ହେଉଅଛୁଁ, କାନନବତୀ ତୀରଭୂମି ଯେପରି ବିଦୂରବର୍ତ୍ତୀ ସମୁଦ୍ରରୁ ବହିର୍ଗତ ହେଲା ପରି ବୋଧ ହେଉଅଛି । ଆହୁରି ମଧ୍ୟ ଲକ୍ଷ୍ୟ କର, ଏହି ପୁଷ୍ପକବିମାନ ମୋର ଅଭିଳାଷନୁସାରେ କେତେବେଳେ ଦେବତାମାନଙ୍କ ଗତିପଥରେ, କେବେ ମେଘପଥରେ, କେବେ ବା ପକ୍ଷୀମାନଙ୍କ ବିହାରପଥରେ ଯାଉଅଛି । ସଂପ୍ରତି ଐରାବତମଦଗନ୍ଧ ଆକାଶବାୟୁ ମନ୍ଦାକିନୀର ସୁଶୀତଳ ଶୀକରରାଶି ବହନ କରି ତୁମ୍ଭର ମୁଖରୁ ମଧ୍ୟାହ୍ନକାଳୀନ ସ୍ୱେଦବିନ୍ଦୁ ଅପହରଣ କରୁଅଛି । ତୁମ୍ଭେ କୌତୁକିନୀ ହୋଇ ସଚପଳା ମେଘମାଳାକୁ ସ୍ପର୍ଶ କରିବା ନିମନ୍ତେ ହସ୍ତ ପ୍ରସାରଣ କରନ୍ତେ ସେ କିପରି ବିଦ୍ୟୁତ୍‌ବଳୟଦ୍ୱାରା ତୁମ୍ଭର ଶାକରକୁ ବିମଣ୍ଡିତ କରୁଅଛି ଦେଖ । ଆମ୍ଭମାନଙ୍କ ଅଧୋଭାଗରେ ସେହି ରାକ୍ଷସ-ସଂକୁଳ ଜନସ୍ଥାନ ଦେଖାଯାଉଅଛି । କୌପୀନଧାରୀ ପୁଣ୍ୟାତ୍ମା ମୁନିବୃନ୍ଦ ସଂପ୍ରତି ବିଘ୍ନଶୂନ୍ୟ ହୋଇ ଚିରପରିତ୍ୟକ୍ତ ସ୍ୱ ସ୍ୱ ଆଶ୍ରମରେ ନବ ନବ ପର୍ଣ୍ଣଶାଳା ରଚନା କରି ସୁଖରେ ବାସ କରୁଅଛନ୍ତି । ପ୍ରିୟେ ! ତୁମ୍ଭଙ୍କୁ ଅନ୍ୱେଷଣ କରୁ କରୁ ଯେଉଁଠାରେ ତୁମ୍ଭର ଚରଣଭ୍ରଷ୍ଟ ନୂପୁର ପାଇଥିଲି, ଏହା ସେହି ସ୍ଥଳୀ । ଦୁରାତ୍ମା ରାବଣ ତୁମ୍ଭଙ୍କୁ ଯେଉଁ ପଥରେ ହରଣ କରି ନେଇଗଲା, ବାକ୍‌ଶକ୍ତିବିହୀନ ଏହି ଲତାମାନେ କରୁଣାପ୍ରକାଶପୂର୍ବକ ଶାଖା-ପଲ୍ଲବ ଅବନତ କରି ମୋତେ ସେହି ପଥ ଦେଖାଇ ଦେଇଥିଲେ । ହରିଣୀଗଣ ତୃଣକବଳ ପରିତ୍ୟାଗପୂର୍ବକ ଉତ୍ତ୍ପକ୍ଷ୍ମନୟନକୁ ଦକ୍ଷିଣାଭିମୁଖରେ ପ୍ରବର୍ତ୍ତିତ କରି ସତେ ସେପରି ପ୍ରକାଶ କଲେ ଯେ, ରାକ୍ଷସ ତୁମ୍ଭଙ୍କୁ ସେହିଆଡ଼କୁ ନେଇଯାଇଅଛି । ଏହି ସମ୍ମୁଖରେ ମାଲ୍ୟବାନ୍ ପର୍ବତର ଅଭ୍ରଙ୍କଷ ଶୃଙ୍ଗ ଦେଖାଯାଉଅଛି । ବର୍ଷାଗମରେ ଯେତେବେଳେ ନବଜଳଧରବୃନ୍ଦ ଏହି ପର୍ବତଶିଖରରେ ଜଳଧାରା ବର୍ଷଣ କରୁଥିଲେ, ସେତେବେଳେ ମୁଁ ତୁମ୍ଭର ବିରହରେ ଅଧୀର ହୋଇ ଏଠାରେ ଲୋତକଧାରା ବିସର୍ଜନ କରୁଥିଲି । ସଖି ! ଏହି ସ୍ଥାନରେ ଅବସ୍ଥାନ କଲାବେଳେ ନବଜଳଧାରାସକ୍ତ ପଲ୍ୱଳର ଗନ୍ଧ, ଅର୍ଦ୍ଧବିକଶିତ କଦମ୍ବକେଶର ଏବଂ ମୟୂରକୁଳର କେକାରବ ତୁମ୍ଭ ବିରହରେ ମୋତେ ବିଷବତ୍‌ବୋଧ ହେଉଥିଲା-। ଯେତେବେଳେ ଗମ୍ଭୀର ଘନ ଗର୍ଜନ ପର୍ବତ ଗୁହା ପ୍ରତିଧ୍ୱନିତ କରି ଉଠୁଥିଲା, ସେତେବେଳେ ମେଘଗର୍ଜନକାଳୀନ ପୂର୍ବାନୁଭୂତ ତୁମ୍ଭର ସକମ୍ପ ଆଲିଙ୍ଗନ ସ୍ମରଣ କରି ମୋର ବକ୍ଷ ବିଦୀର୍ଣ୍ଣ ହୋଇଯାଉଥିଲା । ସମ୍ମୁଖରେ ଚପଳ ସାରସାଳିପରିଶୋଭିତ ବେତସବନାକୀର୍ଣ୍ଣ ପମ୍ପା ସରୋବର ଦେଖାଯାଉଅଛି; ତୁମ୍ଭଠାରୁ ଦୂରବର୍ତ୍ତୀ ହୋଇ ବିଷଣ୍ଣ ଅନ୍ତଃକରଣରେ ଯେତେବେଳେ ଏହାରି ଦେଶରେ ଭ୍ରମଣ କରୁଥିଲି, ସେତେବେଳେ ସତୃଷ୍ଣ ମୟବରେ ଦେଖିଥିଲି, ଏହାର ସଲିଳରେ ରଥାଙ୍ଗମିଥୁନ ପରସ୍ପର ମୁଖରେ ପରମପ୍ରେମରେ ଉତ୍କଳଦେଶର ପ୍ରଦାନ କରୁଥିଲେ । ତାହା ଦେଖି ନୟନରେ ମୋର ଅଭିଷିକ୍ତ ହୋଇ ଯାଉଥିଲା । ଗୋଦାବରୀର ଆମ୍ଭମାନଙ୍କ ବିମାନରେ ଲମ୍ବିତ କନକକିଙ୍କିଣୀର ଶବ୍ଦ ଶୁଣି ସ୍ୱୟୂଥ ସହ ଜ୍ଞାନରେ କିପରି ଶ୍ରେଣୀବଦ୍ଧ ହୋଇ ଗଗନମାର୍ଗକୁ ଉଡ଼ି ଆସୁଅଛନ୍ତି ଦେଖ । ଆହା ! ଅନେକଦିନ ପରେ ଆଜି ପଞ୍ଚବଟୀ ମୋର ଚକ୍ଷୁର ସମ୍ମୁଖୀନ ହେବାରୁ ମନରେ ପରମପ୍ରୀତି ଜାତ ହେଉଅଛି । ତୁମ୍ଭେ କୃଶକଟୀରେ ଘଟଜଳ ବହନ କରି ଏଠାରେ ଅନେକ ବାଳରସାଳତରୁ ପରିବର୍ଦ୍ଧିତ କରିଥିଲ । ଏହି ଦେଖ, ତ୍ୱତ୍‌ପାଳିତ କୃଷ୍ଣସାରଗଣ ଊର୍ଦ୍ଧ୍ୱମୁଖରେ ରଥ ଆଡ଼କୁ ଚାହିଁ ରହିଅଛନ୍ତି । ସଖି ! ଏହି ଗୋଦାବରୀତୀରବର୍ତ୍ତୀ ବେତସକୁଞ୍ଜରେ ମୃଗୟାରୁ ପ୍ରତ୍ୟାବୃତ୍ତ ହୋଇ ମୁଁ ଯେତେବେଳେ ତୁମ୍ଭ କ୍ରୋଡ଼ରେ ମସ୍ତକ ସ୍ଥାପନପୂର୍ବକ ସୁଖରେ ନିଦ୍ରା ଯାଉଥିଲି, ତାହା ଅଦ୍ୟାପି ମୋର ସ୍ମୃତିପଥରେ ଜାଗରୂକ ଅଛି ।

 

ଯାହାଙ୍କର ଉଦୟରେ କଳୁଷିତ ବାରି ନିର୍ମଳ ହୁଏ ଏବଂ ଯେ ଭ୍ରୂଭଙ୍ଗମାତ୍ରକେ ନହୁଷ ନୃପତିଙ୍କୁ ଇନ୍ଦ୍ରତ୍ୱରୁ ପରିଭ୍ରଷ୍ଟ କରିଥିଲେ, ସେହି ମହର୍ଷି ଅଗସ୍ତ୍ୟଙ୍କର ଭୂପୃଷ୍ଠସ୍ଥ ଆଶ୍ରମ ପରିଦୃଷ୍ଟ ହେଉଅଛି । ଆହା ! ଅନିନ୍ଦ୍ୟକୀର୍ତ୍ତି ସେହି ପବିତ୍ରାୟା ମହର୍ଷିଙ୍କର ବିମାନପଥଗାମୀ କ୍ରେତାଗ୍ନସଂଭୂତ ହବିର୍ଗନ୍ଧଧୂମରେଖା ଆଘ୍ରାଣ କରି ମୋର ଅନ୍ତରାତ୍ମା ରଜୋମୁକ୍ତ ହୋଇ ପୂତ ହୋଇଗଲା । ଅଦୂରରେ ଶାତକର୍ଣ୍ଣି ମହର୍ଷିଙ୍କର ବନବେଷ୍ଟିତ ପଞ୍ଚାପ୍ସରନାମକ କ୍ରୀଡ଼ା-ସରୋବର ଦୂରରୁ ମେଘବେଷ୍ଟିତ ଚନ୍ଦ୍ରବିମ୍ବ ପରି କି ରମଣୀୟ ଦିଶୁଅଛି । ପୂର୍ବକାଳରେ ଏହି ଋଷି ଦର୍ଭାଙ୍କୁର ମାତ୍ର ଭକ୍ଷଣ କରି କଠୋର ତପସ୍ୟାରେ ନିରତ ଥିଲେ । ଦେବରାଜ ଇନ୍ଦ୍ର ଏଥିରେ ଶଙ୍କାକୁଳ ହୋଇ ତାଙ୍କର ତପୋବିଘ୍ନ ନିମିତ୍ତ ପାଞ୍ଚଗୋଟି ଅପ୍ସରା ପ୍ରେରଣ କଲେ । ସେମାନେ ତାଙ୍କର ସମାଧିଭଙ୍ଗରେ କୃତିତ୍ୱ ଲାଭ କରି ଏହି କଳାନ୍ତବର୍ତ୍ତୀ ପ୍ରାସଦ ମଧ୍ୟରେ ଅଦ୍ୟାପି ତାଙ୍କ ସତ ବିବିଧ କ୍ରୀଡ଼ା କୌତୁକରେ କାଳାତିପାତ କରୁଅଛନ୍ତି । ଏହି ଶୁଣ, ସେମାନଙ୍କର ମୃଦଙ୍ଗବାଦ୍ୟାନୁଗତ ସଙ୍ଗୀତଧ୍ୱନି ଆମ୍ଭମାନଙ୍କ ପୁଷ୍ପକରରଥର ଚନ୍ଦ୍ରଶାଳାକୁ ପ୍ରତିଧ୍ୱନିତ କରୁଅଛି । ପ୍ରିୟେ ଏଆଡ଼େ ଦୃଷ୍ଟିପାତ କରିଦେଖ, ଅନ୍ୟ ଜଣେ ତପସ୍ୱୀ ପ୍ରଚଣ୍ଡମାର୍ତ୍ତଣ୍ଡବିମ୍ବରେ ଦୃଷ୍ଟିନିକ୍ଷେପ କରି ଅଗ୍ନି ଚତୁଷ୍ଟୟ ମଧ୍ୟରେ ଅବସ୍ଥାନପୂର୍ବକ କିପରି କଠୋର ତପଶ୍ଚରଣରେ ନିଯୁକ୍ତ ଅଛନ୍ତି । ଏହାଙ୍କ ନାମ ସୂତୀକ୍ଷ୍ଣ କିନ୍ତୁ ଏ ଅତୀବ ପ୍ରଶାନ୍ତଚେତା । ଏହାଙ୍କ ଉଗ୍ର ତପସ୍ୟାରେ ଭୀତ ହୋଇ ଇନ୍ଦ୍ର ଏହାଙ୍କର ସମାଧିଭଙ୍ଗ ଉଦ୍ଦେଶ୍ୟରେ ମଧ୍ୟ କେତେଗୁଡ଼ିଏ ସୁରାଙ୍ଗନା ପ୍ରେରଣ କରିଥିଲେ । ମାତ୍ର ସେମାନଙ୍କର ସସ୍ମିତ କଟାକ୍ଷପାତ, ନାନା ଛଳନାରେ ଅର୍ଦ୍ଧ ନିର୍ଗତ ରସନାଦାମପ୍ରଦର୍ଶନ ଏବଂ ବିବିଧ ବିଳାସଚେଷ୍ଟା କୌଣସିରୂପେ ଏହାଙ୍କର ଚିତ୍ତବିକାର ଜନ୍ମାଇ ପାରିଲା ନାହିଁ । ମହର୍ଷି ସୂତୀକ୍ଷ୍ଣ ମୌନବ୍ରତାବଲମ୍ବୀ, ମୋର ସଭାଜନ ନିମନ୍ତେ ସେ ଅକ୍ଷମାଳା ବଳୟ-ମଣ୍ଡିତ ଦକ୍ଷିଣ ବାହୁ ଏଆଡ଼କୁ ପ୍ରସାରିତ କରି ଶିରଃକମ୍ପଦ୍ୱାରା ମୋର ପ୍ରଣାମ ଗ୍ରହଣପୂର୍ବକ ବିମାନବ୍ୟବହିତ ଦୃଷ୍ଟି ପୁନର୍ବାର ସୂର୍ଯ୍ୟମଣ୍ଡଳରେ ସମର୍ପଣ କଲେ ।

 

ଏଆଡ଼େ ଶରଭଙ୍ଗ ମହର୍ଷିଙ୍କର ପୁଣ୍ୟତପୋବନ ପ୍ରତି ଦୃଷ୍ଟିପାତ କର । ଆହିତାଗ୍ନି ଶରଭଙ୍ଗ ବହୁକାଳ ପର୍ଯ୍ୟନ୍ତ ସମିଧାଦିଦ୍ୱାରା ଅଗ୍ନିଙ୍କର ତୃପ୍ତିସାଧନ କରି ଶେଷରେ ସ୍ୱୀୟ ମନ୍ତ୍ରପୂତ ଶରୀରକୁ ମଧ୍ୟ ସେହି ଅଗ୍ନିରେ ଆହୁତି ପ୍ରଦାନ କରିଥିଲେ । ସେ ଲୋକନ୍ତର ଗମନ କରିଅଛନ୍ତି ସତ୍ୟ ମାତ୍ର ତାଙ୍କ ଆଶ୍ରମସ୍ଥ ପାଦପଗଣ ଛାୟାଦାନରେ ପଥିକମାନଙ୍କର ଆତପ ଶ୍ରାନ୍ତି ଅପନୋଦନ କରି ଏବଂ ସୁମଧୁର ଫଳଦାନରେ ସେମାନଙ୍କର କ୍ଷୁଧାନିବୃତ୍ତ କରି ଯୋଗ୍ୟ ପୁତ୍ରମାନଙ୍କ ପରି ତଦୀୟ ଅତିଥିସତ୍କାର ବ୍ରତ ଅଦ୍ୟାପି ପ୍ରତିପାଳନ କରୁଅଛନ୍ତି । ଏବେ ଚିତ୍ରକୂଟପର୍ବତ ଦେଖାଗଲାଣି । ଏହାର ଗୁହାମୁଖ ନିରନ୍ତର ପ୍ରସ୍ରବଣ-ପତନଧ୍ୱନିରେ ଶବ୍ଦାୟମାନ-। ଶୃଙ୍ଗାଗ୍ରଭାଗରେ ମେଘ ସଂଲଗ୍ନ ଥିବାରୁ ଏହି ପର୍ବତ ବପ୍ରକ୍ରୀଡ଼ାସକ୍ତ ବୃଷଭ ପରି କିପରି ନୟନପ୍ରୀତି ସମ୍ପାଦନ କରୁଅଛି ଥରେ ଦୃଷ୍ଟିପାତ କର । ସଖି ! ଚିତ୍ରକୂଟ ସମୀପବର୍ତ୍ତିନୀ ପ୍ରସନ୍ନସ୍ତିମିତପ୍ରବାହା ଏହି ମନ୍ଦାକିନୀ ଦୂରରୁ ଧରିଣୀ-ରାଣୀର କଣ୍ଠାଲମ୍ବିନୀ ମୁକ୍ତାମୟୀ ହାରଯଷ୍ଟି ପରି ଦିଶୁ ନାହିଁ କି ? ଏହି ସେହି ପର୍ବତ ସମୀପବର୍ତ୍ତୀ ତମାଳତରୁ; ପ୍ରିୟେ, ମନେ ପଡ଼ୁଛିଟି, ଦିନେ ଏହାର ସୁଗନ୍ଧପଲ୍ଲବରେ ଅବତଂସ ରଚନା କରି ମୁଁ ତୁମ୍ଭର ସ୍ୱର୍ଣ୍ଣବର୍ଣ୍ଣ ଗଣ୍ଡଦେଶରେ ଲମ୍ବାଇ ଦେଇଥିଲି । ଏହି ମହର୍ଷି ଅତ୍ରିଙ୍କର ପରମପାବନ ତପୋବନ; ଏହାର ଦର୍ଶନରେ ମହର୍ଷିଙ୍କର ଉଗ୍ରତର ତପଃପ୍ରଭାବ ସ୍ପଷ୍ଟ ଅନୁଭୂତ ହୁଏ । ଏଠାରେ ପରସ୍ପରବିରୋଧୀ ଜୀବକୁଳ ବିନାନିଗ୍ରହରେ ସ୍ୱଭାବବୈର ପରିହାର କରି ଅବସ୍ଥାନ କରୁଅଛନ୍ତି । ତରୁଗଣ ପୁଷ୍ପୋତ୍ତ୍ପତ୍ତ ବ୍ୟତିରେକ ଫଳ ପ୍ରସବ କରନ୍ତି । ପ୍ରବାଦ ଅଛି ଯେ, ଅତ୍ରିସଧର୍ମିଣୀ ଅନସୂୟା ସ୍ୱୀୟ ତପଃପ୍ରଭାବରେ ତପୋଧନମାନଙ୍କ ସ୍ନାନ ନିମିତ୍ତ ଏହି ବନପ୍ରଦେଶକୁ ସୁରଧୁନୀଙ୍କୁ ଆନୟନ କରିଥିଲେ । ଦେଖ ଦେଖ, ଏଆଡ଼େ ଯୋଗିଗଣ ବୀରାସନରେ ଉପବେଶନ କରି କିପରି ଧ୍ୟାନରେ ଅଭିନିବିଷ୍ଟ ଅଛନ୍ତି । ସେମାନଙ୍କ ବେଦୀମଧ୍ୟବର୍ତ୍ତୀ ମହୀରୁହଗଣ ସୁଦ୍ଧା ବାତାଭାବରେ ନିସ୍ପନ୍ଦତା ଅବଲମ୍ବନ କରି ସତେ ଯେପରି ସେମାନଙ୍କ ପରି ଯୋଗାଭ୍ୟାସରେ ନିରତ ଅଛନ୍ତି । ସଖି ! ତୁମ୍ଭେ ଯେଉ: ବଟନିକଟରେ ଅଭୀଷ୍ଟସିଦ୍ଧ ପ୍ରାର୍ଥନା କରିଥିଲ, ସେହି ଶ୍ୟାମବଟ କିପରି ପଦ୍ମରାଗମଣିସଦୃଶ ଫଳପୁଞ୍ଜରେ ଏବଂ ମରକତମଣିତୁଲ୍ୟ ପତ୍ରାବଳିରେ ପରିଶୋଭିତ ହୋଇ ବିରାଜିତ ଅଛି ଥରେ ନିରୀକ୍ଷଣ କର ।

 

ସୁନ୍ଦରି ! ଏହି ଦେଖ, ପବିତ୍ର ଗଙ୍ଗାଯମୁନାସଙ୍ଗମ କି ରମଣୀୟ ଶୋଭା ଧାରଣ କରିଅଛି । କାକଚକ୍ଷପ୍ରଭ ଯମୁନାର ଜଳ ସିତ ଗଙ୍ଗା-ବିଭୀଷଣଙ୍କ ସହାୟତାରୁ ମୁଁ ଲଙ୍କାଯୁଦ୍ଧରେ ଜୟୀ ହୋଇଅଛି ।’’ ରାମ ଏହିପରି ପରିଚୟ ପ୍ରଦାନ କରନ୍ତେ ଭରତ ଲକ୍ଷ୍ମଣଙ୍କୁ ଅତିକ୍ରମ କରି ଆଗେ ସେ ଦୁହିଙ୍କୁ ବନ୍ଦନା କଲେ । ଅନନ୍ତର ଭରତ ଲକ୍ଷ୍ମଣଙ୍କ ସମୀପରେ ଉପସ୍ଥିତ ହୁଅନ୍ତେ ଲକ୍ଷ୍ମଣ ତାହାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ । ଭରତ ତାଙ୍କୁ ଉତ୍ଥାପିତ କରି ମେଘନାଦର ଭୀମ ପ୍ରହାରଦ୍ୱାରା କିଣାଙ୍କିତ ତାଙ୍କର କର୍କଶ ବକ୍ଷଃସ୍ଥଳକୁ ସ୍ୱୀୟ ବକ୍ଷଃସ୍ଥଳରେ ସଂଲଗ୍ନ କରି ଦୃଢ଼ରୂପେ ଆଲିଙ୍ଗନ କଲେ । ତତ୍ତ୍ୱରେ ରାମଚନ୍ଦ୍ରଙ୍କ ଆଦେଶରେ କପି ସୈନ୍ୟବୃନ୍ଦ ମନୁଷ୍ୟବେଶ ଧାରଣ କରି ଗଜରାଜି ପୃଷ୍ଠରେ ଆରୋହଣ କଲେ । ରାଜହସ୍ତି-ସମୂହ ଅତି ଉନ୍ନତ, ମଦବାରିଧାରା ସେମାନଙ୍କ ଗଣ୍ଡଦେଶରୁ କ୍ଷରିତ ହେଉଥିଲା । ସେମାନଙ୍କ ପୃଷ୍ଠରେ ଆରୋହଣ କରି କପିଗଣ ନିର୍ଝରଶୋଭିତ ଶୈଳାଧିରୋହଣ ସୁଖ ଅନୁଭବ କରିବାକୁ ଲାଗିଲେ । ବିଭୀଷଣ ମଧ୍ୟ ସ୍ୱୀୟ ଅନୁଚରବର୍ଗ ସହିତ ରାମଙ୍କ ନିଦେଶାନୁସାରେ ପରମରମଣୀୟ ରଥରେ ଆରୋହଣ କଲେ । ଶଶାଙ୍କ ଯେପରି ସାୟଂ କାଳୀନ ସଚପଳ ମେଘମାଳାରେ ବୁଧ ବୃହସ୍ପତିଙ୍କ ମଧ୍ୟରେ ଶୋଭା ପାନ୍ତି, ରଘୁପତି ବୈଜୟନ୍ତୀ ପରିଶୋଭିତ କାମଗତି ପୁଷ୍ପକବିମାନରେ ପୁନର୍ବାର ଉପବେଶନ କରି ଭରତ ଲକ୍ଷ୍ମଣଙ୍କ ମଧ୍ୟରେ ସେହିପରି ଶୋଭା ପାଇବାକୁ ଲାଗିଲେ । ଭରତ ରଥୋପରି ଭ୍ରାତୃ ଜାୟାଙ୍କ ଶ୍ରୀଚରଣରେ ପ୍ରଣିପାତ କଲେ । ଲଙ୍କେଶ୍ୱରର ପ୍ରଣତିଭଙ୍ଗରେ ଦୃଢ଼ବ୍ରତ ସାଧ୍ୱୀ ସୀତା ଦେବୀଙ୍କର ବନ୍ଦନୀୟ ଚରଣଯୁଗ ଏବଂ ଜ୍ୟେଷ୍ଠପ୍ରେମରେ ଜଟାବିମଣ୍ଡିତ ସାଧୁ ଭରତଙ୍କର ମସ୍ତକ ଏ ଉଭୟ ଏକତ୍ର ସମ୍ମିଳିତ ହୋଇ ପରସ୍ପରକୁ ପବିତ୍ର କଲେ । ଅନନ୍ତର ପୁଷ୍ପକ ପୁନର୍ବାର ମନ୍ଦ ମନ୍ଦ ଗତିରେ ଗମନ କଲା । ପ୍ରଜାପୁଞ୍ଜ ଆଗେ ଆଗେ ଧାବମାନ ହେଲେ । ରାମ ଅଯୋଧ୍ୟାର ଉପବନରେ ସମୁପସ୍ଥିତ ହୋଇ ସେଠାରେ ଶତ୍ରୁଘ୍ନବିହିତ ଉପକାର୍ଯ୍ୟାରେ ଅବସ୍ଥାନ କରିବାକୁ ଲାଗିଲେ ।

Image

 

ସୀତା ବନବାସ

 

ଆଶ୍ରୟ-ତରୁର ବିନାଶରେ ଲତା ଯେପରି ଶୋଚନୀୟ ଅବସ୍ଥା ପ୍ରାପ୍ତ ହୋଇଥାଏ, ପତିବିୟୋଗରେ କୌଶଲ୍ୟା ଓ ସୁମିତ୍ରା ସେହିପରି ଶୋକାଭିସନ୍ତପ୍ତ ହୋଇ ଅତି ଦୁଃଖରେ କାଳାତିପାତ କରୁଥିଲେ । ରାମଲକ୍ଷ୍ମଣ ଅଯୋଧ୍ୟାର ଉପବନରେ ଉପସ୍ଥିତ ହୋଇ ସେଠାରେ ଭକ୍ତି ସହକାରେ ଯଥାବିଧି ସେ ଦୁହିଙ୍କର ପଦବନ୍ଦନା କଲେ । ବହୁକାଳପରେ ପ୍ରାଣପ୍ରିୟ ପୁତ୍ରଙ୍କୁ ଲାଭ କରି ରାଜମହିଷୀଦ୍ୱୟଙ୍କ ଦୃଷ୍ଟି ବାସ୍ପଜଳଦ୍ୱାରା ଅବରୁଦ୍ଧ ହୋଇଗଲା । ସୁତରାଂ ସେମାନେ କେବଳ ଆଲିଙ୍ଗନ ଜନିତ ସୁଖ-ସ୍ପର୍ଶରୁ ପୁତ୍ର ବୋଲି ଜାଣି ପାରିଲେ । କ୍ରମେ ଜନନୀଦ୍ୱୟଙ୍କ ଚକ୍ଷୁରୁ ଅନନ୍ଦଜ ଶିଶିରାଶ୍ରୁ ପ୍ରବାହିତ ହୋଇ ଶୋକାଶ୍ରୁର ଉଷ୍ଣତା ବିନଷ୍ଟ କଲା । ସେମାନେ ପୁତ୍ରଦ୍ୱୟଙ୍କ ଗାତ୍ରରେ ରାକ୍ଷସ-ଅସ୍ତ୍ରାଘାତଜନିତ ଶୁଷ୍କ ବ୍ରଣଚିହ୍ନଗୁଡ଼ିକୁ ସଦୟଭାବରେ ପରାମର୍ଶ କରିବାଦ୍ୱାରା ଆର୍ଦ୍ରପରି ଅନୁଭବ କରି କ୍ଷତ୍ରିୟକୁଳାଙ୍ଗନାର ସ୍ପୃହଣୀୟ ବୀରସୁ ଶବ୍ଦରେ ନିତାନ୍ତ ନିସ୍ପୃହ ହେଲେ । ଅନନ୍ତର ଜନକାତ୍ମଜା ‘‘ସ୍ୱାମୀଙ୍କର ଦୁଃଖର ନିଦାନ ମୁଁ ସେହି ଅଲକ୍ଷଣୀ ସୀତା’’ ଏହା କହି ଶଶ୍ରୁଦ୍ୱୟଙ୍କ ଚରଣରେ ଭକ୍ତି ଭାବରେ ପ୍ରଣାମ କଲେ । ‘‘ନା, ବତ୍ସେ, ଉଠ, ତୁମ୍ଭର ପବିତ୍ର ଚରିତ୍ରବଳରୁ ହିଁ ରାମ ଲକ୍ଷ୍ମଣ ହସ୍ତର ସଙ୍କଟରୁ ଉଦ୍ଧାର ପାଇଅଛନ୍ତି ।’’ ଏହିପରି ସତ୍ୟ ପ୍ରିୟବାକ୍ୟଦ୍ୱାରା ସେମାନେ ତାହାକୁ ସାନ୍ତ୍ୱନା ପ୍ରଦାନ କଲେ ।

 

ଅନନ୍ତର ବୃଦ୍ଧ ଅମାତ୍ୟବୃନ୍ଦ ସେହି ଉଦ୍ୟାନରେ ରାମଙ୍କର ଅଭିଷେକଚ ଆୟୋଜନ କଲେ । ବାନର-ରାକ୍ଷସବୃନ୍ଦ ପୁଣ୍ୟତୋୟା ନଦୀ, ସରସୀ, ସମୁଦ୍ରରୁ କାଞ୍ଚନକୁମ୍ଭରେ ଜଳ ଆହରଣ କଲେ ଏବଂ ବ୍ରାହ୍ମଣଗଣ ମନ୍ତ୍ରପାଠପୂର୍ବକ ସେହି ପୂତ ତୀର୍ଥୋଦକରେ ଅଭିଷେକ ବିଧାନ ସମାଧାନ କଲେ । ଯେ ତପସ୍ୱୀ-ବେଶ ଧାରଣ କରି ମଧ୍ୟ ଦର୍ଶନୀୟ ଶୋଭା ପ୍ରାପ୍ତ ହୋଇଥିଲେ, ସେ ଯେ ରାଜବେଶରେ ତଦପେକ୍ଷା ଅଧିକ ମନୋହର ହେଲେ, ଏହା କହିବା ପୁନରୁକ୍ତି ମାତ୍ର । ଚାହୁଁ ଚାହୁଁ ସାକେତ ନଗରୀ ଉତ୍ସବମୟୀ ହୋଇ ଉଠିଲା । ସ୍ଥାନେ ସ୍ଥାନେ ତୋରଣାବଳି ବିଭିନ୍ନ ବର୍ଣ୍ଣରେ ଶୋଭା ପାଇଲା । ଅଗୁରୁ ଚନ୍ଦନର ରୁଚିର ସୁଗନ୍ଧରେ ଚତୁର୍ଦିଗ ପୂରି ଉଠିଲା । ବାଦି ନିନାଦରେ ଆକାଶ ପୃଥିବୀ ପରିପୂର୍ଣ୍ଣ ହେଲା । ପୁରନାରୀମାନେ ସୌଧୋପରିଭାଗରୁ ଲାଜ ବର୍ଷଣ କରିବାକୁ ଲାଗିଲେ-। ରାମ ମନୋହର ରାଜବେଶ ପରିଧାନ କରି ଅପୂର୍ବ ରଥରେ ଆରୋହଣ କଲେ । ଭରତ ତଦୀପ୍ତ ମସ୍ତକୋପରି ରାଜଛତ୍ର ଧାରଣ କରି ପଶ୍ଚାଦେଶରେ ଦଣ୍ଡାୟମାନ ହେଲେ । ଲକ୍ଷ୍ମଣ ଓ ଶତ୍ରୃଘ୍ନ ଉଭୟ ପାର୍ଶ୍ୱରେ ଚାମର ବ୍ୟଜନ କଲେ । ସେ ସୈନ୍ୟପରିବେଷ୍ଟିତ ହୋଇ ଏହି ଭାବରେ ଅମାତ୍ୟ ବର୍ଗଙ୍କ ସହ ରଘୁକୁଳରାଜଧାନୀ ଅଯୋଧ୍ୟାପୁରୀରେ ପ୍ରବେଶ କଲେ । ଜନକଦୁହିତା ମଧ୍ୟ ଶୁଶ୍ରୂଜନାନୁଷ୍ଠିତ ମନୋହର ବେଶ ଧାରଣ କରି କର୍ଣ୍ଣୀରଥରେ ଆରୋହଣପୂର୍ବକ ରାମଙ୍କ ପଛେ ପଛେ ଗମନ କଲେ । ପୁରକନ୍ୟାମାନେ ପ୍ରାସାଦବାତାୟନ ପଥରେ ଦଣ୍ଡାୟମାନ ହୋଇ ଶ୍ରଦ୍ଧାଞ୍ଜଳି ପ୍ରସାରଣପୂର୍ବକ ତାହାଙ୍କୁ ପ୍ରଣାମ କଲେ-। ସେମାନେ ତାଙ୍କ ଗାତ୍ରରେ ଅନସୂୟାଦତ୍ତ ଶାଶ୍ୱତ ପ୍ରଭାମୟ ଅଙ୍ଗରାଗ ଜ୍ୱଳନ୍ତ ପାବକରୂପେ ଦେବୀପ୍ୟମାନ ଦେଖି ଏକାନ୍ତ ବିସ୍ମୟବିଷ୍ଟ ହୋଇଗଲେ ।

 

ବନ୍ଧୁପ୍ରିୟ ରାମ ମିତ୍ରବର୍ଗଙ୍କ ବିଶ୍ରାମ ନିମିତ୍ତ ସୁରମ୍ୟ ହର୍ମ୍ୟାବଳି ନିର୍ଦ୍ଦିଷ୍ଟ କରିଦେଇ ବାଷ୍ପପୂର୍ଣ୍ଣଲୋଚନରେ ଅଲେଖ୍ୟମାତ୍ରାବିଶିଷ୍ଟ ପିତୃପୂଜାଗୃହରେ ପ୍ରବେଶ କଲେ । ସେଠାରେ ଭରତଜନନୀଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ତାଙ୍କର ଲଜ୍ଜାପନୋଦନ ନିମିତ୍ତ ବନ୍ଧାଞ୍ଜଳିପୁଟରେ କହିଲେ, ‘‘ମାତଃ, ତୁମ୍ଭର ପୁଣ୍ୟବଳରୁହିଁ ମୋର ପିତା ସ୍ୱର୍ଗଫଳପ୍ରଦ ସତ୍ୟରୁ ବିଚଳିତ ହୋଇ ନାହାନ୍ତି ।’’ କାମଚାରୀ ହେଲେହେଁ ସୁଗ୍ରୀବ ବିଭୀଷଣ ପ୍ରଭୃତି ରାମଙ୍କର ଅନନ୍ୟସାଧାରଣ ଉପଚାରପଦ୍ଧତି ନିରୀକ୍ଷଣ କରି ବିସ୍ମିତ ହୋଇଗଲେ । ଇତ୍ୟବସରରେ ମୁନିବୃନ୍ଦ ମହାନୁଭବ ରାମଚନ୍ଦ୍ରଙ୍କ ସଭାଜନ ନିମିତ୍ତ ଉପସ୍ଥିତ ହୁଅନ୍ତେ ରାମ ଯଥାବିଧି ସେମାନଙ୍କର ସତ୍କାର କଲେ ଓ ସେମାନଙ୍କଠାରୁ ନିହତ ଶତ୍ରୁ ରାବଣର ବିଚିତ୍ର ଜନ୍ମବୃତ୍ତାନ୍ତ ଶ୍ରବଣ କରି ପରମପ୍ରୀତି ଲାଭ କଲେ । ତପୋଧନବୃନ୍ଦ ବିଦାୟ ନେଲାରୁ ରାମ ଲଙ୍କାସମରର ପ୍ରଧାନ ସହାୟ କପୀନ୍ଦ୍ର ଏବଂ ରାକ୍ଷସେନ୍ଦ୍ରଙ୍କୁ ସୀତାଙ୍କ ହସ୍ତରେ ଉପଯୁକ୍ତ ଉପାୟନମାନ ପ୍ରଦାନ କରାଇ ପଞ୍ଚଦଶ ଦିବସରେ ଆନନ୍ଦରେ ବିଦାୟ ଦେଲେ । ତଦନନ୍ତର ରାବଣଜୀବନ ସଙ୍ଗେ ଲଙ୍କାରୁ ତଦଧିକତ କୁବେରଙ୍କର ଯେଉଁ ପୁଷ୍ପକବିମାନ ଗ୍ରହଣ କରିଥିଲେ, ତାହାକୁ କୁବେରଙ୍କଠାରୁ ଘେନି ଯିବାପାଇଁ ଆଦେଶ ଦେଲେ ।

 

ପିତାଙ୍କ ବିୟୋଗରେ ଏହିପରି ଚତୁର୍ଦ୍ଦଶ ବର୍ଷ ଅରଣ୍ୟରେ ଅତିବାହିତ କରି ରାମ ସିଂହାସନରେ ଅଧରୂଢ଼ ହେଲେ । ସେ ଧର୍ମ ଅର୍ଥ କାମ ଏହି ତ୍ରିବର୍ଗରେ ତୁଲ୍ୟାନୁରାଗ ପ୍ରଦର୍ଶନ କରି ପରମ ସୁଖରେ ରାଜ୍ୟଶାସନ କରିବାକୁ ଲାଗିଲେ । ‘‘ରାମରାଜ୍ୟ’’ରେ ପ୍ରକୃତିପୁଞ୍ଜର ସୁଖର ପରିସୀମା ରହିଲା ନାହିଁ । କାରଣ ସ୍ୱୟଂ ମହାରାଜ ଅପୁତ୍ରକର ପୁତ୍ର ଏବଂ ପିତୃହୀନର ପିତା ଥିଲେ-। ତାଙ୍କର ନିର୍ଲୋଭ ବ୍ୟବହାରରେ ପ୍ରକୃତିପୁତ୍ରର ସୌଭାଗ୍ୟଲକ୍ଷ୍ମୀ ଦିନୁ ଦିନୁ ପରିର୍ବଦ୍ଧିତ ହେବାକୁ ଲାଗିଲା । ସେ ବିଘ୍ନଦ୍ୱୟ ନିରାକୃତ କରନ୍ତେ ପ୍ରଜାମାନେ ଦୈବ ପୈତ୍ର କ୍ରିୟାକଳାପ ନିର୍ବିଘ୍ନରେ ସମ୍ପାଦନ କଲେ । ସେ ଯଥାକାଳରେ ପୌରକାର୍ଯ୍ୟ ପରିଦର୍ଶନ କରି ଜନକାତ୍ମଜାଙ୍କ ସଙ୍ଗେ ପରମ ସୁଖରେ କାଳାତିପାତ କରିବାକୁ ଲାଗିଲେ । ଅଲେଖ୍ୟ ଗୃହରେ ଅବସ୍ଥାନପୂର୍ବକ ବନବାସବୃତ୍ତାନ୍ତ ଘଟିତ ଚିତ୍ରାବଳି ସେ ଦୁହେଁ ଯେତେ ନିରୀକ୍ଷଣ କରୁଥିଲେ, ଦଣ୍ଡକାରଣ୍ୟର ଦୁଃଖସମୂହ ସ୍ମୃତିପଥାରୂଢ଼ ହୋଇ ତେତେ ପ୍ରୀତିପଦ ବୋଧ ହେଉଥିଲା । କିୟଦ୍ଦିବସ ପରେ ଜାନକୀଙ୍କର ଗର୍ଭଲକ୍ଷଣ ପ୍ରକାଶ ପାଇଲା । ତଦ୍ଦର୍ଶନରେ ରାମଙ୍କର ଆନନ୍ଦର ପରିସୀମା ରହିଲା ନାହିଁ । ସେ ବିଲଜ୍ଜମାନା କୃଶାଙ୍ଗୀ ପ୍ରେୟସୀଙ୍କ ନିର୍ଜନରେ କ୍ରୋଡ଼ରେ ଧରି ମଧୁରବଚନରେ ତଦୀୟ ମନୋଭିଳାଷ ଜିଜ୍ଞାସା କଲେ । ସେ ସ୍ୱାମୀଙ୍କ ସମାଦରରେ କୃତାର୍ଥ ହୋଇ ବନବାସବନ୍ଧ ତାପସକନ୍ୟାମାନଙ୍କର ସମାଗମସୁଖ ଇଚ୍ଛା କରି ପୁନରପି ଭାଗୀରଥୀତୀରବର୍ତ୍ତୀ ପୁଣ୍ୟତପୋବନ ଦର୍ଶନ କରିବାର ଅଭିଳାଷ ପ୍ରକାଶ କଲେ । ରାମ ଅନତିବିଳମ୍ବରେ ପ୍ରଣୟିନୀଙ୍କର ଅଭିଳାଷପୂରଣ ନିମିତ୍ତ ଅଙ୍ଗୀକାର କଲେ ।

 

ଏକଦା ରାମଚନ୍ଦ୍ର ଅନୁଚରବୃନ୍ଦପରିବେଷ୍ଟି ହୋଇ ପ୍ରମୁଦିତ ଅଯୋଧ୍ୟା ନଗରୀର ଶୋଭାସନ୍ଦର୍ଶନାକାଦ୍ୱାରେ ଅଭ୍ରଂକକ୍ଷ ପ୍ରାସାଦଶିଖରରେ ଆରୋହଣ କଲେ । ସେଠାରେ ଉପସ୍ଥିତ ହୋଇ ଦେଖିଲେ ଯେ, ଅଯୋଧ୍ୟାର ବିପଣୀ-ବୀଥିକା ସମୃଦ୍ଧି-ସମାକୀର୍ଣ୍ଣ, ରାଜପଥ ଜନତା ରୁଦ୍ଧ ସରଯୂ ବହିତ୍ରମାଳାରେ ପରିପୂର୍ଣ୍ଣ ଏବଂ ନଗରର ଉପକଣ୍ଠବର୍ତ୍ତୀ ଉପବନମାନ ନାଗରିକମାନଙ୍କ ଦ୍ୱାରା ପରିଶୋଭିତ ହୋଇଅଛି । ଏ ସମସ୍ତ ଦର୍ଶନରେ ସେ ଅତୀବ ହୃଷ୍ଟ ହୋଇ ସ୍ୱୀୟ ପାର୍ଶ୍ୱଚର ଭଦ୍ରନାମକ ଦୂତକୁ ପଚାରିଲେ, ‘‘ଭଦ୍ର, ଆମ୍ଭର ରାଜତ୍ୱରେ ପ୍ରଜାମାନେ କିପରି ଅଛନ୍ତି ? ସେମାନେ ଆମ୍ଭର କୌଣସି ଦୋଷୋଲେଖ କରନ୍ତି କି ନା ?’’ ନିର୍ବନ୍ଧସହକାରେ ବାଣ୍ଟିବାର ଅନୁରୁଦ୍ଧ ହୋଇ ଭଦ୍ର ପ୍ରକାଶ କଲା, ‘‘ନରଦେବ ପୌରଗଣ ନିତ୍ୟ ସର୍ବଥା ଆପଣଙ୍କର ପ୍ରଶଂସା କରିଥାନ୍ତି; କେବଳ ରାକ୍ଷସଗୃହରେ ଅବସ୍ଥାନ ପରେ ଆପଣ ଦେବୀଙ୍କୁ ଗ୍ରହଣ କରିଅଛନ୍ତି, ଏହି ବିଷୟରେ ସେମାନେ ଦୋଷାରୋପ କରନ୍ତି ।’’ ଯେପରି ବିଶାଳ ଲୌହ-ମୃଦ୍ଗରଦ୍ୱାରା ଆହତ ହୋଇ ଉତ୍ତପ୍ତ ଲୌହପିଣ୍ଡ ବହୁଧା ବିଦୀର୍ଣ୍ଣ ହୋଇଯାଏ, ସେହିପରି ଏହି ଘୋରତର ଅକୀର୍ତ୍ତିକର କଳତ୍ରନିନ୍ଦା ଶୁଣି ରାମଙ୍କର ହୃଦୟ ଏକାବେଳେକେ ବିଚଳିତ ହୋଇଗଲା । ସେ କ୍ଷଣକାଳ ପର୍ଯ୍ୟନ୍ତ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ, ପରେ ମନେ ମନେ ଭାବିଲେ, ଅହୋ ! ଏହା ଅପେକ୍ଷା ମୋ ମସ୍ତକରେ ବଜ୍ରପାତ ହେବା ସହସ୍ରଗୁଣେ ଶ୍ରେୟସ୍କର ଥିଲା । ହା ଜୀବିତେଶରି ! ହା ନିରପରାଧେ-! ହା ମଞ୍ଜୁଭାଷିଣୀ ! ତୁମ୍ଭ ଅଦୃଷ୍ଟରେ ଏହାହିଁ ଥିଲା । ପ୍ରେୟସି ! ତୁମ୍ଭେ ଚନ୍ଦନତରୁ ଭୂମିରେ ଦୁର୍ବିଷତ ବିଷଦ୍ରୁମ ଆଶ୍ରୟ କରିଥିଲ ସିନା ! ଏହି ନରାଧମ ଚଣ୍ଡାଳ ରାମ ତୁମ୍ଭଙ୍କୁ ପରିତ୍ୟାଗ କରିବାକୁ ଅଦ୍ୟ ଉଦ୍ୟତ ହେଉଅଛି । ଏହିପରି ଭାବୁ ଭାବୁ ନାମ ବାହ୍ୟଜ୍ଞାନଶୂନ୍ୟ ହୋଇ ଭୂତଳରେ ପତିତ ହେଲେ, ପରେ ସଂଜ୍ଞାଲାଭ କରି ଆତ୍ମନିନ୍ଦା ଅମୂଳକ ବୋଲି ଉପେକ୍ଷା କରିବେ, କି ନିରପରାଧା ସାଧ୍ୱୀ ସୀତାଙ୍କୁ ପରିତ୍ୟାଗ କରିବେ, କୌଣସି ଗୋଟିଏ ପକ୍ଷରେ କୃତନିଶ୍ଚୟ ହୋଇ ନ ପାରି କ୍ଷଣକାଳ ଦୋଳାଚଳଚିତ୍ତବୃତ୍ତି ହୋଇ ଭାବିବାକୁ ଲାଗିଲେ । ବହୁଚିନ୍ତା ପରେ ଶେଷରେ ସ୍ଥିର କଲେ ଯେ, ଅନ୍ୟ କୌଣସିରୂପେ ଏହି ଅପବାଦ କ୍ଷାଳିତ ହେବ ନାହିଁ । ସୀତାଙ୍କର ପରିତ୍ୟାଗହିଁ ଏହାର ଏକମାତ୍ର ପ୍ରତିକାର । ଇନ୍ଦ୍ରିୟ-ଭୋଗ୍ୟ ବିଷୟ-କଥା ବା କହିବା, ଯଶୋଧନମାନେ ନିଜ ଦେହଠାରୁ ମଧ୍ୟ ଯଶକୁ ଗୁରୁତର ବୋଲି ମନେ କରନ୍ତି ।

 

ଅନନ୍ତର ରାମ କାଳବିଳମ୍ବ ନ କରି ଭରତପ୍ରମୁଖ ଭ୍ରାତୃବୃନ୍ଦଙ୍କୁ ସମୀପକୁ ଆହ୍ୱାନ କରି ଆଣିଲେ । ସେମାନେ ତାଙ୍କର ବିଷର୍ଣ୍ଣ ମୁଖମଣ୍ଡଳ ଓ ଗଳଦଶ୍ରୁଲୋଚନ ଅବଲୋକନରେ ବିଷମ ଅନିଷ୍ଟପାତ ଆଶଙ୍କା କରି ସମ୍ମୁଖରେ ଚିତ୍ରର୍ପିତ ପରି ଦଣ୍ଡାୟମାନ ହୋଇ ରହିଲେ । ରାମ ସେମାନଙ୍କୁ ସମୀପରେ ବସିବାକୁ ଆଦେଶ ଦେଇ ଏକାନ୍ତ କାତରକଣ୍ଠରେ ପୂର୍ବୋକ୍ତ ଅପବାଦ ବିଷୟ ବର୍ଣ୍ଣନ କଲେ ଏବଂ ପରେ କହିଲେ, ‘‘ଭ୍ରାତୃବୃନ୍ଦ ! ଯେପରି ଶୀକରବାତସ୍ପର୍ଶରେ ସ୍ୱଚ୍ଛ ଦର୍ପଣ ସୁଦ୍ଧା ମଳିନ ହୋଇ ଉଠେ, ସେହିପରି ମୋଠାରୁ ସଦାଚାରପୂତ ଏହି ପୁଣ୍ୟ ରାଜର୍ଷି ବଂଶର କିପରି ଦୂରପନେୟ କଳଙ୍କ ଉପସ୍ଥିତ ହେଲା ବିଚାର କରି ଦେଖ, ଜଳ ତରଙ୍ଗରେ ତୈଳବିନ୍ଦୁ ପରି ଏହି ଅଭୂତପୂର୍ବ ଅପବାଦ ପ୍ରଜାପୁଞ୍ଜ ମଧ୍ୟରେ ସର୍ବତଃ ପରିବ୍ୟାପ୍ତ ହେଉଅଛି । ଆଲାନସ୍ତମ୍ଭ ଯେପରି ନବବନ୍ଧ ଗଜପକ୍ଷରେ ଏକାନ୍ତ ଅସହ୍ୟ ହୋଇ ଉଠେ, ସେହିପରି ଏହି ନବପରିବାଦ ମୋ ପକ୍ଷରେ ଏକାନ୍ତ ଅସହ୍ୟ ହୋଇଅଛି । ପୂର୍ବେ ମୁଁ ପିତ୍ରାଦେଶ ପାଳନ ଉଦ୍ଦେଶ୍ୟରେ ଯେପରି ସସାଗରା ଧରା ପରିତ୍ୟାଗ କରିଥିଲି, ସଂପ୍ରତି ଏହି ଅପବାଦ କ୍ଷାଳନ ନିମିତ୍ତ ସେହିପରି ଫଳପ୍ରବୃତ୍ତି କାଳରେ ମଧ୍ୟ ଜନକ କନ୍ୟାଙ୍କୁ ବିସର୍ଜନ କରିବାକୁ ସ୍ଥିର କରିଅଛି । ମୁଁ ଜାଣେ, ସୀତା ସମ୍ପୂର୍ଣ୍ଣରୂପେ ନିରପରାଧା, କିନ୍ତୁ ବଳବାନ୍ ଲୋକାପବାଦ ମୋର ଏକାନ୍ତ ଅସହ୍ୟ; ଲୋକେ କଣ କରି ନ ପାରନ୍ତି, ଦେଖ, ସେମାନେ ପୃଥିବୀର ଛାୟାକୁ ନିଷ୍କଳଙ୍କ ଚନ୍ଦ୍ରଙ୍କଠାରେ କଳଙ୍କରୂପେ ଆରୋପିତ କରିଥାନ୍ତି । ତୁମ୍ଭେମାନେ ମନେ କର ନାହିଁ, ସୀତାଙ୍କୁ ପରିତ୍ୟାଗ କରିବାଦ୍ୱାରା ରାବଣବଧଜନିତ ପରିଶ୍ରମ ବ୍ୟର୍ଥ ହେବ । କେବଳ ବୈରନିର୍ଯାତନ ନିମନ୍ତେ ତାହା କରାଯାଇଥିଲା । ପଦାହତ ସର୍ପ ଆଘାତକାରୀକୁ ରୁଧିରପାନାଶୟରେ ନା ବୈରନିର୍ଯାତନ ଇଚ୍ଛାରେ ଦଂଶନ କରେ ? ତୁମ୍ଭେମାନେ ଏକାନ୍ତ କରୁଣାର୍ଦ୍ରଚିତ୍ତ, ଏହି ଅପବାଦ କ୍ଷାଳନ କରି ମୁଁ ଦୀର୍ଘକାଳ ଜୀବନ ଧାରଣ କରିବି, ଏହା ଯେବେ ତୁମ୍ଭେମାନେ କାମନା କର, ତେବେ ମୁଁ ଯାହା ନିଶ୍ଚୟ କରିଅଛି, ତହିଁରେ ନିଷେଧ କର ନାହିଁ ।’’ ଜନକାତ୍ମଜାଙ୍କ ପ୍ରତି ରାମଙ୍କର ଏବଂବିଧ ରୁକ୍ଷଭାବ ଅବଗତ ହୋଇ ଅନୁଜମାନଙ୍କ ମଧ୍ୟରୁ କେହି ତାହା ନିଷେଧ ବା ଅନୁମୋଦନ କରିପାରିଲେ ନାହିଁ, କେବଳ ଘୋର ଦୁଃଖସାଗରରେ ନିମଗ୍ନ ହେଲେ । ଅନନ୍ତର ତ୍ରିଲୋକଗୀତକୀର୍ତ୍ତି ସତ୍ୟସନ୍ଧ ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କୁ ସମ୍ଭାଷଣପୂର୍ବକ ପୃଥକ୍‌ରୂପେ ଆଦେଶ କଲେ, ‘‘ହେ ସୌନ୍ୟ ! ଆମ୍ଭେ ତୁମ୍ଭର ପ୍ରଜାବତୀ ଭ୍ରାତୃଜାୟାଙ୍କୁ ନିର୍ଜନରେ ଗର୍ଭଦୋହଦବିଷୟକ ପ୍ରଶ୍ନ କରିଥିଲୁ, ସେ ଭାଗୀରଥିତୀରବର୍ତ୍ତୀ ତପୋବନ ଦେଖିବାକୁ ଏକାନ୍ତ ଅଭିଳାଷିଣୀ, ଅତଏବ ତୁମ୍ଭେ ସେହି ବ୍ୟାଜରେ ତାଙ୍କୁ ରଥରେ ବସାଇ ବାଲ୍ମୀକିଙ୍କ ଆଶ୍ରମସମୀପବର୍ତ୍ତୀ ଅରଣ୍ୟରେ ପରିତ୍ୟାଗ କରି ଆସ !’’ ଲକ୍ଷ୍ମଣ ରାମଙ୍କର ଏକାନ୍ତ ଆଜ୍ଞାବହ, ସେ ପୂର୍ବରୁ ଶୁଣିଥିଲେ ଯେ ପରଶୁରାମ ପିତାଙ୍କ ଆଦେଶର ଅନୁବର୍ତ୍ତୀ ହୋଇ ଶତ୍ରୁବତ୍‌ ସ୍ୱୀୟ ଜନନୀଙ୍କର ଶିରଶ୍ଚେଦନ କରିଥିଲେ । ସୁତରାଂ ଗୁରୁଜନଙ୍କର ଆଦେଶ ଅବିଚାରଣୀୟ, ଏହା ଭାବି ସେ ପିତୃକଳ୍ପ ଜ୍ୟେଷ୍ଠଙ୍କର ଏହି ନିଷ୍ଠୁର ଆଦେଶକୁ ପାଳନ କରିବାପାଇଁ ଅଗତ୍ୟା ସ୍ୱୀକାର କଲେ ।

 

ଅନନ୍ତର ସାଧ୍ୱୀ ତପୋବନ ଗମନ ସଂବାଦ ଶ୍ରବଣରେ ଅତ୍ୟନ୍ତ ପ୍ରୀତ ହୋଇ ସୁମନ୍ତ୍ରଚାଳିତ ରଥରେ ଦେବର ଲକ୍ଷ୍ମଣଙ୍କ ସହ ଆନନ୍ଦରେ ଉପବେଶନ କଲେ । ଯାଉଁ ଯାଉଁ ପଥରେ ନାନା ରମଣୀୟ ପ୍ରଦେଶମାନ ଅବଲୋକନ କରି ପ୍ରିୟତମ ସ୍ୱାମୀଙ୍କୁ ଶତ ଶତ ଧନ୍ୟବାଦ ଦେଲେ । ସେ ସେପର୍ଯ୍ୟନ୍ତ ଜାଣି ନ ଥିଲେ ଯେ, ରାମ ତାଙ୍କ ପ୍ରତି କଳ୍ପତରୁଭାବ ପରିହାର କରି ଅସିପତ୍ରବୃକ୍ଷଭାବ ଧାରଣ କରିଅଛନ୍ତି । ଲକ୍ଷ୍ମଣ ପଥରେ ଏହି ଦୁଃସଂବାଦ ତାଙ୍କ ନିକଟରେ ଗୋପନ ରଖିଥିଲେ ସତ୍ୟ, ମାତ୍ର ତାଙ୍କର ଦକ୍ଷିଣଚକ୍ଷୁ ମୁହୁର୍ମୁହୁଃ ପ୍ରସ୍ପୁରିତ ହୋଇ ତାଙ୍କ ନିକଟରେ ସେହି ଭାବି-ବିଷାଦ ଅନ୍ଧକାରର ସୂଚନା କରିଦେଲା । ସେ ଦୁର୍ନିମିତ୍ତ ସ୍ମରଣରେ ଭୀତ ହୋଇ ଦେବରମାନଙ୍କ ସହ ସ୍ୱାମୀଙ୍କର ମଙ୍ଗଳପାଇଁ ମନେ ମନେ ପ୍ରାର୍ଥନା କଲେ । ଇତ୍ୟବସରରେ ରଥ ଗଙ୍ଗାକୂଳରେ ଉପସ୍ଥିତ ହୁଅନ୍ତେ, ଲକ୍ଷ୍ମଣ ଦେବୀଙ୍କୁ ରଥରୁ ଅବରୋପଣ କରି ନିଷାଦମାନଙ୍କ କର୍ତ୍ତୃକ ଚାଳିତ ନୌକାରେ ତାଙ୍କ ସହ ନଦୀ ଉତ୍ତୀର୍ଣ୍ଣ ହେଲେ । ଅନନ୍ତର ବିକ୍ଷୁବ୍ଧଚିତ୍ତ ଲକ୍ଷ୍ମଣ ବହୁ କଷ୍ଟରେ ସ୍ୱୀୟ ବାକ୍‌-ଶକ୍ତି ପ୍ରକୃତିସ୍ଥ କରି ଔତ୍ତାତିକ ମେଘ ଶିଳ ବର୍ଷଣ କଲା ପରି ବାଷ୍ପବରୁଦ୍ଧକଣ୍ଠରେ ସୀତାଙ୍କ ନିକଟରେ ରାଜାଜ୍ଞା ଉଦ୍ଗିରଣ କଲେ । ଏହି ନିଷ୍ଠୁର ବଜ୍ରସମ ବାକ୍ୟ ଶ୍ରବଣ ମାତ୍ରକେ ସୀତା ବାତାହତ ଲତା ପରି ସହସା ଭୂପୃଷ୍ଠରେ ପତିତ ହେଲେ । ତାଙ୍କର ସଂଜ୍ଞା ଲୋପ ହେଲା । ଧରଣୀ ଜନନୀ ହୋଇ ମଧ୍ୟ, ମହାକୁଳୋଦ୍ଭବ ସଦ୍‌ବୃତ୍ତ ଭର୍ତ୍ତା ଅକସ୍ମାତ୍ କାହିଁକି ତୋତେ ପରିତ୍ୟାଗ କଲେ, ବୋଧହୁଏ ଏହିପରି ସଂଶୟିତ ହୋଇ ସେତେବେଳେ ତାହାଙ୍କୁ ସ୍ୱଗର୍ଭରେ ପ୍ରବେଶ ଦେଲେ ନାହିଁ- । ଲକ୍ଷ୍ମଣ ବହୁକଷ୍ଟରେ ତାଙ୍କୁ ସଂଜ୍ଞା ସମ୍ପନ୍ନ କଲେ, ମାତ୍ର ତାଙ୍କର ଏହି ପ୍ରବୋଧ ଲାଭ ଅଚୈତନ୍ୟ ଅବସ୍ଥାଠାରୁ ଅଧିକତର କଷ୍ଟଦାୟକ ହେଲା । ସ୍ୱାମୀ ବିନାଦୋଷରେ ତାଙ୍କୁ ପରିତ୍ୟାଗ କଲେହେ ସାଧୁ ତାଙ୍କଠାରେ ବିନ୍ଦୁମାତ୍ର ଦୋଷାରୋପ ନ କରି ନିଜର ନିନ୍ଦନୀୟ ଦୂରଦୁଷ୍ଟକୁ ଶତ ଧିକ୍କାର ଦେଇ ନିନ୍ଦା କରିବାକୁ ଲାଗିଲେ । ଲକ୍ଷ୍ମଣ ତାଙ୍କୁ ଆଶସ୍ତ କରି ମହର୍ଷି ବାଲ୍ମୀକିଙ୍କ ଆଶ୍ରମମାର୍ଗ ଦେଖାଇ କୃତାଞ୍ଜଳିପୁଟରେ କହିଲେ, ‘‘ଆର୍ଯ୍ୟେ ! ମୁଁ ପରାଧୀନ, ପ୍ରଭୁଙ୍କର ଆଦେଶ ପ୍ରତିପାଳନ ହେତୁରୁ ଯେଉଁ ନିଷ୍ଠୁର ହୃଦୟର କାର୍ଯ୍ୟ କଲି, ତାହା କ୍ଷମା କରିବା ହେଉ ।’’ ଏହା କହି ତାଙ୍କ ଚରଣତଳେ ନିପତିତ ହୁଅନ୍ତେ ସୀତା ତାଙ୍କୁ ଉଠାଇ କହିଲେ, ‘‘ବତ୍ସ, ମୁଁ ତୁମ୍ଭଠାରେ ଆଦୌ ଅସନ୍ତୁଷ୍ଟ ନୁହେଁ, ତୁମ୍ଭେ ଦୀର୍ଘଜୀବନ ଲାଭ କର, ତୁମ୍ଭେ ଅଗ୍ରଜଙ୍କ ଆଦେଶ କାର୍ଯ୍ୟରେ ପରିଣତ କରି କର୍ତ୍ତବ୍ୟ ସମ୍ପାଦନ କରିଅଛ; ସୁତରାଂ ତୁମର ଏଥିରେ ଦୋଷ କଣ ? ପ୍ରତ୍ୟେକ ଶଶ୍ରୂଙ୍କୁ ପୃଥକ୍ ପୃଥକ୍ ରୂପେ ମୋର ପ୍ରଣାମ ଜଣାଇ କହିବ, ସେମାନେ ହୃଦୟରେ ମୋର ଗର୍ଭସ୍ଥ ଶିଶୁକୁ ଆଶୀର୍ବାଦ କରିବେ, ଆଉ ମଧ୍ୟ ମୋ କଥା ଅନୁସାରେ ତୁମ୍ଭେ ସେହି ରାଜାଙ୍କୁ କହିବ, ଆପଣଙ୍କ ସମକ୍ଷରେ ଅଗ୍ନିପରୀକ୍ଷାରେ ପରିଶୁଦ୍ଧା ହେଲେହେଁ, ମିଥ୍ୟା ଲୋକାପବାଦ ଭୟରେ ଆପଣ ମୋତେ ତ୍ୟାଗ କଲେ । ଏହି କାର୍ଯ୍ୟ ଆପଣଙ୍କ ସୁପ୍ରସିଦ୍ଧ ରଘୁବଂଶର ଅନୁରୂପ ହେଲା ତ ? ଅଥବା ମୁଁ ଆପଣଙ୍କ ବିଶ୍ୱକଲ୍ୟାଣକର ବୃଦ୍ଧିରେ ଏପରି ଯଥେଚ୍ଛାଚାରିତାରୂପ ଦୋଷାରୋପ କରୁଅଛି । ଏହା ମୋର ଜନ୍ମାନ୍ତରୀଣ ପାତକମାନଙ୍କର ଦୁର୍ବିଷହ ପରିଣାମ । ପୂର୍ବେ ଆପଣ ଉପସ୍ଥିତ ଗଜଲକ୍ଷ୍ମୀଙ୍କୁ ପରିତ୍ୟାଗ କରି ମୋ ସଙ୍ଗେ ବନକୁ ଗମନ କରିଥିଲେ ସମ୍ଭବତଃ ସେହି ରୋଷହେତୁରୁ ସେ ସମ୍ପ୍ରତି ଆପଣଙ୍କ ଗୃହରେ ମୋର ଅବସ୍ଥାନ ସହ୍ୟକରି ପାରିଲେ ନାହିଁ । ପୂର୍ବେ ତାପସମାନେ ନିଶାଚରମାନଙ୍କ କର୍ତ୍ତୃକ ଉପଦ୍ରୂତ ହୁଅନ୍ତେ, ଆପଣଙ୍କ ଅନୁଗ୍ରହରୁ ମୁଁ ତାପସପତ୍ନୀମାନଙ୍କର ଶରଣ୍ୟ ହୋଇଥିଲି । ସମ୍ପ୍ରତି ଆପଣ ବିଦ୍ୟମାନ ଥାଉଁ ଥାଉଁ ମୁଁ କିପରି ଅନ୍ୟର ଶରଣାର୍ଥିନୀ ହେବି ? ଚିରକାଳପାଇଁ ଆପଣ ମୋତେ ଶ୍ରୀଚରଣସେବାରୁ ବଞ୍ଚିତ କରିବା ସ୍ଥଳେ, ଯେବେ ମୋର ଗର୍ଭସ୍ଥ ତବଦୀୟ ତେଜଃ ଅନ୍ତରାୟ ନ ହୋଇଥାନ୍ତା, ତେବେ ମୁଁ କେବେହେଁ ଏହି ବ୍ୟର୍ଥ ଜୀବନ ଧାରଣ କରନ୍ତି ନାହିଁ । ପ୍ରସବ ପରେ ମୁଁ ପ୍ରଚଣ୍ଡମାର୍ତ୍ତଣ୍ଡବିମ୍ବରେ ଦୃଷ୍ଟି ନିବିଷ୍ଟ କରି ଏପରି କଠୋର ତପସ୍ୟା କରିବି, ଯଦ୍ଦ୍ୱାରା ମୁଁ ଜନ୍ମାନ୍ତରରେ ଆପଣଙ୍କୁ ପୁନରପି ପତିରୂପେ ପ୍ରାପ୍ତ ହେବ, କିନ୍ତୁ ନିଦାରୁଣ ବିରହଯନ୍ତ୍ରଣା ଆଉ ସହ୍ୟ କରିବି ନାହିଁ । ମହର୍ଷି ମନୁପ୍ରଣୀତ ଧର୍ମାନୁଶାସନ ଅନୁସାରେ ବର୍ଣ୍ଣାଶ୍ରମଧର୍ମ ପାଳନ କରିବା ରାଜାଙ୍କର କର୍ତ୍ତବ୍ୟ, ଆପଣ ମୋତେ ନିର୍ବାସିତ କଲେହେଁ ସାମାନ୍ୟ ତପସ୍ୱିନୀ ଜ୍ଞାନରେ ଥରେ ମୋର ତତ୍ତ୍ୱାବଧାରଣ କରିବେ ।’’ ଲକ୍ଷ୍ମଣ ସତୀଙ୍କର ଆଦେଶ ଶିରୋଧାର୍ଯ୍ୟ କରି ଦୃଷ୍ଟିପଥରୁ ଅନ୍ତର୍ହିତ ହୁଅନ୍ତେ, ସେ ସୁବିର୍ଷହ ଦୁଃଖଭରରେ ଏକାନ୍ତ ଉଦ୍‌ବିଗ୍ନା ହୋଇ ମୁକ୍ତକଣ୍ଠରେ କୁଚରୀ ପ୍ରାୟ ରୋଦନ କରିବାକୁ ଲାଗିଲେ । ତଦୀୟ କରୁଣ କ୍ରନ୍ଦନଧ୍ୱନିରେ ତତ୍ରତ୍ୟ କି ଚେତନ କି ଅଚେତନ ସମସ୍ତେ ଏକାନ୍ତ ଦୁଃଖିତ ହୋଇ ଉଠିଲେ-। ମୟୂରଗଣ ନୃତ୍ୟ ତ୍ୟାଗ କଲେ, ବୃକ୍ଷସମୂହ କୁସୁମବର୍ଷଣ ଛଳରେ ଲୋତକ ବିସର୍ଜନ କରି ସ୍ତବ୍ଧଭାବରେ ଦଣ୍ଡାୟମାନ ହେଲେ, ହରିଣୀମାନେ ତୃଣକବକ ପରିତ୍ୟାଗ କରି ଉତ୍‌ପକ୍ଷ ଦୃଷ୍ଟିରେ ଅନାଇ ରହିଲେ । ଏପରିକି, ସମଗ୍ର ବନସ୍ଥଳୀ ପ୍ରତିଧ୍ୱନି ବ୍ୟାଜରେ କ୍ରନ୍ଦନ କଲା ପରି ଜଣାଗଲା-

 

କ୍ରୂରନିଷାଦଶରବିଦ୍ଧ କ୍ରୌଞ୍ଚବିହଙ୍ଗର ଅବଲୋକନରେ ଯାହାଙ୍କର ଶୋକୋଚ୍ଛ୍ୱାସ ସମନ୍ୱିତ ହୋଇ ଶ୍ଳୋକରୂପେ ପରିଣତ ହୋଇଥିଲା, ସେହି ପୁରାଣକବି ମହର୍ଷି ବାଲ୍ମୀକି ଏହି ସମୟରେ ପୂତ ହୋମସ ଧନ କୁଶମମିଆଦି ଆହରଣ ଉଦ୍ଦେଶ୍ୟରେ ସେହି ଅରଣ୍ୟରେ ଭ୍ରମଣ କରୁ କରୁ ସୀତାଙ୍କ କ୍ରନ୍ଦନଧ୍ୱନି ଶୁଣି ତାଙ୍କ ନିକଟରେ ସମୁପସ୍ଥିତ ହେଲେ । ସୀତା ସେହି ସୌମ୍ୟମୂର୍ତ୍ତି ବୃଦ୍ଧମୁନିଙ୍କୁ ସମ୍ମୁଖରେ ଦେଖି ରୋଦନରୁ ବିରତ ହୋଇ ଅଶ୍ରୁ ମାର୍ଜନପୂର୍ବକ ତାଙ୍କର ଚରଣବନ୍ଦନା କଲେ । ମୁନି ତାହାଙ୍କର ଗର୍ଭଲକ୍ଷଣ ନିରୀକ୍ଷଣ କରି ‘‘ସୁପୁତ୍ରର ଜନନୀ ହୁଅ’’ ଏହିପରି ଆଶୀର୍ବଚନ ପ୍ରୟୋଗାନନ୍ତର କହିଲେ, ‘‘ବୈଦେହି, ମୁଁ ସମାଧିବଳରେ ଜାଣି ପାରିଲି ଯେ, ତୁମ୍ଭର ଭର୍ତ୍ତା ମିଥ୍ୟାପବାଦରେ କ୍ଷୋଭିତ ହୋଇ ତୁମ୍ଭଙ୍କୁ ବିସର୍ଜନ କରିଅଛନ୍ତି । ଦୁଃଖିତ ହୁଅ ନାହିଁ ମନେ କର, ତୁମ୍ଭେ ସଂପ୍ରତି ଦେଶାନ୍ତରସ୍ଥ ପିତ୍ରାଳୟକୁ ଆସିଅଛ । ରାମ ଭବନକଣ୍ଟକ ରାକ୍ଷସମାନଙ୍କୁ ବଧ କରି ସଂସାରରେ ଶାନ୍ତିସ୍ଥାପନ କରିଅଛନ୍ତି, ତାଙ୍କର ଲେଶମାତ୍ର ଆତ୍ମଶ୍ଳାଘା ନାହିଁ ଏବଂ ସେ ସତ୍ୟସନ୍ଧ ତଥାପି, ଅକାରଣରେ ତୁମ୍ଭଙ୍କୁ ବିସର୍ଜନ କରି ଯେଉଁ ଗର୍ହିତ କର୍ମ କଲେ, ସେଥିରେ ଆମ ମନରେ କ୍ରୋଧ ଜାତ ହୋଇଅଛି । ତୁମ୍ଭେ ଆଜିଠାରୁ ସର୍ବଥା ଆମ୍ଭର ଅନୁକମ୍ପନୀୟା ହେଲା ତୁମ୍ଭର ଶଶୁର ଦିଗନ୍ତବିଶ୍ରୁତକୀର୍ତ୍ତି ମହାରାଜ ଦଶରଥ ଆମ୍ଭର ପରମ ମିତ୍ର ଥିଲେ । ତୁମ୍ଭର ପିତା ରାଜର୍ଷି ଜନକ ତତ୍ତ୍ୱଜ୍ଞନୋପଦେଶଦ୍ୱାରା ଜଗତର ଅଶେଷ କଲ୍ୟାଣ ସାଧନ କରିଅଛନ୍ତି, ଆଉ ତୁମେ ସ୍ୱୟଂ ମଧ୍ୟ ଜଗତରେ ପତିବ୍ରତାମାନଙ୍କର ଶୀର୍ଷସ୍ଥାନ ଅଧିକାର କରିଅଛ, ଏପରି ଅବସ୍ଥାରେ ତୁମ୍ଭେ କାହିଁକି ବା ଆମ୍ଭର ଅନୁକମ୍ପନୀୟା ନ ହେବ ? ଅମୃତ ଏହି ତପୋବନ ଶାନ୍ତିର ଆସ୍ପଦ; ଏଠାରେ ଶାପଦକୁଳ ମଧ୍ୟ ତପସ୍ୱୀମାନଙ୍କ ସଂସର୍ଗରେ ସ୍ୱୀୟ ଦୁଃଶୀଳତା ପରିହାର କରିଅଛନ୍ତି; ଅତଏବ ଏଠାରେ ନିର୍ଭୀକଭାବରେ ବାସ କର । ତୁମ୍ଭର ସୁଖ-ପ୍ରସବ ପରେ ଆମ୍ଭେ ତୁମ୍ଭ ସନ୍ତତିର ଜାତକର୍ମାଦି ସଂସ୍କାରମାନ ବିଧାନୁରୂପେ ସମ୍ପାଦନ କରିବୁଁ । ଆମ୍ଭର ଏହି ତପୋବନର ଉପକଣ୍ଠରେ ତମସା ନଦୀ ପ୍ରବାହିତ ହେଉଅଛି; ତାହାର ଉଭୟ ତୀର ଘନସନ୍ନିବିଷ୍ଟ ମୁନିମାନଙ୍କ ଆଶ୍ରମରେ ପରିପୂର୍ଣ୍ଣ; ସେହି ତମୋଽପହାର ତମସାସଲିଳରେ ନିତ୍ୟ ସ୍ନାନ କଲେ ତୁମ୍ଭର ମନଃପ୍ରସାଦ ଜାତ ହେବ । ମୁନିକନ୍ୟାମାନେ ଆର୍ତ୍ତବ ଫଳପୁଷ୍ପ ଏବଂ ଅକୃଷ୍ଟପଚ୍ୟନୀବାର ଧନ୍ୟାଦି ତୁମ୍ଭର ପୂଜାନିମିତ୍ତ ଅହରଣ କରି ମୃଦୁମଧୁର କଥୋପକଥନଦ୍ୱାରା ତୁମ୍ଭର ନବୀନ ଦୁଃଖର ଅପନୋଦନ କରିବ । କ୍ଷୁଦ୍ର ଘଟରେ ଜଳ ସେଚନଦ୍ୱାରା ଆଶ୍ରମସ୍ଥ ବାଳପାଦପମାନଙ୍କୁ ପରିବର୍ଦ୍ଧିତ କରି ସନ୍ତାନ ଜାତ ହେବା ପୂର୍ବେ ସନ୍ତାନପାଳନରେ ଯେଉଁ ସୁଖ ହୁଏ, ତାହା ନିଃସଂଶୟରୂପେ ଆସ୍ୱାଦନ କରି ପାରିବ ।’’

 

ଦୟାର୍ଦ୍ରଚେତା ମହର୍ଷି ବାଲ୍ମୀକି ଏହିପରି ପ୍ରବୋଧ ବାକ୍ୟରେ ସୀତାଙ୍କ କଥଞ୍ଚିତ୍ ସାନ୍ତ୍ୱନା ପ୍ରଦାନ କରି ତାଙ୍କ ସହ ସନ୍ଧ୍ୟାମୁଖରେ ସ୍ୱୀୟ ଆଶ୍ରମରେ ଉପସ୍ଥିତ ହେଲେ । ଆଶ୍ରମବାସିନୀ ତପସ୍ୱୀମାନେ ଶୋକଦୀନା ଜନକକନ୍ୟାଙ୍କୁ ପରମସମାଦରରେ ଗ୍ରହଣ କରି ସୁମଧୁର ବାକ୍ୟରେ ତାଙ୍କ ଚିତ୍ତବିନୋଦନ କରିବାକୁ ଲାଗିଲେ । ତତ୍ତ୍ୱରେ ରାତ୍ରି ସମାଗତ ହୁଅନ୍ତେ ସେମାନେ ଇଙ୍ଗୁଦୀ ତୈଳରେ ପ୍ରଦୀପ ପ୍ରଜ୍ୱଳିତ କରି ଅଜିନତଳ୍ପସମନ୍ୱିତ ପର୍ଣ୍ଣଶାଳା ତାଙ୍କ ବାସ ନିମିତ୍ତ ନିର୍ଦ୍ଦିଷ୍ଟ କରିଦେଲେ । ରାମ-ହୃଦୟଜ୍ୟୋସ୍ନା ବିଦେହରାଜ-ତନୟା ସାଧ୍ୱୀ ସୀତାଦେବୀ ଏହିପରି ବକ୍କଳ ପରିଧାନପୂର୍ବକ ବାଲ୍ମିକୀଙ୍କ ଆଶ୍ରମରେ ଅବସ୍ଥାନ କରି କେବଳ ପତିଙ୍କ ବଂଶରକ୍ଷା ନିମିତ୍ତ ବନ୍ୟ ଫଳମୂଳରେ ଶରୀର ରକ୍ଷା କରିବାକୁ ଲାଗିଲେ ।

 

ଏଣେ ମହାବୀର ଲକ୍ଷ୍ମଣ ଘୋର ଅନୁତାପାନଳରେ ଦନ୍ଦହ୍ୟମାନ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହୋଇ ସୀତାଙ୍କ ବିଳାପ ଶେଷ ପର୍ଯ୍ୟନ୍ତ ତାବତୀୟ ଘଟନା ତାଙ୍କ ନିକଟରେ ନିବେଦନ କଲେ । ଶ୍ରବଣ ମାତ୍ରକେ ରାମ ତୁଷାରବର୍ଶୀ ପୌଷଚନ୍ଦ୍ରମା ପରି ଅନର୍ଗଳଧାରାରେ ଅଶ୍ରୁବର୍ଷଣ କରିବାକୁ ଲାଗିଲେ । ଯେହେତୁ ସେ କେବଳ ଲୋକାପବାଦ ଭୟରେ ସୀତାଙ୍କୁ ନିର୍ବାସିତ କରିଥିଲେ, କିନ୍ତୁ ସେହି ନିଷ୍ପାପା ସାଧ୍ୱୀ ତାଙ୍କ ହୃଦୟସିଂହାସନ ଅଧିକାର କରି ବସିଥିଲେ-। ତତ୍‌ପରେ ସେ କଥଞ୍ଚିତ୍ ଶୋକ ସଂବରଣପୂର୍ବକ ବର୍ଣ୍ଣାଶ୍ରମ ଅବେକ୍ଷଣରେ ଜାଗରୁକ ହୋଇ ରଜୋରିକ୍ତ ମନରେ ପ୍ରଜାପାଳନ କରିବାକୁ ଲାଗିଲେ । ଏହିପରି କେତେକାଳ ଅତିବାହିତ ହୋଇଗଲା । ତତ୍ତ୍ୱରେ ରାମ ପତ୍ନ୍ୟନ୍ତର ଗ୍ରହଣ ନ କରି ଜନକ କନ୍ୟାଙ୍କର ହରଣ୍ମୟା ମୂର୍ତ୍ତି ପ୍ରତିଷ୍ଠାପୂର୍ବକ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କଲେ । ସୀତା ଏହି ସମ୍ବାଦ ଶ୍ରବଣରେ କଥଞ୍ଚିତ୍ ଆଶ୍ୱସ୍ତ ହୋଇ ଅତି କଷ୍ଟରେ ଭର୍ତ୍ତୃ-ପରିତ୍ୟାଗ-ଦୁଃଖ ସହ୍ୟ କଲେ ।

Image

 

ରାମଚନ୍ଦ୍ରଙ୍କ ସ୍ୱର୍ଗାରୋହଣ

 

ସୀତାଙ୍କୁ ପରିତ୍ୟାଗ କରି ମହାପତି ରାମଚନ୍ଦ୍ର କେବଳ ଏହି ରତ୍ନାକରମେଖଳା ବସୁନ୍ଧରାକୁ ଉପଭୋଗ କରିବାକୁ ଲାଗିଲେ । ଏହି ସମୟରେ ଲବଣନାମକ ରାକ୍ଷସ ଯମୁନାତୀରବାସୀ ମୁନିମାନଙ୍କୁ ନାନା ଭାବରେ ଉତ୍ପୀଡ଼ିତ କରୁଥିଲା । ତାପସଗଣ ଶାପାସ୍ତ୍ର ହେଲେହେଁ ଶାପଦାନଦ୍ୱାରା ଅତ୍ୟାଚାରୀକୁ ଭସ୍ମସାତ୍ କରି ଦୁଃସହ ଦୁଃଖୋପାର୍ଜିତ ତପୋବଳକୁ ନଷ୍ଟ କରିବାକୁ ଇଚ୍ଛୁକ ନ ହୋଇ ରାକ୍ଷସବଂଶ-ଧୂମକେତୁ ଶରଣାର୍ଥୀ ରାମଚନ୍ଦ୍ରଙ୍କୁ ଆଶ୍ରୟ କଲେ । ରାମ ଲବଣକୁ ବିନାଶ କରିବାକୁ ପ୍ରତିଶ୍ରୁତ ହୋଇ କାର୍ଯ୍ୟସାଧନ ନିମିତ୍ତ ଅନୁଜ ଶତ୍ରୁଘ୍ନଙ୍କୁ ଆଦେଶ କରନ୍ତେ ସେ ସାନନ୍ଦଚିତ୍ତରେ ଜ୍ୟେଷ୍ଠଙ୍କ ଆଶୀର୍ବାଦ ଗ୍ରହଣ କରି ରଥାରୋହଣ କଲେ । ଅଭୀଷ୍ଟସିଦ୍ଧିନିମିତ୍ତ କେତେକ ସୈନ୍ୟ ମଧ୍ୟ ରାମଙ୍କ ଆଦେଶରେ ତାଙ୍କର ଅନୁବର୍ତ୍ତୀ ହେଲେ । ଶତ୍ରୁଘ୍ନ ପୁଷ୍ପମୟୀ ସୁରଭି ବନସ୍ଥଳୀ ଅବଲୋକନ କରି କରି ମୁନିଜନପ୍ରଦର୍ଶିତ ପଥରେ ଗମନ କରିବାକୁ ଲାଗିଲେ । ବହୁପଥ ଅତିକ୍ରମ କରିବା ପରେ ଅଶ୍ୱମାନେ କ୍ଳାନ୍ତ ହୋଇ ପଡ଼ିବାରୁ ଶତ୍ରୁଘ୍ନ ରାତ୍ରିଯାପନ ଅଭିପ୍ରାୟରେ ସେଦିନ ବାଲ୍ମୀକିଙ୍କ ତପୋବନରେ ଆଶ୍ରୟ ନେଲେ । ମହର୍ଷି ସ୍ୱୀୟ ତପଃପ୍ରଭାବଲବ୍ଧ ବହୁବିଧ ଦ୍ରବ୍ୟଦ୍ୱାରା କୁମାରଙ୍କର ସତ୍‌କାର କଲେ । ଦୈବଗତ୍ୟା ସେହି ରଜନୀରେ ତାଙ୍କର ଅନ୍ତର୍ବତ୍ନୀ ଭ୍ରାତୃ-ଜାୟା ସେହି ଆଶ୍ରମରେ ଯମଜ ପୁତ୍ର ପ୍ରସବ କଲେ । ସୌମିତ୍ରି ଏହି ସମ୍ବାଦ ଶ୍ରବଣରେ ଏକାନ୍ତ ପ୍ରୀତ ହୋଇ ପରମପୁଲକରେ ରଜନୀ ଯାପନ କଲେ ଏବଂ ପ୍ରଭାତରେ ମହର୍ଷିଙ୍କୁ କୃତାଞ୍ଜଳିପୁଟରେ ବନ୍ଦନା କରି ରଥାରୋହଣପୂର୍ବକ ସେଠାରୁ ପ୍ରସ୍ଥାନ କଲେ । ସେ ମଧୁପଘ୍ନନାମକ ଲବଣ ରାଜଧାନୀରେ ଉପସ୍ଥିତ ହୋଇ ଦେଖିଲେ ଯେ, କୁମ୍ଭୀନସାକୁକ୍ଷିଜ ସେହି ଦୁରନ୍ତ ରାକ୍ଷସ ରାଜକରରୂପେ ଅରଣ୍ୟ ମଧ୍ୟରୁ ଜୀବରାଶି ଗ୍ରହଣ କରି ଗୃହକୁ ପ୍ରତ୍ୟାବୃତ୍ତ ହେଉଅଛି । ତାହାର ରୂପ ଅତ୍ୟନ୍ତ ଭୀଷଣ ଓ ବିକଟ; ଦେହର ବର୍ଣ୍ଣ ଧୂମ ପରି ଧୂମ୍ର, କେଶଜାଲ ଜ୍ୱାଳାବଳି ପରି ପିଙ୍ଗଳ, ସର୍ବାଙ୍ଗ ବସାଗନ୍ଧୀ, ସେ ମାଂସାଶୀ ରାକ୍ଷସଗଣଦ୍ୱାରା ପରିବେଷ୍ଟିତ; ତେଣୁ ସେ ତାଙ୍କ ଚକ୍ଷୁରେ ଚରିଷ୍ଣୁ ଚିତାନଳ ପରି ବୋଧ ହେଲା ।

 

ମହାମତି ଶତ୍ରୁଘ୍ନ ସେହି ଅବସ୍ଥାରେ ରାକ୍ଷସକୁ ଶୂଳଶୂନ୍ୟ ଦେଖି ମୁନିମାନଙ୍କ ପ୍ରଦତ୍ତ ଉପଦେଶ ସ୍ମରଣ କରି ହଠାତ୍ ଆକ୍ରମଣ କଲେ । କାରଣ ରନ୍ଧ୍ରାନ୍ୱେଷଣରେ ଶତ୍ରୁକୁ ଆକ୍ରମଣ କରିବା ଜୟଲାଭର ସୁଗମ ପନ୍ଥା । ଲବଣ ଆକ୍ରାନ୍ତ ହୋଇ ଭୟଙ୍କର ଗର୍ଜନଗର୍ଜନପୂର୍ବକ ଶତ୍ରୁଘ୍ନଙ୍କୁ କହିଲା, ‘‘ଆଃ ! କି ସୌଭାଗ୍ୟ, ଅଦ୍ୟ ମୋର ଖାଦ୍ୟର ଅପ୍ରଚୁରତା ଦେଖି ସ୍ୱୟଂ ବିଧାତା ଭୀତ ହୋଇ ତୋତେ ପଠାଇ ଦେଇଅଛି ।’’ ଏହା କହୁ କହୁ ସେ ଗୋଟିଏ ପ୍ରକାଣ୍ଡ ବୃକ୍ଷକୁ ମୁସ୍ତାସ୍ତମ୍ଭ ପରି ଅନାୟାସରେ ଉତ୍ତ୍ପାଟନ କରି ଶତ୍ରୁଘ୍ନଙ୍କ ପ୍ରତି ନିକ୍ଷେପ କଲା । ମହାବୀର ସୌମିତ୍ରି ଅର୍ଦ୍ଧପଥରେ ନିଶିତଶରଦ୍ୱାରା ସେହି ବୃକ୍ଷକୁ ଖଣ୍ଡ ଖଣ୍ଡ କରି ଦେବାରୁ ତାହା ତାଙ୍କର ଗାତ୍ରକୁ ସ୍ପର୍ଶ କରି ପାରିଲା ନାହିଁ; କେବଳ ବୃକ୍ଷସ୍ଥ ପୁଷ୍ପମାନଙ୍କର ରେଣୁଗୁଡ଼ିକ ତାଙ୍କର ଶରୀରରେ ପତିତ ହେଲା । ବୃକ୍ଷନିକ୍ଷେପ ବ୍ୟର୍ଥ ହେବାରୁ ରାକ୍ଷସ କୃତାନ୍ତମୁଷ୍ଟିରୂପୀ ଏକ ପ୍ରକାଣ୍ଡ ଶିଳାଖଣ୍ଡ ପୁନର୍ବାର ନିକ୍ଷେପ କଲା । ଶତ୍ରୁଘ୍ନ ଐନ୍ଦ୍ରାସ୍ତ୍ରପ୍ରୟୋଗରେ ତାକୁ ମଧ୍ୟ ପରମାଣୁ ପରି ଚୂର୍ଣ୍ଣୀଭୂତ କରିଦେଲେ । ଅନନ୍ତର ସେହି ବିରାଟମୂର୍ତ୍ତି ରାକ୍ଷସ ଦକ୍ଷିଣବାହୁ ଉତ୍ତୋଳନପୂର୍ବକ ଉତ୍ପାତବାତ୍ୟାଚାଳିତ ଏକତାଳବୃକ୍ଷବିଶିଷ୍ଟ ଗିରି ପରି ତାଙ୍କ ଆଡ଼କୁ ଦ୍ରୁତବେଗରେ ଧାବିତ ହେଲା । ଶତ୍ରୁଘ୍ନ ବୈଷ୍ଣବାସ୍ତୁପ୍ରୟୋଗରେ ଶତ୍ରୁର ବିନାଶ ସାଧନ କରି ସ୍ୱୀୟ ନାମର ସାର୍ଥକତା ପ୍ରତିପାଦନ କଲେ । ଭୀମକାୟ ରାକ୍ଷସ ଭିନ୍ନହୃଦୟ ହୋଇ ଭୂତଳରେ ପଡ଼ିବାବେଳେ ସହସା ଭୂମିକମ୍ପ ଜାତ ହେଲା ଏବଂ ସେହି କମ୍ପ ସଙ୍ଗେ ସଙ୍ଗେ ତାପସମାନଙ୍କ ହୃତ୍‍କମ୍ପ ନିରାକୃତ ହୋଇଗଲା । ଚାହୁଁ ଚାହୁଁ ମୃତଶତ୍ରୁର ଶବୋପରି ଶତ ଶତ ପକ୍ଷୀ ପତିତ ହେଲେ ଏବଂ ତତ୍‌ପ୍ରତିଦ୍ୱନ୍ଦୀଙ୍କ ମସ୍ତକରେ ଦିବ୍ୟକୁସୁମ ପତିତ ହେଲା । ମହାବୀର ଶତ୍ରୁଘ୍ନ ଲବଣକୁ ବିନାଶ କରି ଆପଣାକୁ ଇନ୍ଦ୍ରଜିତ୍‌ବିଜେତା ଲକ୍ଷ୍ମଣଙ୍କର ଯୋଗ୍ୟ ସୋଦର ଭାବି ମନେ ମନେ କୃତାର୍ଥ ହେଲେ । ତାପସଗଣ ପୂର୍ଣ୍ଣକାମ ହୋଇ ବିନୟାବନତ ରାଜପୁତ୍ରଙ୍କୁ ଶତ ଶତ ଧନ୍ୟବାଦ ଦେଲେ । ସେମାନଙ୍କଠାରୁ ବିଦାୟ ଗ୍ରହଣ କରି ଅନନ୍ତର ଶତ୍ରୁଘ୍ନ କାଳିନ୍ଦୀ-କୂଳରେ ମଥୁରାନାମକ ପୂର୍ବ ପ୍ରତିଷ୍ଠିତ କଲେ । ତାଙ୍କର ନିର୍ଲୋଭ ବ୍ୟବହାର ଓ ସୌଜନ୍ୟପୂର୍ଣ୍ଣ ଶାସନ-ନୀତି ଗୁଣରେ ଶତ ଶତ ଲୋକ ଆକୃଷ୍ଟ ହୋଇ ସେଠାରେ ଉପନିବିଷ୍ଟ ହେଲେ । ଅଳ୍ପକାଳ ମଧ୍ୟରେ ମଥୁରା ସୌଭାଗ୍ୟ ଓ ସମୃଦ୍ଧିରେ ପୁରପୁରୀକୁ ଉପହାସ କରିବାକୁ ଲାଗିଲା । ମତିମାନ୍ ଶତ୍ରୁଘ୍ନ ନବପ୍ରତିଷ୍ଠିତ ପୁରୀର କୈଳାସୋପମ ସୌଧଶିଖରରୁ ହେମଭକ୍ତିମତୀ ଚାରୁଚକ୍ରବାକିନୀ ଯମୁନାର ଦୃଶ୍ୟ ଦେଖି ପ୍ରୀତିପ୍ରଫୁଲ୍ଲ ଅନ୍ତଃକରଣରେ ସେଠାରେ କୟତକାଳ ବ୍ୟକ୍ତ କଲେ ।

 

ଏଣେ ମହର୍ଷି ବାଲ୍ମୀକି ଯଥାକାଳରେ ସୀତା-ସୁତଦ୍ୱୟଙ୍କର ଜାତକର୍ମାଦି ସଂସ୍କାରମାନ ଶାସ୍ତ୍ରୋକ୍ତ ବିଧାନାନୁସାରେ ସମ୍ପାଦନ କଲେ । ଜନ୍ମବେଳେ କୁଶ ଏବଂ ଲବ ଅର୍ଥାତ୍‌ ଗୋପୁଚ୍ଛଲୋମଦ୍ୱାରା ସେମାନଙ୍କ ଗର୍ଭକ୍ଳେଦ ମାର୍ଜିତ ହୋଇଥିବାରୁ ସେ ତଦନୁକ୍ରମେ ଅଗ୍ରଜକୁ କୁଶ ନାମରେ ଏବଂ ଅନୁଜକୁ ଲବ ନାମରେ ଅଭିହିତ କଲେ । ଆଦି କବି ମହର୍ଷି ସେହି ଅପୋଗଣ୍ଡ ରାଜକୁମାରଦ୍ୱୟଙ୍କୁ ସାଙ୍ଗ ବେଦ ଶିକ୍ଷା ଦେଇ ସ୍ୱରଚିତ ପଦ୍ୟସନ୍ଦର୍ଭ ରାମାୟଣ ଅଧ୍ୟୟନ କରାଇଲେ । ସେମାନେ ଶୈଶବ-ସୁଲଭ-ସୁଲଳିତ-କଣ୍ଠରେ ଜନନୀଙ୍କ ସନ୍ନିଧାନରେ ସୁମଧୁର ରାମଚରିତ ଗାନ କରି ତାଙ୍କର ବିୟୋଗତପ୍ତ ହୃଦୟକୁ କ୍ରମଶଃ ଶୀତଳ କରୁଥିଲେ । ଭରତ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କର ମଧ୍ୟ ଦିଓଟି ଲେଖାଏଁ ପୁତ୍ର ଜନ୍ମଗ୍ରହଣ କରିଥିଲେ । ଶତ୍ରୁଘ୍ନ ରାମଚରଣାବିନ୍ଦଦର୍ଶନରେ ସମୁତ୍ସୁକ ହୋଇ ଶାସ୍ତ୍ରଜ୍ଞାନ ସମ୍ପନ୍ନ ସୁବାହୁ ଶତ୍ରୁଘାତିନାମକ ପୁତ୍ରଦ୍ୱୟକୁ ମଥୁରା ଓ ବିଦିଶାର ରାଜପଦରେ ପ୍ରତିଷ୍ଠିତ କରି ଅଯୋଧ୍ୟାକୁ ପ୍ରତ୍ୟାଗମନ କଲେ । ପୁନରପି ତପୋବିଘ୍ନ ହେବା ଆଶଙ୍କାରେ ସେ ପ୍ରତ୍ୟାଗମନବେଳେ ବାଲ୍ମୀକିଆଶ୍ରମ ପଥ ପରିତ୍ୟାଗ କରି ଅଯୋଧ୍ୟାରେ ସମୁପସ୍ଥିତ ହେଲେ ପୁରବାସୀମାନଙ୍କକର୍ତ୍ତୃକ ଲବଣନିହନ୍ତା ଶତ୍ରୁଘ୍ନ ସରୋବରରେ ଅଭିନନ୍ଦିନ ହୋଇ ପାରିଷଦପରିବୃତ ରାମଙ୍କ ଚରଣରେ ପ୍ରଣିପାତ କଲେ । ମହାରାଜ ବିଜୟୀ ଭ୍ରାତାଙ୍କୁ ଯଥେଷ୍ଟ ସମାଦରପୂର୍ବକ କୁଶଳପ୍ରଶ୍ନ ଜିଜ୍ଞାସା କଲେ । ସେ ସମଗ୍ର ସୁସମାଚାର ନିବେଦନ କରି ମହର୍ଷି ବାଲ୍ମୀକିଙ୍କ ଶାସନକ୍ରମେ କୁଶଲବଙ୍କ ଜନ୍ମବୃତ୍ତାନ୍ତ ତାଙ୍କଠାରେ ଗୋପନ ରଖିଲେ ।

 

ଏକଦା ଜନପଦବାସୀ ଜଣେ ବ୍ରାହ୍ମଣ ସ୍ୱୀୟ ମୃତ-ଶିଶୁ-ସନ୍ତାନଟିକୁ ଗଜଦ୍ୱାରରେ ସୁକ୍ରୋଡ଼ରୁ ଭୂତଳରେ ସ୍ଥାପନ କରି ଅତି ବିକଳ କଣ୍ଠରେ ରୋଦନ କରି କହିଲେ, ‘‘ହା ବସୁଧେ ! ତୁମ୍ଭେ ମହାରାଜ ଦଶରଥଙ୍କ ହସ୍ତଚ୍ୟୁତ ହୋଇ ରାମଙ୍କ ହସ୍ତଗତ ହେବାଦ୍ୱାରା ଅତୀବ ଶୋଚନୀୟ ଅବସ୍ଥା ପ୍ରାପ୍ତ ହୋଇଅଛ ।’’ ଈକ୍ଷ୍ୱାକୁବଂଶୀୟ ରାଜାମାନଙ୍କ ରାଜତ୍ୱରେ ପ୍ରଜାମାନଙ୍କର ଅକାଳମୃତ୍ୟୁ ହେଉ ନ ଥିଲା । ତେଣୁ ରାମଚନ୍ଦ୍ର ବ୍ରାହ୍ମଣଙ୍କର ଶୋକର କାରଣ ଅବଗତ ହୋଇ ଅତ୍ୟନ୍ତ ଲଜ୍ଜିତ ହେଲେ ଏବଂ ‘‘ମୁହୂର୍ତ୍ତକପାଇଁ କ୍ଷମା କରନ୍ତୁ’’ ଦୁଃଖିତ ବ୍ରାହ୍ମଣଙ୍କୁ ଏହିପରି ଆଶ୍ୱସ୍ତ କରି କୃତାନ୍ତବିଜିଗୀଷାରେ ପୁଷ୍ପକ ବିମାନକୁ ସ୍ମରଣ କଲେ । ସ୍ମରଣ ମାତ୍ରକେ ରଥ ଉପସ୍ଥିତ ହୁଅନ୍ତେ ରାମ ଶସ୍ତ୍ରଗ୍ରହଣପୂର୍ବକ ରଥାରୂଢ଼ ହୋଇ ପ୍ରସ୍ଥାନ କଲେ; ଯାଉଁ ଯାଉଁ ପଥରେ ଅଶରୀରୀ ବାଣୀ ତାଙ୍କର ଶ୍ରୁତିଗୋଚର ହେଲା—‘‘ମହାରାଜ, ଆପଣଙ୍କ ପ୍ରଜାମାନଙ୍କ ମଧ୍ୟରେ କୌଣସି ଅପଚାର ସଂଘଟିତ ହୋଇଅଛି, ତାହା ଅନ୍ୱେଷଣ କରି ନିବାରଣ କରନ୍ତୁ, ତାହାହେଲେ ଆପଣ କୃତକାର୍ଯ୍ୟ ହେବେ ।’’ ଏହି ଆପ୍ତ ବଚନରେ ବିଶ୍ୱାସ ସ୍ଥାପନ କରି ରାମ ଚତୁର୍ଦ୍ଦିଗ ଅନ୍ୱେଷଣ କରୁ କରୁ ଏକତ୍ର ଦେଖିଲେ ଯେ, ଜଣେ ଲୋକ ବୃକ୍ଷଶାଖାରେ ପାଦ ବନ୍ଧନପୂର୍ବକ ଅଧୋମୁଖରେ ନିମ୍ନସ୍ଥ ପ୍ରଜ୍ୱଳିତ ଅଗ୍ନିରୁ ଧୂମପାନ କରି କଠୋର ତପଶ୍ଚରଣ କରୁଅଛି । ରାମ ସେହି ଧୂମପାୟୀ ରକ୍ତାକ୍ଷ ତପସ୍ୱୀଙ୍କୁ ତଦୀୟ ନାମ, ବଂଶ ଏବଂ ତପସ୍ୟାର ଉଦ୍ଦେଶ୍ୟ ସମ୍ବନ୍ଧରେ ପ୍ରଶ୍ନ କରନ୍ତେ ସେ କହିଲେ, ‘‘ଆମ ନାମ ଶମ୍ବୁକ ଓ ଆମ୍ଭେ ଶୂଦ୍ରକୂଳରେ ଜନ୍ମଗ୍ରହଣ କରିଅଛୁଁ ଏବଂ ସ୍ୱର୍ଗଲୋକଗମନ ଉଦ୍ଦେଶ୍ୟରେ ସପ୍ରତି ତପଶ୍ଚରଣରେ ଅଭିନିଯୁକ୍ତ ଅଛୁଁ, ।’’ ଏହା ଶୁଣି ରାମଚନ୍ଦ୍ର ମନେ କଲେ, ଶୂଦ୍ରର ତପସ୍ୟାରେ ଅଧିକାର ନାହିଁ; ସୁତରାଂ ଏହାହିଁ ବର୍ଣ୍ଣାଶ୍ରମବିରୁଦ୍ଧ କର୍ମ, ଅତଏବ ଏହାର ଶିରଚ୍ଛେଦନ କର୍ତ୍ତବ୍ୟ । ଏହିପରି ଭାବି ଶସ୍ତ୍ରଗ୍ରହଣପୂର୍ବକ ତାହାର ଶିରଚ୍ଛେଦନ କଲେ । ସ୍ୱୟଂ ରାମଚନ୍ଦ୍ରଙ୍କକର୍ତ୍ତୃକ ନିହତ ହୋଇ ବୃଷଳ ଶମ୍ବୁକ ଯେଉଁ ସଦ୍‌ଗତି ଲାଭକଲା, ବହୁକାଳ ଦୁଷ୍କର ତପସ୍ୟା କରି ମଧ୍ୟ ତାହା ସେ ଲାଭ କରି ପାରି ନ ଥାନ୍ତା । ପ୍ରତ୍ୟାଗମନବେଳେ ମହର୍ଷି ଅଗସ୍ତ୍ୟ ତାଙ୍କୁ ଗୋଟିଏ ସମୁଜ୍ଜ୍ୱଳ ବିଦ୍ୟାଭରଣ ପ୍ରଦାନ କଲେ । ତାଙ୍କର ରାଜଧାନୀରେ ଉପସ୍ଥିତି ପୂର୍ବରୁ ମୃତ ବ୍ରାହ୍ମଣପୁତ୍ର ସଂଜୀବିତ ହୋଇଥିଲା । ବ୍ରାହ୍ମଣ ପୁନର୍ବାର ପୁତ୍ର ଲାଭ କରି ପ୍ରୀତିପୂର୍ଣ୍ଣ ଅନ୍ତଃକରଣରେ କୃତାନ୍ତଦଣ୍ଡଦାତା ରାମଚନ୍ଦ୍ରଙ୍କୁ ନାନାବିଧ ସ୍ତୁତି କରିବାଦ୍ୱାରା ପୂର୍ବକୃତ ନିନ୍ଦାର ପ୍ରତ୍ୟାହାର କଲେ ।

 

ଅନନ୍ତର ମହାରାଜ ରାମଚନ୍ଦ୍ର ଅଶ୍ୱମେଧଯଜ୍ଞର ଅନୁଷ୍ଠାନ କରି ଯଜ୍ଞୀୟ ଅଶ୍ୱକୁ ଯଥେଚ୍ଛ ଭ୍ରମଣ-ନିମିତ୍ତ ମୁକ୍ତ କରିଦେଲେ । ସୁଗ୍ରୀବ ବିଭୀଷଣପ୍ରମୁଖ ସାମନ୍ତ ନରପତିମାନେ ବିବିଧ ଉପଢ଼ୌକନସହ ଯଜ୍ଞ-ଦର୍ଶନାକାଙ୍ୱାରେ ଉପସ୍ଥିତ ହେଲେ । କେବଳ ଭୂଲୋକରୁ ନୁହେଁ, ଜ୍ୟୋତିର୍ମୟ ନକ୍ଷତ୍ରମଣ୍ଡଳରୁ ମଧ୍ୟ ଋଷିଗଣ ନିମନ୍ତ୍ରିତ ହୋଇ ଆଗମନ କରିବାକୁ ଲାଗିଲେ । ଚତୁର୍ଦ୍ୱାରମୁଖୀ ଅଯୋଧ୍ୟାପୁରୀ ବହୁଳଜନତାରେ ଲୋକସୃଷ୍ଟିକାରୀ ବ୍ରହ୍ମାଙ୍କ ତନୁ ପରି ଶୋଭା ପାଇଲା । ଧର୍ମପତ୍ନୀ ବିନା ଯଜ୍ଞାନୁଷ୍ଠାନ ହୁଏ ନାହିଁ ବୋଲି, ଅନନ୍ୟଜାନି ରାମଚନ୍ଦ୍ର ସୀତାଙ୍କର ହିରଣ୍ମୟୀ ମୂର୍ତ୍ତି ଯଜ୍ଞଶାଳାରେ ପ୍ରତିଷ୍ଠିତ କଲେ । ପ୍ରୟୋଜନାତିରିକ୍ତ ଦ୍ରବ୍ୟସମ୍ଭାରରେ ଯଜ୍ଞ-ଶାଳା ପୂର୍ଣ୍ଣ ଥିଲା; ଶାସ୍ତ୍ରୋକ୍ତ ବିଧାନାନୁସାରେ ଯଥାକାଳରେ ସେହି ମହାଯଜ୍ଞ ଆରମ୍ଭ ହେଲା । ଏ ସମ୍ପର୍କରେ ଅଧିକ ବର୍ଣ୍ଣନା ନିଷ୍ପ୍ରୟୋଜନ ତେବେ ଏତିକିମାତ୍ର କହିଲେ ଯଥେଷ୍ଟ ହେବ ଯେ ଯଜ୍ଞବିଘ୍ନକାରୀ ରାକ୍ଷସମାନେ ସ୍ୱୟଂ ଏ ଯଜ୍ଞରେ ରକ୍ଷକରୂପେ ନିଯୁକ୍ତ ହୋଇଥିଲେ ।

 

ଅନନ୍ତର ମହର୍ଷି ବାଲ୍ମୀକିଙ୍କ ନିର୍ଦ୍ଦେଶରେ ସୀତାସୁତ କୁଶ ଲବ ଯଜ୍ଞସ୍ଥାନରେ ଇତସ୍ତତଃ ରାମାୟଣ ଗାନ କରିବାକୁ ଲାଗିଲେ । ଏକେ ରାମଙ୍କର ସୁମଧୁର ପବିତ୍ର ଚରିତ, ଦ୍ୱିତୀୟରେ ଆଦିକବି ମହର୍ଷି ତାହାର ପ୍ରଣେତା, ତାହା ପୁଣି କିନ୍ନରକଣ୍ଠ କୁଶଲବଙ୍କ ଦ୍ୱାରା ଗୀତ ହେଉଅଛି, ଏପରି ଅବସ୍ଥାରେ ଶ୍ରୋତୃମଣ୍ଡଳୀ ଯେ ତାହା ଶୁଣି ଏକାନ୍ତ ବିମୋହିତ ହେବେ, ଏଥିରେ ଆଉ ସନ୍ଦେହ କଣ ? ସଙ୍ଗୀତରସାଭିଜ୍ଞ ବ୍ୟକ୍ତିମାନେ ସେମାନଙ୍କ ରୂପ ଓ ଗୀତର ମାଧୁର୍ଯ୍ୟ ବିଷୟ ବର୍ଣ୍ଣନ କରନ୍ତେ ମହାରାଜ ରାମଚନ୍ଦ୍ର କୌତୂହଳପରବଶ ହୋଇ ଗାୟକ ଦୁହିଙ୍କୁ ଅଣାଇ ଭ୍ରାତୃ ବୃନ୍ଦଙ୍କ ସହ ସେହି ଅପୂର୍ବ ଗୀତ ଶ୍ରବଣ କରି ଯୁଗପତ୍‌ ବିସ୍ମୟାନନ୍ଦ ସାଗରରେ ନିମଗ୍ନ ହେଲେ । ସଭାସଦ୍‌ଗଣ ଗୀତଶ୍ରବଣରେ ଶିଶିର ପ୍ରଭାତର ନିର୍ବାଣ ନିସ୍ପନ୍ଦ ବନସ୍ଥଳୀ ପରି ଅଶ୍ରୁବର୍ଷଣ କରିବାକୁ ଲାଗିଲେ । ଲୋକେ ରାମଙ୍କ ସଙ୍ଗେ ଗାୟକ ଦୁହିଙ୍କର ସୌସାଦୃଶ୍ୟ ନିର୍ନିମେଷନୟନରେ ନିରୀକ୍ଷଣ କରି ଏକାନ୍ତ ବିସ୍ମିତ ହୋଇଗଲେ । ବିଶେଷତଃ ଯେତେବେଳେ ବାଳକଦୁହେଁ ରାମପ୍ରଦତ୍ତ ପାରିତୋଷିକ ଗ୍ରହଣରେ ପରାଙ୍ମୁଖ ହେଲେ, ସେତେବେଳେ ଦର୍ଶକମାନଙ୍କର ବିସ୍ମୟ-ସିନ୍ଧୁ, ଏକାବେଳକେ ଉଦବେଳ ହୋଇ ପଡ଼ିଲା । ରାଜାଙ୍କ କର୍ତ୍ତୃକ ଜିଜ୍ଞାସିତ ହୋଇ ସେମାନେ ପ୍ରକାଶ କଲେ ଯେ, ମହର୍ଷି ବାଲ୍ମୀକି ଏହି ବିଚିତ୍ର ପଦ୍ୟସନ୍ଦର୍ଭ ରଚନା କରି ସ୍ୱୟଂ ଆଚାର୍ଯ୍ୟରୂପେ ତାହା ସେମାନଙ୍କୁ ଶିଖାଇଅଛନ୍ତି ।

 

ଅନନ୍ତର ରାମ ଅନୁଜମାନଙ୍କ ସହ ମହର୍ଷିଙ୍କ ସମୀପରେ ଉପସ୍ଥିତ ହୋଇ ସାଷ୍ଟାଙ୍ଗପ୍ରଣାମପୂର୍ବକ ତଦୀୟ ଚରଣତଳରେ ସମଗ୍ର ରାଜ୍ୟ ସମର୍ପଣ କଲେ । କରୁଣାମୟ ବାଲ୍ମୀକି ଗାୟକ ଦୁହିଙ୍କୁ ତାଙ୍କର ଆତ୍ମଜ ବୋଲି ପରିଚୟ ଦେଇ ସାଧ୍ୱୀ ସୀତାଙ୍କୁ ପୁନର୍ବାର ଗ୍ରହଣ କରିବାପାଇଁ ରାମଙ୍କୁ ଅନୁରୋଧ କଲେ । ରାମ କହିଲେ, ‘‘ତାତ, ଆପଣଙ୍କ ସ୍ନୁଷା ଲଙ୍କାରେ ଆମ୍ଭମାନଙ୍କ ସମକ୍ଷରେ ଅଗ୍ନିରେ ପ୍ରବେଶ କରି ଶୁଦ୍ଧହୃଦୟା ବୋଲି ପରିଚୟ ଦେଇଥିଲେହେଁ ସେହି ଦୁର୍ଦ୍ଦାନ୍ତ ରାକ୍ଷସର ଦୌରାତ୍ମ୍ୟ ସ୍ମରଣ କରି ଅତ୍ରତ୍ୟ ଲୋକେ ତହିଁରେ ବିଶ୍ୱାସ କଲେ ନାହିଁ । ସଂପ୍ରତି ବୈଦେହୀ ଏଠାରେ ସ୍ୱୀୟ ଚରିତ୍ର ସମ୍ବନ୍ଧରେ ସେମାନଙ୍କର ବିଶ୍ୱାସ ଉତ୍ତ୍ପାଦନ କରନ୍ତୁ ତାହାହେଲେ ଆପଣଙ୍କ ଆଦେଶ ଅନୁସାରେ ମୁଁ ପ୍ରଜାବତୀ ମୈଥିଳୀଙ୍କୁ ପୁନର୍ବାର ଗ୍ରହଣ କରିବି ।’’ ରାମ ଏହିପରି ଅଙ୍ଗୀକାର କଲାରୁ ବାଲ୍ମୀକି ଶିଷ୍ୟ ପ୍ରେରଣ କରି ଜାନକୀଙ୍କୁ ଆଶ୍ରମରୁ ଅଣାଇଲେ-। ଯଜ୍ଞ ଶେଷ ହେବା ପରେ ରାମଚନ୍ଦ୍ର ଦିନେ ଏହି ଉଦ୍ଦେଶ୍ୟରେ ପୁରବାସୀମାନଙ୍କୁ ଏକତ୍ର କରି ମହର୍ଷିଙ୍କ ନିକଟକୁ ସମ୍ବାଦ ପ୍ରେରଣ କଲେ । ଦେଶକାଳଜ୍ଞ ମହର୍ଷି ପୁତ୍ରବତୀ ସୀତାଙ୍କୁ ସଙ୍ଗରେ ଘେନି ସେଠାରେ ଉପସ୍ଥିତ ହେଲେ । କାଷାୟାଶ୍ୱର-ପରିହିତା ଅଧୋମୁଖୀ ମୂର୍ତ୍ତିମତୀ ପବିତ୍ରତାରୂପିଣୀ ଜନକ-କନ୍ୟାଙ୍କଠାରୁ ଉପହତଦୃଷ୍ଟି ପ୍ରତ୍ୟାହାରପୂର୍ବକ ଜନସଂଘ ଲଜ୍ଜାବନତ-ବଦନରେ ଅବସ୍ଥାନ କରିବାକୁ ଲାଗିଲେ । ଅନନ୍ତର ମହର୍ଷି ଆସନ ପରିଗ୍ରହ କରି ସୀତାଙ୍କୁ କହିଲେ, ‘‘ବତ୍ସେ, ସ୍ୱାମୀଙ୍କ ସମକ୍ଷରେ ସ୍ୱୀୟ ଚରିତ୍ର ଶୁଦ୍ଧି ପ୍ରଦର୍ଶନପୂର୍ବକ ଉପସ୍ଥିତ ଜନମଣ୍ଡଳୀକୁ ନିଃସଂଶୟ କର ।’’ ମୁନିଶିଷ୍ୟ ପ୍ରଦତ୍ତ ଜଳରେ ଆଚମନ କରି ସୀତା ଜନନୀ ପୃଥିବୀଙ୍କୁ ସମ୍ବୋଧନ କରି କହିଲେ, ‘‘ଦେବି, ବିଶ୍ୱମ୍ବରେ, ଯେବେ ମୁଁ କାୟମନୋବାକ୍ୟରେ କେବେହେଁ ପାତିବ୍ରତ୍ୟର ପ୍ରତିକୂଳାଚରଣ କରି ନ ଥାଏଁ, ତେବେ ତୁମ୍ଭେ ମୋତେ ସ୍ୱୀୟ ଗର୍ଭମଧ୍ୟରେ ଅବକାଶ ପ୍ରଦାନ କର-।’’ ସାଧ୍ୱୀ ଏହା କହି ନିବୃତ୍ତ ହୁଅନ୍ତେ ସହସା ଭୂପୃଷ୍ଠରେ ଗୋଟିଏ ରନ୍ଧ୍ର ପରିଦୃଷ୍ଟ ହେଲା ଏବଂ ତତ୍‍କ୍ଷଣାତ୍‌ ସେହି ରନ୍ଧ୍ରମଧ୍ୟରୁ ବିଦ୍ୟୁତ୍‌ ପ୍ରଭାବତ୍ ଦିବ୍ୟଜ୍ୟୋତି ସମୁଦ୍‌ଭୂତ ହେଲା । ଚାହୁଁ ଚାହୁଁ ସେହି ଜ୍ୟୋତିଃସ୍ରୋତ ମଧ୍ୟରେ ନାଗେନ୍ଦ୍ରଫଣୋଦ୍ଧୃତ ରତ୍ନସିଂହାସନୋପରି ଧରିଣୀଦେବୀ ଆବିର୍ଭୁତ ଦେଲେ । ସେ ପତିସମର୍ପିତନେତ୍ରା କନ୍ୟାଙ୍କ ସ୍ଥାପନ କରି ରାମ ନିଷେଧ କରୁ କରୁ ପାତାଳମଧ୍ୟରେ ପ୍ରବେଶ କଲେ । ମହାବୀର ରାମ ପୃଥ୍ୱୀଙ୍କର ଏପରି ବ୍ୟବହାରରେ କ୍ରୁଦ୍ଧ ହୋଇ ଧନୁର୍ଦ୍ଧାରଣ କରିବାକୁ ଉଦ୍ୟତ ହୁଅନ୍ତେ ‘ଦୈବୀ ଗତି ଅପ୍ରତିକାର୍ଯ୍ୟ’’ ଏହି ଉପଦେଶ ଦେଇ ଗୁରୁ ବଶିଷ୍ଠ ତାଙ୍କୁ ତହିଁରୁ ନିବୃତ୍ତ କଲେ ।

 

ଯଜ୍ଞାବସାନରେ ରାମ ଋଷିବୃନ୍ଦ ଏବଂ ସୁହୃଦ୍‌ବୃନ୍ଦଙ୍କ ଉପଯୁକ୍ତ ସମ୍ମାନପୁରଃସର ବିଦାୟ ଦେଇ ସୀତାଗତ ସ୍ନେହ ତଦୀୟ ତନୟଦ୍ୱୟଙ୍କ ଠାରେ ସମର୍ପଣ କଲେ ସେ ଭରତମାତୁଳ ଯୁଧାଜିତଙ୍କ ଅନୁରୋଧ ଅନୁସାରେ ଭରତଙ୍କୁ ବିପୁଳ ଐଶ୍ୱର୍ଯ୍ୟ ପ୍ରଦାନ କରି ସିନ୍ଧୁନାମକ ଦେଶର ରାଜପଦରେ ପ୍ରତିଷ୍ଠିତ କଲେ । ଭରତ ତତ୍ରତ୍ୟ ଅଧିବାସୀ ଗନ୍ଧର୍ବମାନଙ୍କୁ ଯୁଦ୍ଧରେ ପରାସ୍ତ କରି ଅସ୍ତ୍ରଶସ୍ତ୍ର ପରିବର୍ତ୍ତରେ ଆତୋଦ୍ୟ ଗ୍ରହଣ କରାଇଲେ । ସେ ତକ୍ଷ ପୁଷ୍ପଳ ନାମଧେୟ ସର୍ବଗୁଣାନ୍ୱିତ ପୁତ୍ର ଦୁହିଙ୍କୁ ଯଥାକ୍ରମେ ତକ୍ଷଶୀଳା ପୁଷ୍ପଳାବତୀ ନାମ୍ନୀ ନଗରୀର ଅଧୀଶ୍ୱର କରି ସ୍ୱୟଂ ରାମଙ୍କ ସମୀପକୁ ଫେରିଆସିଲେ । ଲକ୍ଷ୍ମଣ ମଧ୍ୟ ରାମଙ୍କ ଆଦେଶର ବଶବର୍ତ୍ତୀ ହୋଇ ସୁପୁତ୍ର ଅଙ୍ଗଦ ଓ ଚନ୍ଦ୍ରକେତୁଙ୍କୁ କାରାପଥନାମକ ଦେଶର ଆଧିପତ୍ୟ ପ୍ରଦାନ କଲେ । ଏହିପରି ସେମାନେ ପୁତ୍ରମାନଙ୍କ ଉପରେ ରାଜ୍ୟଭାର ସମର୍ପଣ କରି କ୍ରମଶଃ ପରଲୋକଗତ ଜନନୀମାନଙ୍କର ଶ୍ରାଦ୍ଧାଦି ସମାପନ ପୂର୍ବକ ରାଜକାର୍ଯ୍ୟରୁ ଅବସର ଗ୍ରହଣ କଲେ ।

 

ଅନନ୍ତର ଏକଦା କାଳ ଋଷିବେଶ ଧାରଣ କରି ରାମଙ୍କ ସମୀପରେ ଉପସ୍ଥିତ ହୋଇ କହିଲେ, ‘‘ଆପଣଙ୍କ ସଙ୍ଗେ ଆମ୍ଭେ ନିର୍ଜନରେ କୌଣସି ବିଷୟରେ ପରାମର୍ଶ କରିବାକୁ ଇଚ୍ଛା କରୁ; ଯେବେ ସେତେବେଳେ କୌଣସି ଲୋକ ସେଠାରେ ଉପସ୍ଥିତ ହେବାଦ୍ୱାରା ଆମ୍ଭର ରହସ୍ୟଭେଦ ହୁଏ; ତେବେ ଆପଣ ତାଙ୍କୁ ଚିରଦିନପାଇଁ ପରିତ୍ୟାଗ କରିବେ । ଏହା ଆମ୍ଭ ନିକଟରେ ଅଙ୍ଗୀକାର କରନ୍ତୁ ।’’ ରାମ ତାହା ସ୍ୱୀକାର କରନ୍ତେ ସେମାନେ ନିର୍ଜନ ସ୍ଥାନକୁ ଗମନ କଲେ । କାଳ ଛଦ୍ମବେଶ ପରିହାର ପୂର୍ବକ ସ୍ୱମୂର୍ତ୍ତି ଧାରଣ କରି ରାମଙ୍କୁ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସ୍ୱର୍ଗମନ କରିବା ପାଇଁ ଅନୁରୋଧ କରୁଅଛନ୍ତି, ଏହି ସମୟରେ ରାମଦର୍ଶନାକାଙ୍କ୍ଷୀ ମହର୍ଷି ଦୁର୍ବାସାଙ୍କ ଅଭିଶାପଭୟରେ ଦ୍ୱାରସ୍ଥ ଲକ୍ଷ୍ମଣ ତାହା ଅବଗତ ଥାଇ ମଧ୍ୟ ସେହି ମନ୍ତ୍ରଣାଗୃହରେ ଉପସ୍ଥିତ ହେଲେ ଏବଂ ରାମଙ୍କ ନିକଟରେ ଦୁର୍ବାସାଙ୍କ ଆଗମନ ସଂବାଦ ନିବେଦନ କଲେ । ଏହି ରହସ୍ୟଭେଦ କରିଥିବା ହେତୁରୁ ଲକ୍ଷ୍ମଣ ସରଯୂତୀରରେ ଯୋଗମାର୍ଗରେ ତନୁତ୍ୟାଗ କରି ଅଗ୍ରଜଙ୍କର ଅଙ୍ଗୀକାର ପାଳନ କଲେ ।

 

ପ୍ରିୟତମ ଅନୁଜଙ୍କର ଶରୀରତ୍ୟାଗରେ ରାମ ସଂସାର ପ୍ରତି ଏକାନ୍ତ ବୀତସ୍ପୃହ ହୋଇ ପଡ଼ିଲେ । ସେ ଅରିବିମର୍ଦ୍ଦନ କୁଶଙ୍କୁ କୁଶାବତୀ ନଗରୀରେ ଏବଂ ସର୍ବଶାସ୍ତ୍ରପାରଦର୍ଶୀ ଲବଙ୍କୁ ଶରାବତୀ ନଗରୀରେ ରାଜ ପଦରେ ଅଭିଷିକ୍ତ କରି ଭ୍ରାତୃଦ୍ୱୟଙ୍କ ସଙ୍ଗେ ଉତ୍ତରାଭିମୁଖରେ ପ୍ରୟାଣ କଲେ । ତଦୀୟ ପ୍ରିୟ ପ୍ରଜାପୁଞ୍ଜ ଏବଂ କାମଚାରୀ କପିରାକ୍ଷସମାନେ ମଧ୍ୟ ତାଙ୍କର ଅନୁଯାତ୍ରୀ ହେଲେ । କ୍ରମେ ସେମାନେ ପୁଣ୍ୟ ସରଯୂପୁଳିନରେ ଅବତୀର୍ଣ୍ଣ ହୁଅନ୍ତେ ପରମପୁରୁଷ ରାମଙ୍କର ଆରୋହଣ ନିମିତ୍ତ ଦିବ୍ୟରଥ ସେଠାରେ ଉପସ୍ଥିତ ହେଲା । ଭକ୍ତାନୁକମ୍ପୀ ଦାଶରଥି ସରଯୂଜଳରେ ନିମଜ୍ଜନକୁ ଅନୁଯାୟୀମାନଙ୍କର ସ୍ୱର୍ଗଗମନନିଃଶ୍ରେଣୀରୂପେ ନିରୂପିତ କରନ୍ତେ ସେମାନେ ଗୋପ୍ରତର ନାମକ ସ୍ଥାନରେ ନିମଗ୍ନ ହେଲେ । ସେହିଦିନଠାରୁ ଗୋପ୍ରତର ପୃଥିବୀରେ ପବିତ୍ର ତୀର୍ଥ-। ଭଗବାନ୍ ଏହିପରି ଦଶାନନ ଶିରଶ୍ଚେଦନରୂପ ଦେବକାର୍ଯ୍ୟ ସମାଧାନ କରି ପରିଶେଷରେ ସ୍ୱକୀୟ ବିଶ୍ୱବ୍ୟାପୀ ଶରୀରରେ ପୁନର୍ବାର ପ୍ରବେଶ କଲେ ।

Image

 

କୁମୁଦ୍‍ବତୀ ପରିଣୟ

 

ସୁପ୍ରସିଦ୍ଧ ରଘୁବଂଶ ଏହିପରି ଅଷ୍ଟଧା ବିଭକ୍ତ ହୋଇ ସୁବିସ୍ତୃତ ହୋଇ ଉଠିଲା । ସୁଭ୍ରାତା ଲବ ଓ ପିତୃବ୍ୟ ପୁତ୍ରମାନେ ସେମାନଙ୍କ ବଂଶାନୁସାରୀ ସୌଭ୍ରାତ୍ରର ବଶବର୍ତ୍ତୀ ହୋଇ ବୟୋଜ୍ୟେଷ୍ଠ ଓ ଗୁଣଜ୍ୟେଷ୍ଠ କୁଶଙ୍କୁ ସର୍ବୋକୃଷ୍ଟ ରତ୍ନ-ରାଳି ପ୍ରଦାନ କରି ପରସ୍ପର ନିର୍ବିବାଦରେ ସ୍ୱ ସ୍ୱ ରାଜ୍ୟ ଶାସନ କରିବାକୁ ଲାଗିଲେ । ପ୍ରତ୍ୟେକ ରାଜ୍ୟମଧ୍ୟରେ କୃଷି ବାଣିଜ୍ୟାଦିର ଶ୍ରୀବୃଦ୍ଧି ସାଧନରେ ଅଭିନିବିଷ୍ଟ ରହି ପ୍ରକୃତିରଞ୍ଜନ କରିବାଦ୍ୱାରା ଅକ୍ଷୟ ଯଶର ଅଧିକାରୀ ହେଲେ ।

 

ଏକଦା କୁଶ ଅର୍ଦ୍ଧ ରାତ୍ର ସମୟରେ ସ୍ୱୀୟ ଶୟନାଗାରରେ ଜାଗରିତ ଅଛନ୍ତି, ପରିଜନବର୍ଗ ସମସ୍ତେ ସୁପ୍ତ, ପ୍ରଦୀପ ସ୍ତିମିତଭାବରେ ପ୍ରଜ୍ୱଳିତ ହେଉଅଛି, ଏହି ସମୟରେ ସେ ଦେଖିଲେ, ପ୍ରୋଷିତଭର୍ତ୍ତୃକାବେଶଧାରିଣୀ ଜଣେ ଅଦୃଷ୍ଟାପୂର୍ବା ଯୁବତୀ ଜୟଶବ୍ଦୋଚାରଣପୂର୍ବକ ବଦ୍ଧାଞ୍ଜଳିପୁଟରେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । କୁଶ ଶରୀରର ପୂର୍ବାର୍ଦ୍ଧ ଭାଗ ଶଯ୍ୟାରୁ ଉତ୍ତୋଳନପୂର୍ବକ ଦର୍ପଣତଳଗତ ଛାୟା ପରି ଅର୍ଗଳବଦ୍ଧ ଗୃହ ମଧ୍ୟରେ ପ୍ରବିଷ୍ଟା ସେହି କାମିନୀଙ୍କୁ ଏକାନ୍ତ ବିସ୍ମିତ ହୋଇ ପଚାରିଲେ ‘‘ତୁମ୍ଭେ ଏହି ଅର୍ଗଳବଦ୍ଧ ଗୃହମଧ୍ୟରେ ପ୍ରବେଶ କଲ କିପରି ? ତୁମ୍ଭର ତ କୌଣସି ଯୋଗ-ପ୍ରଭାବ ଲକ୍ଷିତ ହେଉ ନାହିଁ; ଶିଶିରସମ୍ପାତଶୀର୍ଣ୍ଣ ମୃଣାଳିନୀ ପରି ତୁମ୍ଭେ ଏପରି ବିଷଣ୍ଣ ଭାବ ବା କାହିଁକି ଧାରଣ କରିଅଛ ? ତୁମ୍ଭେ କିଏ ? କାହାର ବା ସହଧର୍ମିଣୀ ? ଏପରି ଗଭୀର ରାତିରେ ଆମ୍ଭ ସମୀପକୁ ଆସିବାର ବା ହେତୁ କଣ ? ରଘୁବଂଶୀୟମାନେ ଜିତେନ୍ଦ୍ରିୟ ଓ ପରଦାରପରାଙ୍ମୁଖ, ଏହା ମନେ ରଖି ନିର୍ଭୀକଚିତ୍ତରେ ପୂର୍ବୋକ୍ତ ପ୍ରଶ୍ନମାନଙ୍କର ଉତ୍ତର ପ୍ରଦାନ କର ।’’

 

ଏହା ଶୁଣି ସେହି ଅନବଦ୍ୟାଙ୍ଗୀ ଉତ୍ତର କଲେ, ‘‘ମହାରାଜ ! ଆପଣଙ୍କ ପିତା ଯେଉଁ ପୁରୀକୁ ତ୍ୟାଗ କରି ସ୍ୱପଦକୁ ପ୍ରସ୍ଥାନ କରିଅଛନ୍ତି, ମୁଁ ସେହି ଅନାଥା ଅଯୋଧ୍ୟା ପୁରୀର ଅଧିଷ୍ଠାତ୍ରୀ ଦେବତା, ପୂର୍ବେ ରାଜନ୍ୱତୀ ଅବସ୍ଥାରେ ମୁଁ ବିଭୂତିବଳରେ ଐଶ୍ୱର୍ଯ୍ୟଶାଳିନୀ ଶତ୍ରୁନଗରୀ ଅଳକାକୁ ମଧ୍ୟ ଉପହାସ କରୁଥିଲି, କିନ୍ତୁ ଦୁଃଖର ବିଷୟ ଯେ ତୁମ୍ଭ ପରି ସର୍ବଶକ୍ତି ସମ୍ପନ୍ନ ନୃପତି ବିଦ୍ୟମାନ ଥାଉଁ ଥାଉଁ ମୁଁ ସଂପ୍ରତି ଏପରି ଦୀନାବସ୍ଥା ପ୍ରାପ୍ତ ହୋଇଅଛି । ସୂର୍ଯ୍ୟଙ୍କର ଅସ୍ତଗମନ ପରେ ପ୍ରଚଣ୍ଡ ବାତ୍ୟାପ୍ରବାହରେ ମେଘବୃନ୍ଦ ଆକାଶରେ ଛିନ୍ନ ଭିନ୍ନ ହୋଇଗଲେ ସନ୍ଧ୍ୟାକାଳ ଯେପରି ଅବସ୍ଥା ଧାରଣ କରେ, ସୌଧାବଳୀ ଜୀର୍ଣ୍ଣ ଶୀର୍ଣ୍ଣ ଓ ପ୍ରାକାରମାନ ଭୂମିସାତ୍ ହେବାରୁ ମୋର ସେହିପରି ଦୂରବସ୍ଥା ଘଟିଅଛି । ଯେଉଁ ରାଜପଥ ଆଗେ ରଜନୀରେ ଅଭିସାରିକାମାନଙ୍କର ଚରଣନୂପୁରକଳଧ୍ୱନିରେ ମୁଖର ହେଉଥିଲା, ଆଜି ତାହା ଅମିଷାନ୍ୱେଷିଣୀ ଉଲାମୁଖୀ ଶିବାଗଣର ବିକଟ ନାଦରେ ପରିପୂର୍ଣ୍ଣ । ବାରି ବିହାର ରସିକା ନାଗରୀମାନଙ୍କ ସୁକୁମାର କରତାଡ଼ନାରେ ଯେଉଁ ଦୀର୍ଘିକାମାନଙ୍କର ପରସ୍ପରସଂହତ ସଲିଳକଲ୍ଲୋଳ ମୃଦଙ୍ଗଗମ୍ଭୀରଧ୍ୱନି ଉତ୍ପାଦନ କରୁଥିଲା, ହାୟ ଆଜି ବନ୍ୟମହିଷ ଶୃଙ୍ଗରେ ଆହତ ହୋଇ ସେଥିରୁ କର୍କଶ ରୁଷମ୍ବର ନିସୃତ ହେଉଅଛି । ଆଶ୍ରୟ-ଯଷ୍ଟି ଭଗ୍ନ ହେବାରୁ ବର୍ତ୍ତମାନ ଅଯୋଧ୍ୟାର କ୍ରୀଡ଼ା-ମୟୂରମାନେ ବୃକ୍ଷଶାଖା ଆଶ୍ରୟ କରି ବନ୍ୟ ହୋଇ ଗଲେଣି ଏବଂ ଦାବା ନଳଦ୍ୱାରା ସେମାନଙ୍କର ବର୍ହିଭାଗ ଦଗ୍ଧ ହେବାରୁ ସେମାନେ ଆଉ ରାଜବର୍ହୀ ପରି ପ୍ରତୀୟମାନ ହେଉ ନାହାନ୍ତି । ଅନ୍ତପୁରଚାରିଣୀ ରମଣୀଗଣ ଯେଉଁ ସୋପାନ ପରମ୍ପରାକୁ ଲକ୍ଷାରାଗକଳ୍ପିତ ଚରଣଚିହ୍ନରେ ମଣ୍ଡିତ କରୁଥିଲେ, ଆଜି ତାହା ଭୀଷଣ ଶାର୍ଦ୍ଦୃଳମାନଙ୍କର ସଦ୍ୟୋହତମୃଗରୁଧରାକ୍ତପଦ ଚିତ୍ତରେ ରଞ୍ଜିତ ହେଉଅଛି । ବର୍ଣ୍ଣବିନ୍ୟାସ ଧୂସରତା ପ୍ରାପ୍ତ ହେବାରୁ ଚାରୁଚିତ୍ରଶାଳାମାନ ହତଶ୍ରୀକ ହୋଇ ପଡ଼ିଲାଣି; ସ୍ତମ୍ଭଖୋଦିତ ଦାରୁମୟୀ ଯୋଷିତ୍‌ପ୍ରତିକୃତି ଉପରେ ସର୍ପ-ନିର୍ମୋକ ଉତ୍ତରୀୟ ପରି ଶୋଭା ପାଉଅଛି । ସୁଧା-ଧବଳ-ପ୍ରାସାଦାବଳି କାଳକ୍ରମେ ମଳିନତା ପ୍ରାପ୍ତ ହୋଇ ଗଲାଣି ଏବଂ ତୃଣାଙ୍କରମାନ ତଦୁପରି ଇତସ୍ତତଃ ଉତ୍ପନ୍ନ ହେଲାଣି । ସୁତରାଂ ମୁକ୍ତାଫଳ ସ୍ୱଚ୍ଛ ଚନ୍ଦ୍ରକିରଣ ଏବେ ଆଉ ପୂର୍ବବତ୍‌ ସେଥିରେ ପ୍ରତିଫଳିତ ହେଉ ନାହିଁ । ଉଦ୍ୟାନଲତାମାନଙ୍କ କଥା ଅବା କଣ କହିବି ? ବିଳାସିନୀମାନେ ଅତି ସଦୟ ଭାବରେ ଯେଉଁମାନଙ୍କ ଶାଖା ଅବନତ କରି ପୁଷ୍ପ ଚୟନ କରୁଥିଲେ, ସମ୍ପ୍ରତି ବନ୍ୟପୁଳିନ୍ଦ ଓ ମର୍କଟଗଣଙ୍କଦ୍ୱାରା ତାହା ନିତ୍ୟ ଛିନ୍ନ ଭିନ୍ନ ହେଉଅଛି । ଅହୋ ! କି ପରିତାପର ବିଷୟ, ଯେଉଁସବୁ ଗବାକ୍ଷ ପଥରେ ପୂର୍ବେ ରାତ୍ରିରେ ପ୍ରଦୀପପ୍ରଭା ବହିର୍ଗତ ହେଉଥିଲା ଏବଂ ଯେ ସବୁ ସେ ଦିବସରେ ହେମତାମରସମୟ ରମଣୀମୁଖକଳାପରେ ରମଣୀୟ ଶୋଭା ଧାରଣା କରୁଥିଲା, ଏବେ ଆଉ ସେ ପଥରେ ପବିତ୍ର ଅଗୁରୁ ଧୂମରେଖା ବହିର୍ଗତ ହେଉ ନାହିଁ, ପରନ୍ତୁ କୃମିତନ୍ତୁଜାଲ ସେଗୁଡ଼ିକର ଆସ୍ତରଣ ହୋଇଅଛି । ଆହା, ସରଯୂର ଦୂରବସ୍ଥା କଥା ସ୍ମରଣ କଲେ ମନରେ ଘୋର ଦୁଃଖ ଜାତ ହୁଏ, ତାହାର ପୁଳିନପ୍ରଦେଶ ଏବେ ଆଉ ବଳିପୁଷ୍ପରେ ଆକୀର୍ଣ୍ଣ ହେଉ ନାହିଁ କି ବା ତାହାର ଉପାନ୍ତବର୍ତ୍ତୀ ବାନୀରକୁ ମାନଙ୍କରେ କେହି ପଦାର୍ପଣ କରୁନାହିଁ । ଅତଏବ ହେ ମତିମନ୍‌ ଆପଣଙ୍କ ପିତା ଯେପରି ମାନୁଷୀତନୁ ପରିହାର କରି ସ୍ୱକୀୟ ପରମାତ୍ମ ମୂର୍ତ୍ତିରେ ପ୍ରବେଶ କରିଅଛନ୍ତି, ଆପଣ ସେହିପରି ଏହି କୁଶାବତୀ ପରିତ୍ୟାଗ କରି କୁଳରାଜଧାନୀ ଅଯୋଧ୍ୟାକୁ ଗମନ କରନ୍ତୁ ।’’ ରଘୁପ୍ରବୀର କୁଶ ହୃଷ୍ଟଚିତ୍ତରେ ‘‘ତଥାସ୍ତୁ’’ କହି ତାହାଙ୍କର ପ୍ରାର୍ଥନା ଗ୍ରହଣ କରନ୍ତେ ସେହି ପୁରାଧିଦେବତା ତତ୍‌କ୍ଷଣାତ୍ ପ୍ରସନ୍ନବଦନରେ ଅନ୍ତର୍ହିତ ହୋଇଗଲେ ।

 

ପରଦିନ ପ୍ରଭାତରେ ମହାରାଜ କୁଶ ପୂର୍ବରାତ୍ରିର ତାବତୀୟ ବୃତ୍ତାନ୍ତ ପାରିଷଦ ବ୍ରାହ୍ମଣମାନଙ୍କ ନିକଟରେ ବର୍ଣ୍ଣନା କଲେ । ସାକ୍ଷାତ୍ କୁଳରାଜଧାନୀ ପତିତ୍ୱରେ ବରଣ କରିଅଛନ୍ତି ଶୁଣି ପାରିଷଦବୃନ୍ଦ ପରମୃପରିତୋଷ ସହକାରେ ଆଶୀର୍ବାଦପୂର୍ବକ ତାହାଙ୍କୁ ଅଭିନନ୍ଦନ କଲେ । ଅନନ୍ତର ମହାପତି ରାଜଧାନୀ କୁଶାବତୀକୁ ଶୋତ୍ରିୟସାତ୍‌କରି ସୈନ୍ୟପରିବୃତ ହୋଇ ଅନ୍ତଃପୁରସ୍ଥ ପରିଜନସମଭିବ୍ୟାହାରରେ ଅଯୋଧ୍ୟାଭିମୁଖରେ ପ୍ରସ୍ଥାନ କଲେ ।

 

ପ୍ରସ୍ଥାନକାଳରେ କେତୁମାଳା ଉପବନ ପରି, ରାଜସମୂହ କ୍ରୀଡ଼ା ପର୍ବତ ପରି ଏବଂ ରଥାବଳି ଗୃହ ପରି ପ୍ରତୀୟମାନ ହେବାରୁ ବୋଧ ହେଲା, ସତେ ଯେପରି ସ୍ୱୟଂ ରାଜଧାନୀ ତାହାଙ୍କର ଅନୁଗମନ କରୁଅଛି । କ୍ରମେ ତାହାଙ୍କର ଚତୁରଙ୍ଗ ସେନା ରେବାପ୍ରପାତମୁଖର ବିନ୍ଧ୍ୟାଦ୍ରିକାନ୍ତାର ଅତିକ୍ରମ କରି ଗଙ୍ଗାତୀରରେ ଉପସ୍ଥିତ ହେଲା ଏବଂ ଗଜମୟ ସେତୁରେ ପ୍ରତାପଗାମିନୀ ଗଙ୍ଗା ଉତ୍ତୀର୍ଣ୍ଣ ହୋଇ କେତେକ ଦିବସ ପରେ ଯୂପମାଳିନୀ ସରଯୂର ପୁଣ୍ୟ ତୀର ପ୍ରାପ୍ତ ହେଲା । କୁଶ ସେଠାରେ ତରଙ୍ଗ ଶୀକରଶୀତଳ ସମୀରଣ ସେବନ କରି ଅଧ୍ୱଶ୍ରମ ଅପନୟନପୂର୍ବକ ଶିବିର ସନ୍ନିବେଶ କଲେ । ତଦୀୟ ଆଦେଶରେ ଶତ ଶତ ଶିଳ୍ପୀ ଅଳ୍ପକାଳ ମଧ୍ୟରେ ଅଯୋଧ୍ୟା-ପୁରୀକୁ ନବୀକୃତ କରି ଦେଲେ । ନଗର ସଂସ୍କାରାନନ୍ତର ବିଧାନବିତ୍‌ବ୍ରାହ୍ମଣମାନଙ୍କ ଦ୍ୱାରା ନଗରାଧିଦେବୀଙ୍କର ପୂଜା ସମ୍ପାଦନ କରି ସେ ଶୁଭମୁହୂର୍ତ୍ତରେ ନଗରମଧ୍ୟରେ ପ୍ରବେଶ କଲେ । କିୟଦ୍ଦିବସ ମଧ୍ୟରେ ବିପଣାବୀଥିକାପରିପୂରିତ ଅଯୋଧ୍ୟାପୁରୀ ସର୍ବସୌଭାଗ୍ୟସମ୍ପନ୍ନ ଅମରାବତୀ ପରି ହୋଇ ଉଠିଲା । ମହୀପତି କୁଶ ତ୍ରିଦଶାଧୀଶ୍ୱରଙ୍କ ପରି ତହିଁରେ ଏକାଧିପତ୍ୟ କରିବାକୁ ଲାଗିଲେ ।

 

ଅନନ୍ତର ଋତୁପର୍ଯ୍ୟାୟରେ ଗ୍ରୀଷ୍ମକାଳ ପୃଥିବୀରେ ଆବିର୍ଭୁତ ହେଲା । ଦିନକର ଦକ୍ଷିଣାୟନ ତ୍ୟାଗ କରନ୍ତେ ଉତ୍ତରଦିଗ ହିମନିସ୍ୟନ୍ଦ ଛଳରେ ଆନନ୍ଦାଶ୍ରୁ ବିସର୍ଜନ କଲା । ଦିବାତାପ କ୍ରମଶଃ ବୃଦ୍ଧି ଏବଂ ରାତ୍ରି କ୍ଷପ୍ତ ପ୍ରାପ୍ତହେଲା । ଗୃହଦୀର୍ଘିକାମାନଙ୍କର ଜଳ ଦିନୁ ଦିନ ନିମ୍ନୁ ନିମ୍ନତର ଶୈବାଳଶୋଭୀ ସୋପନକୁ ଆଶ୍ରୟ କଲା; ଶୁଷ୍କ ମୃଣାଳଦଣ୍ଡମାନ କ୍ରମେ ଉଦ୍ଦଣ୍ଡ ହୋଇ ଉଠିଲା । ବନ ମଧ୍ୟରେ ସାୟନ୍ତନ ବନ ମଲ୍ଲିକା ବିକଶିତ ହୁଅନ୍ତେ ସୌରଭଲୋଭୀ ଅଳିକୂଳ ପ୍ରତ୍ୟେକ ପୁଷ୍ପରେ ପଦନିକ୍ଷେପ ପୂର୍ବକ ଯେପରି ଗୁଣୁ ଗୁଣୁ ଶବ୍ଦରେ ସେ ସବୁ ଗଣନା କରିବାକୁ ଲାଗିଲେ । ନବପ୍ରସ୍ଫୁଟିତ ଶିରୀଷ ପୁଷ୍ପ ବରନାମୀମାନଙ୍କର କର୍ଣ୍ଣଭୂଷଣରୂପେ ଶୋଭା ପାଇଲା । ଧନିକଗଣ ଧାରାଗୃହମଧ୍ୟବର୍ତ୍ତୀ ମଳୟଜରସକ୍ଷାଳିତ ମଣିମୟ ଶିଳା ତଳରେ ଶୟନ କରି ଗୀଷ୍ମସନ୍ତାପ ଅପନୋଦନ କଲେ । ପରାଗ ପୂର୍ଣ୍ଣ ଅର୍ଜୁନପୁଷ୍ପ, ମନୋଜ୍ଞଗନ୍ଧ ଚୂତପଲ୍ଲବ, ନବବିକଶିତ ପାଟଳା କୁସୁମ ଏବଂ ଚନ୍ଦ୍ରିକାଧୌତି ଯାମିନୀ ନିଦାଘ ଋତୁର ବିଭବରୂପେ ସର୍ବତ୍ର ସମାଦୂତ ହେଲା ।

 

ଏହି ସମୟରେ ଦିନେ ରାଜାଧିରାଜ କୁଶ ଗ୍ରୀଷ୍ମସୁଖ ଅନୁଭବ କରିବା ଉଦ୍ଦେଶ୍ୟରେ ଉଦ୍ମଦରାଜହ ସସମାକୀର୍ଣ୍ଣ ସରଯୂ ପ୍ରବାଦରେ ବନିତାବୃନ୍ଦ ସହ ଜଳବିହାର କରିବାକୁ ଇଚ୍ଛା କଲେ-। ଏଥିପାଇଁ ତୀର ପ୍ରଦେଶରେ ସୁରମ୍ୟ ଶିବିରମାନ ସନ୍ନିବେଶିତ ହେଲା । ଜାଲିକମାନେ ଜଳ ମଧ୍ୟରୁ କୁମ୍ଭୀରାଦି ହିଂସ୍ର ଜନ୍ତୁ ଅପସାରିତ କଲେ । ତତ୍ପରେ ସେ ନିଜ ବିଭବ ଏବଂ ପ୍ରତାପର ଅନୁରୂପ ଜଳବିହାରରେ ପ୍ରବୃତ୍ତ ହେଲେ । ଯେତେବେଳେ କାମିନୀଗଣ ତୀରସ୍ଥ ସୋପାନଶ୍ରେଣୀରେ ଜଳରେ ଅବତରଣ କଲେ, ସେତେବେଳେ ସେମାନଙ୍କର ଚରଣନୂପୁରର ଝଣତ୍କାରରେ ଜଳଚାରୀ ରାଜହଂସକୁଳ ଏକାନ୍ତ ଉଦ୍‌ବିଗ୍ନ ହୋଇ ପଡ଼ିଲେ । ରାଜା ଅବରୋଧବର୍ଗଙ୍କର ଜଳକ୍ରୀଡ଼ାଦର୍ଶନକୁତୂହଳା ହୋଇ ସ୍ୱୟଂ ନୌକାରୋହଣ କଲେ । ସେମାନେ ପରସ୍ପର ଉପରେ ଜଳ ନିକ୍ଷେପପୂର୍ବକ ଜଳବିହାର ଆରମ୍ଭ କଲାରୁ ନୃପତି ପାର୍ଶ୍ୱଗତା ଚାମରଗ୍ରାହିଣୀକୁ କହିଲେ, ‘‘କିରାତି ! ଦେଖ ଦେଖ, ସରଯୂ ପ୍ରବାହ ମଦୀୟ ଅବରୋଧବର୍ଗଙ୍କ ଗାତ୍ରସ୍ଖଳିତ ଅଙ୍ଗରାଗ ସଂସ୍ପର୍ଶରେ ସାୟନ୍ତନ ମେଘମାଳା ପରି ବିବିଧ ବର୍ଣ୍ଣରେ କିପରି ଅନୁରଞ୍ଜିତ ହୋଇଅଛି । ସେମାନଙ୍କ ଚକ୍ଷୁରୁ କଜ୍ଜ୍ୱଳରେଖା ଜଳକ୍ଷୋଭରେ ଲୁପ୍ତ ହୋଇଅଛି ସତ୍ୟ, ମାତ୍ର ତତ୍‌ପରିବର୍ତ୍ତରେ ମଦରାଗ ନୟନର ଅନିର୍ବଚନୀୟ ଶୋଭା ସମ୍ପାଦନ କରୁଅଛି । ବାରିବିହାରିଣୀଙ୍କର କର୍ଣ୍ଣଚ୍ୟୁତ ଶିରୀଷ-କୁସୁମାବତଂସ ତରଙ୍ଗବେଗରେ ସଞ୍ଚାଳିତ ହୋଇ ଶୈବାଳପ୍ରିୟ ମୀନାବଳିଙ୍କୁ ପ୍ରତାରିତ କରୁଅଛି । ମୁକ୍ତାଫଳାନୁକାରୀ ଜଳକଣାମାନ ସେମାନଙ୍କ ବକ୍ଷୋଦେଶରେ ବିଶୀର୍ଣ୍ଣ ହେଉଥିବାରୁ ଛିଦ୍ରର ମୁକ୍ତାହାରରୁ ସ୍ଖଳିତ ମୁକ୍ତାବଳି ପରିଲକ୍ଷିତ ହେଉ ନାହିଁ । ଆହା ! ଏମାନଙ୍କର ସୁଲଳିତ ଗୀତାନୁଗାମୀ ମୃଦଙ୍ଗବାଦ୍ୟଧ୍ୱନି ଶ୍ରବଣରେ ତୀରସ୍ଥଳୀବିହାରୀ ମୟୂରକୁଳ ଉତ୍‌ପୁଚ୍ଛ ହୋଇ କି ସୁମଧୁର କେକାରବ କରୁଅଛନ୍ତି ! ଦେଖ ଦେଖ, ଏହି ଅବଳାମାନଙ୍କର ଳଳାର୍ଦ୍ର ବସ୍ତ୍ର ନିତମ୍ବଦେଶରେ ସଂଶ୍ଳିଷ୍ଟ ହେବାରୁ ଜଳପୂର୍ଣ୍ଣ-ରନ୍ଧ୍ର ରସନା-କଳାପ ଆଉ ଧ୍ୱନିତ ହେଉ ନାହିଁ । କେଶପାଶ ଆଲୁଳାୟିତ, ପତ୍ର-ରଚନା ବିଧୌତ ଏବଂ ମୁକ୍ତାହାର ବିଶ୍ଳିଷ୍ଟ ହେଲେହେଁ ତରୁଣୀମାନଙ୍କର ବାରିବିହାରଲୋକ ଆନନଶ୍ରା ମନୋଜ୍ଞତର ଦିଶୁଅଛି ।’’ ଏହା କହି ସେ ନୌ-ବିମାନରୁ ଅବତରଣ କରି କରେଣୁପରିବେଷ୍ଟିତ କରିଗଜତୁଲ୍ୟ ସେହି ପ୍ରମଦାମାନଙ୍କ ସହ ଜଳକ୍ରୀଡ଼ା ଆରମ୍ଭ କଲେ, ସ୍ୱଭାବସୁନ୍ଦର ମୁକ୍ତା ଜ୍ୟୋତିଷ୍ମାନ୍ ଇନ୍ଦ୍ରନୀଳମଣି ସଂସର୍ଗରେ ଯେପରି କମନୀୟ ହୋଇ ଉଠେ, ସେହି ରମଣୀୟକାନ୍ତି ରମଣୀଗଣ କୁମାରକଳ୍ପ ନରପତିଙ୍କ ସହଯୋଗରେ ସେହିପରି ଶୋଭମାନ ହେଲେ । ପ୍ରଣୟିନୀ-ବୃନ୍ଦ କାଞ୍ଚନଶୃଙ୍ଗକୋଷମୁକ୍ତ ବର୍ଣ୍ଣୋଦକରେ ରାଜାଙ୍କୁ ଅଭିଷିକ୍ତ କଲାବେଳେ ବୋଧ ହେଲା, ସତେ ଯେପରି ସ୍ୱର୍ଣ୍ଣଦୀରେ କ୍ରୀଡ଼ାରତ ଅପ୍ସରାମାନେ ଦେବରାଜାଙ୍କୁ ହରିଚନ୍ଦନ ମିଶ୍ର ଉଦକରେ ସେଚନ କରୁଅଛନ୍ତି ।

 

ଏହିପରି ବହୁକ୍ଷଣ ଜଳକ୍ରୀଡ଼ା କରି କୁଶ ତୀରବର୍ତ୍ତୀ ଉପକାର୍ଯ୍ୟାରେ ଉପସ୍ଥିତ ହୋଇ ଦେଖିଲେ ଯେ, ଅଗସ୍ତ୍ୟପ୍ରଦତ୍ତ ଯେଉଁ ଦିବ୍ୟମଣିଟି ତତ୍‌ପିତା ଦାଶରଥି ଅଭିଷେକବେଳେ ତାଙ୍କୁ ଅର୍ପଣ କରିଥିଲେ, ସନ୍ତରଣ କରୁ କରୁ ଅଜ୍ଞାତସାରରେ ସେହି ଜୈତ୍ରମଣିଯୁକ୍ତ ବଳୟଟି ତାଙ୍କ ବାହୁରୁ ସ୍ଖଳିତ ହୋଇ ଜଳ ମଧ୍ୟରେ ନିମଗ୍ନ ହୋଇଅଛି । ସେ ତତ୍‌କ୍ଷଣାତ୍ ଜାଲିକମାନଙ୍କୁ ପିତୃଦତ୍ତ ସେହି ଜୈତ୍ରିମଣିର ଅନ୍ୱେଷଣରେ ନିଯୁକ୍ତ କଲେ । ମାତ୍ର ବହୁବାର ସରଯୂଜଳକୁ ଆଲୋଡ଼ନ କରି ସୁଦ୍ଧା ସେମାନେ କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ଅନନ୍ତର ଜାଲିକକୁଳ ବଦ୍ଧାଞ୍ଜଳିପୁଟରେ ରାଜାଙ୍କ ଛାମୁରେ ନିବେଦନ କଲେ । ‘ଦେବ, ଆମ୍ଭମାନଙ୍କ ଚେଷ୍ଟା ବିଫଳ ହେଲା । ସମ୍ଭବତଃ ଏହି ହ୍ରଦଅଭ୍ୟନ୍ତରବାସୀ ନାଗରାଜ କୁମୁଦ ଲୋଭବଶବର୍ତ୍ତୀ ହୋଇ ସେହି ବଳୟଟିକୁ ଅପହରଣ କରିଅଛନ୍ତି ।’ ଏହି ଅପହରଣ ସମ୍ବାଦ ଶୁଣି ତାଙ୍କର ଚକ୍ଷୁ ରକ୍ତବର୍ଣ୍ଣ ହୋଇଗଲା; ସେ ଅବିଳମ୍ବେ ଧନୁକୁ ଆତତଜ୍ୟ କରି ଭୁଜଙ୍ଗନାଶ ନିମିତ୍ତ ତହିଁରେ ଗରୁଡ଼ାସ୍ତ ସନ୍ଧାନ କଲେ । ଶରସନ୍ଧାନ ମାତ୍ରକେ ହ୍ରଦଜଳ ବିକ୍ଷୁବ୍ଧ ହୋଇ ଉଠିଲା ଏବଂ ଅବପାତପତିତ ବନ୍ୟଗଜର ବିକଟ ବୃଂହିତ ପରି ସହସା ଗୋଟାଏ ଭୟଙ୍କର ଶବ୍ଦ ତହିଁରୁ ଉତ୍ଥିତ ହେଲା । ଯେପରି ମଥ୍ୟମାନ ସମୁଦ୍ର ମଧ୍ୟରୁ ଲକ୍ଷ୍ମୀଙ୍କ ସହିତ ପାରିଜାତରୁ ଉଦ୍ଗତ ହୋଇଥିଲେ, ସେହିପରି କ୍ଷୁବ୍ଧ ହ୍ରଦ ମଧ୍ୟରୁ ନାଗରାଜ ଗୋଟିଏ ପରମ ରୂପବତୀ କନ୍ୟାଙ୍କ ସହ ଉତ୍ଥିତ ହେଲେ । କୁଶ ଭୂଷଣପ୍ରତ୍ୟପଣାର୍ଥ । ନାଗରାଜଙ୍କୁ ସମ୍ମୁଖରେ ଉପସ୍ଥିତ ଦେଖି କ୍ରୋଧାବେଗ ସଂବରଣପୂର୍ବକ ଶର ପ୍ରତିସଂହାର କଲେ । ଅନନ୍ତର କୁମୁଦ ବିନୟାବନତ ମସ୍ତକରେ ନିବେଦନ କଲେ, ‘‘ମହାରାଜ, ମୁଁ ଜାଣେ, ଆପଣ ମାନବଦେହଧାରୀ ରାମରୂପୀ ନାରାୟଣଙ୍କର ଆତ୍ମଜ । ଏପରି ଅବସ୍ଥାରେ ମୁଁ ମୋର ଅରାଧନୀୟ ଦେବତାଙ୍କର କୋପାଦ୍ଦୀପନ କରିବାକୁ ସାହସୀ ହୋଇ ପାରେ କି ? ମୋର ଏହି ଭଗିନୀ ଯୌବନ-ସୁଲଭ ଚପଳତାର ବଶବର୍ତ୍ତିନା ହୋଇ କନ୍ଦୁକକ୍ରୀଡ଼ାରେ ଆସକ୍ତ ଥିଲାବେଳେ ଅନ୍ତରୀକ୍ଷରୁ ନିପତିତ ନକ୍ଷତ୍ର ପରି ହ୍ରଦରୁ ପତିତ ଏହି ମମୁଜ୍ଜ୍ୱଳ ଜୈତ୍ରିମଣିଟି କୌତୂହଳବଶତଃ ଗ୍ରହଣ କରିଥିଲା-। ସଂପ୍ରତି ଏହା ଭବଦୀୟ ଆଜାନୁଲମ୍ବିତ ବରଭୁଜରେ ସଂଶ୍ଳିଷ୍ଟ ହୋଇ ପୂର୍ବବତ୍ ତାହାର ଶୋଭା ସମ୍ପାଦନ କରୁ ଏବଂ ମହାରାଜ ମୋର ଏହି ଯବୀୟସୀ ସ୍ୱସା କୁମୁଦ୍‌ବତୀକୁ ତାହାର ଅପରାଧ କ୍ଷାଳନ ନିମିତ୍ତ ଚିରକାଳ ସେବାରେ ନିଯୁକ୍ତ ରହିବାକୁ ଅନୁମତି ପ୍ରଦାନ କରନ୍ତୁ ।’’

 

କୁମୁଦ ଏହିପରି ନିବେଦନ କରି ନିବୃତ୍ତ ହୁଅନ୍ତେ ରାଜା ଜୈତ୍ରମଣି ଗ୍ରହଣପୂର୍ବକ ତାହାଙ୍କୁ କହିଲେ, ‘କୁମୁଦ, ତୁମ୍ଭେ ଆଜିଠାରୁ ଆମ୍ଭର ପରମ ମିତ୍ର ହେଲ, ସୁତରାଂ ତୁମ୍ଭର ଅନୁରୋଧ ଆମ୍ଭେ ଉପେକ୍ଷା କରି ପାରୁ ନାହୁଁ ।’ ତତ୍ତ୍ୱରେ କୁମୁଦ ବନ୍ଧୁ ବାନ୍ଧବଙ୍କ ସଙ୍ଗେ ମିଳିତ ହୋଇ ଭଗିନୀକୁ ଯଥାବିଧି ରାଜାଙ୍କ ହସ୍ତରେ ସମର୍ପଣ କଲେ । ସେ ପ୍ରଜ୍ଜ୍ୱଳିତ ହୁତାଶନ ସମକ୍ଷରେ ଧର୍ମପତ୍ନୀରୂପେ କୁମୁଦ୍‌ବତୀଙ୍କୁ ଗ୍ରହଣ କରନ୍ତେ ଦେବତାମାନେ ସ୍ୱର୍ଗରେ ଦୁନ୍ଦୁଭି ଧ୍ୱନି କରି ପୁଷ୍ପ ବୃଷ୍ଟି କଲେ । ନାଗରାଜ ଏହିପରି ତ୍ରିଭୁବନଗୁରୁ ରାମଚନ୍ଦ୍ରଙ୍କ ଔରସ ମୈଥିଳେୟ କୁଶଙ୍କୁ ଏବଂ କୁଶ ତକ୍ଷକଙ୍କର ପଞ୍ଚମ ପୁତ୍ର କୁମୁଦଙ୍କୁ ବନ୍ଧୁ ରୂପେ ଲାଭ କରି ନିରତିଶୟ ସନ୍ତୁଷ୍ଟ ହେଲେ । ଏହି ଶ୍ଳାଘ୍ୟ ସମ୍ବନ୍ଧଦ୍ୱାରା କୁମୁଦ ପିତୃଶତ୍ରୁ କୁମୁଦ ଗରୁଡ଼ ଭୟରୁ ରକ୍ଷା ପାଇଲେ ଏବଂ କୁଶଙ୍କ ରାଜ୍ୟରୁ ସର୍ପଭୟ ନିବାରିତ ହେଲା ।

Image

 

କାଳିଦାସ ସନ୍ଦର୍ଭ

ଅତିଥି

 

କୁମୁଦ୍‌ବତୀଙ୍କ ଗର୍ଭରୁ କୁଶ ଅତିଥିନାମକ ପୁତ୍ର ଲାଭ କରିଥିଲେ । ସେହି ଅନୁପମଦ୍ୟୁତି କୁମାରଙ୍କର ଜନ୍ମଦ୍ୱାରା ପିତୃକୁଳ ଓ ମାତୃକୁଳ ଉଭୟ ପବିତ୍ର ହେଲା । ଅର୍ଥବିଦ୍‍ ରାଜା କୁଶ ଯଥାକାଳରେ ପୁତ୍ରଙ୍କୁ ଆନ୍ୱୀକ୍ଷିକୀ ପ୍ରଭୃତି କୁଳବିଦ୍ୟା ଗ୍ରହଣ କରାଇ ପରେ ସତ୍‌କୁଳୋଦଭବା ରାଜକନ୍ୟାମାନଙ୍କର ପାଣିଗ୍ରହଣ କରାଇଲେ । ସେହି ସର୍ବଗୁଣାକର ଜିତେନ୍ଦ୍ରିୟ ପୁତ୍ର-ରତ୍ନ ଲାଭରେ କୁଶ ଆପଣାକୁ ପରମସହାୟବାନ୍ ଓ କୃତାର୍ଥ ମନେ କରୁଥିଲେ । ଏକଦା ମହାରାଜ କୁଶ ଇନ୍ଦ୍ରଙ୍କୁ କୁଳୋଚିତ ସାହାଯ୍ୟ ପ୍ରଦାନ କରିବାକୁ ଯାଇ ସ୍ୱର୍ଗରେ ଦୁର୍ଜୟ ନାମକ ଦୈତ୍ୟକୁ ବିନାଶ କଲେ ଏବଂ ତତ୍‌କର୍ତ୍ତୃକ ସ୍ୱୟଂ ମଧ୍ୟ ବିନାଶିତ ହେଲେ । କୌମୁଦୀ ଯେପରି କୁମୁଦାନନ୍ଦ ଶଶାଙ୍କଙ୍କର ଅନୁଗମନ କରେ, ନାଗରାଜ-ସ୍ୱସା କୁମୁଦ୍‌ବତୀ ପତିଶୋକରେ ଅଧୀରା ହୋଇ ସେହିପରି ସ୍ୱାମୀଙ୍କର ଅନୁଗାମିନୀ ହେଲେ । ମୃତ୍ୟୁ ପରେ କୁଶ ଦେବରାଜଙ୍କର ଆସନାର୍ଦ୍ଧ ଭାଗୀ ସହଚର ଏବଂ କୁମୁଦ୍‌ବତୀ ସଚୀଙ୍କର ପାରିଜାତାଂଶଭାଗିନୀ ସହଚରୀ ହୋଇଥିଲେ ।

 

ଅନନ୍ତର ପ୍ରାଚୀନ ମନ୍ତ୍ରୀମାନେ ସଂଗ୍ରାମଯାୟୀ ରାଜାଙ୍କ ପଶ୍ଚିମ ନିର୍ଦ୍ଦେଶ ସ୍ମରଣ କରି ତତ୍‌ପୁତ୍ର ଅତିଥିଙ୍କୁ ରାଜ୍ୟରେ ଅଭିଷିକ୍ତ କରିବା ପାଇଁ ଶିଳ୍ପନିପୁଣ ଶିଳ୍ପୀମାନଙ୍କ ଦ୍ୱାରା ଚତୁଃସ୍ତମ୍ଭପ୍ରତିଷ୍ଠିତ ଗୋଟିଏ ନବୀନ ଅଭିଷେକମଣ୍ଡପ ନିର୍ମାଣ କରାଇଲେ । ସହି ମଣ୍ଡପସ୍ଥ ଭଦ୍ରପୀଠୋପରି ସମାସୀନ ଅତିଥିଙ୍କର ଅଭିଷେକକ୍ରିୟା ହେମକୁମ୍ଭସ୍ଥ ତୀର୍ଥବାରିଦ୍ୱାରା ସମ୍ପାଦନ କରାଇବାପାଇଁ ପ୍ରଜାପୁଞ୍ଜ ସମବେତ ହେଲେ । ଭାବି-କଲ୍ୟାଣ ଶଂସୀ ସ୍ନିଗ୍ଧ ଗମ୍ଭୀର ଦୁନ୍ଦୁଭିନିଃସ୍ୱରରେ ଚତୁର୍ଦ୍ଦିଗ ପୂର୍ଣ୍ଣ ହେଲା । ଜ୍ଞାତିବୃଦ୍ଧମାନେ ନବୀନ ରାଜାଙ୍କୁ ଦୁର୍ବା, ଯବାଙ୍କୁର, ପ୍ଳକ୍ଷତ୍ୱକ୍‌ଏବଂ ବଳପଲ୍ଲବ ପ୍ରଭୃତି ନୀରାଜନା ବସ୍ତୁ ସମର୍ପଣ କଲେ । ପ୍ରଥମେ ପୁରୋହିତ ପ୍ରମୁଖ ଦ୍ୱିଜଗଣ ଜୟସାଧନ ଅଥର୍ବବେଦୋକ୍ତ ମନ୍ତ୍ରଦ୍ୱାରା ଅଭିଷେକର ଉପକ୍ରମ କଲେ । ତତ୍ତ୍ୱରେ ମନ୍ତ୍ରପୂତ ସଲିଳଧାରା ତଦୀୟ ମସ୍ତକରେ ହିମାଦ୍ରି-ନିଃସୃତ ଶୁଭ୍ରଗଙ୍ଗାପ୍ରବାହ ପରି ଶୋଭା ପାଇଲା-। ଅଭିଷେକାନନ୍ତର ବୃଷ୍ଟିଧାରାବିଧୌତ ବୈଦୁତାଗ୍ନି ପରି ତାହାଙ୍କର ତେଜଃପୁଞ୍ଜ ଅଧିକତର ସମୁଜ୍ଜ୍ୱଳ ହୋଇ ଉଠିଲା । ବନ୍ଦିଗଣ ସୁମଧୁର କଣ୍ଠରେ ସ୍ତବ ପାଠ କରିବାକୁ ଲାଗିଲେ । ସ୍ନାତକ ବ୍ରାହ୍ମଣମାନେ ଆଶାତିରିକ୍ତ ଧନଲାଭରେ ସନ୍ତୁଷ୍ଟ ହୋଇ ଶୁଭାଶିଷପ୍ରୟୋଗଦ୍ୱାରା ତାଙ୍କୁ ଅଭିନନ୍ଦନ କଲେ । ଅତିଥି ସିଂହାସନରୂଢ଼ ହୋଇ କାରାରୁଦ୍ଧମାନଙ୍କୁ ମୁକ୍ତି ପ୍ରଦାନ କଲେ ଏବଂ ପ୍ରାଣଦଣ୍ଡାର୍ହମାନଙ୍କୁ ଅବ୍ୟାହତି ଦେଲେ । ତାଙ୍କର ସୌରାଜ୍ୟରେ ଭାର ବହନ ଗୋଦୋହନାଦି ଜୀବଗଣର କ୍ଳେଶପ୍ରଦ କାର୍ଯ୍ୟମାନ ନିଷିଦ୍ଧ ହେଲା । ତାଙ୍କ ଆଦେଶରେ ପିଞ୍ଜରବଦ୍ଧ କ୍ରୀଡ଼ାପତତ୍ରିକୁଳ ମୁକ୍ତି ଲାଭ କରି ଯଥେଷ୍ଟ ଦୂରକୁ ଚାଲିଗଲେ ।

 

ଅନନ୍ତର ରାଜା ନେପଥ୍ୟ ଗ୍ରହଣ ନିମିତ୍ତ କକ୍ଷାନ୍ତରରେ ଉତ୍ତରଚ୍ଛଦଯୁକ୍ତ ନିର୍ମଳ ଗଜଦନ୍ତାସନୋପରି ଉପବିଷ୍ଟ ହେଲେ । ପ୍ରସାଧକ ବୃନ୍ଦ ହସ୍ତକ୍ଷାଳନପୂର୍ବକ ଧୂପସଂସର୍ଗରେ ତଦୀୟ କେଶପାଶ ଶୋଷିତ କରି ବିବିଧ ଅଳଂକରଣସାଧନଦ୍ୱାରା ତାହାଙ୍କୁ ଅଳଂକୃତ କଲେ । ମୌଳିକ ମଧ୍ୟରେ ସୁବାସିତ ପୁଷ୍ପମାଲ୍ୟ ସନ୍ନିବେଶିତ କରି ମୌକ୍ତିକଶରରେ ବନ୍ଧନପୂର୍ବକ ସେମାନେ ତହିଁରେ ପ୍ରଦୀପ୍ତ ପଦ୍ମରାଗମଣି ଖଚିତ କଲେ ଏବଂ ମୃଗନାଭିଗନ୍ଧ ଚନ୍ଦନଦ୍ୱାରା ଅଙ୍ଗରାଗ ସମାପନ କରି ପରେ ଗୋରୋଚନାଦ୍ୱାରା ପତ୍ରରଚନା ସମ୍ପାଦନ କଲେ । ରାଜା ଏହିପରି ଅଳଙ୍କୃତ ହୋଇ ଗଲାରେ ମାଲ୍ୟ ଧାରଣ କରି ହଂସଚିହ୍ନିତ ମନୋରମ ଦୁକୁଳ ଯୁଗଳ ପରିଧାନପୂର୍ବକ ରାଜ୍ୟଲକ୍ଷ୍ମୀରୂପ ବଧୂଙ୍କର ନବପରିଣେତା ପରି ମନୋଜ୍ଞ-ଦର୍ଶନ ହୋଇ ଉଠିଲେ । ସୂର୍ଯ୍ୟୋଦୟରେ ମେରୁପର୍ବତ ମଧ୍ୟରେ କଳ୍ପତରୁର ପ୍ରତିବିମ୍ବ ନିପତିତ ଦେଲା ପରି ଅଭିନବନେପଥ୍ୟଧାରୀ ରାଜାଙ୍କର ପ୍ରତିବିମ୍ବ ହିରଣ୍ମୟ ଦର୍ପଣରେ ଶୋଭମାନ ହେଲା, ଅନନ୍ତର ସେ ଛତ୍ରଚାମରପରିଶୋଭିତ ହୋଇ ରାଜସଭାକୁ ସମାଗମନ କଲେ । ପାର୍ଶ୍ୱଚରମାନେ ଚତୁର୍ଦ୍ଦିଗରେ ଜୟଶବ୍ଦ ଉଚ୍ଚାରଣ କରିବାକୁ ଲାଗିଲେ । ରାଜା ଚନ୍ଦ୍ରାତପଶୋଭିତ ପୈତୃକ ସିଂହାସନରେ ଉପବେଶନ କଲାରୁ ପ୍ରଣତି-ପରାୟଣ ନରପତିମାନ ମଣିମୟମୁକୁଟମଣ୍ଡିତ ମସ୍ତକରେ ତଦୀୟ ଚରଣତଳେ ନମସ୍କାର କଲେ । ଅନୁଜୀବିଗଣ ପ୍ରସନ୍ନବଦନ ସ୍ମିତପୂର୍ବାଭିଭାଷୀ ସେହି ନରପତିଙ୍କୁ ମୂର୍ତ୍ତିମାନ୍ ବିଶ୍ୱାସ ପରି ମନେ କରିବାକୁ ଲାଗିଲେ ।

 

ଅତଃପର ମହାରାଜ ଅତିଥି ଯେତେବେଳେ ଗଜରାଜପୃଷ୍ଠରେ ଆରୋହଣ କରି ଅଯୋଧ୍ୟାପୁରୀ ପରିଭ୍ରମଣ ନିମିତ୍ତ ବହିର୍ଗତ ହେଲେ, ସେତେବେଳେ ବୋଧ ହେଲା, ସତେ ଯେପରି ଦେବରାଜ ଐରାବତ ପୃଷ୍ଠରେ ସମାସୀନ ହୋଇ ଅମରାବତୀରେ ପରିଭ୍ରମଣ କରୁଅଛନ୍ତି-। ଧୂମନିର୍ଗମ ପରେ ଅଗ୍ନିଶିଖା ଉଦ୍ଗତ ହୁଏ, ଆଗେ ସୂର୍ଯ୍ୟୋଦୟ ହେଲେ ପରେ ରଶ୍ମିରେଖା ପ୍ରକାଶିତ ହୁଏ; ମାତ୍ର ଅତିଥି ତେଜସ୍ୱୀମାନଙ୍କର ଏହି ସାଧାରଣ ଧର୍ମ ବ୍ୟତିରେକରେ ଏକାବେଳେ ସମଗ୍ର ଗୁଣଦ୍ୱାରା ଅଭ୍ୟୁଦୟଶାଳୀ ହୋଇ ଉଠିଲେ । ଯେପରି ଶରତ୍‌କାଳୀନ ରାତ୍ରି ପ୍ରସନ୍ନ ତାରକାବଳିରୂପ ନେତ୍ରରେ ଧ୍ରୁବ ନକ୍ଷତ୍ରକୁ ଦର୍ଶନ କରେ, ସେହିପରି ପୁରସୁନ୍ଦରୀମାନେ ପ୍ରୀତିପ୍ରସନ୍ନନେତ୍ରରେ ତାହାଙ୍କୁ ଦର୍ଶନ କରି ଆପଣାକୁ କୃତକୃତ୍ୟ ମନେ କଲେ ।

 

ଅଭିଷେକାର୍ଦ୍ର ବେଦି ଶୁଷ୍କ ନ ହେଉଣୁ ତାହାଙ୍କର ଦୁଃସହ ପ୍ରତାପ ଦିଗନ୍ତବ୍ୟାପୀ ହୋଇ ଉଠିଲା । ଯେଉଁଠାରେ ମହାରାଜ ଅତିଥି ସ୍ୱୟଂ ଅଦ୍ୱିତୀୟ ଧନୁର୍ଦ୍ଧର ଏବଂ କୁଳଗୁରୁ ବଶିଷ୍ଠ ମନ୍ତ୍ରଦାତା, ସେଠାରେ ବା ଅସାଧ୍ୟ କଣ ? ସେ ସ୍ୱୟଂ ପ୍ରତ୍ୟହ ଧର୍ମାଧିକଚରଣରେ ଉପବେଶନ କରି ଅତନ୍ଦ୍ରିତଭାବରେ ଅର୍ଥୀ ପ୍ରତ୍ୟର୍ଥୀମାନଙ୍କର ବ୍ୟବହାର ଦର୍ଶନ କରୁଥିଲେ । ସେ ଯାହା କହୁଥିଲେ, କଦାପି ତାହା ମିଥ୍ୟା ହେଉ ନ ଥିଲା ଏବଂ ସେ ଯାହା ଦେଉଥିଲେ, ତାହା କେବେହେଁ ପ୍ରତିଗ୍ରହ କରୁ ନ ଥିଲେ । କେବଳ ଅରାତିମାନଙ୍କୁ ଉତ୍‌ଖାତ କରି ପଶ୍ଚାତ୍ ପ୍ରତିରୋପଣ କରିବା ଦ୍ୱାରା ତାଙ୍କର ଏହି ଦୃଢ଼ ନିୟମର ବ୍ୟତ୍ୟୟ ଦେଖା ଯାଉଥିଲା । ରୂପ, ଯୌବନ ଏବଂ ସମ୍ପତ୍ତି ପ୍ରତ୍ୟେକ ଗୋଟିଏ ଗୋଟିଏ ବିଶିଷ୍ଟ ମଦ-କାରଣ, କିନ୍ତୁ ସେ ସମଗ୍ର କାରଣ ବିଦ୍ୟମାନ ଥିଲେହେଁ ତାଙ୍କର ମନ କିଞ୍ଚିନ୍ମାତ୍ର ବିକୃତ ହେଉ ନଥିଲା । ଏହିପରି ଅନୁଦିନ ପ୍ରକୃତିରଞ୍ଜନ କରିବାଦ୍ୱାରା ସେହି ନବୀନ ଭୂପତି ଦୃଢ଼ମୂଳ ବୃକ୍ଷ ପରି ଅକ୍ଷୋଭ୍ୟ ହେଲେ । ଦୂରସ୍ଥ ଅନିତ୍ୟ ବହିଃଶତ୍ରୁମାନଙ୍କୁ ଦମନ କରିବା ପୂର୍ବରୁ ସେ ନିତ୍ୟ ଦୁର୍ଜୟ କାମକ୍ରୋଧାଦି ଅନ୍ତଃଶତ୍ରୁମାନଙ୍କୁ ଦମନ କରିଥିଲେ । ସ୍ୱଭାବଚପଳା ଗଜଲକ୍ଷ୍ମୀ ନିକଷୋପଳସ୍ଥ ହେମରେଖା ପରି ସେହି ମହାନୁଭବ ନରପତିଙ୍କ ନିକଟରେ ଅଚଳା ହୋଇ ରହିଥିଲେ । ଶୌର୍ଯ୍ୟବର୍ଜିତ ରାଜନୀତି କାତରତା ମାତ୍ର ଏବଂ ନୀତିବିହୀନ ଶୌର୍ଯ୍ୟ ଶ୍ୱାପଦ-ଚେଷ୍ଟା ପରି ହିଂସ୍ର ବୃତ୍ତ ମାତ୍ର, ଏହା ବିବେଚନା କରି ଅତିଥି ନୀତିଗର୍ଭ ଶୌର୍ଯ୍ୟାବଲମ୍ବନ ପୂର୍ବକ ରାଜକାର୍ଯ୍ୟ ପରିଚାଳନ କରୁଥିଲେ । ବିଶ୍ୱସ୍ତ ପ୍ରଣିଧିବର୍ଗ ଯଥା କାଳରେ ରାଜ୍ୟର ତାବତୀୟ ଘଟନା ତାଙ୍କର ଶ୍ରୁତିଗୋଚର କରୁଥିଲେ । ମନ୍ୱାଦି ପୂର୍ବାଚାର୍ଯ୍ୟମାନେ ଦିବାରାତ୍ରିର ବିଭିନ୍ନ ବିଭାଗରେ ରାଜାଙ୍କର ଯେଉଁ କର୍ତ୍ତବ୍ୟବିଭାଗ ନିରୂପଣ କରିଅଛନ୍ତି, ସେ ଅସନ୍ଦିଗ୍ଧଚିତ୍ତରେ ତାହା ସମ୍ପାଦନ କରୁଥିଲେ । ମନ୍ତ୍ରୀମାନଙ୍କ ସଙ୍ଗେ ପ୍ରତ୍ୟହ ସେ ଯେଉଁ ମନ୍ତ୍ରଣା କରୁଥିଲେ, ତାହା ତାଙ୍କର ଆକାର ବା ଇଙ୍ଗିତରେ କୁତ୍ରାପି ପ୍ରକାଶିତ ହେଉ ନ ଥିଲା । ସେ କଦାପି ଶତ୍ରୁମାନଙ୍କକର୍ତ୍ତୃକ ଆକ୍ରାନ୍ତ ହେଉ ନ ଥିଲେ, ବରଂ ସମୟ ସମୟରେ ସେମାନଙ୍କୁ ଆକ୍ରମଣ କରୁଥିଲେ । ରାଜା ଏହିପରି ଅକୁତୋଭୟ ହେଲେହେ ତାହାଙ୍କର ଦୁର୍ଗାବଳି ସର୍ବଦା ଦୁର୍ଗ୍ରହ ହୋଇ ରହିଥିଲା । ଗଜାସନ୍ଦୀ ସିଂହ ଭୟ ହେତୁରୁ ଗିରିଗୁହାରେ ଶୟନ କରି ରହିଥାଏ କି ? ତାହାଙ୍କର କଲ୍ୟାଣପ୍ରଦ ପ୍ରାରବ୍ଧ କାର୍ଯ୍ୟମାନ ଗର୍ଭସ୍ଥ ଶାଳୀ-ଶସ୍ୟ ପରି ଗୂଢ଼ଭାବରେ ପରିଣତ ହୋଇ ଉଠୁଥିଲା । ସମୁଦ୍ର ସ୍ପୀତ ହେଲେ ମର୍ଯ୍ୟାଦା ଲଙ୍ଘନ ନ କରି ଯେପରି ନଦୀମୁଖରେ ଉଦ୍ଧାବିତ ହୁଏ, ସେହିପରି ମହାରାଜ ଅତିଥି ଉନ୍ନତିଶୀଳ ହେଲେହେଁ କଦାପି ବିପଥଗାମୀ ହେଉ ନ ଥିଲେ । ସେ ପ୍ରଜାପୁଞ୍ଜର ବିରାଗ ଉପଶମ କରିବାରେ ସମ୍ପୂର୍ଣ୍ଣରୂପେ ସଦ୍ୟ କ୍ଷମ ଥିଲେ ମାତ୍ର ଯହିଁରେ ପ୍ରକୃତିପୁଞ୍ଜର ବିରାଗ ଜାତ ହେବ, ସେପରି କାର୍ଯ୍ୟ କଦାପି କରୁ ନ ଥିଲେ । ସର୍ବଶକ୍ତି-ସମ୍ପନ୍ନ ହେଲେହେଁ ସେ ଯାହାକୁ ପରାସ୍ତ କରି ପାରିବେ, କେବଳ ସେହିଠାରେ ଶକ୍ତି ପ୍ରୟୋଗ କରିବା ତାଙ୍କର ନୀତି ଥିଲା କାରଣ ଦାବାନଳ ବାୟୁ ସହାୟ ଲାଭ କଲେହେଁ ଇନ୍ଧନ ବ୍ୟତିରେକେ କେବେହେଁ ଜଳକୁ ଦହନ କରେ ନାହିଁ । ଅତିଥି ତ୍ରିବର୍ଗରେ ସମପରିମାଣରେ ଅନୁରାଗୀ ଥିଲେ । ଅର୍ଥ କାମ ଅନୁରୋଧରେ ଧର୍ମ କିମ୍ବା ଧର୍ମ ଅର୍ଥ ଅନୁରୋଧରେ କାମ କେବେହେଁ ଉପେକ୍ଷିତ ହେଉ ନ ଥିଲା । ମିତ୍ର ହୀନାବସ୍ଥାପନ୍ନ ହେଲେ କୌଣସି ଉପକାର କରି ପାରେ ନାହିଁ ଏବଂ ମହର୍ଦ୍ଧି ସମ୍ପନ୍ନ ହେଲେ ସମୟରେ ବିରୁଦ୍ଧାଚରଣ କରିପାରେ, ଏହା ବିବେଚନା କରି ସେ ମଧ୍ୟମଶକ୍ତିଶାଳୀ ଲୋକଙ୍କ ସଙ୍ଗେହିଁ ମିତ୍ରତା ସଂସ୍ଥାପନ କରୁଥିଲେ । ଲୋକମାନଙ୍କର ଆଶ୍ରୟଣୀୟ ହେବାହିଁ ତାଙ୍କର ଅର୍ଥସଞ୍ଚୟର ହେତୁ ଥିଲା, କାରଣ ଚାତକ ଅମ୍ବୁଗର୍ଭ ଜୀମୂତକୁହିଁ ଅଭିନନ୍ଦନ କରିଥାଏ, ପିତା କୁଶଙ୍କକର୍ତ୍ତୃକ ଅଭିରକ୍ଷିତ ସମରନିପୁଣ ସୈନିକବର୍ଗଙ୍କୁ ସେ ସ୍ୱଶରୀରନିର୍ବିଶେଷରେ ସମାଦର କରୁଥିଲେ । ଶତ୍ରୁମାନେ ଫଣୀର ଶିରୋମଣି ପରି ତାଙ୍କର ଶକ୍ତିତ୍ରୟ ଅପହରଣ କରିବାରୁ ପରାଙ୍ମୁଖ ହେଉଥିଲେ, ମାତ୍ର ଅୟସାନ୍ତମଣି ଲୌହକୁ ଆକର୍ଷଣ କଲାପରି ସେ ଶତ୍ରୁମାନଙ୍କର ଶକ୍ତିତ୍ରୟକୁ ଅନାୟାସରେ ଆକର୍ଷଣ କରି ପାରୁଥିଲେ । ତାଙ୍କ ସୌରାଜ୍ୟରେ ସାର୍ଥବାହ ସମ୍ପ୍ରଦାୟ ନଦୀକୁ ଗୃହଦୀର୍ଘିକା, ବନକୁ ଉପବନ ଏବଂ ପର୍ବତକୁ ସ୍ୱଗୃହ ମଣି ଯଥେଚ୍ଛ ବିଚରଣ କରୁଥିଲେ । ସେ ତପସ୍ୱୀମାନଙ୍କୁ ବିଘ୍ନଭୟରୁ ରକ୍ଷା କରି ଅକ୍ଷୟ ରାଜକରରୂପେ ସେମାନଙ୍କ ତପସ୍ୟାର ଷଷ୍ଠାଂଶଫଳଭାଗୀ ହେଉଥିଲେ । ସ୍ୱୟଂ ବସୁନ୍ଧରା ମଧ୍ୟ ବେତନରୂପେ ସେହି ରକ୍ଷକଙ୍କୁ ଆକରମାନଙ୍କରୁ ରତ୍ନ, କ୍ଷେତ୍ରମାନଙ୍କରୁ ଶସ୍ୟ ଏବଂ ଅରଣ୍ୟମାନଙ୍କରୁ ହସ୍ତୀ ପ୍ରଦାନ କରୁଥିଲେ । ବୃଦ୍ଧି ପ୍ରାପ୍ତ ହେବା ପରେ ଚନ୍ଦ୍ର ଓ ସମୁଦ୍ରର କ୍ଷୟ ହୋଇଥାଏ, ମାତ୍ର ସର୍ବସୌଭାଗ୍ୟସମ୍ପନ୍ନ ସେହି ରାଜାଙ୍କର କେବେହେଁ କ୍ଷୟ ଦେଖାଯାଇ ନ ଥିଲା- । ଯେପରି ମେଘ ସମୁଦ୍ରଠାରୁ ଜଳ ଗ୍ରହଣ କରି ସଂସାରରେ ବଦାନ୍ୟରୂପେ ପରିଚିତ ହୁଏ, ସେହିପରି ଦୀନ ସଜ୍ଜନମାନେ ତାଙ୍କ ନିକଟରେ ଯାଚକରୂପେ ଉପସ୍ଥିତ ହୋଇ ପଶ୍ଚାତ୍‌ସ୍ୱୟଂ ଦାନକ୍ଷମ ହେଉଥିଲେ । ଚନ୍ଦ୍ରକିରଣ ପଦ୍ମ ମଧ୍ୟରେ କିମ୍ବା ସୂର୍ଯ୍ୟକିରଣ କୁମୁଦ ମଧ୍ୟରେ ପ୍ରବେଶ କରେ ନାହିଁ, କିନ୍ତୁ ସେହି ଗୁଣବାନ୍ ନରପତିଙ୍କର ଗୁଣାବଳୀ କି ଶତ୍ରୁ, କି ମିତ୍ର ସମସ୍ତଙ୍କ ହୃଦୟରେ ସ୍ଥାନ ଲାଭ କରୁଥିଲା । ମହାଯଶା ଅତିଥି ଆଚ୍ଛାଦିତ ମାର୍ତ୍ତଣ୍ଡ ପରି ଦର୍ଶନଦାନଦ୍ୱାରା ପାପକ୍ଷୟ କରି ଏବଂ ବସ୍ତୁତତ୍ତ୍ୱ ପ୍ରକାଶଦ୍ୱାରା ତମୋନାଶ କରି ପ୍ରଜାମାନଙ୍କୁ ଆତ୍ମନିର୍ଭର କରିଥିଲେ ସେ ଏହିପରି ଶାସ୍ତ୍ରନିର୍ଦ୍ଦିଷ୍ଟ ମାର୍ଗରେ ଅବସ୍ଥାନଦ୍ୱାରା ରାଜ୍ୟ ଶାସନ କରି ବହୁ ନୃପତି ଚକ୍ରବର୍ତ୍ତୀ ହୋଇଥିଲେ । ଏହି ସମସ୍ତ ଅଲୋକସାମାନ୍ୟ ଗୁଣ ଦର୍ଶନ କରି ଲୋକେ ତାଙ୍କୁ ଇନ୍ଦ୍ରାଦି ଲୋକପାଳଙ୍କ ମଧ୍ୟରେ ପଞ୍ଚମ, କ୍ଷିତ୍ୟାଦି ମହାଭୂତ ମଧ୍ୟରେ ଷଷ୍ଠ ଏବଂ ମହେନ୍ଦ୍ରାଦି କୁଳାଚଳ ମଧ୍ୟରେ ଅଷ୍ଟମ ବୋଲି ନିର୍ଦ୍ଦେଶ କରୁଥିଲେ । ଦେବତାମାନେ ଇନ୍ଦ୍ରଙ୍କ ଆଦେଶକୁ ଶିରୋଧାର୍ଯ୍ୟ କଲା ପରି ଅନ୍ୟାନ୍ୟ ରାଜା ତାଙ୍କ ଆଦେଶକୁ ନତମସ୍ତକରେ ଗ୍ରହଣ କରି ରାଜ୍ୟ ଶାସନରେ ପ୍ରବୃତ୍ତ ହେଉଥିଲେ । ତାଙ୍କ ରାଜ୍ୟରେ ଇନ୍ଦ୍ର ଯଥାକାଳରେ ବାରିବର୍ଷଣ, ଶମନ ରୋଗାବୃତ୍ତ ନିବାରଣ, ବରୁଣ ନୌପଥର ନିର୍ବିଘ୍ନ ରକ୍ଷା ଏବ କୁବେର ତଦୀୟ ଧନାଗାର ପରିପୂରଣ କରୁଥିଲେ; ଲୋକପାଳମାନେ ଏହିପରି କାର୍ଯ୍ୟ ନିର୍ବାହ କରି ନିତ୍ୟ ତାହାଙ୍କର ଶରଣାରତ ହୋଇ ରହିଥିଲେ ।

Image

 

ସୁଦର୍ଶନ

 

ନିଷିଧାଧିପତି ଅର୍ଥପତିଙ୍କ କନ୍ୟାଙ୍କ ଗର୍ଭରୁ ମହାରାଜ ଅତିଥିଙ୍କର ନିଷଧନାମଧେୟ ପୁତ୍ର ଜନ୍ମ ଗ୍ରହଣ କରିଥିଲେ । ସୁବୁଷ୍ଟିଦ୍ୱାରା ଶସ୍ୟ ପାକୋନ୍ମୁଖ ହେଲେ ଜୀବଲୋକ ଯେପରି ଆନନ୍ଦିତ ହୁଏ, ମହାରାଜ ସେହି ସର୍ବଗୁଣସମ୍ପନ୍ନ ପୁତ୍ରରତ୍ନ ଲାଭରେ ସେହିପରି ପରମ ପ୍ରୀତି ଅନୁଭବ କଲେ । ଅତିଥି ବହୁକାଳ ସାମ୍ରାଜ୍ୟଲକ୍ଷ୍ମୀ ସମ୍ଭୋଗ କରି ଶେଷରେ ପୁତ୍ର ନିଷଧଙ୍କ ହସ୍ତରେ ରାଜ୍ୟଭାର ସମର୍ପଣପୂର୍ବକ ସ୍ୱୀୟ ସୁବିମଳ କର୍ମଲବ୍ଧ ସୁରପୁରୀକୁ ପ୍ରୟାଣ କଲେ । କୁଶଙ୍କ ପୌତ୍ର ନରପତି ନିଷଧ ଅଦ୍ୱିତୀୟ ଧନୁର୍ଦ୍ଧର ଥିଲେ । ତାଙ୍କର ହୃଦୟ ସାଗର ପରି ଗମ୍ଭୀର ଏବଂ ଭୁଜ କମ୍ଭଟ ଅର୍ଗଳ ପରି ଦୀର୍ଘ ଥିଲା । ସେ ଏହି ସସାଗରା ଧରାର ଏକାଧିପତ୍ୟ ଲାଭ କରିଥିଲେ-। ତାଙ୍କ ପରେ ତତ୍‌ପୁତ୍ର ନଳ ସମ୍ରାଟ ହୋଇ ଅତିବିମର୍ଦନପୂର୍ବକ ସୁଲୋକରେ ମଧ୍ୟ ସ୍ୱକୀର୍ତ୍ତି ବିସ୍ତାର କରି ବିମାନଚାରିଙ୍କଦ୍ୱାରା ପ୍ରସ୍ତୁତ ହେଉଥିଲେ । ନଳଙ୍କଠାରୁ ନଭସ୍ତଳସଦୃଶ ଶ୍ୟାମଳ ନଭାନାମକ ପୁତ୍ର ଜନ୍ମ ଗ୍ରହଣ କଲେ । ପିତା ପଶ୍ଚିମ ଜୀବନରେ ସେହି ପ୍ରଜାପ୍ରିୟ ପୁତ୍ରକୁ ଉତ୍ତରକୋଶଳର ଆଧିପତ୍ୟ ପ୍ରଦାନ କରି ମୁକ୍ତି ଲାଭ କାମନାରେ ବନଗମନପୂର୍ବକ ସେଠାରେ ଜୀବନର ଶେଷଭାଗ ଅତିବାହିତ କଲେ । ନଭଙ୍କର ପୁତ୍ର ପୁଣ୍ଡରୀକ । ପିତାଙ୍କ ମୃତ୍ୟୁ ପରେ ପୁଣ୍ଡରୀକ ରାଜ୍ୟଶ୍ରୀ ଲାଭ କରି ଶତ୍ରୁମାନଙ୍କର ଏକାନ୍ତ ଦୁର୍ଦ୍ଧର୍ଷ ହୋଇ ପଡ଼ିଲେ । ସେ ସ୍ୱପୁତ୍ର କ୍ଷେମଧନ୍ୱାଙ୍କୁ ପ୍ରଜାକ୍ଷେମବିଧାନଦକ୍ଷ ଦେଖି ତଦୟ ହସ୍ତରେ ରାଜ୍ୟଲକ୍ଷ୍ମୀଙ୍କୁ ସମର୍ପଣ କରି ବାର୍ଦ୍ଧକ୍ୟରେ ମୁନିବୃତ୍ତି ଅବଲମ୍ବନପୂର୍ବକ ତନୁତ୍ୟାଗ କଲେ । କ୍ଷେମଧନ୍ୱା ଦେବକଳ୍ପ ପୁତ୍ର ଦେବାନୀକଙ୍କର ପିତା ହୋଇ ଧନ୍ୟମ୍ମନ୍ୟ ହେଲେ । ପିତା ଶୁଶ୍ରୁଷାପରାୟଣ ସେହି ପୁତ୍ରଙ୍କୁ ଲାଭକରି ଯେପରି କୃତାର୍ଥ ହୋଇଥିଲେ, ପୁତ୍ର ମଧ୍ୟ ଆତ୍ମଜବତ୍ସଳ ପିତାଙ୍କୁ ପାଇ ସେହିପରି ସୁଖୀ ହେଲେ । ଗୁଣନିଧି ଯାଗନିରତ କ୍ଷେମଧନ୍ୱା ଚରମକାଳରେ ବର୍ଣ୍ଣାଶ୍ରମ ରକ୍ଷାର ଭାର ଆତ୍ମଜଙ୍କଠାରେ ଅର୍ପଣ କରି ସୁରଲୋକକୁ ଗମନ କଲେ । ଦେବାନୀକଙ୍କ ପୁତ୍ର ଅହୀନଗୁ ଏକାନ୍ତ ଜିତେନ୍ଦ୍ରିୟ ଓ ପ୍ରିୟଂବଦ ଥିଲେ-। ସେ ସ୍ୱଜୀବନକାଳ ମଧ୍ୟରେ ଶତ୍ରୁ ପ୍ରତି ସୁଦ୍ଧା କେବେହେଁ ଅପ୍ରିୟବାକ୍ୟ ପ୍ରୟୋଗ କରୁ ନ ଥିଲେ । ହୀନସଂସର୍ଗବିମୁଖ ଥିବାରୁ ଯୌବନରେ ମଧ୍ୟ ପାନାଦି ବ୍ୟସନ ତାଙ୍କୁ ସ୍ପର୍ଶ କରି ପାରୁ ନ ଥିଲା । ପିତାଙ୍କ ପରଲୋକଯାତ୍ରା ପରେ ଅହୀନଗୁ ସାମାଦି ଉପାୟ ଚତୁଷ୍ଟୟ ପ୍ରୟୋଗ କରି ସ୍ୱଭୁଜ ବିକ୍ରମରେ ଏହି ନିଖିଳ ଅବନୀମଣ୍ଡଳର ଶାସକ ହେଲେ । ତତ୍ତ୍ୱରେ ରାଜଲକ୍ଷ୍ମୀ ତତ୍‌ପୁତ୍ର ପାରିଯାତ୍ରଙ୍କ ଆଶ୍ରୟରେ ରହିଲେ । ପାରିଯାତ୍ରଙ୍କ ପୁତ୍ରଙ୍କ ନାମ ଶିଳ । ସେ ଯେପରି ସୁଶୀଳ, ସେହିପରି ପ୍ରବଳ ପରାକ୍ରମଶାଳୀ ଥିଲେ । ପିତା ପୁତ୍ରଙ୍କୁ ଯୌବରାଜ୍ୟରେ ଅଭିଷିକ୍ତ କରି ରାଜକାର୍ଯ୍ୟରୁ ଅବସର ଗ୍ରହଣପୂର୍ବକ ଏକମାତ୍ର ବିଷୟଭୋଗରେ ଆସକ୍ତ ହେଲେ ଏବଂ ତହିଁରେ ଅତ୍ୟାସକ୍ତିବଶତଃ ଅକାଳରେ ଜରାଗ୍ରସ୍ତ ହୋଇ କାଳକବଳରେ ପତିତ ହେଲେ । ଶିଳଙ୍କ ପରେ ତତ୍‌ପୁତ୍ର ଉନ୍ମାଭ ରାଜା ହେଲେ । ଉନ୍ମାଭଙ୍କ ପରଲୋକପ୍ରୟାଣ ପରେ ତତ୍‌ପୁତ୍ର ବଜ୍ରନାଭ ଏବଂ ତତ୍ତ୍ୱରେ ତାଙ୍କ ପୁତ୍ର ଶଙ୍ଖଣ ଉତ୍ତରକୋଶଳର ଅଧିପତି ହେଲେ । ଶଙ୍ଖଣଙ୍କର ପୁତ୍ର ବ୍ୟୁଷିତାଶ୍ୱ । ମହାରାଜ ବ୍ୟୁଷିତାଶ୍ୱ ବିଶେଶ୍ୱରଙ୍କ ଆରାଧନା କରି ସମଗ୍ର ଭୂମଣ୍ଡଳଶାସନସମର୍ଥ ବିଶ୍ୱସହ ନାମକ ପୁତ୍ର ପ୍ରାପ୍ତ ହୋଇଥିଲେ । ଅଦ୍ୱିତୀୟ ନୀତିଶାସ୍ତ୍ରଜ୍ଞ ପ୍ରଜାବନ୍ଧୁ ବିଶ୍ୱସହ ନାରାୟଣକଳ୍ପ ହିରଣ୍ୟନାଭନାମା ପୁତ୍ର ଲାଭ କରି ଅରିବର୍ଗଙ୍କର ଏକାନ୍ତ ଅସହ୍ୟ ହୋଇ ଉଠିଲେ ଏବଂ ପଶ୍ଚିମଜୀବନରେ ଶାଶ୍ୱତ ସୁଖଭୋଗ ଆଶାରେ ହିରଣ୍ୟନାଭଙ୍କୁ ରାଜପଦରେ ପ୍ରତିଷ୍ଠିତ କରି ବକ୍କଳବସନ ପରିଧାନପୂର୍ବକ ବନବାସୀ ହେଲେ ।

 

ସୂର୍ଯ୍ୟବଂଶାବତଂସ କୋଶଳେଶ ହିରଣ୍ୟନାଭଙ୍କ ଔରସରେ ଦ୍ୱିତୀୟ ହିମାଂଶୁ ସଦୃଶ କୌଶଲ୍ୟ ନାମକ ପୁତ୍ର ଜନ୍ମ ଗ୍ରହଣ କରିଥିଲେ । ସେ ପରଂବ୍ରହ୍ମନିଷ୍ଠ ବ୍ରହ୍ମିଷ୍ଠ ନାମକ ପୁତ୍ରଙ୍କୁ ସିଂହାସନ ପ୍ରଦାନ କରି ପରଂବ୍ରହ୍ମରେ ଲୀନ ହୋଇଥିଲେ । ବ୍ରହ୍ମିଷ୍ଠଙ୍କ ଆତ୍ମଜଙ୍କ ନାମ ପୁତ୍ର । ଗୁରୁସେବାନିରତ ପୂତାତ୍ମା ପୁତ୍ରଙ୍କଦ୍ୱାରା ବଂଶମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ଭାବି ବ୍ରହ୍ମିଷ୍ଠ ପୁଷ୍ଠର ତୀର୍ଥରେ ସ୍ନାନ କରି ଦେବତ୍ୱ ପ୍ରାପ୍ତ ହେଲେ । ପୁତ୍ର ନୃପତିଙ୍କ ପତ୍ନୀ ପୌର୍ଣ୍ଣମାସୀ ତିଥିରେ ପୁଷ୍ୟନାମକ ପୁତ୍ର ସନ୍ତାନ ପ୍ରସବ କଲେ; ମହାରାଜ ପୁତ୍ର ପୁନର୍ଜନ୍ମଗ୍ରହଣରେ ଭୀତ ହୋଇ ପୁତ୍ରହସ୍ତରେ ରାଜ୍ୟଭାର ଅର୍ପଣପୂର୍ବକ ମହର୍ଷି ଜୈମିନିଙ୍କ ନିକଟରେ ଆତ୍ମସମର୍ପଣ କଲେ ଏବଂ ସେହି ମହାଯୋଗୀଙ୍କଠାରୁ ଯୋଗ ଶିକ୍ଷା କରି ଯୋଗବଳରେ ଶରୀର ବିସର୍ଜନ କଲେ । ଅନନ୍ତର ଧର୍ମାତ୍ମା ପୁଷ୍ୟପୁତ୍ର ଧ୍ରୁବସନ୍ଧି ରାଜା ହେଲେ । ଧ୍ରୁବସନ୍ଧିଙ୍କର ପୁତ୍ର ସୁଦର୍ଶନ । ଶୈଶବରେ ଲୋକେ ତାଙ୍କର କମନୀୟ ରୂପ ଦେଖି ‘ସୁଦର୍ଶନ’ ନାମ ଧାରଣ ସାର୍ଥକ ହୋଇଥିଲା ବୋଲି ମନେ କରୁଥିଲେ । ତତ୍‌ପିତା ମୃଗବିହାରୀ ଧ୍ରୁବସନ୍ଧି ଅରଣ୍ୟରେ ସିଂହ କବଳରେ ପତିତ ହୁଅନ୍ତେ, ମନ୍ତ୍ରିବର୍ଗ ଦୀନ ପ୍ରଜାଙ୍କର ଦୂରବସ୍ଥା ଦେଖି ମୃତ ଭୂପତିଙ୍କର କୁଳତନ୍ତୁ ସେହି ଶିଶୁପୁତ୍ରଙ୍କୁ ଅଯୋଧ୍ୟାର ଅଧିପତି କଲେ । ବାଳେନ୍ଦୁଦ୍ୱାରା ଗଗନମଣ୍ଡଳ ଯେପରି ମନୋହର ଦେଖାଯାଏ ଏକମାତ୍ର ସିଂହଶାବକଦ୍ୱାରା କାନନ ଯେପରି ଅଳଂକୃତ ହୁଏ ଏବଂ ପଙ୍କଜ କୋରକଦ୍ୱାରା ଜଳାଶୟ ଯେପରି ମନୋଜ୍ଞ ଶୋଭା ଧାରଣ କରେ ସେହି ଶିଶୁରାଜଙ୍କର ଅଧିଷ୍ଠାନଦ୍ୱାରା ରଘୁକୁଳ ସେହିପରି ବିଭୂଷିତ ହେଲା । ସେହି ବାଳକ ଭୂପତି ରାଜମୁକୁଟ ପରିଧାନ କଲାବେଳେ ଅଯୋଧ୍ୟାବାସୀ ପ୍ରଜାପୁଞ୍ଜ ତାଙ୍କଠାରେ ରାଜୋଚିତ ଗୁଣମାନ ନିରୀକ୍ଷଣ କରି ମନେ କରୁଥିଲେ ଯେ, ସେ ଦିନେ ତଦୀୟ ପିତାଙ୍କ ପରି ପ୍ରବଳପରାକ୍ରାନ୍ତ ହୋଇ ଉଠିବେ, ଯେହେତୁରୁ ପୁରଶ୍ଚର ବାୟୁ-ସାହଚର୍ଯ୍ୟରେ କଳଭପ୍ରମାଣ ମେଘଖଣ୍ଡ ସମସ୍ତ ଆକାଶ ଆବୃତ କରିପକାଏ । ସେହି ଷଠ୍‌ବର୍ଷଦେଶୀୟ ବାଳଭୂପ ଅଧୋରଣମାନଙ୍କଦ୍ୱାରା ପରିଗୃହୀତ ହୋଇ କରିପୃଷ୍ଠରେ ଆରୋହଣପୂର୍ବକ ଯେତେବେଳେ ରାଜପଥରେ ଭ୍ରମଣ କରୁଥିଲେ ସେତେବେଳେ ସାକେତପୁରବାସୀମାନେ ତାଙ୍କ ପ୍ରତି ପିତୃବତ୍‌ସମ୍ମାନ ପ୍ରଦର୍ଶନ କରୁଥିଲେ । ବାଳକ ସୁଦର୍ଶନ ସ୍ୱୀୟ ଆକୃତିଦ୍ୱାରା ପୈତୃକ ସିଂହାସନ ପୂର୍ଣ୍ଣ କରି ପାରି ନ ଥିଲେ ସତ୍ୟ, ମାତ୍ର ତାଙ୍କର ଚାମୀକରପିଞ୍ଜର ତେଜୋରାଶିଦ୍ୱାରା ସେହି ସୁବିସ୍ତୀର୍ଣ୍ଣ ନୃପାସନ ପରିପୂର୍ଣ୍ଣ ହୋଇ ଉଠୁଥିଲା । ସିଂହାସନୋପବିଷ୍ଟ ବାଳଭୂପତିଙ୍କର ଅଳକ୍ତକରଞ୍ଜିତ କ୍ଷୁଦ୍ର ଚରଣଯୁଗଳ ଅଧୋଦେଶସ୍ଥ କାଞ୍ଚନପାଦପୀଠରେ ସଂଲଗ୍ନ ନ ହେଲେହେଁ ସମାନ୍ତ ନରପତିମାନେ ସେମାନଙ୍କର ଅବନତ ମସ୍ତକସ୍ଥ ମୁକୁଟ ଉନ୍ନତ କରି ସେହି ଚରଣତଳରେ ପ୍ରଣିପାତ କରୁଥିଲେ । କ୍ଷୁଦ୍ର ଚନ୍ଦ୍ରନୀଳମଣି ଖଣ୍ଡରେ ମହାନୀଳ ଶବ୍ଦ ଯେପରି ନିରର୍ଥକ ହୁଏ ନାହିଁ, ସେହି ବାଳକ ଭୂପତିଙ୍କଠାରେ ପ୍ରଯୁକ୍ତ ପ୍ରସିଦ୍ଧ ମହାରାଜ ଶବ୍ଦ ଯେପରି ନିରର୍ଥକ ହୋଇ ନ ଥିଲା । ସେ ଶିରୀଷସୁକୁମାର ଶରୀରରେ ଅଙ୍ଗାଭରଣକୁ ଭାର ପରି ମନେ କରୁଥିଲେହେଁ ଗୁରୁତର ଭୂ-ଭାରବହନରେ କିଞ୍ଚିନାତ୍ର କ୍ଳେଶ ଅନୁଭବ କରୁ ନ ଥିଲେ । ସୁଦର୍ଶନ ବର୍ଣ୍ଣପରିଚୟ ପରିସମାପ୍ତି ପୂର୍ବରୁ ବିଦ୍ୟାବୃଦ୍ଧମାନଙ୍କ ସଂସର୍ଗରୁ ଦଣ୍ଡ-ନୀତିରେ ଉତ୍ତମରୂପେ ଦକ୍ଷତା ଲାଭ କରିଥିଲେ ।

 

ଶୌର୍ଯ୍ୟ-ଔଦାର୍ଯ୍ୟାଦି ଯେଉଁ ବଂଶୋଚିତ ଗୁଣାବଳି ସୂକ୍ଷ୍ମଭାବରେ ତାହାଙ୍କ ମଧ୍ୟରେ ଅବସ୍ଥାନ କରୁଥିଲା, କାଳକ୍ରମେ ଶରୀରବୃଦ୍ଧି ସଙ୍ଗେ ସଙ୍ଗେ ସେଗୁଡ଼ିକର କ୍ରମଶଃ ବୃଦ୍ଧି ହେଲା । ସେ ସମ୍ଭବତଃ ଜନ୍ମାନ୍ତରୀଣ ସଂସ୍କାରବଶରୁ ଗୁରୁମାନଙ୍କୁ ଅଧ୍ୟାପନାକ୍ଳେଶ ନ ଦେଇ ତ୍ରିବର୍ଗସାଧନର ମୂଳୀଭୂତ ବିଦ୍ୟାତ୍ରୟର ଅଧିକାରୀ ହେଲେ । କ୍ରମେ ସେ ଯୌବନାବସ୍ଥାରେ ପଦାର୍ପଣ କରନ୍ତେ ଅମାତ୍ୟବର୍ଗ ବିଶୁଦ୍ଧ ସନ୍ତତିକାମନାରେ ଅଲୌକିକ ରୂପଗୁଣସଂପନ୍ନା କତିପୟ ଉଚ୍ଚବଂଶୀୟା ରାଜକନ୍ୟାଙ୍କ ସଙ୍ଗେ ମହାସମାରୋହରେ ତାଙ୍କର ପରିଣୟବିଧି ସମ୍ପନ୍ନ କରାଇଲେ ।

Image

 

ଅଗ୍ନିବର୍ଣ୍ଣ

 

ନାନାଶାସ୍ତ୍ରନିପୁଣ ମହାରାଜ ସୁଦର୍ଶନ ପଶ୍ଚିମବୟସରେ ଅଗ୍ନିତୁଲ୍ୟ ତେଜସ୍ୱୀ ପୁତ୍ର ଅଗ୍ନିବର୍ଣ୍ଣଙ୍କୁ ସ୍ୱପଦରେ ଅଭିଷିକ୍ତ କରି ନୈମିଷାରଣ୍ୟ ଆଶ୍ରୟ କଲେ । ସେଠାରେ ତୀର୍ଥ ସଲିଳଯୋଗେ ଗୃହଦୀର୍ଘିକା, କୁଶାସନଯୋଗେ ସୁକୋମଳ ଶଯ୍ୟା ଏବଂ ପର୍ଣ୍ଣଶାଳାଯୋଗେ ପ୍ରାସାଦାବଳି ବିସ୍ମୃତ ହୋଇ ସେ ନିଷ୍କାମ ତପଶ୍ଚରଣ କରିବାକୁ ଆରମ୍ଭ କଲେ । ରାଜ୍ୟଶାସନ କରିବାରେ ଅଗ୍ନିବର୍ଣ୍ଣଙ୍କୁ କୌଣସି ଅସୁବିଧା ଭୋଗ କରିବାକୁ ହେଲା ନାହିଁ, କାରଣ ତଦୀୟ ପିତା ସ୍ୱଭୁଜବିକ୍ରମରେ ଶତ୍ରୁକୁଳର ଉଚ୍ଛେଦ ସାଧନ କରି ଅସପତ୍ନ ରାଜ୍ୟକୁ ତାଙ୍କର ଉପଭୋଗ ସକାଶେ ରଖି ଯାଇଥିଲେ- । କାମୁକ ଅଗ୍ନିବର୍ଣ୍ଣ ସ୍ୱୟଂ କତିପୟ ବର୍ଷ ସାମ୍ରାଜ୍ୟ ଶାସନ କରି ଅମାତ୍ୟମାନଙ୍କ ହସ୍ତରେ ରାଜ୍ୟଭାର ସମର୍ପଣପୂର୍ବକ ନିତାନ୍ତ ସ୍ତ୍ରୈଣ ହୋଇ ପଡ଼ିଲେ । ସୁତରାଂ ସମୁତ୍ସକ ପ୍ରକୃତିପୁଞ୍ଜଙ୍କ କଥା ତାଙ୍କର ସ୍ମୃତିରେ ଆଦୌ ଅବସର ପ୍ରାପ୍ତ ହେଉ ନ ଥିଲା । ଯେବେ କଦାଚିତ୍‌ ମନ୍ତ୍ରୀବୃନ୍ଦଙ୍କ ଅନୁରୋଧରେ ସେମାନଙ୍କୁ ଦର୍ଶନ ଦେବାକୁ ସମ୍ମତ ହେଉଥିଲେ, ତାହା ମଧ୍ୟ ଗବାକ୍ଷମାର୍ଗବିଲମ୍ବୀ ଚରଣଦ୍ୱାରା ସମ୍ପନ୍ନ ହେଉଥିଲା । ପ୍ରଜାମାନେ ସେହି ଚରଣ ଯୁଗଳକୁହିଁ ନମସ୍କାର କରି କୃତାର୍ଥ ହେଉଥିଲେ । ସେ କେବଳ ମାତ୍ର ସଙ୍ଗୀତ ଶାସ୍ତ୍ରରେ ସୁପଣ୍ଡିତ ଥିଲେ । କେତେବେଳେ ନୃତ୍ୟଗୀତରେ, କେତେବେଳେ ଉଦ୍ୟାନବିହାରରେ, କେତେବେଳେ ପାଶକ୍ରୀଡ଼ାରେ, କେତେବେଳେ ବା ଜଳବିହାରରେ ତାଙ୍କର କାଳାତିପାତ ହେଉଥିଲା ।

 

ଅଗ୍ନିବର୍ଣ୍ଣଙ୍କୁ ଏହିପରି ବ୍ୟସନାସକୁ ଦେଖି ସୁଦ୍ଧା ପ୍ରତୀପ ଭୂପତିବୃନ୍ଦ ତାଙ୍କର ପ୍ରବଳ ପ୍ରତାପ ହେତୁରୁ ତାଙ୍କୁ ଆକ୍ରମଣ କରି ପାରୁ ନ ଥିଲେ; କିନ୍ତୁ ଅତ୍ୟାସଙ୍ଗଜନିତ କ୍ଷୟରୋଗର ଆକ୍ରମଣକୁ ସେ ଅତିକ୍ରମ କରି ପାରିଲେ ନାହିଁ । ସେ ଭିଷକ୍‌କୁଳର ଏକାନ୍ତ ଅବାଧ୍ୟ ହେବାରୁ ରୋଗ କ୍ରମଶଃ ଅପ୍ରତିକାର୍ଯ୍ୟ ହୋଇ ଉଠିଲା; ମଦ୍ୟପାନାଦି ବ୍ୟସନର ଦୋଷ ଦର୍ଶନ କଲେହେଁ ସେ ତାହା ତ୍ୟାଗ କରି ପାରିଲେ ନାହିଁ । ସ୍ଥୂଳତଃ ସେ ପ୍ରଥମରୁ ସୁମଧୁର ବିଷୟଭୋଗ କରିବାରେ ଯେଉଁ ଇନ୍ଦ୍ରିୟମାନଙ୍କୁ ପ୍ରଶ୍ରୟ ଦେଇଥିଲେ, ସମ୍ପ୍ରତି ସେମାନଙ୍କୁ ତହିଁରୁ ନିବୃତ୍ତ କରିବାକୁ ଅତ୍ୟନ୍ତ ଅକ୍ଷମ ହେଲେ । କ୍ରମେ କ୍ରମେ ତାହାଙ୍କର ବଦନମଣ୍ଡଳ ପାଣ୍ଡୁ ବର୍ଣ୍ଣ ଦିଶିଲା, ଭୂଷଣାବଳୀ ଭାର ପରି ବୋଧ ହେଲା, କଣ୍ଠସ୍ୱର କ୍ଷୀଣ ହୋଇଗଲା ଏବଂ ସେ ବିନା ଅବଲମ୍ବନରେ ଗମନାଗମନ କରିବାକୁ ଅକ୍ଷମ ହୋଇ ପଡ଼ିଲେ । ରାଜା ରାଜଯକ୍ଷ୍ମାରୋଗରେ ଏହିପରି ଦିନୁଦିନ କ୍ଷୟାତୁର ହୋଇପଡ଼ନ୍ତେ ରଘୁକୁଳ ପଶ୍ଚିମକଳାସ୍ଥ ଚନ୍ଦ୍ରଯୁକ୍ତ ବ୍ୟୋମପରି, ପଙ୍କମାତ୍ର ବଶିଷ୍ଟ ନିଦାଘପଲ୍ୱଳ ପରି ଏବଂ ନିର୍ବାଶୋନ୍ମୁଖ ଦୀପଭାଜନ ପରି ପ୍ରତୀୟମାନ ହେଲା । ‘‘ରାଜା ବର୍ତ୍ତମାନ ପୁତ୍ରୋତ୍ତ୍ପାଦନନିମିତ୍ତ ଜପାଦ କରୁଅଛନ୍ତି’’ ଏହିପରି କହି ଅମାତ୍ୟବର୍ଗ ତାଙ୍କର ରୋଗୋତ୍ପତ୍ତ ବିଷୟ ପ୍ରଜାମାନଙ୍କ ନିକଟରୁ ଗୋପନ ରଖୁଥିଲେ । ବହୁ ପତ୍ନୀ ଥିଲେହେଁ ସେ କାହାରି ଗର୍ଭରୁ କୁଳପାବନ ପୁତ୍ରଲାଭ କରିବାକୁ ଅସମର୍ଥ ହେଲେ । ଶେଷରେ ଭିଷକ୍‌ମାନଙ୍କର ଯତ୍ନ ବିଫଳ ହେଲା । ସେ ରୋଗର ପ୍ରତାପ ଅତିକ୍ରମ କରି ନ ପାରି ବାତ୍ୟାବିଚ୍ୟୁତ ତୈଳପୂର୍ଣ୍ଣ ଦୀପର ଶିଖା ପରି ଅକାଳରେ ପଞ୍ଚତ୍ୱ ପ୍ରାପ୍ତ ହେଲେ । ମନ୍ତ୍ରୀଗଣ ପୁରୋହିତମାନଙ୍କ ସଙ୍ଗେ ପରାମର୍ଶ କରି ରୋଗ ଶାନ୍ତି ବ୍ୟପଦେଶରେ ତାଙ୍କର ମୃତଦେହକୁ ଉଦ୍ୟାନ ମଧ୍ୟକୁ ଘେନିଯାଇ ସେହିଠାରେ ଗୋପନରେ ଅଗ୍ନିସାତ୍ କଲେ । ଅନନ୍ତର ସେମାନେ ପ୍ରଧାନ ରାଜମହିଷୀଙ୍କୁ ଅନ୍ତଃସତ୍ତ୍ୱା ଦେଖି ପୁରବାସୀ ମାନଙ୍କ ସଙ୍ଗେ ପରାମର୍ଶ କରି ତାଙ୍କୁ ରାଜପଦରେ ଅଭିଷିକ୍ତ କଲେ । ରାଜ୍ଞୀ ସିଂହାସନାରୋହଣ କରି ପ୍ରାଚୀନ ମନ୍ତ୍ରୀମାନଙ୍କ ସାହଚର୍ଯ୍ୟରେ ମୃତ ପତିଙ୍କର ରାଜ୍ୟକୁ ବିଧାନାନୁସାରେ ଶାସନ କରିବାକୁ ଲାଗିଲେ ।

Image

 

କୁମାର ସମ୍ଭବ ।

ପାର୍ବତୀଙ୍କ ଜନ୍ମ

 

ଯାହାର ବିଚିତ୍ରାଭୂତ ମହିମାର ବିଷୟ ଚିନ୍ତା କଲେ ମନ ଯୁଗପତ୍ ଆନନ୍ଦାଭୁତ ଶାନ୍ତିରସରେ ନିମଗ୍ନ ହୋଇଯାଏ, ଆମ୍ଭମାନଙ୍କ ଜନନୀରୂପିଣୀ ଏହି ଭାରତଭୂମିର ରତ୍ନସୀମନ୍ତସଦୃଶ ସେହି ଅଚଳରାଜ ହିମାଳୟ ସ୍ୱୀୟ ସୁବିପୁଳ କଳେବରଦ୍ୱାରା ପୂର୍ବରେ ମହୋଦଧିଠାରୁ ପଶ୍ଚିମରେ ରତ୍ନାକର ପର୍ଯ୍ୟନ୍ତ ସମଗ୍ର ଉତ୍ତରାଞ୍ଚଳ ଆବୃତ କରି ଅନୁପମ ମହିମାରେ ସ୍ମରଣାତୀତ କାଳରୁ ଏ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିଅଛି । ଏହାର ଆଲୋକସାମାନ୍ୟ କମନୀୟ ଦୃଶ୍ୟ ଏବଂ ଶାନ୍ତିରସମୟ ପବିତ୍ର ପ୍ରଭାବ ଅନୁଧ୍ୟାନ କରି ପ୍ରାଚୀନ ଆର୍ଯ୍ୟ ଋଷିବୃନ୍ଦ ଏହାକୁ ଦେବତାତ୍ମାରୂପେ ନିର୍ଦ୍ଦେଶ କରି ଯାଇଅଛନ୍ତି । ପ୍ରକାଣ୍ଡ ହିମାଦ୍ରିପ୍ରଦେଶ ଦିଗ୍‌ଦିଗନ୍ତବିସ୍ତାରିତ ମହାସାଗରସଦୃଶ । ଏହାର ସୁବିପୁଳ ମହାର୍ହ ରତ୍ନରାଜି ଏବଂ ଅମୃତମୟ ମହୌଷଧି କଥା ବିବେଚନା କଲେ ଏହାକୁ ସମଗ୍ର ଅବନୀମଣ୍ଡଳର ସାରଭୂତ ପ୍ରଦେଶ ବୋଲି କୁହା ଯାଇପାରେ । ଏହାର ଗୌରୀଶଙ୍କରାଦି ଅଭ୍ରଙ୍କଷ ତୁଷାରଧବଳ ଶୃଙ୍ଗାବଳି ନୀଳଗଗନତଳକୁ ବିଚିତ୍ର ଶୋଭାରେ ପୂର୍ଣ୍ଣ କରି ସୁରଲୋକ ପର୍ଯ୍ୟନ୍ତ ବିସ୍ତୃତ ସ୍ପଟିକସୋପାନରପରମ୍ପରା ପରି ବିରାଜିତ ଅଛି ।

 

ହିମାଦ୍ରିର କୌଣସି କୌଣସି ଶୃଙ୍ଗ ଗୈରିକାଦି ଧାତବବସ୍ତୁଦ୍ୱାରା ନିତ୍ୟ ଲୋହିତବର୍ଣ୍ଣ । ତାହାର ରକ୍ତିମ ମେଘମାଳାରେ ସଂକ୍ରାମିତ ହୋଇ ସୁରସୁନ୍ଦରୀମାନଙ୍କ ମନରେ ଅକାଳ ସନ୍ଧ୍ୟାଭ୍ରମ ସମୁତ୍ପାଦନ କରେ । ବର୍ଷୁକ ବାରିଦବୃନ୍ଦ ସାଧାରଣତଃ ହିମାଚଳର କଟିଦେଶରେ ସଞ୍ଚରଣ କରନ୍ତି । ସୁତରାଂ ମେଖଳାବିହାରୀ ସିଦ୍ଧମାନେ ବୃଷ୍ଟିପାତର ଉପକ୍ରମ ଦେଖିଲେ ଆତପମୟ ଉର୍ଦ୍ଧ୍ୱତନ ଶୃଙ୍ଗରେ ଆରୋହଣ କରି ବର୍ଷାକେଶରୁ ରକ୍ଷା ପାଆନ୍ତି । ଏହାର ନିବିଡ଼ ଅରଣ୍ୟାନୀସମାକୀର୍ଣ୍ଣ ପ୍ରତ୍ୟନ୍ତପ୍ରଦେଶମାନ କରି-ସଂହାରୀ କେଶରିକୁଳର ପ୍ରିୟ କ୍ରୀଡ଼ାସ୍ଥଳୀ । ଗଜମୁକ୍ତାଜିଘୃଷୁ ବନେଚରବୃନ୍ଦ କୀଚକର ସୁମଧୁର ଧ୍ୱନି ଶୁଣି ମୃଗନାଭିସୁରଭି ଶୀଳାତଳରେ ଶ୍ରାନ୍ତି ଅପନୋଦନପୂର୍ବକ ପରମପରିତୋଷ ସହକାରେ ସେହି ଅରଣ୍ୟାନୀ ମଧ୍ୟରେ ଇତସ୍ତତଃ ଭ୍ରମଣ କରନ୍ତି । ଅପେକ୍ଷାକୃତ ନିମ୍ନପ୍ରଦେଶସ୍ଥ ଅରଣ୍ୟସମୂହ ଦେବଦାରୁବୃକ୍ଷସମୂହଦ୍ୱାରା ସମାକୀର୍ଣ୍ଣ । ସେହି ଅଞ୍ଚଳରେ କରୀ, କୁରଙ୍ଗ, ମୟୂର, ଚମରୀ ପ୍ରଭୃତି ଜୀବକୁଳ ପ୍ରଚୁର ପରିମାଣରେ ଦୃଷ୍ଟିଗୋଚର ହୁଅନ୍ତି ଏବଂ ଜାହ୍ନବୀ ସେହି ଶୁଭ୍ର-ଫେନହାସ୍ୟ ଚ୍ଛଟାଦ୍ୱାରା ବିଭୂଷିତ କରି କଳକଳନାଦରେ ପ୍ରବାହିତ ହେଉଅଛି । ଯେଉଁମାନେ ଏହି ରମଣୀୟ ପ୍ରଦେଶର ଶାନ୍ତିରସାସ୍ପଦ ପ୍ରଭାବ ଅନୁଭବ କରନ୍ତି ଓ ପୂତଜାହ୍ନବୀ-ଶୀତ-ଶୀକରବାହୀ ଦେବଦାରୁନିର୍ଯାସୁରଭି ବର୍ହି-ବର୍ହ-ନର୍ତ୍ତନକୁଶଳ ସମୀରଣର ଅମୃତମୟ ସ୍ପର୍ଶ ଲାଭ କରନ୍ତି, ସେମାନେ ସୁରଲୋକର ସୁଖନିବହକୁ ମଧ୍ୟ ନିତାନ୍ତ ତୁଚ୍ଛ ମନେ କରନ୍ତି । ହିମାଦ୍ରିର ଓଷଧିଲତାବଳି ରାତିରେ ପ୍ରଜ୍ୱଳିତ ହୋଇ ଉଠେ, ସୁତରାଂ ବନବାସୀମାନଙ୍କର ଅନ୍ଧକାର ନିରାକରଣ ନିମିତ୍ତ ରାତ୍ରିରେ ପ୍ରଦୀପର ପ୍ରୟୋଜନ ହୁଏ ନାହିଁ ।

 

ଏହି ପରମରମଣୀୟ ହିମାଦ୍ରି ରାଜ ପୂର୍ବକାଳରେ ସର୍ବଗୁଣସମନ୍ୱିତା ଆତ୍ମଗୁଣାନୂରୁପା ମେନାନାମ୍ନୀ ସୁରସୁନ୍ଦରୀଙ୍କର ପାଣିଗ୍ରହଣ କରିଥିଲେ । ପ୍ରଖ୍ୟାତନାମା ମୈନାକ ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ । ଯେତେବେଳେ ବାସବ କ୍ରୂଦ୍ଧ ହୋଇ ବଜ୍ରାସ୍ତ୍ରଦ୍ୱାରା ବିଶ୍ୱବିଧ୍ୱଂସନୋଦ୍ୟତ ଚଳିଷ୍ଣୁ ପର୍ବତମାନଙ୍କର ପକ୍ଷଚ୍ଛେଦନ କରିବାକୁ ଲାଗିଲେ, ସେତେବେଳେ ଏହି ସୁଚତୁର ମୈନାକ ଅମ୍ଭୋନିଧିପତିଙ୍କ ସଙ୍ଗେ ଅଚ୍ଛେଦ୍ୟ-ପ୍ରଣୟରେ ଆବଦ୍ଧ ହୋଇ ବରୁଣାଳୟରେ ଆଶ୍ରୟ ନେବାରୁ କୁଳଶାଘାତଜନିତ ନିଦାରୁଣ ବ୍ୟଥା ଆଦୌ ଅନୁଭବ କଲେ ନାହିଁ । ଏଥିପୂର୍ବେ ଦେବଦେବ ଶିବଙ୍କ ପତ୍ନୀ ଦକ୍ଷ କନ୍ୟା ସତୀଦେବୀ ସ୍ୱୀୟ ପିତାଙ୍କ ମୁଖରୁ ପତିଙ୍କ ନିନ୍ଦା ଶୁଣି ଦୁଃଖରେ ଏକାନ୍ତ ମ୍ରିୟମାଣ ହୋଇ ଯୋଗମାର୍ଗରେ ତନୁତ୍ୟାଗ କରିଥିଲେ । ସମ୍ପ୍ରତି ସେ ପୁନର୍ଜନ୍ମଲାଭେଚ୍ଛାରେ ଶୈଳାଧିରାଜମହିଷୀ ମେନାଙ୍କ ଗର୍ଭରେ ପ୍ରବେଶ କଲେ । ସେହି ମଙ୍ଗଳମୟୀ ଯେଉଁଦିନ ଭୂମିଷ୍ଠ ହେଲେ, ସେଦିନ ପ୍ରକୃତି ମନୋହର ବେଶ ଧାରଣ କରିଥିଲା । ମେଘବିମୁକ୍ତ ନିର୍ମଳ ନଭୋ ମଣ୍ଡଳରେ ସୂର୍ଯ୍ୟ ବିରାଜିତ ହୋଇ ହିରଣ୍ମୟ କିରଣଜାଳ ବିସ୍ତାର କରୁଥିଲେ । ରଜୋରିକ୍ତ ସୁଖ-ସ୍ପର୍ଶ ସମୀରଣ ପ୍ରବାହିତ ହେଉଥିଲା । ସୁର ଲୋକରେ ଅମରବୃନ୍ଦ ତୌର୍ଯ୍ୟତ୍ରିକ ସହ ଉତ୍ସବରେ ମାତି ଆନନ୍ଦରେ କୁସୁମ ବର୍ଷଣ କଲେ ।

 

ନବୀନା ଶଶି-କଳା ଯେପରି ପ୍ରତିଦିନ ନବ ନବ ଜ୍ୟୋତ୍ସ୍ନାମୟୀ କଳାସ ଯୋଗରେ ବର୍ଦ୍ଧିତ ଓ ପରିପୁଷ୍ଟ ହୁଏ, ସେହିପରି ସେହି ବାଳିକା ଦିନୁଦିନୁ ଅବୟବର ଲାବଣ୍ୟସହ ପରିପୁଷ୍ଟ ଓ ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲେ । ଆତ୍ମୀୟସ୍ୱଜନମାନେ ସେହି ସୁମୁଖୀଙ୍କୁ ପୈତୃକ ନାମାନୁସାରେ ‘ପାର୍ବତୀ’ ବୋଲି ଡାକୁଥିଲେ । ପଶ୍ଚାତ୍ ତାଙ୍କର ଜନନୀ ତାଙ୍କୁ ତପସ୍ୟା କରିବାପାଇଁ ନିଷେଧ କରିବାରୁ ସେ ‘ଉମା’ ନାମରେ ଅଭିହିତ ହେଲେ । ବସନ୍ତକାଳରେ ବିବିଧ ପୁଷ୍ପ ପ୍ରସ୍ଫୁଟିତ ହୋଇଥିଲେହେଁ ଭ୍ରମର ଯେପରି ଚୂତମୁକୁଳରେ ଏକାନ୍ତ ଆସକ୍ତ ହୋଇଥାଏ, ସେହିପରି ଗିରିରାଜ ହିମାଦ୍ରି ପୁତ୍ରବାନ୍ ହେଲେ ସୁଦ୍ଧା ସେହି କନ୍ୟାରତ୍ନ ଦର୍ଶନରେ ପରମ ପରିତୃପ୍ତି ଲାଭ କରୁଥିଲେ । ସମୁଜ୍ଜ୍ୱଳ ଶିଖା ବିସ୍ତାର କରି ପ୍ରଦୀପ ଯେପରି ମନୋହର ଓ ପବିତ୍ର ହୁଏ, ମନ୍ଦାକିନୀପ୍ରବାହଦ୍ୱାରା ସ୍ୱର୍ଗ ଯେପରି ପୃତ ଓ ରମଣୀୟ ହୋଇଅଛି ଏବଂ ମନୀଷୀ ଯେପରି ବ୍ୟାକରଣବିଶୁଦ୍ଧ ବାକ୍ୟ ପ୍ରୟୋଗରେ ମନୋଜ୍ଞତା ଓ ପବିତ୍ରତା ପ୍ରାପ୍ତ ହୁଅନ୍ତି, ସେହିପରି ପାର୍ବତୀଙ୍କୁ କନ୍ୟାରୂପେ ଲାଭ କରି ହିମାଦ୍ରି ପୂତ ଓ ନିରତିଶୟ ଶୋଭାର ଆଧାର ହେଲେ । ସେ ସୁଖୀଜନସମଭିବ୍ୟାହାରରେ ମନ୍ଦାକିନୀମୈକତ ପ୍ରଦେଶରେ ସିକତାମୟୀ ବେଦିକା ନିର୍ମାଣ କରି ଏବଂ ବିବିଧ କ୍ରୀଡ଼ା କୌତୁକରେ ସଂସକ୍ତ ରହି ଶୈଶବକାଳ ଅତିକ୍ରମ କଲେ । ଶରତ୍‌ସମାଗମରେ ହଂସମାଳା ଯେପରି ସ୍ୱଭାବତଃ ଗଙ୍ଗାବକ୍ଷରେ ସମୁପସ୍ଥିତ ହୁଅନ୍ତି ଏବଂ ରଜନୀ ଆଗମନରେ ପ୍ରଭାମଣ୍ଡଳ ଯେପରି ଓଷଧିଳତା ସମୂହକୁ ସ୍ୱତଃ ଦେଦୀପ୍ୟମାନ କରେ, ସେହିପରି ଉପଦେଶପ୍ରାପ୍ତି କାଳ ସମୁପସ୍ଥିତ ହୁଅନ୍ତେ ସେହି ମେଧାବିନୀଙ୍କ ଅନ୍ତଃକରଣରେ ପୂର୍ବଜନ୍ମାର୍ଜିତ ବିଦ୍ୟା ସ୍ୱତଃ ସ୍ଫୁରିତ ହୋଇ ଉଠିଲା । ଅନନ୍ତର ସେ ବାଲ୍ୟ ଅତିକ୍ରମ କରି ଅଙ୍ଗଲତିକାର ଅଯତ୍ନସିଦ୍ଧ ଅଳଙ୍କାରସ୍ୱରୂପ ମଧୁମୟ ଯୌବନରେ ପଦାର୍ପଣ କଲେ । ସେତେବେଳେ ତାହାଙ୍କର ଶରୀର ତୂଳିକାଦ୍ୱାରା ରଞ୍ଜନଦ୍ରବ୍ୟରେ ଉଦ୍‌ଭାସିତ ଆଲେଖ୍ୟ ପରି ଏବଂ ସୌର-ରଶ୍ମି-ସଂପାତରେ ବିକଶିତ ଅରବିନ୍ଦ ପରି କମନୀୟ ହୋଇ ଉଠିଲା ।

 

କ୍ରମେ ପାର୍ବତୀଙ୍କର ଲୌହିତ୍ୟୋଜ୍ଜ୍ୱଳ ଚରଣଯୁଗଳ ଭୂପୃଷ୍ଠରେ ବିନ୍ୟସ୍ତ ହେବାବେଳେ ସଞ୍ଚାରିଣୀ ସ୍ଥଳାରବିନ୍ଦ ଶୋଭା ଧାରଣ କଲା । ତାଙ୍କର ମନୋହର ବିଳାସବିଲୋଳ ପଦବିନ୍ୟାସ ଦେଖି ବୋଧ ହେଉଥିଲା, ସତେ ଯେପରି ପ୍ରତ୍ୟୁପଦେଶଲିପ୍‌ସୁ ରାଜହଂସକୁଳ ତାଙ୍କଠାରୁ ସୁମଧୁର ନୂପୁରଶିଞ୍ଜିତ ଶିକ୍ଷା କରିବାରେ ଅଭିଳାଷୀ ହୋଇ ତାଙ୍କୁ ନୀଳାବିଭ୍ରାମପୂର୍ଣ୍ଣ ତାଦୃଶ ଗତି ଶିକ୍ଷା ଦେଇଥିଲେ । ପଦ୍ମ ଦିବସରେ ଶୋଭା ବିସ୍ତାର କରି ରାତ୍ରିରେ ମ୍ଳାନ ହୋଇଯାଏ, ଚନ୍ଦ୍ର ମଧ୍ୟ ସେହିପରି ରାତ୍ରିରେ ଶୋଭା ବିସ୍ତାର କରି ଦିବସରେ ମଳିନ ହୋଇଯାଏ । ସ୍ୱଭାବଚପଳା ଏଣୁ ଦେବୀ ଯେତେବେଳେ ଚନ୍ଦ୍ରରେ ଅବସ୍ଥାନ କରନ୍ତି, ସେତେବେଳେ ପଦ୍ମର ସୌରଭାଦିଜନିତ ଆନନ୍ଦ ଅନୁଭବ କରି ପାରନ୍ତି ନାହିଁ ଏବଂ ଯେତେବେଳେ ପଦ୍ମରେ ଅବସ୍ଥାନ କରନ୍ତି, ସେତେବେଳେ ଚନ୍ଦ୍ରର ଅମୃତ-ସମ୍ଭୋଗ-ନିବନ୍ଧନ-ପ୍ରୀତି ଅନୁଭବ କରି ପାରନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ସେ ଆନନ୍ଦମୟୀ ପାର୍ବତୀଙ୍କର ଆନନଦେଶରେ ଅବସ୍ଥାନ କରି ସେହି ଉଭୟବିଧ ପ୍ରୀତି ଯୁଗପତ୍‌ ଅନୁଭବ କରିବାକୁ ସମର୍ଥ ହେଲେ । ଯେବେ ଶୁଭ୍ର ପୁଷ୍ପ ପାଟଳ ନବପଲ୍ଲବ ଉପରେ ସନ୍ନିବିଷ୍ଟ ହୁଅନ୍ତା କିମ୍ବା ଯେବେ ସ୍ୱଳ୍ପ ମୁକ୍ତାଫଳ ନିର୍ମଳ ପ୍ରବାଳୋପରି ସଂସ୍ଥିତ ରହନ୍ତା, ତାହାହେଲେ ପର୍ବତରାଜକନ୍ୟାଙ୍କର ତାମ୍ରବର୍ଣ୍ଣ ଅଧରଦେଶରେ ସ୍ଫୁରିତ ସୁମଧୁର ହାସ୍ୟ ସଙ୍ଗେ ତୁଳନୀୟ ହୋଇ ପାରନ୍ତା । ମଧୁରଭାଷିଣୀ ପାର୍ବତୀ ଯେତେବେଳେ ଅମୃତସ୍ରାବୀ କଣ୍ଠସ୍ୱରରେ କଥୋପକଥନ କରୁଥିଲେ, ସେତେବେଳେ କୋକିଳାର କଣ୍ଠରବ ଶ୍ରୋତୃବର୍ଗଙ୍କୁ ବିଷମବଦ୍ଧା ବୀଣାସ୍ୱର ପରି ନିତାନ୍ତ ଶ୍ରୁତିକଟୁ ବୋଧ ହେଉଥିଲା । ସେହି ବିଶାଳଲୋଚନା ଅଦ୍ରିତନୟା ବାତବିକମ୍ପିତ ନୀଳୋତ୍ପଳଦଳସଦୃଶ ଚଞ୍ଚଳ ଦୃଷ୍ଟିବିକ୍ଷେପ ହରିଣୀମାନଙ୍କଠାରୁ ଶିକ୍ଷା କରିଥିଲେ, କି ହରିଣୀମାନେ ତାହା ତାଙ୍କଠାରୁ ଶିକ୍ଷା କରିଥିଲେ, ଏହା ନିର୍ଣ୍ଣୟ କରାଯାଇ ନ ପାରେ । ଯେବେ ତିର୍ଯ୍ୟକ୍‌ଜାତୀୟ ପ୍ରାଣୀମାନଙ୍କର ଲଜ୍ଜା-ବୋଧ ଥାଆନ୍ତା, ତାହାହେଲେ ଚମରୀମାନେ ନିଶ୍ଚୟ ପାର୍ବତୀଙ୍କର ସେହି ସୁମନୋଜ୍ଞ କେଶପାଶ ଅବଲୋକନ କରି ସ୍ୱକୀୟ ପୁଚ୍ଛ-ପ୍ରିୟତ୍ୱ ଶିଥିଳ କରି ପକାନ୍ତେ । ସ୍ଥୂଳତଃ କହିବାକୁ ଗଲେ, ବିଧାତା ଏକାଧାରରେ ଅଶେଷ ସୌନ୍ଦର୍ଯ୍ୟଦିଦୃକ୍ଷୁ ହୋଇ ସବିଶେଷ ଯତ୍ନସହକାରେ ତାଙ୍କୁ ନିର୍ମାଣ କରିଥିଲେ ।

 

ଏକଦା ଦେବର୍ଷି ନାରଦ ଭ୍ରମଣ କରୁ କରୁ ଯଦୃଚ୍ଛାକ୍ରମେ ହିମାଳୟ-ଭବନରେ ଉପସ୍ଥିତ ହେଲେ । ସେହି ଅସାଧାରଣ ରୂପଲାବଣ୍ୟ ସମ୍ପନ୍ନା କନ୍ୟାଙ୍କୁ ସେ ପିତୃସନ୍ନିଧାନରେ ଅବଲୋକନ କରି ପରମପ୍ରୀତି ପ୍ରକାଶ କଲେ ଏବଂ ପାର୍ବତୀ ଯଥାକାଳରେ ଅନନ୍ୟଦାର ମହାଯୋଗୀ ମହାଦେବଙ୍କର ଅର୍ଦ୍ଧାଙ୍ଗୀ ହେବେ ବୋଲି ଭବିଷ୍ୟଦ୍‌ବାଣୀ ବ୍ୟକ୍ତ କଲେ । ଏହି ହେତୁରୁ କନ୍ୟା ଯୌବନରେ ପଦାର୍ପଣ କଲେହେଁ ହିମାଦ୍ରିଙ୍କର ପାତ୍ରାନ୍ୱେଷଣରେ ପ୍ରବୃତ୍ତି ହେଲା ନାହିଁ; ଯେହେତୁରୁ ମନ୍ତ୍ରପୂତ ହବିକୁ ଅଗ୍ନିଭିନ୍ନ ଅନ୍ନ କୌଣସି ତେଜଃ ଗ୍ରହଣ କରିପାରେ ନାହିଁ । ମାତ୍ର ମହାଦେବ ସ୍ୱୟଂ ପ୍ରାର୍ଥୀ ନ ହେବାରୁ ସେ ତାଙ୍କୁ ଅଯାଚିତଭାବରେ କନ୍ୟା ସମ୍ପ୍ରଦାନ କରିବାକୁ ସାହସୀ ହେଲେ ନାହିଁ, କାରଣ କାଳେ ଅନୁରୋଧ ରକ୍ଷା ନ ହେବ, ଏହି ଭୟରେ ସାଧୁମାନେ ଅଭିଳଷିତ ବିଷୟରେ ପ୍ରାୟତଃ ଔଦାସୀନ୍ୟ ଅବଲମ୍ବନ କରନ୍ତି ।

 

ଦାକ୍ଷାୟଣୀ ଯେଉଁଦିନ ପିତାଙ୍କ ମୁଖରେ ପତିନିନ୍ଦା ଶୁଣି ରୋଷପରବଶ ହୋଇ ତନୁତ୍ୟାଗ କଲେ, ପଶୁପତି ସେହିଦିନଠାରୁ ଭୋଗାଭିଳାଷ ପରିତ୍ୟାଗପୂର୍ବକ ବିପତ୍ନୀକ ଅବସ୍ଥାରେ କାଳାତିପାତ କରୁଥିଲେ । ସେହି ଚର୍ମାମ୍ବରଧାରୀ ସଂଯତଚିତ୍ତ ବରେଣ୍ୟ ଯୋଗୀ ହିମାଦ୍ରିର ଯେଉଁ ପ୍ରଦେଶରେ ଦେବଦାରୁବୃକ୍ଷସମୂହ ପୂତଜାତବୀଜଳକଣାରେ ନିତ୍ୟ ପରିସିକ୍ତ, ସେହି ପ୍ରଦେଶର ଅନ୍ତଃପାତୀ ମୃଗନାଭି-ସୁବାସିତ ମଧୁରକଣ୍ଠ କିନ୍ନରବୃନ୍ଦ-ନିଷେବିତ ଗୋଟିଏ କମନୀୟ ସାନୁ ଆଶ୍ରୟ କରି କଠୋର ତପଶ୍ଚରଣରେ ନିଯୁକ୍ତ ଥିଲେ । ତଦୀୟ ଅନୁଚର ପ୍ରମଥବୃନ୍ଦ ମଧ୍ୟ ସେହି ପ୍ରଦେଶରେ ପରମପରିତୋଷ-ସହକାରେ ନମେରୁ-କୁସୁମରେ ଶିରୋଭୂଷଣ ରଚନା କରି ମନଃଶିଳାବିଚ୍ଛୁରିତ ଗାତ୍ରରେ ବିହାର କରୁଥିଲେ ।

 

ଅଦ୍ରିନାଥ ଏହା ଜାଣି ପାରି ଦେବଦେବଙ୍କର ଆରାଧନା ନିମିତ୍ତ କନ୍ୟାଙ୍କୁ ଆଦେଶ ଦେଲେ । ପାର୍ବତୀ ଜୟାବିଜୟାନାମ୍ନୀ ସଖୀସମଭିବ୍ୟାହାରରେ ନିତ୍ୟ ସେହି ଶିବାଧ୍ୟୁଷିତ ସ୍ଥାନକୁ ଗମନ କରି ଅର୍ଘ୍ୟ ପ୍ରଦାନରେ ତାଙ୍କର ସେବା କରିବାକୁ ଲାଗିଲେ । ଅଭିନବଯୌବନ ସମ୍ପନ୍ନା ପାର୍ବତୀ ତପଶ୍ଚରଣରେ ଅନ୍ତରାୟ ହୋଇ ପାରନ୍ତି, ଏହା ଜାଣି ସୁଦ୍ଧା ମହାଦେବ ତାଙ୍କୁ ଉପାସନାରୁ ନିବାରଣ କଲେ ନାହିଁ । ପ୍ରକୃତରେ ବିକାରର କାରଣ ବିଦ୍ୟମାନ ଥିଲେହେଁ ଯେଉଁ ମାନଙ୍କର ଚିତ୍ତ ବିକୃତ ନ ହୁଏ, ସେହିମାନେହିଁ ଧୀରପଦବାଚ୍ୟ । ଅଦ୍ରିତନୟା ପ୍ରତ୍ୟତ ପୂଜା-ପୁଷ୍ପ-ଚୟନ, ହୋମବେଦି-ସମ୍ମାର୍ଜନ ଓ କୁଶଜଳାହରଣ କରି ତାଙ୍କ ସେବାରେ ନିଯୁକ୍ତ ହେଲେ । ତଦୀୟ ଶିରଃସ୍ଥ ଶଶିକଳାର ସ୍ନିଗ୍ଧ କିରଣ ପ୍ରାପ୍ତ ହୋଇ ସେ କ୍ଳାନ୍ତିଜନିତ ଅବସାଦ ଆଦୌ ଅନୁଭବ କରୁ ନ ଥିଲେ ।

Image

 

ତାରକର ଅତ୍ୟାଚାର

 

ଏହି ସମୟରେ ତାରକାସୁର ସ୍ୱର୍ଗବାସୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା । ଅମରବୃନ୍ଦ ଏକାନ୍ତ ଉଦବେଳିତ ହୋଇ ଶେଷରେ ତାହାର ନିଧନୋପାୟବିଧାନାକାଙ୍କ୍ଷାରେ ବିଶ୍ୱସ୍ରଷ୍ଟା ବ୍ରହ୍ମାଙ୍କର ଅନୁଗ୍ରହାର୍ଥୀ ହୋଇ ସୁରରାଜଙ୍କସହ ବ୍ରହ୍ମଲୋକକୁ ଗମନ କଲେ । ପ୍ରଭାତକାଳରେ ସୂର୍ଯ୍ୟଦେବ ପୁଷ୍କରିଣୀ ସମ୍ମୁଖରେ ଆବିର୍ଭୂତ ହେଲେ ଯେପରି ମୁକୁଳିତ କମଳକୁଳ ଉଲ୍ଲାସରେ ବିକଶିତ ହୋଇ ଉଠେ, ସେହିପରି ସମ୍ମୁଖରେ ଆତ୍ମଭୂ ଆବିର୍ଭୂତ ହୁଅନ୍ତେ ଦେବତାମାନଙ୍କର ପରିମ୍ଳାନ ବଦନମଣ୍ଡଳ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ଉଠିଲା-। ଅନନ୍ତର ଅମରବୃନ୍ଦ ସର୍ବବିଦ୍ୟାଧିଷ୍ଠାତା ସର୍ବଲୋକପିତାମହ ପ୍ରଜାପତିଙ୍କୁ ନମସ୍କାର କରି ଅର୍ଥଯୁକ୍ତ ସୁଭାଷିତ ବାକ୍ୟରେ ସ୍ତୁତି କରିବାକୁ ଆରମ୍ଭ କଲେ ।

 

‘‘ଭଗବାନ୍, ସୃଷ୍ଟିର ପ୍ରାକ୍କାଳରେ ଆପଣ ଏକମାତ୍ର ବ୍ରହ୍ମରୂପରେ ସର୍ବତ୍ର ଅବସ୍ଥିତ ଥିଲେ-। ପରେ ସତ୍ତ୍ୱାଦି ଗୁଣତ୍ରୟଦ୍ୱାରା ବିଭକ୍ତ ହୋଇ ବ୍ରହ୍ମା, ବିଷ୍ଣୁ, ଶିବରୂପ ଧାରଣ କରିଅଛନ୍ତି । ଅତଏବ ଆମ୍ଭେମାନେ ସଂପ୍ରତି ତ୍ରିମୂର୍ତ୍ତିସଂପନ୍ନ ଆପଣଙ୍କ ଚରଣାରବିନ୍ଦରେ ନମସ୍କାର କରୁଅଛି । ଆପଣ ଜଳ ମଧ୍ୟରେ ଯେଉଁ ଅମୋଘ ବୀଜ ବପନ କରିଥିଲେ, ଏହି ଚରାଚର ବ୍ରହ୍ମାଣ୍ଡ ତହିଁରୁ ଉଦ୍ଭୂତ ହୋଇଅଛି । ତେଣୁ ଆପଣହିଁ ଏହି ଜଗତର ଆଦିକାରଣ ବୋଲି ସର୍ବତ୍ର ପରିକୀର୍ତ୍ତିତ-। ଅବସ୍ଥାତ୍ରୟରେ ସ୍ୱମହିମା ପ୍ରକଟିତ କରି ଆପଣ ସଂସାରର ସୃଷ୍ଟି, ସ୍ଥିତି, ପ୍ରଳୟର ନିଦାନ ହୋଇଅଛନ୍ତି । ସିସୃକ୍ଷାର ବଶବର୍ତ୍ତୀ ହୋଇ ଆପଣ ସ୍ୱମୂର୍ତ୍ତିକୁ ଯେଉଁ ଦୁଇଖଣ୍ଡରେ ବିଭକ୍ତ କରିଥିଲେ, ତହିଁରୁ ଆଦି ନରନାରୀଙ୍କର ଉଦ୍ଭବ ହୋଇଥିଲା । ଆପଣ ସ୍ୱକାଳ ପରିମାଣ ଅନୁସାରେ ଦିବାରାତ୍ରିକୁ ବିଭକ୍ତ କରି ଯେତେବେଳେ ସୁପ୍ତ ହୁଅନ୍ତି, ସେତେବେଳେ ଜଗତର ପ୍ରଳୟ ଏବଂ ଯେତେବେଳେ ଜାଗରିତ ହୁଅନ୍ତି ସେତେବେଳେ ତାହାର ସୃଷ୍ଟି ହୋଇଥାଏ । ଆପଣ ଜଗତର ସୃଷ୍ଟିକର୍ତ୍ତା । ମାତ୍ର ଆପଣଙ୍କର କେହି ସ୍ରଷ୍ଟା ନାହାନ୍ତି । ଆପଣ ଏହି ଜଗତର ସଂହାରକ, କିନ୍ତୁ ଆପଣଙ୍କର ସଂହାରକ ଅନ୍ୟ କେହି ନାହିଁ । ଆପଣ ଜଗତର ଆଦିଭୂତ, ମାତ୍ର ସ୍ୱୟଂ ଅନାଦି । ଆପଣ ଏହି ବ୍ରହ୍ମାଣ୍ଡର ଈଶ୍ୱର, ମାତ୍ର ଆପଣଙ୍କର ଈଶ୍ୱର କେହି ନାହାନ୍ତି । ସର୍ବଶକ୍ତି ସମ୍ପନ୍ନ ଆତ୍ମାଦ୍ୱାରାହିଁ ଆପଣ ଆପଣାକୁ ଜାଣି ପାରନ୍ତି, ନିଜ ସୃଷ୍ଟି ନିଜେହିଁ ସମାଧାନ କରନ୍ତି ଏବଂ ଆପେ ଆପଣାଠାରେ ବିଲୀନ ହୁଅନ୍ତି । ଏହି ପରିଦୃଶ୍ୟମାନ ଜଗତର ସ୍ଥୂଳ, ସୂକ୍ଷ୍ମ; ଦ୍ରବ, ଘନ; ଲଘୁ, ଗୁରୁ, ବ୍ୟକ୍ତ, ଅବ୍ୟକ୍ତ ଯେ ସକଳପଦାର୍ଥ ପରିଦୃଷ୍ଟ ହୁଏ, ସେ ସମସ୍ତହିଁ ଆପଣ; ଆପଣ ଇଚ୍ଛାନୁସାରେ ସବୁ ପଦାର୍ଥ ହୋଇ ପାରନ୍ତି । ମହାତ୍ମନ୍, ଯାହାର ଆରମ୍ଭରେ ଓଁକାର, ଉଦାତ୍ତ, ଅନୁଦାତ୍ତ ଓ ସ୍ୱରିତ ସ୍ୱରସଂଯୋଗରେ ଯାହାର ଉଦୀରଣ ସମାହିତ ହୁଏ, ଯାହା ଯଜ୍ଞର ପ୍ରବର୍ତ୍ତକ ଏବଂ ଯାହାର ଅଧ୍ୟୟନର ଫଳ ଅପବର୍ଗ ଆପଣ ସେହି ବେଦର ପ୍ରଣେତା । ଭଗବନ୍ ପଣ୍ଡିତମାନେ ଆପଣଙ୍କୁହିଁ ପୁରୁଷାର୍ଥପ୍ରବର୍ତ୍ତିନୀ ପ୍ରକୃତି ଏବଂ ପ୍ରକୃତିକାର୍ଯ୍ୟଦର୍ଶୀ ଉଦାସୀନ ପୁରୁଷରୂପେ ନିର୍ଦ୍ଦେଶ କରିଥାନ୍ତି । ଆପଣହିଁ ହବ୍ୟ ଓ ହୋତା, ଭୋଜ୍ୟ ଓ ଭୋକ୍ତା, ଦର୍ଶନୀୟ ଓ ଦ୍ରଷ୍ଟା ଏବଂ ଧ୍ୟେୟ ଓ ଧ୍ୟାତା ଅଟନ୍ତି ।’’

 

ବିଧାତା ଦେବତାମାନଙ୍କର ମୁଖନିଃସୃତ ଏହି ପବିତ୍ର ଓ ସୁମନୋହର ସ୍ତୁତିବାଦ ହୃଦୟଙ୍ଗମ କରି ପ୍ରସନ୍ନାନ୍ତଃକରଣରେ ପ୍ରଶ୍ନ କଲେ, ‘‘ଅମରବୃନ୍ଦ ! ତୁମ୍ଭେମାନେ ସମସ୍ତେ ଏକତ୍ର ହୋଇ ଆଜି କି ହେତୁରୁ ଏଠାରେ ସମବେତ ହୋଇଅଛ ? ସ୍ୱକୀୟ କ୍ଷମତାବଳରେ ସ୍ୱସ୍ୱ ଅଧିକାରରେ ସର୍ବକୁଶଳରେ ପ୍ରତିଷ୍ଠିତ ଅଛ ତ ? ଜ୍ୟୋତିଷ୍କମଣ୍ଡଳୀ ହିମରତୁସମାଗମରେ ପରିମ୍ଳାନ ହୋଇ ଯେପରି ସମୁଜ୍ଜ୍ୱଳ ଜ୍ୟୋତିଶ୍ଚଟା ବିକିରଣ କରନ୍ତି ନାହିଁ, ସେହିପରି ତୁମ୍ଭମାନଙ୍କ ବଦନମଣ୍ଡଳ ମଳିନ ଓ ବିବିର୍ଣ୍ଣ ହୋଇଥିବା ଦେଖି ମୋ ମନରେ ଘୋର ସନ୍ଦେହ ଜାତ ହେଉଅଛି । ଆଉ ମଧ୍ୟ ତୁମ୍ଭମାନଙ୍କର ଅସ୍ତ୍ରଶସ୍ତ୍ରସମୂହ ପୂର୍ବେ ଯେପରି ତେଜୋମୟ ଦେଖାଯାଉଥିଲା, ବର୍ତ୍ତମାନ ସେପରି ଦେଖାଯାଉ ନାହିଁ । ଯେପରି ବିଶେଷ ବିଧି ସାମାନ୍ୟ ବିଧିକୁ ସ୍ଥାନଚ୍ୟୁତ କରେ, ସେହିପରି କୌଣସି ପ୍ରବଳ ଶତ୍ରୁ ତୁମ୍ଭମାନଙ୍କୁ ପ୍ରତିଷ୍ଠିତ ପଦବୀରୁ ସ୍ଥାନଚ୍ୟୁତ କରିଅଛି କି ? ହେ ବତ୍‌ସରଣ ! ତୁମ୍ଭେମାନେ ସମସ୍ତେ ସମବେତ ହୋଇ କଣ ପ୍ରାର୍ଥନା କରିବାକୁ ମୋ ନିକଟକୁ ଆସିଅଛ ? ତୁମ୍ଭେମାନେ ଜାଣ ଯେ, କେବଳ ସୃଷ୍ଟି କରିନାହିଁ ମୋର କାର୍ଯ୍ୟ; ସୃଷ୍ଟିରକ୍ଷା ଭାର ତୁମ୍ଭମାନଙ୍କ ଉପରେ ନ୍ୟସ୍ତ ରହିଅଛି ।’’ ଅନନ୍ତର ଦେବେନ୍ଦ୍ର ସୁରଗୁରୁ ବୃହସ୍ପତିଙ୍କୁ ନେତ୍ରସଙ୍କେତଦ୍ୱାରା ପ୍ରତ୍ୟୁତ୍ତର ପ୍ରଦାନ କରିବାକୁ କହିବାର ବୃହସ୍ପତି ବଦ୍ଧକରପୁଟରେ ବ୍ରହ୍ମାଙ୍କୁ ବକ୍ଷ୍ୟମାଣ ବାକ୍ୟଗୁଡ଼ିକ କହିବାକୁ ଲାଗିଲେ । ‘‘ମହାଭାଗ ! ଆପଣ ଯାହା କହିଲେ, ତାହା ପ୍ରକୃତ, ଶତ୍ରୁମାନେ ଆମ୍ଭମାନଙ୍କୁ ସ୍ୱ ସ୍ୱ ଅଧିକାରରୁ ବିଚ୍ୟୁତ କରିଅଛନ୍ତି । ଆପଣ ଅନ୍ତର୍ଯ୍ୟାମୀରୂପେ ସମସ୍ତଙ୍କ ହୃଦୟରେ ବିରାଜିତ ଥିବା ସ୍ଥଳେ କାହିଁକି ବା ଏହା ଜାଣି ନ ପାରିବେ ? ପ୍ରଭୋ ତାରକାସୁର ଆପଣଙ୍କ ନିକଟରୁ ବର ଲାଭ କରି ତାହା ପ୍ରଭାବରେ ଅତ୍ୟନ୍ତ କ୍ଷମତାଶାଳୀ ହୋଇ ଧୂମକେତୁ ପରି ବର୍ତ୍ତମାନ ତ୍ରିଭୁବନ ଧ୍ୱଂସ କରିବାକୁ ଉଦ୍ୟତ ହେଉଅଛି; ସେହି ତାରକାସୁର ଭୟରେ ଭୀତ ହୋଇ ସ୍ୱୟଂ ତିକ୍ଷ୍ଣରଶ୍ମି ସୂର୍ଯ୍ୟ ତାହାର କ୍ରୀଡ଼ାସରୋବରରେ ପଦ୍ମସମୂହ ପ୍ରସ୍ଫୁଟିତ କରିବାପାଇଁ ଯେତିକି ପରିମାଣରେ କିରଣ ପ୍ରୟୋଜନୀୟ, ତେତିକି ମାତ୍ର ପ୍ରଦାନ କରି ସେଠାରେ ଅବସ୍ଥାନ କରୁଅଛନ୍ତି । କୃଷ୍ଣ ଓ ଶୁକ୍ଳ ଉଭୟ ପକ୍ଷରେ ଚନ୍ଦ୍ର ସମଗ୍ର କଳାରେ ପୂର୍ଣ୍ଣ ହୋଇ ସେହି ଅସୁରର ସେବା କରୁଅଛନ୍ତି । କାଳେ କୁସୁମହରଣ ଅପରାଧରେ ଅସୁର ନିକଟରେ ଦଣ୍ଡନୀୟ ହେବାକୁ ହେବ, ଏହି ଭୟରେ ପବନ ତାହା ଉଦ୍ୟାନରେ ସଞ୍ଚରଣ ନ କରି ତଦୀୟ ସମୀପରେ ଅବସ୍ଥାନପୂର୍ବକ ବ୍ୟଜନସଞ୍ଚାଳିତ ବାୟୁ ପରି ମୃଦୁଗତିରେ ପ୍ରବାହିତ ହେଉଅଛନ୍ତି । ବସନ୍ତାଦି ଋତୁମାନେ ପର୍ଯ୍ୟାୟକ୍ରମେ ଆବିର୍ଭୁତ ନ ହୋଇ, ଏକ ସମୟରେ ନାନାବିଧ ପୁଷ୍ପୋତ୍ତ୍ପାଦନପୂର୍ବକ ଉଦ୍ୟାନପାଳ ପରି ତାହାର ସେବା କରୁଅଛନ୍ତି । ବରୁଣ ଜଳମଧ୍ୟରେ ଉପଢ଼ୌକନୋଚିତ ରତ୍ନରାଜିର ପରିଣମନ କାଳକୁ ଏକାନ୍ତ ଉତ୍କଣ୍ଠିତ ଚିତ୍ତରେ ଅପେକ୍ଷା କରିଅଛନ୍ତି । ବାସୁକିପ୍ରମୁଖ ଭୁଜଙ୍ଗମଗଣ ସ୍ୱ ସ୍ୱ ଶିରୋଦେଶସ୍ଥ ସମୁଜ୍ଜ୍ୱଳ ମଣିପ୍ରଭାରେ ରାତ୍ରିରେ ସେହି ଅସୁରପୁରୀ ଆଲୋକିତ କରୁଅଛନ୍ତି । ଅନ୍ୟମାନଙ୍କ କଥା ବା କଣ କହିବି, ସ୍ୱୟଂ ଦେବରାଜ ଇନ୍ଦ୍ର ମଧ୍ୟ ସେହି ଅସୁରର ଅନୁଗ୍ରହାକାଂକ୍ଷୀ ହୋଇ ଦୂତଦ୍ୱାରା କଳଦ୍ରୁତ୍ତ୍ପନ୍ନ କୁସୁମରାଶି ସତତ ତାହା ନିକଟକୁ ପ୍ରେରଣ କରି ତାହାକୁ ନିତ୍ୟ ଆରାଧନା କଲେହେଁ ସେ ଦୁର୍ବୃତ୍ତ ତ୍ରିଭୁବନରେ ଘୋର ଅତ୍ୟାଚାର କରୁଅଛି । ଦୁଷ୍ଟଲୋକ ଉପକାରଦ୍ୱାରା କେତେବେଳେ ଶାନ୍ତ ହୁଏ ନାହିଁ । ଅପରାଧର ସମୁଚିତ ପ୍ରତିଫଳ ପାଇଲେ ଶାନ୍ତିଭାବ ଅବଲମ୍ବନ କରିଥାଏ । ସୁରଙ୍ଗନାମରେ ଯେଉଁ ନନ୍ଦନତରୁର ପଲ୍ଲବରାଜି ଅତି ସଦୟଭାବରେ ଧୀରେ ଧୀରେ ଚୟନ କରି ସ୍ୱୀୟ ଭୁଷଣରୂପେ ବ୍ୟବହାର କରୁଥିଲେ, ଏହି ଦୁଷ୍ଟ ତାରକ ସେହି ବୃକ୍ଷକୁ ଛେଦନ ଓ ପାତନର ଯନ୍ତ୍ରଣା ଅନୁଭବ କରାଉଅଛି । ସେହି ଦୁରାତ୍ମା ଯେତେବେଳେ ନିଦ୍ରିତ ଥାଏ, ସେତେବେଳେ ବନ୍ଦୀକୃତ ସୁରାଙ୍ଗନାଗଣ, କାଳେ ପ୍ରବଳବାୟୁ ସଞ୍ଚାରରେ ନିଦ୍ରାଭଙ୍ଗ ହେଲେ କୁପିତ ହୋଇ ପ୍ରହାର କରିବ, ଏହି ଭୟରେ ଦୁଃଖାଶ୍ରୁଦ୍ୱାରା ଚାମର ସିକ୍ତ କରି ଧୀରେ ଧୀରେ ତାହାକୁ ବ୍ୟଜନ କରୁଥାନ୍ତି । ସୁମେରୁ ପର୍ବତର ଯେଉଁ ରତ୍ନମୟ ଶୃଙ୍ଗ ସୂର୍ଯ୍ୟଙ୍କର ଅଶ୍ୱଖୁରଦ୍ୱାରା ଆଦୃତ ହୁଏ । ସଂପ୍ରତି ତାରକ ସେହି ଶୃଙ୍ଗକୁ ଉତ୍‌ପାଟନ କରି ଆଣି ସ୍ୱକୀୟ ଉଦ୍ୟାନରେ କ୍ରୀଡ଼ା ପର୍ବତ କରି ରଖିଅଛି । ତାହାର ଅତ୍ୟାଚାରରେ ବର୍ତ୍ତମାନ ମନ୍ଦାକିନୀରେ କେବଳ ଦିଗଜମାନଙ୍କର ମଦବାରିକଳୁଷିତ ଜଳ ମାତ୍ର ଅବଶିଷ୍ଟ ରହିଅଛି । ସେଥିରେ ଯେ ସମସ୍ତ କନକକମଳ ପ୍ରସ୍ଫୁଟିତ ଥିଲା, ତାରକାସୁରର ଗୃହଦୀର୍ଘିକା ତାହାର ଆଧାର ହୋଇଅଛି । ମହାତ୍ମନ୍ ଅଧିକ ବା କଣ କହିବି କାଳେ ସେହି ଦୁରନ୍ତ କୌଣସି ଦିଗରୁ ହେଲେ ଆସି ହଠାତ୍ ଉପସ୍ଥିତ ହୋଇଯିବ, ଏହି ଭୟରେ ବ୍ୟୋମଚାରୀମାନେ ଯେଉଁ ପଥରେ ରଥ ଚାଳନ କରୁଥିଲେ, ସେହି ପଥ ତ୍ୟାଗ କରିଅଛନ୍ତି । ତେଣୁ ସେମାନେ ଆଉ ଭବନାବଲୋକନଜନିତ ଆନନ୍ଦ ଅନୁଭବ କରି ପାରୁ ନାହାନ୍ତି । ଯାଜ୍ଞିକମାନେ ଯେତେବେଳେ ଆମ୍ଭମାନଙ୍କ ଉଦ୍ଦେଶ୍ୟରେ ଯଜ୍ଞରେ ଆହୁତି ପ୍ରଦାନ କରନ୍ତି, ସେତେବେଳେ ସେହି ମାୟାବୀ ସେ ସ୍ଥାନରେ ଉପସ୍ଥିତ ହୋଇ ଆମ୍ଭମାନଙ୍କ ଅଗ୍ନିରୂପ ମୁଖରୁ ବଳାତ୍କାରରେ ତାହା ଅପହରଣ କରି ଘେନିଯାଏ । ଆମ୍ଭେମାନେ ଏକାନ୍ତ ନିରୁପାୟ ହୋଇ କେବଳ ମାତ୍ର ଚାହିଁ ରହିଥାଉଁ । ମହାବଳଶାଳୀ ତାରକ ଇନ୍ଦ୍ରଙ୍କର ଚିରକାଳାର୍ଜିତ ମୂର୍ତ୍ତିମାନ୍ ଯଶଃସ୍ୱରୂପ ଦୟରତ୍ନ ଉଜୈଃଶ୍ରବାକୁ ଅପହରଣ କରି ନେଇଯାଇଅଛି । ସାନ୍ନିପାତିକ ବିକାରରେ ବୀର୍ଯ୍ୟବାନ୍ ଔଷଧମାନ ଯେପରି ବିଫଳ ହୁଏ, ଏହି କ୍ରୂରକର୍ମା ଅସୁରକୁ ଦମନ କରିବାପାଇଁ ସେହିପରି ଆମ୍ଭେମାନେ ଯେତେ ଉପାୟ ଅବଲମ୍ବନ କରିଅଛୁଁ, ସେ ସମସ୍ତ ବିଫଳ ହୋଇଅଛି । ଭଗବାନ୍ ବିଷ୍ଣୁଙ୍କର ଯେଉଁ ସୁଦର୍ଶନଚକ୍ର ଉପରେ ଆମ୍ଭମାନଙ୍କର ଜୟାଶା ସମ୍ପୂର୍ଣ୍ଣ ନିର୍ଭର କରୁଥିଲା, ସେହି ଅସ୍ତରାଜ ତାରକର ବକ୍ଷସ୍ଥଳରେ ପ୍ରତିହତ ହୋଇ ଅଗ୍ନିସ୍ପୁଲିଙ୍ଗ ଉଦ୍ଗିରଣପୂର୍ବକ ତାହାର କଣ୍ଠରେ ନିଷ୍କରୂପେ ଶୋଭା ପାଇଲା । ସଂପ୍ରତି ସେହି ଦୁର୍ବୃତ୍ତ ଅସୁରର ମଦମତ୍ତ ହସ୍ତିସମୂହ ଐରାବତକୁ ପରାଜିତ କରି ପୁଷ୍କରାଦି ଜଳଦମାଳାରେ ବପ୍ରକ୍ରୀଡ଼ା ଅଭ୍ୟାସ କରୁଅଛନ୍ତି । ଅତଏବ ହେ ବିଭୋ ! ଯେପରି ମୁମୂକ୍ଷୁମାନେ ଭବବନ୍ଧନ ଛେଦନ ଅଭିପ୍ରାୟରେ ଧର୍ମାନୁମୋଦିତ କର୍ମ ସକଳ ଅନୁଷ୍ଠାନ କରିବାର କାମନା କରନ୍ତି, ସେହିପରି ଆମ୍ଭେମାନେ ସେହି ଦୁର୍ବୃତ୍ତ ଅସୁରର ବିନାଶସାଧନ ନିମିତ୍ତ ଜଣେ ସେନାପତି ସୃଷ୍ଟି କରିବାକୁ ଇଚ୍ଛା କରୁଅଛୁଁ । ଦେବରାଜ ଏହି ସେନାପତିଙ୍କ ପୁରୋବର୍ତ୍ତୀ କରି ବନ୍ଦୀକୃତ କାମିନୀକୁ ଶତ୍ରୁ ହସ୍ତରୁ ମୁକ୍ତ କଲା ପରି ବିଜୟଲକ୍ଷ୍ମୀଙ୍କୁ ଅସୁରପୁରୀରୁ ସୁରପୁରକୁ ପ୍ରତ୍ୟାନୟନ କରିବେ । ’ ବୃହସ୍ପତି ଏହିପରି କହି ନିବୃତ୍ତ ହୁଅନ୍ତେ ଆତ୍ମଭୂ ବ୍ରହ୍ମା ପ୍ରତ୍ୟୁତ୍ତରରେ ଯେଉଁ କଥା କହିଲେ, ତାହା ମେଘଗର୍ଜନ ପରବର୍ତ୍ତୀ ବୃଷ୍ଟିପାତ ଅପେକ୍ଷା ଆହୁରି ସୁମଧୁର ବୋଧ ହେଲା । ‘‘ବତ୍‌ସଗଣ, କିଛିଦିନ ଅପେକ୍ଷା କର, ତୁମ୍ଭମାନଙ୍କର ମନସ୍କାମନା ପୂର୍ଣ୍ଣ ହେବ; କିନ୍ତୁ ତୁମ୍ଭମାନଙ୍କର ଏହି ଅଭିଳାଷ ସିଦ୍ଧ କରିବା ପାଇଁ ମୁଁ ସ୍ୱୟଂ ସୃଷ୍ଟିବ୍ୟାପାରରେ ପ୍ରବୃତ୍ତ ହେବି ନାହିଁ । ମୋଠାରୁ ବରଲାଭ କରି ସେହି ଦୈତ୍ୟ ଅଭ୍ୟୁଦୟ ପ୍ରାପ୍ତ ହୋଇଅଛି । ସୁତରାଂ ମୋଦ୍ୱାରା ତାହାର ବିନାଶ ଘଟିବା ଯୁକ୍ତି ସଙ୍ଗତ ନୁହେ । ଦେଖ ସ୍ୱହସ୍ତରେ ରୋପଣ କରି ବିଷବୃକ୍ଷକୁ ମଧ୍ୟ ଲୋକେ ସ୍ୱୟଂ ଛେଦନ କରନ୍ତି ନାହିଁ । ପୂର୍ବେ ସେ କଠୋର ତପଶ୍ଚରଣ ଦ୍ୱାରା ପ୍ରୀତି ସମ୍ପାଦନ କରି ‘ଦେବତାମାନଙ୍କ ହସ୍ତରେ ମରିବି ନାହିଁ’ ଏହି ବର ମାଗିବାରୁ ମୁଁ ତାହାକୁ ସେହି ବର ଦେଇଅଛି । ଯୁଦ୍ଧବିଦ୍ୟାବିଶାରଦ ସେହି ତାରକ ସଂଗ୍ରାମରେ ପ୍ରବୃତ୍ତ ହେଲେ, ମହାଦେବଙ୍କର ଔରସ ସନ୍ତାନ ବ୍ୟତୀତ ଅନ୍ୟ କାହାର ସାଧ୍ୟ ଯେ ସେ ତାହାର ସମ୍ମୁଖୀନ ହୋଇ ଯୁଦ୍ଧ କରିବ ? ସେହି ଦେବଦେବ ନୀଳଲୋହିତ ତମୋଗୁଣାତୀତ ପରମ ଜ୍ୟୋତିସ୍ୱରୂପ । ବରପ୍ରାର୍ଥନା ସମୟରେ ତମୋଗୁଣରେ ବିକୃତବୃଦ୍ଧି ତାରକ ତାହାଙ୍କୁ ଦେଖି ପାରିଲା ନାହିଁ; ସୁତରାଂ ସେ ତାଙ୍କଠାରୁ ଅବଧ୍ୟତ୍ୱ ପ୍ରାର୍ଥନା କରି ନାହିଁ । ତେଣୁ ତାହାଙ୍କର ଆତ୍ମଜ ଭିନ୍ନ ଅନ୍ୟ କେହି ସେହି ଅସୁରକୁ ମାରିବାକୁ କ୍ଷମ ନୁହନ୍ତି । ଅତଏବ ଲୋକମାନେ ଅୟସ୍ଫାନ୍ତମଣିଦ୍ୱାରା ଯେପରି ଲୌହକୁ ଆକର୍ଷଣ କରନ୍ତି, ସେହିପରି ପାର୍ବତୀଙ୍କର ଆଲୋକସାମାନ୍ୟ ରୂପଲାବଣ୍ୟଦ୍ୱାରା ତୁମ୍ଭେମାନେ ଶଙ୍କରଙ୍କର ସମାଧିନିରତ ମନକୁ ଆକର୍ଷଣ କରିବାକୁ ଯତ୍ନବାନ୍ ହୁଅ । ପାର୍ବତୀହି ତ୍ରିଭୁବନ ମଧ୍ୟରେ ତାହାଙ୍କର ତେଜଃ ଧାରଣ କରିବାକୁ କ୍ଷମ ଅଟନ୍ତି । ସେହି ଦେବଦେବ ନୀଳକଣ୍ଠଙ୍କର ଆତ୍ମଜ ତୁମ୍ଭମାନଙ୍କର ସେନାପତି ପଦ ଗ୍ରହଣ କରି ସ୍ୱକୀୟ ବୀର୍ଯ୍ୟପ୍ରଭାବରେ ବନ୍ଦୀକୃତ ସୁରକାମିନୀମାନଙ୍କର ବେଣୀବନ୍ଧନ ମୁକ୍ତ କରିବେ, ଏଥିରେ ସନ୍ଦେହ ନାହିଁ ।’’ ବିଶ୍ୱସ୍ରଷ୍ଟା ପ୍ରଜାପତି ଏହି କଥା କହି ଅନ୍ତର୍ହିତ ହୁଅନ୍ତେ ଦେବତାମାନେ ହରଚିତ୍ତାକର୍ଷଣରୂପ କାର୍ଯ୍ୟ ଅଛିରେ ସମ୍ପାଦନ କରିବା ବିଧେୟ ସ୍ଥିର କରି ସୁରପୁରକୁ ପ୍ରତିଗମନ କଲେ । ଅନନ୍ତର ଦେବରାଜ କନ୍ଦର୍ପକୁ ଏହି କାର୍ଯ୍ୟର ଯୋଗ୍ୟ ସହାୟ ଜାଣି ସବର ତାହାଙ୍କୁ ମନେ ମନେ ସ୍ମରଣ କରିବାରୁ ପୁଷ୍ପଧନ୍ୱା କାମଦେବ ସ୍ୱୀୟ କଣ୍ଠଦେଶରେ କୁସୁମ ଧନୁ ବିଲମ୍ବିତ କରି ଚୂତାଙ୍କୁରାସ୍ତ୍ରଧାରୀ ସ୍ୱସହଚର ବସନ୍ତ ସହିତ କୃତାଞ୍ଜଳିପୁଟରେ ଦେବରାଜଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ।

Image

 

ମଦନ ଦହନ

 

ପ୍ରୟୋଜନ ସିଦ୍ଧି ନିମିତ୍ତ ଆଶ୍ରିତମାନଙ୍କ ପ୍ରତି ପ୍ରଭୁଙ୍କର ସମାଦରର ହ୍ରାସବୃଦ୍ଧି ସ୍ୱାଭାବିକ; ତେଣୁ ମଦନ ଉପସ୍ଥିତ ହେବାମାତ୍ରକେ ଦେବରାଜ ସମବେତ ଦେବତାମାନଙ୍କ ସହ ଆଳାପ ପରିତ୍ୟାଗ କରି ସାଦରସମ୍ବାଷଣପୁରସର ତାଙ୍କୁ ସ୍ୱ ସିଂହାସନ ସମୀପରେ ଉପବେଶନ ନିମିତ୍ତ ସ୍ଥାନ ପ୍ରଦାନ କଲେ । ମଦନ ପ୍ରଭୂଙ୍କର ଏହି ଅନୁଗ୍ରହ ଶିରୋଧାର୍ଯ୍ୟ କରି ଏକାନ୍ତ କୃତକୃତ୍ୟ ହୋଇ ପଚାରିଲେ, ‘‘ମହାତ୍ମନ୍ ! କାହାର ସାମର୍ଥ୍ୟ କେତେଦୂର ତାହା ଆପଣଙ୍କୁ ଉତ୍ତମରୂପେ ଜଣାଅଛି । ତ୍ରିଭୁବନ ମଧ୍ୟରେ ଆପଣଙ୍କର କି କାର୍ଯ୍ୟ କରିବାକୁ ହେବ କହନ୍ତୁ । ମୋତେ ସ୍ମରଣ କରିବାଦ୍ୱାରା ଆପଣ ମୋ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଅଛନ୍ତି, କାର୍ଯ୍ୟ କରିବାକୁ ଆଦେଶ ଦେବାଦ୍ୱାରା ତାହା ସଂବର୍ଦ୍ଧିତ କରିବା ହେଉ, ଏହାହିଁ ମୋର ପ୍ରାର୍ଥନା । ଆପଣଙ୍କର ଇନ୍ଦ୍ରଙ୍କୁ ହରଣ କରିବାକୁ ଅଭିଳାଷୀ ହୋଇ କେଉଁ ଲୋକ ଦୀର୍ଘକାଳବ୍ୟାପୀ କଠୋର ତପସ୍ୟାଦ୍ୱାରା ଆପଣଙ୍କର ଈର୍ଷା ଓ ଉଦ୍ଦ୍ୟୋଗ ଉତ୍ତ୍ପାଦନ କରିଅଛି କି ? ତେବେ କହନ୍ତୁ, ମୁଁ ଆଉ କାଳ ବିଳମ୍ବ ନ କରି ମଦୀୟ ଶରାସନରେ ଶରସଂଯୋଗପୂର୍ବକ ତାହାକୁ ଆପଣଙ୍କର ନିର୍ଦ୍ଦେଶ ପାଳନରେ ନିଯୁକ୍ତ କରେଁ । କୌଣସି ଲୋକ ଆପଣଙ୍କ ଇଚ୍ଛା ବିରୋଧରେ ପୁନର୍ଜନ୍ମଯନ୍ତ୍ରଣାରୁ ପରିତ୍ରାଣ ପାଇବା ଆଶୟରେ ମୁକ୍ତିପଥରେ ପଥିକ ହୋଇଅଛି କି ? ତାହାହେଲେ ସେ ଅବିଳମ୍ବେ ସୁନ୍ଦରୀ କାମିନୀ ମାନଙ୍କର ସୁଚତୁର କଟାକ୍ଷନିକ୍ଷେପରେ ସଂବିଦ୍ଧ ହୋଇ ଅବଲମ୍ବିତ ମାର୍ଗର ବିଚ୍ୟୁତ ହେବ, ଏଥିରେ ସନ୍ଦେହ ନାହିଁ । ସେ ଯେବେ ସ୍ୱୟଂ ଶୁକ୍ରାଚାର୍ଯ୍ୟଙ୍କଠାରୁ ନୀତିଶାସ୍ତ୍ର ଅଧ୍ୟୟନ କରିଥାଏ, ତଥାପି ମୁଁ ମୋର ଅନୁରାଗ ନାମକ ଦୂତକୁ ନିଯୁକ୍ତ କରି ଜଳପ୍ରବାହ ନଦୀର ଉଭୟତୀରକୁ ଭଗ୍ନ କଲା ପରି ତାହାର ଧର୍ମ ଓ ଅର୍ଥ ନଷ୍ଟ କରିଦେବି । ବୀରବର ! ପ୍ରସନ୍ନ ହୁଅନ୍ତୁ । ଆପଣଙ୍କ ବଜ୍ର ବିଶ୍ରାମ ଲାଭ କରୁ । ମୋର ସାୟକ ସାହାଯ୍ୟରେ କେଉଁ ସୁରଶତ୍ରୁକୁ ହତବୀର୍ଯ୍ୟ କରିବି ଆଦେଶ କରନ୍ତୁ । ଦେବ, କୁସୁମହିଁ ମୋର ଆୟୁଧ ହେଲେହେଁ, ଆପଣଙ୍କ ଅନୁଗ୍ରହରୁ ବସନ୍ତର ସହାୟତାରେ ମୁଁ ସ୍ୱୟଂ ପିନାକପାଣି ହରଙ୍କର ମଧ୍ୟ ଧୈର୍ଯ୍ୟଚ୍ୟୁତି ଜନ୍ମାଇ ପାରେଁ । ଅନ୍ୟ ଧନୁର୍ଦ୍ଧାରୀମାନଙ୍କ କଥା ବା କଣ କହିବି ?’’ ଏହି କଥାରେ ଆଖଣ୍ଡଳ ଅଭୀଷ୍ଟସିଦ୍ଧିରେ ଆଶାନ୍ୱିତ ହୋଇ ସ୍ୱକୀୟ ଗୁରୁଦେଶରୁ ଦକ୍ଷିଣ ଚରଣ ଅବତରଣ କରାଇ ସିଂହାସନର ପାଦପୀଠରେ ସଂସ୍ଥାପନ କଲେ ଏବଂ ଯେଉଁ କାର୍ଯ୍ୟ ସାଧନ ନିମିତ୍ତ ସେ ଉତ୍ସୁକ ହୋଇଥିଲେ, ସେହି କାର୍ଯ୍ୟରେ କାମଦେବଙ୍କୁ ସ୍ୱୟଂ ଉତ୍‌ତ୍ସାହୀ ଓ ବ୍ୟଗ୍ର ଦେଖି ତାଙ୍କୁ ବକ୍ଷ୍ୟମାଣ ବାକ୍ୟ କହିବାକୁ ଲାଗିଲେ । ‘‘ସଖେ ! ଯାହା କହିଲ, ତୁମ୍ଭଠାରେ ତାହା ସମ୍ଭବପର । ତୁମ୍ଭେ ଏବଂ ବଜ୍ର ମୋର ପରମାସ୍ତ୍ର । ତେବେ ବଜ୍ର ତପୋବୀର୍ଯ୍ୟସଂପନ୍ନ ମହାପୁରୁଷମାନଙ୍କ ନିକଟରେ ଆତ୍ମଶକ୍ତି ପ୍ରକାଶରେ କୁଣ୍ଠିତ, କିନ୍ତୁ ତୁମ୍ଭେ ସର୍ବତୋଗାମୀ ଓ ଅବ୍ୟର୍ଥ ସନ୍ଧାନ । ତୁମ୍ଭର ଯୁକ୍ତ କରିବି । ଦେଖ, ନାରାୟଣ ଶେଷଙ୍କର ଭୂଭାରବହନ କ୍ଷମତା ଦର୍ଶନ କରି ତାହାଙ୍କୁ ସ୍ୱଦେହ ବହନ କାର୍ଯ୍ୟରେ ନିଯୁକ୍ତ କରିଅଛନ୍ତି । ମହାଦେବଙ୍କ ଉପରେ ମଧ୍ୟ ତୁମ୍ଭର ବାଣର କ୍ଷମତା ଅଛି । ଏହି କଥା ନିଜ ମୁଖରେ ପ୍ରକାଶ କରି ତୁମ୍ଭେ ଆମ୍ଭମାନଙ୍କ ସଂକଳ୍ପିତ କାର୍ଯ୍ୟର ଭାରଗ୍ରହଣରେ ଏକପ୍ରକାର ଅଙ୍ଗୀକାର କରିଅଛ । ପ୍ରବଳଶତ୍ରୁର ପରାକ୍ରମରେ ଉତ୍ତ୍ପୀଡ଼ିତ ଯଜ୍ଞାଂଶଭୋଜୀ ଦେବତାମାନଙ୍କର ଏହାହିଁ ଅଭୀପ୍ସିତ ବିଷୟ । ଦେବତାମାନେ ଜୟଲାଭ ନିମିତ୍ତ ଶିବଙ୍କର ତେଜଃସମ୍ଭୁତ ସେନାନୀଲାଭ କରିବାକୁ ଇଚ୍ଛା କରନ୍ତି । ପରମଯୋଗୀ ଶଙ୍କର ସଂପ୍ରତି ମନ୍ତ୍ରନ୍ୟାସପୂର୍ବକ ଧ୍ୟାନମଗ୍ନ । ତୁମ୍ଭର ସାୟକବ୍ୟତୀତ ଅନ୍ୟ କୌଣସି ଉପାୟରେ ତାହାଙ୍କୁ ଆମ୍ଭମାନଙ୍କ ଉଦ୍ଦେଶ୍ୟସିଦ୍ଧିର ଅଭିମୁଖୀନ କରାଯାଇ ପାରେ ନାହିଁ । ହିମାଦ୍ରି ତନୟା ପୁଣ୍ୟବତୀ ପାର୍ବତୀଙ୍କୁ ପତ୍ନୀରୂପରେ ଗ୍ରହଣ କରିବାପାଇଁ ଶିବ ଯେପରି ଅଭିଳାଷୀ ହୁଅନ୍ତି, ସେ ବିଷୟରେ ଯତ୍ନ କରିବାକୁ ହେବ । ରମଣୀମାନଙ୍କ ମଧ୍ୟରେ ପାର୍ବତୀହିଁ କେବଳ ଶିବଙ୍କର ତେଜଃ ସଂଧାରଣ କରିବାରେ କ୍ଷମ, ଏହା ସ୍ୱମ୍ଭଂ ବ୍ରହ୍ମା କହିଅଛନ୍ତି । ମୁଁ କେତେଗୁଡ଼ିଏ ଅପ୍ସରାଙ୍କୁ ଗୂଢ଼ଚରରୂପେ ନିଯୁକ୍ତ କରିଥିଲି । ସେମାନଙ୍କଠାରୁ ଶୁଣିଲି ଯେ, ସଂପ୍ରତି ପିତାଙ୍କର ନିଦେଶ ଅନୁସାରେ ପାର୍ବତୀ ଅଧ୍ୱତ୍ୟକାରେ ତପଶ୍ଚର୍ଯ୍ୟାନିରତ ଶିବଙ୍କର ଉପାସନା କରୁଅଛନ୍ତି । ଅତଏବ ତୁମ୍ଭେ ଅବିଳମ୍ବେ ଯାତ୍ରା କରି ଦେବତାମାନଙ୍କର କାର୍ଯ୍ୟସିଦ୍ଧିକର । ଦେବତାମାନଙ୍କର ବିଜୟଲାଭରୁ ନିଦାନଭୂତ ଦେବଦେବ ମହାଦେବଙ୍କ ଉପରେ ଅସ୍ତ୍ରପ୍ରୟୋଗ କରିବାରେ ତୁମ୍ଭେହିଁ ଏକମାତ୍ର କ୍ଷମ । ଅତଏବ ହେ କୃତିନ୍, ଅସାଧାରଣ କର୍ମ ଅତି ସାମାନ୍ୟ ହେଲେହେ ତାହା ଯେ ସଂପାଦନ କରେ, ତାହାର ଯଶୋଲାଭ ହୁଏ; ଏପରି ଗୁରୁତର ଅନନ୍ୟ ସାଧ୍ୟ କାର୍ଯ୍ୟ ସଂସାଧନ କଲେ ତୁମ୍ଭେ ଯେ ଯଶସ୍ୱୀମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବ, ଏଥିରେ ଆଉ ସନ୍ଦେହ କଣ ? ଆହୁରି ମଧ୍ୟ ଦେଖ, ଦେବତାମାନେ ତୁମ୍ଭର ଯାଚକ; ସାଧନୀୟ କାର୍ଯ୍ୟ ତ୍ରିଭୁବନର ହିତକର ଏବଂ ତାହା ତୁମ୍ଭର ଧନୁଦ୍ୱାରା ସାଧ୍ୟ । ତହିଁରେ ଲେଶମାତ୍ର ନିଷ୍ଠୁରତା ବା ହିଂସା ପ୍ରଦର୍ଶନ କରିବାକୁ ହେବ ନାହିଁ-। କି ସୁଖର ବିଷୟ ! ତୁମ୍ଭ ପରି ପରାକ୍ରମଶାଳୀ ହେବାକୁ କାହାର ବା ସ୍ପୃହା ନ ହେବ ? ହେ ମନ୍ମଥ, ବସନ୍ତ ତ ତୁମ୍ଭର ଚିରସହଚର, ତାହାଙ୍କୁ ଅନୁରୋଧ ନ କଲେହେଁ ସେ ଏହି କାର୍ଯ୍ୟରେ ତୁମ୍ଭର ସହାୟତା କରିବେ । ‘ଅଗ୍ନିଙ୍କର ସହାୟତା କର’ ଏ କଥା ସମୀରଣକୁ କେହି କହିଦିଏ କି-?’’ ଅନନ୍ତର କନ୍ଦର୍ପ ଦେବରାଜଙ୍କର ଆଜ୍ଞାକୁ ପ୍ରସାଦମାଳା ପରି ଶିରୋଧାର୍ଯ୍ୟ କରି ପ୍ରସ୍ଥାନ କଲେ-। ଐରାବତ ତାଡ଼ନକର୍କଶ କରତଳଦ୍ୱାରା ଗମନୋଦ୍ୟତ ମଦନର ଗାତ୍ର ସ୍ପର୍ଶ କରି ସୁରପତି ତାଙ୍କ ପ୍ରତି ଯଥେଷ୍ଟ ସମାଦର ପ୍ରଦର୍ଶନ କଲେ । ତଦୀୟ ପ୍ରିୟ ସୁହୃଦ୍ ବସନ୍ତ ଏବଂ ପ୍ରାଣପ୍ରିୟା ରତିଦେବୀ ଏ ବିଷୟରେ ନାନାପ୍ରକାର ଅମଙ୍ଗଳାଶଙ୍କା କରି ତାହାଙ୍କର ଅନୁଗମନ କଲେ । ‘‘ଜୀବନ ରହୁ ଅବା ଯାଉ, କାର୍ଯ୍ୟୋଦ୍ଧାର କରିବାକୁ ହେବ’’ ଏହି ପ୍ରତିଜ୍ଞାରୂଢ଼ ହୋଇ ସେ ହିମାଳୟପ୍ରସ୍ଥୋପରିସ୍ଥ ମହାଦେବଙ୍କ ଆଶ୍ରମରେ ଉପସ୍ଥିତ ହେଲେ ।

 

ସେହି ପବିତ୍ର ତପୋବନ ମଧ୍ୟରେ ସଂଯମଶୀଳ ମୁନିମାନଙ୍କର ଚିତ୍ତୈକାଗ୍ରତା ବିଲୋପ କରି, ବସନ୍ତ ମନୋଭବଗର୍ବା କାରଣଭୂତ ସ୍ୱୀୟ ମନୋରମ ସ୍ୱରୂପ ପ୍ରକଟିତ କରି ସହସା ଆବିର୍ଭୂତ ହେଲେ । ଏହି ସମୟରେ ଉଷ୍ଣରଶ୍ମି ଦିବାକର ଅକାଳରେ ଉତ୍ତର ଦିଗକୁ ଆଶ୍ରୟ କରନ୍ତେ ଦକ୍ଷିଣଦିଗରୂପ କାମିନୀ ଦୁଃଖସମୃତ୍ଥିତ ସଦୃଶ ମଳୟାନିଳ ପରିତ୍ୟାଗ କରିବାକୁ ଲାଗିଲା । ବସନ୍ତାବିର୍ଭାବ ହେବା ମାତ୍ରକେ ଅଶୋକ ବୃକ୍ଷ ଅଭିନବ କିଶଳୟ ଓ କୁସୁମରାଶି ପ୍ରସବ କରିବାକୁ ଆରମ୍ଭ କଲା; ଏପରି କି, ତାହା ସ୍କନ୍ଧଦେଶ ପର୍ଯ୍ୟନ୍ତ ପୁଷ୍ପ ଓ ପଲ୍ଲବରେ ବିଭୂଷିତ ହୋଇ ଉଠିଲା । ଶରନିର୍ମାତା ବସନ୍ତ ଅବିଳମ୍ବରେ ନବପଲ୍ଲବରୂପ ମନୋହା ପକ୍ଷରେ ପରିଶୋଭିତ ଅଭିନବ ଗୂଢ଼ମୁକୁଳରୂପ ବାଣ ନିର୍ମାଣ କରି ତହିଁରେ କାମଧନୁର୍ଦ୍ଧରଙ୍କର ନାମାକ୍ଷରସ୍ୱରୂପ ଭ୍ରମରପଂକ୍ତି ସନ୍ନିବେଶିତ କରିଦେଲେ । ରମ୍ୟଦର୍ଶନ କର୍ଣ୍ଣିକାର କୁସୁମସମୂହ ପ୍ରସ୍ଫୁଟିତ ହୋଇ ତପୋବନକୁ ଶୋଭାମୟ କଲା । ସୁଧାଧାର ସୁଧାକରଙ୍କଠାରେ କଳଙ୍କ ଓ କର୍ଣ୍ଣିକାର କୁସୁମରେ ସୌରଭାଭାବ ଦେଖିଲେ ବୋଧ ହୁଏ, କୌଣସି ବସ୍ତୁକୁ ସର୍ବଗୁଣସଂପନ୍ନ କରି ନିର୍ମାଣ କରିବାରେ ବିଧାତାଙ୍କର ପ୍ରବୃତ୍ତି ପ୍ରାୟଶଃ ପରାଙ୍ମୁଖୀ । ବାଳେନ୍ଦୁକଳାସଦୃଶ ବକ୍ର, ଅପରିସ୍ପୁଟ ପଲାଶ କୁସୁମର ରକ୍ତିମାଦ୍ୱାରା ସେହି ତପୋବନ ସିନ୍ଦୂରିତ ହୋଇ ଉଠିଲା । ବସନ୍ତ-ଲକ୍ଷ୍ମୀ ତିଳକୁସୁମରୂପ ତିଳକ ଉପରେ ଭ୍ରମର ପଂକ୍ତି ରୂପ କଜ୍ଜ୍ୱଳ ବିନ୍ୟାସ କରି କମନୀୟ ଶୋଭା ଧାରଣ କଲେ । ବସନ୍ତ ସମାଗମରେ ସମୀରଣସଂଚାଳିତ ପିୟାଳମଞ୍ଜରୀର ପରାଗରାଶି ଚକ୍ଷୁରେ ପତିତ ଦେବାରୁ ହରିଣଗଣ ଆନନ୍ଦରେ ଉନ୍ମତ୍ତ ହୋଇ ବାୟୁର ବିପରୀତ ଦିଗରେ ଧାବମାନ ଦେବାକୁ ଲାଗିଲେ । ଅଭିନବଚୂତମୁକଳ ଭକ୍ଷଣରେ ମଧୁରକଣ୍ଠ ଫୁସ୍କୋକିଳଗଣ ସୁମଧୁରସ୍ୱରରେ ଚରାଚରପ୍ରହ୍ଳାଦନ ବସନ୍ତ ଜୟଗୀତ ଗାନ କଲେ । ମହାଦେବ ଯେଉଁ ଅରଣ୍ୟରେ ତପସ୍ୟା କରୁଥିଲେ, ସେଠାରେ ତପଶ୍ଚରଣରେ ବ୍ୟାପୃତ ଅନ୍ୟ ତାପସଗଣ ଏହି ଅକାଳ ବସନ୍ତସମାଗମରେ ସମୁତ୍ତ୍ପନ୍ନ ସ୍ୱ ସ୍ୱ ହୃଦ୍‌ବିକାରନିଚୟକୁ ନିରାକୃତ କରି ବହୁକଷ୍ଟରେ ମନକୁ ବଶୀଭୂତ କଲେ । କାମଦେବ ସ୍ୱକୀୟ ପୁଷ୍ଠଚାପରେ ଜ୍ୟାରୋପଣପୂର୍ବକ ରତିସମଭିବ୍ୟାହାରରେ ସେହି ମନୋରମ ତପୋବନରେ ଉପସ୍ଥିତ ହୁଅନ୍ତେ ତତ୍ରତ୍ୟ ଇତର ପ୍ରାଣୀମାନେ ମଧ୍ୟ ମିଥୁନ ଭାବରେ ଚାଳିତ ହେଲେ । ଭ୍ରମର ପ୍ରେୟସୀ ଭ୍ରମରୀର ମଧୁପାନ ଶେଷରେ ପୁଷ୍ଠପାତ୍ରରେ ମଧୁପାନ କଲା ଏବଂ କୃଷ୍ଣସାର ପ୍ରେମଭରରେ ଶୃଙ୍ଗଦ୍ୱାରା ପ୍ରଣୟିନୀ ମୃଗୀର ଗାତ୍ରକଣ୍ଡୃୟନ କରନ୍ତେ ସେ ସ୍ପର୍ଶସୁଖରେ ନେତ୍ର ନିମୀଳନ କରି ରହିଲା । ଅନୁରାଗାତିଶଯ୍ୟନିବନ୍ଧନ କରିଣୀ ପଦ୍ମପରାଗ ସୁରଭି ବାରିଗଣ୍ଡୂଷ ପ୍ରିୟତମକୁ ପାନ କରାଇଲାଏବଂ ଚତ୍ରବାକ ଅର୍ଦ୍ଧୋପଭୁକ୍ତ ମୃଣାଳଖଣ୍ଡ ପ୍ରାଣପ୍ରିୟାକୁ ଭକ୍ଷଣ କରାଇବାକୁ ଲାଗିଲା । ଏହି ମନୋବିମୋହନ ରମଣୀୟ ବସନ୍ତସମାଗରେ ଅପ୍ସରାମାନଙ୍କ ଶ୍ରୁତି ମଧୁର ସଙ୍ଗୀତ ଶ୍ରବଣ କରି ସୁଦ୍ଧା ଦେବଦେବ ଆତ୍ମଧ୍ୟାନରେ ନିମଗ୍ନ ରହିଥିଲେ । ବାସ୍ତବରେ କୌଣସିପ୍ରକାର ବିଘ୍ନ ଜିତେନ୍ଦ୍ରିୟମାନଙ୍କର ସମାଧି ଭଙ୍ଗ କରି ପାରେ ନାହିଁ ।

 

ଏହି ସମୟରେ ନନ୍ଦୀ କାମପ୍ରକୋଷ୍ଠରେ ସୁବର୍ଣ୍ଣମୟ ବେତ୍ରଯଷ୍ଟି ସଂସ୍ଥାପନ କରି ଲତାଗୃହର ଦ୍ୱାରଦେଶରେ ଦଣ୍ଡାୟମାନ ଥିଲେ । ବସନ୍ତ ସମାଗମରେ ପ୍ରମଥମାନଙ୍କୁ ଉନ୍ମତ୍ତ ଦେଖି ସେ ସେମାନଙ୍କର ଚପଳତା ନିବାରଣପାଇଁ ଅଙ୍ଗୁଳିସଙ୍କେତରେ ଇଙ୍ଗିତ କଲେ । ନନ୍ଦୀଙ୍କ ଶାସନାନୁବର୍ତ୍ତୀ ହୋଇ ତତ୍ରତ୍ୟ ତରୁଗଣ ମଧ୍ୟ ନିଶ୍ଚଳ ହୋଇ ରହିଲେ, ଭ୍ରମରଗଣ ଗୁଞ୍ଚନ ପରିତ୍ୟାଗ କଲେ; ପକ୍ଷୀମାନେ ନୀରବ ହେଲେ ଓ ମୃଗସମୂହ କ୍ରୀଡ଼ା ପରିତ୍ୟାଗ କରି ଶାନ୍ତଭାବ ଧାରଣ କଲେ; ଏହିପରି ସେହି ସମଗ୍ର ତପୋବନ ଚିତ୍ରାର୍ପିତ ପରି ସ୍ଥିର ହୋଇ ରହିଲା ।

 

ମଦନ ନନ୍ଦୀଙ୍କର ଦୃଷ୍ଟିପଥ ପରିହାର କରି ସୁରପୁନ୍ନାଗଶାଖା ପରିବେଷ୍ଟିତ ମହାଦେବଙ୍କର ସମାଧିସ୍ଥାନରେ ସମୁପସ୍ଥିତ ହେଲେ । ଆସନ୍ନମୃତ୍ୟୁ ହତଭାଗ୍ୟ କାମଦେବ ସେଠାରେ ଦେଖିଲେ ଯେ ବ୍ୟାଘ୍ରଚର୍ମାବୃତ ଦେବଦାରୁଦ୍ରୁମବେଦିକା ଉପରେ ଯୋଗନିରତ ହୋଇ ସମାସୀନ ଅଛନ୍ତି । ବୀରାସନରେ ଉପବିଷ୍ଟ ଥିବାରୁ ତାହାଙ୍କର ଶରୀରର ଉତ୍ତରାର୍ଦ୍ଧ ନିଶ୍ଚଳ, ଦେହଯଷ୍ଟି ଋଜୁଭାବରେ ବିସ୍ତୃତ ଓ ଅଂସଦ୍ୱୟ ଅବନମିତ ହୋଇଅଛି; କ୍ରୋଡ଼ଦେଶରେ କରତଳଯୁଗଳ ଉତ୍ତାନଭାବରେ ସଂସ୍ଥାପନ କରିଥିବାରୁ ବୋଧ ହେଉଅଛି ଯେପରି ଗୋଟିଏ ଶତଦଳ ଅଙ୍କରେ ପ୍ରସ୍ଫୁଟିତ ହୋଇ ରହିଅଛି । ଜଟାଳକଳାପ ଭୁଜଙ୍ଗମଦ୍ୱାରା ସଂବଦ୍ଧ ଏବଂ ଜପମାଳିକା ଦ୍ୱିଗୁଣିତ ହୋଇ କର୍ଣ୍ଣରେ ଲମ୍ବମାନ ହୋଇଅଛି । ସ୍କନ୍ଧଦେଶରେ ଉତ୍ତରୀୟରୂପେ ବିଲମ୍ବିତ କୃଷ୍ଣମୃଗଚର୍ମ କଣ୍ଠର ନୀଳିମାଦ୍ୱାରା ଅଧିକତର ନୀଳବର୍ଣ୍ଣ ଧାରଣ କରିଅଛି । ତାହାଙ୍କର ନେତ୍ରାନ୍ତର୍ବତ୍ତିନୀ କନୀନିକା ଈଷତ୍‌ବିକଶିତ ଓ ନିଶ୍ଚଳ, ନେତ୍ରତ୍ରୟ ଭ୍ରୂବିକ୍ଷେପଶୂନ୍ୟ ପକ୍ଷ୍ନପନ୍ତି ନିସ୍ପନ୍ଦ ଏବଂ ଦୃଷ୍ଟି ନାସାଗ୍ରନିବଦ୍ଧ ହୋଇ ରହିଅଛି । ପ୍ରାଣବାୟୁକୁ ନିରୋଧ କରିଥିବାରୁ ସେ ବର୍ଷଣ-ଆଡ଼ମ୍ବରଶୂନ୍ୟ ଜୀମୂତ ତରଙ୍ଗବିହୀନ ମହାସାଗର ଏବଂ ନିର୍ବାତପ୍ରଦେଶସ୍ଥ ନିଶ୍ଚଳ ପ୍ରଦୀପ ପରି ବୋଧ ହେଉଅଛନ୍ତି । ତାହାଙ୍କର ଭାଲଦେଶସ୍ଥ ତୃତୀୟନେତ୍ରରୂପୀ ବ୍ରହ୍ମରନ୍ଧ୍ର ଦେଇ ଯେଉଁ ସୂକ୍ଷ୍ମଜ୍ୟୋତୀରେଖା ବିନିର୍ଗତ ହେଉଅଛି, ତଦ୍ଦ୍ୱାରା ମୃଣାଳସୂତ୍ରକୋମଳ ଶଶିକଳାର ତେଜ ମ୍ଳାନ ହୋଇ ଯାଇଅଛି । ନବଦ୍ୱାରନିରୋଧପୂର୍ବକ ମନକୁ ହୃଦୟମଧ୍ୟରେ ସ୍ଥିର କରି ସେ ସ୍ୱକୀୟ ଆତ୍ମାରେ ପରମାତ୍ମାଙ୍କୂ ନିରୀକ୍ଷଣ କରୁଅଛନ୍ତି । କାମଦେବ ତାଦୃଶ୍ୟ ଅବସ୍ଥାପନ୍ନ ସୁଦ୍‌ର୍ଦ୍ଧର୍ଷ ତ୍ରିଲୋଚନଙ୍କୁ ଅଦୂରରୁ ଦର୍ଶନ କରି ଭୟରେ ଶିଥିଳହସ୍ତ ହୋଇ ପଡ଼ିଲେ । ଇତ୍ୟବସରରେ ତାହାଙ୍କର ହସ୍ତରୁ ଯେ ଧନୁର୍ବାଣ ସ୍ଫଳିତ ହୋଇ ଭୂତଳରେ ପଡ଼ି ଯାଇଥିଲା, ତାହା ସେ ଜାଣି ପାରିଲେ ନାହିଁ । ହିମାଦ୍ରି ନନ୍ଦିନୀ ମହାଦେବଙ୍କ ଆରାଧନା ନିମିତ୍ତ ଏହି ସମୟରେ ସହରବୀଭୁତା ବନଦେବତାଦ୍ୱୟସମଭିବ୍ୟାହାରରେ ସେଠାରେ ଆସି ଉପସ୍ଥିତ ହେଲେ । ପଦ୍ମରାଗମଣି ସ୍ଥାନରେ ଅଶୋକ ପୁଷ୍ପ, ହେମଭୂଷଣ ସ୍ଥାନରେ କର୍ଣ୍ଣିକାର କୁସୁମ ଏବଂ ମୁକ୍ତାକଳାପ ସ୍ଥାନରେ ସିନ୍ଧୁବାର କୁସୁମ ପ୍ରଭୃତି ବସନ୍ତ ପୁଷ୍ପାଭରଣ ପରିଧାନ କରି ସେ ଅପୂର୍ବ ଶୋଭା ଧାରଣ କରିଥିଲେ । ତାହାଙ୍କର ଦେହଯଷ୍ଟି ଈଷତ୍‌ଅବନତ ହୋଇଥିଲା; ପରନ୍ତୁ ସେ ବାଳାରୁଣକାନ୍ତି ଗୈରିକ ବସ୍ତ୍ରପରିଧାନ କରି ଥିବାରୁ ତାହାଙ୍କୁ ଦେଖି ବୋଧ ହେଉଥିଲା, ପୁଷ୍ପଭରରେ ଅବନତ ନବ ପଲ୍ଲବଧାରିଣୀ ଗୋଟିଏ ଲତା ସତେ ଯେପରି ଚାଲି ଯାଉଅଛି । ନିତମ୍ବ ଦେଶରେ ରସନାସ୍ଥାନୀୟ ବକୁଳମାଳା ସ୍ଫଳିତ ହୋଇ ପଡ଼ୁଥିବାରୁ ତାହାକୁ ସେ ପୁନଃ ପୁନଃ ହସ୍ତଦ୍ୱାରା ଟେକି ଧରୁଥିଲେ । ନିଃଶ୍ୱାସ ସୌରଭେ ଆକୃଷ୍ଟ ହୋଇ ବଦନ-ସରୋଜ ସମୀପରେ ବିଚରଣ କରୁଥିବା ଦୂରେଫକୁ ସେ ଲୀଳାକମଳ ସଂଚାଳନରେ ନିବାରଣ କରୁଥିଲେ । ସ୍ୱୟଂ ଗତିଦେବୀ ଯାହାଙ୍କର ସୌନ୍ଦର୍ଯ୍ୟାବଲୋକନରେ ଲଜ୍ଜିତ ହେଉଥିଲେ, ସେହି ଅନବଦ୍ୟାଙ୍ଗୀ ପର୍ବତରାଜକନ୍ୟାଙ୍କୁ ସେଠାରେ ଉପସ୍ଥିତ ଦେଖି ଜିତେନ୍ଦ୍ରିୟ ଶୂଳପାଣିଙ୍କର ଚିତ୍ତାକର୍ଷଣରୂପ କାର୍ଯ୍ୟ ସମାଧାନ କରି ପାରିବେ ବୋଲି କାମଦେବ ପୁନର୍ବାର ଆଶାନ୍ୱିତ ହେଲେ । ଅଦ୍ରିତନୟା ଯେଉଁ ମୁହୂର୍ତ୍ତରେ ସେହି ପବିତ୍ର ଆଶ୍ରମର ଦ୍ୱାରଦେଶରେ ଆସି ଉପସ୍ଥିତ ହେଲେ, ଠିକ୍‌ସେହି ସମୟରେ ତ୍ରିଲୋଚନ ସ୍ୱକୀୟ ଆତ୍ମାରେ ପରମାତ୍ମାଜ୍ୟୋତିଃ ଅବଲୋକନପୂର୍ବକ ସମାଧିରୁ ବିରତ ହୋଇ ବୀରାସନ ପରିତ୍ୟାଗ କରି ନିରୁଦ୍ଧ ପ୍ରାଣବାୟୁକୁ ଧୀରେ ଧୀରେ ପରିତ୍ୟାଗ କରୁଥିଲେ । ଏହି ସମୟରେ ନନ୍ଦୀ ପ୍ରଣାମପୂର୍ବକ ନିବେଦନ କଲେ ଯେ, ପାର୍ବତୀ ଶୁଶ୍ରୂଷାନିମିତ୍ତ ଦ୍ୱାରଦେଶରେ ସମୁପସ୍ଥିତ ହୋଇଅଛନ୍ତି । ଦେବଦେବ ଭ୍ରୁସଙ୍କେତରେ ଅନୁମତି ପ୍ରଦାନ କରନ୍ତେ ସେ ତାହାଙ୍କୁ ଆଶ୍ରମ ମଧ୍ୟକୁ ଘେନିଗଲେ । ପାର୍ବତୀଙ୍କ ସଖୀଦ୍ୱୟ ସ୍ୱହସ୍ତରେ କିଶଳୟ ମିଶ୍ରିତ ଯେଉଁ ବାସନ୍ତିକ ପୁଷ୍ପନିଚୟ ଚୟନ କରିଥିଲେ, ପ୍ରଣିପାତପୂର୍ବକ ସେଗୁଡ଼ିକ ତ୍ରିଲୋଚନଙ୍କର ପାଦମୂଳରେ ଅଜାଡ଼ି ଦେଲେ । ପର୍ବତରାଜ ନନ୍ଦିନୀ ମସ୍ତକ ଅବନତ କରି ବୃଷଭଧ୍ୱଜଙ୍କୁ ପ୍ରଣାମ କରିବାବେଳେ ତାହାଙ୍କର ନୀଳବର୍ଣ୍ଣ ଅଳକ ମଧ୍ୟରେ ଶୋଭା ପାଉଥିବା କର୍ଣ୍ଣିକାର କୁସୁମ ଓ କର୍ଣ୍ଣସ୍ଥିତ ଅଭିନବ କିଶଳୟ ସ୍ଫଳିତ ହୋଇ ଭୂତଳରେ ପତିତ ହେଲା । ଅନନ୍ତର ଦେବଦେବ ତାଙ୍କର ଭକ୍ତିପ୍ରାଣତା ଦେଖି ପ୍ରୀତିପୂର୍ଣ୍ଣଅନ୍ତଃ କରଣରେ ‘‘ଅନନ୍ୟାସକ୍ତ ପତି ଲାଭ କର’’ ଏହି ଆଶୀର୍ବାଦ କଲେ । ଆଶୁତୋଷଙ୍କର ଏହି ଆଶୀର୍ବଚନ ଭବିଷ୍ୟତରେ ସଫଳ ହେଲା । ମହାପୁରୁଷମାନଙ୍କର ବାକ୍ୟ କେବେହେଁ ବ୍ୟର୍ଥ ହୁଏ ନାହିଁ । ବହ୍ନି ପ୍ରବେଶାଭିଳାଷୀ ପତଙ୍ଗବତ୍‌କାମଦେବ ବାଣପ୍ରୟୋଗର ଏହା ଉପଯୁକ୍ତ ସମୟ ଜାଣି ଉମାଙ୍କ ସମକ୍ଷରେ ସେହି ଦେବଦେବଙ୍କୁ ଲକ୍ଷ୍ୟ କରି ସ୍ୱୀୟ ଶରାସନର-ବାରଂବାର ଆକର୍ଷଣ କରିବାକୁ ଲାଗିଲେ । ଅନନ୍ତର ଗୌରୀ ମନ୍ଦାକିନୀସଂଜାତ ପଦ୍ମବୀଜ ରୌଦ୍ରରେ ଶୁଷ୍କ କରି ଯେଉଁ ମାଳା ରଚନା କରିଥିଲେ, ତାହା ତପସ୍ୱୀ ଗିରିଶଙ୍କୁ ସମର୍ପଣ କଲେ । ପ୍ରିୟଜନର ପ୍ରୀତି ଉପହାରରୂପେ ମହାଦେବ ତାହା ଗ୍ରହଣ କରୁଅଛନ୍ତି, ଇତ୍ୟବସରେ ପୁଷ୍ପଧନ୍ୱା କୁସୁମଶଚସନରେ ସମ୍ମୋହନନାମକ ଅବ୍ୟର୍ଥ ଶର ସନ୍ଧାନ କଲେ । ଫଳତଃ ଚନ୍ଦ୍ରୋଦୟର ପ୍ରାକ୍କାଳରେ ବିକ୍ଷୁବ୍ଧ ବାରିଧ ପରି ଶିବ କିଞ୍ଚିତ୍ ଲପୁଧୈର୍ଯ୍ୟ ହୋଇ ଉମାଙ୍କ ବିମ୍ବାଧରରେ ସସ୍ପୃହ ଦୃଷ୍ଟିପାତ କରିବାକୁ ଲାଗିଲେ । ଶୈଳଗଜନନ୍ଦିନୀ ମଧ୍ୟ ପ୍ରଫୁଲ୍ଲ ବାଳକଦମ୍ବ ପରି ପୁଲକ୍କିତ କଳେବର ହୋଇ ହୃଦୟର ପ୍ରେମୋଚ୍ଛ୍ୱାସପ୍ରକାଶପୂର୍ବକ କ୍ରୀଡ଼ାବିଭ୍ରାନ୍ତ ନେତ୍ରଶୋଭୀ ସ୍ୱୀୟ ଚାରୁତରୁ ଆନନକୁ ଈଷତ୍‌ବକ୍ର କରି ଅବସ୍ଥିତ ରହିଲେ । ଅନନ୍ତର ଦେବଦେବ ଜିତେନ୍ଦ୍ରିୟତ୍ୱ ପ୍ରଭାବରେ ଇନ୍ଦ୍ରିୟକ୍ଷୋଭ ନିରାକରଣପୂର୍ବକ ଚିତ୍ତବିକୃତିର କାରଣ ଅବଗତ ହେବାପାଇଁ ଚତୁର୍ଦ୍ଦିଗରେ ଦୃଷ୍ଟି ସଞ୍ଚାଳନ କରି ଦେଖିଲେ ଯେ, କାମ ଦକ୍ଷିଣାପାଙ୍ଗ ପର୍ଯ୍ୟନ୍ତ ଧନୁର୍ଗୁଣ ଆକର୍ଷଣପୂର୍ବକ ବାମାଂସ ଅବନମିତ, ବାମପାଦ ଆକୁଞ୍ଚିତ ଓ ସ୍ୱୀୟ ମନୋହର ପୁଷ୍ପଧନୁ ଚକ୍ରୀକୃତ କରି ଶରସନ୍ଧାନରେ ଉଦ୍ୟତ ହୋଇଅଛନ୍ତି । ଏହା ଦେଖି ରୁଦ୍ର ହଠାତ୍ କ୍ରୁଦ୍ଧ ହୋଇପଡ଼ିଲେ । ତାହାଙ୍କର ମୁଖ ବିକଟ ଭ୍ରୃଭଙ୍ଗୀରେ ଭୀଷଣ ହୋଇ ଉଠିଲା ଏବଂ ଚାହୁଁ ଚାହୁଁ ତଦୀୟ ଲଲାଟସ୍ଥ ତୃତୀୟ ନେତ୍ରରୁ ଶିଖାସମନ୍ୱିତ ପ୍ରଦୀପ୍ତ ଅନଳ ବହିର୍ଗତ ହେଲା । ଏହା ଦେଖି ସ୍ୱର୍ଗରେ ଦେବତାମାନେ ଡ଼ାକଦେଲେ ‘‘ପ୍ରଭୋ, କ୍ରୋଧ ସଂବରଣ କରିବା ହେଉ, କ୍ରୋଧ ସଂବରଣ କରିବା ହେଉ, ମାତ୍ର ଦେବତାମାନଙ୍କ ମୁଖନିଃସୃତ ଏହି କଥା ଆକାଶପଥ ଅତିକ୍ରମ କରି ତାଙ୍କ ନିକଟରେ ଉପସ୍ଥିତ ହେବା ପୂର୍ବରୁ ସେହି ହରକୋପବହ୍ନି ମଦନଙ୍କୁ ଭସ୍ମାବଶେଷ କରି ପକାଇଥିଲା । ଏହି ଘୋର ବିପତ୍‌ପାତଜନିତ ମୂର୍ଚ୍ଛା ରତିଦେବୀଙ୍କର ଇନ୍ଦ୍ରିୟସମୂହର କାର୍ଯ୍ୟ ସଂସ୍ତମ୍ଭିତ କରି କ୍ଷଣକାଳପାଇଁ ତାହାକୁ ଭର୍ତ୍ତୃବିୟୋଗଦୁଃଖ ଅନୁଭବରେ ଅକ୍ଷମ କଲା । ବଜ୍ର ଯେପରି ବନସ୍ପତିକୁ ଦଗ୍ଧ କରେ, ତପୋନିଷ୍ଟ ଭୁତନାଥ ତପଶ୍ଚରଣର ପ୍ରତ୍ୟବାୟରୂପା ପ୍ରାୟରେ ଅନୁଚରବର୍ଗ ସହିତ ସେ ସ୍ଥାନରୁ ଅନ୍ତର୍ହିତ ହୋଇଗଲେ । ଚିରିରାଜନନ୍ଦିନୀ ମଧ୍ୟ ପିତାଙ୍କର ଅଭିଳାଷ ଓ ସ୍ୱୀୟ କମନୀୟ ରୂପ-ଶୋଭା ବିଫଳ ହେଲା ଦେଖି ଏବଂ ବିଶେଷତଃ ସଖୀଜନଙ୍କ ସମ୍ମୁଖରେ ଏହା ଘଟିଥିବାରୁ ନିତାନ୍ତ ଲଜ୍ଜିତା ହୋଇ ଶୂନ୍ୟହୃଦୟରେ ଗୃହାଭିମୁଖରେ ପ୍ରସ୍ଥାନ କରିବାକୁ ଉଦ୍ୟତ ହେଉଅଛନ୍ତି, ଇତ୍ୟବସରରେ ଅଦ୍ରିନାଥ ସେଠାରେ ଉପସ୍ଥିତ ହୋଇ ରୁଦ୍ରଙ୍କର କୋପଭୀଷଣମୂର୍ତ୍ତି ଦର୍ଶନରେ ନିମୀଳିତାକ୍ଷୀ କନ୍ୟାଙ୍କୁ କ୍ରୋଡ଼ରେ ଧାରଣପୂର୍ବକ ନିଜ ଗୃହକୁ ଘେନି ଗଲେ ।

Image

 

ରତିବିଳାପ

 

ଅନନ୍ତର ବିଧାତାଙ୍କ ବିଧାନରେ ମୂର୍ଚ୍ଛିତା ପତିପରାୟଣା ରତିଦେବୀ ଅଭିନବ ବୈଧବ୍ୟଯନ୍ତ୍ରଣା ଅନୁଭବ କରିବାପାଇଁ ସଂଜ୍ଞା ଲାଭ କରେ । ଯାହାଙ୍କୁ ଦର୍ଶନ କରି ତାଙ୍କର ନେତ୍ର କେବେ ପରିତୃପ୍ତି ଲାଭ କରି ପାରି ନାହିଁ, ସେହି ନୟନାଭିରାମ ପ୍ରିୟତମ ଯେ ଚିରକାଳନିମିତ୍ତ ଦୃଷ୍ଟିର ଅଗୋଚର ହୋଇଅଛନ୍ତି, ଏହା ସେ ପ୍ରଥମେ ଜାଣି ପାରି ନ ଥିଲେ । ତେଣୁ ସଂଜ୍ଞା ଲାଭ ପରେ ସେ ପତିଦର୍ଶନାକସ୍ଥାରେ ଇତସ୍ତଃତ ଦୃଷ୍ଟି ସଞ୍ଚାଳନ କରି ‘‘ହା ପ୍ରାଣନାଥ ! ତୁମ୍ଭେ କଣ ସତେ ଜୀବନରେ ଅଛ ?’’ ଏହି କଥା କହି ଗାତ୍ରୋତ୍ଧାନପୂର୍ବକ ଦେଖିଲେ ଯେ, ସମ୍ମୁଖରେ ପୁରୁଷାକୃତି ହରକୋପାନଳସଂଭୂତ ଭସ୍ମରାଶି ମାତ୍ର ପଡ଼ିଅଛି । ସେହି ଭସ୍ମରାଶିଦର୍ଶନରେ ସେ ଏକାନ୍ତ ବିହ୍ୱଳ ହୋଇ ବସୁଧାତଳରେ ଅବଲୁଣ୍ଠିତ ହେବାକୁ ଲାଗିଲେ । ତାଙ୍କର ଶରୀର ଓ ଥାଲୁଲାୟିତ କେଶପାଶ ଧୂଳିଧୂସରିତ ହୋଇଗଲା । ସେ ଶୋକବିହ୍ୱଳ ହୋଇ ଏପରି ବିଳାପ କଲେ ଯେ ସେହି ବନର ତରୁଲତା ପ୍ରଭୃତି ଯେପରି ତାଙ୍କ ଦୁଃଖରେ ଦୁଃଖିତ ହୋଇ ପତ୍ରପୁଷ୍ପନିକ୍ଷେପ ଛଳରେ ଅଶ୍ରୁ ବିସର୍ଜନ କରିବାକୁ ଲାଗିଲେ । ‘‘ହେ ପ୍ରାଣନାଥ, ତୁମ୍ଭର ଯେଉଁ ସୁକୁମାର ଶରୀର କମନୀୟାକତି ପୁରୁଷମାନଙ୍କର ରୂପର ଉପମାସ୍ଥଳ ଥିଲା, ତାହା ଏପରି ଦଶା ପ୍ରାପ୍ତ ହୋଇଅଛି ଦେଖି ମୋର ହୃଦୟ ଫାଟି ଯାଉ ନାହିଁ ! ! ଅହୋ, ସ୍ତ୍ରୀମାନଙ୍କର ହୃଦୟ କେଡ଼େ କଠିନ ! ହୃଦୟବଲ୍ଲଭ ! ଜଳସ୍ରୋତ ମୁହୂର୍ତ୍ତକ ମଧ୍ୟରେ ଯେପରି ସେତୁବନ୍ଧନ ଭଗ୍ନ କରି ତଦ୍‌ଗତପ୍ରାଣା ନଳିନୀକୁ ପରିତ୍ୟାଗପୂର୍ବକ ଚାଲିଯାଏ, ସେହିପରି ତୁମ୍ଭେ କ୍ଷଣକାଳମଧ୍ୟରେ ପ୍ରଣୟବନ୍ଧନ ଛିନ୍ନ କରି ତ୍ୱଦ୍‌ଗତପ୍ରାଣା ଏହି ହତଭାଗୀକୁ ଦୂରରେ ନିକ୍ଷେପ କରି କେଉଁଆଡ଼େ ଚାଲିଗଲ ? ନାଥ ! ମୋ ମନରେ କଷ୍ଟ ହେବା ଭଳି କାର୍ଯ୍ୟ ତୁମ୍ଭେ ତ କେବେ କରି ନାହଁ । ମୁଁ ମଧ୍ୟ କେବେହେଁ ତୁମ୍ଭର ପ୍ରତିକୂଳାଚରଣ କରି ନାହିଁ । ତେବେ ବିନାକାରଣରେ ଏହି ବିଳାପକାରିଣୀ ଦାସୀକୁ କାହିଁକି ଦର୍ଶନଦାନରୂପ ଅନୁଗ୍ରହରୁ ବଞ୍ଚିତ କରୁଅଛ ? ‘ପ୍ରେୟସି ! ତୁମ୍ଭେ ମୋର ଅନ୍ତରରେ ଅବସ୍ଥାନ କରି ରହିଅଛ ।’ ଏହି ଯେଉଁ ମଧୁର କଥାଗୁଡ଼ିକ ମୋତେ କହୁଥିଲ, ତାହା କୈତବ ବୋଲି ମୁଁ ବର୍ତ୍ତମାନ ବୁଝି ପାରୁଅଛି । ଯେବେ ତାହା ସେପରି ହୋଇ ନ ଥାନ୍ତା ତେବେ କି ତୁମ୍ଭେ ବର୍ତ୍ତମାନ ଅନଙ୍ଗ ଓ ତୁମ୍ଭର ଅର୍ଦ୍ଧାଙ୍ଗୀ ଅକ୍ଷତଶରୀର ହୋଇ ରହିଥାନ୍ତା ? ତୁମ୍ଭେ ପରଲୋକକୁ ଗମନ କରିଅଛ, ମୁଁ ମଧ୍ୟ ତୁମ୍ଭର ଅନୁଗମନ କରିବି । ତେବେ ବିଧାତା କେବଳ ଶରୀରୀ ଜୀବମାନଙ୍କୁ ବଞ୍ଚନା କଲେ ସିନା-!! କାରଣ ସେମାନଙ୍କର ସୁଖ ତୁମ୍ଭର ଅଧୀନ ଥିଲା । ନିଶାନାଥ ତ୍ୱାଦୃଶ ପ୍ରିୟବନ୍ଧୁଙ୍କର ଶରୀର କଥାବିଶିଷ୍ଟ ହୋଇଅଛି ଜାଣି ପାରି କୃଷ୍ଣପକ୍ଷ ଗତ ହେଲେହେଁ ଅତି କଷ୍ଟରେ କଳେବରର କ୍ଷୀଣତା ପରିତ୍ୟାଗ କରିବେ । ପ୍ରାଣେଶ୍ୱର ! ଯାହାର ବୃନ୍ତ ହରିତ ଓ ଅରୁଣବର୍ଣ୍ଣର ମିଶ୍ରଣରେ ଅତି ସୁନ୍ଦର ଦେଖାଯାଏ ଏବଂ ପୁଂସ୍ତୋକିଳର କଳରୁତ ଯାହାର ଉତ୍ତ୍ପତି ସୂଚନା କରେ, ସେହି ଅଭିନବ ଚୂତମୁକୁଳ ସଂପ୍ରତି ଆଉ କାହାର ବାଣ ହେବ ? ଏହି ଯେଉଁ ଉଡ୍ଡୀୟମାନ ଶ୍ରେଣୀବଦ୍ଧ ଭ୍ରମରପଂକ୍ତିକୁ ତୁମ୍ଭେ ଧନୁର ଗୁଣରୂପେ ବ୍ୟବହାର କରୁଥିଲ, ଆଜି ସେମାନେ ମୋତେ ଏକାନ୍ତ ଶୋକାକୁଳ ଦେଖି ଗୁଞ୍ଜନବ୍ୟାଜରେ କରୁଣ ଧ୍ୱନି କରି ମୋ ସଙ୍ଗେ ବିଳାପ କରୁଅଛନ୍ତି । ହେ ହୃଦୟେଶ ! ନିର୍ଜନବିହାର ସମୟରେ ତୁମ୍ଭେ ମୋ ଗାତ୍ରରେ ବସନ୍ତପୁଷ୍ପଦ୍ୱାରା ଯେ ସମସ୍ତ ଆଭରଣ ରଚନା କରିଥିଲ, ତାହା ଏପର୍ଯ୍ୟନ୍ତ ଅମ୍ଳାନ ରହିଅଛି । ମାତ୍ର ତୁମ୍ଭର ସେହି ଲାବଣ୍ୟମୟ କମନୀୟ ଶରୀର ଦୃଷ୍ଟିର ଅଗୋଚର ହୋଇଅଛି । ଯାହାହେଉ, ଚତୁରୀ ସୂଚକାମିନୀଗଣ ତୁମ୍ଭଙ୍କୁ ପ୍ରଲୁବ୍ଧ କରିବାପୂର୍ବେ ମୁଁ ଶଲୁଭ ପରି ଅଗ୍ନିରେ ପ୍ରବେଶ କରି ସୁର ପୁରରେ ପୁନରପି ତୁମର ଅଙ୍କଶାୟିନୀ ଦେବି, ଏଥିରେ ସନ୍ଦେହ ନାହିଁ । ତଥାପି ମଦନର ମୃତ୍ୟୁ ପରେ ରତି କ୍ଷଣକାଳ ଜୀବିତ ଥିଲା’ ମୋର ଏହି ନିନ୍ଦାବାଦ ଚିରକାଳ ଜଗତୀତଳରେ ଘୋଷିତ ହେବ । ଆହା ନାଥ ! ତୁମ୍ଭର ପରଲୋକପ୍ରସ୍ଥାନକାଳରେ ଅନ୍ତଃବେଶଭୁଷାବିଧାନ ସୁଦ୍ଧା କରି ପାରିବ ନାହିଁ । କିପରି ବା କରନ୍ତି ? ତୁମ୍ଭର ଦେହ ଓ ପ୍ରାଣ ଅତି ଅଭାବନୀୟ ରୂପେ ଯୁଗତ ବିଲୟ ପ୍ରାପ୍ତ ହୋଇଅଛି । ଧନୁକୁ କୋଳରେ ସ୍ଥାପନ କରି ଶରଚ ସରଳତା ସଂପାଦନ କରୁ କରୁ ତୁମ୍ଭେ ସତର୍ଷବଦନରେ ମିତ୍ର ବସନ୍ତ ସଙ୍ଗେ ଯେଉଁ ସବୁ କଥୋପକଥନ କରୁଥିଲ ଏବଂ ମୋ ପ୍ରତି ସସ୍ନେହ ଦୃଷ୍ଟି ନିକ୍ଷେପ କରୁଥିଲ, ସେ ସମସ୍ତ ସଂପ୍ରତି ମୋର ସ୍ମୃତି ପଥାରୂଢ଼ ହୋଇ ତୀବ୍ର ଯାତନା ପ୍ରଦାନ କରୁଅଛି । ଆହା ! ତୁମର ପ୍ରିୟସୁହୃଦ୍‌ ବସନ୍ତ କାହାନ୍ତି ? ତେବେ ତାଙ୍କୁ କଣ କୋପନ ପିନାଜୀ ତଦୀୟ ବନ୍ଧୁଙ୍କ ପଥରେ ପଥିକ କରିଦେଇଅଛନ୍ତି ?’’

 

ଅନନ୍ତର ରତିଦେବୀଙ୍କର କରୁଣ ବିଳାପଧ୍ୱନିଶ୍ରବଣରେ ଏକାନ୍ତ ମର୍ମାହତ ହୋଇ ବସନ୍ତ ତାଙ୍କର ସାନ୍ତ୍ୱନା ନିମିତ୍ତ ସେଠାରେ ଆସି ଉପସ୍ଥିତ ହେଲେ । ବସନ୍ତଙ୍କୁ ସମ୍ମୁଖରେ ଦେଖିବାମାତ୍ରକେ ରତିଦେବୀ ବକ୍ଷରେ କରାଘାତପୂର୍ବକ ପୂର୍ବାପେକ୍ଷା ପ୍ରବଳତର ଭାବରେ ବିଳାପ କରିବାକୁ ଲାଗିଲେ । ପ୍ରକୃତରେ ଆତ୍ମୀୟସ୍ୱଜନମାନଙ୍କ ସମ୍ମୁଖରେ ଇଷ୍ଟ ବିରହଜନିତ ଶୋକାବେଗର ଦ୍ୱାର ଉଦ୍‌ଘାଟିତ ହୋଇଯାଏ । ଶୋକାକୁଳା ରତିଦେବୀ ବସନ୍ତଙ୍କୁ ସମ୍ବୋଧନ କରି କହିଲେ, ‘‘ସଖେ, ଦେଖ, ତୁମ୍ଭ ବନ୍ଧୁଙ୍କର ବର୍ତ୍ତମାନ କି ଦୁର୍ଦ୍ଦଶା ଘଟିଅଛି । ବାୟୁ ତାଙ୍କର ଶରୀରୋତ୍ତ୍ପନ୍ନ କପୋତକର୍ବୁର ଭସ୍ମରାଶିକୁ କଣା କଣା କରି ଉଡ଼ାଇ ନେଉଅଛି । ଅୟି ନାଥ ! ବର୍ତ୍ତମାନ ଥରେ ଦର୍ଶନ ଦିଅ, ତୁମ୍ଭର ପ୍ରିୟ ସୁହୃଦ୍‌ମାଧବ ତୁମ୍ଭର ଦର୍ଶନ ନିମିତ୍ତ ଏକାନ୍ତ ବ୍ୟାକୁଳ ହୋଇଅଛନ୍ତି । ପୁରୁଷମାନଙ୍କର ପ୍ରେମ ପ୍ରେୟସୀଠାରେ ଚଞ୍ଚଳ ହୋଇପାରେ, ମାତ୍ର ତାହା ମିତ୍ରଠାରେ ବିଚଳିତ ହେବାର ନୁହେ । ସଖେ ମାଧବ ! ତୁମ୍ଭର ବନ୍ଧୁ ଅନିଳାହିତ ପ୍ରଦୀପ ପରି ଚିରକାଳ ନିମିତ୍ତ ନିର୍ବାଣପ୍ରାପ୍ତ ହୋଇଅଛନ୍ତି, ଆଉ ଫେରି ଆସିବେ ନାହିଁ । ମୁଁ ସେହି ଦୀପର ବର୍ତ୍ତିରୂପେ ପଡ଼ି ରହିଅଛି ଏବଂ ଦେଖ ତଦ୍‌ବିୟୋଗଜନିତ ଦୁର୍ବିଷହ ଶୋକଧୂମ ମୋ ଦେହରୁ ବିନିଃସୃତ ହେଉଅଛି, ପତିପତ୍ନୀ ପରସ୍ପର ଆଶ୍ରୟାଶ୍ରୟୀଭୂତ । ବିଧାତା ପତିଙ୍କୁ ବିନାଶ କରି ମୋତେ ବିନାଶ ନ କରିବାଦ୍ୱାରା ହତ୍ୟା କାର୍ଯ୍ୟ ଅର୍ଦ୍ଧସଂପନ୍ନ କରିଅଛନ୍ତି । ଯେଉଁ ବୃକ୍ଷରେ ଆଶ୍ରୟ ନେଲେ କୌଣସି ବିପଦର ଆଶଙ୍କା ନାହିଁ ବୋଲି ମନେ କରି ଲତା ଆଶ୍ରୟ ଗ୍ରହଣ କରି ଥାଏ, ହସ୍ତୀ ସେହି ବୃକ୍ଷକୁ ଭଗ୍ନ କଲେ ଯେପରି ଲତା, ପତନ ସୁନିଶ୍ଚିତ ହୁଏ, ସେହିପରି ମୋର ମରଣ ସୁନିଶ୍ଚିତ ଏଥିରେ ସନ୍ଦେହ ନାହିଁ । ଅତଏବ ସଖେ ! ଅତଃପର ମୋତେ ଚିତାରୋହଣ କରାଇ ପତିଙ୍କ ସମୀପକୁ ପ୍ରେରଣ କରିବାଦ୍ୱାରା ବନ୍ଧୁଜନୋଚିତ କାର୍ଯ୍ୟ ସଂପନ୍ନ କର । ଏହି ବିଷୟରେ ତୁମ୍ଭର ଆଉ ବିଶେଷ ବିବେଚନା କରିବା ଅନାବଶ୍ୟକ । ଦେଖ ଚନ୍ଦ୍ରାସ୍ତ ସଙ୍ଗେ ସଙ୍ଗେ କୌମୁଦୀ ଅନ୍ତର୍ହିତ ହୋଇ ଯାଏ, ସୌଦାମିନୀ ମେଘ ଦେହରେ ବିଲୟ ପ୍ରାପ୍ତ ହୁଏ । ରମଣୀଙ୍କୁ ଯେ ପତିଙ୍କର ଅନୁବର୍ତ୍ତନ କରିବାକୁ ହୁଏ, ଏହା ଅଚେତନ ମାନେ ମଧ୍ୟ ପ୍ରତିପାଦନ କରିଅଛନ୍ତି । ସ୍ୱାମୀଙ୍କର ଏହି ପରମ ରମଣୀୟ ଶରୀରଭସ୍ମ ବକ୍ଷସ୍ଥଳରେ ବିଲେପନ କରି ଅଭିନବ କରି କିଶଳୟଶୟନ ଜ୍ଞାନରେ ଚିତାନଳରେ ଏ ଶରୀରକୁ ସୁଖରେ ଶାୟିତ କରିବି । ହେ ସୌମ୍ୟ ! ତୁମ୍ଭେ ଅନେକଥର ବିନାନୁରୋଧରେ ଆମ୍ଭମାନଙ୍କ ପୁଷ୍ପଶଯ୍ୟା ରଚନା ବିଷୟରେ ସହାୟତା କରିଅଛ । ସମ୍ପ୍ରତି ମୁଁ ପ୍ରଣିପାତ ଓ ଅଞ୍ଜଳି ବନ୍ଧନ କରି ପ୍ରାର୍ଥନା କରୁଅଛି, ଶୀଘ୍ର ମୋର ଚିତାଶଯ୍ୟା ରଚନା କରି ଦିଅ । ତୁମ୍ଭେ ଜାଣ ଯେ ପ୍ରାଣନାଥ ମୋତେ ନ ଦେଖି କ୍ଷଣମାତ୍ର ରହି ପାରନ୍ତି ନାହିଁ, ଅତଏବ ମୋ ଶରୀରରେ ଅଗ୍ନି ପ୍ରଦାନାନ୍ତର ଦକ୍ଷିଣାନିଳ ସଂଚାଳନପୂର୍ବକ ଅଗ୍ନିକୁ ଅଧିକତର ପ୍ରଜ୍ୱଳିତ କରି ମୋତେ ଶୀଘ୍ର ଦଗ୍ଧ କରି ପକାଇବ । ଏ କାର୍ଯ୍ୟ ସମାପନ କରି ସାରି ଆମ୍ଭ ଦୁହିଙ୍କ ଉଦ୍ଦେଶ୍ୟରେ ଜଳାଞ୍ଜଳି ପ୍ରଦାନ କରିବି । ତୁମ୍ଭ ବନ୍ଧୁ ମୋ ସହିତ ତାହା ଏକ ପାନ କରିବେ । ଆହୁରି ମଧ୍ୟ ମନେ ରଖ, ତୁମ୍ଭ ବନ୍ଧୁ ନବଚୃତମଞ୍ଜରୀକୁ ବଡ଼ ଆଦର କରୁଥିଲେ । ଆଦ୍ୟଶ୍ରାଦ୍ଧବେଳେ ତାଙ୍କ ଉଦ୍ଦେଶ୍ୟରେ ପଲ୍ଲବ ସମନ୍ୱିତ ସେହି ଚୂତମଞ୍ଜରୀ ପ୍ରଦାନ କରିବ ।’’ ରତି ଏହିପରି କହି ଚିତାରୋହଣ ନିମିତ୍ତ ଆୟୋଜନ କରୁଅଛନ୍ତି, ଏହି ସମୟରେ ସହସା ଆକାଶବାଣୀ ସମୁତ୍ଥିତ ହେଲା ‘‘ଅୟି, ସରପ୍ରିୟେ ! ଦୀର୍ଘକାଳ ତୁମ୍ଭଙ୍କୁ ପତିହୀନ ହୋଇ ରହିବାକୁ ପଡ଼ିବ ନାହିଁ । ଏକଦା ସୁରପ୍ରଭାବରେ ଇନ୍ଦ୍ରିୟକ୍ଷୋଭ ଜନ୍ମିବାରୁ ବ୍ରହ୍ମା ତୁମ୍ଭ ସ୍ୱାମୀଙ୍କୁ ପ୍ରଦାନ କରିଥିଲେ । ସେହି ଅଭିସଂପାତରୁ ତୁମ୍ଭର ସ୍ୱାମୀ ହରକୋପାନଳରେ ଶଲଭ ପରି ଭସ୍ମୀଭୂତ ହୋଇ ଅଛନ୍ତି । ଅଭିଶାପ ପ୍ରଦାନ ପରେ ଧର୍ମନାମକ ପ୍ରଜାପତି ଅନୁନୟ ସହକାରେ ପ୍ରାର୍ଥନା କରିବାରୁ ବ୍ରହ୍ମା କାମଦେବଙ୍କର ଶାପାବସାନ ସମ୍ବନ୍ଧରେ କହିଥିଲେ, ‘ଯେତେବେଳେ ମହାଦେବ ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ବିବାହ କରିବେ, ସେତେବେଳେ ସେ କାମଦେବଙ୍କୁ ତଦୀୟ ଶରୀର ପୁନର୍ବାର ପ୍ରଦାନ କରିବେ ।’ ମେଘ ଯେପରି ବଚ୍ଚ୍ରାଗ୍ନି ଓ ଜଳ ଉଭୟର ଜନକ, ଜିତେନ୍ଦ୍ରିୟ ପୁରୁଷଗଣ ସେହିପରି କୋପ ଏବଂ କ୍ଷମା ଉଭୟର ପ୍ରସବିତା । ଅତଏବ ହେ ଶୋଭନେ ! ତୁମ୍ଭର ଏହି କମନୀୟ ଶରୀରକୁ ନଷ୍ଟ କର ନାହିଁ । କାରଣ ଏହି ଦେହରେହିଁ ପୁନର୍ବାର ତୁମ୍ଭର ପ୍ରିୟସମାଗମ ଘଟିବ । ଦେଖ, ଗ୍ରୀଷ୍ମକାଳରେ ତପନ ତାପରେ ଶୁଷ୍କତୋୟା ନଦୀ ବର୍ଷାଋତୁରେ ପୁନରପି ସ୍ରୋତସ୍ୱିନୀ ହୋଇ ଥାଏ ।’’ ଜଳାଶୟର ଜଳଶୋଷ ହେତୁରୁ ମୃତପ୍ରାୟ ହୋଇ ରହିଥିବା ଶଫରୀକୁ ପ୍ରଥମ ବୃଷ୍ଟିପାତ ଯେପରି ଜୀବନ ଦାନ କରେ, ଏହି ଅଶରୀରୀ ବାଣୀ ରତିଦେବୀଙ୍କୁ ସେହିପରି ମରଣୋଦ୍ୟମରୁ ନିବୃତ୍ତ କଲା । କାମଦେବଙ୍କ ସଖା ବସନ୍ତ ମଧ୍ୟ ଏହି ବାଣୀରେ ବିଶ୍ୱାସ କରି ସାନ୍ତ୍ୱନା ବାକ୍ୟଦ୍ୱାରା ରତିଦେବୀଙ୍କର ମନର ଗତି ପରିବର୍ତ୍ତନ କରି ଦେଲେ । ଅନନ୍ତର ମଦନପତ୍ନୀ ଦୁର୍ବିଷହ ପତିବିୟୋଗଯାତନାରେ ଏକାନ୍ତ ଶାର୍ଣ୍ଣକଳେବର ହୋଇ ଦିବସରେ ପ୍ରଭାହୀନ ଓ ମଳିନ ଚନ୍ଦ୍ରକଳା ପ୍ରଦୋଷକାଳରୁ ପ୍ରତୀକ୍ଷା କରି ରହିଲାପରି, ଏହି ଘୋର ବିପଦର ଅବସାନ କାଳରୁ ପ୍ରତୀକ୍ଷା କରି ରହିଲେ ।

Image

 

ପାର୍ବତୀଙ୍କ ତପଶ୍ଚର୍ଯ୍ୟା

 

ପାର୍ବତୀ ସ୍ୱସମକ୍ଷରେ କାମଦେବଙ୍କୁ ହରକୋପାନଳରେ ଭସ୍ମୀଭୂତ ଦେଖି ନିତାନ୍ତ ହତାଶ ହୋଇ ପଡ଼ିଲେ ଏବଂ ମନେ ମନେ ନିଜ ସୌନ୍ଦର୍ଯ୍ୟର ନିନ୍ଦା କରିବାକୁ ଲାଗିଲେ । ପ୍ରକୃତରେ ଯେଉଁ ସୌନ୍ଦର୍ଯ୍ୟ ପ୍ରିୟଜନର ପ୍ରେମ ଆକର୍ଷଣ କରି ପାରେ, ତାହାହିଁ ଯଥାର୍ଥ ସୌନ୍ଦର୍ଯ୍ୟ-। ଅନନ୍ତର ସୌନ୍ଦର୍ଯ୍ୟବଳରେ ମହାଦେବଙ୍କୁ ବଶୀଭୂତ କରି ନ ପାରି ସେ ତପସ୍ୟାଦ୍ୱାରା ତାଙ୍କର ପ୍ରେମ ଆକର୍ଷଣ କରିବା ନିମିତ୍ତ ଯତ୍ନବତୀ ହେଲେ । ଏପରି କରି ନ ଥିଲେ ତାଦୃଶ ପ୍ରେମ ଓ ମୃତ୍ୟୁତ୍ରୟରୂପ ପତି ଲାଭ କରିବା ତାଙ୍କ ପକ୍ଷରେ ସମ୍ଭବପର ହୋଇ ନ ଥାନ୍ତା । କନ୍ୟା ଶିବଙ୍କଠାରେ ଏକାନ୍ତ ଅନୁରକ୍ତା ହୋଇ ତଦୀୟ ପ୍ରେମଲାଭାକାଙ୍କ୍ଷାରେ କଠୋର ତପଶ୍ଚରଣ ନିମିତ୍ତ ଉଦ୍‌ଯୁକ୍ତା ହେଉଅଛନ୍ତି, ଏହା ଶୁଣି ପାରି ଜନନୀ ମେନା ଗାଢ଼ାଲିଙ୍ଗନପୂର୍ବକ ତହିଁରୁ ନିବାରଣ କରି କହିଲେ, ‘‘ମା, ଗୃହ ମଧ୍ୟରେ ଇଷ୍ଟଦେବତା ରହିଅଛନ୍ତି, ତାଙ୍କର ଉପାସନା କର । ତୁମ୍ଭର ଏହି କମନୀୟ ସ୍ୱକୋମଳ ଶରୀର କଠୋର ତପଃକେଶ ସହି ପାରିବ କି ? ଶିରୀଷ ପୁଷ୍ପ ଭ୍ରମରର ପଦସ୍ପର୍ଶ ସିନା ସହି ପାରେ, ପକ୍ଷୀର ପଦାଘାତ ସହି ପାରେ କି ?’’ ଏହିପରି ଉପଦେଶବାକ୍ୟରେ ମେନା ସ୍ଥିର ସଂକଳ୍ପା କନ୍ୟାଙ୍କୁ ତପସ୍ୟାରୁ ନିବୃତ୍ତ କରି ପାରିଲେ ନାହିଁ । ବାସ୍ତବରେ ଅଭୀପ୍ସିତ ବିଷୟରେ ଦୃଢ଼ନିଶ୍ଚୟ ମନ ଏବଂ ନିମ୍ନାଭିମୁଖୀ ସ୍ରୋତସତୀର ଗତିକୁ କେହି ବିପରୀତମୁଖରେ ଫେରାଇ ପାରେ ନାହିଁ । ଅନନ୍ତର ଏକଦା ମନସ୍ୱିନୀ ପାର୍ବତୀ ମନୋରଥଜ୍ଞ ପିତାଙ୍କ ସମୀପରେ ସଖୀଦ୍ୱାରା ମନୋବାଞ୍ଛା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅରଣ୍ୟରେ ବାସ କରି ତପସ୍ୟା କରିବାର ଅନୁମତି ପ୍ରାର୍ଥନା କଲେ । ଉପଯୁକ୍ତ ବରରେ ଆଗ୍ରହାତିଶଯ୍ୟ ଦେଖି ପିତା ଆନନ୍ଦିତଚିତ୍ତରେ ତପସ୍ୟା ନିମିତ୍ତ ତାହାଙ୍କୁ ଅନୁମତି ପ୍ରଦାନ କରନ୍ତେ ଗୌରୀ କେକାଧ୍ୱନିମୁଖର ହିମାଦ୍ରିର କୌଣସି ଅଭ୍ରଂକଷ ଶୃଙ୍ଗକୁ ତପସ୍ୟା ନିମିତ୍ତ ଗମନ କଲେ । ଗୌରୀଙ୍କର ତପଶ୍ଚରଣସ୍ଥାନ ହେତୁରୁ ଏହା ସେହିଦିନଠାରୁ ଗୌରୀ-ଶିଖର ନାମରେ ଜଗତରେ ପ୍ରସିଦ୍ଧ ହୋଇଅଛି । ସେଠାରେ ଉପସ୍ଥିତ ହୋଇ ପାର୍ବତୀ ବକ୍ଷସ୍ଥଳରେ ଆଲମ୍ବିତ ନିଜର ବହୁମୂଲ୍ୟ ହାର ପରିତ୍ୟାଗ କରି ବାଳାରୁଣବତ୍‌ ପିଙ୍ଗଳବର୍ଣ୍ଣ ବକ୍ୱଳ ପରିଧାନ କଲେ । ତଦୀୟ ବଦନମଣ୍ଡଳ ମନୋହର କେଶପାଶ ସହଯୋଗରେ ପୂର୍ବେ ଯେପରି ସୁନ୍ଦର ଦେଖାଯାଉଥିଲା, ବର୍ତ୍ତମାନ ଜଟାଜାଲରେ ମଧ୍ୟ ସେହିପରି ସୁନ୍ଦର ଦିଶିଲା । ପଦ୍ମ ଯେ କେବଳ ଭ୍ରମର ସହଯୋଗରେ ସୁନ୍ଦର ଦିଶେ ତାହା ନୁହେ, ଶୈବଳସହଯୋଗରେ ମଧ୍ୟ ମନୋହର ହୋଇଥାଏ । ବ୍ରତାନୁରୋଧରେ ସେ ସଂପ୍ରତି ତ୍ରିଗୁଣା ମୌଞ୍ଜୀ ମେଖଳା ଧାରଣ କଲେ । ଜୀବନରେ ସର୍ବପ୍ରଥମେ ଏହି କଠିନ ରଜ୍ଜୁ ଧାରଣ କରିବାରୁ ମୁହୁମୁହୁଃ ତାଙ୍କର ଶରୀର ରୋମାଞ୍ଚିତ ହେବାକୁ ଲାଗିଲା ଏବଂ ଦେଶ ରକ୍ତବର୍ଣ୍ଣ ହୋଇ ଉଠିଲା । ତାହାଙ୍କର ଯେଉଁ ସୁକୋମଳ କର ପୂର୍ବେ ଅଙ୍ଗମଣ୍ଡନାଦି ବ୍ୟାପାରରେ ବ୍ୟାସକ୍ତ ଥିଲା, ସଂପ୍ରତି ତାହା କୁଶାଙ୍କର ଚ୍ଛେଦନରେ କ୍ଷତବିକ୍ଷତ ହୋଇ ଅକ୍ଷବୀଜ ଗଣନାରେ ନିତ୍ୟ ପ୍ରବୃତ୍ତ ହେଲା । ସୁକୋମଳ ମହାର୍ହ ଶଯ୍ୟାରେ ପାର୍ଶ୍ୱ ପରିବର୍ତ୍ତନବେଳେ ସ୍ୱୀୟ କେଶପାଶରୁ ପରିଭ୍ରଷ୍ଟ କୁସୁମସଂସ୍ପର୍ଶରେ ଯାହାଙ୍କର କ୍ଳେଶ ବୋଧ ହେଉଥିଲା, ସେ ଆଜି ଆସ୍ତରଣଶୂନ୍ୟ ଭୂମିତଳରେ ବାହୁ ଉପରେ ମସ୍ତକ ରଖି ଶୟନ କରିବାକୁ ଲାଗିଲେ । ମାତା ସ୍ତନ୍ୟଦାନରେ ଯେପରି ଶିଶୁସନ୍ତାନକୁ ପାଳନ କରେ, ସେହିପରି ପାର୍ବତୀ ଆଳସ୍ୟ ପରହିହାର କରି ଘଟନିଃସୃତ ବାରି ଦ୍ୱାରା ତତ୍ରତ୍ୟ ଆଶ୍ରମର ବାଳପାଦପମାନଙ୍କୁ ପରିବର୍ଦ୍ଧିତ କରିବାରେ ଯତ୍ନବତୀ ହେଲେ । ପ୍ରତିଦିନ ସ୍ନାନାନନ୍ତର ହବନପରାୟଣା ଓ ବେଦାଧ୍ୟୟନନିରତା ସେହି ବକ୍କଳବସନା ଅଦ୍ରିରାଜତନୟାଙ୍କ ଦର୍ଶନାଭିଳାଷୀ ହୋଇ ବର୍ଷାୟାନ୍ ଋଷିବୃନ୍ଦ ମଧ୍ୟ ନିତ୍ୟ ସେଠାରେ ସମବେତ ହେଉଥିଲେ; କାରଣ ଗୁଣହିଁ ପୂଜାର ସ୍ଥାନ, ସାଧୁମାନେ ରାଣୀଙ୍କର ଲିଙ୍ଗ ବୟସ ସମ୍ବନ୍ଧରେ ଆଦୌ ବିଚାର କରନ୍ତି ନାହିଁ । ପରସ୍ପରବୈରାଭାବସଂପନ୍ନ ପ୍ରାଣିଗଣ ସେହି ତପୋବନରେ ପାର୍ବତୀଙ୍କର ତପୋମହାତ୍ମ୍ୟରେ ସ୍ୱାଭାବିକ ବୈରଭାବ ବିସ୍ତୃତ ହୋଇଗଲେ ଏବଂ ବୃକ୍ଷମାନେ ଯଥେପିତ ଫଳପୁଷ୍ପ ପ୍ରଦାନରେ ଅତିଥିମାନଙ୍କର ସତ୍‌କାର କରୁଥିଲେ- । ତତ୍ରତ୍ୟ ଅଭିନବ ପର୍ଣ୍ଣକୁଟୀରର ଅଭ୍ୟନ୍ତରରେ ନିରନ୍ତର ଅଗ୍ନି ପ୍ରଜ୍ୱଳିତ ହେଉଥିଲା । ତେଣୁ ସେ ସ୍ଥାନ ଏପରି ଶାନ୍ତିପ୍ରଦ ହୋଇଥିଲା ଯେ, କୌଣସି ଆଗନ୍ତୁକ ସେଠାରେ ଉପସ୍ଥିତ ହେବା ମାତ୍ରକେ ତାହାଙ୍କର ମନଃପ୍ରାଣ ପୂତ ଓ ଶାନ୍ତିମୟ ହୋଇ ଉଠୁଥିଲା । ଯେତେବେଳେ ପାର୍ବତୀ ଦେଖିଲେ ଯେ ସେ ଯେଉଁଭାବରେ ତପସ୍ୟା କରୁଥିଲେ, ତହିଁରେ ତାଙ୍କର ଅଭୀପ୍ସତ ଫଳଲାଭର କୌଣସି ଆଶା ନାହିଁ, ସେତେବେଳେ ସେ ନିଜର ସୁକୋମଳ ଶରୀରରେ ଆଦୌ ଆସ୍ଥା ନ ରଖି କଠୋରତର ତପସ୍ୟା କରିବାରେ ପ୍ରବୃତ୍ତ ହେଲେ । ଯେ କନ୍ଦୁକକ୍ରୀଡ଼ାରେ କ୍ଳେଶ ଅନୁଭବ କରୁଥିଲେ, ତାଙ୍କୁ କଠୋର ମୁନିବ୍ରତାବଲମ୍ବିନୀ ଦେଖି ମନେ ହେଲା, ବିଧାତା ତାଙ୍କର ଶରୀରକୁ ସୁବର୍ଣ୍ଣ ଓ ପଦ୍ମ ଉପାଦାନରେ ନିର୍ମାଣ କରିଥିଲେ । ସୁତରାଂ ତାହା କମଳ ସ୍ୱଭାବରେ ସୁକୁମାର ତଥା ସୁବର୍ଣ୍ଣ ସ୍ୱଭାବରେ କଠିନ ଓ ସାରସଂପନ୍ନ ଥିଲା । ସେ ଗ୍ରୀଷ୍ମକାଳରେ ପ୍ରଜ୍ୱଳିତ ଅଗ୍ନି ଚତୁଷ୍ଟୟର ମଧ୍ୟବର୍ତ୍ତିନୀ ହୋଇ ଦୃଷ୍ଟିଘାତନୀ ସୌରପ୍ରଭାକୁ ଗ୍ରାହ୍ୟ ନ କରି ଅନନ୍ୟଦୃଷ୍ଟିରେ ଓ ସହାସ୍ୟବଦନରେ ତିଗ୍ମରଶ୍ମି ମାର୍ତ୍ତଣ୍ଡବିମ୍ବକୁ ଚାହିଁ ରହୁଥିଲେ । ପ୍ରଖର ସୌରରଶ୍ମିରେ ଏହିପରି ଅଭିସନ୍ତପ୍ତ ହୋଇ ତାଙ୍କର ଆନନ ପ୍ରସ୍ଫୁଟିତ କମଳର କମନୀୟ ଶୋଭାରେ ଦେଦୀପ୍ୟମାନ ହେଲା । ବୈଲକ୍ଷଣ୍ୟ ମଧ୍ୟରେ କେବଳ ଅପାଙ୍ଗ ଦେଶରେ କ୍ରମେ କ୍ରମେ କିଞ୍ଚିତ୍ ଶ୍ୟାମିକା ପରିଦୃଷ୍ଟ ହେଲା । ତପସ୍ୱିନୀ ପାର୍ବତୀ ଆରଣ୍ୟବୃକ୍ଷବତ୍ ଅଯାଚିତୋପସ୍ଥିତ ବାରି ଏବଂ ସୁଧାମୟ ଇନ୍ଦୁଚରଣାମାତ୍ରୁ ପାରଣା କରି ଜୀବନଧାରଣ କରୁଥିଲେ । ନିଦାଘସଂତପ୍ତ କ୍ଷିତିବତ୍ ପଞ୍ଚାଗ୍ନି ଅଭିତପ୍ତ ପାର୍ବତୀଙ୍କ ଶରୀରରୁ ଉଷ୍ମା ବର୍ଷାକାଳର ନବବାରିବିନ୍ଦୁପାତରେ କ୍ରମେ କ୍ରମେ ତିରୋହିତ ହେଲା । ବାତ୍ୟାସମନ୍ୱିତ ପ୍ରବଳ ବୃଷ୍ଟିପାତକାଳରେ ସେ ଅନାବୃତ ସ୍ଥାନରେ ବାସ କରି ରୁକ୍ଷଶିଳାତଳରେ ଶୟନ କରୁଥିଲେ । ଏହି ମହାସାଧନାର ସାକ୍ଷି ଭୂତା ରାତ୍ରିପରମ୍ପରା ବିଦ୍ୟୁତ୍‌ବ୍ୟାଜରେ ଚକ୍ଷୁରୁନ୍ୱୀଳନ କରି ତପସ୍ୱିନୀଙ୍କୁ ନିରୀକ୍ଷଣ କରୁଥିଲେ କି ? ଅନନ୍ତର ଯେତେବେଳେ ଉଦୀଚୀ ବାୟୁ ଶୀତଳ ଶିଶିରରାଶି ସଞ୍ଚାଳନ କରି ଇତସ୍ତତଃ ବିକିରଣ କଲା, ସେତେବେଳେ ସେ ଜଳ ମଧ୍ୟରେ ଆକଣ୍ଠ ଅବସ୍ଥାନ କରି ସମ୍ମୁଖବର୍ତ୍ତୀ ବିୟୋଗବିଧୁର ଚକ୍ରବାକମିଥୁନର ଆର୍ତ୍ତନାଦ ଶ୍ରବଣରେ କରୁଣାର୍ଦ୍ରଚିତ୍ତ ହୋଇ ଅତି ନିଦାରୁଣ ପୌଷମାସର ରାତ୍ରି ଯାକ ଯାପନ କଲେ । ସ୍ୱୟଂ ବିଶୀର୍ଣ୍ଣ ଦ୍ରୁମପର୍ଣ୍ଣମାତ୍ର ଭକ୍ଷଣ କରି ଜୀବନଧାରଣ କରିବା ତପସ୍ୟାର ପରାକାଷ୍ଠା; ସେ ତାହା ସୁଦ୍ଧା ପରିତ୍ୟାଗ କରିଥିଲେ ବୋଲି ଉତ୍ତର କାଳରେ ପୁରାଣବେତ୍ତାମାନେ ସେହି ପ୍ରିୟବଂଦା ଅଦ୍ରି ନନ୍ଦନାଙ୍କୁ ‘‘ଅପର୍ଣ୍ଣା’’ ଆଖ୍ୟା ପ୍ରଦାନ କଲେ । ସେ ସ୍ୱୀୟ ମୃଣାଳସଦୃଶ ସୁକୋମଳ ଶରୀରେ ଅହର୍ନିଶ କ୍ଳେଶ ସହ୍ୟ କରି କଠୋର ବ୍ରତନିୟମାଦି ପାଳନପୂର୍ବକ ଯେଉଁ ଘୋରତର ତପସ୍ୟା କରୁଥିଲେ, ତାହା ଋଷିଗଣଙ୍କର କ୍ଳେଶ ସହିଷ୍ଣୁ ଶରୀରଦ୍ୱାରା ଉପାର୍ଜିତ କଠୋର ତପସ୍ୟାକୁ ବହୁପରିମାଣରେ ଅତିକ୍ରମ କଲା ।

 

ଅନନ୍ତର ଏକଦା ମୂର୍ତ୍ତିମାନ୍ ବ୍ରହ୍ମଚର୍ଯ୍ୟାଶ୍ରମରୂପୀ ଜନୈକ ବାକ୍‌ଚତୁର ଜଟାଧାରୀ ସନ୍ନ୍ୟାସୀ ମୃଗଚର୍ମ ପରିଧାନ କରି ଦଣ୍ଡଧାରଣ ପୂର୍ବକ ସ୍ୱକୀୟ ବ୍ରହ୍ମତେଜରେ ସେହି ତପୋବନକୁ ଉଦ୍‌ଭାସିତ କରି ପାର୍ବତୀଙ୍କ ଆଶ୍ରମରେ ପ୍ରବେଶ କଲେ । ଆତିଥେୟୀ ପାର୍ବତୀ ବହୁସମ୍ମାନ ପୁରଃସର ତାହାଙ୍କୁ ପ୍ରଭୁଦ୍ଗମନ କଲେ । ସମବସ୍ଥାପନ୍ନ ହେଲେହେଁ ଅଭ୍ୟାଗତବିଶେଷଙ୍କୁ ଅତିରିକ୍ତ ପରିମାଣରେ ଅଭ୍ୟର୍ଥନା କରିବାର ଦୃଷ୍ଟାନ୍ତ ମହାତ୍ମାମାନଙ୍କଠାରେ ସମୟ ସମୟରେ ପରିଲକ୍ଷିତ ହୋଇଥାଏ । ସେହି ବ୍ରହ୍ମଚାରୀ ପାର୍ବତୀଙ୍କର ଅନୁଷ୍ଟିତ ପୂଜା ଗ୍ରହଣ କରିବା ପରେ କ୍ଷଣିକ ବିଶ୍ରାମବ୍ୟପଦେଶରେ ଋଜୁଦୃଷ୍ଟିରେ ନିରୀକ୍ଷଣପୂର୍ବକ ଶିଷ୍ଟାଚାରୋଚିତ ରୀତିଅନୁସାରେ ପଚାରିଲେ, ‘‘ଏଠାରେ ହୋମାଦି କ୍ରିୟାକଳାପର ଉପଯୋଗୀ ସମିତ୍‌କୁଶାଦି ସୁଲଭ ତ ? ଏ ସ୍ଥାନର ଜଳ ତୁମ୍ଭ ସ୍ଥାନ କ୍ରିୟାର ଅନୁକୂଳ ତ ? ଶରୀରହିଁ ସର୍ବପ୍ରକାର ଧର୍ମକାର୍ଯ୍ୟ ସଂପାଦନର ପ୍ରଧାନ ସାଧନ; ଅତଏବ ଶରୀରକୁ କ୍ଳେଶ ନ ଦେଇ ଯଥାଶକ୍ତି ତପଶ୍ଚର୍ଯ୍ୟା କରୁଛ ତ ? ତପୋବନସ୍ଥ ବୃକ୍ଷଲତା ଓ ହରିଣାଦି ପ୍ରାଣିଗଣ ନିରାପଦରେ ଅଛନ୍ତି ତ ? ଅୟି ପର୍ବତରାଜନନ୍ଦିନି ! ନୀଚପ୍ରବୃତ୍ତ ମାତ୍ର ଚରିତାର୍ଥ କରିବାପାଇଁ ବିଧାତା ରୂପ ସୃଷ୍ଟି କରି ନାହାନ୍ତି, ଏହି ଚିରନ୍ତନ ପ୍ରବାଦର ଜ୍ୱଳନ୍ତ ନିଦର୍ଶନ ଆଜି ମୁଁ ତୁମ୍ଭଠାରେହିଁ ଅବଲୋକନ କଲି । ଦେଖ, ତୁମ୍ଭର ଆଚରଣ ତପୋବୃଦ୍ଧ ଋଷିମାନଙ୍କର ମଧ୍ୟ ଆଦର୍ଶସ୍ଥାନୀୟ ହୋଇଅଛି । ତୁମ୍ଭର ଏହି, ବିଶୁଦ୍ଧ ଚରିତ୍ରଦ୍ୱାରା ହିମବାନ୍ ସବଂଶରେ ଯେପରି ପବିତ୍ର ହୋଇଅଛନ୍ତି, ସପ୍ତର୍ଷିଙ୍କର ପୂଜାପୁଷ୍ପରାଜିରେ ପରିଶୋଭିତ ସ୍ୱର୍ଗନିଃସୃତ ଗଙ୍ଗାଜଳରେ ସେପରି ପବିତ୍ର ହୋଇ ନାହାନ୍ତି । ତୁମ୍ଭର ତପଶ୍ଚର୍ଯ୍ୟାଦ୍ୱାରା ସ୍ପଷ୍ଟ ପ୍ରତୀୟମାନ ହେଉଅଛି ଯେ ଧର୍ମହିଁ ତ୍ରିବର୍ଗ ମଧ୍ୟରେ ଶ୍ରେଷ୍ଠ ଅଟେ । କାରଣ ତୁମ୍ଭେ ଅର୍ଥ ଓ କାମକୁ ସମ୍ପୂର୍ଣ୍ଣରୂପେ ତୁଚ୍ଛ କରି କେବଳ ଧର୍ମକୁହିଁ ଆଶ୍ରୟ କରିଅଛି । ଅୟି ସୁନ୍ଦରି ! ତୁମ୍ଭେ ମୋର ଯଥେଷ୍ଟ ସତ୍‌କାର କଲ । ବର୍ତ୍ତମାନ ମୋତେ ଆଉ ପର ବୋଲି ଭାବିବା ତୁମ୍ଭର ଉଚିତ ନୁହେ । ପଣ୍ଡିତମାନେ କହନ୍ତି, ସାଧୁମାନଙ୍କର ପରସ୍ପର ମଧ୍ୟରେ ସାତପଦ ମାତ୍ର କଥା ହେଲେ ମିତ୍ରତା ସ୍ଥାପିତ ହୋଇଥାଏ । ତେଣୁ ଚପଳଭାବ ଏହି ବ୍ରାହ୍ମଣ ତୁମ୍ଭଙ୍କୁ ଏଣିକି ଯାହା କହିବ, ସେଥି ସକାଶେ ତାକୁ କ୍ଷମା କରିବ । ମୁଁ ତୁମ୍ଭଙ୍କୁ କେତେଗୋଟି ପ୍ରଶ୍ନ କରିବାକୁ ଇଚ୍ଛା କରୁଅଛି । ଯେବେ ଗୋପନୀୟ ନ ହୁଏ, ତେବେ ତୁମ୍ଭେ ସେ ଗୁଡ଼ିକର ଉତ୍ତର ପ୍ରଦାନ କରି ଆପ୍ୟାୟିତ କର ।

 

‘‘ତୁମେ ଆଦି ପ୍ରଜାପତି ହିରଣ୍ୟଗର୍ଭଙ୍କ ବଂଶରେ ଜନ୍ମ ଗ୍ରହଣ କରିଅଛ । ତୁମ୍ଭର ରୂପଶୋଭା ତ୍ରିଭୁବନରେ ଅତୁଳନୀୟ । ଐଶ୍ୱର୍ଯ୍ୟସୁଖ ମଧ୍ୟ ତୁମ୍ଭ ପକ୍ଷରେ ଅତୀବ ସୁଲଭ । ତେବେ ଏହି ନବୀନ ବୟସରେ କେଉଁ ଅଭିଳାଷରେ ଏପରି କଠୋର ତପସ୍ୟା କରୁଅଛ ? କୌଣସି ଦୁଃସହ ଅପ୍ରିୟ ଘଟଣା ଘଟିଲେ ମନସ୍ୱିନୀ କାମିନୀମାନଙ୍କର ଏପରି ପ୍ରବୃତ୍ତ ହୋଇଥାଏ, କିନ୍ତୁ ମୁଁ ବିଶେଷ ବିବେଚନାସହକାରେ ଦେଖୁଅଛି, ସେପରି ଘଟଣା ଘଟିବାର କୌଣସି ସମ୍ଭାବନା ତୁମ୍ଭଠାରେ ନାହିଁ । ତୁମ୍ଭର ଏହି କମନୀୟ ଆକୃତି ଦେଖି ବୋଧ ହୁଏ ଯେ, ପିତୃକୁଳ କିଂବା ସ୍ୱାମୀକୁଳରେ ଏହାର ଅବମାନନାର ଅବସର ନ ଥିବ । ଆଉ ଅନ୍ୟ କର୍ତ୍ତୃକ ଅବମାନନା ? କିଏ ଫଣି-ଫଣା ମଣି ଗ୍ରହଣ କରିବାକୁ ସାହସସହକାରେ କର ପ୍ରସାରଣ କରେ ? ଅୟି ସୁନ୍ଦରି ! ତାହା ହେଲେ କି ହେତୁରୁ ଏହି ନବୀନ ବୟସରେ ଅଳଂକାର ପରିତ୍ୟାଗ କରି ବାର୍ଦ୍ଧକ୍ୟୋଚିତ ବକ୍କଳ ପରିଧାନ କରିଅଛ ? ପ୍ରଦୋଷ କାଳରେ ରଜନୀ ଉଜ୍ଜ୍ୱଳ ଚନ୍ଦ୍ରମା ଓ ନକ୍ଷତ୍ରରାଜି ପରିତ୍ୟାଗ କରି ନିଶାନ୍ତୋଚିତ ଅରୁଣସଙ୍ଗେ ସଙ୍ଗତ ହେଲେ ସୁନ୍ଦର ଦିଶେ କି ? ଅୟି ଶୋଭନେ ! ଯେବେ ସ୍ୱର୍ଗଲାଭକାମନାରେ ତପସ୍ୟା କରୁଥାଅ, ତେବେ ତପଃକ୍ଳେଶ ବୃଥା ବୋଲି ମୁଁ ମନେ କରୁଅଛି । କାରଣ ତୁମ୍ଭ ପିତାଙ୍କର ଅଧିକୃତ ରାଜ୍ୟର ପ୍ରଦେଶବିଶେଷହିଁ ଦେବତାମାନଙ୍କର ଆବାସଭୂମି । ଯେବେ ଆତ୍ମାନ ରୂପ ବରକାମନା କରୁଥାଅ, ତେବେ ମଧ୍ୟ ତପସ୍ୟା ପ୍ରୟୋଜନୀୟ ନୁହେଁ । କାରଣ ରତ୍ନ ତ କାହାର ଅନ୍ୱେଷଣ କରେ ନାହିଁ, ରତ୍ନକୁ ଲୋକେ ଅନ୍ୱେଷଣ କରିବାକୁଯାନ୍ତି । ‘ବର’ ଏହି ଶବ୍ଦ ଉଚ୍ଚାରିତ ହେବା ମାତ୍ରକେ ତୁମ୍ଭେ ଦୀର୍ଘ ଉଷ୍ଣ ନିଶ୍ୱାସ ତ୍ୟାଗ କରିବାର ବୋଧ ହେଉଅଛି ଯେ ତୁମ୍ଭେ ବରାର୍ଥିନା ହୋଇ ତପସ୍ୟା କରୁଅଛ, ତଥାପି ଏଥିରେ ମୋର ସଂଶୟ ନିରାକୃତ ନ ହୋଇ ବର୍ଦ୍ଧିତ ହେଉଅଛି; ତୁମ୍ଭର ପ୍ରାର୍ଥୟିତବ୍ୟ ପଦାର୍ଥ କିଛିହିଁ ଥାଇ ନ ପାରେ; ତୁମ୍ଭର ବାଞ୍ଛିତ ବର ପୁଣି ତୁମ୍ଭର ଦୁର୍ଲଭ, ଏହା କିପରି ହେଲା ! ତୁମ୍ଭେ ଯେଉଁ ଯୁବକଙ୍କୁ ପତିହରେ ବରଣ କରିଅଛ ସେ ନିଶ୍ଚୟ ଅତ୍ୟନ୍ତ କଠୋରହୃଦୟ । ତାହା ନ ହେଲେ ଯେଉଁ କପୋଳଦେଶରେ କର୍ଣ୍ଣୋତ୍ପଳ ଶୋଭା ପାଉଥିଲା ସେଠାରେ ବିଶ୍ଳଥଭାବରେ ପିଙ୍ଗଳବର୍ଣ୍ଣ ଜଟା ବିଳମ୍ବିତ ଦେବା ଦେଖି ମଧ୍ୟ ସେ ଅଟଳ ହୋଇ ରହିଅଛି ? ଦୃଢ଼ ମୁନିବ୍ରତ ପାଳନ କରି ତୁମ୍ଭେ ଅତ୍ୟନ୍ତ କୃଶ ହୋଇ ପଡ଼ିଅଛ । ଶରୀରରେ ଯେଉଁ ଯେଉଁ ସ୍ଥାନରେ ଅଳଂକାର ପରିଧାନ କରିଥିଲ ସେହି ସ୍ଥାନ ସଂପ୍ରତି ପ୍ରଖର ସୂର୍ଯ୍ୟରଶ୍ମିଯୋଗେ ବିବର୍ଣ୍ଣ ହୋଇଥିବାରୁ ଦିବାଭାଗର ଚନ୍ଦ୍ରଲେଖାପରି ତୁମ୍ଭେ ହୀନପ୍ରଭ ଦିଶୁଅଛ । ଏହା ଦେଖି କେଉଁ ସହୃଦୟ ବ୍ୟକ୍ତିର ହୃଦୟ ବ୍ୟଥିତ ନ ହେବ ? ତୁମ୍ଭର ଯେଉଁ ପ୍ରିୟତମ ଅଦ୍ୟାପି ତାହାଙ୍କର ଅନନକୁ ତୁମ୍ଭର ଚାରୁଚଞ୍ଚଳନେତ୍ରର ପଥବର୍ତ୍ତୀ କରୁ ନାହାନ୍ତି, ମୁଁ ମନେ କରୁଅଛି ସେ ନିଶ୍ଚୟ ସ୍ୱକୀୟ ସୌନ୍ଦର୍ଯ୍ୟଗର୍ବରେ ପ୍ରତାରିତ ହୋଇଅଛନ୍ତି । ଅତଏବ ହେ ଗୌରି ! ତୁମ୍ଭେ ଆଉ କେତେକାଳ ଏହିପରି ତପସ୍ୟା କରିବ ? ମୋର ମଧ୍ୟ ବ୍ରହ୍ମଚର୍ଯ୍ୟାଶ୍ରମ ସଞ୍ଚିତ କିଞ୍ଚିତ୍ ତପ ଅଛି, ଏହାର କିୟଦଂଶ ଗ୍ରହଣ କରି ତୁମ୍ଭେ ଅଭୀପ୍ସିତ ବର ଲାଭ କର, କିନ୍ତୁ ତୁମ୍ଭର ପ୍ରାର୍ଥିତ ସେହି ବର କିଏ, ଜାଣିବାପାଇଁ ମୋର କୌତୂହଳ ଜନ୍ମି ଅଛି ।’’

 

ବ୍ରହ୍ମଚାରୀ ଏହିପରି ତାଙ୍କର ଅନ୍ତର୍ଗତଭାବ ଅନୁମାନ କରି ଉପର୍ଯ୍ୟୁକ୍ତ ପ୍ରଶ୍ନମାନ କରନ୍ତେ, ସେ ଲଜ୍ଜାବଶତଃ ସ୍ୱୟଂ ମନୋଗଢ଼ଭାବ ବ୍ୟକ୍ତ କରି ନ ପାରି ତାଙ୍କର ପ୍ରତ୍ୟୁତ୍ତର ଦେବାପାଇଁ ପାର୍ଶ୍ୱବର୍ତ୍ତିନୀ ସଖୀଙ୍କୁ ନେତ୍ରସଂଚାଳନଦ୍ୱାରା ସଙ୍କେତ କଲେ । ଇଙ୍ଗିତଦ୍ୱାରା ଅନୁମତି ପ୍ରାପ୍ତ ହୋଇ ତାଙ୍କର ସେହି ସଖୀ ବ୍ରହ୍ମଚାରୀଙ୍କୁ କହିଲେ, ‘‘ସାଧୋ ! ଯେବେ ଆପଣଙ୍କର ଏକାନ୍ତ କୌତୂହଳ ଜନ୍ମିଥାଏ, ତେବେ ଏ କାହିଁକି ସ୍ୱୀୟ ସୁକୋମଳ ଶରୀରକୁ କଠୋର ତପସ୍ୟାରେ ନିଯୁକ୍ତ କରିଅଛନ୍ତି, ତାହାର କାରଣ ଶୁଣିବା ହେଉ । ଏହି ମନସ୍ୱିନୀ ଅଦ୍ରିକୁମାରୀ ଐଶ୍ୱର୍ଯ୍ୟଶାଳୀ ମହେନ୍ଦ୍ରାଦିଦିକୁପାଳମାନଙ୍କୁ ଉପେକ୍ଷା କରି, ଯେଉଁ ପିନାକପାଣି କୋପାନଳରେ ମଦନକୁ ଦହନ କରିଅଛନ୍ତି, ସୁତରାଂ ଯାହାଙ୍କୁ ରୂପଲାବଣ୍ୟରେ ବଶୀଭୂତ କରାଯାଇ ନ ପାରେ, ସେହି ଦେବାଦିଦେବଙ୍କୁ ପତିରୂପେ ପାଇବାପାଇଁ ଅଭିଳାଷିଣୀ ହୋଇଅଛନ୍ତି । ଶିବଙ୍କର ଧ୍ୟାନଭଙ୍ଗ ସମୟରେ କାମଦେବ ଭସ୍ମୀଭୂତ ହୁଅନ୍ତେ, ତହାଙ୍କର ଯେଉଁ ଶର ମହାଦେବଙ୍କର ଭୀଷଣ ହୁଙ୍କାରରେ ଭୀତ ହୋଇ ତାହାଙ୍କ ଆଘାତ କରି ନ ପାରି ପ୍ରତିନିବୃତ୍ତ ହୋଇଥିଲା, ସେହି ଶର ଏହାଙ୍କର ହୃଦୟରେ ଦୃଢ଼ରୂପେ ନିଖାତ ହୋଇ ଏହାଙ୍କୁ ପରିକ୍ଷୀଣ କରିପକାଇଅଛି । ସେହିଦିନଠାରୁ ପିତାଙ୍କ ଗୃହରେ ଅବସ୍ଥାନ କରି ଉତ୍‌କଟ ସନ୍ତାପରେ ଜର୍ଜରିତା ତିଳକ ଚନ୍ଦନଧୂସରିତକୁନ୍ତଳା, ଅନଢ଼ା ଏହି ଅଦ୍ରିତନୟା ଘନୀଭୂତ ତୁଷାର ଶିଳାରେ ଶୟନ କରି ସୁଦ୍ଧା ଶାନ୍ତିଲାଭ କରି ପାରୁ ନ ଥିଲେ । ବନ ମଧ୍ୟରେ ସଙ୍ଗୀତଗାନ ସମୟରେ ପିନାକପାଣିଙ୍କର ଚରିତସଂକ୍ରାନ୍ତ ଗୀତ ଆରବ୍ଧ ହେଲ, ଏ ବାଷ୍ପାକୁଳକଣ୍ଠରେ ସ୍ଫଳିତସ୍ୱରରେ କଥା ଉଚ୍ଚାରଣ କରି ବନାନ୍ତସଙ୍ଗୀତସଙ୍ଗିନୀ କିନ୍ନରରାଜକନ୍ୟାମାନଙ୍କୁ ଅନେକଥର କନ୍ଦାଇ ଅଛନ୍ତି । ଚିନ୍ତାରେ ସହଜେ ନିଦ୍ରା ଆକର୍ଷଣ ନ କରିବାରୁ ଅନେକ ଦିନ ଯାଏ ରାତ୍ରିକ ଅନ୍ତିମଯାମରେ କ୍ଷଣକାଳ ନିମିତ୍ତ ଚକ୍ଷୁ ମୁଦ୍ରିତ କଲାମାତ୍ରେ ସ୍ୱପ୍ନରେ କାଳ୍ପନିକଶିବମୂର୍ତ୍ତି ଦର୍ଶନ କରି ‘ହେ ନୀଳକଣ୍ଠ, କେଉଁଆଡ଼େ ଯାଉଅଛ-?’ ଏହା କହି ସେହି ଅଳୀକମୂର୍ତ୍ତିର ଗଳଦେଶକୁ ବାହୁପାଶରେ ଆବଦ୍ଧ କରି ସହସା ଜାଗ୍ରତ ହେଉଥିଲେ । ଏହି ମୁଗ୍ଧା ଅଦ୍ରିକନ୍ୟା ନିର୍ଜନରେ ବସି ସ୍ୱହସ୍ତରେ ସଦାଶିବଙ୍କର ପ୍ରତିମୂର୍ତ୍ତି ଅଙ୍କନପୂର୍ବକ ତିରସ୍କାର କରି କହୁଥିଲେ ‘ଦେବ ! ପଣ୍ଡିତମାନେ ଆପଣଙ୍କୁ ସର୍ବାନ୍ତର୍ଯ୍ୟାମୀ ବୋଳି ନିର୍ଦ୍ଦେଶ କରନ୍ତି । ମୁଁ ଯେ ଆପଣଙ୍କ ପ୍ରତି ଏକାନ୍ତ ଅନୁରକ୍ତା, ଏହା କଣ ଜାଣି ପାରୁ ନାହାନ୍ତି ? ଏହିପରି ନାନାପ୍ରକାର ଚିନ୍ତା କରି ଯେତେବେଳେ ଦେଖିଲେ ଯେ, ତପସ୍ୟାବ୍ୟତୀତ ବିଶ୍ୱନାଥଙ୍କୁ ପତିରୂପେ ଲାଭ କରିବା ନିତାନ୍ତ ଅସମ୍ଭବ ସେତେବେଳେ ପିତାଙ୍କର ଅନୁମତି ଗ୍ରହଣପୂର୍ବକ ଆମ୍ଭମାନଙ୍କ ସଙ୍ଗରେ ଆସି ଏହି ତପୋବନରେ ତପସ୍ୟା କରୁଅଛନ୍ତି । ସଖୀ ଏହି ପୁରୋବର୍ତ୍ତୀ ଯେଉଁ ବୃକ୍ଷଗୁଡ଼ିକ ସ୍ୱହସ୍ତରେ ରୋପଣ କରିଥିଲେ, ଏହାଙ୍କର କଠୋର ତପସ୍ୟାର ପ୍ରତ୍ୟକ୍ଷ ସାକ୍ଷ ସେହି ବୃକ୍ଷ ଗୁଡ଼ିକ ଫଳିଲାଣି, ମାତ୍ର ସଖୀଙ୍କର ଚନ୍ଦ୍ରଶେଖରଗତ ମନୋରଥର ଅଙ୍କୁରୋ ଦ୍ଗମ କାହିଁ ଆଜିଯାଏ ଦୃଷ୍ଟିଗୋଚର ହେଲା ନାହିଁ ! ! କିଏ ଜାଣେ, ସେହି ପ୍ରାର୍ଥିତ ଦୁର୍ଲଭ ମହାପୁରୁଷ କେବେ ଆମ୍ଭମାନଙ୍କ ସଖୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବେ ।’’

 

ଏହି ସଖୀ ପାର୍ବତୀଙ୍କର ମନୋଗତ ଭାବ ଉତ୍ତମରୂପେ ଜାଣିଥିଲେ; ସୁତରାଂ କିଛି ମାତ୍ର ଗୋପନ ନ କରି ସରଳଭାବରେ ସମସ୍ତ ବୃତ୍ତାନ୍ତ ବ୍ରହ୍ମଚାରୀଙ୍କ ନିକଟରେ ପ୍ରକାଶ କରନ୍ତେ ସେ ଅଣୁମାତ୍ର ଆନନ୍ଦଚିହ୍ନ ପ୍ରକାଶ ନ କରି ପାର୍ବତୀଙ୍କୁ ପଚାରିଲେ, ‘‘ଅୟ ସୁନ୍ଦରି ! ତୁମ୍ଭର ସଖୀ ଯାହା ଯାହା କହିଲେ ତାହା ଯଥାର୍ଥ ନା ପରିହାସ ?’’ ବ୍ରହ୍ମଚାରୀଙ୍କ ଏହି ପ୍ରଶ୍ନରେ ପାର୍ବତୀ ସ୍ପଟକମୟୀ ଜପମାଳିକାକୁ ଅଙ୍ଗୁଳିର ଅଗ୍ରଭାଗରେ ଗୁଡ଼ାଇ ପଦ୍ମ କୋରକସନ୍ନିଭ ବଦ୍ଧାଞ୍ଜଳିପୁଟରେ କ୍ଷଣକାଳ ପରେ କହିଲେ, ‘ହେ ବେଦଜ୍ଞ ବ୍ରହ୍ମଚାରିନ୍, ଆପଣ ସଖୀ ମୁଖରୁ ଯାହା ଶୁଣିଲେ ତାହା ସତ୍ୟ, ପ୍ରକୃତରେ ମୁଁ ଉଚ୍ଚପଦାଭିଳାଷିଣୀ ହୋଇଅଛି, ତପସ୍ୟାହିଁ ତତ୍‌ପ୍ରାପ୍ତିର ସାଧନ, ଭଗବାନ୍ ବାଞ୍ଛାକଳ୍ପତରୁ; ସେ ମନୋରଥ ସିଦ୍ଧ କରିବ ଏହି ବିଶ୍ୱାସରେହିଁ ମୁଁ ତପସ୍ୟାରେ ବ୍ରତୀ ହୋଇଅଛି ।’’ ଅନନ୍ତର ବ୍ରହ୍ମଚାରୀ କହିଲେ, ‘‘ମୁଁ ମହେଶ୍ୱରଙ୍କୁ ଭଲ କରି ଜାଣେଁ, ତୁମ୍ଭେ ପୁଣି ତାଙ୍କୁ ପାଇବାପାଇଁ ଅଭିଳାଷିଣୀ ହୋଇଅଛ ? ସେ ଅତ୍ୟନ୍ତ, ଅମଙ୍ଗଳାଚାରୀ ଏହା ଜାଣି ତୁମ୍ଭର ଏ କାର୍ଯ୍ୟର ଅନୁମୋଦନ କରିବାକୁ ମୋର ପ୍ରବୃତ୍ତି ହେଉ ନାହିଁ । ଯେତେବେଳେ ବିବାହକୌତୁକସମନ୍ୱିତ ତୁମ୍ଭର ଏହି ସୁକୋମଳ କରକୁ ମହାଦେବ ଅନ୍ଦିବିଜଳିତହସ୍ତରେ ପ୍ରଥମେ ଧାରଣ କରିବେ ସେତେବେଳେ କିପରି ସେହି ସ୍ପର୍ଶ ସହ୍ୟ କରିବ ? ତୁମ୍ଭେ ସ୍ୱପ୍ନ ବିଚାର କରି ଦେଖ, କଳହଂସଚିହ୍ନିତ ନବୋଢ଼ା କାମିନୀର ପଟ୍ଟୁବସ୍ତ୍ର ଓ ଶୋଣିତବିନ୍ଦୁବର୍ଷୀ ଗଜଚର୍ମ ଏହି ଉଭୟର ଗ୍ରନ୍ଥି ବନ୍ଧନ ସଙ୍ଗତ କି ? ତୁମ୍ଭର ଯେଉଁ ଚରଣଦ୍ୱୟ ପୁଷ୍ପାବକୀର୍ଣ୍ଣ ଦିବ୍ୟଭବନରେ ବନ୍ୟସ୍ତ ହେବାର ଉପଯୁକ୍ତ ତାହା ଅଳକ୍ତ କରାଗରଞ୍ଜିତ ହୋଇ ଶବକେଶପରିବ୍ୟାପ୍ତ ଶ୍ମଶାନ ଭୂମିରେ ବିନ୍ୟସ୍ତ ହେବ, ଶତ୍ରୁ ସୁଦ୍ଧା ଏହି ବିସଦୃଶ ବ୍ୟାପାର ସମର୍ଥନ କରି ପାରିବ ନାହିଁ । ଯେତେବେଳେ ତ୍ରିଲୋଚନଙ୍କ ବକ୍ଷସ୍ଥଳ ତୁମ୍ଭର ସୁଲଭ ହେବ, ସେତେବେଳେ ତୁମ୍ଭର ଯେଉଁ ଉରୋଦେଶ ହରିଚନ୍ଦନର ଆଧାର ତହିଁରେ ଚିତାଭସ୍ମ ଲୋପିତ ହେବ, କହ ତ, ଏଥିରୁ ବଳି ଅସଙ୍ଗତ ବ୍ୟାପାର କଣ ହୋଇପାରେ ? ଆହୁରି ମଧ୍ୟ ଦେଖ, ଅବିଳମ୍ବେ ଅନ୍ୟ ଗୋଟିଏ ବିଡ଼ମ୍ବନା ଘଟିବ । ତୁମ୍ଭର ବିବାହ ହେଲେ ତୁମ୍ଭେ ଗଜାରୋହଣ କରି ସ୍ୱାମି ଗୃହକୁ ଯାଆନ୍ତି, ମାତ୍ର ତତ୍‌ପରିବର୍ତ୍ତରେ ତୁମ୍ଭଙ୍କୁ ଗୋଟିଏ ବୃଦ୍ଧ ବୃଷଭ ପୃଷ୍ଠରେ ଆରୋହଣ କରି ଯିବାକୁ ପଡ଼ିବ । ଏହା ଦେଖି ମହାଜନ ମାନେ ସୁଦ୍ଧା ହାସ୍ୟ ସମ୍ବରଣ କରି ପାରିବେ ନାହିଁ । ଆହା ! ତୁମ୍ଭର ସେହି ନୃମୁଣ୍ଡମାଳୀ ଶିବଙ୍କୁ ପାଇବା କାମନାରେ ଦୁଇଟି ବସ୍ତୁ ସମ୍ପ୍ରତି ଶୋଚନୀୟ ଦଶା ପ୍ରାପ୍ତ ହେଲେ । ଗୋଟିଏ ହତଶିରୋମଣିଭୂତା ଲାବଣ୍ୟମୟୀ ଶଶିକଳା, ଅପରଟି ତ୍ରି ଭୁବନନେତ୍ରକୌମୁଦୀ ତୁମ୍ଭେ । କନ୍ୟା ଏବଂ ତାହାର ବନ୍ଧୁମାନେ ବରଠାରେ ଯାହା ଯାହା ଆକାକ୍ଷାଂ କରନ୍ତି, ହେ ବାଳମୃଗାକ୍ଷି ! ତ୍ର୍ୟମ୍ବକଙ୍କଠାରେ ସେ ସମସ୍ତ ନ ଥାଉ ପଛକେ, ତନ୍ମଧ୍ୟରୁ ଗୋଟିଏ ସୁଦ୍ଧା ଅଛି କି ? ସଂସାରରେ ସମସ୍ତଙ୍କର ଯୋଡ଼ିଏ ଯୋଡ଼ିଏ ଚକ୍ଷୁ, ମାତ୍ର ଶିବଙ୍କର ତିନିଗୋଟି ଏହାହିଁ ତାଙ୍କ ରୂପର ଯଥେଷ୍ଟ ପରିଚୟ । ଅଲକ୍ଷ୍ୟଜନ୍ମା ତାହାଙ୍କର ଜନ୍ମବୃତ୍ତାନ୍ତ କେହି ଜାଣନ୍ତି ନାହିଁ, କୁଳର ଅଧିକ ପରିଚୟ ନିଷ୍ପ୍ରୟୋଜନ; ଦିଗମ୍ବରତ୍ୱରୁ ତାହାଙ୍କର ବିଭବ ଅନାୟାସେ ଅନୁମେୟ । ଆଉ ଅଧିକ କଣ କହିବି ? ଅତଏବ ହେ ସୁନ୍ଦରି ! ଏହି ଅସଦଭିସନ୍ଧରୁ ମନକୁ ନିବର୍ତ୍ତିତ କର । ତଦ୍‌ବିଧ ଅସଦାଚାରୀ ପୁରୁଷ ସଙ୍ଗରେ ତ୍ୱତ୍‌ସଦୃଶୀ ସୁଲକ୍ଷଣା କନ୍ୟାର ପରିଣୟ ଏକାନ୍ତ ଅସମ୍ଭବ ।’’

 

ବ୍ରହ୍ମଚାରୀ ଏହିପରି ଅପ୍ରିୟବାକ୍ୟ କହନ୍ତେ ପାର୍ବତୀଙ୍କର ଅଧର କମ୍ପିତ ହୋଇ କ୍ରୋଧାଦୟର ସୂଚନା କଲା; ଭ୍ରୂଲତା ଆକୁଞ୍ଚିତ ହୋଇ ଉଠିଲା ଏବଂ ଉପାନ୍ତଲୋହିତଲୋଚନଦ୍ୱୟ ତିର୍ଯ୍ୟଗ୍‌ଭାବରେ ବିକ୍ଷିପ୍ତ ହେବାକୁ ଲାଗିଲା । ସେ ବ୍ରହ୍ମଚାରୀଙ୍କୁ କହିଲେ, ‘‘ଆପଣ ତତ୍ତ୍ୱତଃ ଶିବଙ୍କୁ ଜାଣନ୍ତି ନାହିଁ, ସେହିହେତୁରୁ ମୋତେ ଏପରି କହିଲେ । ମୂର୍ଖଲୋକମାନେ ମହାପୁରୁଷଙ୍କର ଆଲୋକସାମାନ୍ୟ ଚରିତର ଏହିପରି ଗ୍ଳାନି କରିଥାନ୍ତି ! ବିପତ୍‌ପ୍ରତୀକାର ଅଥବା ଐଶ୍ୱର୍ଯ୍ୟ ଲାଭର କାମନାରେ ଲୋକେ ମଙ୍ଗଳାନୁଷ୍ଠାନ କରନ୍ତି; କିନ୍ତୁ ଯାହାଙ୍କର ବିପଦାଶଙ୍କା ନାହିଁ, କି ଐଶ୍ୱର୍ଯ୍ୟାକାପ୍ପା ନାହିଁ, ମଙ୍ଗଳ ଓ ଅମଙ୍ଗଳ, ତାଙ୍କଠାରେ ସମାନ ଅଟେ । ସେ ଦରିଦ୍ର ହେଲେହେଁ ସର୍ବ ସମ୍ପଦର କାରଣ ବୋଲି ବର୍ଣ୍ଣିତ ହୁଅନ୍ତି । ଶ୍ମଶାନବାସୀ ହେଲେହେଁ ତ୍ରିଜଗତର ଅଧୀଶ୍ୱର ବୋଲାନ୍ତି ଏବଂ ଭୀଷଣାକୃତି ହେଲେ ମଧ୍ୟ ତାଙ୍କୁ ଲୋକେ ସୌମ୍ୟମୂର୍ତ୍ତି ଶିବ ବୋଲି କହିଥାନ୍ତି; ସୁତରାଂ ତାଙ୍କର ପ୍ରକୃତ ତତ୍ତ୍ୱ ଜାଣିବାଭଳି ଲୋକ ଜଗତରେ ବିରଳ । ସେହି ବିଶ୍ୱମୂର୍ତ୍ତି ମଙ୍ଗଳମୟଙ୍କର ଶରୀର ରତ୍ନାଳଙ୍କାରଭୂଷିତ ହେଉ ବା ଅହିବିଜଡ଼ିତ ହେଉ, ଗଜଚର୍ମାବୃତ ହେଉ ବା ଦୁକୁଳଶୋଭିତ ହେଉ, ନରକପାଳଧାରୀ ହେଉ ବା ଶଶିକଳାସମନ୍ୱିତ ହେଉ, ତାହାକୁ ପ୍ରକୃତ ରୂପେ ଅବଧାରଣ କରିବାର ସାଧ୍ୟ କାହାରି ନାହିଁ । ଚିତାଭସ୍ମ ଅପବିତ୍ର ହେଲେହେଁ ତାଙ୍କର ଅଙ୍ଗସଂସ୍ପର୍ଶରେ ଅନ୍ୟର ପବିତ୍ରତାର କାରଣ ହୋଇଅଛି । ତାହା ହୋଇ ନ ଥିଲେ ତାଣ୍ଡବନୃତ୍ୟକାଳରେ ତାଙ୍କ ଅଙ୍ଗରୁ ବିଚ୍ୟୁତ ସେହି ଚିତାଭସ୍ମକୁ ଇନ୍ଦ୍ରାଦିଦେବଗଣ ମସ୍ତକରେ ଲେପନ କରନ୍ତେ କି ? ସେହି ସମ୍ପଦ୍‌ବିହୀନ ମହାଦେବ ଯେତେବେଳେ ବୃଷଭ ପୃଷ୍ଠରେ ଆରୋହଣ କରି ଗମନ କରୁଥାନ୍ତି, ସେତେବେଳେ ଐରାବତପୃଷ୍ଠସ୍ଥ ସୁରେନ୍ଦ୍ର ତତ୍‌କ୍ଷଣାତ୍ ଅବତରଣପୂର୍ବକ ତାହାଙ୍କର ବିଲୁଣ୍ଠିତ କରି ଶିରଃସ୍ଥ ପାରିଜାତ ପରାଗଦ୍ୱାରା ଶିବଚରଣଦ୍ୱୟକୁ ଅରୁଣିତ କରନ୍ତି । ତୁମ୍ଭର ଚିତ୍ତବିକୃତି ଜନ୍ମିଅଛି, ତେଣୁ ତୁମ୍ଭେ ଶିବଙ୍କର ଗ୍ଳାନି କରିବାକୁ ଯାଇ ଅଜ୍ଞାତସାଗରରେ ତାଙ୍କର ପ୍ରଶଂସା କରି ପକାଇଅଛ । ତୁମ୍ଭେ ତାଙ୍କୁ ଅଳକ୍ଷ୍ୟଜନ୍ମା ବୋଲି ଯେ କହୁଅଛ ତାହା ପ୍ରକୃତରେ ତାଙ୍କର ପ୍ରଶଂସାସୂଚକ । କାରଣ ପଣ୍ଡିତମାନେ ଯାହାଙ୍କୁ ବ୍ରହ୍ମାଙ୍କର ମଧ୍ୟ ଉତ୍ତ୍ପତ୍ତର ହେତୁ ବୋଲି ନିର୍ଦ୍ଦେଶ କରନ୍ତି, ତାଙ୍କର ଜନ୍ମବୃତ୍ତାନ୍ତ ଅନ୍ୟ ବ୍ୟକ୍ତି କିପରି ଜାଣିବେ ? ମହାତ୍ମନ୍ ! ଅଧିକ ବାଗ୍‌ବିତଣ୍ଡାରେ ପ୍ରୟୋଜନ ନାହିଁ, ଆପଣ ଯେପରି ଶୁଣିଛନ୍ତି ଶିବ ସେହିପରି ହୁଅନ୍ତି; କିନ୍ତୁ ମୋର ମନ ତାଙ୍କଠାରେ ଏକାନ୍ତ ଆସକ୍ତ ହୋଇ ରହିଅଛି । ଦେଖନ୍ତୁ, ସ୍ୱଚ୍ଛନ୍ଦାଚାରୀ ଲୋକ ନିନ୍ଦାର ଭୟ କରେ ନାହିଁ ।’’ ପାର୍ବତୀ ଏହିପରି ଉତ୍ତର ଦେବା ପରେ ବ୍ରହ୍ମଚାରୀ ଆଉ କିଛି କହିବାର ଉପକ୍ରମ କରୁଅଛନ୍ତି ଜାଣିପାରି ସେ ସଖୀଙ୍କୁ ସମ୍ବୋଧନ କରି କହିଲେ ‘‘ସଖି, ଦେଖ, ଏହି ଧୃଷ୍ଟ ବ୍ରାହ୍ମଣଙ୍କର ଅଧର କମ୍ପିତ ହେଉଅଛି । ବୋଧ ହୁଏ ଏ ଆହୁରି କିଛି କହିବାକୁ ଇଚ୍ଛା କରନ୍ତି । ଏହାଙ୍କୁ ନିବାରଣ କର । କାରଣ ଯେ ମହାତ୍ମାମାନଙ୍କର ନିନ୍ଦା କରନ୍ତି ସେହି ଯେ କେବଳ ପାପଭାଗୀ ହୁଅନ୍ତି ତାହା ନୁହେ, ସେ ତାଙ୍କଠାରୁ ତାହା ଶୁଣନ୍ତି ତାଙ୍କୁ ମଧ୍ୟ ପାପ ଲାଗେ । ଏତେ ବିବାଦରେ ପ୍ରୟୋଜନ କଣ ? ଚାଲ ଏଠାରୁ ଚାଲିଯିବା ।’’ ଏହା କହି ଗୌରୀ ଗମନୋନ୍ମୁଖ ହୁଅନ୍ତେ ବୃଷଭଧ୍ୱଜ ସ୍ୱରୂପ ପରିଗ୍ରହ କରି ସସ୍ମିତବଦନରେ ତାହାଙ୍କର କର ଧାରଣ କଲେ । ଗିରିରାଜକନ୍ୟା ସେହି ଦେବାଦିଦେବଙ୍କୁ ଦର୍ଶନକରି ସ୍ୱିନ୍ନକଳେବର ହୋଇ ଉଠିଲେ ଏବଂ ନିକ୍ଷେପ କରିବା ଯେଉଁ ପଦ ଉତ୍ତୋଳନ କରିଥିଲେ ତାହାକୁ ସେହିପରି ଧାରଣ କରି ରହିଗଲେ । ନଦୀ ପ୍ରବାହିତ ହେଉ ହେଉ କୌଣସି ପର୍ବତ ତାହାର ବାଟ ଓଗାଳିଲେ ତାହା ଯେପରି ଆଗକୁ ଯାଇ ପାରେ ନାହିଁ ବା ପଛକୁ ଫେରି ପାରେ ନାହିଁ, ନଗେନ୍ଦ୍ରକନ୍ୟା ସେହିପରି କିଂକର୍ତ୍ତବ୍ୟବିମୂଢ଼ା ହୋଇ ଅଗ୍ରସର କିଂବା ପ୍ରତ୍ୟାବୃତ୍ତ ହୋଇ ପାରିଲେ ନାହିଁ । ଏକପଦରେ ସେହିଠାରେ ସ୍ତମ୍ଭୀଭୂତ ହୋଇ ରହିଲେ । ଅନନ୍ତର ଚନ୍ଦ୍ରମୌଳି କହିଲେ ‘‘ହେ ଅନବଦ୍ୟାଙ୍ଗି ! ଆଜିଠାରୁ ମୁଁ ତୁମ୍ଭର ତପସ୍ୟାର କ୍ରୀତବାସ ହୋଇ ରହିଲି-।’’ ଏହା ଶୁଣିବାମାତ୍ରକେ ପାର୍ବତୀ ଯାବତୀୟ ତପଃକ୍ଳେଶ ବିସ୍ମୃତ ହୋଇଗଲେ-। ପ୍ରକୃତରେ ଅଭୀପ୍ସିତ ଫଳ ଲବ୍ଧ ହେଲେ ତଦ୍ଦ୍ୱାରା ସାଧକ ସାଧନାକ୍ଳେଶ ବିସ୍ମୃତ ହୁଏ ଏବଂ ତାହାର ଶରୀର ଓ ମନ ପୁନର୍ନବୀନତା ପ୍ରାପ୍ତ ହୁଏ ।

Image

 

ଉମା ପ୍ରଦାନ

 

ଅନନ୍ତର ପାର୍ବତୀ ସ୍ୱୀୟ ସଖୀଦ୍ୱାରା ବିଶ୍ୱମୂର୍ତ୍ତି ସଦାଶିବଙ୍କ ନିକଟରେ ଜଣାଇଲେ ‘ଭଗବାନ୍ ! ଶୈଳାଧିରାଜ ହିମବାନ୍ ମୋର ସମ୍ପ୍ରଦାତା, ତାଙ୍କ ବିନାନୁମତିରେ ଆପଣଙ୍କୁ କର ସମର୍ପଣ କରିବାକୁ ମୁଁ ଅସମର୍ଥ । ଅତଏବ ଯହିଁରେ ସେ ମୋତେ ଭବଦୀୟ ଶ୍ରୀକରରେ ସମର୍ପଣ କରନ୍ତି, ତାହାର ଉପାୟ ବିଧାନ କରିବା ହେଉ ।’ ସୁରଶାସନ ବିଶ୍ୱନାଥ ତଥାସ୍ତୁ କହି ଉମାଙ୍କୁ ଅତି କଷ୍ଟରେ ବିଦାୟ ଦେଇ ତତ୍‌କ୍ଷଣାତ୍ ଜ୍ୟୋତିର୍ମୟ ସପ୍ତର୍ଷିମାନଙ୍କୁ ସ୍ମରଣ କଲେ । ଯେଉଁ ସୁରଧୂନୀସ୍ରୋତର ତରଙ୍ଗାବଳି ତତ୍ତୀରଜାତ ମନ୍ଦାରକୁସୁମରାଶିକୁ ଇତସ୍ତତଃ ଭସାଇ ନେଇଯାଏ, ଦିଙ୍‌ନାଗମଦଗନ୍ଧଯୁକ୍ତ ସେହି ପବିତ୍ର ସ୍ରୋତୋବାରିରେ ସ୍ନାନ ସମ୍ପାଦନ କରି ସପ୍ତର୍ଷିଗଣ ଅରୁନ୍ଧତୀ ସମଭିବ୍ୟାହାରରେ ତତ୍‌କ୍ଷଣାତ୍ ଆସି ପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ସେମାନେ ସ୍ୱକୀୟ ତେଜଃପୁଞ୍ଜଦ୍ୱାରା ବ୍ୟୋମତଳ ଉଦ୍ଭାସିତ କରି ମୁକ୍ତାମୟ ଯଜ୍ଞୋପବୀତ, ସୁବର୍ଣ୍ଣମୟ ବକ୍କଳ ଓ ରତ୍ନମୟୀ ଜପମାଳିକା ଧାରଣ କରିବା ଦ୍ୱାରା ବାନପ୍ରସ୍ଥାଶ୍ରିତ କଳ୍ପତରୁ ପରି ପରିଦୃଷ୍ଟ ହେଉଥିଲେ । ସାଧୁମାନେ ସ୍ତ୍ରୀ ପୁରୁଷ ମଧ୍ୟରେ ଭେଦ ଉପେକ୍ଷା କରି ଚରିତ୍ରକୁହିଁ ସମଧିକ ସମାଦର କରିଥାନ୍ତି; ତେଣୁ ମହାଦେବ ମୁନିମାନଙ୍କୁ ଯେପରି ସମାଦର କଲେ ଅରୁନ୍ଧତୀଙ୍କ ପ୍ରତି ମଧ୍ୟ ସେହିପରି ସମାଦର ପ୍ରଦର୍ଶନ କଲେ । ଅରୁନ୍ଧତୀଙ୍କୁ ଦେଖି ମହାଦେବଙ୍କ ମନରେ ଦାରପରିଗ୍ରହ ନିମିତ୍ତ ଅତିଶୟ ଆଗ୍ରହ ଜନ୍ମିଲା କାରଣ ସେ ବୁଝି ପାରିଲେ ଯେ ପତିବ୍ରତା ପତ୍ନୀହିଁ ସମସ୍ତ ଧର୍ମ କର୍ମର ମୁଖ୍ୟ ହେତୁ । ‘ସସ୍ତ୍ରୀକ ହୋଇ ଧର୍ମାଚରଣ କରିବ’ ଏହି ଶାସ୍ତ୍ରବିଧି ଶିବଙ୍କ ମନରେ ପାର୍ବତୀପରିଣୟ ବାସନା ଜନ୍ମାଇ ଦିଅନ୍ତେ, ପୂର୍ବାପରାଧଭୀତ ମଦନର ପୁନରୁଜ୍ଜୀବିତ ହେବା ଆଶାର ସଞ୍ଚାର ହେଲା । ଅନନ୍ତର ବେଦ ବେଦାଙ୍ଗବିଶାରଦ ମୁନିଗଣ ଜଗଦ୍‌ଗୁରୁ ସେହି ବିଶ୍ୱନାଥଙ୍କୁ ବନ୍ଦନା କରି କହିଲେ ‘‘ଭଗବନ୍, ଆମ୍ଭେମାନେ ଯଥାବିଧି ଯେଉଁ ବେଦାଧ୍ୟୟନ, ହୋମ ଓ ତପସ୍ୟା କରି ଆସୁଅଛୁଁ ତାହାର ଫଳ ଅଦ୍ୟ ପ୍ରାପ୍ତ ହେଲୁ; କାରଣ ଜଗଦ୍‌ଗୁରୁ ଆପଣ ଆମ୍ଭମାନଙ୍କୁ ସ୍ୱକୀୟ ମନୋମଧ୍ୟରେ ସ୍ଥାନ ପ୍ରଦାନ କରି ଅଛନ୍ତି । ଏହା ଆମ୍ଭମାନଙ୍କ ପକ୍ଷରେ ଆଶାତୀତ ଅଟେ । ଆପଣ ଯାହାଙ୍କ ହୃଦୟରେ ଅବସ୍ଥାନ କରନ୍ତି ସେ ତ କୃତୀମାନଙ୍କର ଅଗ୍ରଣୀ । ପୁଣି ଆପଣଙ୍କ ହୃଦୟରେ ଯେ ସ୍ଥାନ ଲାଭ କରେ ତାଙ୍କ କଥା ବା କଣ କହିବେ ? ଆମ୍ଭେମାନେ ସୂର୍ଯ୍ୟଲୋକ ଓ ଚନ୍ଦ୍ରଲୋକର ଉପରିସ୍ଥ ପ୍ରଦେଶରେ ବାସ କରୁଁ ସତ୍ୟ, ମାତ୍ର ଆପଣଙ୍କ ସ୍ମରଣାନୁଗ୍ରହରେ ଆଜି ଆମ୍ଭେମାନେ ତଦପେକ୍ଷା ଉଚ୍ଚତର ସ୍ଥାନ ପ୍ରାପ୍ତ ଦେଲୁଁ । ଆପଣ ଆମ୍ଭମାନଙ୍କୁ ସ୍ମରଣ କରି ସମ୍ମାନିତ କରିବାରୁ ଆମ୍ଭେମାନେ ଆପଣାକୁ ଅତ୍ୟନ୍ତ ଗୌରବାନ୍ୱିତ ମନେ କରୁଅଛୁଁ । କାରଣ ଭବାଦୃଶ ସାଧୁଜନକୃତ ସମାଦର ପ୍ରାୟଶଃ ଲୋକମାନଙ୍କର ସ୍ୱୀୟ ଗୁଣବତ୍ତାରେ ବିଶ୍ୱାସ ଜନ୍ମାଇଥାଏ । ଆପଣ ସ୍ମରଣ କରିବାରୁ ଆମ୍ଭାମାନଙ୍କ ମନରେ ଯେଉଁ ପ୍ରୀତି ଜାତ ହେଉଅଛି, ତାହା ଆପଣଙ୍କ ନିକଟରେ ପ୍ରକାଶ କରିବାର ପ୍ରୟୋଜନ ଦେଖୁ ନାହୁଁ । କାରଣ ଆପଣ ଶରୀରୀମାନଙ୍କ ହୃଦୟରେ ସତତ ବିରାଜିତ ରହି ସମସ୍ତ ଜାଣିପାରୁ ଅଛନ୍ତି । ଦେବ ! ଆପଣଙ୍କୁ ସାକ୍ଷାତ୍‌ଦର୍ଶନ କରୁଅଛୁଁ ସତ୍ୟ, ମାତ୍ର ଆପଣଙ୍କ ପ୍ରକୃତ ତତ୍ତ୍ୱ ବୁଝି ପାରୁ ନାହୁଁ । ଆପଣ କୃପା କରି ସ୍ୱରୂପ ବୁଝାଇ ଦିଅନ୍ତୁ । କାରଣ ଆପଣ ବୁଦ୍ଧିର ଅଗମ୍ୟ । ଆପଣଙ୍କର ଏହି ଯେ ମୂର୍ତ୍ତି ପରିଦୃଷ୍ଟ ହେଉଅଛି, ତାହା କେଉଁ ମୂର୍ତ୍ତି ? ଯେଉଁ ମୂର୍ତ୍ତିରେ ଚରାଚର ବ୍ରହ୍ମାଣ୍ଡ ସୃଷ୍ଟି କରନ୍ତି ଏହା ସେହି ମୂର୍ତ୍ତି, ନା ଯେଉଁ ମୂର୍ତ୍ତିରେ ପାଳନ କରନ୍ତି ଏହା ସେ ମୂର୍ତ୍ତି ଅଥବା ଯେଉଁ ମୂର୍ତ୍ତିରେ ଏହାର ସଂହାର କରନ୍ତି ଏହା ସେ ମୂର୍ତ୍ତି ? ଅଥବା ଆପଣଙ୍କର ସ୍ୱରୂପନିର୍ଣ୍ଣୟରୂପ ଗୁରୁତର ପ୍ରାର୍ଥନା , ବର୍ତ୍ତମାନ ଥାଉ ଆପଣ ସ୍ମରଣ କରିବାମାତ୍ରେ ଆମ୍ଭେମାନେ ଉପସ୍ଥିତ ହୋଇଅଛୁଁ । ବର୍ତ୍ତମାନ କଣ କରିବାକୁ ହେବ ଆଦେଶ ଦିଅନ୍ତୁ ।’’ ଏହି କଥା ଶୁଣି ବିଶେଶ୍ୱର ସ୍ୱୀୟ ଦଶନପଂକ୍ତିର ବିଶଦକଋଣଚ୍ଛଟାଦ୍ୱାରା ଭାଲସ୍ଥିତ ଚନ୍ଦ୍ରକଳାର କ୍ଷୀଣପ୍ରଭା ପରିବର୍ଦ୍ଧିତ କରି କହିଲେ, ‘‘ଋଷିବୃନ୍ଦ ! ଆପଣମାନେ ଜାଣନ୍ତି ଯେ ଆମ୍ଭର କୌଣସି ପ୍ରବୃତ୍ତି ପ୍ରକଟ କରୁଅଛି । ପିପାସାର୍ତ୍ତ ଚାତକ ଯେପରି ଜଳଧରକୁ ବୃଷ୍ଟି ପ୍ରାର୍ଥନା କରେ, ସେହିପରି ଶତ୍ରୁପୀଡ଼ିତ ଦେବତାମାନେ ଆମ୍ଭଙ୍କୁ ପରିହିତପ୍ରବୃତ୍ତିସମ୍ପନ୍ନ ଜାଣି ଆମ୍ଭ ନିକଟରେ ଶତ୍ରୁସଂହାରକାରୀ ସନ୍ତାନ ପ୍ରାର୍ଥନା କରିଅଛନ୍ତି । ତେଣୁ ଯାଜ୍ଞିକ ଯେପରି ଅଗ୍ନି ଉତ୍ତ୍ପାଦନ ନିମିତ୍ତ ଅରଣି ସଂଗ୍ରହ କରନ୍ତି, ଆମ୍ଭେ ସେହିପରି ସନ୍ତାନଉତ୍ତ୍ପତ୍ତି ନିମିତ୍ତ ପାର୍ବତୀଙ୍କୁ ଆହରଣ କରିବାକୁ ଅଭିଳାଷୀ ହୋଇଅଛୁ । ଆପଣମାନେ ଆମ୍ଭପାଇଁ ହିମାଳୟ ନିକଟରେ ତଦୀୟକନ୍ୟା ପାର୍ବତୀଙ୍କୁ ପ୍ରାର୍ଥନା କରନ୍ତୁ । କାରଣ ସାଧୁମାନେ ଯେଉଁ ସମ୍ବନ୍ଧଘଟନାରେ ପ୍ରୟାସୀ ହୁଅନ୍ତି କେବେହେଁ ତାହାର ବୈକଲ୍ୟ ଘଟେ ନାହିଁ । ଉନ୍ନତ ମର୍ଯ୍ୟାଦାଭିଜ୍ଞ ଭୁଭାରବହନକ୍ଷମ ନଗରାଜଙ୍କ ସଙ୍ଗରେ ସଂବନ୍ଧ ସଂଘଟିତ ହେଲେ ଆମ୍ଭର ଗୌରବର ଲାଘବ ହେବ ନାହିଁ । କନ୍ୟା ନିମିତ୍ତ ହିମାଦ୍ରିଙ୍କୁ କିପରି ଅନୁରୋଧ କରିବାକୁ ହେବ, ତାହା ଆପଣମାନଙ୍କୁ କହି ଦେବାକୁ ଦେବ କି ? କାରଣ ଆପଣମାନେ ଯେଉଁ ଆଚାରମାନ ସ୍ମୃତିରୂପେ ବିଧିବଦ୍ଧ କରିଅଛନ୍ତି, ସାଧୁମାନେ ତାହାକୁହିଁ ଜନସାଧାରଣଙ୍କୁ ଶିକ୍ଷା ଦେଇଥାନ୍ତି । ଅର୍ଯ୍ୟା ଅରୁନ୍ଧତୀ ମଧ୍ୟ ଏ ବିଷୟରେ ଟିକିଏ ସହାୟତା କରିବେ, କାରଣ ସ୍ତ୍ରୀମାନଙ୍କର ଏ ବିଷୟରେ ସମଧିକ ପ୍ରଗଳ୍ବତା ଲକ୍ଷିତ ହୋଇଥାଏ । ଅତଏବ କାର୍ଯ୍ୟସମ୍ପାଦନ ନିମିତ୍ତ ଆପଣମାନେ ଓଷଧିପ୍ରସ୍ଥନାମକ ହିମାଳୟଙ୍କର ରାଜଧାନୀକୁ ଗମନ କରନ୍ତୁ । ମହାକୋଶୀ ନଦୀ ପ୍ରପାତରେ ପୁନର୍ବାର ଆମ୍ଭମାନଙ୍କର ମିଳନ ହେବ ।’’ ଅନନ୍ତର ଋଷିବୃନ୍ଦ ‘ତଥାସ୍ତୁ’ କହି ପ୍ରସ୍ଥାନ କଲେ ଏବଂ ଭଗବାନ୍ ମଧ୍ୟ ପୂର୍ବୋଲ୍ଲିଖିତ ମହାକୋଶୀ ନଦୀର ପ୍ରପାତ ସ୍ଥାନକୁ ଗମନ କଲେ ।

 

ମଣିମୟଶିଳାନିର୍ମିତ ସୂଜପ୍ରାକାରପରିବେଷ୍ଟିତ ମନ୍ଦାକିନୀମେଖଳା ସମୃଦ୍ଧିଶାଳିନୀ ଓଷଧିପ୍ରସ୍ଥପୁରୀର ଅପୂର୍ବ ଶୋଭା ଅବଲୋକନରେ ଋଷିବୃନ୍ଦ ମନେକଲେ, ଯେପରି କୁବେରନଗରୀ ଅଳକାର କିୟବଂଶ ଅମରାବତୀର ଅତିରିକ୍ତ ଅଧିବାସୀଙ୍କର ବିହାର ନିମିତ୍ତ ସ୍ୱତନ୍ତ୍ରରୂପେ ଏଠାରେ ସଂସ୍ଥାପିତ ହୋଇଅଛି । କବୀ, କେଶରୀ ପ୍ରଭୃତି ଜୀବଗଣ ଏଠାରେ ସ୍ୱାଭାବିକ ବୈରଭାବ ପରିତ୍ୟାଗ କରି ଅବସ୍ଥାନ କରିଅଛନ୍ତି । ଯକ୍ଷକିନ୍ନରଗଣ ଅଧିବାସିରୂପେ ଏବଂ ବନଦେବତାମାନେ ପୁରକାମିନୀରୂପେ ଏହାର ଅଭ୍ରଂଲିହାଗ୍ର ପ୍ରାସାଦମାନଙ୍କରେ ଅବସ୍ଥାନ କରି ଦିବ୍ୟସୁଖ ସଂଭୋଗ କରୁଅଛନ୍ତି । ରାତ୍ରିରେ ପଚଷ୍ପକମୟୀ ଅଟ୍ଟାଳିକାର ଉପରିଭାଗରେ ବିରଚିତ ପାନ ଭୂମିରେ ନକ୍ଷତ୍ରମାଳା ପ୍ରତିବିମ୍ବିତ ହୋଇ ପୁଷ୍ପୋକହାର ଶୋଭା ବିସ୍ତାର କରୁଅଛନ୍ତି-। ସେହି ନଗରୀର ପରମରମଣୀୟ ଶୋଭା ଦର୍ଶନରେ ବିମୁଗ୍ଧ ହୋଇ ଋଷିବୃନ୍ଦ ଗଗନଦେଶରୁ ଅବତରଣ କରି ଶ୍ରେଣୀ ବନ୍ଧନପୂର୍ବକ ଦଣ୍ଡାୟମାନ ହୁଅନ୍ତେ ତରଙ୍ଗିତ ଜଳ ମଧ୍ୟରେ ପ୍ରତିବିମ୍ବିତ ଭାସ୍କରବିମ୍ବାବଳୀ ପରି ପ୍ରତୀୟମାନ ହେଲେ । ଦୌବାରିକ ଋଷିମାନଙ୍କ ଆଗମନର ବାର୍ତ୍ତା ବିଜ୍ଞାପନ କରନ୍ତେ ଗିରିରାଜ ଅର୍ଘ୍ୟହସ୍ତରେ ଦୂରରୁ ସେହି ପୂଜ୍ୟ ପବିତ୍ରକର୍ମା ମହର୍ଷିମାନଙ୍କର ପ୍ରଭୁ ଦ୍ଗମନ କଲେ । ଯଥାବିଧି ଅଭ୍ୟର୍ଚ୍ଚନାପୂର୍ବକ ସ୍ୱୟଂ ପଥପଦର୍ଶନ କରି ସେମାନଙ୍କୁ ଅନ୍ତଃପୁରକୁ ଘେନିଗଲେ । ଋଷିଗଣ ସେଠାରେ ବେକ୍ରାସନୋପରି ଉପବିଷ୍ଟ ହୁଅନ୍ତେ ଗିରିରାଜ ନିଜେ ଆସନ ଗ୍ରହଣ କଲେ ଏବଂ କୃତାଞ୍ଜଳିପୁଟରେ କହିଲେ ‘‘ମହର୍ଷିଗଣ, ଆପଣମାନଙ୍କର ଏହି ଅତର୍ଚ୍ଚିତ ଦର୍ଶନଲାଭ, ବିନା ମେଘରେ ବାରିବର୍ଷଣ ଓ ବିନା ପୁଷ୍ପରେ ଫଳୋଭୃତ୍ତି ପରି ମୋତେ ବୋଧ ହେଉଅଛି । ଆପଣମାନଙ୍କର ଆଗମନରୂପ ଅନୁଗ୍ରହରେ ମୁଁ ଆଜିଠାରୁ ପ୍ରାଣୀମାନଙ୍କର ପବିତ୍ରତାଲାଭାର୍ଥ ତୀର୍ଥସ୍ୱରୂପ ହେଲି; କାରଣ ଯେଉଁଠାରେ ଭବାଦୃଶ ପୂଜନୀୟ ମହାପୁରୁଷମାନେ ଅବସ୍ଥାନ କରନ୍ତି ତାହାହିଁ ତୀର୍ଥ ବୋଲି ପରିଗଣିତ ହୁଏ । ମୁନିଗଣ ! ମୋର ସ୍ଥାବର ଓ ଜଙ୍ଗମ ଉଭୟବିଧରୂପ ଆପଣମାନଙ୍କ ଅନୁଗ୍ରହରେ ପୃଥକ୍ ପୃଥକ୍ ରୂପେ ଅନୁଗୃହୀତ ହୋଇଅଛି, କାରଣ ମୋର ଏହି ଜଙ୍ଗମ ମୂର୍ତ୍ତି ଆପଣମାନଙ୍କ କିଙ୍କରରୂପେ ଅବସ୍ଥିତ ରହିଅଛି ଏବଂ ମୋର ସ୍ଥାବରରୂପ ଆପଣମାନଙ୍କ ଚରଣଚିହ୍ନରେ ଚିହ୍ନିତ ହୋଇଅଛି । ତଥାପି ମୋତେ କୌଣସି କାର୍ଯ୍ୟ କରିବାର ଆଦେଶ ପ୍ରଦାନ କରନ୍ତୁ, କାରଣ ହତ୍ୟମାନେ ପ୍ରଭୁଙ୍କର ନିୟୋଗ ପ୍ରାପ୍ତ ହେଲେ ଆପଣାକୁ ଅନୁଗୃହୀତ ଏବଂ କୃତାର୍ଥ ମନେ କରିଥାନ୍ତି । ବିଶେଷ ବା କଣ କହିବି, ସ୍ୱୟଂ ମୁଁ, ମୋର ଏହି ଭାର୍ଯ୍ୟା, ମୋ ବଂଶର ପ୍ରାଣସ୍ୱରୂପା ଏହି କନ୍ୟା, ଏମାନଙ୍କ ମଧ୍ୟରେ ଯାହାଠାରେ ଆପଣମାନଙ୍କର ପ୍ରୟୋଜନ ତାହା କହନ୍ତି ।’’ ହିମବାନ୍ ଏହା କହି ନିବୃତ୍ତ ହୁଅନ୍ତେ ଗୁଦାମାନଙ୍କରେ ତାହା ପ୍ରତିଧ୍ୱନିତ ହେଲା ଏବଂ ବୋଧ ହେଲା ଯେପରି ସେ ଥରେ କହି ତୃପ୍ତ ନ ହୋଇ ସେହି କଥା ବାରଂବାର କହିଲେ । ଅନନ୍ତର ବାଗ୍‌ବିଶାରଦ ଅଙ୍ଗିରା ପ୍ରତ୍ୟୁତ୍ତରରେ ହିମାଦ୍ରିଙ୍କୁ କହିଲେ ‘ଗିରିରାଜ ! ତୁମ୍ଭେ ଯାହା କହିଲ ତତଥସମସ୍ତ ଏବଂ ତଦ୍‌ପେକ୍ଷା ଅଧିକ ତୁମ୍ଭଠାରେ ସମ୍ଭବପର । କାରଣ ତୁମ୍ଭର ମସ୍ତକ ଓ ମନ ତୁଲ୍ୟରୂପେ ସମୁନ୍ନତ । ତୁମ୍ଭେ ଯେବେ ରସାତଳ ପର୍ଯ୍ୟନ୍ତ ଧରଣୀକୁ ଧାରଣ କରି ନ ଥାନ୍ତି, ତାହା ହେଲେ କି ଶେଷ ତଦୀୟ ମୃଣାଳକୋମଳ ଫଣୋପରି ତାହା ଧାରଣ କରିବାକୁ ସମର୍ଥ ହୋଇଥାନ୍ତେ ? ଯେପରି ଅବିଚ୍ଛିନ୍ନପ୍ରବାହା, ପୁଣ୍ୟସଲିଳା ଗଙ୍ଗାଦି ତୁମ୍ଭର ନଦୀବୃନ୍ଦ ଅବାରିତ ଗତିରେ ସମୁଦ୍ରଗର୍ଭରେ ପ୍ରବେଶ କରୁଅଛନ୍ତି ଓ ଲୋକମାନଙ୍କୁ ପବିତ୍ର କରୁଅଛନ୍ତି, ସେହିପରି ତୁମ୍ଭର ନିର୍ମଳ ଅବିଚ୍ଛିନ୍ନ କୀର୍ତ୍ତିରାଜିର ପ୍ରଭାବ ଲୋକମାନଙ୍କ ହୃଦୟରେ ପ୍ରବେଶ କରି ସେମାନଙ୍କୁ ପବିତ୍ର କରୁଅଛି । ବିଷ୍ଣୁପାଦୋଭବା ବୋଲି ଗଙ୍ଗା ଯେପରି ଶ୍ରାଘ୍ୟ ହୋଇଅଛନ୍ତି ଉନ୍ନତ ଶିରଃସପନ୍ନ ତୁମ୍ଭେ ତାହାର ଅପର ପ୍ରଭାବ ବୋଲି ସେ ସେହିପରି ଶାଘନୀୟ ହୋଇଅଛନ୍ତି । ବର୍ତ୍ତମାନ ଆମ୍ଭେମାନେ ଯେଉଁ ଉଦ୍ଦେଶ୍ୟରେ ଏଠାକୁ ଆସିଅଛୁଁ ତାହା ଶ୍ରବଣ କର । କାର୍ଯ୍ୟଟି ତୁମ୍ଭର ମଙ୍ଗଳ ନିମିତ୍ତ ହେବ । ଆମ୍ଭେମାନେ କେବଳ ସତ୍‌କାର୍ଯ୍ୟରେ ଉପଦେଶ ଦେବା ହେତୁରୁ ପୁଣ୍ୟଲାଭ କରିବୁଁ । ଯେଉଁ ମହାତ୍ମା ପୁରୁଷାନ୍ତରରେ ଅପ୍ରଯୁକ୍ତ ଅଣିମାଦିରାଣପରିଚାୟକ ଈଶ୍ୱର ନାମ ତଥା ଶଶିକଲା ଧାରଣ କରନ୍ତି, ଯେ ଅନୋଽନ୍ୟସାହାଯ୍ୟକାରିଣୀ ସ୍ୱୀୟ ଅଷ୍ଟମୂର୍ତ୍ତିର ସହାୟତାରେ ଚରାଚର ବିଶ୍ୱକୁ ଧାରଣ କରି ରଖିଅଛନ୍ତି, ଯାହାଙ୍କୁ ଯୋଗିଗଣ ସ୍ୱ ସ୍ୱ ଶରୀରାଭ୍ୟନ୍ତରବର୍ତ୍ତୀ ପରମାତ୍ମରୂପେ ଚିନ୍ତା କରନ୍ତି ଏବଂ ଯାହାଙ୍କର ସ୍ୱରୂପପ୍ରାପ୍ତିକୁ ପଣ୍ଡିତଗଣ ଭବଭୟ ବିନାଶର ହେତୁ ବୋଲି ନିର୍ଦ୍ଦେଶ କରିଥାନ୍ତି, ସେହି ବିଶ୍ୱକର୍ମସାକ୍ଷୀଭୂତ, ସର୍ବସିଦ୍ଧିଦାୟୀ ଭଗବାନ୍ ଶୂଳପାଣି ସ୍ୱୟଂ ତୁମ୍ଭର କନ୍ୟାଙ୍କୁ ପତ୍ନୀରୂପେ ପ୍ରାର୍ଥନା କରୁଅଛନ୍ତି ଏବଂ ଆମ୍ଭମାନଙ୍କଦ୍ୱାରା ଏହି କଥା ତୁମ୍ଭଙ୍କୁ ଜ୍ଞାପନ କରୁଅଛନ୍ତି । ବାକ୍ୟ ସହିତ ଅର୍ଥର ମିଳନ ପରି ତୁମ୍ଭେ ତୁମ୍ଭର କନ୍ୟାଙ୍କ ସହିତ ଶିବଙ୍କର ମିଳନ ସଂଘଟନ କର । ଦେଖ, ସତ୍‌ପାତ୍ରରେ କନ୍ୟା ପ୍ରଦତ୍ତ ହେଲେ ପରିଣାମରେ ପିତାଙ୍କୁ ଅନୁତାପ ଯନ୍ତ୍ରଣା ସହିବାକୁ ହୁଏ ନାହିଁ । ଏହି ଚରାଚର ସମଗ୍ର ବିଶ୍ୱ ତୁମ୍ଭର କନ୍ୟାଙ୍କୁ ମା ବୋଲି ସଂବୋଧନ କରନ୍ତୁ, କାରଣ ମହେଶ୍ୱର ଜଗତର ପିତା । ଅମରବୃନ୍ଦ ପ୍ରଥମେ ନୀଳକଣ୍ଠଙ୍କୁ ପ୍ରଣାମ କରି ତଦନନ୍ତର ତୁମ୍ଭର ଏହି କନ୍ୟାଙ୍କୁ ଅଭିବାଦନପୂର୍ବକ ସ୍ୱ ସ୍ୱ ଶିରଃସ୍ଥିତ ମୁକୁଟର ଉଜ୍ଜ୍ୱଳଦ୍ୟୁତିରେ ତାହାଙ୍କର ଚରଣଯୁଗଳ ରଞ୍ଚିତ କରନ୍ତୁ । ଦେଖ ଉମା କନ୍ୟା, ତୁମ୍ଭେ ସଂପ୍ରଦାତା, ଆମ୍ଭେମାନେ ଏହି ଅନୁଷ୍ଠାନରେ ମଧ୍ୟସ୍ଥ ଏବଂ ଶିବ ବର, ସୁତରାଂ ଏଭଳି ସଂବନ୍ଧ ତୁମ୍ଭ ବଂଶର ଅଭ୍ୟୁନ୍ନତି ନିମିତ୍ତ ହେବ । ଯେ ଅନ୍ୟକୁ ସ୍ତବ ବା ବନ୍ଦନା କରନ୍ତି ନାହିଁ କିନ୍ତୁ ଅନ୍ୟକର୍ତ୍ତୃକ ସ୍ତୁତ ଏବଂ ବନ୍ଦିତ ହୁଅନ୍ତି, ସେହି ବିଶ୍ୱଗୁରୁଙ୍କୁ କନ୍ୟା ସଂପ୍ରଦାନ କରି ତୁମ୍ଭେ ଜଗଦ୍‌ଗୁରୁଙ୍କର ଗୁରୁ ହୁଅ ।’’

 

ମହର୍ଷି ଏହି ସକଳ କଥା କହିବା ସମୟରେ ପାର୍ବତୀ ପିତାଙ୍କ ପାର୍ଶ୍ୱରେ ଲଜ୍ଜାବଦତମୁଖରେ ଲୀଳାରବିନ୍ଦଦଳଗୁଡ଼ିକ ଗଣନା କରୁଥିଲେ ଶୈଳାଧିପତିଙ୍କର ଏ ବିଷୟରେ ସଂପୂର୍ଣ୍ଣ ଅଭିମତ ଥିଲେ ହେଁ ସେ ମେନାଙ୍କର ଅଭିପ୍ରାୟ ଜାଣିବା ନିମିତ୍ତ ତାଙ୍କ ଆଡ଼କୁ ଦୃଷ୍ଟିନିକ୍ଷେପ କଲେ । ପ୍ରାୟଶଃ ଦେଖାଯାଏ ଯେ ଗୃହସ୍ଥମାନେ କନ୍ୟାସଂକ୍ରାନ୍ତ ବିଷୟରେ ଗୃହିଣୀଙ୍କର ମତାପେକ୍ଷୀ ହୋଇଥାନ୍ତି । ମେନା ମଧ୍ୟ ପତିଙ୍କର ଅଭୀପ୍ସିତ କାର୍ଯ୍ୟର ଅନୁମୋଦନ କଲେ, ଯେହେତୁରୁ ପତିପ୍ରାଣା କାମିନୀମାନେ ସ୍ୱାମୀଙ୍କର ଅଭୀଷ୍ଟ ବିଷୟରେ କେବେହେଁ ବିରୁଦ୍ଧାଚାରିଣୀ ହୁଅନ୍ତି ନାହିଁ । ଅନନ୍ତର ହିମବାନ୍ କନ୍ୟାଦାନହିଁ ପ୍ରକୃତ ଉତ୍ତର, ଏହା ସ୍ଥିର କରି, ଋଷିଙ୍କର କଥା ଶେଷ ହେବା ପରେ, ମଙ୍ଗଳାଳଂକାରଭୂଷିତା ସ୍ୱୀୟ ତନୟାଙ୍କୁ ସମ୍ବୋଧନ କରି କହିଲେ, ‘‘ବତ୍ସେ ! ଆସ, ଆଜି ତୁମ୍ଭଙ୍କୁ ବିଶ୍ୱମୂର୍ତ୍ତିଙ୍କ ହସ୍ତରେ ଭିକ୍ଷାସ୍ୱରୂପ ସଂପ୍ରଦାନ କରିବି । ଏହି ମୁନିମାନେ ଯାଚକ, ସୁତରାଂ ଆଜି ମୁଁ ଗୃହମେଧୀମାନଙ୍କର ଅଭୀପ୍ସିତ ଫଳ ଲାଭ କଲି ।’’ କନ୍ୟାଙ୍କୁ ଏହି କଥା କହି ହିମାଦ୍ରି ଋଷିମାନଙ୍କୁ କହିଲେ, ‘‘ଏହି ତ୍ରିଲୋଚନ ପତ୍ନୀ ଆପଣମାନଙ୍କୁ ଅଭିବାଦନ କରୁଅଛନ୍ତି, ଆଶୀର୍ବାଦ କରନ୍ତୁ ।’’ ଋଷିବୃନ୍ଦ ଗିରିରାଜଙ୍କର ଇଷ୍ଟାର୍ଥସଂପାଦନପ୍ରଯୁକ୍ତ ଉଦାରବାକ୍ୟର ଭୁୟସୀ ପ୍ରଶଂସା କରି ପାର୍ବତୀଙ୍କୁ ଅଚିରଫଳପ୍ରସୂ ଆଶୀର୍ବଚନଦ୍ୱାରା ସଂବର୍ଦ୍ଧନା କଲେ । ଅରୁନ୍ଧତୀଙ୍କୁ ପ୍ରଣାମ କରିବା ସମୟରେ ପାର୍ବତୀଙ୍କର ସୁବର୍ଣ୍ଣମୟ କର୍ଣ୍ଣକୁଣ୍ଡଳ ସ୍ଖଳିତ ହୋଇ ଭୂତଳରେ ପତିତ ହେଲା । ଅରୁନ୍ଧତୀ ସେହି ଲଜ୍ଜାବନମବଦନା ପାର୍ବତୀଙ୍କୁ କ୍ରୋଡ଼ରେ ଉପବେଶନ କରାଇ ଦାରାନ୍ତର ସଙ୍ଗବିମୁଖ ଭାବୀଜାମାତାଙ୍କର ଗୁଣକୀର୍ତ୍ତନ କରି ଆସନ୍ନକନ୍ୟାବିରହବିଧୁରା, ଅଶ୍ରୁସିନ୍ତବଦନା ତଦୀୟ ମାତାଙ୍କର ଶୋକା ପନୋଦନ କଲେ ।

 

ହିମବାନ୍ ଚୀରପରହିହିତ ମୁନିଗଣଙ୍କୁ ବିବାହର ଉପଯୁକ୍ତ ତିଥି ବିଷୟରେ ପ୍ରଶ୍ନ କରନ୍ତେ ‘‘ଆଜିଠାରୁ ଚତୁର୍ଥ ଦିବସ ବିବାହର ଉପଯୁକ୍ତ ତିଥି ଏହି କଥା କହି ସେମାନେ ପ୍ରସ୍ଥାନ କଲେ ଏବଂ ପୁନର୍ବାର ଶୂଳପାଣିଙ୍କ ସଙ୍ଗେ ସାକ୍ଷାତ୍‌କରି ଇଷ୍ଟସିଦ୍ଧି ନିବେଦନାନନ୍ତର ତାହାଙ୍କ ନିକଟରୁ ବିଦାୟଗ୍ରହଣାପୂର୍ବକ ଆକାଶକୁ ସମୁତ୍ଥିତ ହେଲେ । ପଶୁପତି ମଧ୍ୟ ଅଦ୍ରିକୁମାରୀଙ୍କ ସହିତ ସମ୍ମିଳିତ ହେବା ପାଇଁ ଏକାନ୍ତ ସମୁତ୍ସୁକ ହୋଇ ଉତ୍‌କଣ୍ଠିତଚିତ୍ତରେ ସେହି କେତେକଦିନ ଅତିବାହିତ କଲେ । ଅହୋ ! ଏହି ମନୋବୃତ୍ତିନିଚୟ ଯେତେବେଳେ ଈଶ୍ୱରଙ୍କୁ ମଧ୍ୟ ଅସ୍ଥିର କରି ପକାଇଲା, ସେତେବେଳେ ଇନ୍ଦ୍ରିୟପରିତନ୍ତ୍ରମାନଙ୍କୁ କେଡ଼େ ଅଭିଭୁତ କରୁ ନ ଥିବ ?

Image

 

କାଳିଦାସ ସନ୍ଦର୍ଭ

ପାର୍ବତୀ ପରିଣୟ

 

ଅନନ୍ତର ହିମବାନ୍ ଶୁକ୍ଳପକ୍ଷରେ ଶୁଭଲଗ୍ନସମନ୍ୱିତ ତିଥିରେ ଆତ୍ମୀୟସ୍ୱଜନମାନଙ୍କୁ ସମବେତ କରି କନ୍ୟାର ବିବାହକାର୍ଯ୍ୟ ସମ୍ପାଦନର ଉଦ୍‌ଯୋଗ କଲେ । ଅନୁରାଗାତିଶଯ୍ୟପ୍ରଯୁକ୍ତ ନଗରବାସୀମାନଙ୍କ ଗୃହରେ ପୁରନ୍ଧ୍ରଗଣ ବିବାହୋଚିତ ଶୁଭକାର୍ଯ୍ୟ ସମ୍ପାଦନରେ ଏପରି ବ୍ୟାପୃତ ଥିଲେ ଯେ ତାହା ଦେଖି ବୋଧ ହେଉଥିଲା ଯେପରି ଗିରିରାଜଙ୍କ ଅନ୍ତଃପୁର ଓ ସମଗ୍ର ଓଷଧିପ୍ରସ୍ଥନଗର ଏକ ଗୃହର ଅନ୍ତର୍ଗତ । ଏହି ଉତ୍ସବ ଉପଲକ୍ଷରେ ରାଜପଥମାନ ସନ୍ତାନକପୁଷ୍ପରାଶିରେ ପରିବ୍ୟାପ୍ତ ହେଲା । ପଟ୍ଟବସ୍ତ୍ରରେ ରଚିତ ପତାକାମାନ ସର୍ବତ୍ର ଉଡ୍ଡୀନ ହେଲା । ହରିଣ୍ମୟ ତୋରଣାବଳିର ସମୁଜ୍ଜ୍ୱଳପ୍ରଭାରେ ନଗର ଉଦ୍‌ଭାସିତ ହେଲା । ହିମବାନଙ୍କର ଅନେକ ପୁତ୍ରକନ୍ୟା ଥିଲେହେଁ, ପାର୍ବତୀ ଅଚିରେ ସ୍ୱାମିଗୃହକୁ ଗମନ କରିବେ ବୋଲି ପିତାମାତାଙ୍କର ଜିବନତୁଲ୍ୟ ହୋଇ ଉଠିଲେ । ସେ ଆଶୀର୍ବାଦଲାଭପୁରଃସର କ୍ରୋଡ଼ରୁ କ୍ରୋଡ଼ାନ୍ତରକୁ ଗମନ କରି ବହୁବିଧ ଅଳଂକାର ପ୍ରାପ୍ତ ହେଲେ । ସୂର୍ଯ୍ୟଦେବ ଯେଉଁ ମୁହୂର୍ତ୍ତର ଅଧିଷ୍ଠାତା ସେହି ମୁହୂର୍ତ୍ତରେ ଉତ୍ତରଫାଲ୍ଗୁନୀ ନକ୍ଷତ୍ର ସଙ୍ଗେ ଚନ୍ଦ୍ରମାନଙ୍କର ସଂଯୋଗ ହୁଅନ୍ତେ ପତି-ପୁତ୍ରବତୀ ସ୍ୱସଂମ୍ପର୍କୀୟା କାମିନୀମାନେ ତାଙ୍କ ଶରୀରରେ ବିବାହୋଚିତ ମାଙ୍ଗଲ୍ୟପ୍ରସାଧାନ ଆରମ୍ଭ କଲେ । ଗୌରୀ ବାମକରରେ ଶ୍ୱେତସର୍ଷପସମନ୍ୱିତ ଦୂର୍ବାଙ୍କର ଧାରଣ, କୌଶେୟବସ୍ତ୍ର ପରିଧାନ ଓ ଦକ୍ଷିଣକରରେ ବାଣ ଧାରଣ କରି ସ୍ୱୟଂ କେବଳ ଅଳଂକୃତା ହେଉ ନ ଥିଲେ ପରନ୍ତୁ ଅଳଂକାରକୁ ମଧ୍ୟ ଅଳଂକୃତ କରୁଥିଲେ । ଅନନ୍ତର ପତି-ପୁତ୍ରବତୀ କାମିନୀଗଣ କ୍ରୋଧଚୂର୍ଣ୍ଣଦ୍ୱାରା ତାଙ୍କର ଗାତ୍ରର ତୈଳ ଅପନୀତ କରି ତାଙ୍କୁ ମରକତଶିଳାନିର୍ମିତ ଚତୁଷ୍ପଗୃହରେ ସୁବର୍ଣ୍ଣ କୁମ୍ଭନିଃସୃତଜଳଦ୍ୱାରା ସ୍ନାନ କରାଇ ଦେଲେ । ଅଦ୍ରିତନୟା ମାଙ୍ଗଲ୍ୟସ୍ନାନ ପରେ ପତିସଙ୍ଗମୋପଯୋଗୀ ଶୁକ୍ଳବସ୍ତୁ ପରିଧାନପୂର୍ବକ, ବର୍ଷାବସାନରେ କାଶକୁସୁମଧବଳିତ ବସୁଧାଦେବୀ ପରି ଶୋଭା ପାଇଲେ । ପତିବ୍ରତା କାମିନୀମାନେ ବେଶଭୂଷା କରିଦେବା ପାଇଁ ତାଙ୍କୁ ଚନ୍ଦ୍ରାତପପରିଶୋଭିତ ମଣିମୟ ବେଦିକା ଉପରେ ପାଙ୍ମୁଖରେ ଉପବେଶନ କରାଇ ସ୍ୱୟଂ ତାଙ୍କ ସମ୍ମୁଖରେ ଉପବିଷ୍ଟ ହେଲେ ଏବଂ ତାହାଙ୍କର ନୟନାନନ୍ଦକର କମନୀୟ ଶରୀରର ନିସର୍ଗମାଧୁରୀ ନିରୀକ୍ଷଣ କରି କ୍ଷଣକାଳ ମୁଗ୍ଧ ହୋଇଗଲେ । ତତ୍ତ୍ୱରେ ସେମାନେ ଧୂପସନ୍ତାପରେ ତାହାଙ୍କ କେଶପାଶର ଆର୍ଦ୍ରତା ଅପନୀତ କରି ଦୁର୍ବାସମନ୍ୱିତ ମଧୁକପୁଷ୍ପଦାମରେ ତାହା ସୁନ୍ଦରରୂପେବନ୍ଧନ କରିଦେଲେ । ମନୋହର ଅଳକଶୋଭିତ ତଦୀୟ ଆନନର ରମଣୀୟ କାନ୍ତି ଦ୍ୱରେଫ ସମନ୍ୱିତ ପଦ୍ମ ଏବଂ ମେଘରେଖାପରିବୃତ ଚନ୍ଦ୍ରମଣ୍ଡଳର ଶୋଭାକୁ ପରାଭୁତ କରି ସାଦୃଶ୍ୟ-କଥାପ୍ରସଙ୍ଗର ସମ୍ଭାବନା ତିରୋହିତ କଲା । ପ୍ରସାଧିକାଗଣ ସୋଷ୍ଠବସମ୍ପନ୍ନ ଉତ୍ତ୍ପଳଦଳ ପରି କମନୀୟ ତଦୀୟ ନୟନଯୁଗଳ ନିରୀକ୍ଷଣ କରି ତାହାର ଶୋଭାସମ୍ପାଦନ ନିମିତ୍ତ ନୁହେଁ, କେବଳ ବିଧ୍ୱରକ୍ଷାଥ ତହିଁରେ କୃଷ୍ଣବର୍ଣ୍ଣ କଜ୍ଜଳ ଲଗାଇଦେଲେ । ପାର୍ବତୀ ଅଳଂକାର ପରିଧାନ କରି, କୁସୁମିତଲତାର, ନକ୍ଷତ୍ରବିମଣ୍ଡିତ ରାତ୍ରିର ଏବଂ ଚକ୍ରବାକପଂକ୍ତି ପରିଶୋଭିତ ନଦୀର ଶୋଭାକୁ ଧିକ୍କାର କଲେ । ନିଶ୍ଚଳାୟତଲୋଚନା ଗିରିରାଜକନ୍ୟା ଦର୍ପଣରେ ଆପଣାର ସୁସଜ୍ଜିତ ଦେହର ମନୋହର ପ୍ରତିବିମ୍ବ ଦର୍ଶନ କରି ହରସମାଗମ ନିମିତ୍ତ ଏକାନ୍ତ ଉତ୍ସୁକ ହୋଇ ଉଠିଲେ, କାରଣ ପ୍ରିୟତମଦର୍ଶନରେ ରମଣୀମାନଙ୍କର ବେଶଭୂଷାର ସାର୍ଥକତା ହୋଇଥାଏ । ମାତା ମେନା ଅତିକଷ୍ଟରେ ଲୋତକଜଳ ସଂବରଣପୂର୍ବକ କନ୍ୟା ଲଲାଟରେ ତିଳକ ରଚନା କରି ହସ୍ତରେ ଉର୍ଣ୍ଣାମୟ ବୈବାହିକ ସୂତ୍ର ବନ୍ଧନ କରିଦେଲେ । ପାର୍ବତୀ ଅଭିନବ ଶୁକ୍ଳବର୍ଣ୍ଣଦୁକୂଳ ପରିଧାନ ଓ ନୂତନ ଦର୍ପଣ ଧାରଣ କରି ଫେନପୁଞ୍ଜସମନ୍ୱି କ୍ଷୀରୋଦ ସାଗରର ବେଳାଭୂମି ଅଥବା ପୂର୍ଣ୍ଣଶଶଧରଶୋଭିତା ଶାରଦୀୟା ତ୍ରିଯାମା ପରି ଶୋଭା ପାଇବାକୁ ଲାଗିଲେ । କର୍ତ୍ତବ୍ୟୋପଦେଶକୁଶଳା ମାତା ମେନା ବଂଶର ପ୍ରାଣପ୍ରତିମା କନ୍ୟାକୁ ପୂଜନୀୟ କୁଳଦେବତାମାନଙ୍କ ନିକଟରେ ପ୍ରଣତ କରାଇ କ୍ରମେ କ୍ରମେ ପତିବ୍ରତା ନାରୀମାନଙ୍କର ଚରଣ ବନ୍ଦନା କରାଇଲେ । ପାର୍ବତୀ ପ୍ରଣାମ କରନ୍ତେ ପତିବ୍ରତା କାମିନୀମାନେ ‘ବତ୍ସେ, ତୁମ୍ଭେ ପତିଙ୍କର ପୂର୍ଣ୍ଣପ୍ରେମର ଅଧିକାରିଣୀ ହୁଅ’ ଏହି ଆଶୀର୍ବାଦ କଲେ । ଉମା ମଧ୍ୟ ପତିଙ୍କର ଅର୍ଦ୍ଧାଙ୍ଗଭୁତା ହୋଇ ସେମାନଙ୍କର ଆଶୀର୍ବାଦଠାରୁ ଅଧିକ ସୌଭାଗ୍ୟବତୀ ହେଲେ । ଶିଷ୍ଟାଚାରକୁଶଳ କାର୍ଯ୍ୟଜ୍ଞ ପର୍ବତାଧିପତି ସ୍ୱୀୟ ଐଶ୍ୱର୍ଯ୍ୟ ଓ ଅଭିଳାଷର ଅନୁରୂପ ସମାରୋହ ସହକାରେ ବିବାହର ପୂର୍ବବର୍ତ୍ତୀ ଯାବତୀୟ କ୍ରିୟାକଳାପ ସମ୍ପାଦନ ପୂର୍ବକ ସୁହୃଦ୍‌ଗଣାଧିଷ୍ଟିତ ସଭାରେ ଶିବଙ୍କ ଆଗମନପ୍ରତୀକ୍ଷାରେ ଅବସ୍ଥାନ କରୁଥିଲେ ।

 

ଏ ଆଡ଼େ କୁବୋଶୈଳରେ ବ୍ରାହ୍ମୀ ପ୍ରଭୃତି ସପ୍ତମାତୃକା ତ୍ରିପୁରାରିଙ୍କ ସମ୍ମୁଖରେ ବରପରିଧାନୋପଯୋଗୀ ଅଳଂକାରମାନ ସାଦରେ ସ୍ଥାପନ କଲେ । ମହେଶ୍ୱଣ ମାତୃକାମାନଙ୍କର ସମ୍ମାନ ନିମିତ୍ତ ସେହି ଆଭରଣ ମାନ ସ୍ପର୍ଶମାତ୍ର କଲେ । କିନ୍ତୁ ତାହାଙ୍କର ସେହି ସ୍ୱାଭାବିକ ବେଶ ସ୍ୱୀୟ ମହିମା ପ୍ରଭାବରେ ଭାବାନ୍ତର ପ୍ରାପ୍ତ ହୋଇ ବରୋପଯୋଗୀ ବେଶରେ ପରିଣତ ହେଲା । ତଦୀୟ ଦେହାନୁଲିପ୍ତ ଭସ୍ମରାଶି ଶୁକ୍ଳବର୍ଣ୍ଣ ଅଙ୍ଗରାଗ ହେଲା; ନରକପାଳ ଅବତ ସଶ୍ରୀ ଧାରଣ କଲା ଏବଂ ଗଜଚର୍ମ ପୀତପ୍ରାନ୍ତଶୋଭୀ ଦୁକୁଳଭାବ ପ୍ରାପ୍ତ ହେଲା । ତାହାଙ୍କର ଯେଉଁ ନୟନ ଲଲାଟାଭ୍ୟନ୍ତରରେ ଦେଦୀପ୍ୟମାନ ଥିଲା ଏବଂ ଯାହାର ଅଭ୍ୟନ୍ତରରେ ଅମଳପିଙ୍ଗଳବର୍ଣ୍ଣ କନୀନିକା ଶୋଭା ପାଉଥିଲା, ତାହା ଭାଲଶୋଭୀ ହରିତାଳରଚିତ ତିଳକରେ ପରିଣତ ହେଲା । ତାହାଙ୍କ ଅବୟବରେ ଯେଉଁଠାରେ ଯେପରି ଅଳଂକାର ଆବଶ୍ୟକ ତତ୍ରତ୍ୟ ସର୍ପଗଣ ସେହିଠାରେ ସେହୀ ଅଳଂକାରରେ ପରିଣତ ହେଲେ; ସେମାନଙ୍କର ଫଣାସ୍ଥିତ ରତ୍ନକାନ୍ତି ଯେପରି ଥିଲା, ସେହିପରି ରହି ଶୋଭା ବିସ୍ତାର କରିବାକୁ ଲାଗିଲା । ଦିବାଭାଗରେ ମଧ୍ୟ ଯାହାର କିରଣପ୍ରଭା ଚତୁର୍ଦ୍ଦିଗ ସମୁଦ୍‌ଭାସିତ କରେ, କଳାମାତ୍ର ବୋଲି ଯହିଁରେ କଳଙ୍କ ଲେଶ ମଧ୍ୟ ପରିଦୃଷ୍ଟ ହୁଏ ନାହିଁ, ସେହି ଶଶିକଳା ଯାହାଙ୍କର ଶାଶ୍ୱତ ଶିରୋଭୂଷଣ, ସେ କାହିଁକି ବା ଅନ୍ୟ ଶିରୋଭୂଷଣ ଗ୍ରହଣ କରିବେ ? ଅନନ୍ତର ଦେବଦେବ ସ୍ୱକୀୟ ଦେହପ୍ରତିବିମ୍ବ ଖଡ଼୍ଗରେ ନିରୀକ୍ଷଣ କରି ନନ୍ଦିହସ୍ତାବଲମ୍ବନପୂର୍ବକ ଶୁଭ୍ରବର୍ଣ୍ଣ ବିଶାଳକାୟ ବୃଷଭ ଉପରେ ଆରୋହଣ କରି ହିମବତ୍‌ପୁରାଭିମୁଖରେ ପ୍ରସ୍ଥାନ କଲେ । ସପ୍ତମାତୃକା ଓ କାଳିକା ପ୍ରଭୃତି ଦେବୀଗଣ ସ୍ୱୀୟ ଦେହପ୍ରଭାରେ ଦିଙ୍‌ମଣ୍ଡଳ ଉଦ୍‌ଭାସିତ କରି ତାହାଙ୍କର ଅନୁଗମନ କଲେ । ପୁରୋଗାମୀ ପ୍ରମଥଗଣଙ୍କର ମଙ୍ଗଳଗୀତଧ୍ୱନି ଶ୍ରବଣରେ ଦେବତାମାନେ ଶବ-ସେବାର ଉପଯୁକ୍ତ ଅବସର ପାଇ ତାଙ୍କ ସଙ୍ଗେ ପଥରେ ସାକ୍ଷାତ୍‌କଲେ । ସହସ୍ରରଶ୍ମି ଦିବାକର ତାଙ୍କ ମସ୍ତକରେ ବିଶ୍ୱକର୍ମନିର୍ମିତ ନୂତନ ଆତପତ୍ର ଧାରଣ କଲେ । ମୂର୍ତ୍ତିମତା ଗଙ୍ଗାଯମୁନା ଚାମର ହସ୍ତରେ ବ୍ୟଜନ କରିବାକୁ ଲାଗିଲେ । ଆଦି ପ୍ରଜାପତି କମଳଯୋନି ଓ ଶ୍ରୀବତ୍ସଚିହ୍ନଶୋଭିତ ଭଗବାନ୍ କମଳାପତି ଜୟଶବ୍ଦ ଉଚ୍ଚାରଣପୂର୍ବକ ସେହି ପ୍ରତ୍ୟକ୍ଷପରିଦୃଶ୍ୟମାନ ବିଭୂଙ୍କ ସମ୍ମୁଖରେ ଆସି ଉପସ୍ଥିତ ହେଲେ । ଉପସ୍ଥିତ ଦେବବୃନ୍ଦ ସ୍ୱ ସ୍ୱ ବେଶଭୂଷଶ ପରିତ୍ୟାଗ କରି ବିନୀତବେଶରେ ପ୍ରଣାମ କରନ୍ତେ ଦେବଦେବ କମଳଯୋନିଙ୍କୁ ଶିରଃସଞ୍ଚାଳନଦ୍ୱାରା, ବିଷ୍ଣୁଙ୍କୁ କଥାଦ୍ୱାରା ଇନ୍ଦ୍ରଙ୍କୁ ହାସ୍ୟଦ୍ୱାରା ଏବଂ ଅନ୍ୟ ଦେବତାମାନଙ୍କୁ କେବଳମାତ୍ର ଦୃଷ୍ଟିଦ୍ୱାରା ସମ୍ମାନିତ କଲେ । ପଥରେ ସପ୍ତର୍ଷିଗଣଙ୍କ ସଙ୍ଗେ ସାକ୍ଷାତ୍‌କାର ହେଲା । ସେହି ବିବାହରୂପ ମହାଯଜ୍ଞର ଆଦ୍ୟ ଋତ୍ୱିକ୍ ସେହି ମହର୍ଷିମାନଙ୍କ ପ୍ରତି ଯଥୋପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ବିଶ୍ୱାବସୁ ପ୍ରମୁଖ ଗନ୍ଧର୍ବଗଣକର୍ତ୍ତୃକ ଗୀୟମ ନ ତ୍ରିପୁରବିଜୟ ଗୀତି ଶ୍ରବଣପୂର୍ବକ ସେ କ୍ରମେ କ୍ରମେ ଅଗ୍ରସର ହେବାକୁ ଲାଗିଲେ । ବୃଷଭଧ୍ୱଜ ମୁହୂର୍ତ୍ତମଧ୍ୟରେ ଆକାଶପଥରେ ଅରିଦୁର୍ଗମ ଓଷଧିପ୍ରସ୍ଥନଗରରେ ଉପସ୍ଥିତ ହେଲେ । ନୀଳକଣ୍ଠ ଯେତେବେଳେ ଆକାଶପଥରୁ ଅବତୀର୍ଣ୍ଣ ହେଲେ ସେତେବେଳେ ପୁରବାସୀମାନେ କୌତୂହଳାକ୍ରାନ୍ତ ହୋଇ ଉର୍ଦ୍ଧ୍ୱଦୃଷ୍ଟିରେ ତାଙ୍କର ଅବତରଣକୁ ଅବଲୋକନ କରିବାକୁ ଲାଗିଲେ । ଗିରିଚକ୍ରବର୍ତ୍ତୀ ହିମବାନ୍ ଶିବଙ୍କ ଆଗମନରେ ଅତୀବ ପ୍ରୀତ ହୋଇ ସମୃଦ୍ଧବେଶସମନ୍ୱିତ ଗଜାରୂଢ଼ ଆତ୍ମୀୟଗଣ ସମଭିବ୍ୟାହାରରେ ତାହାଙ୍କର ପ୍ରଭୁଦ୍ଗମନ ନିମିତ୍ତ ଗମନ କଲେ । ତ୍ରିଜଗତର ନମସ୍ୟ ଦେବ ତ୍ରିଲୋଚନ ଶ୍ୱଶୂର ବୋଲି ପ୍ରଣାମ କରନ୍ତେ ପର୍ବତରାଜ ଲଜ୍ଜାରେ ସଂକୁଚିତ ହୋଇଗଲେ । ଅତିଶୟ ପ୍ରୀତିହେତୁରୁ ହିମାଳୟଙ୍କର ବଦନମଣ୍ଡଳ ଅପୂର୍ବଶ୍ରୀ ଧାରଣ କଲା । ସେ ପଥ ପ୍ରଦର୍ଶନ କରି ଜାମାତାଙ୍କୁ ସ୍ୱୀୟ ସମୃଦ୍ଧିଶାଳୀ ନଗ ମଧ୍ୟରେ ପ୍ରବେଶ କରାଇଲେ । ସେତେବେଳେ ରାଜମାର୍ଗରେ ଏତେ ପୁଷ୍ପ ବିକୀର୍ଣ୍ଣ ହୋଇଥିଲା ଯେ, ତଦ୍ଦ୍ୱାରା ପାଦଦେଶର ଗୁଳ୍ମଭାଗପର୍ଯ୍ୟନ୍ତ ନିମଗ୍ନ ହୋଇଯାଇଥିଲା । ଏହି ସମୟରେ ପୁରକାମିନୀମାନେ ସେହି ଦେବଦେବଙ୍କ ଦର୍ଶନ ନିମିତ୍ତ ଏକାନ୍ତ ସମୁତ୍ସୁକ ହୋଇ ପ୍ରାସାଦାବଳି ଉପରେ ସମବେତ ହୋଇଥିଲେ । କରଦର୍ଶନୋତ୍ସକ୍ୟବଶତଃ ଦ୍ରୁତଗମନ ହେତୁ କାହାର କେଶପାଶବନ୍ଧନ ଶିଥିଳ ଓ ମାଳା ସ୍ଖଳିତ ହୋଇଥିଲା, କାହାର ପଦ ଅଳକ୍ତକରସରେ ଅର୍ଦ୍ଧରଞ୍ଚିତ ହୋଇଥିଲା, କେହି ବା ଏକଚକ୍ଷୁରେ ଅଞ୍ଜନ ଘେନି ଅନ୍ୟ ଚକ୍ଷୁରେ ଅଞ୍ଜନ ଘେନିବାକୁ ଅବସର ପାଇ ନ ଥିଲ, କାହାର ବା ବସ୍ତ୍ରଗ୍ରନ୍ଥି ସ୍ଖଳିତ ହୋଇ ପଡ଼ିଥିଲା । ଏହି ପୁରକାମିନୀମାନଙ୍କର ମୁଖମଣ୍ଡଳଦ୍ୱାରା ଗବାକ୍ଷସମୂହର ଅଭ୍ୟନ୍ତରଭାଗ ଆକୀର୍ଣ୍ଣ ହେବାରୁ ସେଗୁଡ଼ିକ ପଦ୍ମପୁଷ୍ପଦ୍ୱାରା ସୁଶୋଭିତ ହେବା ପରି ବୋଧ ହେଲା-। ଇତ୍ୟବସରରେ ଶଶିଶେଖର ନଗରଅଟ୍ଟାଳିକାସମୂହର ଅଗ୍ରଭାଗକୁ ଦିବାଭାଗରେ ମଧ୍ୟ ଜ୍ୟୋତ୍ସ୍ନାରଞ୍ଜିତ କରି ତୋରଣଶୋଭିତ ପତାକାକୀର୍ଣ୍ଣ ରାଜମାର୍ଗରେ ଉପସ୍ଥିତ ହେଲ । ପୁରନାରୀମାନେ ଅନନ୍ୟମନା ହୋଇ ଦୃଷ୍ଟିର ଏକମାତ୍ର ବିଷୟୀଭୂତ ବିଶ୍ୱନାଥଙ୍କୁ ସତୃଷ୍ଣନୟନରେ ନିରୀକ୍ଷଣ କରିବାକୁ ଲାଗିଲେ । ତାହା ଦେଖି ବୋଧ ହେଉଥିଲା, ସତେ ଯେପରି ତାହାଙ୍କ ଅନ୍ୟ ସମସ୍ତ ଇନ୍ଦ୍ରିୟ ଦର୍ଶନେନ୍ଦ୍ରିୟରେ ପରିଣତ ହୋଇ ସେହି ଅଲୌକିକ ରୂପସୁଧା ପାନ କରୁଅଛନ୍ତି । ସେମାନେ ତ୍ରିଲୋଚନଙ୍କର କମନୀୟ ରୂପରେ ମୁଗ୍ଧ ହୋଇ ପରସ୍ପର ଆଳାପ କରିବାକୁ ଲାଗିଲେ ‘‘ସୁକୁମାରୀ ଉମା ପର୍ଣ୍ଣାଶନ ସୁଦ୍ଧା ପରିତ୍ୟାଗ କରି ଏହାଙ୍କୁ ପାଇବାପାଇଁ ଯେ କଠୋର ତପସ୍ୟା କରିଥିଲେ, ତାହା ଯୁକ୍ତିଯୁକ୍ତ; କାରଣ ଯେଉଁ ନାରୀ ଏହାଙ୍କର ଦାମୀତ୍ୱ ପ୍ରାପ୍ତ ହେବ, ତାହାର ନାରୀଜନ୍ମ ସାର୍ଥକ ହେବ, ପରନ୍ତୁ ଯେ ଏହାଙ୍କର ଅଙ୍କଶାୟିନୀ ହୋଇପାରେ, ତାହାର କଥା ବା କଣ କହିବା ? ଯେବେ ପ୍ରଜାପତି ସ୍ପୃହଣୀୟ ରୂପଲାବଣ୍ୟସମ୍ପନ୍ନ ଏହି ମିଥୁନଙ୍କୁ ପରସ୍ପର ସମ୍ମିଳିତ କରି ନ ଥାନ୍ତେ, ତେବେ ଏମାନଙ୍କର ସୌନ୍ଦର୍ଯ୍ୟବିଧାନରେ ସେ ଯେଉଁ ଯତ୍ନ କରିଥିଲେ ତାହା ବିଫଳ ହୋଇଥାନ୍ତା । ନିଶ୍ଚୟ ଏକ କ୍ରୁଦ୍ଧ ହୋଇ କାମଦେବଙ୍କର ଶରୀର ଭସ୍ମୀଭୂତ କରି ନାହାନ୍ତି, ସୌନ୍ଦର୍ଯ୍ୟାଭିମାନୀ କାମହିଁ ଏହାଙ୍କର ମନୋହର ମୂର୍ତ୍ତି ଦର୍ଶନ କରି ଲଜ୍ଜାରେ ସ୍ୱୟଂ ତନୁତ୍ୟାଗ କରିଅଛନ୍ତି । ଅୟି ସଖି ! ପର୍ବତାଧିପ କ୍ଷିତି ଧାରଣ କରନ୍ତି ବୋଲି ଯେଉଁ ଗୌରବ ଲାଭ କରିଅଛନ୍ତି, ସୌଭାଗ୍ୟବଳରେ ଏହାଙ୍କ ସଙ୍ଗରେ ଚିରବାଞ୍ଛିତ ସମ୍ବନ୍ଧରେ ସଂଯୁକ୍ତ ହୋଇ ତଦପେକ୍ଷା ଅଧିକତର ଗୌରବ ପ୍ରାପ୍ତ ହେବେ ଏଥିରେ ସନ୍ଦେହ ନାହିଁ ।’’ ତ୍ରିଲୋଚନ ଓଷଧିପ୍ରସ୍ଥବାସିନୀ କାମିନୀମାନଙ୍କର ଏହି ଶ୍ରୁତିମଧୁର ବାକ୍ୟାବଳୀ ଶ୍ରବଣ କରି କରି ହିମାଦ୍ରି ଭବନରେ ଉପସ୍ଥିତ ହେଲେ । ସେଠାରେ ସେ ବିଷ୍ଣୁଙ୍କର ହସ୍ତାବଲମ୍ବନ ପୂର୍ବକ ବୃଷଭପୃଷ୍ଠରୁ ଅବତରଣ କରି, ପୂର୍ବରୁ ବ୍ରହ୍ମା ଯେଉଁ କକ୍ଷାନ୍ତରରେ ଅବସ୍ଥାନ କରୁଥିଲେ, ତନ୍ମଧ୍ୟରେ ପ୍ରବେଶ କଲେ-। ପ୍ରଶସ୍ତ ଫଳ ଯେପରି ସୁମହତ୍ କାର୍ଯ୍ୟର ଅନୁସରଣ କରେ, ସେହିପରି ଇନ୍ଦ୍ରାଦିଦେବତାଗଣ, ସପ୍ତର୍ଷିପ୍ରମୁଖ ମହର୍ଷିବୃନ୍ଦ ଏବଂ ପ୍ରମଥସମୂହ ମହାଦେବଙ୍କ ପଛେ ପଛେ ହିମାଳୟଭବନରେ ପ୍ରବେଶ କରେ । ସେଠାରେ ପ୍ରଭୁ ଆସନରେ ଉପବେଶନ କରି ନଗାଧିପତିଙ୍କକର୍ତ୍ତୃକ ଯଥାବିଧି ପ୍ରଦତ୍ତ ଅର୍ଘ୍ୟ, ଅଭିନବ ପଟ୍ଟୁବସ୍ତୁଯୁଗଳ ଏବଂ ମଧୁମିଶ୍ରିତ ଗବ୍ୟ ମନ୍ତ୍ରୋଚ୍ଚାରଣପୂର୍ବକ ଗ୍ରହଣ କଲେ- । ଚନ୍ଦ୍ରକିରଣ ଯେପରି ଫେନପୁଞ୍ଚସମନ୍ୱିତ ସମୁଦ୍ରକୁ ବେଳାଭୂମି ନିକଟକୁ ନେଇଯାଏ, ସେହିପରି ଅବରୋଧଚାରୀ ବିନୀତ ପୁରୁଷଗଣ ବରରୂପୀ ଭଗବାନ୍ ତ୍ରିପୁରାରିଙ୍କ ବଧୂ ରୂପିଣୀ ଉମାଙ୍କ ନିକଟକୁ ଘେନିଗଲେ । ଯେପରି ବିମଳ ଶଶଧରଶୋଭିତ ଶରତ୍ ସମାଗମରେ କୁମୁଦ ବିକଶିତ ହୁଏ ଏବଂ ଜଳ ନିର୍ମଳ ହୁଏ, ସେହିପରି ଇନ୍ଦୁନିଭାନନା ସେହି କୁମାରୀଙ୍କ ସହିତ ସମ୍ମିଳିତ ହୋଇ ସଦାଶିବଙ୍କର ଚକ୍ଷୁ ବିକଶିତ ଏବଂ ଅମଳପ୍ରୀତିରେ ପରିପୂର୍ଣ୍ଣ ହୋଇଉଠିଲା । ସେହି ବଧୂବରଙ୍କର ପରସ୍ପର ଦର୍ଶନଲୋଲୁପ ଚକ୍ଷୁ ମିଳନକ୍ଷଣରେ ଲଜ୍ଜାଜନିତ ସଂକୋଚବଶତଃ ନିବର୍ତ୍ତିତ ହେଲା । ଅନନ୍ତର ଅଷ୍ଟମୂର୍ତ୍ତି ଗିରିରାଜକର୍ତ୍ତୃକ ପ୍ରଦତ୍ତ ଉମାଙ୍କର କର ଗ୍ରହଣ କରନ୍ତେ କନ୍ୟାଙ୍କର ଶରୀର ରୋମାଞ୍ଚିତ ହୋଇ ଉଠିଲା ଏବଂ ବୃଷଭଧ୍ୱଜଙ୍କର ଅଙ୍ଗୁଳି ମଧ୍ୟ ଘର୍ମାକ୍ତ ହୋଇଗଲା । ପୁରୋହିତ ପରସ୍ପର ମିଳନ ସୁଖରେ ନିମୀଳିତନେତ୍ର ସେହି ବରବଧୂଙ୍କୁ ତିନିଥର ଅଗ୍ନି ପ୍ରଦକ୍ଷିଣ କରାଇ ପରିଶେଷରେ ବଧୂଙ୍କଦ୍ୱାରା ଅଗ୍ନିରେ ଲାଜ ମୋକ୍ଷଣ କରାଇଲେ । ଆଚାରାନୁରୋଧରେ ଲାଜଧୂମ ଗ୍ରହଣ କଲା ପରେ ପୁରୋହିତ ବଧୂଙ୍କୁ କହିଲେ, ‘‘ବତ୍ସେ ! ଏହି ବହ୍ନି ତୁମ୍ଭର ପରିଣୟ କାର୍ଯ୍ୟର ସାକ୍ଷୀ । ଆଜିଠାରୁ ତୁମ୍ଭେ ସ୍ୱାତନ୍ତ୍ର୍ୟ ପରିତ୍ୟାଗ କରି ସକଳକାର୍ଯ୍ୟରେ ପତିଙ୍କର ଅନୁବର୍ତ୍ତୀ ହୋଇ ପାତିବ୍ରତ୍ୟଧର୍ମ ଆଚରଣ କରିବ ।’’ ଭବାନୀ ଅବହିତଚିତ୍ତରେ ସେହି ଉପଦେଶଗୁଡ଼ିକ ଗ୍ରହଣ କଲେ- । ପ୍ରିୟଦର୍ଶନ ପତି ମୃତ୍ୟୁଞ୍ଜୟ ଧ୍ରୁବନକ୍ଷତ୍ର ଦର୍ଶନ ନିମିତ୍ତ ଉମାଙ୍କୁ କହନ୍ତେ ସେ ଲଜ୍ଜାରେ ଅବରୁଦ୍ଧ-କଣ୍ଠ ହୋଇ ସ୍ୱୀୟ ଆନନ୍ଦ ଉନ୍ମମିତ କରି ‘ଦେଖିଲି’ ଏହି କଥାଟି ଅତି କଷ୍ଟରେ ଉଚ୍ଚାରଣ କଲେ । ବିଧିଜ୍ଞ ପୁରୋହିତ ଏହିପରି ସେମାନଙ୍କର ପାଣିଗ୍ରହଣକ୍ରିୟା ଯଥାବିଧି ସଂପାଦନ କଲା ପରେ ଜଗତର ପିତାମାତାରୂପୀ ସେହି ଦମ୍ପତି ପଦ୍ମାସନୋପବିଷ୍ଟ ପିତାମହଙ୍କୁ ପ୍ରଣାମ କଲେ; ବିଧାତା ପାର୍ବତୀଙ୍କୁ ‘ବୀରପ୍ରସବିନୀ ହୁଅ’, ଏହି ଆଶୀର୍ବାଦ କଲେ; କିନ୍ତୁ ଅଷ୍ଟମୂର୍ତ୍ତିଙ୍କୁ କଣ ଆଶୀର୍ବାଦ କରିବେ ସ୍ଥିର କରି ନ ପାରି ମୌନାବଲମ୍ବନ କରି ଅବସ୍ଥାନ କଲେ । ଅନନ୍ତର ବରବଧୂ ବେଦି ଉପରେ ସ୍ୱର୍ଣ୍ଣମୟ ଆସନରେ ଉପବେଶନ କରନ୍ତେ ଗୁରୁଜନମାନେ ସେମାନଙ୍କ ମସ୍ତକରେ ଆର୍ଦ୍ର ଅକ୍ଷତ ନିକ୍ଷେପ କରି ଆଶୀର୍ବାଦ କରିବାକୁ ଲାଗିଲେ- । ଲକ୍ଷ୍ମୀଦେବୀ ସେମାନଙ୍କ ମସ୍ତକରେ ପଦ୍ମାତପତ୍ର ଧାରଣ କଲେ ଏବଂ ସରସ୍ୱତୀ ସ୍ତୁତି ଗାନ କଲେ । ଅନନ୍ତର ନବଦମ୍ପତି କ୍ଷଣକାଳନିମିତ୍ତ ଅପ୍ସମାନଙ୍କକର୍ତ୍ତୃକ ଅଭିନୀତ ନାଟକର ଅଭିନୟ ଦର୍ଶନ କରି ପରମ ପ୍ରୀତି ଲାଭ କଲେ । ଇତ୍ୟବସରରେ ଦେବତାମାନେ ବଦ୍ଧାଞ୍ଜଳିପୁଟରେ କୃତପରିଣୟ ହରଙ୍କୁ ପ୍ରଣାମ କରି ପ୍ରାର୍ଥନା କଲେ, ‘‘କାମଦେବ ଶାପାବସାନରେ ସ୍ୱଦେହ ପ୍ରାପ୍ତ ହୋଇ ଆପଣଙ୍କର ସେବା କରନ୍ତୁ ।’’ ବିଗତକ୍ରୋଧ ଭବାନୀପତି ଦେବତାମାନଙ୍କ ପ୍ରାର୍ଥନା ଶ୍ରବଣ କରି ‘‘ତଥାସ୍ତୁ’’ କହିଲେ । ପ୍ରକୃତରେ କାଳଜ୍ଞ ବ୍ୟକ୍ତିମାନଙ୍କର ପ୍ରାର୍ଥନା ଯଥାକାଳରେ ପ୍ରଭୁଙ୍କ ନିକଟରେ ନିବେଦିତ ହେଲେ ସଫଳତା ଲାଭ କରିଥାଏ । ତଦନ୍ତର ଶଶିଶେଖର ଦେବ ତ୍ରିଲୋଚନ ଅମରମାନଙ୍କୁ ବିଦାୟ ଦେଇ ଗିରିରାଜଦୁହିତାଙ୍କ ସଙ୍ଗେ ପରମାହ୍ଳାଦରେ ବିହାର କରିବାକୁ ଲାଗିଲେ ।

Image

 

ଶକୁନ୍ତଳା

କଣ୍ୱାଶ୍ରମ

 

ଏକଦା ରାଜା ଦୁଷ୍ମନ୍ତ ଅନୁଚରବର୍ଗସହିତ ରଥାରୂଢ଼ ହୋଇ ମୃଗୟା ନିମିତ୍ତ ଅରଣ୍ୟରେ ପ୍ରବେଶ କଲେ । ବହୁଦୂର ଅଗ୍ରସର ହେବା ପରେ ଗୋଟିଏ କୃଷ୍ଣସାର ରାଜାଙ୍କର ଦୃଷ୍ଟିପଥାରୁଢ଼ ହେଲା । ମୃଗାନୁସାରୀ ପିନାକୀଙ୍କ ପରି ରାଜା ଧନୁରେ ଶରସନ୍ଧାନ କରି ସେହି ମୃଗର ଅନୁସରଣ କରିବାକୁ ଲାଗିଲେ । ମୃଗଟି ପ୍ରାଣଭୟରେ ଧାବମାନ ହେଲା । ରଥବାହୀ ଅଶ୍ୱମାନଙ୍କର ଗତିବେଗରେ ଦୂରସ୍ଥିତ ପୁରୋବର୍ତ୍ତୀ ସୂକ୍ଷ୍ମବସ୍ତୁ ହଠାତ୍ ବିପୁଳ ଆକାରରେ ସମ୍ମୁଖରେ ପ୍ରତିଭାତ ହେଲା । ନିକଟରେ ଯାହା ମଧ୍ୟ ଭାଗରେ ବିଚ୍ଛିନ୍ନ ଦୃଷ୍ଟ ହେଉଥିଲା ପଶ୍ଚାତ୍‌ବର୍ତ୍ତୀ ହେଲାରୁ ଅସଂଲଗ୍ନ ଭାଗଦ୍ୱୟ ପରସ୍ପର ସଂଯୁକ୍ତ ହେଲାପରି ପ୍ରତୀୟମାନ ହେଲା ଏବଂ ଯାହା ସ୍ୱଭାବତଃ କୁଟିଳ ତାହା ଦୂରରୁ ସରଳରେଖା ସଦୃଶ ଦିଶିଲା । ଶେଷରେ ମୃଗଟି ଶରବ୍ୟ ଅବସ୍ଥାରେ ଉପସ୍ଥିତ ହୁଅନ୍ତେ ରାଜା ଶର ପ୍ରୟୋଗ କରିବାକୁ ଉଦ୍ୟତ ହେଲେ । ଇତ୍ୟବସରରେ ଅଦୂରରେ ଦୁଇଜଣ ବୈଖାନସ ତପସ୍ୱୀ ହସ୍ତୋତ୍ତୋଳନପୂର୍ବକ କହିଲେ ‘‘ମହାରାଜ, ଏ ଆଶ୍ରମମୃଗ, ଏହାକୁ ବଧ କରିବେ ନାହିଁ । ତୂଳାରାଶିରେ ଅଗ୍ନିପରି ଆପଣଙ୍କର ବଜ୍ରକଳ୍ପଶର ଏହି କ୍ଷୀଣପ୍ରାଣ ମୃଗଶରୀରରେ ପଡ଼ିଲେ ତାହାକୁ ମୁହୂର୍ତ୍ତକ ମଧ୍ୟରେ ଭସ୍ମ କରିଦେବ । ଆର୍ତ୍ତତ୍ରାଣ ନିମିତ୍ତ ଆପଣ ଏହି ଶର ଧାରଣ କରିଅଛନ୍ତି, ନିରପରାଧକୁ ପ୍ରହାର କରିବା ଏହାର ଉଦ୍ଦେଶ୍ୟ ନୁହେଁ ।’’ ରାଜା ଏହା ଶ୍ରବଣ କରି ଅତ୍ୟନ୍ତ ଲଜ୍ଜିତ ହେଲେ ଏବଂ ତତ୍‌କ୍ଷଣାତ୍ ଶର ପ୍ରତିସଂହାର କରି ତପସ୍ୱୀମାନଙ୍କୁ ପ୍ରଣାମ କଲେ । ତପସ୍ୱୀମାନେ ରାଜାଙ୍କର ଏହି ବ୍ୟବହାର ଦର୍ଶନରେ ସନ୍ତୁଷ୍ଟ ହୋଇ ହସ୍ତୋତ୍ତୋଳନପୂର୍ବକ କହିଲେ ‘‘ମହାରାଜ, ଏହା ପୁରୁବଂଶ ନରପତିଙ୍କର ସମୀଚୀନ କାର୍ଯ୍ୟ । ଆପଣ ସର୍ବସୌଭାଗ୍ୟସମନ୍ୱିତ ଥିବାସ୍ଥଳେ ଆଉ ବା କଣ ଆଶୀର୍ବାଦ କରିବ । ତେବେ ଈଶ୍ୱରଙ୍କଠାରେ ଏତିକି ମାତ୍ର ପ୍ରାର୍ଥନା କରୁଅଛୁ ଯେ ଆପଣ ଚକ୍ରବର୍ତ୍ତୀ ପୁତ୍ର ଲାଭ କରନ୍ତୁ ।’’ ରାଜ ମସ୍ତକ ଅବନତ କରି ଏହି ଆଶୀର୍ବଚନକୁ ଅଭିନନ୍ଦନ କରନ୍ତେ ତପସ୍ୱିଦ୍ୱୟ ପୁନରପି କହିଲେ ‘‘ରାଜନ୍, ଆମ୍ଭେ ପୂତଯଜ୍ଞସାଧନ କୁଶସମିଧାଦି ଆହରଣକାଙ୍କ୍ଷାରେ ଅରଣ୍ୟାଭ୍ୟନ୍ତରକୁ ଗମନ କରୁଅଛୁ । ଯେବେ ମହାରାଜଙ୍କର କାର୍ଯ୍ୟନ୍ତରରେ କୌଣସି ବ୍ୟାଘାତ ନ ହୁଏ ତେବେ ଆମ୍ଭମାନଙ୍କଗୁରୁ କୁଳପତି ମହର୍ଷି କଣ୍ୱଙ୍କର ମାଳିନୀତୀରବର୍ତ୍ତୀ ଏହି ଆଶ୍ରମରେ ଆତିଥ୍ୟ ଗ୍ରହଣ କରିବା ହେବେ । ଆଉ ମଧ୍ୟ ସେଠାରେ ତପସ୍ୱୀମାନଙ୍କର ନିର୍ବିଘ୍ନ ଧର୍ମାନୁଷ୍ଠାନ ଦର୍ଶନ କରି ଆପଣଙ୍କ ଭୂଜବଳରେ ଧରାତଳ କିପରି ଶାସିତ ହେଉଅଛି ଜାଣିପାରିବେ ।’’ ରାଜା ପଚାରିଲେ କୁଳପତି ଆଶ୍ରମରେ ଅଛନ୍ତି ତ ? ତପସ୍ୱୀମାନେ କହିଲେ ସେ ଆଶ୍ରମରେ ନାହାନ୍ତି; ସମ୍ପତି ଦୁହିତା ଶକୁନ୍ତଳାଙ୍କୁ ଅତିଥି ସତ୍କାର କରିବାକୁ ଆଦେଶ ଦେଇ ତଦୀୟ ଦୁର୍ଦୈବ ଶମନ ନିମିତ୍ତ ସୋମତୀର୍ଥକୁ ଗମନ କରିଅଛନ୍ତି, ଏହା ଶୁଣି ରାଜା କହିଲେ, ‘‘ହେଉ, ତାହାଙ୍କୁ, ହିଁ ଦର୍ଶନ କରିବି । ମହର୍ଷିଙ୍କ ପ୍ରତି ମୋର ଭକ୍ତିପ୍ରବଣତା ବିଷୟ ସେ ଅବଶ୍ୟ ତାଙ୍କ ନିକଟରେ ନିବେଦନ କରିବେ ।’’ ଏହା ଶୁଣି ତପସ୍ୱୀମାନେ ରାଜାଙ୍କଠାରୁ ବିଦାୟଗ୍ରହଣପୂର୍ବକ ଗମନ କଲେ । ରାଜା ସାରଥିଙ୍କୁ କହିଲେ ସଂପ୍ରତି ଆଶ୍ରମାଭିମୁଖରେ ରଥ ଚାଳନ କର, ପୁଣ୍ୟାଶ୍ରମ ଦର୍ଶନରେ ଆତ୍ମାକୁ ପବିତ୍ର କରିବି । ସାରଥି ‘ଯେ ଆଜ୍ଞା ମହାରାଜ’ କହି ଅଶ୍ୱରଶ୍ମି ଶିଥିଳ କରିଦେଲେ । କିୟଦ୍ଦୂର ଗମନ କରିବା ପରେ ରାଜା ଇତସ୍ତତଃ ଦୃଷ୍ଟି ସଂଚାଳନ କରି ସାରଥିଙ୍କୁ କହିଲେ ‘ସୂତ, କେହି ନ କହିଲେ ସୁଦ୍ଧା ଏହା ତପୋବନର ଆଭୋଗ ବୋଲି ସ୍ପଷ୍ଟ ଜଣା ପଡ଼ୁଅଛି । ଦେଖ, ତପୋବନଚାରୀ ଶୁକର ମୁଖଭ୍ରଷ୍ଟ ନୀବାରବଜଗୁଡ଼ିକ ବୃକ୍ଷତଳେ ପତିତ ହୋଇଅଛି । ମୁନିଜନ ଯେଉଁ ଉପଳଖଣ୍ଡରେ ଇଙ୍ଗୁଦୀପଳ ଭଗ୍ନ କରିଥିଲେ ସେଗୁଡ଼ିକ ତୈଳାକ୍ତ ହୋଇ ପଡ଼ି ରହିଅଛି; ଆଶ୍ରମମୃଗକୁଳ ରଥଧ୍ୱନି ଶୁଣି ସୁଦ୍ଧା ନିର୍ଭୀକଚିତ୍ତରେ ଚତୁର୍ଦ୍ଦିଗରେ ତୃଣଭକ୍ଷଣରେ ନିଯୁକ୍ତ ଅଛନ୍ତି, ମୁନିମାନଙ୍କକର୍ତ୍ତୃକ ଧୌତ ବକ୍କଳନିଃସୃତ ଜଳଧାରରେ ଆଶ୍ରମସ୍ଥ ପୁଷ୍କରିଣୀପଥ ସୁସ୍ପଷ୍ଟରୂପେ ଚିହ୍ନିତ ହୋଇଅଛି ଏବଂ ଆଜ୍ୟଧୂସରେ କିଶଳୟାବଳିର ରକ୍ତିମା ମ୍ଳାନଭାବ ଧାରଣ କରିଅଛି । ’ ସାରଥି କହିଲେ ମହାରାଜ ପ୍ରକୃତ କଥା କହୁଅଛନ୍ତି ।

 

ରାଜା ଦୁଷ୍ମନ୍ତ ପୁଣ୍ୟାଶ୍ରମର ଏହି ସବୁ ଶୋଭା ନିରୀକ୍ଷଣ କରି ଏକାନ୍ତ ପ୍ରୀତ ହେଲେ ଏବଂ ବିନୀତବେଶରେ ଆଶ୍ରମରେ ପ୍ରବେଶ କରିବା ବିଧେୟ ଏହା ଭାବି ଶରାସନ, ଆଭରଣ, ରଥ ଓ ଅନୁଚରବୃନ୍ଦଙ୍କୁ ଦୂରରେ ରଖି ଏକାକୀ ଆଶ୍ରମରେ ପ୍ରବେଶ କଲେ । କିୟଦ୍ଦୂର ଗମନ କରିବା ପରେ ରାଜାଙ୍କର ଦକ୍ଷିଣବାହୁ ସ୍ପନ୍ଦିତ ହେଲା, ସେ ମନେ ମନେ ଚିନ୍ତାକଲେ ଏହି ପରମ ପବିତ୍ର ଋଷିଆଶ୍ରମରେ ପରିଣୟସୂଚକ ଦକ୍ଷିଣବାହୁ ସ୍ପନ୍ଦନର କାରଣ କଣ ? ଅଥବା ସର୍ବତ୍ର ତଚିତବ୍ୟତାର ଦ୍ୱାରା ଉନ୍ମକ୍ତ, ଏହା ଭାବୁଅଛନ୍ତି ଏପରି ସମୟରେ ନାରୀଜନକଣ୍ଠନିଃସୃତ ମଧୁରାଳାପ ତାଙ୍କ କର୍ଣ୍ଣକୁହରରେ ପ୍ରବେଶ କଲା । ସେ କ୍ରମେ ଆଶ୍ରମର ଦକ୍ଷିଣାଂଶର ସନ୍ନିହିତ ହୋଇ ଦେଖିଲେ ଯେ, ତିନିଗୋଟି ମୁନିକନ୍ୟା କ୍ଷୁଦ୍ର କ୍ଷୁଦ୍ର ଘଟରେ ବାଳପାଦପମାନଙ୍କର ଆଳବାଳରେ ଜଳସେଚନ କରୁଅଛନ୍ତି । ସେମାନଙ୍କ ଅଲୌକିକ ରୂପଶୋଭାରେ ଆଶ୍ରମପ୍ରଦେଶ ଉଦ୍‌ଭାସିତ ହୋଇ ଉଠୁଅଛି । ରାଜା ସେହି ରୂପମାଧୁରୀ ନେତ୍ରଯୁଗରେ ପାନ କରି ଏକାନ୍ତ ବିହ୍ୱଳ ହୋଇଗଲେ ଏବଂ ମନେ ମନେ ଭାବିଲେ, ଏପରି ସୁନ୍ଦରୀ ରମଣୀ ରାଜାନ୍ତଃପୁରରେ ମଧ୍ୟ ଦୁର୍ଲଭ, ଆଜି ବୁଝିଲି ଉଦ୍ୟାନଲତା ସୌନ୍ଦର୍ଯ୍ୟଗୁଣରେ ବନଲତା ନିକଟରେ ପରାଜିତ ହେଲା । ଏହା ଭାବି ସେ ତରୁଚ୍ଛାୟାରେ ଦଣ୍ଡାୟମାନ ହୋଇ ସେମାନଙ୍କର ବିଶ୍ରମ୍ଭାଳାପ ଶୁଣିବାକୁ ଲାଗିଲେ ଏବଂ ସେହି ଆଳାପରୁ ବୁଝିଲେ ଯେ ସେମାନଙ୍କ ମଧ୍ୟରୁ ଅଲୌକିକରୂପଲାବଣ୍ୟସମ୍ପନ୍ନା କନ୍ୟାଟିର ନାମ ଶକୁନ୍ତଳା; ଅନ୍ୟ ଦୁଇଟି ତାଙ୍କର ସଖୀ ଅନସୂୟା ଓ ପ୍ରିୟବଂଦା । ସମସ୍ତେ ନବୀନ ଯୌବନରେ ପଦାର୍ପଣ କରି ଅକୃତ୍ରିମ ଶରୀରଶୋଭାରେ ସେହି ପବିତ୍ର ପୁଣ୍ୟାଶ୍ରମର ଅଧିଷ୍ଠାତ୍ରୀ ଦେବତା ପରି ପ୍ରତୀୟମାନ ହେଉଅଛନ୍ତି । ମାଧବୀ ଲତାରେ ଅସମୟରେ ମୁକୁଳୋଦ୍ଗମ ହେବାର ଦେଖି ପ୍ରିୟଂବଦା ଶକୁନ୍ତଳାଙ୍କୁ କହିଲେ ‘ସଖି, ଏହି ଶୁଭଶକୁନରୁ ମୁଁ ବୁଝି ପାରୁ ଅଛି, ତୁମ୍ଭର ପାଣିଗ୍ରହଣ କାଳ ଆସନ୍ନ । ତାତ କଣ୍ୱଙ୍କ ମୁଖରୁ ମୁଁ ସ୍ୱୟଂ ଏହା ଦିନେ ଶୁଣିଥିଲି । ’ ରାଜା ଏହା ଶୁଣି ଭାବିଲେ ଏ ସମ୍ଭବତଃ କୁଳପତି କଣ୍ୱଙ୍କର ଅସବର୍ଣ୍ଣବିବାହୋତ୍ତ୍ପନ୍ନା କନ୍ୟା ଏବଂ କ୍ଷତ୍ରିୟପାଣିଗ୍ରହଣଯୋଗ୍ୟା । ମୁନିକନ୍ୟାମାନଙ୍କ ମଧ୍ୟରେ ପୂର୍ବୋକ୍ତ ପ୍ରକାରେ ନାନା ଆଳାପ ହେଉଅଛି, ଇତ୍ୟବସରରେ ସଲିଳସେକସମ୍ଭ୍ରମରେ ନବମାଳିକାରୁ ଗୋଟିଏ ମଧୁକର ଉଡ଼ିଆସି ଶକୁନ୍ତଳାଙ୍କ ମୁଖର ଚତୁର୍ଦ୍ଦିଗରେ ଗୁଞ୍ଜନ କରିବାରୁ ଶକୁନ୍ତଳା ଅତୀବ ବିବ୍ରତ ହୋଇ ପଡ଼ିଲେ ଏବଂ ସେହି ଦୁଷ୍ଟ ଭ୍ରମରଟିକୁ ତଡ଼ିଦେବା ନିମିତ୍ତ ସଖୀମାନଙ୍କୁ ଡାକିଲେ । ସଖୀମାନେ କହିଲେ ଆମ୍ଭେମାନେ ଦୁଷ୍ଟର ଶାସକ ନୋହୁଁ । ତୁମ୍ଭେ ତପୋବନରକ୍ଷକ ମହାରାଜ ଦୁଷ୍ମନ୍ତଙ୍କୁ ଆହ୍ୱାନ କର । ସମ୍ମୁଖୀନ ହେବାର ଯୋଗ୍ୟ ଅବସର ଦେଖି ରାଜା ସତ୍ୱର ସେମାନଙ୍କ ସମ୍ମୁଖସ୍ଥ ହୋଇ କହିଲେ ‘‘ଦୁର୍ବିନୀତମାନଙ୍କ ଶାସକରୂପେ ଆମ୍ଭେ ବିଦ୍ୟମାନ ଥାଉଁ ଥାଉଁ କିଏ ତପସ୍ୱି-କନ୍ୟାମାନଙ୍କ ପ୍ରତି ଅସାଧୁ ଆଚରଣ କରୁଅଛି ?’’ ହଠାତ୍ ରାଜାଙ୍କୁ ସମ୍ମୁଖରେ ଦେଖି କନ୍ୟାମାନେ ଅପ୍ରତିତ ହୋଇ ପଡ଼ିଲେ ଏବଂ ସଖୀ ଦୁହେଁ କହିଲେ ‘‘ଆର୍ଯ୍ୟ, କୌଣସି ମହଦ୍‌ଭୟ ଉପସ୍ଥିତ ହୋଇ ନାହିଁ, ଆମ୍ଭମାନଙ୍କ ପ୍ରିୟସଖୀ ଏହି ଶକୁନ୍ତଳାଙ୍କୁ ଗୋଟିଏ ଦୁଷ୍ଟ ଭ୍ରମର ଅତ୍ୟନ୍ତ ବ୍ୟାକୁଳ କରିବାରୁ ସେ କାତର ହୋଇ ପଡ଼ିଅଛନ୍ତି ।’’ ତତ୍ତ୍ୱରେ ରାଜା ଶକୁନ୍ତଳାଙ୍କୁ ଲକ୍ଷ୍ୟ କରି କହିଲେ, ନିର୍ବିଘ୍ନରେ ତପସ୍ୟା ସମ୍ପନ୍ନ ହେଉଅଛି ତ ? ଶକୁନ୍ତଳା ବ୍ରୀଡ଼ାବନତମୁଖରେ ନୀରବ ହୋଇ ରହନ୍ତେ ଅନସୂୟା ଉତ୍ତର ଦେଲେ ‘ବର୍ତ୍ତମାନ ଜଣେ ବିଶିଷ୍ଟ ଅତିଥିଙ୍କୁ ପାଇବାଦ୍ୱାରା ଅବଶ୍ୟ ତପଶ୍ଚର୍ଯ୍ୟା ନିର୍ବିଘ୍ନରେ ସଂପାଦିତ ହେବ । ’ ପ୍ରିୟବଂଦା ରାଜାଙ୍କୁ ସ୍ୱାଗତ ସମ୍ଭାଷଣ କରି ଉଟଜରୁ ଅର୍ଘ୍ୟପାତ୍ର ଆଣି ରାଜାଙ୍କର ଅଭ୍ୟର୍ଥନା କରିବାପାଇଁ ଶକୁନ୍ତଳାଙ୍କୁ ଇଙ୍ଗିତ କରନ୍ତେ ରାଜା କହିଲେ ଆପଣମାନଙ୍କର ସୁନୃତବାକ୍ୟଦ୍ୱାରାହିଁ ଆତିଥ୍ୟ ସଂପାଦିତ ହୋଇଅଛି । ଅନ୍ୟ ଆତିଥ୍ୟର ପ୍ରୟୋଜନ ନାହିଁ । ଅନନ୍ତର ଅନସୂୟାଙ୍କର ପ୍ରସ୍ତାବଅନୁସାରେ ରାଜା ସୁଶୀତଳ ସପ୍ତପର୍ଣ୍ଣ ବୃକ୍ଷଛାୟାରେ ନିର୍ମିତ ହୋଇଥିବା ବେଦି ଉପରେ ଉପେବଶନ କରନ୍ତେ ମୁନିକନ୍ୟାମାନେ ଅଦୂରରେ ଉପବେଶନ କରି ସୁମଧୁର ଆଳାପରେ ରାଜାଙ୍କର ଚିତ୍ତବିନୋଦନ କରିବାକୁ ଲାଗିଲେ । ରାଜାଙ୍କର ସୁମଧୁର ଗମ୍ଭୀରାକୃତି ଓ ଦାକ୍ଷିଣ୍ୟପୂର୍ଣ୍ଣ ବ୍ୟବହାରରେ ମୁଗ୍ଧ ହୋଇ କୌତୂହଳିନୀ ଅନସୂୟା ରାଜାଙ୍କୁ ପ୍ରଶ୍ନକଲେ ‘ଆର୍ଯ୍ୟ, କେଉଁ ବଂଶର ଅଳଂକାରସ୍ୱରୂପ ଏବଂ କେଉଁ ଦେଶକୁ ବା ବିରହପର୍ଯ୍ୟସ୍ତୁକ କରି ଏହି ତପୋବନଆଗମନକ୍ଳେଶ ସ୍ୱୀକାର କରିଅଛନ୍ତି ? ରାଜା ଆତ୍ମପ୍ରକାଶର ପ୍ରୟୋଜନୀୟମତା ନ ଦେଖି କହିଲେ ‘‘ଆମ୍ଭେ ପୁରୁବଂଶୀୟ ରାଜା ଦୁଷ୍ମନ୍ତଙ୍କର ଧର୍ମାଧିକାରରେ ନିଯୁକ୍ତ ଜନୈକ କର୍ମଚାରୀ । ପୁଣ୍ୟାଶ୍ରମଦର୍ଶନ ପ୍ରସଙ୍ଗରେ ବର୍ତ୍ତମାନ ଏହି ଧର୍ମାରଣ୍ୟରେ ଉପସ୍ଥିତ ହୋଇଅଛୁ ।’’ ରାଜାଙ୍କର ଉତ୍ତର ଶୁଣି ଅନସୂୟା କହିଲେ ତାହାହେଲେ ଆଜି ଧର୍ମଚାରୀମାନେ ସନାଥ ହେଲେ; ଇତ୍ୟବସରରେ ରାଜା ପ୍ରସଙ୍ଗକ୍ରମେ ସଖୀ ଦୁହିଙ୍କଠାରୁ ବୁଝିଲେ ଯେ ଶକୁନ୍ତଳା ମହର୍ଷି କଣ୍ୱଙ୍କର ପାଳିତା କନ୍ୟା । ଏକ ସମୟରେ କୌଶିକଙ୍କର ଉଗ୍ର ତପସ୍ୟାରେ ଭୀତ ହୋଇ ଦେବତାମାନେ ତାଙ୍କର ତପସ୍ୟାରେ ବିଘ୍ନ ଜନ୍ମାଇବା ପାଇଁ ମେନକାନାମ୍ନୀ ଅପ୍ସରାଙ୍କୁ ପଠାଇଥିଲେ । ସେହି ମେନକାଙ୍କ ଗର୍ଭରୁ ବିଶ୍ୱାମିତ୍ରଙ୍କ ଔରସରେ ଶକୁନ୍ତଳାଙ୍କର ଜନ୍ମ; ଜନ୍ମପରେ ମେନକା ତାଙ୍କୁ ଅରଣ୍ୟ ମଧ୍ୟରେ ତ୍ୟାଗ କରି ଚାଲିଯିବାରୁ ମହର୍ଷି କଣ୍ୱ ଲାଳନପାଳନ କରି ତାଙ୍କର ପିତୃସ୍ଥାନୀୟ ହୋଇଅଛନ୍ତି ଏବଂ ଅନୁରୂପ ପାତ୍ର ପାଇଲେ ସେ ତାଙ୍କ ହସ୍ତରେ ଶକୁନ୍ତଳାଙ୍କୁ ସମର୍ପଣ କରି ସୁଖୀ ହେବେ । ଇତ୍ୟବସରରେ ଶକୁନ୍ତଳା ଓ ରାଜା ଉଭୟର ଅଲୌକିକ ରୂପମାଧୁରୀରେ ପରସ୍ପର ଆକୃଷ୍ଟ ହୋଇ ପଡ଼ିଥିଲେ; ନିଜର ବିବାହପ୍ରସଙ୍ଗ ସଖୀମାନଙ୍କଦ୍ୱାରା ରାଜାଙ୍କ ନିକଟରେ ବର୍ଣ୍ଣିତ ହେବା ଶୁଣି କୃତ୍ରିମ ରୋଷପରବଶ ହୋଇ ଶକୁନ୍ତଳା ସଲଜ୍ଜ ମୁଖଭଙ୍ଗୀରେ ସଖୀଙ୍କୁ କହିଲେ ‘ମୁଁ ଯାଉଛି, ଏହି ଆସମ୍ବଦ୍ଧପ୍ରଳାପିନୀ ଅନସୂୟାକଥା ଅର୍ଯ୍ୟା ଗୌତମୀଙ୍କ ନିକଟରେ କହିଦେବି ।’ ଏହା କହି ଶକୁନ୍ତଳା ଯିବାକୁ ଉଦ୍ୟତ ହୁଅନ୍ତେ ପ୍ରିୟଂବଦା ତାଙ୍କର ଗତି ରୋଧ କରି କହିଲେ ମୋର ତୁମ୍ଭେ ଯେଉଁ ଦୁଇ ମାଠିଆ ପାଣି ଧାରିଛ, ତାହା ନ ଦେବାଯାଏ କେବେହେ ଏସ୍ଥାନ ଛାଡ଼ି ଯାଇ ପାରିବ ନାହିଁ । ’ ଏହା ଶୁଣି ରାଜା ପ୍ରିୟଂବଦାଙ୍କୁ କହିଲେ, ‘‘ଦେଖ ଭଦ୍ରେ, ତୁମ୍ଭର ଏହି ସଖୀ ବୃକ୍ଷରେ ଜଳସେଚନ କରି ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ି ଅଛନ୍ତି, ଏପର୍ଯ୍ୟନ୍ତ ଏହାଙ୍କ ମୁଖରେ ଘର୍ମବିନ୍ଦୁଗୁଡ଼ିକ ସଂଶ୍ଳିଷ୍ଟ ରହିଅଛି; ପୁନଃ ପୁନଃ କଳସ ଉତ୍ତୋଳନରୁ ଏହାଙ୍କର କରତଳ ରକ୍ତବର୍ଣ୍ଣ ଦିଶୁଅଛି ଏବଂ ସେ ଏପର୍ଯ୍ୟନ୍ତ ଦୀର୍ଘନିଃଶ୍ୱାସ ନିକ୍ଷେପ କରୁଅଛନ୍ତି ଏବଂ ମସ୍ତକର କେଶବନ୍ଧନ ଫିଟି ଯାଇ ଥିବାରୁ ତାହାକୁ ଏକ ହସ୍ତରେ ବାନ୍ଧିବାଦ୍ୱାରା ତାହା ଇତସ୍ତତଃ ବିକୀର୍ଣ୍ଣ ହୋଇ ପଡ଼ିଅଛି । ଅତଏବ ତୁମ୍ଭେ ଆମ୍ଭର ଏହି ଅଙ୍ଗୁରୀୟକଟି ଗ୍ରହଣ କରି ତୁମ୍ଭର ସଖୀଙ୍କୁ ଋଣମୁକ୍ତ କର ।’’ ଏହା କହି ରାଜା ସଖୀଙ୍କ ହସ୍ତରେ ମୁଦ୍ରିକାଟି ପ୍ରଦାନ କରନ୍ତେ ସଖୀଦ୍ୱୟ ତାହା ଗ୍ରହଣ କଲେ ଓ ତହିଁରେ ଖୋଦିତ ଥିବା ନାମାକ୍ଷର ପାଠ କରି ବିସ୍ମୟବିସ୍ଫାରିତ ନୟନରେ ପରସ୍ପର ନିରୀକ୍ଷଣ କରିବାକୁ ଲାଗିଲେ । ‘‘ରାଜା ପ୍ରସନ୍ନ ହୋଇ ମୋତେ ଏହି ଅଙ୍ଗୁରୀୟଟି ଦାନ କରି ଅଛନ୍ତି ।’’ ଏହା କହି ରାଜା ଆତ୍ମଗୋପନ କରିବାକୁ ଯତ୍ନ କଲେହେ ପୁରୁବଂଶାବତଂସ ସ୍ୱୟଂ ରାଜର୍ଷି ଦୁଷ୍ମନ୍ତ ଯେ ସେମାନଙ୍କର ସମ୍ମୁଖୀନ ଏଥିରେ ଆଉ ସଖୀମାନଙ୍କର ସନ୍ଦେହ ରହିଲା ନାହିଁ । ପ୍ରିୟଂବଦା ମୁଦ୍ରିକାଠି ରାଜାଙ୍କୁ ପ୍ରତ୍ୟର୍ପଣ କରି କହିଲେ ‘ମହାରାଜ, ଏହି ଅଙ୍ଗୁରୀୟକଟି ଆପଣଙ୍କ ଅଙ୍ଗୁଳିରୁ ବିଯୁକ୍ତ ହୋଇ ରହିବା ଉପଯୁକ୍ତ ନୁହେ । ଆପଣଙ୍କ କଥାଦ୍ୱାରାହିଁ ଆମ୍ଭେ ଏହାଙ୍କୁ ଋଣମୁକ୍ତ କଲୁ ।’ ଅଯାଚିତ ଭାବରେ ରାଜାଙ୍କ ଦ୍ୱାରା ଏହିପରି ଉପକୃତ ହେବାରୁ ଶକୁନ୍ତଳାଙ୍କ ମନରେ ଅଭିନବଭାବର ସଞ୍ଚାର ହେଲା; ମାତ୍ର ସେ ସଖୀମାନଙ୍କ ସମ୍ମୁଖରେ ବାକ୍ୟଦ୍ୱାରା ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିପାରିଲେ ନାହିଁ । ଇତ୍ୟବସରରେ ଅଦୂରରେ ଶୁଣାଗଲା ‘‘ଭୋ ଭୋ ତପସ୍ୱୀଗଣ, ସଂପ୍ରତି ମୃଗୟାବିହାରୀ ମହାରାଜ ଦୁଷ୍ମନ୍ତ ଆଶ୍ରମର ସମୀପବର୍ତ୍ତୀ; ତାଙ୍କ ରଥ ସନ୍ଦର୍ଶନରେ ଭୀତ ହୋଇ ଗୋଟିଏ ବନ୍ୟ ଗଜ ଉତ୍‌କ୍ଷିପ୍ତ ଅବସ୍ଥାରେ ଇତସ୍ତତଃ ଭ୍ରମଣ କରୁଅଛି; ଆପଣମାନେ ଆଶ୍ରମଜୀବମାନଙ୍କର ରକ୍ଷା ନିମିତ୍ତ ସଜ୍ଜିତ ହୁଅନ୍ତୁ ।’’ ରାଜା ଏହା ଶୁଣି ଭାବିଲେ ଯେ, ସୈନ୍ୟମାନେ ତାଙ୍କର ପ୍ରତ୍ୟାଗମନରେ ବିଳମ୍ବ ଦେଖି ସମ୍ଭବତଃ ତପୋବନ ଅଭିମୁଖରେ ଆଗମନ କରୁଅଛନ୍ତି; ଅତଏବ ଶୀଘ୍ର ଫେରିଯିବା ଆବଶ୍ୟକ । ଅନସୂୟା ଓ ପ୍ରିୟଂବଦା ବୃଦ୍ଧା ଗୌତମାଙ୍କର ଉଦବେଗ ଦୂରୀକରଣାର୍ଥ ଶୀଘ୍ର ଆଶ୍ରମକୁ ଫେରି ଯିବାପାଇଁ ଶକୁନ୍ତଳାଙ୍କୁ କହିଲେ । ରାଜାଙ୍କୁ ବିଦାୟ ଦେଲାବେଳେ ସଖୀ ଦୁହେଁ କହିଲେ, ‘‘ମହାରାଜ ! ଏଠାରେ ଅତିଥିସତ୍କାରରେ ଯେ ସମସ୍ତ ତ୍ରୁଟି ଘଟିଅଛି, ତାହା ଦୟାର୍ଦ୍ର ହୋଇ କ୍ଷମା କରିବେ । ପୁନର୍ବାର ଯେପରି ଆଶ୍ରମରେ ମହାରାଜଙ୍କର ଦର୍ଶନ ଲାଭ ହୁଏ, ସେଥିପାଇଁ ପ୍ରାର୍ଥନା କରୁଅଛୁଁ ।’’ ଚକ୍ଷୁର ଅନ୍ତରାକୁ ଯିବା ପୂର୍ବରୁ ଶକୁନ୍ତଳା ଏପରି ଭାବତଦ୍‍ଗତ ହୋଇ ପଡ଼ିଥିଲେ ଯେ, ପାଦରୁ କଣ୍ଟକ ନିଷ୍କାସନ କରିବା ବ୍ୟାଜରେ ରାଜର୍ଷିଙ୍କର ସେହି କମନୀୟ ମୁଖମଣ୍ଡଳ ପ୍ରତି ଆଛ ଥରେ ଚଳପାଙ୍ଗ ଦୃଷ୍ଟିସମ୍ପାତ ନ କରି ରହି ପାରିଲେ ନାହିଁ । ରାଜାଙ୍କର ମନ ମଧ୍ୟ ପ୍ରବହମାନ ବାୟୁର ପ୍ରତିକୂଳରେ ନୀୟମାନ ପତାକାର ବସ୍ତ୍ରଖଣ୍ଡ ପରି ପଛକୁ ପ୍ରଧାବିତ ହେଲା । କିନ୍ତୁ ଶରୀର ମାତ୍ର ପତାକା ଦଣ୍ଡ ପରି କ୍ରମେ ଅଗ୍ରବର୍ତ୍ତୀ ହେବାକୁ ଲାଗିଲା ।

Image

 

ଦୁଷ୍ମନ୍ତଙ୍କ ଅନୁଶୋଚନା

 

ସୁକୁମାରୀ ମୁନିକୁମାରୀମାନଙ୍କଠାରୁ ବିଦାୟ ଗ୍ରହଣ କରି ମହାରାଜ ଦୁଷ୍ମନ୍ତ ସ୍ୱଶିବିରରେ ଉପସ୍ଥିତ ହେଲେ । ଶକୁନ୍ତଳାଙ୍କର ଆଲୋକ ସାମାନ୍ୟ ରୂପମାଧୁରୀରେ ଏପରି ତଦ୍ଗତପ୍ରାଣ ହୋଇ ପଡ଼ିଥିଲେ ଯେ, ସେ ଚତୁର୍ଦିଗ ଶକୁନ୍ତଳାମୟ ଦେଖିବାକୁ ଲାଗିଲେ । ତାଙ୍କର ହୃଦୟ ଅଭିନବ ରସଭାବ ବିଶେଷଦ୍ୱାରା ପୂର୍ଣ୍ଣ ହୋଇ ଉଠିଲା । ପ୍ରଥମ ସାକ୍ଷାତ୍‌କାର ସମୟରେ ଶକୁନ୍ତଳାଙ୍କର ସ୍ନିଗ୍ଧବିଲୋକନ, ମୃଦୁଗତି ଓ ସଖୀଙ୍କ ପ୍ରତି ସାସୃୟ ସମ୍ଭାଷଣ ପ୍ରଭୃତି ସମଗ୍ର ହାବଭାବାଦିକୁ ସେ ଅନୁରାଗର ନିଦର୍ଶନ ବୋଲି ଭାବିବାକୁ ଲାଗିଲେ । ମୃଗୟାଦି ବ୍ୟାପାରରେ ତାଙ୍କର ଆଦୌ ଉତ୍ସାହ ରହିଲା ନାହିଁ । ହରିଣମାନଙ୍କ ଚକ୍ଷୁରେ ଶକୁନ୍ତଳାଙ୍କର ନେତ୍ରଶୋଭା ଅବଲୋକନ କରି ସେମାନଙ୍କ ପ୍ରତି ଧନୁରେ ଶର ସନ୍ଧାନ କରିବାକୁ ତାଙ୍କର ଆଦୌ ପ୍ରବୃତ୍ତି ବଳିଲା ନାହିଁ । ସେ ସେନାପତିଙ୍କୁ ଡକାଇ କହିଲେ, ଶମପ୍ରଧାନ ତପୋବନରେ ଜୀବହିଂସାରୂପ କ୍ରୂରକର୍ମର ଅନୁଷ୍ଠାନ ନ ହେବାହିଁ ମଙ୍ଗଳକର । ଯେପରି ସ୍ପର୍ଶାନୁକୂଳ ସୂର୍ଯ୍ୟକାନ୍ତମଣିର ଅନ୍ତର୍ନିହିତ ତେଜ ସୂର୍ଯ୍ୟରଶ୍ମି ସମ୍ପାତରେ ସନ୍ଦୀପ୍ତ ହୋଇ ଉଠେ, ସେହିପରି ଶାନ୍ତିଗୁଣାବଲମ୍ବୀ ତପସ୍ୱୀମାନଙ୍କର ବ୍ରହ୍ମତେଜ ଅପରାଧୀ ପ୍ରାଣୀମାନଙ୍କଠାରେ ପ୍ରକାଶିତ ହୋଇଥାଏ । ଅତଏବ ବର୍ତ୍ତମାନ ବନଚରପ୍ରାଣିଗଣ ସ୍ୱେଚ୍ଛାହାରବିହାରଦ୍ୱାରା ଶାନ୍ତି-ସୁଖ ଉପଭୋଗ କରନ୍ତୁ । ମହାରାଜଙ୍କ ଆଦେଶରେ ସେନାପତି ମୃଗୟାବ୍ୟାପରରୁ ସୈନିକପୁରୁଷମାନଙ୍କୁ ନିବୃତ୍ତ କଲେ । ରାଜା ପ୍ରିୟବୟସ୍ୟ ମାଧବ୍ୟଙ୍କ ସଙ୍ଗରେ ନିର୍ଜନ ବନପ୍ରଦେଶରେ ଉପବେଶନ କରି ଶକୁନ୍ତଳାବିଷୟକ ଆଳାପଦ୍ୱାରା ଚିତ୍ତବିନୋଦନ କରିବାକୁ ଲାଗିଲେ । ମାଧବ୍ୟ ରାଜାଙ୍କୁ ପଚାରିଲା, ‘‘ମହାରାଜ ! ଯଦି ଶକୁନ୍ତଳା ତପସ୍ୱି-କନ୍ୟା, ତେବେ ତାଙ୍କ ପ୍ରଭୁ ଅନୁରକ୍ତ ହେବାଟା ସମୀଚୀନ ନୁହେ ।’’ ରାଜା ଉତ୍ତର କଲେ ବୟସ୍ୟ ! ତାହାହେଲେ ଲୋକେ ନବୋଦିତ ଇନ୍ଦୁକଳାକୁ ତ ଉଦ୍ଦେଶ୍ୟରେ ନିର୍ନିମେଷନୟନରେ ନିରୀକ୍ଷଣ କରନ୍ତି ? ଶକୁନ୍ତଳା ଅପ୍ସରା ଗର୍ଭରୁ ସଂଭୂତ । ବୃନ୍ତଚ୍ୟୁତ ନବମାଳିକା ପୁଷ୍ପ ଅର୍କବୃକ୍ଷ ଉପରେ ପତିତ ହୋଇ ଯେପରି ଅର୍କପୁଷ୍ପ ବୋଲି ଭ୍ରମ ଜନ୍ମାଏ, ସେହିପରି ତାଙ୍କ ମାତାଙ୍କଦ୍ୱାରା ପରିତ୍ୟକ୍ତା ଶକୁନ୍ତଳା ମହର୍ଷି କଣ୍ୱଙ୍କ ପ୍ରତିପାଳିତ ହୋଇ ମୁନିକନ୍ୟା ବୋଲି ପରିଚିତ ହେଉଅଛନ୍ତି । ବନ୍ଧୋ, ତା ନ ହେଲେ ମୋ ମନ ତାଙ୍କପ୍ରତି ଆକୃଷ୍ଟ ହୁଅନ୍ତା କି ? ମାଧବ୍ୟ ହସି ହସି କହିଲେ, ହଁ ମହାରାଜ ପିଣ୍ଡଖଜୁରଦ୍ୱାରା ଯେଉଁ ଲୋକ ନିତ୍ୟ ଉଦ୍ଚେଳିତ, ତିନ୍ତୁଳିରେ ତାହାର ଶ୍ରଦ୍ଧା ଜାତ ହେବା ସ୍ୱାଭାବିକ- । ଦୁଷ୍ମନ୍ତ ଉତ୍ତର କଲେ, ମିତ୍ର, ତୁମ୍ଭେ ତାଙ୍କୁ ଜାଣି ନାହଁ ବୋଲି ଏପରି ପରିହାସ କରୁଅଛ- । ବିଧାତାଙ୍କର ସେହି ଅପୂର୍ବ ରୂପସୃଷ୍ଟି ଦେଖି ମୋର ମନେ ହେଉଅଛି, କଣ୍ୱକନ୍ୟା ସାକ୍ଷାତ୍ ଯେପରି ଅନାଘ୍ରାତ ପୁଷ୍ପ କରରୁହଦ୍ୱାରା ଅଚ୍ଛିନ୍ନ କିଶଳୟ, ଅପରିହିତ ରତ୍ନ ଓ ଅନାସ୍ୱାଦିତ ମଧୁ । ଅଖଣ୍ଡପୁଣ୍ୟର ପୁଞ୍ଜୀପୂତ ଫଳସ୍ୱରୂପ ସେହି ଅନଘ ରୂପାମୃତ ଏ ମର୍ତ୍ତ୍ୟରେ କାହାର ଉପଭୋଗ୍ୟ ହେବ ? ସଖେ ! ଶକୁନ୍ତଳାଙ୍କର ସେହି ଭାବପ୍ରବଣ ଅବଲୋକନ, ସସ୍ମିତ ମୁଖଭଙ୍ଗ ଏବଂ ଛଳନାକ୍ରମେ ମୋ ପ୍ରତି ବ୍ୟାବୃତ୍ତବଦନରେ ଦୃଷ୍ଟି ସଞ୍ଚାଳନ ପ୍ରଭୃତି ଏପର୍ଯ୍ୟନ୍ତ ମୋ ସ୍ମୃତିପଟରେ ଅଙ୍କିତ ହୋଇ ରହିଅଛି । ଆହା ମିତ୍ର ! କିପରି ଆଉ ଥରେ ସେହି ପ୍ରାଣାରାମଧନର ସମ୍ମୁଖବର୍ତ୍ତୀ ହୁଅନ୍ତି ? କାଳେ ତପସ୍ୱୀମାନେ ଜାଣି ପାରିବେ; କେଉଁ ବ୍ୟପଦେଶରେ ସେଠାକୁ ଯିବି ? ମାଧାବ୍ୟ ଉତ୍ତର କଲେ କାହିଁକି, ଆପଣ ତ ରାଜା, ବ୍ୟପଦେଶାନ୍ତରର ପ୍ରୟୋଜନୀୟତା କଣ ? ନୀବାରଷଷ୍ଠଭାଗ ତ ତାପସମାନଙ୍କଠାରେ ଆପଣଙ୍କର ପ୍ରାପ୍ୟ । ରାଜା ବିରକ୍ତିପ୍ରକାଶପୂର୍ବକ କହିଲେ ‘ଛି ତପସ୍ୱୀମାନେ ପରା ସେମାନଙ୍କର ତପସ୍ୟାର ଷଡ଼୍‌ଭାଗରୁ ଏକଭାଗ ମୋତେ ପ୍ରଦାଦ କରନ୍ତି, ଗୃହୀମାନଙ୍କଠାରୁ ପାଉଥିବେ ରତ୍ନରାଶି ତୁଳନାରେ ଏହା ଅକ୍ଷୟ ଓ ଅମୂଲ୍ୟ ନୁହେ କି ?’

 

ଏହି ସମୟରେ ଦୁଇଜଣ ତପସ୍ୱୀଙ୍କର ପ୍ରଶାନ୍ତ କଣ୍ଠସ୍ୱର ରାଜାଙ୍କର ଶ୍ରୁତିଗୋଚର ହେଲା- । ସେମାନେ ରାଜାଙ୍କର ସମ୍ମୁଖବର୍ତ୍ତୀ ହୋଇ ଶୁଭାଶିଷ ପ୍ରଦାନପୂର୍ବକ କେତେଗୁଡ଼ିଡ଼ଏ ଅରଣ୍ୟସୁଲଭ ସୁପକ୍ୱ ଫଳ ଉପହାର ପ୍ରଦାନ କରି କହିଲେ, ରାଜର୍ଷେ, ତପୋବନରେ ଆପଣଙ୍କର ଉପସ୍ଥିତ ହେବା କଥା ତପସ୍ୱୀମାନେ ଅବଗତ ହୋଇ ଆପଣଙ୍କୁ ଅଭ୍ୟର୍ଥନା କରୁଅଛନ୍ତି ଏବଂ କହିଅଛନ୍ତି, ବର୍ତ୍ତମାନ କୁଳପତି କଣ୍ୱ ଆଶ୍ରମରେ ନ ଥିବାରୁ ରାକ୍ଷସମାନେ ଆମ୍ଭମାନଙ୍କର ଯଜ୍ଞରେ ବିଘ୍ନ ଉତ୍ତ୍ପାଦନ କରୁଅଛନ୍ତି । ସାରଥି ସହିତ ଆପଣ କେତେଦିନ ମାତ୍ର ଆଶ୍ରମରେ ଅବସ୍ଥାନ କଲେ ଆମ୍ଭେମାନେ ଚରିତାର୍ଥ ହେବୁଁ । ‘‘ଅନୁଗୃହୀତ ହେଲି’’ ରାଜା ଏହିପରି କହନ୍ତେ, ତପସ୍ୱୀ ଦୁହେଁ କହିଲେ ‘ମହାରାଜ ! ଯେଉଁ ପୁରୁବଂଶୀୟ ରାଜାମାନେ ବିପନ୍ନମାନଙ୍କର ଅଭୟ ପ୍ରଦାନରୂପ ଯଜ୍ଞରେ ନିତ୍ୟ ଦୀକ୍ଷିତ, ଆପଣ ସେହି ବଂଶର ଅଳଂକାରସ୍ୱରୂପ ଏବଂ ଏହି ଆର୍ତ୍ତତ୍ରାଣ ଭାବ ଆପଣଙ୍କର ଅନରୂପ ଅଟେ ।’’ ଅନନ୍ତର ସେ ଅନତିବିଳମ୍ବରେ ଆଶ୍ରମରେ ଉପସ୍ଥିତ ହେବେ କହି ତପସ୍ୱୀମାନଙ୍କୁ ବିଦାୟ ଦେଲେ ।

 

ଇତ୍ୟବସରରେ ରାଜଧାନୀକୁ ଶୀଘ୍ର ପ୍ରତ୍ୟାବୃତ୍ତ ହେବା ନିମିତ୍ତ ସେ ଗୁରୁଜନମାନଙ୍କଦ୍ୱାରା ସଂଦିଷ୍ଟ ହୋଇ ଶୈଳପ୍ରତିହତ ନଦୀର ସ୍ରୋତ ପରି ମହା ସଂକଟରେ ପତିତ ହେଲେ । ମାତ୍ର ପରେ ତପସ୍ୱୀମାନଙ୍କ କାର୍ଯ୍ୟର ମହତ୍ତ୍ୱ ଅନୁଭବ କରି ତପୋବିଘ୍ନଶାନ୍ତି ନିମିତ୍ତ ଆଉ କେତେଦିନ ଆଶ୍ରମରେ ରହିବା ବିଧେୟ ଭାବି, ପ୍ରିୟବୟସ୍ୟ ମାଧବ୍ୟଙ୍କ ସୈନ୍ୟସାମନ୍ତସମଭିବ୍ୟାହାରରେ ଏହି ସଂବାଦସହ ରାଜଧାନୀକୁ ପ୍ରେରଣ କଲେ ।

Image

 

ଗାନ୍ଧର୍ବ ବିବାହ

 

ମହାଧନୁର୍ଦ୍ଧର ରାଜା ଦୁଷ୍ମନ୍ତ ତପୋବନରେ ଉପସ୍ଥିତ ହେବାମାତ୍ରକେ ତାଙ୍କ ଧର୍ନୁଜ୍ୟା ଆସ୍ଫାଳନରେ ରାକ୍ଷସମାନେ ଭୀତ ହୋଇ ପଳାୟନ କଲେ, ତେଣୁ ଋତ୍ୱିକ୍‍ବୃନ୍ଦ ନିରୁପପ୍ଳବ ହୋଇ ସ୍ୱ ସ୍ୱ ଯଜ୍ଞକାର୍ଯ୍ୟ ସମ୍ପାଦନ କରିବାକୁ ଲାଗିଲେ ।

 

ଋଷିମାନଙ୍କଠାରୁ ବିଦାୟ ଗ୍ରହଣ କରି ରାଜା କିୟଦ୍ଦିବସ ଆଶ୍ରମରେ ଅବସ୍ଥାନ କଲେ । ତପସ୍ୟାର ପ୍ରଭାବ, ଶକୁନ୍ତଳାଙ୍କର ପରାଧୀନତା ତାଙ୍କୁ ଉତ୍ତମରୂପେ ଜଣା ଥିଲା; ତଥାପି ନିମ୍ନାଭିମୁଖ ସଲିଳ ପରି ତାଙ୍କ ମନ ଶକୁନ୍ତଳାପ୍ରାପ୍ତି ଆଶାରୁ ଅନିବୃତ୍ତ ରହିଲା । ସେ ନିରନ୍ତର ତତ୍‌ଚିନ୍ତାରେ ଖିନ୍ନ ହେବାକୁ ଲାଗିଲେ । ସୁଶୀତଳ ଚନ୍ଦ୍ରିକାକୁ ସେ ପ୍ରଖର ରୌଦ୍ର ପରି ଜ୍ଞାନ କଲେ-। ନିତାନ୍ତ ବ୍ୟାକୁଳ ହୋଇ ଏକଦା ମଧ୍ୟାହ୍ନରେ ପ୍ରିୟା ଅନ୍ୱେଷଣ କାମନାରେ ମାଳିନୀନଦୀ ତୀର ଆଡ଼କୁ ସେ ଅଗ୍ରସର ହେଲେ । ଅରବିନ୍ଦସୁରଭି ମାଳିନୀଶୀକରବାହୀ ସୁଶୀତଳ ସମୀରଣ ସେବନ କରି ଓ ତୀରବର୍ତ୍ତୀ ମନୋରମ କୁଞ୍ଜପରମ୍ପରା ଅବଲୋକନ କରି ସେ ଭାବିଲେ, ନିଶ୍ଚୟ ଶକୁନ୍ତଳା ପ୍ରଖର ରୌଦ୍ରତାନ ଉପଶାନ୍ତି ନିମିତ୍ତ ଏହି ଲତାକୁଞ୍ଜ ମଧ୍ୟରୁ କୌଣସି ଗୋଟିକରେ ଆଶ୍ରୟ ନେଇଥିବେ । ଏହିପରି ଭାବୁଁ ଭାବୁଁ ହଠାତ୍ ଗୋଟିଏ ବେତସଲତାମଣ୍ଡପରି ସକତାମୟ ଦ୍ୱାରଦେଶରେ ଯୁବତିଜନପଦପଂକ୍ତି ତାଙ୍କର ଦୃଷ୍ଟିପଥାରୂଢ଼ ହେଲା । ସେ ବୃକ୍ଷାନ୍ତରାଳରେ ରହି ଦେଖିଲେ ଯେ ତାଙ୍କର ମନୋରଥପ୍ରିୟା କୁସୁମାସ୍ତରଣମୟ ଶିଳାଶଯ୍ୟାରେ ଶୟନ କରି ଅଛନ୍ତି ଏବଂ ସଖୀଦୁହେଁ ତାଙ୍କ ସମୀପରେ ଉପବେଶନ କରି ତାଙ୍କର ପରିଚର୍ଯ୍ୟାରେ ନିଯୁକ୍ତ ଅଛନ୍ତି । ସଖୀଦ୍ୱୟ ପଚାରୁଅଛନ୍ତି, ‘‘ଅୟି ଶକୁନ୍ତଳେ ! ପଦ୍ମପତ୍ରପବନ ତୁମ୍ଭଙ୍କୁ ସୁଖ ଲାଗୁଛି ତ ?’’ ଶକୁନ୍ତଳା ସଖେଦରେ ଉତ୍ତର କରୁଅଛନ୍ତି, ‘‘ସଖି ! କାହିଁକି ବିଞ୍ଚୁଛ ?’’ ଶକୁନ୍ତଳାଙ୍କୁ ଅସୁସ୍ଥଶରୀରା ଦେଖି ରାଜା ଭାବିଲେ, ଗ୍ରୀଷ୍ମର ଆଧିକ୍ୟରୁ ଶକୁନ୍ତଳାଙ୍କର ଏପରି ଅବସ୍ଥା ହୋଇଅଛି କି, ନା ସେ ନିଶ୍ଚୟ ମୋପରି ଆଧିଗ୍ରସ୍ତ । ଆହା, ଏହାଙ୍କର କପୋଳ, ଆନନ ପ୍ରଭୃତି କ୍ଷାମ ହୋଇଗଲାଣି; କଟିଦେଶ ଅତି ଦୁର୍ବଳ, ସ୍କନ୍ଧ ଅତୀବ ସନ୍ନତ ଓ ଶରୀରର ପାଣ୍ଡୁରବର୍ଣ୍ଣ ଦିଶୁଅଛି । ତଥାପି ମଳୟାନିଳସଂସ୍ପର୍ଶରେ ପତ୍ରଶୂନ୍ୟ ହୋଇ ମାଧବୀଲତା ଯେପରି ଶୋଚନୀୟ ଅବସ୍ଥାରେ ମନୋରମ ଦିଶୁଥାଏ, ଏ ସେହିପରି ଦିଶୁଅଛନ୍ତି । ସଖୀମାନଙ୍କଦ୍ୱାରା ପୁନଃ ପୁନଃ ଅନୁରୁଦ୍ଧ ହୋଇ ସୁଦ୍ଧା ଶକୁନ୍ତଳା ତାଙ୍କର ମନୋଗତ ବିକାରର କାରଣ ଜଣାଇବାକୁ ଏକାନ୍ତ କୁଣ୍ଠିତ ହେବାରୁ ପ୍ରିୟଂବଦା କହିଲେ, ‘‘ସଖି ! ତୁମ୍ଭେ କାହିଁକି ହୃଦୟର ବିକାରକୁ ଗୋପନ କରୁଅଛ ? ତୁମ୍ଭର ଶାରୀରିକ ଅବସ୍ଥା ଦିନୁ ଦିନୁ ଶୋଚନୀୟ ହେଉଅଛି, କେବଳ ଲାବଣ୍ୟମୟୀ ଛାୟା ତୁମ୍ଭଙ୍କୁ ତ୍ୟାଗ କରି ନାହିଁ ସିନା । ସଖି, ଦେଖ ହୃଦୟର ଦୁଃଖ ପ୍ରିୟଜନସମୀପରେ ପ୍ରକାଶ କଲେ ତାହା ତେତେ ବେଦନାପ୍ରଦ ହୁଏ ନାହିଁ ।’’ ରାଜା ଶକୁନ୍ତଳାଙ୍କର ଯେଉଁ ମନୋଗତ ଭାବ ଅବଗତ ହେବାପାଇଁ ଅତି ଉତ୍କଣ୍ଠିତ ଚିତ୍ତରେ ବୃକ୍ଷାନ୍ତରାଳରେ ଅପେକ୍ଷା କରିଥିଲେ, ବର୍ତ୍ତମାନ ଶକୁନ୍ତଳା ସେହି ଉତ୍ତରରେ କଣ କହିବେ, ଏହା ଜାଣିବାପାଇଁ ସେ ନିତାନ୍ତ ବ୍ୟାକୁଳ ହେଲେ । ଶକୁନ୍ତଳା କହିଲେ, ‘‘ସଖି, ଯେଉଁଦିନଠାରୁ ସେହି ତପୋବନ ରକ୍ଷକ ରାଜର୍ଷି ମୋର ଦୃଷ୍ଟିପଥାରୂଢ଼ ହେଲେ— ସେହିଦିନଠାରୁ ତଦ୍‍ଗତ ଅଭିଳାଷରେ ମୋର ଏପରି ଅବସ୍ଥା ହୋଇଅଛି ।’’ ଏହା ଶୁଣି ସଖୀ ଦୁହେଁ ଏକ ବାକ୍ୟରେ କହିଲେ, ‘‘ସଖି, ସୌଭାଗ୍ୟ କ୍ରମେ ଅନୁରପ ବରରେ ତୁମ୍ଭର ଅଭିଳାଷ ଜନ୍ମିଅଛି, ମହାନଦୀ ସମୁଦ୍ରକୁ ଛାଡ଼ି କାହିଁରେ ବା ପ୍ରବେଶ କରିବ ?’’ ନିଜର ଅଭିଳାଷ ସଖୀମାନଙ୍କର ମନୋଗତ ହେବା ଜାଣିପାରି ଶକୁନ୍ତଳା କହିଲେ, ‘‘ସଖି, ଯେବେ ତୁମ୍ଭେମାନେ ମୋର ଅଭିଳାଷକୁ ଅନୁମୋଦନ କରୁଅଛ, ତେବେ ମୁଁ ଯେପରି ସେହି ରାଜର୍ଷିଙ୍କର ଅନୁକମ୍ପନୀୟା ହେବି ସେଥିପାଇଁ ଯତ୍ନ କରିବ, ନୋହିଲେ ମୋ ଆଶା ଛାଡ଼ ।’’ କି ଉପାୟରେ ଶକୁନ୍ତଳାଙ୍କର ଉଦ୍ଦେଶ୍ୟ ସିଦ୍ଧ ହେବ ସେଥିପାଇଁ ଅନସୂୟା ଓ ପ୍ରିୟବଂଦା ପରସ୍ପର ମନ୍ତ୍ରଣା କରିବାକୁ ଲାଗିଲେ । ଶେଷରେ ପ୍ରିୟଂବଦା କହିଲେ, ‘‘ଅନସୂୟେ, ମୁଁ ସେହି ରାଜର୍ଷିଙ୍କର ହାବଭାବାଦିରୁ ବୁଝିପାରୁଅଛି, ସେ ମଧ୍ୟ ଏହାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ; ଏଥି ମଧ୍ୟରେ ସେ କଣ ଦିଶୁଅଛନ୍ତି ଲକ୍ଷ୍ୟ କରି ନାହିଁ କି ? ଅତଏବ ଆମ୍ଭ ସଖୀଙ୍କର ଅଭିଳାଷ ଅଚିରେ ପୂର୍ଣ୍ଣ ହେବ, ସନ୍ଦେହ ନାହିଁ, ମାତ୍ର ନିଭୃତଭାବରେ ତାହା ଯେପରି ସମ୍ପାଦିତ ହୁଏ, ସେଥିପାଇଁ ଯତ୍ନ କରିବା । ମୁଁ ମନେ କରୁଅଛି, ଆମ୍ଭ ସଖୀ ଖଣ୍ଡିଏ ପ୍ରେମପତ୍ରୀ ଲେଖନ୍ତୁ, ମୁଁ ତାହାକୁ ପୁଷ୍ପମଧ୍ୟରେ ଗୋପନ କରି ଦେବପ୍ରସାଦବ୍ୟାଜରେ ରାଜାଙ୍କର ହସ୍ତଗତ କରାଇବି ।’’ ଏହି ସୁକୁମାର ପ୍ରୟୋଗଟିକୁ ଅନସୂୟା ସାନନ୍ଦଚିତ୍ତରେ ସମର୍ଥନ କରିବାରୁ ସେମାନେ ଶକୁନ୍ତଳାଙ୍କୁ ତାଙ୍କର ଭାବାନୁରୂପ ଗୀତିକା ରଚନା କରିବାପାଇଁ ଅନୁରୋଧ କଲେ । ଶକୁନ୍ତଳା କହିଲେ, ‘‘ହଁ ସଖି, ମୁଁ ଭାବୁଅଛି; ମାତ୍ର କାଳେ ମହର୍ଷି ଅବଜ୍ଞା କରନ୍ତି ଏଥିପାଇଁ ମୋ ହୃଦୟ ଥରି ଉଠୁଛି ।’’

 

ଶକୁନ୍ତଳାଙ୍କର ଏବଂ ବିଧ ଆତ୍ମପ୍ରତ୍ୟୟର ଅଭାବ ଦର୍ଶନରେ ରାଜର୍ଷି ସେହି ବୃକ୍ଷାନ୍ତରାଳରେ ରହି ସହର୍ଷ ଅନ୍ତଃକରଣ୍ଠରେ ମନେ ମନେ ଶକୁନ୍ତଳାଙ୍କୁ ଲକ୍ଷ୍ୟ କରି କହିଲେ, ‘‘ଅୟିଭୀରୁ, ଯାହାର ପ୍ରଣୟାବଧୀରଣାକୁ ଶଙ୍କା କରି ତୁମ୍ଭେ ଏପରି ପର୍ଯ୍ୟାକୁଳ ହେଉଅଛି, ସେ ବର୍ତ୍ତମାନ ଏହିଠାରେ ତୁମ୍ଭର ପ୍ରଣୟୋତ୍ସୁକ ହୋଇ ଉପସ୍ଥିତ ରହିଅଛି । ହେ କରଭୋରୁ, ତୁମ୍ଭେ କଣ ଜାଣି ନାହଁ, ପ୍ରାର୍ଥୟିତା ରତ୍ନକୁ ସିନା ଅନ୍ୱେଷଣ କରିବାକୁ ଯାଏ, ରତ୍ନ କେବେ ପ୍ରାର୍ଥୟିତାକୁ ଅନ୍ୱେଷଣ କରେ କି ?’’ ଶକୁନ୍ତଳାଙ୍କର ଭାବା ଆଶଙ୍କା ଦୂରୀକରଣାର୍ଥ ସଖୀମାନେ ତାହାଙ୍କୁ କହିଲେ, ‘‘ଅୟି ଆତ୍ମଗୁଣାବମାନିନୀ ! କିଏ କି କେବେ ସନ୍ତାପବିଧ୍ୱଂସିନୀ ଶାରଦୀୟା ଜ୍ୟୋସ୍ନାକୁ ଆତପତ୍ରଦ୍ୱାରା ନିବାରଣ କରେ ?’’ ଏହା ଶୁଣି ଶକୁନ୍ତଳା ସସ୍ମିତବଦନରେ ପଦ୍ୟରଚନାରେ ମନୋନିବେଶ କଲେ-। ଭ୍ରୁଲତା ଉନ୍ମମିତ କରି ଭାବତଦ୍ଗତଚିତ୍ତରେ ଶକୁନ୍ତଳା ରଚନାରେ ପ୍ରବୃତ୍ତ ହେବାବେଳେ ତାଙ୍କର କପୋଳଦେଶ ସହସା ପୁଲକିତ ହୋଇ ଉଠିଲା । ଏହା ଦେଖି ରାଜା ପରମାନନ୍ଦସନ୍ଦୋହରେ ଏକାବେଳେକେ ତନ୍ମୟ ହୋଇଗଲେ । ସେ ରଚନା ସାଙ୍ଗ କରି ସଖୀମାନଙ୍କୁ ଲେଖନସାଧନ ବସ୍ତୁ ସଂଗ୍ରହ କରିବାକୁ ଅନୁରୋଧ କରିବାରୁ ସେମାନେ ଶୁକୋଦର ସୁକୁମାର ନଳିନୀପତ୍ର ଉପରେ ଲେଖିବାପାଇଁ ତାହାଙ୍କୁ ଉପଦେଶ ଦେଲେ । ତଦନ୍ତର ସେ ସଖୀମାନଙ୍କୁ କହିଲେ, ପଦ୍ୟଟି ସଙ୍ଗତୀର୍ଥ ହେଲା କି ନାହିଁ ଥରେ ଶୁଣ ।

 

ନ ଜାଣଇ ତବ ହୃଦୟ କେସନ ହେ ନିର୍ଦୟ ନୃପବର,

ସନ୍ତାପ-ଅନଳ ଦିବସଯାମିନୀ ଦହୁଛି ମୋହ ଅନ୍ତର ।

 

ଏହା ଶୁଣି ରାଜା ଆଉ ଅନ୍ତରାଳରେ ରହି ପାରିଲେ ନାହିଁ ଏବଂ ସହସା ସମ୍ମୁଖବର୍ତ୍ତୀ ହୋଇ କହିଲେ, ‘‘କୃଶାଙ୍ଗି ! ତୁମ୍ଭେ ସନ୍ତାପିତ ହେଉଅଛି, ସନ୍ଦେହ ନାହିଁ, ମାତ୍ର ମୁଁ ଯେ ଏକାବେଳକେ ଦଗ୍ଧ ହେଉଅଛି, ଥରେ ମୋ ଆଡ଼କୁ, ଦୃଷ୍ଟିପାତ କଲେ; ଜାଣି ପାରିବ । ଦେଖ, ଦିବସ ଶଶାଙ୍କକୁ ଯେପରି ମଳିନ କରିଦିଏ, କୁମୁଦିନୀକୁ ସେପରି କରେ ନାହିଁ ।’’ ସଖୀମାନେ ସହର୍ଷରେ ଦଣ୍ଡାୟମାନ ହୋଇ ରାଜାଙ୍କୁ ସ୍ୱାଗତ ସମ୍ଭାଷଣ କଲେ, ଶକୁନ୍ତଳା ସମ୍ବର୍ଦ୍ଧନା ନିମିତ୍ତ ଶୟନରୁ ଉଠିବାକୁ ଚେଷ୍ଟା କରିବାକୁ କାଳେ ତାଙ୍କର ଗୁରୁପରିତାପମୟ କୁସୁମକୋମଳ ସୁକୁମାର ତନୁକୁ ବାଧିବ, ଏଥିପାଇଁ ରାଜା ତାଙ୍କୁ ନିବାରଣ କରି କହିଲେ, ‘‘ସୁନ୍ଦରୀ ! ତୁମ୍ଭର ଦର୍ଶନରେହିଁ ମୋର ଯଥେଷ୍ଟ ସମ୍ବର୍ଦ୍ଧନା ହୋଇଅଛି, ଆଉ ଉଠିବାର ପ୍ରୟୋଜନ ନାହିଁ ।’’ ଅନନ୍ତର ସଖୀଦୁହେଁ ଶିଳାତଳର ଏକ ଦେଶରେ ଉପବେଶନ କରିବାପାଇଁ ରାଜାଙ୍କୁ ଅନୁରୋଧ କରନ୍ତେ ଶକୁନ୍ତଳା ଲଜ୍ଜାରେ ଜଡ଼ୀଭୂତ ହୋଇ କିଞ୍ଚିତ୍ ଅପସୃତ ହୋଇଗଲେ ଏବଂ ରାଜା ସେଠାରେ ଉପବେଶନ କଲେ । ଉପବେଶନାନନ୍ତର ରାଜା ଅନସୂୟା ଓ ପ୍ରିୟଂବଦାଙ୍କୁ କହିଲେ, ଆଜି ତୁମ୍ଭମାନଙ୍କ ପ୍ରିୟସଖୀଙ୍କୁ ବଡ଼ ଅସୁସ୍ଥ ଦେଖୁଅଛି । ସେମାନେ ହସି ହସି ଉତ୍ତର କଲେ, ସମ୍ପ୍ରତି ଔଷଧ ଉପସ୍ଥିତ ହେଲାଣି, ଅନତିବିଳମ୍ବରେ ସୁସ୍ଥ ହେବେ । ଏହା ଶୁଣି ଶକୁନ୍ତଳା ଲଜ୍ଜାବନତମୁଆ ହୋଇ ଅବସ୍ଥାନ କଲେ ।

 

ଏହି ସମୟରେ ପ୍ରିୟମ୍ବଦା କହିଲେ, ‘‘ମହାରାଜ, ଆପଣମାନଙ୍କ ମଧ୍ୟରେ ଅନ୍ୟାଽନ୍ୟାନୁରାଗ ପ୍ରତ୍ୟକ୍ଷ ହେଲା, ତଥାପି ସଖୀଙ୍କଠାରେ ସ୍ନେହାଧିକ୍ୟବଶତଃ ମୁଁ କିଛି କହିବାକୁ ଅଭିଳାଷ କରୁଅଛି ।’’ ଏହା ଶୁଣି ରାଜା କହିଲେ,’’ଭଦ୍ରେ ! ଏହି ବିବକ୍ଷିତ ବିଷୟ ପରିହାର୍ଯ୍ୟ ନୁହେ, ବରଂ ଅନୁକ୍ତ ରହିଲେ ମନରେ ଅନୁତାପ ଜାତ କରିବ ।’’ ଏହା ଶୁଣି ପ୍ରିୟମ୍ବଦା କହିଲେ, ‘‘ମହାରାଜ, ଆର୍ତ୍ତିହରଣ ନୃପତିମାନଙ୍କର ପରମ ଧର୍ମ ଆମ୍ଭମାନଙ୍କର ଆଶା ଓ ବିଶ୍ୱାସ ଯେ, ମହାରାଜ ସଖୀଙ୍କର ଦୁଃଖୋପଶାନ୍ତି ବିଧାନ କରି ସ୍ୱଧର୍ମ ପାଳନ କରିବେ ।’’ ରାଜା ଉତ୍ତର କଲେ, ଏ ପ୍ରଣୟସମରୂପ ଅଟେ, ତୁମ୍ଭର ଅନୁରୋଧରେ ମୁଁ ଏକାନ୍ତ ଅନୁଗୃହୀତ ହେଲି । ଅତଃପର ଅନସୂୟା କହିଲେ, ମହାରାଜ, ଶୁଣାଯାଏ ରାଜାମାନେ ବହୁବଲ୍ଲଭ; ଆମ୍ଭମାନଙ୍କ ପ୍ରିୟସଖୀ ପରିଣାମରେ ଯେପରି ବନ୍ଧୁଜନଙ୍କର ଶୋଚନୀୟା ନ ହୁଅନ୍ତି ସେହିପରି କରିବାହେବେ । ଏହା ଶୁଣି ରାଜା ଉତ୍ତର କଲେ, ପ୍ରକୃତରେ ରାଜାମାନଙ୍କର ଅନେକ ପତ୍ନୀ ଥାନ୍ତି, ମାତ୍ର ମୁଁ ଅକପଟହୃଦୟରେ କହୁଅଛି, ତୁମ୍ଭମାନଙ୍କର ପ୍ରିୟସଖିହିଁ ମୋର ହୃଦୟସର୍ବସ୍ୱ ହେବେ । ଏହି ଆଶାନୁରୂପ ଉତ୍ତରରେ ଅନସୂୟା ଓ ପ୍ରିୟମ୍ବଦା ଏକାନ୍ତ ଉତ୍‌ଫୁଲ୍ଲ ହୋଇ କହିଲେ, ମହାରାଜ, ବର୍ତ୍ତମାନ ଆମ୍ଭେମାନେ ଉଦ୍ଗେଗଶୂନ୍ୟ ଓ ଚରିତାର୍ଥ ହେଲୁଁ । ଶକୁନ୍ତଳା କହିଲ, ସଖି ! ଆମ୍ଭେମାନେ, ରହସ୍ୟଭେଦ ହେବ ନାହିଁ, ଏହି ବିଶ୍ୱାସରେ ଔଚିତ୍ୟର ସୀମାଲଂଘନ କରି ଲୋକପଳଙ୍କ ସମ୍ବନ୍ଧରେ ଯାହା ଯାହା କହୁଥିଲୁଁ, ସେଥିପାଇଁ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କର । ଏହା ଶୁଣି ସଖୀଦୁହେଁ ହସି ହସି କହିଲେ, ଯେ ସେପରି କଥା କହିଅଛି, ସେ କ୍ଷମା ପ୍ରାର୍ଥନା କରିବ, ଆମ୍ଭର କି ପ୍ରୟୋଜନ ? ସେତେବେଳେ ଶକୁନ୍ତଳା କହିଲେ, ମହାରାଜ, କ୍ଷମା କରିବାହେବେ, ପଛରେ କିଏ ବା କଣ ବିଚାର ନ କରେ ? ଏହା ଶୁଣି ରାଜା ସ୍ମିତାସ୍ୟ ହୋଇ ଉଠିଲେ ।

 

ଏହି ସମୟରେ ଅନସୂୟା ଲତାକୁଞ୍ଜର ବହିର୍ଦ୍ଦେଶରେ ଦୃଷ୍ଟି ନିକ୍ଷେପ କରି କହିଲେ, ପ୍ରିୟଂବଦେ ! ଦେଖ, ଦେଖ, ଏହି ବରାକ ହରିଣପୋତଟି ଇତସ୍ତତଃ ଦୃଷ୍ଟି ନିକ୍ଷେପ କରି ତାହାର ମାକୁ ଅନ୍ୱେଷଣ କରୁଅଛି; ମୁଁ ଯାଉଛି ତାକୁ ତା ମା ପାଖରେ ଛାଡ଼ି ଦେଇ ଆସିବି । ଏହା ଶୁଣି ପ୍ରିୟମ୍ବଦା କହିଲେ, ସଖି, ହରିଣଶାବକ ବଡ଼ ଚପଳ ତୁମ୍ଭେ ଏକାକିନୀ ତାକୁ ଧରି ପାରିବ ନାହିଁ, ଚାଲ ମୁଁ ତୁମ୍ଭଙ୍କୁ ସାହାଯ୍ୟ କରିବି ।

 

ଏହା କହି ପ୍ରିୟମ୍ବଦା ଓ ଅନସୂୟା ଦୁହେଁ ସେହି ଲତାକୁଞ୍ଜ ମଧ୍ୟରୁ ବାହାରକୁ ଚାଲିଯୁବାରୁ ଶକୁନ୍ତଳା ସେମାନଙ୍କୁ କହିଲେ ‘‘ଦେଖ, ତୁମ୍ଭେମାନେ ମୋତେ ଏଠାରେ ଏକା କରି ଛାଡ଼ିଦେଇ କେବେହେଁ ଅନ୍ୟତ୍ର ଯାଇ ପାରିବ ନାହିଁ ।’’ ‘‘ସ୍ୱୟଂ ପୃଥିବୀନାଥ ଯାହାର ସମୀପରେ ଉପବିଷ୍ଟ, ସେ ପୁଣି ବର୍ତ୍ତମାନ ଅସହାୟ !’’ ଏହା କହି ସଖୀ ଦୁହେଁ ଚାଲିଗଲେ । ଏହା ଦେଖି ଶକୁନ୍ତଳା ଏକାନ୍ତ ଉଦ୍‌ବିଗ୍ନ ହୋଇ ଉଠିଲେ । ତେଣୁ ରାଜା କହିଲେ ‘‘ସୁନ୍ଦରି ! ଉଦ୍‌ବିଗ୍ନ ହେବା ଅନାବଶ୍ୟକ, ସଖୀ ଦୁହିଙ୍କ ସ୍ଥାନୀୟ ହୋଇ ମୁଁ ତୁମ୍ଭର ଶୁଶ୍ରୂଷା ପାଇଁ ଏଠାରେ ପ୍ରସ୍ତୁତ ଅଛି ।’’ ‘‘ମୁଁ ମାନନୀୟ ଲୋକଙ୍କ ନିକଟରେ ଆପଣାକୁ ଏପରି ଅପରାଧିନୀ କରିବି ନାହିଁ’’ ଏହା କହି ଶକୁନ୍ତଳା ଶଯ୍ୟାରୁ ଉଠି ପ୍ରସ୍ଥାନ କରିବାକୁ ଇଚ୍ଛା କରନ୍ତେ ରାଜା ହଠାତ୍ ସ୍ତବ୍ଧ ହୋଇ କହିଲେ, ‘‘ସୁନ୍ଦରି ! ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପ ଏ ପର୍ଯ୍ୟନ୍ତ ଊଣା ହୋଇ ନାହିଁ । ତୁମ୍ଭର ଶରୀରର ଅବସ୍ଥା ଏପରି । ସୁକୁମାର କୁସୁମଶଯ୍ୟା ପରିହାର କରି ତୁମ୍ଭେ ଏଥିରେ କିପରି ଯିବ ?’’ ଏହା କହି ରାଜା ବଳପୂର୍ବକ ତାଙ୍କୁ ନିବାରଣ କରନ୍ତେ ଶକୁନ୍ତଳା କହିଲେ, ‘‘ମହାରାଜ ! ଛାଡ଼ିଦିଅ । ମୋର ନିଜ ଉପରେ କିଛି କ୍ଷମତା ନାହିଁ, ବର୍ତ୍ତମାନ ସଖୀମାନେହିଁ ମୋର ଶରଣ, ମୁଁ କଅଣ କରିବି ?’’ ରାଜା ଲଜ୍ଜିତ ଓ ସଙ୍କୁଚିତ ହୋଇ ଶକୁନ୍ତଳାଙ୍କ ହସ୍ତ ତ୍ୟାଗ କଲେ ଏହା ଦେଖି ଶକୁନ୍ତଳା କହିଲେ, ‘‘ମହାରାଜ, ଲଜ୍ଜିତ ହେବାର କୌଣସି କାରଣ ନାହିଁ, ମୁଁ ଆପଣଙ୍କୁ କିଛି କହୁ ନାହିଁ, ଦୈବକୁ ନିନ୍ଦା କରୁଅଛି ।’’ ରାଜା କହିଲେ, ‘‘ଦୈବତ ସମ୍ପ୍ରତି ତୁମ୍ଭର ଅନୁକୂଳ ତାକୁ କାହିଁକି ତିରସ୍କାର କରୁଅଛ ?’’ ଶକୁନ୍ତଳା କହିଲେ, ‘‘ଶତବାର ଦୈବକୁ ନିନ୍ଦା କରିବି, ସେ କାହିଁକି ପରଗୁଣରେ ମୋହିତ କରି ମୋତେ ପରାଧୀନ କରୁଅଛି ?’’ ରାଜା ପୁନରପି ତାଙ୍କର ବତ୍ସାଞ୍ଚଳ ଧାରଣ କଲେ; ତହୁଁ ଶକୁନ୍ତଳା କହିଲେ, ‘‘ପୌରବ ! ରକ୍ଷା କର, ତପସ୍ୱୀମାନେ ଇତସ୍ତତଃ ଭ୍ରମଣ କରୁଅଛନ୍ତି ।’’ ରାଜା କହିଲେ, ‘‘ସୁନ୍ଦରି ! ଗୁରୁଜନମାନଙ୍କୁ ଭୟ କରିବାର ପ୍ରୟୋଜନ ନାହିଁ; ଭଗବାନ୍ କଣ୍ୱ ସମସ୍ତ ଆଚାରଧର୍ମ ଜାଣନ୍ତି । ଏ ବିଷୟ ଶୁଣିଲେ ସେ କେବେହେଁ ରୁଷ୍ଟ ବା ଅସନ୍ତୁଷ୍ଟ ହେବେ ନାହିଁ । ଶୁଣା ଯାଇଅଛି, ଶତ ଶତ ମୁନିକନ୍ୟା ଗାନ୍ଧର୍ବମତରେ ଆପଣାକୁ ସତ୍‍ପାତ୍ରସ୍ଥ କରିଅଛନ୍ତି ଏବଂ ପରେ ତାଙ୍କର ଗୁରୁଜନମାନେ ତାହା ଅନୁମୋଦନ କରିଅଛନ୍ତି ।’’

 

ଏହା କହୁ କହୁ ଶକୁନ୍ତଳାଙ୍କ ସଙ୍ଗେ ସଙ୍ଗେ ରାଜା କୁଞ୍ଜର ବହିର୍ଦ୍ଦେଶକୁ ଚାଲି ଆସିଲେ ଏବଂ ସହସା ସଙ୍କୁଚିତ ହୋଇ ବସ୍ତ୍ରାଞ୍ଚଳ ତ୍ୟାଗପୂର୍ବକ ପୁନର୍ବାର ଲତାକୁଞ୍ଜରେ ପ୍ରବେଶ କଲେ । ରାଜାଙ୍କୁ ପ୍ରତିନିବୃତ୍ତ ହେବା ଦେଖି ଶକୁନ୍ତଳା ଟିକିଏ ଫେରିପଡ଼ି କହିଲେ, ‘‘ମହାରାଜ, ସମ୍ଭାଷଣ ମାତ୍ର ପରିଚିତ ବ୍ୟକ୍ତିକୁ ଭୁଲିବେ ନାହିଁ ।’’ ଏହା ଶୁଣି ରାଜା କହିଲେ, ‘‘ସୁନ୍ଦରି ! ଦିବାବସାନକାଳରେ ବୃକ୍ଷର ଛାୟା କ୍ରମଶଃ ଦୂରବର୍ତ୍ତୀ ହେଉଥିଲେହେଁ ତାହା ଯେପରି ବୃକ୍ଷର ମୂଳଦେଶକୁ ଛାଡ଼ି ପାରେ ନାହିଁ, ସେହିପରି ତୁମ୍ଭେ ଦୂରକୁ ଗମନ କଲେହେଁ ମୋର ହୃଦୟର ଅନ୍ତର ହେଉ ନାହିଁ ।’’

 

ରାଜାଙ୍କର ଏହିପରି କରୁଣୋକ୍ତି ଶ୍ରବଣ କରି ଶକୁନ୍ତଳାଙ୍କର ଗୋଡ଼ ଆଉ ଆଗକୁ ପଡ଼ିଲା ନାହିଁ । ସେ ଆପଣାକୁ ଧିକ୍କାର କରି ଲତାନ୍ତରାଳରେ ଲୁଚିରହି ରାଜାଙ୍କର ଭାବାନୁବନ୍ଧ ଦେଖିବାକୁ ଲାଗିଲେ ।

 

ଶକୁନ୍ତଳା ପ୍ରକୃତରେ ଦୂରକୁ ଚାଲିଗଲେ ଜାଣି ରାଜା ଏକାନ୍ତ ତଦ୍ଗତଚିତ୍ତରେ ତନ୍ମୟ ହୋଇ ସେହି ଲତାଗୃହ ମଧ୍ୟରେ କହିବାକୁ ଲାଗିଲେ–‘‘ଅୟି ପ୍ରିୟେ ! ତୁମ୍ଭ ପ୍ରେମରେ ମୁଁ ଏକାନ୍ତ ଅନୁରାଗୀ । ମୋତେ ତ୍ୟାଗ କରି ତୁମ୍ଭେ ନିରପେକ୍ଷଭାବରେ ଚାଲିଗଲ ? ଆହା ତୁମ୍ଭର ଶିରୀଷପୁଷ୍ପସୁକୁମାର ଶରୀରରେ ହୃଦୟଟି କଠିନ ବୃନ୍ତ ପରି ସିନା ! ଆହା, ପ୍ରିୟାଙ୍କ ମଣିବନ୍ଧରୁ ସ୍ଫଳିତ ଉଶୀରପରିମଳମୟ ଏହି ମୃଣାଳବଳୟଟି ମୋ ହୃଦୟର ବନ୍ଧନଶୃଙ୍ଖଳ ପରି ଏ ସ୍ଥାନରେ ପଡ଼ିଅଛି ! ହେଉ ଏହାଦ୍ୱାରା ଚିତ୍ତବିନୋଦନ କରିବି ।’’ ଏହା କହି ସେ ବଳୟଟିକୁ ବକ୍ଷୋଦେଶରେ ସ୍ଥାପନ କଲେ ଏବଂ କରୁଣାର୍ଦ୍ର କଣ୍ଠରେ ପୁନର୍ବାର କହିବାକୁ ଲାଗିଲେ ‘‘ଅୟି ଶକୁନ୍ତଳେ ! ତୁମ୍ଭର ମନୋହର ଭୁଜରୁ ପରିଭ୍ରଷ୍ଟ ଏହି ଲୀଳାମୟ ଆଭରଣଟି ଅଚେତନ ହେଲେହେଁ, ଏହି ଦୁଃଖଭାଗୀକୁ ଆଶ୍ୱସ୍ତ କରୁଅଛି । ମାତ୍ର, ପ୍ରିୟେ ! ତୁମ୍ଭେ ତାହା କଲ ନାହିଁ ।’’

 

ରାଜାଙ୍କର କରୁଣାରସପ୍ଳୁତ ଏହି ସମସ୍ତ ଭାବ ଅବଲୋକନ କରି ଶକୁନ୍ତଳା ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ସେହି ମୃଣାଳବଳୟଟି ଗ୍ରହଣ କରିବା ଛଳରେ ପୁନର୍ବାର ସେ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ପିପାସାରେ କ୍ଷୀଣକଣ୍ଠ ଜଳାର୍ଥୀ ଚାତକମୁଖରେ ସଦ୍ୟଃ ନବମେଘୋଜ୍ଜିତ ବିମଳ ବାରିଧାରା ପତିତ ହେଲେ ସେ ଯେପରି ଆନନ୍ଦ ଅନୁଭବ କରେ, ରାଜା ବିଲାପାନନ୍ତର ତାଙ୍କର ଜୀବିତେଶ୍ୱରୀ ଶକୁନ୍ତଳାଙ୍କୁ ପାଇ ତତୋଽଧିକ ଆନନ୍ଦ ଅନୁଭବ କଲେ । ଶକୁନ୍ତଳା କହିଲେ, ‘‘ଅର୍ଯ୍ୟ ! ଅର୍ଦ୍ଧ ପଥରେ ସ୍ମରଣ ହେବାରୁ ମୁଁ ଏହି ମୃଣାଳବଳୟଟିକୁ ନେବାକୁ ଫେରି ଆସିଲି । ବିଳମ୍ବ ନ କରି ଶୀଘ୍ର ଫେରାଇଦିଅ । ’ ରାଜା ଉତ୍ତର କଲେ, ‘‘ଯେବେ ଯଥାସ୍ଥାନରେ ସନ୍ନିବେଶିତ କରିବାପାଇଁ ମୋତେ ଅନୁମତି ଦେବ, ତେବେ ତାହା ଫେରାଇଦେବି, ନଚେତ୍ ଦେବି ନାହିଁ ।’’ ଶକୁନ୍ତଳା ଅଗତ୍ୟା ଏଥିରେ ସମ୍ମତ ହେଲେ । ଅନନ୍ତର ରାଜା କହିଲେ, ‘‘ଆସ, ଦୁହେଁ ତେବେ ଏ ଶିଳାଖଣ୍ଡର ଏକପାର୍ଶ୍ୱରେ ଉପବେଶନ କରିବା ।’’ ରାଜା ଓ ଶକୁନ୍ତଳା ଶିଳାତଳରେ ଉପବେଶନ କରନ୍ତେ, ରାଜା ଶକୁନ୍ତଳାଙ୍କ ହସ୍ତଧାରଣପୂର୍ବକ କହିଲେ ‘‘ଆହା, କି ସୁଶୀତଳସ୍ପର୍ଶ ।’’ ଶକୁନ୍ତଳା ମଧ୍ୟ ରାଜାଙ୍କର କରର ସ୍ପର୍ଶସୁଖ ଅନୁଭବରେ ଏକାନ୍ତ ପୁଲକିତ ହୋଇ କହିଲେ, ‘‘ଆର୍ଯ୍ୟପୁତ୍ର, ସତ୍ୱର ହୁଅନ୍ତୁ ।’’ ଶକୁନ୍ତଳା ଆର୍ଯ୍ୟପୁତ୍ର ବୋଲି ସମ୍ବୋଧନ କରିବାରୁ ରାଜା ଅତି ଆନନ୍ଦରେ ମନେ ମନେ ଭାବିଲେ, ‘‘ବର୍ତ୍ତମାନ ମୁଁ ଏହାଙ୍କର ବିଶ୍ୱାସଭାଜନ ହେଲି, ସ୍ତ୍ରୀମାନେ ସ୍ୱାମୀଙ୍କୁହିଁ ଆର୍ଯ୍ୟପୁତ୍ର ବୋଲି ସମ୍ବୋଧନ କରନ୍ତି ।’’ ତତ୍ତ୍ୱରେ ରାଜା ପ୍ରକାଶ୍ୟଭାବରେ କହିଲେ, ‘‘ସୁନ୍ଦରି ! ଏହି ମୃଣାଳବଳୟର ସନ୍ଧସ୍ଥଳ ସଂଶ୍ଳିଷ୍ଟ ହୋଇ ନାହିଁ, ଯେବେ ତୁମ୍ଭେ ଅନୁମତି ଦେବ ତେବେ ଭଲକରି ସଂଘଟିତ କରି ଦେଇପାରିବି ।’’ ଏହା ଶୁଣି ଶକୁନ୍ତଳା ହସି ହସି କହିଲେ, ‘‘ତୁମ୍ଭର ଯେପରି ଅଭିରୁଚି, ସେପରି କର ।’’ ରାଜା ନାନାଛଳନାରେ ବିଳମ୍ବ କରି ବଳୟଟିକୁ ହାତରେ ପିନ୍ଧାଇ କହିଲେ, ‘ଅୟି ସୁନ୍ଦରି ! ଦେଖ ନବୀନ ଇନ୍ଦୁକଳା ଆକାଶଦେଶ ପରିତ୍ୟାଗ କରି ବିଶେଷ ଶୋଭାସମ୍ପାଦନ ନିମିତ୍ତ ତୁମ୍ଭର ଏହି କମନୀୟ ଭୁଜକୁ ଆଶ୍ରୟ କରି ମୃଣାଳବଳୟରୂପରେ କଣ୍ଡଳାକାର ଧାରଣପୂର୍ବକ ଉଭୟଦିଗରେ ସମ୍ମିଳିତ ହୋଇଅଛି । ’ ଶକୁନ୍ତଳା କହିଲେ, ‘ଆପଣଙ୍କର ସେହି ମୃଣାଳବଳୟରୂପ ଇନ୍ଦୁକଳା ମୋତେ ଆଉ ଦିଶୁ ନାହିଁ, ପବନକମ୍ପିତ କର୍ଣ୍ଣୋତ୍ତ୍ପଳ ରେଣୁଦ୍ୱାରା ମୋର ଚକ୍ଷୁ ଉପହତ ହୋଇଅଛି । ’ ରାଜା ହସି ହସି କହିଲେ, ‘ଯେବେ ଅନୁମତି ହୁଏ ତେବେ ମୁଁ ମୁଖମାରୁତଦ୍ୱାରା ଫୁତ୍‍କାର ଦେଇ ତାହାକୁ ପରିଷ୍କୃତ କରିଦେବି । ’ ଶକୁନ୍ତଳା କହିଲେ, ‘ତେବେ ଅନୁଗୃହୀତ ହୁଅନ୍ତି, ମାତ୍ର ତୁମ୍ଭଠାରେ ମୋର ବିଶ୍ୱାସ ହେଉ ନାହିଁ । ’ ରାଜା ଉତ୍ତର କଲେ, ’ସୁନ୍ଦରି ! ଅବିଶ୍ୱାସର କୌଣସି କାରଣ ନାହିଁ । ନୂତନ ଭୃତ୍ୟ ପ୍ରଭୁଙ୍କ ଇଚ୍ଛାବିରୋଧରେ କି କର୍ତ୍ତବ୍ୟାତିରିକ୍ତ କିଛି କରି ପାରେ ? ଏଥିରେ ଶକୁନ୍ତଳା କହିଲେ ‘ଏହି ଅତିରିକ୍ତ ସ୍ନେହହିଁ ଅବିଶ୍ୱାସର କାରଣ । ’

 

ଏହି ରମଣୀୟ ସେବାବସରକୁ ଶିଥିଳ କରିବା ଅନୁଚିତ ମନେ କରି ରାଜା ଶକୁନ୍ତଳାଙ୍କ ମୁଖକୁ ଉନ୍ନମିତ କରିବାରେ ପ୍ରବୃତ୍ତ ହୁଅନ୍ତେ ଶକୁନ୍ତଳା ସସ୍ମିତବଦନରେ ଟିକିଏ ଚାହିଁଦେଇ ବ୍ରୀଡ଼ାରେ ଅବନତମୁଖୀ ହୋଇ ରହିଲେ । ରାଜା ଏହା ଦେଖି ପୁନରପି ଅଙ୍ଗୁଳିଦ୍ୱାରା ମୁଖକୁ ଉନ୍ନମିତ କରି ନୟନରେ ଫୁତ୍‌କାର ଦେବାକୁ ଲାଗିଲେ । କିୟତ୍‌କ୍ଷଣ ପରେ ଶକୁନ୍ତଳା କହିଲେ, ‘‘ଆଉ ତୁମ୍ଭଙ୍କୁ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ମୋର ଚକ୍ଷୁ ପ୍ରକୃତିସ୍ଥ ହୋଇଅଛି, ମାତ୍ର ଉପକାରୀ ଆର୍ଯ୍ୟପୁତ୍ରଙ୍କର କୌଣସି ପ୍ରତ୍ୟୁପକାର କରି ନ ପାରି ଅତ୍ୟନ୍ତ ଲଜ୍ଜିତ ହେଉଅଛି ।’’ ଏହା ଶୁଣି ରାଜା କହିଲେ, ‘‘ସୁନ୍ଦରି ! ମୋର ଆଉ କି ପ୍ରିୟସାଧନ କରିବ ? ମୁଁ ଯେ ତୁମ୍ଭର ସୁରଭିମୁଖକମଳର ଆଘ୍ରାଣ ଲାଭ କରିଅଛି, ତାହା ମୋ ପରିଶ୍ରମର ଯଥେଷ୍ଟ ପୁରସ୍କାର । ମଧୁକର ପଦ୍ମର କେବଳ ଗନ୍ଧଦ୍ୱାରାହିଁ ସନ୍ତୁଷ୍ଟ ହୁଏ ।’’ ଶକୁନ୍ତଳା ଇଷଦ୍ଧାସ୍ୟସହକାରେ କହିଲେ, ‘‘ସନ୍ତୁଷ୍ଟ ନ ହୋଇ ବା କଣ କରିବ ?’’ ଏହିପରି ଉଭୟଙ୍କ ମଧ୍ୟରେ ପ୍ରଣୟପରିହାସ ହେଉଅଛି, ଇତ୍ୟବସରରେ ‘ଚକ୍ରବାକବଧୂ ! ରଜନୀ ଉପସ୍ଥିତ ହେଲା, ସତ୍ୱର ହୁଅ’ ଏହି କଥାଗୁଡ଼ିକ ଶକୁନ୍ତଳାଙ୍କ ଶ୍ରୁତିପଥାରୂଢ଼ ହେଲା । ଶକୁନ୍ତଳା ସଖୀମାନଙ୍କର ଏହି ସଙ୍କେତ ବୁଝି ପାରି ଏକାନ୍ତ ଶଙ୍କିତ ହୋଇ କହିଲେ, ‘ମହାରାଜ ! ପିତୃଷ୍ୱସା ଅର୍ଯ୍ୟା ଗୌତମୀ ମୋର ଶାରୀରିକ ପୀଡ଼ାର ସଂବାଦ ପାଇ ମୋତେ ଦେଖିବାକୁ ଆସୁଅଛନ୍ତି, ଆପଣ ସହର ବିଟପାନ୍ତରାଳରେ ଅନ୍ତର୍ହିତ ହୁଅନ୍ତୁ-।’ ଏହା ଶୁଣି ରାଜା ପୁନର୍ଦଶନ ନିମିତ୍ତ ଶକୁନ୍ତଳାଙ୍କୁ ଅନୁରୋଧ କରି ଲତାବିତାନାନ୍ତରାଳରେ ଅନ୍ତର୍ହିତ ହୋଇଗଲେ ।

 

କିୟତ୍‍କ୍ଷଣ ପରେ ଗୌତମୀ ଶାନ୍ତିଜଳପୂର୍ଣ୍ଣକମଣ୍ଡଳୁହସ୍ତରେ ସେଠାରେ ଉପସ୍ଥିତ ହୋଇ ଶକୁନ୍ତଳାଙ୍କୁ ପଚାରିଲେ, ‘ବତ୍ସେ ! ଶୁଣିଲି, ଆଜି ତୁମ୍ଭ ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇଥିଲା । ବର୍ତ୍ତମାନ କିପରି ଅଛ ? ଶକୁନ୍ତଳା ଉତ୍ତର କଲେ, ହଁ ମା ! ଆଜି ବଡ଼ କଷ୍ଟ ହେଉଥିଲା । ବର୍ତ୍ତମାନ ଟିକିଏ ଭଲ ଅଛି ।’ ଅନନ୍ତର ଗୌତମୀ କମଣ୍ଡରୁ ଶାନ୍ତି ଜଳ ଗ୍ରହଣ କରି ତାଙ୍କର ସର୍ବାବୟବରେ ସେଚନପୂର୍ବକ କହିଲେ, ‘ମା, ସୁସ୍ଥଶରୀରରେ ଦୀର୍ଘଜୀବନ ଲାଭ କର ।’ ସେତେବେଳ ଅନସୂୟା ଓ ପ୍ରିୟମ୍ବଦା କାହାରିକୁ ସେଠାରେ ଉପସ୍ଥିତ ନ ଦେଖି ଗୌତମୀ ଦୁଃଖିତ ହୁଅନ୍ତେ, ଶକୁନ୍ତଳା କହିଲେ, ‘ନା, ସେମାନେ ଏପର୍ଯ୍ୟନ୍ତ ମୋ ନିକଟରେ ଥିଲେ । ଏହିକ୍ଷଣି ମାଳିନୀକୁ ଜଳପାଇଁ ଯାଇଅଛନ୍ତି ।’ ଗୌତମୀ କହିଲେ, ‘ବର୍ତ୍ତମାନ ଅପରାହ୍ନ ହେଲାଣି, ଆଉ ରୌଦ୍ରତାପ ନାହିଁ, ଚାଲ ଆଶ୍ରମକୁ ଯିବା’ ଏହା କହି ଶକୁନ୍ତଳାଙ୍କୁ ସଙ୍ଗରେ ନେଇ ସେ ସେଠାରୁ ପ୍ରସ୍ଥାନ କଲେ । ଶକୁନ୍ତଳା ଘୋର ଦୁଃଖରେ ସେହି ସନ୍ତାପହାରୀ ଲତାମଣ୍ଡପ ତ୍ୟାଗ କରି ଅଗ୍ରସର ହେବାକୁ ଲାଗିଲେ । ସେମାନେ ଦୃଷ୍ଟିପଥରୁ ବହିର୍ଭୁତ ହୁଅନ୍ତେ ରାଜା ପୁନର୍ବାର ସେହି କୁଞ୍ଜରେ ପ୍ରବେଶ କରି ପ୍ରିୟାବିରହରେ ଅତ୍ୟନ୍ତ ମର୍ମଯାତନା ଅନୁଭବ କରିବାକୁ ଲାଗିଲେ ।

 

ତାଙ୍କର ପରିତ୍ୟକ୍ତ କୁସୁମଶଯ୍ୟା, ନଳିନୀଦଳବ୍ୟଜନ, ପଦ୍ମପତ୍ରପୃଷ୍ଠରେ ଲିଖିତ ହୋଇଥିବା ପ୍ରେମପତ୍ରୀ ଓ ମୃଣାଳବଳୟ ପ୍ରଭୃତି ବସ୍ତୁ ତାଙ୍କର ହୃଦୟର ଆବେଗ ପରିବର୍ଦ୍ଧିତ କଲା-। ସେ ନିତାନ୍ତ ଦୁର୍ମନାୟମାନ ହୋଇ କିୟତ୍‌କାଳ ଅତିବାହିତ କଲେ ।

 

ଇତ୍ୟବସରରେ ଦୂରରୁ ଶୁଣାଗଲା ଭୋ ଭୋ ରାଜନ୍, ସାୟଂକାଳୀନ ଯଜ୍ଞକ୍ରିୟା ଆରବ୍ଧ ହୁଅନ୍ତେ ରାକ୍ଷସମାନେ ତାହାର ବିଘ୍ନ ଉତ୍ତ୍ପାଦନ ନିମିତ୍ତ ପୁନର୍ବାର ବେଦିତ ଚତୁର୍ଦ୍ଦିଗରେ ସାୟଂତନ ମେଘବୃନ୍ଦ ପରି ଇତସ୍ତତଃ ପରିଭ୍ରମଣ କରୁଅଛନ୍ତି । ’ ତପସ୍ୱୀମାନଙ୍କ କରୁଣକଣ୍ଠୋତ୍ଥିତ ଏହି ସମସ୍ତ କଥା ଶ୍ରୁତିଗୋଚର ରାଜା ଉଦ୍ୟତାୟୁଧ ହୋଇ ରାକ୍ଷସନିଧନ କାମନାରେ ବହିର୍ଗତ ହେଲେ ।

Image

 

ଶକୁନ୍ତଳାଙ୍କ ସ୍ୱାମିଗୃହପ୍ରୟାଣ

 

ଅତଃପର ଅରିନ୍ଦମ ମହାରାଜ ଦୁଷ୍ମନ୍ତ କିୟତ୍‌କାଳ କଣ୍ୱାଶ୍ରମରେ ଅବସ୍ଥାନ କରି ତପସ୍ୱୀମାନଙ୍କୁ ବରାଭୟ ପ୍ରଦାନପୂର୍ବକ ନିରାପଦ କଲେ । ଲାବଣ୍ୟବୟୀ ଶକୁନ୍ତଳାଙ୍କ ସଙ୍ଗେ ଇତିମଧ୍ୟରେ ଗାନ୍ଧର୍ବବିଧାନରେ ତାଙ୍କର ପରିଣୟ ସମ୍ପାଦିତ ହୋଇଯାଇଥିଲା । ସେ ଋଷିମାନଙ୍କଠାରୁ ବିଦାୟ ନେଇ ସ୍ୱକୀୟ ରାଜଧାନୀକୁ ଫେରିଗଲେ । ଯିବା ସମୟରେ ଶକୁନ୍ତଳାଙ୍କ ହସ୍ତରେ ସ୍ୱୀୟ ଅଙ୍ଗୁରୀୟକଟି ପ୍ରଦାନ କରି କହିଗଲେ, ‘‘ପ୍ରିୟେ, ତ୍ରିକାଳଦର୍ଶୀ ତୁମ୍ଭର ପିତା ଅବଶ୍ୟ ଆମ୍ଭର ଏହି ପବିତ୍ର ପ୍ରଣୟ ଅନୁମୋଦନ କରିବେ । ମୁଁ ରାଜଧାନୀରେ ଉପସ୍ଥିତ ହେଲେ ତୁମ୍ଭଙ୍କୁ ସେଠାକୁ ନେବାର ଆୟୋଜନ କରିବି ।’’ ରାଜା ରାଜଧାନୀକୁ ଫେରିଯିବା ପରେ ଶକୁନ୍ତଳା ବିରହରେ ନିତାନ୍ତ ବ୍ୟାକୁଳ ହୋଇ ପଡ଼ିଲେ । ଏହିପରି କିୟଦ୍ଦିବସ ଅତିବାହିତ ହୋଇଗଲା । ଦିନେ ଶକୁନ୍ତଳା ଅତିଥିସତ୍କାରଭାର ଗ୍ରହଣ କରି ଏକାକିନୀ କୁଟୀରଦ୍ୱାରରେ ଉପବେଶନ କରିଅଛନ୍ତି । ଦୁଷ୍ମନ୍ତଗତଚିନ୍ତାରେ ସେ ଏକାନ୍ତ ଅନନ୍ୟମନା, ଏହି ସମୟରେ ସୁଲଭକୋପନ ମହର୍ଷି ଦୁର୍ବାସା ଅତିଥିରୂପେ କଣ୍ୱାଶ୍ରମରେ ଉପଗତ ହେଲେ । ଉଟଜପ୍ରାଙ୍ଗଣରେ ଦଣ୍ଡାୟମାନ ହୋଇ ସୁଦ୍ଧା ଶକୁନ୍ତଳାଙ୍କକର୍ତ୍ତୃକ ଅଭ୍ୟର୍ଥିତ ନ ହେବାରୁ ସେ କ୍ରୋଧରେ ଅଧୀର ହୋଇ କହିଲେ, ‘‘ପାପିଷ୍ଠେ ! ତୁ ଅନନ୍ୟମାନସ ହୋଇ ଯାହାକୁ ଚିନ୍ତା କରୁଥିବାରୁ ମୋର ଆତିଥ୍ୟରେ ତ୍ରୁଟି କରିଅଛୁ, ମଦ୍ୟାଦିପାନରେ ମତ୍ତ ହୋଇଥିବା ବ୍ୟକ୍ତି ଯେପରି ପୂର୍ବକୃତ ବିଷୟକୁ ପରେ ବହୁ ପ୍ରୟାସରେ ସୁଦ୍ଧା ସ୍ମରଣ କରି ପାରେ ନାହିଁ, ସେହିପରି ତୋର ସେହି ପ୍ରିୟବ୍ୟକ୍ତି ନାନାଭାବରେ ପ୍ରତିବୋଧିତ ହେଲେ ସୁଦ୍ଧା ତୋତେ କଦାପି ସ୍ମରଣ କରିବ ନାହିଁ ।’’ ଶକୁନ୍ତଳା ଏପରି ବାହ୍ୟଜ୍ଞାନଶୂନ୍ୟ ହୋଇ ପଡ଼ିଥିଲେ ଯେ ଦୁର୍ବାସାଙ୍କର ଅଭିଶାପ ତାଙ୍କର ଶ୍ରୁତିଗୋଚର ହେଲା ନାହିଁ-। ଅନତିଦୂରରେ ପ୍ରିୟମ୍ବଦା ଓ ଅନସୂୟା ଶକୁନ୍ତଳାଙ୍କର ସୌଭାଗ୍ୟଦେବତାଙ୍କୁ ପୂଜା କରିବାପାଇଁ ପୁଷ୍ପ ଚୟନ କରୁଥିଲେ । ହଠାତ୍ ଅଭିଶାପମୟୀ ସେହି ମନ୍ଦ୍ରବାଣୀପରମ୍ପରା ତାଙ୍କ କର୍ଣ୍ଣକୁହରରେ ପ୍ରବେଶ କରନ୍ତେ ସେମାନେ ଦେଖିଲେ ଯେ, ମହର୍ଷି ଦୁର୍ବାସା ଶୂନ୍ୟହୃଦୟା ଶକୁନ୍ତଳାଙ୍କୁ ଅଭିଶାପ ପ୍ରଦାନ କରି ଆଶ୍ରମରୁ ଦ୍ରୁତପଦରେ ପ୍ରତ୍ୟାବୃତ୍ତ ହେଉଅଛନ୍ତି । କିଂକର୍ତ୍ତବ୍ୟବିମୂଢ଼ ହୋଇ ସଖୀମାନେ ତାଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ତାଙ୍କର ଅନୁସରଣ କଲେ । ବହୁ ଅନୁନୟବିନୟରେ ସୁଦ୍ଧା ସେହି ମୂର୍ତ୍ତିମାନ୍ କୋପ ପ୍ରସନ୍ନ ନ ହେବାରୁ ସଖୀମାନେ ତାଙ୍କର ଚରଣତଳରେ ପତିତ ହୋଇ କହିଲେ, ‘ଭଗବନ୍, ଆମ୍ଭମାନଙ୍କର ପ୍ରିୟସଖୀ ଆପଣଙ୍କର କନ୍ୟାସ୍ଥାନୀୟା ଓ ଅନଭିଜ୍ଞା, ସେ ଆପଣଙ୍କ ତପଃପ୍ରଭାବ ଆଦୌ ଜାଣନ୍ତି ନାହିଁ । ଅତଏବ ତାହାଙ୍କର ଏହି ପ୍ରଥମ ଅପରାଧ ଆପଣଙ୍କୁ କ୍ଷମା କରିବାକୁ ହେବ ।’ ଏହା ଶୁଣି ଋଷିଙ୍କ ହୃଦୟରେ କିଞ୍ଚିତ୍ ଦୟାର ସଞ୍ଚାର ହେଲା । ସେ କହିଲେ, ‘‘ମୋର ବାକ୍ୟ କେବେହେ ଅନ୍ୟଥା ହେବ ନାହିଁ । ତେବେ ଯଦି ସେ କୌଣସି ଅଭିଜ୍ଞାନ ଦେଖାଇ ପାରିବେ, ତେବେ ତାଙ୍କର ଶାପ ମୋଚନ ହେବ ।’’ ଏହା କହି ଋଷି ଅନ୍ତର୍ହିତ ହୋଇଗଲେ । ରାଜା ଶକୁନ୍ତଳାଙ୍କ ନିକଟରୁ ବିଦାୟ ନେବାବେଳେ ତାଙ୍କ ଅଙ୍ଗୁଳିରେ ସ୍ୱୀୟ ନାମାଙ୍କିତ ଯେଉଁ ମୁଦ୍ରିକାଟି ପିନ୍ଧାଇ ଦେଇ ଯାଇଅଛନ୍ତି, ତଦ୍ଦ୍ୱାରା ଏହି ଶାପ ଦୂରୀଭୂତ ହେବ, ଏହା ଭାବି ସଖୀମାନେ ଯଥାକିଞ୍ଚିତ୍ ଆଶ୍ୱସ୍ତ ହେଲେ । ମହର୍ଷି ଦୁର୍ବାସାଙ୍କ କର୍ତ୍ତୃକ ଏପରି ଅଭିଶପ୍ତ ହେବା କଥା ଶକୁନ୍ତଳା ଆଦୌ ଜାଣି ପାରି ନ ଥିଲେ । ସେ ବାମହସ୍ତରେ ବଦନ ବିନ୍ୟାସପୂର୍ବକ ଚିତ୍ରାର୍ପିତ ପରି ତଦ୍‌ଗତହୃଦୟରେ ଚିନ୍ତାସାଗରରେ ପୂର୍ବବତ୍ ନିମଗ୍ନ ରହିଥିଲେ । ସଖୀମାନେ ତାଙ୍କର ଏହି ଅବସ୍ଥା ଦେଖି ତାଙ୍କ ନିକଟରେ ଏହି ଶାପ ବିଷୟ ପ୍ରକାଶ କରିବାକୁ ଇଚ୍ଛା କଲେ ନାହିଁ । ପ୍ରକୃତରେ ସୁକୋମଳ ନବମାଳିକାକୁ ଉଷ୍ଣୋଦକଦ୍ୱାରା ସେଚନ କରିବାକୁ କାହାର ଇଚ୍ଛା ହୁଏ ?

 

ବହୁ ତୀର୍ଥ ପର୍ଯ୍ୟଟନ କରି ଦୀର୍ଘପ୍ରବାସ ପରେ ଆଜି କୁଳପତି ମହର୍ଷି କଣ ଆଶ୍ରମକୁ ଫେରି ଆସିଅଛନ୍ତି । ଆଶ୍ରମବାସୀ ତପସ୍ୱିଶିଷ୍ୟସମୂହ ଆନନ୍ଦସାଗରେ ଭାସମାନ । ହୋମାରମ୍ଭର ଶୁଭ ଲଗ୍ନ ନିରୂପଣ କରିବା ପାଇଁ ବ୍ରାହ୍ମମୁହୂର୍ତ୍ତରେ ଗାତ୍ରୋତ୍ଥାନ କରି ଅନ୍ତେବାସିବର୍ଗ ପ୍ରକୃତିର ସୁଶୋଭନ ଦୃଶ୍ୟ ନିର୍ନିମେଷନୟନରେ ନିରୀଷଣ କରୁଅଛନ୍ତି । ଆହା ! ପୁଣ୍ୟାଶ୍ରମରେ ସେହି ପବିତ୍ର ପ୍ରତ୍ୟୁଷର କି ମନୋହାରିଣୀ ଶୋଭା ! ଗଗନର ଏକପ୍ରାନ୍ତରେ ଚନ୍ଦ୍ରମା ଅସ୍ତାଚଳଶିଖରାବଲମ୍ବୀ, ଅନ୍ୟ ଦିଗରେ ପୂର୍ବାକାଶକୁ ପ୍ରବାଳ-ପାଟଳ ରଶ୍ମି ଜାଲରେ ରଞ୍ଚିତ କରି ସୂର୍ଯ୍ୟ ଉଦୟୋନ୍ମୁଖ । ଏହି ତେଜୋଦ୍ୱୟର ଯୁଗପତ୍ ବ୍ୟସନ ଅଭ୍ୟୁଦୟ ଦେଖାଇ ବିଧାତା ସୁଖ-ଦୁଃଖାତ୍ମକ ସଂସାରକୁ ନିତ୍ୟ କି ମହାଶିକ୍ଷା ଦେଉଅଛନ୍ତି ! ! ପ୍ରଣୟୀର ପ୍ରବାସଜନିତ ଦୁଃଖରେ ପ୍ରିୟଜନ ମଳିନଭାବ ଅବଲମ୍ବନ କଲା ପରି ଚନ୍ଦ୍ରାସ୍ତ ସଙ୍ଗେ ସଙ୍ଗେ କୁମୁଦଗୁଡ଼ିକରେ ଶୋଭା ଆଉ ପ୍ରୀତିପ୍ରଦ ହେଉ ନାହିଁ । ପ୍ରାତଃସନ୍ଧ୍ୟାର ଅରୁଣକିରଣ ତୁଷାରମଣ୍ଡିତ ପରିପକ୍ୱ ବଦରୀଫଳ ଉପରେ ପତିତ ହୋଇ ତାହାକୁ ଅନିର୍ବଚନୀୟ ସୌନ୍ଦର୍ଯ୍ୟରେ ରଞ୍ଜିତ କରିଅଛି । ମୟୂରଗଣ ନିଦ୍ରା ତ୍ୟାଗ କରି କୁଟୀରର କୁଶମୟ ପଟଳଦଶରୁ ଅବତରଣ କରୁଅଛନ୍ତି, ହରିଣମାନେ ସ୍ୱକୀୟ ଖୁରକ୍ଷୁଣ୍ଣ ଯଜ୍ଞୀୟ ବେଦୀର ପ୍ରାନ୍ତଦେଶରୁ ଉତ୍ଥିତ ହୋଇ ଅଙ୍ଗପ୍ରତ୍ୟଙ୍ଗ ଅଗ୍ରପଶ୍ଚାତ୍ ପ୍ରସାରିତ କରି ଦଣ୍ଡାୟମାନ ହେଉଅଛନ୍ତି । ଯେଉଁ ଚନ୍ଦ୍ର ଅଭୁନ୍ନତ ସୁମେରୁ ଗିରିଶୃଙ୍ଗ ଉପରେ ପଦବିନ୍ୟାସପୂର୍ବକ ବିଷ୍ଣୁଙ୍କର ପରମଧାମ ଆକାଶମଣ୍ଡଳକୁ ଆକ୍ରମଣ କରିଥିଲେ, ବର୍ତ୍ତମାନ ସେ ମ୍ଳାନଭାବ ଧାରଣ କରି ଗଗନତଳରୁ ନିପତିତ ହେଉଅଛନ୍ତି । ପ୍ରକୃତରେ ଉନ୍ନତ ହେଲେହେଁ ଯେଉଁ ଲୋକ ମହାଜନ ମାନଙ୍କ ମସ୍ତକରେ ଆରୋହଣ କରନ୍ତି, ସେମାନଙ୍କର ଏ ଭଳି ଦଶା ହେବା ସ୍ୱାଭାବିକ । ଏହି ପବିତ୍ର ପ୍ରଭାତରେ ଅତନ୍ଦ୍ରିତ ମହର୍ଷି ଯଜ୍ଞାନୁଷ୍ଠାନରେ ବ୍ୟାପୃତ ହେବାପାଇଁ ଅଗ୍ନି-ଶାଳାରେ ପ୍ରବେଶ କଲେ । ଏହି ସମୟରେ ଅଶରୀରୀ ବାଣୀ ତାଙ୍କର ଶ୍ରୁତିଗୋଚର ହେଲା, ‘‘ମହର୍ଷେ !

 

ଶମୀତରୁ ଯଥା ଅଗ୍ନି ଧରେ ହୃଦେ, ତଥା ଭୁବନ ହିତରେ

ଦୁଷ୍ମନ୍ତନିହିତ ତେଜ ତବ କନ୍ୟା ଧରିଅଛନ୍ତି ଗର୍ଭରେ ।’’

 

ଏହା ଶୁଣି ମହର୍ଷିଙ୍କ ଅନ୍ତର ଆନନ୍ଦରେ ପୂର୍ଣ୍ଣ ହେଲା । ଯଜ୍ଞ ଶେଷରେ ସେ ଲଜ୍ଜାବନତମୁଖୀ ଶକୁନ୍ତଳାଙ୍କୁ ସସ୍ନେହରେ ଆଲିଙ୍ଗନ କରି କହିଲେ, ‘ବତ୍ସେ, ସଦବିଦ୍ୟା ସୁଶିଷ୍ୟକର୍ତ୍ତୃକ ପରିଗୃହୀତ ହେଲେ ଯେପରି ଆନନ୍ଦ ଜାତ ହୁଏ, ତୁମ୍ଭେ ସେହିପରି ମୋର ଆନନ୍ଦର କାରଣ ହୋଇଅଛ । ମୁଁ ଶୀଘ୍ର ତୁମ୍ଭଙ୍କୁ ଶିଷ୍ୟମାନଙ୍କ ସହିତ ସ୍ୱାମୀଙ୍କ ସମୀପକୁ ପ୍ରେରଣ କରିବି ।’

 

ଦୁଷ୍ମନ୍ତ ରାଜଧାନୀକୁ ପ୍ରତ୍ୟାବୃତ୍ତ ହେବା ପରେ ବହୁଦିବସ ଅତିବାହିତ ହୋଇ ଯାଇଥିଲା । ଏଥି ମଧ୍ୟରେ ତାଙ୍କଠାରୁ କୌଣସି ସମ୍ବାଦ ନ ପାଇ ଶକୁନ୍ତଳା ନିତାନ୍ତ ମ୍ରିୟମାଣ ଅବସ୍ଥାରେ କାଳଯାପନ କରୁଥିଲେ । ଅନସୂୟା ଓ ପ୍ରିୟମ୍ବଦା ମଧ୍ୟ ସଖୀଙ୍କ ଦୁଃଖରେ ଅତ୍ୟନ୍ତ ଦୁଃଖିତା ହୋଇ ରହିଥିଲେ । କିନ୍ତୁ ଦୁର୍ବାସାଙ୍କ ଅଭିଶାପ ସ୍ମରଣ କରି ସେ ରାଜାଙ୍କ ଉପରେ ଆଦୌ ଦୋଷାରୋପ କରି ପାରୁ ନ ଥିଲେ । ସୁନାମାଙ୍କିତ ମୁଦ୍ରିକା ଦର୍ଶନରେ ରାଜା ନିଶ୍ଚୟ ଶକୁନ୍ତଳାଙ୍କୁ ସ୍ମରଣ କରିବେ ଭାବି ସେମାନେ ମନେ ମନେ ଆଶ୍ୱସ୍ତ ଥିଲେ ଏବଂ ସେହି ମୁଦ୍ରିକାଟିକୁ ଗୋପନରେ ରାଜାଙ୍କ ନିକଟକୁ ପଠାଇବାପାଇଁ କଳ୍ପନା କରୁଥିଲେ ।

 

ଇତ୍ୟବସରରେ ମହର୍ଷି ସସବା ଶକୁନ୍ତଳାଙ୍କୁ ବିଦାୟ ଦେବା ନିମିତ୍ତ ଆୟୋଜନ କରିବାକୁ ଲାଗିଲେ । ପ୍ରିୟସଖୀ ଶକୁନ୍ତଳାଙ୍କର ସ୍ୱାମିଗୃହଯାତ୍ରା ସଂବାଦ ଶ୍ରବଣ କରି ଅନସୂୟା ଓ ପ୍ରିୟମ୍ବଦାଙ୍କର ହୃଦୟ ଯୁଗପତ୍ ହର୍ଷ ଓ ବିଷାଦରେ ପୂର୍ଣ୍ଣ ହେଲା । ଯାହା ହେଉ ଏହି ଘଟନାରେ ଶକୁନ୍ତଳା ସୁଖୀ ଦେବେ, ଏହା ଭାବି ସେମାନେ କୌଣସି ମତେ ଆଶ୍ୱସ୍ତ ହେଲେ ଏବଂ ତାଙ୍କ ନିକଟରେ ଉପସ୍ଥିତ ହୋଇ ଆଶ୍ରମସୁଲଭ ଅଳଙ୍କାରଦ୍ୱାରା ତାଙ୍କର ଅଙ୍ଗ ମଣ୍ଡନ କରିବାକୁ ଲାଗିଲେ-। ଏହି ସମୟରେ କେତେ ଜଣ ଶିଷ୍ୟ ଆଭରଣହସ୍ତରେ ଉପସ୍ଥିତ ହୋଇ କହିଲେ, ଭଗବାନ୍‌କଣ୍ୱଙ୍କ ନିର୍ଦେଶକ୍ରମେ ଆମ୍ଭେମାନେ ଶକୁନ୍ତଳାଙ୍କ ନିମିତ୍ତ ପୁଷ୍ପ ସଂଗ୍ରହ କରିବାପାଇଁ ବନସ୍ପତିମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲୁଁ । ସେମାନଙ୍କ ମଧ୍ୟରୁ କୌଣସି ତରୁ ମାଙ୍ଗଳିକ କର୍ମରେ ସୁପ୍ରଶସ୍ତ, ଚନ୍ଦ୍ରବିମ୍ବସଦୃଶ ପାଣ୍ଡୁ ଏହି ସୂକ୍ଷ୍ମ ପଟ୍ଟବସ୍ତ୍ର, କେହି ଏହି ଚରଣରଞ୍ଜନଯୋଗ୍ୟ ଲାକ୍ଷାରସ, କେହି ବା ଏହି ସମସ୍ତ ସୁଶୋଭନ ଆଭରଣସମୂହ ପ୍ରଦାନ କରିଅଛନ୍ତି । ମହର୍ଷି କଣ୍ୱଙ୍କର ତପଃ ପ୍ରଭାବଲବ୍ଧ ଏହି ସମସ୍ତ ଆଭରଣ ସନ୍ଦର୍ଶନ କରି ଆଶ୍ରମବାସୀମାନେ ବିସ୍ମୟାପନ୍ନ ହୋଇଗଲେ-। ମୁନିକନ୍ୟାମାନେ ଏହି ଅଳଂକାରନିବହ ସାହାଯ୍ୟରେ ଶକୁନ୍ତଳାଙ୍କରେ ସ୍ୱଭାବସୁନ୍ଦର ଅଙ୍ଗଲତିକାକୁ ମଣ୍ଡନ କରିବାକୁ ଲାଗିଲେ । ଏଣେ ମହର୍ଷିଙ୍କ ନିଦେଶକ୍ରମେ ପ୍ରିୟଶିଷ୍ୟ ଶାର୍ଙ୍ଗରବ ଓ ଶାରଦ୍ୱତ ଶକୁନ୍ତଳାଙ୍କର ସଙ୍ଗେ ହସ୍ତିନାପୁରକୁ ଯିବାପାଇଁ ସଜ୍ଜିତ ହେଲେ । ସେହି ପବିତ୍ର ଆଶ୍ରମରୁ ଓ ପ୍ରିୟସଖୀଜନଙ୍କଠାରୁ ଶୀଘ୍ର ବିଦାୟ ନେଇ ଯିବାକୁ ହେବ, ଏହା ଭାବିଲାକ୍ଷଣି ଶକୁନ୍ତଳାଙ୍କ ଚକ୍ଷୁରୁ ଅବିରଳ ଅଶ୍ରୁଧାରା ପ୍ରବାହିତ ହେବାକୁ ଲାଗିଲା । କରୁଣାଦ୍ରି ଚେତା ଆଶ୍ରମବାସୀଙ୍କ କଥା ବା କଣ କହିବା, ଶକୁନ୍ତଳାଙ୍କର ସେହି ଭାବ ଅବଲୋକନ କରି ଯେପରି ସେହି ଆଶ୍ରମରେ ପଶୁ, ପକ୍ଷୀ, ତରୁ, ଲତା ସମସ୍ତେ ବିଷଣ୍ଣବଦନରେ ମୂର୍ତ୍ତିମତୀ କରୁଣାରୂପିଣୀ ସେହି ମୁନିକନ୍ୟାଙ୍କର ବିରହଯାତନା ହୃଦୟର ଅଭ୍ୟନ୍ତର ପ୍ରଦେଶରେ ଅନୁଭବ କରିବାକୁ ଲାଗିଲେ । ମୁହୂର୍ତ୍ତକ ମଧ୍ୟରେ ବିଷାଦର ତାମସୀଛାୟା ସେହି ଆନନ୍ଦମୟ ମୁନି ଆଶ୍ରମକୁ ମଳିନ କରିଦେଲା । ଅନସୂୟା, ପ୍ରିୟମ୍ବଦା ଓ ବୃଦ୍ଧା ଗୌତମୀଙ୍କର ଶୋକସିନ୍ଧ, ଉଦବେଳ ହୋଇ ଉଠିଲା । ସେମାନେ ବହୁକଷ୍ଟରେ ଶୋକାବେଗ ସଂଯତ କରି ଏପରି ମଙ୍ଗଳ ସମୟରେ କାନ୍ଦିବା ଅନୁଚିତ ବୋଲି ଶକୁନ୍ତଳାଙ୍କୁ ତହିଁରୁ ନିବୃତ୍ତ କଲେ ।

 

ମାଳିନୀର ପୁଣ୍ୟ ସଲିଳରେ ସ୍ନାନ ସମାପନ କରି ଇତ୍ୟବସରରେ ମହର୍ଷି କର୍ଣ୍ଣ ଆଶ୍ରମରେ ଉପସ୍ଥିତ ହେଲେ । ସ୍ନେହଲାଳିତା ଶକୁନ୍ତଳାଙ୍କୁ ବିଦାୟ ଦେବାକୁ ହେବ, ଏହା ଭାବିଲାକ୍ଷଣି ସେହି ଆଜନ୍ମବ୍ରହ୍ମଚାରୀ ସଂସାରବିରାଗୀ ମହର୍ଷିଙ୍କର ହୃଦୟ ମଧ୍ୟ ଅଭିନବ କାରୁଣ୍ୟରସରେ ଆପ୍ଳୁତ ହୋଇଗଲା । ସେ ବାଷ୍ପଗଦ୍‌ଗଦ୍‌କଣ୍ଠରେ ଚତୁର୍ଦ୍ଦିଗ ନିରୀକ୍ଷଣ କରି କହିଲେ, ‘‘ଆଜି ଶକୁନ୍ତଳା ପତିଗୃହକୁ ଗମନ କରିବ, ଏଥିପାଇଁ ମୋ ହୃଦୟ ବ୍ୟାକୁଳ ହୋଇ ଉଠୁଅଛି । ଅନ୍ତର୍ଗତ ବାଷ୍ପଭରରେ ବାକ୍‌ସ୍ପୂର୍ତ୍ତି ହେଉ ନାହିଁ । ଚିନ୍ତାରେ ନେତ୍ର ଜଡ଼ୀଭୂତ ହୋଇ ଯାଉଅଛି । ମୁଁ ବନବାସୀ ତପସ୍ୱୀ, ସ୍ନେହବଶତଃ ମୋ ହୃଦୟରେ ତ ଏପରି ବିକଳତା ଜାତ ହେଉଅଛି, ଗୃହୀମାନେ ଆହା କନ୍ୟାବିୟୋଗଦୁଃଖରେ କି କଷ୍ଟ ଭୋଗ କରୁ ନ ଥିବେ !!!’’

 

ଅନନ୍ତର ଶକୁନ୍ତଳା ନବଦୁକୂଳ ପରିଧାନ କରି ପିତାଙ୍କ ଚରଣବନ୍ଦନା କଲେ । ‘ଚକ୍ରବର୍ତ୍ତୀଲକ୍ଷଣସଂପନ୍ନ ପୁତ୍ର ଲାଭ କର’ ଏହି ଆଶୀର୍ବାଦ କରି ମହର୍ଷି କଣ୍ୱ ଶକୁନ୍ତଳାଙ୍କୁ ସନ୍ଦୀପ୍ତ ଯଜ୍ଞୀୟ ଅଗ୍ନିକୁ ପ୍ରଦକ୍ଷିଣ କରିବାକୁ କହିଲେ । ଶକୁନ୍ତଳା ଅଗ୍ନି ପ୍ରଦକ୍ଷିଣ କରିସାରି ଶାର୍ଙ୍ଗରବ ଓ ଶାରଦ୍ୱତଙ୍କ ସଙ୍ଗେ ଆଶ୍ରମରୁ ବହିର୍ଗତ ହେବାର ଉପକ୍ରମ କଲେ । ମହର୍ଷି କଣ୍ୱ ପୁନର୍ବାର ଶୋକାକୁଳକଣ୍ଠରେ ତପୋବନତରୁବୃନ୍ଦଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ଦେବାଧିଷ୍ଠିତ ତରୁଗଣ-! ତୁମ୍ଭମାନଙ୍କୁ ଜଳସିକ୍ତ ନ କରି ଯେ ସ୍ୱୟଂ ଜଳସ୍ପର୍ଶ କରୁ ନ ଥିଲା, ଭୂଷଣପ୍ରିୟା ହେଲେହେଁ ଯେ ସ୍ନେହବଶତଃ ତୁମ୍ଭମାନଙ୍କ ଶାଖାରୁ ଗୋଟିଏ ସୁଦ୍ଧା ପଲ୍ଲବ ଛିନ୍ନ କରୁ ନ ଥିଲା ଏବଂ ତୁମ୍ଭମାନଙ୍କର କୁସମୋଦ୍ଗମକାଳରେ ଯାହାର ମନ ଆନନ୍ଦରେ ନୃତ୍ୟ କରି ଉଠୁଥିଲା, ସେହି ଶକୁନ୍ତଳା ଆଜି ତୁମ୍ଭମାନଙ୍କୁ ଚିରଦିନ ସକାଶେ ତ୍ୟାଗ କରି ପତିଗୃହକୁ ଗମନ କରୁଅଛି । ଦୟାର୍ଦ୍ର ଅନ୍ତଃକରଣରେ ଅନୁମତି ଦିଅ ।’’ ଇତ୍ୟବସରରେ କୋକିଳର ସୁମଧୁର ଧ୍ୱନିଶ୍ରୁତିଗୋଚର ହେବାରୁ ବୋଧ ହେଲା, ଯେପରି ବନଦେବତାମାନେ କୋକିଳ-କଣ୍ଠରେ ଶକୁନ୍ତଳାଙ୍କର ଗମନ ନିମିତ୍ତ ଅନୁମତି ପ୍ରଦାନ କଲେ । ଶକୁନ୍ତଳା ଆଶ୍ରମର ତରୁଲତା ପଶୁପକ୍ଷୀ ସମସ୍ତଙ୍କଠାରୁ ବିଦାୟ ନେଇ ଯେତେବେଳେ ପ୍ରିୟ ସହଚରୀ ପ୍ରିୟମ୍ବଦା ଓ ଅନସୂୟାଙ୍କର ସମୀପବର୍ତ୍ତିନୀ ହେଲେ, ସେତେବେଳେ ତାଙ୍କର ଶୋକସିନ୍ଧୁ ଉଛୁଳି ପଡ଼ିଲା । ତାହାଙ୍କର କରୁଣ କ୍ରନ୍ଦନ ଧ୍ୱନିରେ ତପୋବନ ନିନାଦିତ ହୋଇ ଉଠିଲା । ମୃଗମୃଗୀ ତୃଣକବଳ ତ୍ୟାଗ କରି ଉଦଗ୍ରୀବ ହୋଇ ଅନାଇ ରହିଲେ । ତରୁବୃନ୍ଦ ପତ୍ରକୁସୁମ ନିକ୍ଷେପଛଳରେ ଅଶ୍ରୁବିସର୍ଜ୍ଜନ କରିବାକୁ ଲାଗିଲେ । ବହୁକଷ୍ଟରେ ମହର୍ଷି ଶକୁନ୍ତଳାଙ୍କୁ ଆଶ୍ୱସ୍ତ କରି କ୍ରମେ ଅଗ୍ରସର ହେଲେ । ଏହି ସମୟରେ ଗୋଟିଏ ହରିଣଶିଶୁପଶ୍ଚାଦ୍ଦେଶରେ ଶକୁନ୍ତଳାଙ୍କ ବସନପ୍ରାନ୍ତଦେଶ ଆକର୍ଷଣ କରିବାରୁ ଏହିଟି କିଏ ବୋଲି ଶକୁନ୍ତଳା ମୁଖ ପ୍ରତ୍ୟାବର୍ତ୍ତନ କରି ପଛକୁ ଚାହିଁଲେ । ମହର୍ଷି କହିଲେ, ‘‘ବତ୍ସେ ! କୁଶାଗ୍ରଦ୍ୱାରା ଯାହା ମୁଖରେ କ୍ଷତ ହୋଇଥିବାରୁ ବ୍ରଣନାଶକ ଇଙ୍ଗୁଦୀ ତୈଳ ପ୍ରୟୋଗ କରି ତୁମ୍ଭେ ଯାହାକୁ ସୁସ୍ଥ କରିଥିଲ ଓ ଯେ ତୁମ୍ଭ ଦତ୍ତ ନୀବାରଧାନ୍ୟର ତଣ୍ଡୁଳକଣଦ୍ୱାରା ପରିବର୍ଦ୍ଧିତ ହୋଇଅଛି, ପୁତ୍ରସ୍ଥାନୀୟ ସେହି ମାତୃହୀନ ମୃଗ ଶାବକଟି ତୁମ୍ଭର ଗତିରୋଧ କରୁଅଛି ।’’ ଶକୁନ୍ତଳା ମୃଗଶିଶୁଟିକୁ ଆଲିଙ୍ଗନ କରି କହିଲେ, ‘‘ବତ୍ସ ! ତୋ ସଙ୍ଗ ଛାଡ଼ି ଚାଲି ଯାଉଅଛି ବୋଲି କଣ ମୋର ଅନୁସରଣ କରୁଅଛୁ ? ଜନ୍ମ ପରେ ତୋର ମା ମରିଯିବାରୁ ମୁଁ ତୋତେ ବଢ଼ାଇଥିଲି, ବର୍ତ୍ତମାନ ମୁଁ ଏଠାରୁ ଚାଲିଯାଉଅଛି; ଆଜିଠାରୁ ମୋ ପିତାଙ୍କୁ ତୋ ଚିନ୍ତା ଲାଗିଲା । ଏହିଠାରୁ ଫେରି ଯା ।’’ ଏହା କହି ଶକୁନ୍ତଳା କାନ୍ଦି କାନ୍ଦି ଅଗ୍ରସର ହେଲେ । ଅନନ୍ତର ସେହି ହସ୍ତି ନାଯାତ୍ରିଦଳ ବଟବୃକ୍ଷର ଛାୟାରେ କ୍ଷଣକାଳ ବିଶ୍ରାମ କଲେ । ମହର୍ଷି କଣ୍ୱ ଚିନ୍ତା କରି କହିଲେ, ‘‘ବତ୍ସ ! ଶାର୍ଙ୍ଗରବ, ମୋର ବାକ୍ୟାନୁସାରେ ଶକୁନ୍ତଳାଙ୍କୁ ଅଗ୍ରବର୍ତ୍ତିନୀ କରି ସେ ରାଜାଙ୍କୁ କହିବ, ତପସ୍ୟାହିଁ ଆମ୍ଭମାନଙ୍କର ଧନ; ଆପଣ ଉଚ୍ଚବଂଶରେ ସମ୍ଭୂତ; ଆଉ ଏହି ଶକୁନ୍ତଳା ବନ୍ଧୁମାନଙ୍କ ଅନୁମତିକୁ ଅପେକ୍ଷା ନ କରି ଆପଣଙ୍କ ପ୍ରତି ପ୍ରଣୟପ୍ରବୃତ୍ତି ପ୍ରକାଶ କରିଅଛି-। ଏହି ସମସ୍ତ ବିବେଚନା କରି ସ୍ତ୍ରୀମାନଙ୍କ ମଧ୍ୟରେ ଏହାଙ୍କୁ କଳତ୍ରବର୍ଗ ସାଧାରଣଦୃଷ୍ଟିରେ ଦେଖିବେ । ଏହା ଅପେକ୍ଷା ଅଧିକ ସମ୍ମାନ ଲାଭ ଭାଗ୍ୟାଧୀନ । ସ୍ତ୍ରୀବନ୍ଧୁ ବର୍ଗ ତାହା ଆଉ ପ୍ରାର୍ଥନା କରନ୍ତି ନାହିଁ ।’’ ଅନନ୍ତର ମହର୍ଷି ଶକୁନ୍ତଳାଙ୍କୁ ଲକ୍ଷ୍ୟ କରି କହିଲେ, ‘‘ମା, ଆମ୍ଭେମାନେ ଅରଣ୍ୟବାସୀ ସତ୍ୟ, ମାତ୍ର ଲୌକିକ ବ୍ୟବହାରରେ ଏକାନ୍ତ ଅନଭିଜ୍ଞ ନୋହୁ, ସ୍ୱାମିଗୃହରେ ଉପସ୍ଥିତ ହୋଇ ପ୍ରାଣପଣରେ ଗୁରୁଜନମାନଙ୍କର ସେବା ଶୁଶ୍ରୂଷା କରିବ ଏବଂ ସପତ୍ନୀମାନଙ୍କ ସଙ୍ଗେ ପ୍ରିୟସଖୀ ପରି ଆଚରଣ କରିବ । ସ୍ୱାମୀ ବିରକ୍ତି ପ୍ରକାଶ କଲେ, ରୁଷ୍ଟ ହୋଇ ତାଙ୍କର ପ୍ରତିକୂଳାଚାରିଣୀ ହେବ ନାହିଁ । ଭୋଗବିଳାସାଦିରେ ଆସକ୍ତ ନ ହୋଇ ପରିଜନମାନଙ୍କୁ ସଦୟ ବ୍ୟବହାରରେ ସନ୍ତୁଷ୍ଟ ରଖିବ, ଏପରି କଲେ ସ୍ତ୍ରୀମାନେ ଗୃହିଣୀପଦବାଚ୍ୟ ହୁଅନ୍ତି । ଯେଉଁମାନେ ଏହାର ଅନ୍ୟଥାଚରଣ କରନ୍ତି, ସେମାନେ କୁଳର ମନଃଶୂଳ ହୋଇଥାନ୍ତି । ଅତଏବ ବତ୍ସେ, ଆମ୍ଭେମାନେ ଏହିଠାରୁ ପ୍ରତିନିବୃତ୍ତ ହେବୁଁ । ମୋତେ ଏବଂ ସଖୀମାନଙ୍କୁ ଆଲିଙ୍ଗନ କର-।’’ ଶକୁନ୍ତଳା କହିଲେ, ‘‘ପିତଃ ! ସଖୀମାନେ କଣ ଏହିଠାରୁ ଫେରି ଯିବେ ?’’ ମହର୍ଷି କହିଲେ, ‘‘ମା, ଏମାନେ ମଧ୍ୟ ବିବାହଯୋଗ୍ୟା ହୋଇଅଛନ୍ତି, ଏମାନଙ୍କର ସେଠାକୁ ଯିବା ଉଚିତ ନୁହେଁ-। ଗୌତମୀ ତୁମ୍ଭ ସଙ୍ଗରେ ଯିବ ।’’ ଶକୁନ୍ତଳା ସାଶ୍ରୂ ନେତ୍ରରେ ପିତାଙ୍କ ଚରଣବନ୍ଦନା କରନ୍ତେ ମହର୍ଷି ପୁନର୍ବାର କହିଲେ, ‘‘ଯାଅ, ମା କାତର ହୁଅ ନାହିଁ । ମହାକୁଳସଂପନ୍ନ ସ୍ୱାମୀଙ୍କର ଗୃହିଣୀପଦରେ ପ୍ରଶଂସନୀୟଭାବରେ ପ୍ରତିଷ୍ଠିତ ରହି ନିରନ୍ତର ବିଷୟବ୍ୟାପାରରେ ଅଭିନିବିଷ୍ଟ ହୁଅ । ପୂର୍ବଦିଗ ଯେପରି ସବିତାଙ୍କୁ ପ୍ରସବ କରେ, ସେହିପରି କୂଳପାବନ ତେଜସ୍ୱୀ ପୁତ୍ର ପ୍ରସବ କରି ମୋର ବିରହଜନିତଦୁଃଖ ଅବଶ୍ୟ ଚାଲିଯିବ ।’’ ତତ୍ତ୍ୱରେ ଶକୁନ୍ତଳା ସଖୀଦୁହିଙ୍କ ସମୀପକୁ ଗମନ କରି କହିଲେ, ‘‘ତୁମ୍ଭେ ଦୁହେଁ ଥରେ ଏକାବେଳକେ ମୋତେ ଆଲିଙ୍ଗନ କର, ସଖି, ଏହା କଣ ଶେଷ ଆଲିଙ୍ଗନ ?’’ ସେ ଦୁହେଁ ଆଲିଙ୍ଗନ କରି କହିଲେ, ‘‘ସଖି ଯେବେ ସେ ରାଜର୍ଷି ତୁମ୍ଭଙ୍କୁ ହଠାତ୍ ଚିହ୍ନି ନ ପାରନ୍ତି ତେବେ ତାହାଙ୍କର ନାମାଙ୍କିତ ଏହି ମୁଦ୍ରିକାଟି ତାଙ୍କୁ ଦେଖାଇବ ।’’ ଶକୁନ୍ତଳା ଏହି କଥା ଶୁଣି କହିଲେ, ‘‘ତୁମ୍ଭର ଏହି ଉପଦେଶରେ ମୋ ହୃଦୟ କମ୍ପି ଉଠୁଅଛି ।’’ ଏହାର ଉତ୍ତରରେ ମୁଖୀମାନେ ପୁନର୍ବାର କହିଲେ, ‘‘ନା, ଭୟରେ କୌଣସି କାରଣ ନାହିଁ । ସ୍ନେହହିଁ ଏପରି ଅନିଷ୍ଟାଶଙ୍କାର କାରଣ ।’’

 

ମଧ୍ୟାହ୍ନ ଅତିକ୍ରାନ୍ତ ହେବାର ଦେଖି ଶିଷ୍ୟମାନେ ଉତ୍‌କଣ୍ଠିତ ହୋଇ ଉଠିଲେ । ଶକୁନ୍ତଳା ଆଶ୍ରମଆଡ଼କୁ ସତୃଷ୍ଣ ଦୃଷ୍ଟି ନିକ୍ଷେପ କରି କହିଲେ, ‘‘ପିତଃ ଆଉ କେବେ ଏହି ପ୍ରିୟ ଆଶ୍ରମ ମୁଁ ଦେଖିବି ?’’ ମହର୍ଷି କହିଲେ, ‘‘ବତ୍ସେ, ବହୁକାଳ ଏହି ସସାଗରା ଧରିତ୍ରୀର ସପତ୍ନୀ ହୋଇ ମହାଧନୁର୍ଦ୍ଧର ପୁତ୍ରହସ୍ତରେ ରାଜ୍ୟଭାର ସମର୍ପଣପୂର୍ବକ ପୁନର୍ବାର ସ୍ୱାମୀଙ୍କ ସହିତ ତୁମ୍ଭେ ଏହି ଶାନ୍ତିନିକେତନ ଆଶ୍ରମକୁ ମୋକ୍ଷାଭିଳାଷରେ ମଣ୍ଡନ କରିବ । ବର୍ତ୍ତମାନ ତପସ୍ୟାନୁଷ୍ଠାନର ସମୟ ଉପସ୍ଥିତ ହେଲା, ଯାଅ, ତୁମ୍ଭର ପନ୍ଥା ମଙ୍ଗଳମୟ ହେଉ ।’’

 

ଶାର୍ଙ୍ଗରବ, ଶାରହତ, ଶକୁନ୍ତଳା ଓ ଗୌତମୀ ହସ୍ତିନାପୁର ଅଭିମୁଖରେ ଗମନ କଲେ; ଆଶ୍ରମବାସୀମାନେ ବହୁକଷ୍ଟରେ ଶୋକାବେଗ ସମ୍ବରଣ କରି ଆଶ୍ରମକୁ ଫେରି ଆସିଲେ । ଶକୁନ୍ତଳାଶୂନ୍ୟ ଆଶ୍ରମରେ ପ୍ରବେଶ କରି ମହର୍ଷି ଭାବିଲେ, ଏହା ସ୍ନେହପ୍ରବୃତ୍ତିର କାର୍ଯ୍ୟ, କନ୍ୟା ପରକୀୟ ଗଚ୍ଛିତ ଧନସ୍ୱରୂପ; ସେହି ଧନ ଧନସ୍ୱାମୀଙ୍କୁ ପ୍ରତ୍ୟର୍ପଣ କଲେ ଯେପରି ବିମଳ ଆନନ୍ଦ ଲାଭ ହୁଏ, ଆଜି ଶକୁନ୍ତଳାଙ୍କ ପତିଗୃହକୁ ପଠାଇ ମୋର ଅନ୍ତରାତ୍ମା ସେହିପରି ସ୍ୱାସ୍ଥ୍ୟ ଲାଭ କରିଅଛି ।

Image

 

ଶକୁନ୍ତଳା ପ୍ରତ୍ୟାଖ୍ୟାନ

 

କଣ୍ୱାଶ୍ରମରୁ ପ୍ରତ୍ୟାବୃତ୍ତ ହେବା ପରେ ମହାରାଜ ଦୁଷ୍ମନ୍ତ ପୂର୍ବବତ୍‌ସ୍ୱକୀୟ ରାଜକାର୍ଯ୍ୟପରିଚାଳନାରେ ନିରନ୍ତର ବ୍ୟାପୃତ ହେଲେ । ପ୍ରଜାରଞ୍ଜନହିଁ ରାଜାଙ୍କର ମୁଖ୍ୟ ଧର୍ମ, ଏହି ବିବେଚନାରେ ସେ ନିଜ ସୁଖସ୍ୱାଚ୍ଛନ୍ଦ୍ୟପ୍ରତି ଆଦୌ ଦୃଷ୍ଟି ଦେଉ ନ ଥିଲେ । ପାଦପ ଯେପରି ସ୍ୱମସ୍ତକରେ ତୀବ୍ର ରବିରଶ୍ମି ଗ୍ରହଣ କରି ଆଶ୍ରିତମାନଙ୍କର ସନ୍ତାପ ଅପନୋଦନ କରେ, ମହାରାଜ ଦୁଷ୍ମନ୍ତ ସେହିପରି ଆତ୍ମସୁଖରେ ଏକାନ୍ତ ନିଷ୍ପୃହ ହୋଇ ପ୍ରକୃତି ସମୂହର ସୁଖବୃଦ୍ଧି କାମନାରେ ସ୍ୱକୀୟ ସମଗ୍ର ଶକ୍ତି ବିନିଯୋଗ କରିଥିଲେ । ନିରନ୍ତର କାର୍ଯ୍ୟବ୍ୟାପୃତ ଏବଂ ଦୁର୍ବାସାଙ୍କର ଅଭିଶାପ ତାଙ୍କ ସ୍ମୃତିପଟରୁ ଶକୁନ୍ତଳାଗତ ତାବତୀୟ ସ୍ନେହ ଏକାବେଳକେ ନିଭାଇ ଦେଇଥିଲା ।

 

ଏକଦା ମହାରାଜ ରାଜକାର୍ଯ୍ୟପର୍ଯ୍ୟଲୋଚନାନନ୍ତର ବିଶ୍ରାମଗୃହରେ ଉପବେଶନ କରି ପ୍ରିୟ ବୟସ୍ୟ ମାଧବ୍ୟଙ୍କ ସହ ବିଶ୍ରମାଳାପ କରୁଅଛନ୍ତି, ଅଦୂରରେ ସଂଗୀତଶାଳାରେ ହଂସପଦିକାନାମ୍ନୀ ଅନୁଚରୀ ବୀଣାବାଦନ ସହ ସୁମଧୁର କଣ୍ଠରେ ବିପ୍ରଲମ୍ଭାତ୍ମକ ସଂଗୀତ ଗାନ କଲା । ରାଜା ସେହି ଅଭିନବରସଭାବାଶ୍ରିତ ଗୀତିକା ଶ୍ରବଣ କରି ସହସା ଏକାନ୍ତ ଉନ୍ନନା ହୋଇ ପଡ଼ିଲେ । ନାନାଭାବରେ ସ୍ମୃତିକୁ ଉଦ୍‌ବୋଧିତ କଲେହେଁ ସେ ଏହି ଉନ୍ନନସ୍କତାର କୌଣସି କାରଣ ନିରୂପଣ କରି ପାରିଲେ ନାହିଁ । ସେ ଏହିପରି ବ୍ୟାକୁଳହୃଦୟରେ ଅବସ୍ଥାନ କରୁଅଛନ୍ତି ଇତ୍ୟବସରରେ କଞ୍ଚୁକୀ ନିବେଦନ କଲା, ‘‘ମହାରାଜ ! ହିମଗିରିଉପତ୍ୟକାନିବାସୀ ମହର୍ଷି କଣ୍ୱଙ୍କର ସଂବାଦ ଘେନି ସସ୍ତ୍ରୀକ ଶିଷ୍ୟମାନେ ଆଗମନ କରିଅଛନ୍ତି ।’’ ଏହା ଶୁଣି ଦୁଷ୍ମନ୍ତ ହଠାତ୍ ବିସ୍ମିତ୍ ହୋଇ କହିଲେ ‘‘ସସ୍ତ୍ରୀକ ତପସ୍ୱୀମାନେ ଆସିଅଛନ୍ତି; ହେଉ, ସେମାନଙ୍କୁ ଯଥୋଚିତ ସତ୍‌କାର ସହକାରେ ଅଗ୍ନିଗୃହକୁ ନେବାପାଇଁ ଉପାଧ୍ୟାୟ ସୋମରାତଙ୍କୁ ଅନୁରୋଧ କର ।’’ ଏହା କହି ରାଜା ସ୍ୱୟଂ ଅଗ୍ନିଶାଳାକୁ ଗମନ କଲେ । ସେଠାରେ କଣ୍ୱସଂବାଦପ୍ରାପ୍ତି ଅପେକ୍ଷାରେ ଅବସ୍ଥାନ କରି ରାଜା ଭାବିଲେ, ‘‘କି ହେତୁରୁ ଭଗବାନ କଣ୍ୱ ମୋ ନିକଟକୁ ଋଷିମାନଙ୍କୁ ପଠାଇଅଛନ୍ତି ? ତେବେ କଣ ସେହି ବ୍ରତଧାରୀ ତପସ୍ୱୀମାନଙ୍କର ଯଜ୍ଞକ୍ରିୟାରେ ରାକ୍ଷସମାନେ ବିଘ୍ନଉତ୍ତ୍ପାଦନ କରିଅଛନ୍ତି ? ଅଥବା ସେହି ଧର୍ମାରଣ୍ୟଚାରୀ ପ୍ରାଣୀମାନଙ୍କ ପ୍ରତି କେହି ଅନ୍ୟାୟ ଆଚରଣ କରିଅଛି ? କିଂବା ମୋର ଅପରିଚିତ କୌଣସିବ୍ୟକ୍ତି ଲତାବଳୀର ଫଳପୁଷ୍ପ ଅପହରଣ କରୁଅଛି-?’’ ଏହିପରି ନାନା ବ୍ୟାକୁଳଭାବ ଦେଖି ପାର୍ଶ୍ୱଚର ପ୍ରତିହାରୀ ନିବେଦନ କଲା, ‘‘ମହାରାଜଙ୍କ ଭୁଜଦଣ୍ଡଦ୍ୱାରା ସୁରକ୍ଷିତ ଆଶ୍ରମରେ ତପସ୍ୱୀମାନଙ୍କ ପ୍ରତି ଏପରି ଅସଦାଚରଣ କିପରି ସମ୍ଭବ ହୋଇପାରେ ? ସମ୍ଭବତଃ ଆପଣଙ୍କ ସୁଚରିତ୍ରର ଅଭିନନ୍ଦନ ଓ ପ୍ରୀତିପ୍ରଦର୍ଶନ ପାଇଁ ତପସ୍ୱୀମାନେ ଆସିଅଛନ୍ତି’’ ।

 

ଇତ୍ୟବସରରେ ଗୌତମୀ, ଶକୁନ୍ତଳା ଓ କଣ୍ୱଶିଷ୍ୟଦ୍ୱୟଙ୍କ ସମଭିବ୍ୟାହାରରେ ରାଜପୁରୋହିତ ଓ କଞ୍ଚୁକୀ ରାଜାଙ୍କ ସମୀପରେ ଉପସ୍ଥିତ ହେଲେ । ଜନାକୀର୍ଣ୍ଣ ରାଜାନ୍ତଃପୁରର ଦୃଶ୍ୟ କେବେହେଁ ତପସ୍ୱୀମାନଙ୍କର ନେତ୍ରାତିଥି ହୋଇ ନ ଥିଲା । ତେଣୁ ସେମାନେ ସେହି ଜନତାପୂର୍ଣ୍ଣ ରାଜାନ୍ତଃପୁରକୁ ଅଗ୍ନି ପରିବ୍ୟାପ୍ତ ଗୃହ ପରି ମନେ କଲେ । ଏହି ସମୟରେ ଶକୁନ୍ତଳାଙ୍କର ଦକ୍ଷିଣ ଚକ୍ଷୁ ମୂହୁର୍ମୂହୁଃ ପ୍ରସ୍ପୁଚିତ ହେବାରୁ ଅମଙ୍ଗଳା ଶଙ୍କାରେ ତାଙ୍କର ମନ ବ୍ୟାକୁଳ ହୋଇ ଉଠିଲା, ବୃଦ୍ଧା ଗୌତମୀଙ୍କ ସାନ୍ତ୍ୱନାରେ ସେ କଥଞ୍ଚିତ୍ ଆଶ୍ୱସ୍ତ ହେଲେ ସତ୍ୟ, ମାତ୍ର ହୃଦୟରୁ ଶାନ୍ତି ଏକାବେଳକେ ଅନ୍ତର୍ହିତ ହୋଇଗଲା । ପରିଣତ ପାଣ୍ଡୁବର୍ଣ୍ଣପତ୍ରାବଳି ମଧ୍ୟରେ ନବୀନ ପଲ୍ଲବ ପରି ଅବଗୁଣ୍ଠନବତୀ ଲାବଣ୍ୟମୟୀ ଶକୁନ୍ତଳାଙ୍କୁ ଋଷିମାନଙ୍କ ମଧ୍ୟରେ ନିରୀକ୍ଷଣ କରି ରାଜାଙ୍କ ମନରେ ହଠାତ୍ ଉଦ୍‌ବେଗ ଉପସ୍ଥିତ ହେଲା; ଯାହା ହେଉ, ପରସ୍ତ୍ରୀ ଅଦର୍ଶୀନୀୟା ଏହି ବିବେଚ୍ଚନାରେ ସେ ଚକ୍ଷୁକୁ ପ୍ରତିନିବୃତ୍ତ କରି ଆଣିଲେ । ଶାର୍ଙ୍ଗରବ ଓ ଶାରଦ୍ୱତ ‘‘ମହାରାଜଙ୍କର ଜୟ ହେଉ’’ ହସ୍ତୋତ୍ତୋଳନପୂର୍ବକ ଏହି ଆଶୀର୍ବାଦ କରି ରାଜାଙ୍କର ସମୀପବର୍ତ୍ତୀ ହୁଅନ୍ତେ, ଦୁଷ୍ମନ୍ତ ସେମାନଙ୍କ ଅଭିବାଦନ କରି ଆସନ ପରିଗ୍ରହ କରିବାକୁ ଅନୁରୋଧ କଲେ । ତପସ୍ୱୀମାନେ ଉପବେଶନ କଲାପରେ ରାଜା ବିନୀତଭାବରେ ପ୍ରଶ୍ନ କଲେ, ‘‘ନିର୍ବିଘ୍ନରେ ତପସ୍ୟା ସଂପାଦିତ ହେଉଛି ତ ?’’ ଶିଷ୍ୟଦ୍ୱୟ ଉତ୍ତର କଲେ, ‘‘ଆପଣ ସ୍ୱୟଂ ରକ୍ଷକରୂପେ ବିଦ୍ୟମାନ ଥାଉଁ ଥାଉଁ ସାଧୁମାନଙ୍କର ତପଃ କ୍ରିୟାରେ ବିଘ୍ନ ଜାତ ହୋଇପାରେ କି ? ପ୍ରଭାକର କିରଣଜାଳ ବିସ୍ତାର କଲେ ଅନ୍ଧକାର ଆବିର୍ଭୁତ ହୁଏ କି ?’’

 

ମୁନିମାନଙ୍କର ଏହି ଉତ୍ତରରେ ରାଜା ଭାବିଲେ, ଆମ୍ଭର ପ୍ରଜାରଞ୍ଜନ ବ୍ରତ ସଫଳ ହୋଇଅଛି; ତତ୍ତ୍ୱରେ ପଚାରିଲେ, ଭଗବାନ୍ କଣ୍ୱଙ୍କର କୁଶଳ ତ ? ଶାର୍ଙ୍ଗରବ ଉତ୍ତର କଲେ, ‘‘ସିଦ୍ଧପୁରୁଷମାନଙ୍କର କୁଶଳ ଇଚ୍ଛାଧୀନ । ସେ ଅନାମୟ ପ୍ରଶ୍ନପୂର୍ବକ ଆପଣଙ୍କ ନିକଟକୁ କହି ପଠାଇଅଛନ୍ତି, ‘ଆପଣ ନିର୍ଜନରେ ଗାନ୍ଧର୍ବ-ବିଧାନରେ ଆମ୍ଭର ଏହି ଦୁହିତାଙ୍କୁ ବିବାହ କରିଅଛନ୍ତି । ଆମ୍ଭେ ପରେ ଏହି ସଂବାଦ ଶ୍ରବଣ କରି ପ୍ରୀତିପୂର୍ବକ ଅନୁମୋଦନ କରିଅଛୁଁ । କାରଣ ଆପଣ ଯୋଗ୍ୟ ପୁରୁଷମାନଙ୍କର ଅଗ୍ର ଗଣନୀୟ ଏବଂ ମୂର୍ତ୍ତିମତୀ ସତ୍‌ତ୍ରିୟାରୂପିଣୀ ଶକୁନ୍ତଳାଙ୍କର ଉପଯୁକ୍ତ ପତି । ପ୍ରଜାପତି ଏହି ତୁଲ୍ୟ ଗୁଣଶାଳୀ ବରବଧୂଙ୍କର ମେଳନଦ୍ୱାରା ଚିରକାଳ ନିମିତ୍ତ ଅନିନ୍ଦ୍ୟ ହୋଇଅଛନ୍ତି ।’ ପରନ୍ତୁ ବର୍ତ୍ତମାନ ସେ ଅନ୍ତଃସତ୍ତ୍ୱା ଧର୍ମାଚରଣ ନିମିତ୍ତ ଆପଣ ଏହାଙ୍କୁ ଗ୍ରହଣ କରନ୍ତୁ ।’’ ବୃଦ୍ଧା ଗୌତମୀ ରାଜାଙ୍କର ସମୀପବର୍ତ୍ତିନୀ ହୋଇ କହିଲେ, ‘‘ମହାରାଜ ! ଶକୁନ୍ତଳା ଗୁରୁଜନଙ୍କ ଅପେକ୍ଷା ରଖି ନାହାନ୍ତି, ଆପଣ ମଧ୍ୟ ବନ୍ଧୁ ବାନ୍ଧବମାନଙ୍କୁ କୌଣସି କଥା ପଚାରି ନାହାନ୍ତି । ଏପରି ଅବସ୍ଥାରେ ପରସ୍ପରର ଏକରୂପ ଚରିତ୍ରରେ କିଏ ବା କଣ କହିବ ?’’ ରାଜାଚିତ୍ରାର୍ପିତ ପରି ଏହି ସମସ୍ତ କଥା ଶୁଣି କହିଲେ, ‘‘ଅହୋ, ଏମାନେ କଣ କହିବାକୁ ଆରମ୍ଭ କଲେ ! ଏହା ମୋତେ ଉପନ୍ୟାସ ପରି ବୋଧ ହେଉଛି ।’’ ଏହା ଶୁଣି ଶକୁନ୍ତଳା ଆପଣାକୁ ଶତ ଧିକ୍କାର ଦେଇ ମନେ ମନେ କହିଲେ, ଏହାଙ୍କ କଥା ତ ଅତ୍ୟନ୍ତ ଗର୍ବ-ସୂଚକ । ଶାର୍ଙ୍ଗରବ କହିଲେ, ‘‘ମହାରାଜ ! ଆପଣ ଲୋକ ବୃତ୍ତାନ୍ତ ବିଷୟରେ ସମ୍ପୂର୍ଣ୍ଣରୂପେ ଅଭିଜ୍ଞ ହୋଇ ସୁଦ୍ଧା ଏପରି କାହିଁକି କହୁଅଛନ୍ତି ? ଦେଖନ୍ତୁ, ସତୀ ହେଲେହେଁ ସ୍ତ୍ରୀମାନେ ଯେବେ କେବଳ ପିତ୍ରାଳୟରେ ବାସ କରନ୍ତି, ତେବେ ଲୋକେ ତାଙ୍କୁ ବ୍ୟଭିଚାରିଣୀ ବୋଲି ମନେ କରନ୍ତି । ସେଥିପାଇଁ ସ୍ତ୍ରୀ ସ୍ୱାମୀଙ୍କର ପ୍ରିୟା ବା ଅପ୍ରିୟା ହେଉ, ସ୍ତ୍ରୀବନ୍ଧୁ ବର୍ଗ ତାହାକୁ ସ୍ୱୀୟ ସ୍ୱାମିସଂସ୍ପର୍ଶରେ ରଖିବା ପାଇଁ ଇଚ୍ଛା କରନ୍ତି ।’’ ଏହା ଶୁଣି ରାଜା କହିଲେ, ‘‘ତେବେ ମୁଁ କଣ ଏହାଙ୍କୁ ବିବାହ କରିଥିଲି ?’’ ଶାର୍ଙ୍ଗରବ ଉତ୍ତର କଲେ,’’ ସ୍ୱକୃତ କାର୍ଯ୍ୟରେ ବିଦ୍ୱେଷବଶତଃ ରାଜାଙ୍କର ଧର୍ମ ପ୍ରତି ବିମୁଖ ହେବାଟା ଉଚିତ କି ? ରାଜା କହିଲେ ‘‘ଆପଣମାନେ ଏପରି ଅସତ୍‌କଳ୍ପନାର ପ୍ରସଙ୍ଗ କରୁଅଛନ୍ତି କାହିଁକି ?’’ ଏଥିରେ ଶାର୍ଙ୍ଗରବ କ୍ରୁଦ୍ଧ ହୋଇ କହିଲେ, ‘‘ଐଶ୍ୱର୍ଯ୍ୟମତ୍ତ ବ୍ୟକ୍ତି ମାନେ ପ୍ରାୟଶଃ ଏପରି ବିକାରଗ୍ରସ୍ତ ହୋଇଥାନ୍ତି ।’’ ରାଜା କହିଲେ, ‘‘ଆପଣ ବୃଥା ମୋତେ ଭର୍ତ୍ସନା କରୁଅଛନ୍ତି । ମୁଁ ଏହି ଭର୍ତ୍ସନାର ଅଯୋଗ୍ୟ ।’’

 

ବୃଦ୍ଧା ଗୌତମୀ ଏହା ଶୁଣି ଶକୁନ୍ତଳାଙ୍କୁ କହିଲେ, ‘‘ବତ୍ସେ ! ମୁହୂର୍ତ୍ତକପାଇଁ ଲଜ୍ଜା ତ୍ୟାଗ କର; ମୁଁ ତୁମ୍ଭର ଅବଗୁଣ୍ଠନ ମୋଚନ କରେ; ତାହାହେଲେ ଭର୍ତ୍ତା ତୁମ୍ଭଙ୍କୁ ଚିହ୍ନି ପାରିବେ ।’’ ଏହା କହି ଗୌତମୀ ଶକୁନ୍ତଳାଙ୍କ ଅବଗୁଣ୍ଠନ ମୋଚନ କରିଦେଲେ । ଶକୁନ୍ତଳାଙ୍କ ଅମ୍ଳାନ-କାନ୍ତି ସେହି ଅନିନ୍ଦ୍ୟ ରୂପମାଧୁରୀ ନିରୀକ୍ଷଣ କରି ସୁଦ୍ଧା ରାଜା ତାହାଙ୍କର ପାଣିଗ୍ରହଣ କରିଥିଲେ ବୋଲି ଆଦୌ ସ୍ମରଣ କରି ପାରିଲେ ନାହିଁ; ତଥାପି ସେହି ଅନୁପମ-ଶୋଭା ତାଙ୍କର ପ୍ରାଣକୁ ଚଞ୍ଚଳ କରି ପକାଇଲା । ତୁଷାରସ୍ନାତ କୁନ୍ଦପୁଷ୍ପକୁ ପ୍ରଭାତକାଳରେ ଭ୍ରମର ଯେପରି ଭୋଗ କରି ପାରେ ନାହିଁ ବା ତ୍ୟାଗ କରି ପାରେ ନାହିଁ, ରାଜା ସେହିପରି ସଂଶୟିତ ହୃଦୟରେ ଶକୁନ୍ତଳାଙ୍କୁ ଗ୍ରହଣ ବା ତ୍ୟାଗ କରି ନ ପାରି ମନେ ମନେ ଚିନ୍ତା କରିବାକୁ ଲାଗିଲେ । ରାଜା ତୃଷ୍ଣୀ ଭାବ ଅବଲମ୍ବନ କରିବାରୁ ଶାର୍ଙ୍ଗରବ ପୁନର୍ବାର ପ୍ରଶ୍ନ କଲେ, ‘‘ଆପଣ ନୀରବ ରହିଲେ ଯେ ?’’ ରାଜା କହିଲେ, ‘‘ଚିନ୍ତା କଲେହେଁ ଏହାଙ୍କ ବିବାହ କରିଥିଲି, ଏପରି ସ୍ମରଣ ହେଉ ନାହିଁ । ତେବେ କିପରି ମୁଁ ଏହି ଗର୍ଭବତୀ ଯୁବତିଙ୍କୁ ଗ୍ରହଣ କରି ଆପଣାକୁ ଅକ୍ଷତ୍ରିୟ ବୋଲି ପ୍ରତିପାଦନ କରିବି ?’’ ଶାର୍ଙ୍ଗରବ କହିଲେ, ‘‘ଆଚ୍ଛା ! ଆପଣଙ୍କର ସ୍ମରଣ ନ ହେଉ; ଆପଣ ଏହି ମୁନି କନ୍ୟାଙ୍କୁ ସ୍ପର୍ଶ କରିଅଛନ୍ତି ଏବଂ ମୁନି ପରେ ଜାଣି ପାରି ତାହା ଅନୁମୋଦନ କରିଅଛନ୍ତି, ବର୍ତ୍ତମାନ ତାଙ୍କ ଅବଜ୍ଞା କରିବା ଆପଣଙ୍କର ଉଚିତ କି ? ଚୋରିତ ଦ୍ରବ୍ୟ ଚୋରକୁ ପ୍ରଦାନ କଲା ପରି ମହର୍ଷି ଆପଣଙ୍କୁ ନିଜ ତନୟା ସମ୍ପ୍ରଦାନ କରିଅଛନ୍ତି ।’’

 

ଶାରଦ୍ୱତ ଏ ସମସ୍ତ ଶ୍ରବଣ କରି ଶାର୍ଙ୍ଗରବଙ୍କୁ ବିରତ ହେବାକୁ ଅନୁରୋଧ କଲେ ଏବଂ ଶକୁନ୍ତଳାଙ୍କୁ କହିଲେ, ‘‘ଶକୁନ୍ତଳେ ! ଆମ୍ଭମାନଙ୍କର ବକ୍ତବ୍ୟ ଶେଷ ହେଲା, ରାଜା ତ ଏପରି କହିଲେ, ବର୍ତ୍ତମାନ ତୁମ୍ଭେ ବିଶ୍ୱାସଯୋଗ୍ୟ କୌଣସି ପ୍ରତ୍ୟୁତ୍ତର ପ୍ରଦାନ କର ।’’

 

ଶକୁନ୍ତଳା ପ୍ରଥମତଃ ଭାବିଲେ ତାଦୃଶ ଅନୁରାଗ ତ ଏପରି ଅବସ୍ଥାନ୍ତର ପ୍ରାପ୍ତ ହେଲାଣି, ଏଭଳି ଅବସ୍ଥାରେ ଏହାଙ୍କୁ ସ୍ମରଣ କରାଇଲେ କଣ ହେବ ? ଯାହାହେଉ, ବର୍ତ୍ତମାନ ଆତ୍ମ-ଶୋଧନ ଆବଶ୍ୟକ । ତେଣୁ କିଛି କହିବା ଉଚିତ । ଏହା ସ୍ଥିର କରି ସେ ରାଜାଙ୍କୁ ଆର୍ଯ୍ୟପୁତ୍ର ବୋଲି ସମ୍ବୋଧନ କରିବାକୁ ଉଦ୍ୟତ ହେଉଥିଲେ, ମାତ୍ର ଏପରି ସଦାଚାର ସଂଶୟଯୁକ୍ତ ଭାବି ସେ କହିଲେ, ‘‘ପୌରବ ! ଆପଣ ଆଶ୍ରମରେ ଅମାୟିକତା ପ୍ରଦର୍ଶନ କରି ଧର୍ମକୁ ସାକ୍ଷୀ ରଖି ମୋତେ ନିୟମପୂର୍ବକ ଗ୍ରହଣ କରିଥିଲେ, ସମ୍ପ୍ରତି ଏପରି ନିଷ୍ଠୁର କଥା କହି ପ୍ରତ୍ୟାଖ୍ୟାନ କରୁଅଛନ୍ତି, ଏହା ଆପଣଙ୍କ ପକ୍ଷରେ ଉଚିତ ଟି ?’’ ଏହା ଶୁଣି ରାଜା କର୍ଣ୍ଣଦ୍ୱୟରେ ଅଙ୍ଗୁଳି ପ୍ରଦାନପୂର୍ବକ କହିଲେ, ‘‘କ୍ଷାନ୍ତ ହୁଅ, କ୍ଷାନ୍ତ ହୁଅ କୂଳଙ୍କକ୍ଷା ନଦୀ ଯେପରି ବିମଳ ସଲିଳରାଶିକୁ କଳୁଷିତ କରେ ଓ କୂଳସ୍ଥିତ ତରୁସମୂହ ଉତ୍ତ୍ପାଟନ କରେ, ତୁମେ ସେହିପରି ମୋର ବଂଶମର୍ଯ୍ୟାଦାକୁ କଳୁଷିତ ଓ ମୋର ସର୍ବନାଶ କରିବାପାଇଁ ଅଭିଳାଷ କରିଅଛ ।’’ ଏହା ଶୁଣି ଶକୁନ୍ତଳା କହିଲେ, ‘‘ହେଉ, ଯେବେ ପ୍ରକୃତରେ ତୁମ୍ଭେ ପରସ୍ତ୍ରୀ ବୋଲି ଆଶଙ୍କା କରୁଅଛ, ତେବେ କୌଣସି ପ୍ରକାର ଅଭିଜ୍ଞାନ ଦେଖାଇ ତୁମ୍ଭର ଏହି ଆଶଙ୍କା ଅପନୟନ କରିବି ।’’ ରାଜା କହିଲେ ‘‘ଭଲ କଥା—ଅଭିଜ୍ଞାନ ଦେଖାଇଲେ ମୋର ସନ୍ଦେହ ନିରାକୃତ ହେବ ।’’ ଶକୁନ୍ତଳା ରାଜ-ଦତ୍ତ ଅଙ୍ଗୁରୀୟଟିକୁ ବସ୍ତ୍ରାଞ୍ଚଳରେ ବାନ୍ଧିଥିଲେ, ବର୍ତ୍ତମାନ ସେଠାରେ ତାହା ନ ଦେଖି ଏକାନ୍ତ ବିଷଣ୍ଣବଦନରେ ଗୌତମୀଙ୍କ ଆଡ଼କୁ ଚାହିଁଲେ । ଗୌତମୀ କହିଲେ, ‘‘ସମ୍ଭବତଃ ବନ୍ଧନଗ୍ରନ୍ଥି ଶିଥିଳ ଥିଲା, ଶତ୍ରାବତାର ତୀର୍ଥରେ ସ୍ନାନ କଲାବେଳେ ତାହା ଜଳରେ ପତିତ ହୋଇ ଯାଇଅଛି ।’’

 

ଗଳା ଏହା ଶୁଣି ଈଷଦ୍ଧାସ୍ୟ କରି କହିଲେ, ‘‘ଏହାହିଁ ସ୍ତ୍ରୀମାନଙ୍କର ପ୍ରତ୍ୟୁତ୍ତ୍ପନ୍ନମତିତ୍ୱ ।’’ ଏହା ଶୁଣି ଶକୁନ୍ତଳା ଏକାନ୍ତ ଲଜ୍ଜିତା ହୋଇ କହିଲେ ‘‘ବିଧାତା ଏଥିରେ ନିଜର ଶକ୍ତି ଦେଖାଇଲା,ବର୍ତ୍ତମାନ ଅନ୍ୟ କୌଣସି ଅଭିଜ୍ଞାନ କଥା କହିବି ।’’ ରାଜା କହିଲେ, ‘‘ତାହାହିଁ ବର୍ତ୍ତମାନ ଶ୍ରୋତବ୍ୟ ।’’ ଶକୁନ୍ତଳା କହିଲେ, ‘‘ଆପଣ ଦିନେ ବେତସ-ଲତାମଣ୍ଡପରେ ଲଳିନୀପତ୍ରପୁଟରେ ଜଳ ଘେନି ବସିଥିଲେ, ସେହି ସମୟରେ ମୋର ପୁତ୍ରସ୍ଥାନୀୟ ଦୀର୍ଘାପାଙ୍ଗନାମକ ମୃଗଶିଶୁଟି ସେଠାରେ ଆସି ଉପସ୍ଥିତ ହେଲା । ତତ୍ତ୍ୱରେ ଆପଣ ସେହି ମୃଗଶିଶୁଟିକୁ ଆପଣଙ୍କ ହସ୍ତସ୍ଥିତ ଜଳ ପିଇବାପାଇଁ ଯାଚିଲେ । କିନ୍ତୁ ଆପଣ ଅପରିଚିତ ବୋଲି ଆପଣଙ୍କ ହସ୍ତରୁ ସେ ଜଳ ସ୍ପର୍ଶ କଲା ନାହିଁ । ପରେ ମୁଁ ସେହି ଜଳପାତ୍ର ଧରନ୍ତେ, ସେ ସ୍ନେହପ୍ରକାଶପୂର୍ବକ ଜଳ ପାନ କଲା; ସେତେବେଳ ଆପଣ ହସି କରି କହିଲେ, ‘‘ସମସ୍ତେ ସ୍ୱଗଣକୁ ଚିହ୍ନନ୍ତି, ଯେହେତୁ ତୁମ୍ଭେ ଦୁହେଁ, ଅରଣ୍ୟବାସୀ ।’’ ରାଜା ଏହା ଶୁଣି ଈଷଦ୍ଧାସ୍ୟ କରି କହିଲେ, ‘‘ଏହିପରି ସ୍ୱକାର୍ଯ୍ୟ ସାଧନ ଉଦ୍ଦେଶ୍ୟରେ କମାନୀଗଣ ସୁମଧୁର ମିଥ୍ୟାବାକ୍ୟଦ୍ୱଶରା କାମୀମାନଙ୍କୁ ଆକର୍ଷଣ କରିଥାନ୍ତି ।’’ ଏଥିରେ ଗୌତମୀ କ୍ରୁଦ୍ଧ ହୋଇ କହିଲେ, ‘‘ମହାରାଜ ! ଆପଣ ଏଭଳି କଥା କହିବେ ନାହିଁ । ଶକୁନ୍ତଳା ଆଜୀବନ ତପୋବନରେ ବର୍ଦ୍ଧିତ; ଶଠତା କାହାକୁ କହନ୍ତି, ସେ ତାର ବିନ୍ଦୁବିସର୍ଗ ସୁଦ୍ଧା ଜାଣେ ନାହିଁ ।’’ ରାଜା କହିଲେ, ‘‘ଅୟି ତାପସବୃଦ୍ଧେ ! ପଶୁପକ୍ଷୀ ମଧ୍ୟରେ ସ୍ତ୍ରୀଜାତି ଶିକ୍ଷା ନ ପାଇ ମଧ୍ୟ ଯେପରି ପ୍ରବଞ୍ଚନା-ଚାତୁରୀ ପ୍ରକାଶ କରନ୍ତି ତାହା ଦେଖି କିଏ ବିଶ୍ୱାସ ନ କରିବ ଯେ ଶିକ୍ଷିତ ମାନବଜାତିର ସ୍ତ୍ରୀମାନେ ଏଭଳି କପଟପୂର୍ଣ୍ଣ କଥା କହି ପାରନ୍ତି । ଦେଖନ୍ତୁ, ଯେ ପର୍ଯ୍ୟନ୍ତ ନିଜ ସନ୍ତାନଗଣ ଆକାଶରେ ଉଡ଼ି ପାରି ନ ଥାନ୍ତି, ସେପର୍ଯ୍ୟନ୍ତ କୋକିଳାମାନେ ସେମାନଙ୍କ ଅନ୍ୟ ପକ୍ଷୀଦ୍ୱାରା ପ୍ରତିପାଳନ କରାନ୍ତି ।’’ ଶକୁନ୍ତଳା ରୁଷ୍ଟ ହୋଇ କହିଲେ, ‘‘ଅନାର୍ଯ୍ୟ ! ତୁମ୍ଭ ପରି ଧର୍ମଧ୍ୱଜ ଲୋକମାନେ ସହଜରେ ଅନ୍ୟ ହୃଦୟକୁ ନିଜ ହୃଦୟ ପରି ନୀଚ ମନେ କରିପାରନ୍ତି । ତୁମ୍ଭେ ସାକ୍ଷାତ୍ ତୃଣାଚ୍ଛନ୍ନ କୂପସଦୃଶ; ତୁମ୍ଭ ଛଡ଼ା ଅନ୍ୟ କିଏ ଏପରି ଶଠତାପୂର୍ଣ୍ଣ ବ୍ୟବହାର କରି ପାରେ ?’’ ରାଜା ଦେଖିଲେ ଯେ ଶକୁନ୍ତଳାଙ୍କର ଦୃଷ୍ଟି ବକ୍ର, ଚକ୍ଷୁ ସମ୍ୟକ୍ ଲୋହିତବର୍ଣ୍ଣ, କଥାବଳି କର୍କଶ ଓଷ୍ଠଦ୍ୱୟ ପ୍ରକମ୍ପିତ, ସୁତାରଂ ଏସବୁରେ କୃତ୍ରିମ କୋପର ଲକ୍ଷଣ ଆଦୌ ନାହିଁ ଅଥଚ ଶକୁନ୍ତଳାସହ ବିବାହବୃତ୍ତାନ୍ତ ଆଦୌ ତାଙ୍କର ସ୍ମୃତିପଥାରୂଢ଼ ହେଉ ନାହିଁ । ଏହିପରି ସଙ୍କଟରେ ପଡ଼ି ତାହାଙ୍କର ଚିତ୍ତବୃତ୍ତ ଘୋର ସନ୍ଦେହ ଅନ୍ଧକାରରେ କାନ୍ଦିଶୀକ ହୋଇ ରହିଲା । କାମନାପରବଶ ହେଲେ କାମିନୀଗଣ ସମସ୍ତ କରି ପାରନ୍ତି, ଏହା ଭାବି ସେ ଶକୁନ୍ତଳାଙ୍କୁ କହିଲେ, ‘‘ଭଦ୍ରେ ! ଦୁଷ୍ମନ୍ତଙ୍କ ଚରିତ୍ର କେବେ ଏଭଳି କଳୁଷିତ ହୋଇ ଅଛି, ଏ କଥା କେହି କହିବେ ନାହିଁ ।’’

 

ରାଜାଙ୍କର ଏହି ନିଷ୍ଠୁର ବାକ୍ୟରେ ଶକୁନ୍ତଳା ଏକାବେଳକେ ଧୈର୍ଯ୍ୟଶୂନ୍ୟ ହୋଇ କହିଲେ, ‘‘ରାଜନ୍ ! ତୁମ୍ଭେହିଁ ଲୋକମାନଙ୍କର ଧର୍ମସ୍ଥିତି ଜାଣ; ତୁମ୍ଭେ ମୋତେ ବିବାହ କରିଛ କି ନା, ଏକଥା ଧର୍ମଛଡ଼ା ଅନ୍ୟ କେହି ଜାଣନ୍ତି ନାହିଁ । ମହାରାଜ ! ତେବେ କଣ ମୁଁ ସ୍ୱେଚ୍ଛାଚାରିଣୀ ଗଣିକା ପରି ତୁମ୍ଭ ନିକଟରେ ଆସି ଉପସ୍ଥିତ ହୋଇଅଛି ?’’ ଏହା କହି ଶକୁନ୍ତଳା ନିତାନ୍ତ ଅଧୀରା ହୋଇ ମୁଖକୁ ବସ୍ତ୍ରାଚ୍ଛାଦିତ କରି ଉଚ୍ଚୈଃସ୍ୱରରେ ବିଳାପ କରିବାକୁ ଲାଗିଲେ । ଗୌତମୀ କହିଲେ, ‘‘ମା ! ଆଉ କାନ୍ଦିଲେ କଣ ହେବ, ପୁରୁବଂଶ ପ୍ରତ୍ୟୟରେ ତୁ ବର୍ତ୍ତମାନ ମଧୁରଭାଷୀ ବିଷହୃଦୟ ଲୋକର ହସ୍ତଗତ ହୋଇଅଛୁ ।’’

 

ସେତେବେଳେ ଶାର୍ଙ୍ଗରବ କହିଲେ, ‘‘ଏହା ଚପଳତାର ପରିଣାମ; ପରିଣାମ ଚିନ୍ତା ନ କରି ବିଶେଷତଃ ବିଳନରେ ପ୍ରଣୟ କରିଥିବାରୁ ତାହା ବର୍ତ୍ତମାନ ଅନଳରୂପରେ ଦଗ୍ଧ କରୁଅଛି । ଯାହାର ଅନ୍ତଃକରଣ ଉତ୍ତମରୂପେ ଜଣା ନଥାଏ, ତା ସଙ୍ଗେ ସୌହୃଦ୍ୟ ସ୍ଥାପନ କଲେ ଶେଷରେ ତାହା ବିଦ୍ୱେଷରେ ପରିଣତ ହୁଏ ।’’ ଏହା ଶୁଣି ରାଜା କହିଲେ, ‘‘ତପସ୍ୱିଗଣ ! କେବଳ ଏହାଙ୍କ କଥାରେ ବିଶ୍ୱାସ କରି ଆପଣମାନେ ଅକାରଣ ଆମ୍ଭ ଉପରେ ଦୋଷାରୋପ କରୁଅଛନ୍ତି ?’’ ରାଜାଙ୍କର ଏହି କଥା ଶୁଣି ଶାର୍ଙ୍ଗରବ ଅସୂୟାପରବଶ ହୋଇ ସଭାସଦ୍‌ମାନଙ୍କୁ ଲକ୍ଷ୍ୟ କରି କହିଲେ, ‘‘ଆପଣମାନେ ରାଜାଙ୍କର ଏହି ନୀଚକଥାମାନ ଶୁଣିଲେ ତ ? ଯେଉଁ ବ୍ୟକ୍ତି ଆଜନ୍ମ ଶଠତା କାହାକୁ କହନ୍ତି ଜାଣେ ନାହିଁ, ତା କଥା ମିଥ୍ୟା ହେଲା; ଯେ ବାଲ୍ୟକାଳରୁ ପାପ୍ରତାରଣାକୁ ବିଦ୍ୟାରୂପେ ଅଭ୍ୟାସ କରୁଅଛି, ତା କଥା ବିଶ୍ୱାସଜନକ ବୋଲି ସିନ୍ଧାନ୍ତ ହେଲା !’’ ଏହା ଶୁଣି ରାଜା କହିଲେ, ‘‘ମହାଶୟ ! ଏହା ସ୍ୱୀକାର କଲି, ଆପଣ ସତ୍ୟବାଦୀ ଓ ଆମ୍ଭେ ପ୍ରତାରକ ତଥା ଅବିଶ୍ୱାସୀ- । ତେବେ କହିଲେ ଭଲା, ଏହି ତାପସକନ୍ୟାକୁ ପ୍ରତାରଣା କଲେ ଆମ୍ଭର କି ଲାଭ ହେବ ?’’ ଶାର୍ଙ୍ଗରବ କୋପରେ କମ୍ପାମାନ ହୋଇ କହିଲେ, ‘‘ବିନିପାତ ! ! !’’ ରଜା କହିଲେ, ‘ପୁରବଂଶୀୟଙ୍କର ବିନିପାତ ଲାଭ ହେବ, ଏହା ନିତାନ୍ତ ଅଶ୍ରଦ୍ଧେୟ କଥା । ’ ଶାର୍ଙ୍ଗରବ ପୁନର୍ବାର କହିଲେ–‘‘ମହାରାଜ ! ଏ ବିଷୟରେ ବେଶି ବଳାବଳି କରିବାଟା’ ଉଚିତ ନୁହେ । ଆମ୍ଭେମାନେ ଗୁରୁଦେବଙ୍କ ଆଦେଶ ଅନୁସାରେ କର୍ମ କଲୁଁ, ବର୍ତ୍ତମାନ ଫେରୁଛୁଁ, ଏ ଆପଣଙ୍କର ପତ୍ନୀ । ଏହାଙ୍କୁ ଆପଣ ରଖି ପାରନ୍ତି ବା ତ୍ୟାଗ କରି ପାରନ୍ତି, କାରଣ ସ୍ତ୍ରୀମାନଙ୍କ ଉପରେ ସ୍ୱାମୀଙ୍କର ପ୍ରଭୂତା ସର୍ବତୋମୁଖୀ ।’’

 

ଏହା କହି ଗୌତମୀ ଓ ଶାରଦ୍ୱତ ସଙ୍ଗେ ଶାର୍ଙ୍ଗରବ ପ୍ରସ୍ଥାନୋନ୍ମୁଖ ହେବାବେଳେ ଶକୁନ୍ତଳା ବିକଳ କଣ୍ଠରେ କହିଲେ, ‘‘ଏ ଧୂର୍ତ୍ତତ ମୋତେ ତ୍ୟାଗ କଲେ, ବର୍ତ୍ତମାନ ତୁମ୍ଭେମାନେ ମଧ୍ୟ ମୋତେ କଣ ତ୍ୟାଗ କଲ ?’’ ଶକୁନ୍ତଳାଙ୍କ କରୁଣ କ୍ରନ୍ଦନଧ୍ୱନିରେ ଗୌତମୀ ଅଧୀର ହୋଇ ପଛକୁ ଚାହିଁ ଦେଖିଲେ ଯେ ଦୁଃଖିନୀ ଅନୁସରଣ କରୁଅଛି । ଏହା ଦେଖି ଶାର୍ଙ୍ଗଭବ କ୍ରୋଧରେ ଅଧୀର ହୋଇ କହିଲେ, ‘‘ଆଃ କୁଳକଳଙ୍କିନି ! କାହିଁକି ସ୍ୱେଚ୍ଛାଚାର ଅବଲମ୍ବନ କରିଥିଲୁ ? ମହାରାଜ ଯାହା କହିଲେ, ତାହାହିଁ ଯେବେ ହୁଏ, ତେବେ ତୁମ୍ଭର ବଂଶମର୍ଯ୍ୟାଦା ପାଇଅଛି, ତେବେ ଏ ଜୀବନରେ କି ପ୍ରୟୋଜନ ? ନଚେତ୍ ଯେବେ ଆପଣାକୁ ପବିତ୍ର ବୋଲି ମନେକର ତେବେ ସ୍ୱାମିଗୃହରେ ଦାସୀବୃତ୍ତ ଅବଲମ୍ବନ କରିବା ତୁମ୍ଭ ପକ୍ଷରେ ଶ୍ରେୟସ୍କର ଅଟେ, ଅତଏବ ତୁମ୍ଭେ ରହ, ଆମ୍ଭେମାନେ ଚାଲିଲୁଁ ।’’

 

ଶାର୍ଙ୍ଗରବଙ୍କର ରୋଷକର୍କଶ କଣ୍ଠଧ୍ୱନି ଶୁଣି ଦୁଃଖିନୀ ଶକୁନ୍ତଳା ଭୟରେ କମ୍ପିବାକୁ ଲାଗିଲେ । ରାଜା ପୁନର୍ବାର ତପସ୍ୱୀମାନଙ୍କୁ ସମ୍ବୋଧନ କରି କହିଲେ, ‘‘ତାପସଗଣ ! କାହିଁକି ଆପଣମାନେ ଏହାଙ୍କୁ ବଞ୍ଚନା କରି ଏଠାରେ ଛାଡ଼ି ଯାଉଅଛନ୍ତି ? ଜିତେନ୍ଦ୍ରିୟମାନେ ପରନାରୀମୁଖାବଲୋକନରେ ଏକାନ୍ତ ବିମୁଖ । ଚନ୍ଦ୍ରମା କେବଳ କୁମୁଦିନୀ ଏବଂ ଦିବାକର କେବଳ ପଦ୍ମିନୀଙ୍କୁ ପ୍ରସ୍ଫୁଟିତ କରନ୍ତି ।’’ ଶାର୍ଙ୍ଗରବ କହିଲେ, ‘‘ମହାରାଜ ! କାର୍ଯ୍ୟାନ୍ତରରେ ଅତ୍ୟାସକ୍ତି ହେତୁ ଆପଣ ସମ୍ଭବତଃ ପୂର୍ବ ବୃତ୍ତାନ୍ତମାନ ଭୁଲି ଯାଇଅଛନ୍ତି । ଆପଣ ଅଧର୍ମକୁ ଭୟ କରୁଥିବା ସ୍ଥଳରେ ଦାର ପରିତ୍ୟାଗ କରିବା ସମୀଚୀନ କି ?’’ ଏହା ଶୁଣି ରାଜା କହିଲେ, ‘‘ଆପଣଙ୍କଉପରେ ଏ ବିଷୟରେ ଚାରୁତା ଓ ଲଘୁତା ବିଚାର କରିବା ଭାର ପ୍ରଦାନ କଲି । ଆପଣ କହନ୍ତୁ ଏ ବିଷୟରେ ମୁଁ ବିସ୍ମୃତିବିମୂଢ଼ ହୋଇଅଛି ଅଥବା ଏ ମିଥ୍ୟା କହୁଅଛନ୍ତି । ଏପରି ସ୍ଥଳରେ ମୋର ଏହାଙ୍କୁ ତ୍ୟାଗ କରିବା ଉଚିତ, କି ପରସ୍ତ୍ରୀସ୍ପର୍ଶଜନିତ ଦୋଷରେ ଦୁଷ୍ଟ ହେବା ଉଚିତ ?’’

 

ଏ ସମସ୍ତ କଥା ଶୁଣ ରାଜାଙ୍କ ପୁରୋହିତ କହିଲେ, ‘‘ତାହା ହେଲେ ବର୍ତ୍ତମାନ ସେ ପ୍ରସବପର୍ଯ୍ୟନ୍ତ ଆମ୍ଭମାନଙ୍କ ଗୃହରେ ଅବସ୍ଥାନ କରନ୍ତୁ । ମହାରାଜ ! ଏଥିପୂର୍ବେ ସୁପଣ୍ଡିତ ଗଣକମାନେ ଗଣନା କରି କହିଅଛନ୍ତି ଯେ, ଆପଣଙ୍କର ପ୍ରଥମ ପୁତ୍ରଟି ଚକ୍ରବର୍ତ୍ତୀ ଲକ୍ଷଣଯୁକ୍ତ ହେବ । ଯେବେ ମୁନିଙ୍କର ଦୌହିତ୍ର ସେହିପରି ଲକ୍ଷଣାକ୍ରାନ୍ତ ହେବେ, ତେବେ ଏହାଙ୍କୁ ଆପଣ ଅନ୍ତଃପୁରରେ ଆନନ୍ଦସହକାରରେ ସ୍ଥାନ ଦେବେ । ନଚେତ୍ ସେ ତାଙ୍କ ପିତାଙ୍କ ନିକଟକୁ ଫେରିଯିବେ । ଏହା ଆଜିଠାରୁ ସ୍ଥିର ହୋଇ ରହିଲା ।’’ ରାଜା ଏହା ଶୁଣି କହିଲେ, ‘‘ଯେପରି ଆପଣମାନଙ୍କର ଇଚ୍ଛା ସେହିପରି ହେଉ ।’’ ଅତଃପର ପୁରୋହିତ ଶକୁନ୍ତଳାଙ୍କୁ ସଙ୍ଗରେ ଆସିବାପାଇଁ କହି ଆଗରେ ଚାଲିଲେ । ଗୌତମୀ ଓ ଶିଷ୍ୟଦୁହେଁ ଆଶ୍ରମାଭିମୁଖରେ ପ୍ରସ୍ଥାନ କଲେ-। ମାତ୍ର ଶକୁନ୍ତଳା ଦୁଃଖରେ ମ୍ରିୟମାଣ ହୋଇ କରୁଣସ୍ୱରରେ ‘‘ମା, ବସୁନ୍ଧରା, ମୋତେ ସ୍ଥାନ ଦାନ କର’’ କହି ଯେଉଁ ପଥରେ ତପସ୍ୱୀମାନେ ଗମନ କରିଥିଲେ, ସେହି ପଥରେ ଗମନ କରିବାକୁ ଲାଗିଲେ । କରୁଣ ବିଳାପଧ୍ୱନିରେ ମାର୍ଗସ୍ଥିତ ତରୁଲତା ପଶୁପକ୍ଷୀମାନଙ୍କୁ କନ୍ଦାଇ ନିଜ ଦୂରଦୃଷ୍ଟର ନିନ୍ଦା କରି ହସ୍ତୋତ୍ତୋଳନପୂର୍ବକ ସେ ବିକଳସ୍ୱରରେ କାନ୍ଦିବାକୁ ଲାଗିଲେ । ଏହି ଅବସରରେ ପଥମଧ୍ୟରେ ଅପ୍‌ସରାତୀର୍ଥ ନିକଟରେ ରମଣୀ ଆକୃତିବିଶିଷ୍ଟ ଗୋଟିଏ ତେଜଃପୁଞ୍ଜ ହଠାତ୍ ଆବିର୍ଭୁତ ହୋଇ ତାହାଙ୍କୁ କ୍ରୋଡ଼ରେ ଧାରଣ କରି ଅନ୍ତର୍ହିତ ହୋଇଗଲେ । ପୁରୋହିତ ଏହା ସ୍ୱଚକ୍ଷୁରେ ଦର୍ଶନ କରି ବିସ୍ମୟାଭିଭୂତ ହୋଇ ରାଜାଙ୍କ ନିକଟରେ ଜ୍ଞାପନ କଲେ । ରାଜା ଏବଂ ପାରିଷଦବୃନ୍ଦ ମଧ୍ୟ ଅଧିକତର ଆଶ୍ଚର୍ଯ୍ୟାନ୍ୱିତ ହୋଇ ସେହିକଥା ଭାବିବାକୁ ଲାଗିଲେ । ମାତ୍ର ଅନୁସନ୍ଧାନ କଲେ ତାହାଙ୍କୁ ପାଇବା କଠିନ, ଏହା ଜାଣି ସେମାନେ ଘୋର ଦୁଃଖରେ ସଭାରୁ ପ୍ରତ୍ୟାବର୍ତ୍ତନ କଲେ । ଦୁର୍ବାସାଙ୍କ ଶାପ ପ୍ରଭାବରୁ ମୁନିକନ୍ୟାଙ୍କୁ ବିବାହ କରିଥିବା କଥା ରାଜାଙ୍କର ଆଦୌ ସ୍ମୃତିପଥାରୂଢ଼ ହେଲା ନାହିଁ । ସେ ପୁଟପାକ ପରି ଅନ୍ତଃକରଣରେ ସନ୍ତପ୍ତ ଓ କ୍ଷୁର୍ଣ୍ଣ ହୋଇ ଶୟନଗୃହକୁ ଗମନ କଲେ ।

Image

 

ମୁଦ୍ରିକାପ୍ରାପ୍ତି

 

ଏଥି ମଧ୍ୟରେ କେତେଦିନ ଅତିବାହିତ ହୋଇଗଲା । ରାଜା ନିତାନ୍ତ ଦୁର୍ମନାୟମାନ ହୋଇ କାଳାତିପାତ କରିବାକୁ ଲାଗିଲେ । ଏକଦା ନଗର-କଟୁଆଳ ରାଜାଙ୍କ ନିକଟରେ ନିବେଦନ କଲା, ‘‘ମହାରାଜ ! ଅଦ୍ୟ ନଗର ମଧ୍ୟରେ ଭ୍ରମଣ କରୁଁ କରୁଁ ଏକ ସ୍ଥାନରେ ଦେଖିଲି, ଜଣେ ମତ୍ସ୍ୟୋପଜୀବୀ ଜାଲିକ ଏହି ମୁଦ୍ରିକାଟି ବିକ୍ରୟ କରିବା ନିମିତ୍ତ ଗ୍ରାହକ ଅନୁସନ୍ଧାନ କରୁଅଛି; ଏଥିରେ ଖଚିତ ହୋଇଥିବା ରତ୍ନର ପ୍ରଭା ମୋ ଚକ୍ଷୁକୁ ଆକର୍ଷଣ କରନ୍ତେ, ଏହା କେଉଁଠାରୁ ପାଇଲୁ ବୋଲି ମୁଁ ତାକୁ ପ୍ରଶ୍ନ କଲି; ସେ କହିଲା, ମୁଁ ମାଛ ଧରି ଜୀବନଯାତ୍ରା ନିର୍ବାହ କରେଁ, ଶତ୍ରାବତାର ତୀର୍ଥ ନିକଟରେ ମୋର ଘର । ମୁଁ ଦିନେ ସେଠାରେ ଜାଲ ପକାଇ ଗୋଟିଏ ପ୍ରକାଣ୍ଡ ରୋହିମାଛ ଧରିଥିଲି । ମାଛଟିକୁ ବିକିବା ଉଦ୍ଦେଶ୍ୟରେ ଖଣ୍ଡ ଖଣ୍ଡ କରି କାଟିଲାବେଳେ ତା ପେଟରୁ ଏହି ମୁଦିଟି ପାଇଲି, ବର୍ତ୍ତମାନ ଏହାକୁ ବିକ୍ରୟ କରିବାପାଇଁ ଏଠାକୁ ଆଣିଅଛି । ଏଥିରେ ମୋର କିଛି ଦୋଷ ନାହିଁ ।’

 

‘‘ଜାଲିକଠାରୁ ଏହି କଥା ଶୁଣି ମୁଁ ମୁଦ୍ରିକାଟି ଆଘ୍ରାଣ କରି ଦେଖିଲି ଯେ, ପ୍ରକୃତରେ ଏଥିରୁ ଆମିଷଗନ୍ଧ ବାହାରୁଅଛି; ତେଣୁ ମୁଁ ତାହା କଥାରେ ଅବିଶ୍ୱାସ କରି ପାରିଲି ନାହିଁ । ତଥାପି ଏଥିରେ ଅଙ୍କିତ ହୋଇଥିବା ଛାମୁଙ୍କର ସ୍ୱନାମଦର୍ଶନରେ ସଂଶୟାପନ୍ନ ହୋଇ ମୁଁ ସେହି ଧୀବରକୁ ବାନ୍ଧି ସିଂହଦ୍ୱାରରେ ବସାଇ ରଖିଅଛି । ଏଥିରେ ଶ୍ରୀଛାମୁରେ ଆଦେଶ ମୋର ଶିରୋଧାର୍ଯ୍ୟ ।’’

 

ମହାରାଜ ଦୁଷ୍ମନ୍ତ ନଗରପାଳ ହସ୍ତରୁ ମୁଦ୍ରିକାଟି ଗ୍ରହଣ କରି କ୍ଷଣକାଳ ନିର୍ନିମେଷ ନୟନରେ ତାହାକୁ ନିରୀକ୍ଷଣ କରିବାକୁ ଲାଗିଲେ । ସଙ୍କେତ ଦର୍ଶନରେ ଦୁର୍ବାସାଙ୍କ ଶାପର ଅବସାନ ହେବାରୁ ଶକୁନ୍ତଳା ବିଷୟକ ସମସ୍ତ ଘଟନା ମୁହୂର୍ତ୍ତକ ମଧ୍ୟରେ ତାଙ୍କ ସ୍ମୃତି-ଚକ୍ଷୁ ସମକ୍ଷରେ ଭାସମାନ ହୋଇ ଉଠିଲା; ସ୍ୱଭାବତଃ ଗମ୍ଭୀର ହେଲେହେଁ ସେ ଚାହୁଁ ଚାହୁଁ ଉତ୍କଣ୍ଠାରେ ଏକାନ୍ତ ଅଧୀର ହୋଇ ପଡ଼ିଲେ ଏବଂ ନଗରପାଳକୁ କହିଲେ, ‘‘ଶୀଘ୍ର ଜାଲିକକୁ ବନ୍ଧନରୁ ମୁକ୍ତି ଦିଅ ଏବଂ ମୁଦ୍ରିକାଟିର ମୂଲ୍ୟ ସ୍ୱରୂପ ଏହି ସୁବର୍ଣ୍ଣ କଙ୍କଣଟି ତାହାକୁ ପ୍ରଦାନ କର ।’’

 

ନଗରପାଳ ‘ଯେ ଆଜ୍ଞା’ ବୋଲି କହି ଧୀବର ନିକଟରେ ଉପସ୍ଥିତ ହୋଇ ତାହାକୁ ବନ୍ଧନରୁ ମୁକ୍ତ କରିଦେଲା ଏବଂ ପାରିତୋଷିକ ସ୍ୱରୂପ କଙ୍କଣଟି ତାହାକୁ ପ୍ରଦାନ କଲା । ଧୀବର କୃତକୃତ୍ୟ ହୋଇ ନଗରପାଳକୁ ପ୍ରଣିପାତ କରି ପ୍ରସ୍ଥାନ କଲା ।

Image

 

ରାଜାଙ୍କର ଅନୁସ୍ମୃତି

 

ମହାରାଜ ଦୁଷ୍ମନ୍ତ ଶକୁନ୍ତଳାଙ୍କ ଅବଜ୍ଞାସହକାରେ ବିଦାୟ ଦେବା ସମୟରେ ସେ ଚତୁର୍ଦ୍ଦିଗ ଶୂନ୍ୟ ଦେଖି ଯେଉଁ ହୃଦୟବିଦାରକ କରୁଣ କ୍ରନ୍ଦନଧ୍ୱନିରେ ସ୍ଥାବରଜଙ୍ଗମକୁ ଶୋକାକୁଳ କରି ଯାଇଥିଲେ, ସେ ସମସ୍ତ ଗୋଟି ଗୋଟି ହୋଇ ବର୍ତ୍ତମାନ ତାଙ୍କ ହୃଦୟରେ ଶୂଳବତ୍‍ଯନ୍ତ୍ରଣା ପ୍ରଦାନ କଲା । ସେ ଅନୁତାପାନଳରେ ଦନ୍ଦହ୍ୟମାନ ହେବାକୁ ଲାଗିଲେ । ଶୋକାବେଗ ଦିନୁଦିନୁ ଏପରି ପ୍ରବଳତର ଆକାର ଧାରଣ କଲା ଯେ ଦୁଗ୍ଧଫେନନିଭ କୁସୁମକୋମଳ ଶୟନ ତାଙ୍କୁ କଣ୍ଟକମୟ ବୋଧ ହେଲା । ସେ ରାଜକାର୍ଯ୍ୟ ପରିଚାଳନାର ଭାର ଅମାତ୍ୟଙ୍କ ହସ୍ତରେ ଅର୍ପଣ କରି ଅହର୍ନିଶ ଶକୁନ୍ତଳାଗତଚିନ୍ତାରେ ତନ୍ମୟ ହୋଇ ରହିଲେ ।

 

ଏହି ସମୟରେ ଋତୁରାଜ ବସନ୍ତଙ୍କର ଶୁଭାଗମନରେ ପ୍ରକୃତିସୁନ୍ଦରୀ ଅଭିନବ ମୋହନ ବେଶରେ ଆବିର୍ଭୁତ ହେଲେ । ବସନ୍ତବିଳାସୀ ପିକ କଣ୍ଠଯନ୍ତ୍ରରେ ନବତନ୍ତ୍ରୀ ସଂଯାଜିତ କରି ସୁଲଳିତ ପଞ୍ଚମତାନରେ ଋତୁରାଜ ଜୟଗୀତ ଗାନ କରିବାକୁ ଲାଗିଲା । ଜଳ, ସ୍ଥଳ, ଗିରି, ବନ, ଗଗନ ସର୍ବତ୍ର ବସନ୍ତର ପ୍ରଭାତ ଲକ୍ଷିତ ହେଲା, ଭ୍ରମରମାନେ ମଞ୍ଜୁଗଞ୍ଜନରେ ଚୂତମଞ୍ଜରୀର ମକରନ୍ଦ ସଂଗ୍ରହ କଲେ । ଚରାଚର ବସନ୍ତର ଅଭିନବ ଆଭରଣରେ ମଣ୍ଡିତ ହୋଇ ଉତ୍ସବରେ ମତ୍ତ ହେଲେ । ମାତ୍ର ହସ୍ତିନାର ରାଜଭବନ ଏହି ଉତ୍ସବରେ ଯୋଗଦାନ କଲାନାହିଁ ରାଜା ଏକାନ୍ତ ଶୋକବିହ୍ୱଳ ହୋଇ ପଡ଼ିଥିବାରୁ ଏବର୍ଷ ବସନ୍ତୋତ୍ସବ ନଗରରେ ନିଷିଦ୍ଧ ହୋଇଅଛି । ଉପବନ ମନୋହର କୁସୁମାବଳୀରେ ସୁସଜ୍ଜିତ; ମାତ୍ର ଗୋଟିଏ ସୁଦ୍ଧା ପୁଷ୍ପ କେହି ଚୟନ କରୁନାହିଁ । ଅନ୍ୟାନ୍ୟ ବର୍ଷ ଅନ୍ତଃପୁରର ରମଣୀଗଣ ଯେପରି କୁସୁମାଞ୍ଜଳି ପ୍ରଦାନ କରି ବସନ୍ତୋତ୍ସବର ଅନୁଷ୍ଠାନ କରୁଥିଲେ, ଏବର୍ଷ ତାହା ନାହିଁ । ବିଷାଦର ରେଖା ଅବରୋଧର ଲଳନାମଣ୍ଡଳୀଙ୍କର ଲାବଣ୍ୟମୟୀ ଛାୟାକୁ ମଳିନ କରିଦେଇଅଛି ।

 

ବସନ୍ତ କୁସୁମାମୋଦରେ ଚତୁର୍ଦ୍ଦିଗ ସୁରଭୀକୃତ ହେଲେହେଁ ରାଜୋଦ୍ୟାନ ଶ୍ରୀହୀନ ହେଲା ପରି ବୋଧ ହେଉଅଛି । ମହାପ୍ରଭାବାନ୍ୱିତ ସେହି ରାଜର୍ଷିଙ୍କର ଆଦେଶ ଶିରୋଧାର୍ଯ୍ୟ କରି ତାଙ୍କ ଉଦ୍ୟାନର ତରୁଲତା ବିହଙ୍ଗମଗଣ ସତେ ଯେପରି ନିର୍ବେଦ ଅବଲମ୍ବନ କରି ରହିଅଛନ୍ତି ।

 

ବହୁକାଳ ଅବରୋଧ ମଧ୍ୟରେ ଚିନ୍ତାନଳରେ ଦଗ୍ଧ ହୋଇ ଆଜି ସେ ସ୍ୱକରାଙ୍କିତ ଶକୁନ୍ତଳାଙ୍କ ଆଲେଖ୍ୟ ସନ୍ଦର୍ଶନାକାପ୍ପାରେ ଉଦ୍ୟାନକୁ ବହିର୍ଗତ ହୋଇଅଛନ୍ତି । ସଙ୍ଗରେ ପ୍ରିୟବୟସ୍ୟ ମାଧବ୍ୟ । ରାଜାଙ୍କର ରମଣୀୟାକୃତି ବିଷାଦ ଓ ଚିନ୍ତାରେ ମଳିନ ଓ କ୍ଷୀଣ ହୋଇଥିଲେ ସୁଦ୍ଧା ଶାଣଶୀର୍ଣ୍ଣ ମଣିପରି ସେ ଶୋଭା ପାଉଅଛନ୍ତି । ବାମପ୍ରକୋଷ୍ଠରେ ପରିହିତ ସ୍ୱର୍ଣ୍ଣବଳୟ ଶିଥିଳ ହୋଇପଡ଼ିଅଛି । ଦୀର୍ଘ ଓ ଉଷ୍ଣ ନିଶ୍ୱାସରେ ଅଧରର ରକ୍ତିମା ଅନ୍ତର୍ହିତ ହୋଇଅଛି । ଚିନ୍ତାଜନିତ ରାତ୍ରିଜାଗରଣ ହେତୁରୁ ଚକ୍ଷୁ ଲୋହିତବର୍ଣ୍ଣ ଧାରଣ କରିଅଛି; ଏହି ଶୋଚନୀୟ ଓ ଦର୍ଶନୀୟ ରୂପରେ ମହାରାଜ ଚିନ୍ତାଳସଭାବରେ ଉଦ୍ୟାନରେ ଭ୍ରମଣ କରୁ କରୁ ମାଧବ୍ୟଙ୍କୁ ସମ୍ବୋଧନ କରି କହିଲେ, ‘‘ବୟସ୍ୟ, ଆହା ! ସେହି ହରିଣନୟନା ପ୍ରେୟସୀ ମୋତେ ନାନାଭାବରେ ପ୍ରବୋଧିତ କଲେ ସୁଦ୍ଧା ନିତାନ୍ତ ମୂଢ଼ତାପ୍ରଯୁକ୍ତ ମୁଁ ସେତେବେଳେ ମୋହନିଦ୍ରାରେ ଅଭିଭୂତ ରହିଲି; ବର୍ତ୍ତମାନ ଅନୁତାପାଗ୍ନିରେ ଦଗ୍ଧ ହେବାପାଇଁ ମୋର ଜାଗରଣ ହୋଇଅଛି ! ସଖେ, ଛିଦ୍ର ପାଇଲେ ଅନର୍ଥମାନ ପ୍ରବଳତରରୂପେ ଉପସ୍ଥିତ ହୁଅନ୍ତି—ଏହି ଲୌକିକୋକ୍ତି ମିଥ୍ୟା ନୁହେ; ଯେତେବେଳେ ମୁଁ ଅକାରଣରେ ପ୍ରେୟସୀଙ୍କୁ ନିରାକୃତ କରି ଅନୁତାପାନଳରେ ଦଗ୍ଧ ହେଉଅଛି, ଠିକ୍ ସେହି ସମୟରେ ମଧୁମୟ ସୁରଭିକାଳ କାଳରୂପରେ ଆସି ସମୁପସ୍ଥିତ । ବନ୍ଧୋ ! ଚତୁର୍ଦ୍ଦିଗ ମୋତେ ଅନ୍ଧକାରମୟ ଦିଶୁଅଛି; ଚାଲ କୌଣସି ସ୍ଥାନରେ ବସି ‘‘ପ୍ରିୟାଙ୍କର ଅଙ୍ଗଲତିକାଅନୁରୂପ ଲତା ଦର୍ଶନ କରି ନୟନ ବିନୋଦନ କରିବା ।’’ ମାଧବ୍ୟ ଉତ୍ତର କଲେ, ‘‘ସଖେ, ଆପଣଙ୍କ ସ୍ୱହସ୍ତ ଅଙ୍କିତ ଶକୁନ୍ତଳାଙ୍କ ଚିତ୍ର ବର୍ତ୍ତମାନ ମାଧବୀଲତାମଣ୍ଡପକୁ ଆଣିବାପାଇଁ ଆପଣ ଚିତ୍ରକାରୀ ମେଧାବିନୀକୁ ଆଦେଶ କରିଥିଲେ; ଚାଲନ୍ତୁ ସେହି ସ୍ଥାନକୁ ଯାଇ ବର୍ତ୍ତମାନ ସମୟ ଅତିବାହିତ କରିବା ।’’ ମାଧବ୍ୟ ଓ ରାଜା ଉଭୟେ ତତ୍ତ୍ୱରେ ମଣିମୟଶିଳାତଳବିଶିଷ୍ଟ ମାଧବୀ-ଲତା ମଣ୍ଡପରେ ଉପସ୍ଥିତ ହେଲେ । ନିସର୍ଗ ମାରୁତର ସଞ୍ଚାଳନରେ ସେହି ବିବିକ୍ତ ପ୍ରଦେଶ ଅତ୍ୟନ୍ତ ରମଣୀୟ ହୋଇଥିଲା । ସେ ସ୍ଥାନରେ ଉପବେଶନ କରି ରାଜା ମାଧବ୍ୟଙ୍କୁ କହିଲେ, ‘‘ସଖେ, ତୁମ୍ଭଙ୍କୁ ପୂର୍ବେ ଯାହା କହିଥିଲି, ଶକୁନ୍ତଳାଙ୍କର ପ୍ରଥମଦର୍ଶନ ସମୟରୁ ସମସ୍ତ କଥା ବର୍ତ୍ତମାନ ମୋର ମନେ ପଡ଼ୁଅଛି । ଯେତେବେଳେ ତାଙ୍କୁ ମୁଁ ନିରାଶ କରି ଫେରାଇ ଦେଲି ସେତେବେଳେ ତୁମ୍ଭେ ମୋ ସମୀପରେ ଉପସ୍ଥିତ ନ ଥିଲ । ତାହା ପୂର୍ବେ ତ ଆଉ କେବେ ତୁମ୍ଭେ ମୋ ଆଗରେ ତାଙ୍କ କଥା ଉତ୍ଥାପନ କରି ନ ଥିଲ ? ତେବେ କଣ ତୁମ୍ଭେ ମଧ୍ୟ ମୋପରି ସମସ୍ତ କଥା ବିସ୍ମୃତ ହୋଇ ଯାଇଥିଲ ?’’ ମାଧବ୍ୟ କହିଲେ, ‘‘ବନ୍ଧୋ, ମୁଁ ବିସ୍ମୃତ ହୋଇ ନାହିଁ, ଶକୁନ୍ତଳାସମ୍ବନ୍ଧୀ ସମସ୍ତ କଥା କହି ଶେଷରେ ଆପଣ ମୋତେ କହିଥିଲେ ଯେ, ତାହା କଳ୍ପନାଜନିତ ପରିହାସ ମାତ୍ର, ଯଥାର୍ଥ ନୁହେ; ମୁଁ ଏକଥା କିପରି ସତ୍ୟ ବୋଲି ବିଶ୍ୱାସ କରନ୍ତି ? ଅଥବା ଏ ବିଷୟରେ ଭବିତବ୍ୟତା ବଳବତୀ ଅଟେ ।’’ ଏହିପରି ଶକୁନ୍ତଳାପ୍ରସଙ୍ଗରେ ରାଜାଙ୍କର ଅନୁତାପାନଳ ଦ୍ୱିଗୁଣିତ ହୋଇ ଉଠିଲା । ସେ ହୃଦୟମର୍ମସ୍ଥଳରେ ଶତବୃଶ୍ଚିକଦଂଶନଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ । ମାଧବ୍ୟ ରାଜାଙ୍କୁ ପ୍ରବୋଧ ଦେଇ କହିଲେ, ‘‘ବନ୍ଧୋ, ଏପରି ଅଧୀର ହେବା ସତ୍‍ପୁରୁଷମାନଙ୍କ ପକ୍ଷରେ ଶୋଭନୀୟ ନୁହେ । ପ୍ରବଳ ପ୍ରଭଞ୍ଜନରେ କ୍ଷୁଦ୍ର ବୃକ୍ଷ ସିନା ଭୂପତିତ ହୋଇଯାଏ, ପର୍ବତ କେବେ ବିଚଳିତ ହୁଏ କି ?’’ ଅନନ୍ତର ରାଜା କହିଲେ, ‘‘ସଖେ, ଯେତେବେଳେ ମୁଁ ଶକୁନ୍ତଳାଙ୍କୁ ପ୍ରତ୍ୟାଖ୍ୟାନ କଲି, ସେତେବେଳେ ସେ ଏକାନ୍ତ ବିହ୍ୱଳଚିତ୍ତ ହୋଇ ମୋ ପ୍ରତି ଯେଉଁ ସକରୁଣ ଦୃଷ୍ଟି ନିକ୍ଷେପ କରିଥିଲେ, ତାହା ସ୍ମରଣ କରି ମୁଁ ଆଉ ଧୈର୍ଯ୍ୟ ଧରି ପାରୁ ନାହିଁ । ଆହା, ମୁଁ ପରିତ୍ୟାଗ କରନ୍ତେ ସଖୀ ଗୌତମୀ ପ୍ରଭୃତି ସ୍ୱଜନମାନଙ୍କର ଅନୁଗମନ କରିବାପାଇଁ ନିଶ୍ଚୟ କରିଥିଲେ । ଅନନ୍ତର ଗୁରୁତୁଲ୍ୟ ଗୁରୁଶିଷ୍ୟ ଶାର୍ଙ୍ଗରବ ଯେତେବେଳେ କର୍କଶ ସ୍ୱରରେ ‘‘ରହ’’ ବୋଲି କହିଲେ, ସେତେବେଳେ ସେହି ଦୁଃଖିନୀ ମୋ ପ୍ରତି ପୁନର୍ବାର ଯେଉଁ ବାଷ୍ପାକୁଳ ଦୃଷ୍ଟିପାତ କରିଥିଲେ, ତାହା ବିଷବିଗ୍ଧ ଶଲ୍ୟ ପରି ମୋ ସର୍ବାଙ୍ଗରେ ଜ୍ୱାଳା ଜନ୍ମାଉଅଛି ।’’ ମାଧବ୍ୟ ପୁନର୍ବାର ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ କହିଲେ, ‘‘ମହାରାଜ, ସେ ବିଷୟରେ ମୋର କିଛି ପଚାରିବାର ଅଛି; ଶୁଣିଲି, ଆକାଶଚାରୀ କୌଣସି ବ୍ୟକ୍ତି ହଠାତ୍ ଆସି ତାଙ୍କୁ ଘେନି ଗଲା । ଏହା କିପରି କଥା ?’’ ରାଜା କହିଲେ, ‘‘ବନ୍ଧୋ ଆଉ କିଏ ସେହି ପତିବ୍ରତାଙ୍କୁ ସ୍ପର୍ଶ କରିବାରେ କ୍ଷମ ହୁଅନ୍ତା ? କଣ୍ୱାଶ୍ରମରେ ଥିବାବେଳେ ମୁଁ ତାଙ୍କ ସଖୀମାନଙ୍କଠାରୁ ଶୁଣିଥିଲି ଯେ, ଅପ୍ସରା ମେନକା ତାଙ୍କର ଜନନୀ । ଅପ୍ସରାମାନେ ଦେବଯୋନି ବୋଲି ଅଣିମାଦି ଅଷ୍ଟସିଦ୍ଧି ସେମାନଙ୍କର କରତଳଗତ । ସମ୍ଭବତଃ ସ୍ୱୟଂ ମେନକା ଅଥବା ତାଙ୍କର କେହି ଆତ୍ମୀୟସ୍ୱଜନ ଲୋକୋତ୍ତରକୌଶଳରେ ତାଙ୍କୁ ସ୍ୱର୍ଗକୁ ଘେନି ଯାଇ ଅଛନ୍ତି ।’’ ଏହା ଶୁଣି ମାଧବ୍ୟ କହିଲେ, ‘‘ବୟସ୍ୟ, ତେବେ ଆଶ୍ୱସ୍ତ ହୁଅନ୍ତୁ, ନିଶ୍ଚୟ ଦିନେ ତାଙ୍କ ସଙ୍ଗେ ମିଳନ ହେବ । ପିତାମାତା କେବେହେଁ ଚିରକାଳ ସ୍ୱାମିବିରହକାତରା କନ୍ୟାର ଦୁଃଖ ସହି ପାରିବେ ନାହିଁ ।’’ ଏହା ଶୁଣି ରାଜା ଦୀର୍ଘନିଶ୍ୱଶସ ତ୍ୟାଗ କରି କହିଲେ, ‘‘ବନ୍ଧୋ, ଶକୁନ୍ତଳାଙ୍କର ବିବାହାଦି ବିଷୟ ମୋତେ ସ୍ୱପ୍ନଦୃଷ୍ଟ ପରି ବୋଧ ହେଉଅଛି । ଏହା ମାୟା କି ଇନ୍ଦ୍ରଜାଲ, ମୁଁ ବର୍ତ୍ତମାନ ସ୍ଥିର କରି ପାରୁ ନାହିଁ । ମୋର ସ୍ୱଳ୍ପାବିଶିଷ୍ଟ ପୂର୍ବପୁଣ୍ୟବଳରୁ ମୁଁ ତାଙ୍କୁ କେତେଦିନ ପାଇଁ ପାଇଥିଲି । ସେହି ପୁଣ୍ୟ ନିଃଶେଷ ହୋଇଯାଇଅଛି । ଆଉକି ଏ ଜୀବନରେ ତାଙ୍କର ଦର୍ଶନ ପାଇବି ? ପର୍ବତର ଅତଟ ପ୍ରଦେଶରୁ ନିପତିତ ହେବା ଲୋକର ଜୀବନର ଆଶା ପରି ମୋର ପ୍ରିୟାଲାଭଆଶା ସମୂଳେ ବିନଷ୍ଟ ହୋଇଅଛି ।’’

 

ଏହା ଶୁଣି ମାଧବ୍ୟ କହିଲେ, ‘‘ବନ୍ଧୋ, ସେପରି ଭାବ ନାହିଁ, ଅଙ୍ଗୁରୀୟକଟି ଏ ବିଷୟରେ ନିଦର୍ଶନ । ଯେତେବେଳେ ତାହା ଅଚିନ୍ତନାୟ ରୂପେ ଆପଣଙ୍କ ହସ୍ତଗତ ହୋଇଅଛି, ସେତେବେଳେ ପ୍ରଣୟିନୀଙ୍କୁ ସେହିପରି ଅସମ୍ଭବିତରୂପେ ଆପଣ ଅବଶ୍ୟ ପାଇବେ ।’’ ରାଜା ସେହି ଅଙ୍ଗରୀୟଟିକୁ ନିରୀକ୍ଷଣ ବାଷ୍ପଗଦ୍‌ଗଦ୍‌ କଣ୍ଠରେ କହିଲେ, ‘‘ହେ ଅଙ୍ଗୁରୀୟ, ମୁଁ ମନେକରେ ତୋର ପୂର୍ବାର୍ଜିତ ପୁଣ୍ୟ ଅତ୍ୟଳ୍ପ । ଯେହେତୁରୁ ପ୍ରିୟାଙ୍କର ସେହି ଅରୁଣନଖଯୁକ୍ତ କମନୀୟ ଅଙ୍ଗୁଳିରେ ସ୍ଥାନ ପାଇ ସୁଦ୍ଧା ପରିଭ୍ରଷ୍ଟ ହୋଇଅଛୁ ।’’

 

ମାଧବ୍ୟ ପଚାରିଲେ, ‘‘ମହାରାଜ ! କି ଉଦ୍ଦେଶ୍ୟରେ ଆପଣ ଏହି ମୁଦୀଟି ତାହାଙ୍କ ଅଙ୍ଗୁଳିରେ ପିନ୍ଧାଇ ଦେଇଥିଲେ ?’’ ରାଜା ଉତ୍ତର କଲେ ‘‘ବୟସ୍ୟ ! ଯେତେବେଳେ ତପୋବନ ତ୍ୟାଗ କରି ମୁଁ ରାଜଧାନୀ ଅଭିମୁଖରେ ପ୍ରତ୍ୟାବର୍ତ୍ତନ କଲି, ସେତେବେଳେ ପ୍ରିୟସଖୀ ବାଷ୍ପାକୁଳନେତ୍ରରେ ମୋତେ କହିଲେ, ‘ଆର୍ଯ୍ୟପୁତ୍ର, ମୋତେ ପୁଣି କେତେ ଦିନରେ ସ୍ମରଣ କରିବେ-?’ ମୁଁ ତହୁଁ ମୋର ନାମାଙ୍କିତ ଏହି ମୁଦୀଟି ତାଙ୍କ ଅଙ୍ଗୁଳିରେ ପିନ୍ଧାଇଦେଇ କହିଥିଲି,

 

‘‘ଦିନେ ଦିନେ ସଖି ! ଗୋଟିଏ ଗୋଟିଏ

ଗଣିବ ମୋ ନାମାକ୍ଷରେ,

ସରିବ ଯେ ଦିନ, ସୃଜନ ଆସିବ

ଘେନିଯିବ ମୋ ନବରେ ।’’

 

ମୁଁ ଅତୀବ ନିଦାରୁଣ, ପାପାତ୍ମା; ମୋହବଶତଃ ମୁଁ ତାହାର ଅନୁଷ୍ଠାନ କଲି ନାହିଁ ।’’ ମାଧବ୍ୟ କହିଲେ, ‘‘ତାହାହେଲେ ଏ ମୁଦୀ ରୋହିତମତ୍ସ୍ୟର ଉଦରସ୍ଥ ହେଲା କିପରି ?’’ ରାଜା କହିଲେ, ‘‘ସଖେ, ପଥରେ ଆସିବାବେଳେ ଶଚୀତୀର୍ଥୋଦକକୁ ବନ୍ଧନା କରୁ କରୁ ପ୍ରେୟସୀଙ୍କ ଅଜ୍ଞାତରେ ତାଙ୍କ ଅଞ୍ଚଳରୁ ଗଙ୍ଗାଗର୍ଭରେ ଏହା ପଡ଼ି ଯାଇଥିଲା ।’’

 

ଏହି ସମୟରେ ଚିତ୍ରକରୀ ସେଠାରେ ଉପସ୍ଥିତ ହୋଇ ଶକୁନ୍ତଳାଙ୍କର ଚିତ୍ରଫଳକ ମହାରାଜଙ୍କ ହସ୍ତରେ ପ୍ରଦାନ କଲା । ଚିତ୍ରଦର୍ଶନରେ ତାଙ୍କର ଶୋକସିନ୍ଧୁ ପୁନର୍ବାର ଉଦ୍‌ବେଳ ହୋଇ ଉଠିଲା । ଚିତ୍ରଗତ ଶକୁନ୍ତଳାଙ୍କର ଆକର୍ଣ୍ଣବିସ୍ତୃତ ନୟନଯୁଗଳ, ବିଳାସମନୋହର ଭ୍ରୁଲତା ହାସ୍ୟଜ୍ୟୋସ୍ନା ଉଦ୍‌ଭାସିତ ପରିପକ୍ୱ କର୍କନ୍ଧୁକାନ୍ତିବିଶିଷ୍ଟ ଓଷ୍ଠଯୁଗଳ ଏବଂ ଶୋଭାକରସ୍ୱେଦବିନ୍ଦୁସମ୍ବଳିତ ବଦନମଣ୍ଡଳ ଦର୍ଶନ କରି ସେ ଏକାବେଳକେ ତନ୍ମୟ ହୋଇଗଲେ । ତାଙ୍କର ମନେହେଲା ସତେ ଯେପରି ଶକୁନ୍ତଳା ଆଳାପ କରିବା ନିମିତ୍ତ ତାଙ୍କ ସମ୍ମୁଖରେ ଠିଆ ହୋଇଅଛନ୍ତି । ସେ ବାଷ୍ପାକୁଳଲୋଚନରେ ମାଧବ୍ୟଙ୍କୁ କହିଲେ, ‘‘ମିତ୍ର, ପ୍ରିୟା ସ୍ୱୟଂ ମୋ ସମ୍ମୁଖରେ ଉପସ୍ଥିତ ହୋଇଥିଲେ, ତାଙ୍କୁ ପରିତ୍ୟାଗ କରି ବର୍ତ୍ତମାନ ଚିତ୍ରାର୍ପିତା ପ୍ରିୟାଙ୍କ ପ୍ରତି ବହୁମାନ ପ୍ରଦର୍ଶନ କରୁଅଛି; ସଖେ, ଦେଖ ମୁଁ କି ଅଜ୍ଞାନ. ମାର୍ଗମଧ୍ୟରେ ପର୍ଯ୍ୟାପ୍ତସଲିଳା ସ୍ରୋତସ୍ୱତୀକୁ ତ୍ୟାଗ କରି ବର୍ତ୍ତମାନ ମୃଗତୃଷ୍ଣାରେ ପ୍ରଣୟ କରୁଅଛି !!’’ ମାଧବ୍ୟ ବହୁକ୍ଷଣ ଚିତ୍ରକୁ ପର୍ଯ୍ୟବେକ୍ଷଣ କରି କହିଲେ, ‘‘ସଖେ, ବନ୍ଧନ ଶିଥିଳ ହେବାରୁ ଚିତ୍ରରେ ଯାହାଙ୍କର କେଶପାଶରୁ କୁସୁମନିଚୟ ଖସିପଡ଼ିଲା ପରି ଦେଖା ଯାଉଅଛି, ସ୍ୱେଦବିନ୍ଦୁପଟଳ ଯାହାଙ୍କର ବଦନ ମଣ୍ଡଳରେ ମୁକ୍ତାକଳାପ ପରି ନିବଦ୍ଧ ହୋଇ ରହିଅଛି, ସନ୍ନତ ସ୍କନ୍ଧଦେଶରେ ଯାହାଙ୍କର ବାହୁଲତା ଶିଥିଳ ହୋଇ ଲମ୍ବମାନ ରହିଅଛି ଏବଂ ଯେ ଏହି ନବଲ୍ଲବିତ ବାଳଚୂତତରୁ ସମୀପରେ ଚିତ୍ରରେ ଚିତ୍ରିତ ହୋଇଅଛନ୍ତି, ସେ କଣ ସେହି ମାନନୀୟା ଶକୁନ୍ତଳା ? ଅନ୍ୟ ଯୁବତୀଦ୍ୱୟ କଣ ତାଙ୍କର ସଖୀ ?’’ ଏହା ଶୁଣି ରାଜା କହିଲେ, ‘‘ତୁମ୍ଭର ଅନୁମାନ ଯଥାର୍ଥ । ମାତ୍ର ବନ୍ଧୋ ! ଏହି ଚିତ୍ରରେ ତପୋବନରେ ସମସ୍ତ ଦୃଶ୍ୟ ଚିତ୍ରିତ ହୋଇନାହିଁ । ମୋର ଇଚ୍ଛା ଯେ, ଯାହାର ସିକତାମୟ ପ୍ରଦେଶରେ ମରାଳମିଥୁନ ନିତ୍ୟ କ୍ରୀଡ଼ାରତ, ସେହି ତପୋବନ ପଦବିହାରିଣୀ ସ୍ରୋତୋବହା ମାଳିନୀ ନଦୀର ଚିତ୍ର ଏଥିରେ ରହିବ; ମାଳିନୀର ଉଭୟ ପାର୍ଶ୍ୱରେ ଚମରୀମୃଗନିଷେବିତ ଗୌରୀଗୁରୁ ହିମାଦ୍ରିର ପାବନ ପ୍ରତ୍ୟନ୍ତ ପର୍ବତନିଚୟ ଚିତ୍ରିତ ହେବ ଏବଂ ଯେଉଁ ବୃକ୍ଷମାନଙ୍କର ଛାୟାରେ କୃଷ୍ଣସାର ମୃଗର ଶୃଙ୍ଗରେ ମୃଗୀ ସ୍ୱୀୟ ବାମନୟନ କଣ୍ଡୂୟନ କରିବାରେ ବ୍ୟାପୃତ ଥାଏ ମୁନିମାନଙ୍କର ବକ୍କଳବସନ ଆଲମ୍ବନରେ ପରିଶୋଭିତ ସେହି ତପୋବନ ତରୁରାଜି ମଧ୍ୟ ଏଥିରେ ଅଙ୍କିତ ରହିବ । ଆଉ ମଧ୍ୟ ଶକୁନ୍ତଳାଙ୍କର ଅଭିମତ ବେଶବିନ୍ୟାସ ଅଙ୍କିତ କରିବାକୁ ହେବ ।’’

 

ଏହା କହି ରାଜା ଆସନ୍ନପରିଚାରିକାକୁ ତୂଳିକାଦି ଚିତ୍ରସାଧନ ଆଣିବାପାଇଁ ଆଦେଶ ଦେଲେ । ଚିତ୍ର ଦର୍ଶନ କରୁ କରୁ ରାଜା ଏପରି ତନ୍ମୟ ହୋଇଗଲେ ଯେ, ଚିତ୍ରିତ ପ୍ରତିମୂର୍ତ୍ତିକୁ ସେ ପ୍ରକୃତ ବୋଲି ମନେକରି ତା ସଙ୍ଗେ, ଆଳାପ କରିବାରେ ପ୍ରବୃତ୍ତ ହେଲେ । ବୟସ୍ୟ ମାଧବ୍ୟ ତାହାଙ୍କୁ ପ୍ରତିବୋଧିତ କରନ୍ତେ ସେ ସଂଜ୍ଞା ଲାଭ କରି ବାଳକବତ୍ ରୋଦନ କରିବାକୁ ଲାଗିଲେ ।

 

ଇତ୍ୟବସରରେ ମନ୍ତ୍ରୀଙ୍କ ପତ୍ରରୁ ରାଜା ଅବଗତ ହେଲେ ଯେ ଧନବୃଦ୍ଧି ନାମଧେୟ ଜଳପଥୋପଜୀବୀ ଜନୈକ ବଣିକ୍ ନୌବ୍ୟସନ ହେତୁ ପ୍ରାଣତ୍ୟାଗ କରିଅଛନ୍ତି । ସେ ଅନପତ୍ୟ । ତାଙ୍କର ବିପୁଳ ଧନରାଶିର କେହି ଉତ୍ତରାଧିକାରୀ ନ ଥିବାରୁ ମହାରାଜ ସ୍ୱୟଂ ତାହାର ଅଧିକାରୀ । ଏହା ଜାଣି ମହାରାଜ ଅତ୍ୟନ୍ତ ଦୁଃଖିତ ହୋଇ ମନ୍ତ୍ରୀଙ୍କ ନିକଟକୁ କହି ପଠାଇଲେ ଯେ, ଶୁଣାଯାଏ ଧନବୃଦ୍ଧିଙ୍କର ଅନେକଗୁଡ଼ିଏ କଳତ୍ର ଅଛନ୍ତି । ଯେବେ ତାଙ୍କର କୌଣସି ପତ୍ନୀ ସସତ୍ତ୍ୱା ହୋଇଥିବେ, ତେବେ ସେହି ଗର୍ଭସ୍ଥ ସନ୍ତାନ ପିତୃଧନର ଉତ୍ତରାଧିକାରୀ । ଅଥବାରାଜ୍ୟରେ ପ୍ରଚାର କରାଯାଉ ଯେ ପାପିଷ୍ଠମାନଙ୍କୁ ଛାଡ଼ି ଯେଉଁ ପ୍ରଜାମାନେ ପ୍ରିୟବନ୍ଧୁମାନଙ୍କଦ୍ୱାରା ବିଯୁକ୍ତ ହେବେ ଦୁଷ୍ମନ୍ତ ସେମାନଙ୍କର ପ୍ରିୟବନ୍ଧୁ ।

 

ଅନନ୍ତର ରାଜା ଦୀଘୋଷ୍ଠନିଶ୍ୱାସ ନିକ୍ଷେପ କରି ବୟସ୍ୟଙ୍କୁ କହିଲେ, ‘‘ବନ୍ଧୋ, ମୂଳପୁରୁଷର ଅବସାନରେ ଧନସମ୍ପତି ସମୁଦାୟ ନିରବଲମ୍ବ ହୋଇ ଏହିପରି ପରାଧିକାରକୁ ଗମନ କରେ । ମୋ ଅନ୍ତେ ପୁରୁବଂଶଲକ୍ଷ୍ମୀଙ୍କର ମଧ୍ୟ ଏହି ଅବସ୍ଥା ହେବ । ମୁଁ ଯେତେବେଳେ ଉପସ୍ଥିତ ମଙ୍ଗଳର ଅବମାନନା କରିଅଛି, ସେତେବେଳେ ମୁଁ ଧିକ୍କୃତ ହେବାର ଉପଯୁକ୍ତ । ଆହା, ବିପୁଳ ଫଳପ୍ରସବୋନ୍ମୁଖୀ ବସୁନ୍ଧରା ପରି ମୋ କୁଳର ପ୍ରତିଷ୍ଠାରୂପିଣୀ ଅନ୍ତଃସତ୍ତ୍ୱା ଧର୍ମପତ୍ନୀଙ୍କୁ ତ୍ୟାଗ କଲି । ମୋର ପିଣ୍ଡଭୋଗୀ ପିତୃଗଣ ସଂପ୍ରତି ସଂଶୟିତ ହୋଇଅଛନ୍ତି । ମୋ ଅନ୍ତେ ସ୍ମୃତିବିଧାନାନୁସାରେ କିଏ ଆଉ ପିତୃପିଣ୍ଡାଦି ଦାନ କରିବ ? ନିଃସନ୍ତାନ ହୋଇ ବିକଳହୃଦୟରେ ଅଶ୍ରୁପାତ ସହକାରେ ମୁଁ ପୂର୍ବପୁରୁଷମାନଙ୍କ ଉଦ୍ଦେଶ୍ୟରେ ଦର୍ପଣବେଳେ ଯେଉଁ ଜଳାଞ୍ଜଳି ପ୍ରଦାନ କରୁଅଛି, ତାହାକୁ ସଂପ୍ରତି ସେମାନେ ଦୁର୍ଲଭଜ୍ଞାନରେ ଗ୍ରହଣ କରୁଅଛନ୍ତି । ମୁଁ ଅନାର୍ଯ୍ୟ; ସରସ୍ୱତୀ ସଂକୀର୍ଣ୍ଣ ଜନଶୂନ୍ୟ ପ୍ରଦେଶରେ ଅଦୃଶ୍ୟ ହେଲା ପରି ଅପୁତ୍ରିକ ଅବସ୍ଥାରେ ମୋର ମୃତ୍ୟୁ ହେଲେ, ଅବିଚ୍ଛିନ୍ନ-ସନ୍ତତି ପୁରୁବଂଶ ମୋଠାରୁ ହିଁ ଅସ୍ତମିତ ହୋଇଯିବ ।’’

 

ଏହା କହୁ କହୁ ରାଜା ମୂର୍ଚ୍ଛିତ ହୋଇ ଭୂତଳରେ ପତିତ ହେଲେ । କିୟନୂହୁର୍ତ୍ତ ପରେ ପୁନର୍ବାର ସଂଜ୍ଞା ଲାଭ କରି ବାଷ୍ପଗଦ୍‌ଗଦ୍‌ କଣ୍ଠରେ ବିଳାପ କରିବାକୁ ଲାଗିଲେ ।

 

ମେନକାଙ୍କ ଅନୁରୋଧରେ ତାଙ୍କ ପ୍ରିୟସଖୀ ମିଶ୍ରକେଶୀ ଶକୁନ୍ତଳାଙ୍କୁ ପ୍ରବୋଧ ଦେବାପାଇଁ ଇତିମଧ୍ୟରେ ତିରଷ୍କରିଣୀ ବିଦ୍ୟାବଳରେ ଅଦୃଶ୍ୟଭାବରେ ରାଜାନ୍ତଃପୁର ମଧ୍ୟରେ ପ୍ରବେଶ କରି ରାଜାଙ୍କର ଭାବପ୍ରବଣତା ଦର୍ଶନରେ ଏକାନ୍ତ ମୁଗ୍ଧ ହୋଇଗଲେ । ମୁଦ୍ରିକା ପାଇବା ପରେ ଶକୁନ୍ତଳାଙ୍କ ବିରହରେ ରାଜା କିପରି ମ୍ରିୟମାଣ ଓ ଶୋକାକୁଳ ହୋଇଥିଲେ, ସେ ସମସ୍ତ ମିଶ୍ରକେଶୀ ସ୍ୱଚକ୍ଷୁରେ ଦର୍ଶନ କରିଥିଲ; । ରାଜା ଯେତେବେଳେ ଏକାନ୍ତ ଅଧୀର ହୋଇ କ୍ରନ୍ଦନ କଲେ, ମିଶ୍ରକେଶୀ ତାଙ୍କ ଦୁଃଖ ଦେଖି ଏପରି ଦୁଃଖିତ ହୋଇଥିଲେ ଯେ, ସେ ସ୍ୱୟଂ ଅଶ୍ରୁବିସର୍ଜନ ନ କରି ରହି ପାରି ନ ଥିଲେ । ଏପରି ଅନୁରକ୍ତ ସ୍ୱାମୀଙ୍କଦ୍ୱାରା ପରିତ୍ୟକ୍ତ ହେଲେହେଁ ଶକୁନ୍ତଳା ଯେ ଭାଗ୍ୟବତୀ, ଏଥିରେ ତାଙ୍କ ମନରେ ସନ୍ଦେହ ରହିଲା ନାହିଁ । ସେ ସ୍ୱର୍ଗରେ ମେନକା ଏବଂ ଶକୁନ୍ତଳାଙ୍କ ନିକଟରେ ଏ ସମସ୍ତ ଘଟନାର ଆନୁପୂର୍ବିକ ବର୍ଣ୍ଣନା କରିବାକୁ ଅବଶ୍ୟ ବିସ୍ମୃତ ହେଲେ ନାହିଁ ।

Image

 

ମିଳନ

 

ଏହିପରି କେତେକାଳ ଅତିବାହିତ ହୋଇଗଲା । ଇତିମଧ୍ୟରେ କାଳନେମି ସନ୍ତତି ଦାନବଗଣ ସ୍ୱର୍ଗରେ ଅତ୍ୟନ୍ତ ଉପଦ୍ରବ ଆରମ୍ଭ କଲେ । ସେମାନଙ୍କୁ ଦମନ କରିବାରେ ଅକ୍ଷମ ହୋଇ ଦେବରାଜ ମହେଶ୍ୱାସ ରାଜର୍ଷି ଦୁଷ୍ମନ୍ତଙ୍କର ସାହାଯ୍ୟାର୍ଥୀ ହେଲେ । ଇନ୍ଦ୍ରଙ୍କ ସାରଥି ମାତଳି ମହାରାଜଙ୍କୁ ରଥରେ ବସାଇ ସ୍ୱର୍ଗକୁ ଘେନି ଗଲେ । ଦୁଷ୍ମନ୍ତ ଅତ୍ୟନ୍ତ ବିକ୍ରମ ସହକାରେ ଦାନବମାନଙ୍କୁ ପରାସ୍ତ କରି ଦେବରାଜଙ୍କ କର୍ତ୍ତୃକ ନିରତିଶୟ ସମ୍ମାନିତ ହେଲେ । ଅସୁରବିଜୟ ପରେ ଦେବରାଜ ତାଙ୍କର ଗଳଦେଶରେ ହରିଚନ୍ଦନାର୍ଚ୍ଚିତ ମନ୍ଦାରମାଳା ଲମ୍ବାଇ ଦେଇ ଦେବତାମାନଙ୍କ ସମକ୍ଷରେ ସ୍ମିତବଦନରେ ସ୍ୱୀୟ ଅର୍ଦ୍ଧାସନରେ ଉପବେଶନ କରିବାକୁ ତାଙ୍କୁ ଅନୁରୋଧ କଲେ । ତହିଁରେ ସେ ମନୋରଥର ଅଗୋଚର ସମ୍ମାନ ଲାଭ କରି ଶେଷରେ ଅତ୍ୟନ୍ତ କୃତଜ୍ଞତା ପ୍ରଦର୍ଶନପୂର୍ବକ ତାଙ୍କଠାରୁ ବିଦାୟ ଗ୍ରହଣ କଲେ । ମାତଳି ସହ ବ୍ୟୋମଯାନରେ ପ୍ରତ୍ୟାବର୍ତ୍ତନ କଲାବେଳେ ରାଜମାର୍ଗ ମଧ୍ୟରେ ସୁରସୁନ୍ଦରୀମାନଙ୍କ କର୍ତ୍ତୃକ ଗୀତ ହେଉଥିବା ସ୍ୱକୀୟ ଯଶୋଗାଥା ପରମ ପରିତୋଷସହକାରେ ଶୁଣି ଶୁଣ, ସୁରବର୍ତ୍ତର ଯେଉଁ ପ୍ରଦେଶରେ ମନ୍ଦାକିନୀ ପ୍ରବାହିତ, ସେହି ରଜୋହୀନ ପ୍ରଶାନ୍ତ ପବିତ୍ର ପ୍ରଦେଶରେ ଉପସ୍ଥିତ ହେଲେ । ତତ୍ପରେ ମେଘସଂଚରଣଯୋଗ୍ୟ ପ୍ରଦେଶର ନିମ୍ନଭାଗରେ ଯେତେବେଳେ ପହଞ୍ଚିଲେ, ସେତେବେଳେ ମନୁଷ୍ୟଲୋକର ଅଦ୍ଭୁତ ଦୃଶ୍ୟ ତାଙ୍କ ଚକ୍ଷୁସମକ୍ଷରେ ଭାସମାନ ହେଲା । ତାଙ୍କୁ ବୋଧ ହେଲା, ଯେପରି ମେଦିନୀ ଊର୍ଦ୍ଧ୍ୱଗାମୀ ଶୈଳଶିଖରରୁ କ୍ରମେ ନିମ୍ନକୁ ଅବତରଣ କରୁଅଛି । ଏହିପରି ବିଚିତ୍ତ ଦୃଶ୍ୟ ଦର୍ଶନରେ ସେ ଏକାନ୍ତ ପ୍ରୀତ ହୋଇ ମାତଳିଙ୍କୁ ପ୍ରଶ୍ନ କଲେ ‘‘ମାତଳେ ! ସାୟଂକାଳୀନ ମେଘସଦୃଶ ଏହି ଯେଉଁ ପର୍ବତଦେହରୁ କନକରସ ନିଃସ୍ୟନ୍ଦିତ ହେଉଅଛି ଏବଂ ଯେ ପୂର୍ବ ଓ ପଶ୍ଚିମ ସମୁଦ୍ରରେ ଅବଗାହନ କଲାପରି ଦେଖା ଯାଉଅଛି, ତାହା କେଉଁ ପର୍ବତ ?’’ ମାତଳି ଉତ୍ତର କଲେ, ‘‘ଆୟୁଷ୍ମନ୍, ଏହା ହେମକୂଟନାମକ କିଂପୁରୁଷ ପର୍ବତ—ତପସ୍ୱୀମାନଙ୍କର ବାସସ୍ଥାନ । ସୁରାସୁରମାନଙ୍କର ଜନ୍ମଦାତା ମହର୍ଷି କଶ୍ୟପ ଏହି ହେମକୂଟ ପର୍ବତରେ ସସ୍ତ୍ରୀକ ହୋଇ ତପସ୍ୟା କରୁଅଛନ୍ତି ।’’ ରାଜା କହିଲେ, ‘‘ତାହା ହେଲେ ମହର୍ଷିଙ୍କୁ ପ୍ରଦକ୍ଷିଣ କରି ଗମନ କରିବା ସର୍ବଥା ଶ୍ରେୟସ୍କର । ମାତଳେ ! ମାରୀଚାଶ୍ରମ କେଉଁଆଡ଼େ ? ମାତଳି କହିଲେ, ‘‘ଦେଖିବା ହେଉ; ଏହି ଯେଉଁ ଋଷିଙ୍କର ଶରୀରାର୍ଦ୍ଧ ଭାଗ ବଲ୍ମୀକମଧ୍ୟରେ ନିମଗ୍ନ ରହିଅଛି, ସର୍ପହକ୍ ଯାହାଙ୍କ ଦେହରେ ଦ୍ୱିତୀୟ ବ୍ରହ୍ମସୂତ୍ର ପରି ଶୋଭା ପାଉଅଛି, ଜୀର୍ଣ୍ଣଲାତାଜାଳ ବଳୟାକାରରେ ଯାହାଙ୍କର ଗଳଦେଶରେ ବିଜଡ଼ିତ ହୋଇ ରହିଅଛି, ଯାହାଙ୍କର ସନ୍ଧୋପରି ବିସ୍ତୃତ ଜଟାକଳାପମଧ୍ୟରେ ପକ୍ଷୀମାନେ ନୀଡ଼ ନିର୍ମାଣ କରିଅଛନ୍ତି ଏବଂ ଯେ ସୂର୍ଯ୍ୟମଣ୍ଡଳରେ ଦୃଷ୍ଟି ଆରୋପଣ କରି ସ୍ଥାଣୁପରି ଅଚଳ ହୋଇ ରହିଅଛନ୍ତି, ସେହି ଉଗ୍ରତପା ମହର୍ଷିଙ୍କର ଅନତିଦୂରରେ ମାରୀଚଙ୍କର ଆଶ୍ରମ ଅବସ୍ଥିତ ।’’

 

ଅନନ୍ତର ରାଜା ଓ ମାତଳି ଉଭୟେ ମନ୍ଦାରବୃକ୍ଷସମାକୀର୍ଣ୍ଣ ମାରୀଚାଶ୍ରମରେ ପ୍ରବେଶ କଲେ । ସ୍ୱର୍ଗ ଅପେକ୍ଷା ଅଧିକ ସୁଖମୟ ସେହି ରମଣୀୟ ତପୋବନରେ ପ୍ରବେଶ କରନ୍ତେ ରାଜାଙ୍କର ଅନ୍ତରାତ୍ମା ଅପୂର୍ବ ଆନନ୍ଦରେ ପୁଲକିତ ହୋଇ ଉଠିଲା । ତାଙ୍କର ମନେ ହେଲା, ସତେ ଯେପରି ସେ ଅମୃତହ୍ରଦଗର୍ଭରେ ନିମଗ୍ନ ହୋଇଅଛନ୍ତି । ତପଃକ୍ଳେଶ ଓ ସ୍ୱର୍ଗସୁଖ ଉଭୟର ଏକତ୍ର ସମାବେଶ ଦେଖି ତାଙ୍କର ହୃଦୟ ବିସ୍ମୟରେ ବିସ୍ଫାରିତ ହୋଇ ଉଠିଲା । ସେ ଦେଖିଲେ ଯେ, ସେହି ତପୋବନ ମଧ୍ୟରେ ଭୋଗଦାନକ୍ଷମ କଳ୍ପବୃକ୍ଷମାନେ ବିଦ୍ୟମାନ ଅଛନ୍ତି, ତଥାପି ପ୍ରାଣାୟାମ ବଳରେ ଅନିଳଦ୍ୱାରା ମୁନିମାନେ ପ୍ରାଣଧାରଣବୃତ୍ତ ନିୟମିତ କରି ମଣିମୟଶିଳାନିର୍ମିତ ଗୁହାମଧ୍ୟରେ ଏବଂ ସୁରନାରୀମାନଙ୍କ ସମୀପରେ ଇନ୍ଦ୍ରିୟ ସଂଯମପୂର୍ବକ ଧ୍ୟାନ ଧାରଣାଦିର ଅଭ୍ୟାସ କରୁଅଛନ୍ତି । ଅନ୍ୟ ମୁନିମାନେ ଯେଉଁ ସ୍ଥାନ ପାଇବା ପାଇଁ ତପସ୍ୟା କରନ୍ତି, ଏମାନେ ସେହି ସ୍ଥାନରେ କଠୋରତପଶ୍ଚରଣରେ ନିଯୁକ୍ତ ଅଛନ୍ତି ଦେଖି ତାଙ୍କର ମନେ ହେଲା, ପ୍ରକୃତରେ ସାଧୁମାନଙ୍କର ବାସନା ଉତ୍ତରୋତ୍ତର ଉନ୍ନତ ବିଷୟମାନଙ୍କର ଅନୁଗାମିନୀ । ଏହି ସମୟରେ ମହାରାଜ ଜନୈକ ଋଷିଙ୍କଠାରୁ ଶୁଣିଲେ ଯେ ମହର୍ଷି ମାରୀଚ ଦାକ୍ଷାୟଣୀପ୍ରମୁଖ ଋଷିପତ୍ନୀମାନଙ୍କୁ ପତିବ୍ରତା-ପୁଣ୍ୟ ବିଷୟରେ ଉପବେଶ ପ୍ରଦାନ କରୁଅଛନ୍ତି, ତେଣୁ ମାତଳି ଦର୍ଶନର ଯୋଗ୍ୟ ଅବସର ପ୍ରତୀକ୍ଷା କରିବା ଉଦ୍ଦେଶ୍ୟରେ ଆଶ୍ରମ ଅଭିମୁଖରେ ଗମନ କଲେ ଏବଂ ରାଜା ତାଙ୍କ ପ୍ରତ୍ୟାବର୍ତ୍ତନପର୍ଯ୍ୟନ୍ତ ସନ୍ନିହିତ ଅଶୋକବୃକ୍ଷର ଛାୟାରେ ଉପବେଶନ କଲେ ।

 

ସେ ଏହିପରି ବିଶ୍ରାମ କରୁଅଛନ୍ତି, ଏମନ୍ତ ସମୟରେ ଦୁଇଜଣ ତାପସୀ ଗୋଟିଏ ଅବିନୀତ ଶିଶୁର ହସ୍ତ ଧାରଣ କରି ସେଠାରେ ଆସି ଉପଗତ ହେଲେ, ସେହି ଚପଳ ଶିଶୁ ସେଠାରେ ଉପସ୍ଥିତ ହେବାମାତ୍ରକେ ଅଦୂରରେ ମାତୃସ୍ତନ୍ୟପାନ କରୁଥିବା ଗୋଟିଏ ସିଂହଶାବକର କେଶରକୁ ଦୃଢ଼ରୂପେ ହସ୍ତରେ ଧାରଣ କରି ଆକର୍ଷଣ କଲା, ଶିଶୁ ହେଲେହେଁ ଯେତେବେଳେ ଯୁବକସୁଲଭ ଶକ୍ତିରେ ସେ ସିଂହଶାବକକୁ ମାଡ଼ି ବସି କହିଲା, ‘‘ଆଁ କର, ଆଁ କର, ମୁଁ ତୋ ଦାନ୍ତ ଗଣିବି’’ ସେତେବେଳେ ରାଜା ଏକାନ୍ତ ବିସ୍ମିତ ହୋଇଗଲେ । ତାହାର ଏପରି ବ୍ୟବହାରରେ ଜନୈକ ତାପସୀ ବିରକ୍ତ ହୋଇ କହିଲେ, ‘‘ଦୁଷ୍ଟ, ସର୍ବତ୍ର ତୋର ଏହି ସ୍ୱଭାବ; ଆଶ୍ରମଜୀବଗୁଡ଼ିକ ଆମ୍ଭମାନଙ୍କର ସନ୍ତାନ ପରି, ତୁ ଏହାକୁ ଏପରି ପୀଡ଼ା ଦେଉଛୁ; ତୋର ଦୁଷ୍ଟତା ଦିନୁ ଦିନୁ ବଢ଼ୁଛି, ଋଷିମାନେ ତୋତେ ‘ସର୍ବଦମନ’ ବୋଲି ଯାହା ନାମ ଦେଇଛନ୍ତି ତାହା ଠିକ୍ ହୋଇଅଛି । ଏହି ସିଂହ ଛୁଆକୁ ଛାଡ଼ିଦେ, ନୋହିଲେ ତା ମା ତୋତେ ପରାଭବ ଦେବ ।’ ଏହା ଶୁଣି ବାଳକ ହସି ହସି ଅଧର ପ୍ରଦର୍ଶନପୂର୍ବକ କହିଲା ‘‘ଓଃ, ମୁଁ ଏଥିରେ ଭାରି ଡରିଗଲି ।’’ ଏହି ଶିଶୁଟିକୁ ଦେଖିଲା ବେଳୁଁ ରାଜାଙ୍କ ହୃଦୟ ଅଭିନବ ବାତ୍ସଲ୍ୟରସରେ ପୂର୍ଣ୍ଣ ହୋଇଥିଲା । ସେ ଭାବିଲେ, ଅପୁତ୍ରକ ହୋଇଥିବାରୁ ତାଙ୍କ ହୃଦୟରେ ଏହି ଶିଶୁର ଦର୍ଶନରେ ଏବଂବିଧ ଭାବର ଉଦୟ ହେଉଅଛି । ସିଂହଶାବକକୁ ଛାଡ଼ି ନ ଦେବାରୁ ଅନ୍ୟ ତାପସୀ ସେହି ପିଲାକୁ କହିଲେ ବାପା, ଏହାକୁ ‘‘ଛାଡ଼ିଦେ, ମୁଁ ତୋତେ ଖେଳିବାପାଇଁ ଗୋଟିଏ ପକ୍ଷୀ ଦେଉଛି’’ ବାଳକ ଖେଳିବା ବସ୍ତୁର ନାମ ଶୁଣି ତାହା ପାଇବାପାଇଁ ଯେତେବେଳେ ହସ୍ତ ପ୍ରସାରଣ କଲା, ସେତେବେଳେ ରାଜା ଦେଖିଲେ ଯେ, ବାଳକଟି କେବଳ ବୀର୍ଯ୍ୟଶାଳା ନୁହେଁ, ଚକ୍ରବର୍ତ୍ତୀଲକ୍ଷଣ ମଧ୍ୟ ଧାରଣ କରିଅଛି; ଅଙ୍ଗୁଳିଗୁଡ଼ିକମୂଳସ୍ଥାନରୁ କିଞ୍ଚିତ୍ ଊର୍ଦ୍ଧ୍ୱ ପର୍ଯ୍ୟନ୍ତ ପରସ୍ପର ଭିଡ଼ି ରହିଅଛି, ରକ୍ତିମାର ଆଧିକ୍ୟରୁ କରତଳ ଉଷାକାଳରେ ଅର୍ଦ୍ଧବିକଶିତ ରକ୍ତପଦ୍ମର ଶ୍ରୀକୁ ପରାସ୍ତ କରୁଅଛି । ସେହି ମହାତେଜୋନିଧି ବାଳକ ତାଙ୍କ ଚକ୍ଷୁରେ ସେତେବେଳେ ସ୍ଫୁଲିଙ୍ଗରୂପୀ ଭାବୀ ମହାବଳ ପରି ପ୍ରତିଭାତ ହେଲା । ପ୍ରଲୁବ୍ଧ ହେଲେହେଁ ସେ ବାଳକ ସିଂହଶାବକକୁ ଛାଡ଼ି ନ ଦେବାରୁ ଜଣେ ତାପସୀ ବିବିଧ ବର୍ଣ୍ଣରେ ଚିତ୍ରିତ ଗୋଟିଏ ମୃଣ୍ମୟ ମୟୂର ଆଣିବା ପାଇଁ ପର୍ଣ୍ଣଶାଳାକୁ ଗମନ କଲେ । ରାଜା ନିର୍ନିମେଷ ଦୃଷ୍ଟିରେ ବାଳକଟିକୁ ଦେଖି ପୁନର୍ବାର ଦୀର୍ଘନିଶ୍ୱାସ ନିକ୍ଷେପ କରି ଭାବିଲେ, ‘‘ଅହୋ, ଅକାରଣ ହାସ୍ୟଦ୍ୱାରା ଯେଉଁମାନଙ୍କର ଦନ୍ତ-ମୁକୁଳ ଈଷତ୍‍ ପରିଲକ୍ଷିତ ହୁଏ, ଅସ୍ପୁଟ ବର୍ଣ୍ଣାବଳି ଦ୍ୱାରା ଯେଉଁମାନଙ୍କର ବଚନ ରଚନା ପ୍ରବୃତ୍ତି ରମଣୀୟ, ଅଙ୍କାରୋହଣରେ ଯେଉଁମାନେ ନିତ୍ୟ ଲାଳାୟିତ ସେହି ତନୟମାନଙ୍କୁ ଧାରଣ କରି ତାହାଙ୍କ ଅଙ୍ଗ ଫଳ ଦ୍ୱାରା କେବଳ ପୁଣ୍ୟବାନ୍‍ମାନେହିଁ ଧୂସରିତ ହୋଇଥାନ୍ତି । ଏହି ସମୟରେ ସେହି ଦୁର୍ଦ୍ଦମ ଶିଶୁ ସିଂହଶାବକର କେଶରକୁ ଏପରି ଦୃଢ଼ରୂପେ ଆକର୍ଷଣ କଲା ଯେ, ତାପସୀ ତାହାର ହସ୍ତମୋଚନରେ ଅକ୍ଷମ ହୋଇ ସାହାଯ୍ୟ ଲଭେଚ୍ଛାରେ ଇତସ୍ତତଃ ଦୃଷ୍ଟି ନିକ୍ଷେପ କଲେ । ନିକଟରେ ରାଜାଙ୍କୁ ଦେଖି କହିଲେ, ‘‘ଭଦ୍ରମୁଖ, ଏ ପିଲା ସଂହଶାବକର କେଶରକୁ ଏପରି ଦୃଢ଼ରୂପେ ଧରିଛି ଯେ, ମୁମୂର୍ଷ ହୋଇଗଲାଣି, ଆପଣ ଦୟା କରି ଏହାର ହାତ ଛଡ଼ାଇ ଦିଅନ୍ତୁ ।’’ ଏହା ଶୁଣି ରାଜା ହସି ହସି ବାଳକର ନିକଟବର୍ତ୍ତୀ ହୋଇ କହିଲେ, ‘‘ଅହୋ ତପସ୍ୱିତନୟ ! ତୁମ୍ଭେ କି ହେତୁରୁ ଏପରି ଆଶ୍ରମବିରୁଦ୍ଧ ଆଚରଣ କରୁଅଛ ? ତୁମ୍ଭର ପିତା ଜଣେ ସଂଯମୀ ମୁନି, କୃଷ୍ଣସର୍ପଦ୍ୱାରା ସୁଶୀତଳ ଚନ୍ଦନବୃକ୍ଷ ଦୂଷିତ ହେଲା ପରି ତୁମ୍ଭଦ୍ୱାରା ସତ୍ତ୍ୱସଂପନ୍ନ ତୁମ୍ଭର ପିତା କଳଙ୍କିତ ହେବେ ସିନା ?

 

ଏହାଶୁଣି ତପସ୍ୱିନୀ ହସି ହସି କହିଲେ, ‘‘ଭଦ୍ରମୁଖ, ଏ ଋଷିକୁମାର ନୁହେ ।’’ ଏହା ଶୁଣି ରାଜା କହିଲେ, ‘‘ଏହାର ଆକୃତିସଦୃଶ କାର୍ଯ୍ୟ ଦେଖି ଏହା ବେଶ୍ ଜଣା ଯାଉଅଛି । ମାତ୍ର ସ୍ଥାନବିଶ୍ୱାସରେ ମୁଁ ଏହାକୁ ଋଷିକୁମାର ବୋଲି ଅନୁମାନ କରୁଥିଲି ।’’

 

ଏହା କହି ରାଜା ବାଳକର ଦୃଢ଼ମୁଷ୍ଟିମଧ୍ୟରୁ ସିଂହଶାବକର କେଶରକୁ ମୁକ୍ତ କରିଦେଲେ ଏବଂ ତାହାର ସ୍ପର୍ଶମୁଖ ଅନୁଭବ କରି ଭାବିଲେ କେଉଁ ଲୋକର କୁଳାଙ୍କୁରକୁ ସ୍ପର୍ଶ କରିବାକୁ ମୋର ଏପରି ଆନନ୍ଦସନ୍ଦୋହ ଜାତ ହେଉଅଛି ? ଆହା, ଯାହାର ଅଙ୍ଗରୁ ଏହି ବାଳକର ଉତ୍ପତ୍ତି ହୋଇଅଛି, ସେହି ସୁକୃତୀ ଏହାକୁ ଅଙ୍କରେ ଧାରଣ କରି ହୃଦୟ ମଧ୍ୟରେ କି ଆନନ୍ଦ ଅନୁଭବ କରୁ ନ ଥିବ ?

 

ରାଜାଙ୍କ ସଙ୍ଗେ ବାଳକର ଆକୃତିର ସାଦୃଶ୍ୟ ଦେଖି ତାପସୀ କହିଲେ, ‘‘ଏ କି ଆଶ୍ଚର୍ଯ୍ୟ, ଆପଣ ଅପରିଚିତ ଓ ବାଳକ ସଙ୍ଗେ ଆପଣଙ୍କର କୌଣସି ସଂବନ୍ଧ ନାହିଁ, ତଥାପି ଆପଣଙ୍କ ନିଦେଶରେ ଏ ଆଶ୍ରମବିରୁଦ୍ଧ ଭାବ ତ୍ୟାଗ କରି ଶାନ୍ତ ସ୍ୱଭାବ ଧାରଣ କଲା ।’’

 

ବାଳକଟି ପୁରୁବଂଶରେ ଜନ୍ମ, ଏହା ଶୁଣି ରାଜା ଭାବିଲେ, ‘‘ବୋଧ ହୁଏ ଆମ୍ଭମାନଙ୍କ ବଂଶ ଏକ, ସେହିହେତୁରୁ ଆକୃତିରେ ସୌସାଦୃଶ୍ୟ ଦେଖି ତାପସୀ ଏପରି କହୁଅଛନ୍ତି । ଆମ୍ଭର କୁଳାଚାର ଅନୁସାରେ ଯେଉଁ ପୁରୁବଂଶୀୟ ରାଜାମାନେ ଯୌବନକାଳରେ ପ୍ରାସାଦରେ ବାସ କରି ବାର୍ଦ୍ଧକ୍ୟରେ ମୁନିବୃତ୍ତି ଅବଲମ୍ବନ ନିମିତ୍ତ ତରୁତଳକୁ ଗୃହତୂଲ୍ୟ ଜ୍ଞାନ କରି ଅରଣ୍ୟବାସ କରନ୍ତି, ଏ ବାଳକ ସମ୍ଭବତଃ ସେମାନଙ୍କ ମଧ୍ୟରୁ କାହାରି ସନ୍ତାନ ।’’ ରାଜା ଏହା ଭାବି ପ୍ରଶ୍ନ କଲେ, ମନୁଷ୍ୟ ବିମାନାଦିର ବିନାସାହାଯ୍ୟରେ ଏ ସ୍ଥାନକୁ କିପରି ଆସିପାରେ ? ତାପସୀ ଉତ୍ତର କଲେ, ‘‘ଆପଣ ଯାହା କହୁଅଛନ୍ତି ତାହା ସତ୍ୟ, କିନ୍ତୁ ଅପତ୍ୟସଂବନ୍ଧରୁ ଏହି ବାଳକର ଜନନୀ ଦେବଗୁରୁ ମହର୍ଷି କଶ୍ୟପଙ୍କ ଆଶ୍ରମରେ ଏହାଙ୍କୁ ପ୍ରସବ କରିଅଛନ୍ତି ।’’

 

ଏହା ଶୁଣି ଆଶାର କିରଣଦ୍ୱାରା ରାଜର୍ଷିଙ୍କର ମୁଖ ଉଜ୍ଜ୍ୱଳ ହୋଇ ଉଠିଲା । ତତ୍ପରେ ସେ ପ୍ରଶ୍ନ କଲେ, ତାହାହେଲେ ଏ ବାଳକର ଜନନୀ ଯେଉଁ ରାଜର୍ଷିଙ୍କର ପତନୀ ତାଙ୍କର ନାମ କଣ-? ତାପସୀ କହିଲେ, ‘‘ସେହି ଧର୍ମପତ୍ନୀତ୍ୟାଗୀ ପାପାତ୍ମାର ନାମ କିଏ ଧରିବ ?’’

 

ଏହା ଶୁଣି ରାଜା ମନେ ମନେ ଭାବିଲେ, ଏ କଣ ମୋତେ ଲକ୍ଷ୍ୟ କରି ଏପରି କହୁଅଛନ୍ତି- ? ତେବେ କଣ ଏ ବାଳକର ମା ନାମ ପଚାରିବି ? କିନ୍ତୁ ପର ସ୍ତ୍ରୀର ନାମ ଜିଜ୍ଞାସା ଅଶିଷ୍ଟର କାର୍ଯ୍ୟ, ଏହା ଭାବି ସେ ତହିଁରୁ ନିବୃତ୍ତ ହେଲେ । ଇତ୍ୟବସରରେ ଅନ୍ୟ ତାପସୀ ମୃତ୍ତିକାନିର୍ମିତ ବିଚିତ୍ର ମୟୂରଟି ଆଣି ବାଳକ ହସ୍ତରେ ଦେଇ କହିଲେ, ‘‘ଏହି ଶକୁନ୍ତଳାଲାବଣ୍ୟ କେଡ଼େ ମନୋହର ଦେଖ ।’’ ଏହା ଶୁଣି ବାଳକ କହିଲା, ‘‘ମା କାହିଁ ?’’ ଶକୁନ୍ତଳାଲାବଣ୍ୟ ଶବ୍ଦରେ ଶକୁନ୍ତଳା ଶବ୍ଦ ଯଦୃଚ୍ଛାକ୍ରମେ ଉଚ୍ଚାରିତ ହେବାରୁ ବାଳକର ମା ବୋଲି ଭ୍ରମ ଉପସ୍ଥିତ ହେବା ଦେଖି ତାପସୀଦ୍ୱୟ ହସି ପକାଇଲେ । ରାଜା ଏହା ଶୁଣି ଭାବିଲେ, ତେବେ କଣ ଏ ପିଲାର ମା ନାମ ଶକୁନ୍ତଳା ? ଅଥବା ଅନେକଙ୍କର ଏକା ନାମ ଅଛି; ମୃଗତୃଷ୍ଣିକା ପରି ନାମ ମାତ୍ରର ପ୍ରସଙ୍ଗ ମୋର ବିଷାଦର କାରଣ ହୋଇଅଛି ।

 

ବାଳକ ମୟୂର କ୍ରୀଡ଼ା କରିବାକୁ ଲାଗିଲା । ଏହି ସମୟରେ ଜଣେ ତାପସୀ ବାଳକର ମଣିବନ୍ଧରେ ବନ୍ଧା ଥିବା ରକ୍ଷାକାଣ୍ଡ ନାମକ ମହୌଷଧି ନ ଦେଖି ବିସ୍ମିତ ହୋଇ କହିଲେ, ‘‘ରକ୍ଷକାଣ୍ଡ କାହିଁ ?’’ ସିଂହଶାବକକୁ ମର୍ଦ୍ଦନ କରିବା ସମୟରେ ସେହି ରକ୍ଷାକାଣ୍ଡ ବାଳକର ମଣି ବନ୍ଧରୁ ଭୂତଳରେ ସ୍ଫୁଳିତ ହୋଇଥିଲା । ତାପସୀଙ୍କୁ ଉଦ୍ଗିଗ୍ନା ଦେଖି ଭୂତଳରେ ପଡ଼ିଥିବା ସେହି ରକ୍ଷାକାଣ୍ଡକୁ ଉଠାଇ ନେଇ କହିଲେ ‘‘ଉଦ୍ବଗର କୌଣସି କାରଣ ନାହିଁ । ସିଂହଶାବକର ମର୍ଦ୍ଦନବେଳେ ଏହା ତଳେ ପଡ଼ି ଯାଇଥିଲା । ବର୍ତ୍ତମାନ ଏହାକୁ ନିଅନ୍ତୁ ।’’ ତାପସୀମାନେ ନିଷେଧ କଲେହେଁ ରାଜା ସେ ରକ୍ଷାକାଣ୍ଡକୁ ଗ୍ରହଣ କରିବାରୁ ସେମାନେ ବିସ୍ମିତ ହୋଇ ବକ୍ଷରେ ହସ୍ତସ୍ଥାପନପୂର୍ବକ ପରସ୍ପର ଆଡ଼କୁ ଚାହିଁଲେ । ଏପରି ନିଷେଧର କାରଣ ରାଜା ପଚାରନ୍ତେ ସେମାନଙ୍କ ମଧ୍ୟରୁ ଜଣେ କହିଲେ ‘‘ମହାଭାଗ ! ଏହା ଅପରାଜିତା ନାମକ ସୁରମହୌଷଧି, ବାଳକର ଜାତକର୍ମବେଳେ ମହର୍ଷି ମାରୀଚ ଏହା ପ୍ରଦାନ କରିଥିଲେ, ଏହା ଭୂପତିତ ହେଲେ ବାଳକର ପିତାମାତା ଓ ଏହି ବାଳକଛଡ଼ା ଅନ୍ୟ କେହି ସ୍ପର୍ଶ କରନ୍ତି ନାହିଁ ।’’ ରାଜା ପଚାରିଲେ ଯେବେ ସ୍ପର୍ଶ କରନ୍ତି ? ତାପସୀ କହିଲେ ତାହାହେଲେ ଏହା ସର୍ପରୂପେ ଦଂଶନ କରେ । ରାଜା ପୁନରପି ପଚାରିଲେ, ‘‘ଆପଣମାନେ ଏହା ଅନ୍ୟ କେଉଁଠାରେ ଦେଖିଅଛନ୍ତି କି ?’’ ତାପସୀ ଉତ୍ତର କଲେ, ‘ଅନେକ ଦେଖିଅଛୁଁ ।

 

ଏହା ଶୁଣିଲାକ୍ଷଣି ରାଜା ଅତ୍ୟନ୍ତ ଆନନ୍ଦସହକାରେ ବାଳକକୁ ଆଲିଙ୍ଗନ କରି ଆପଣାକୁ କୃତକୃତ୍ୟ ମନେ କଲେ ।

 

ତାପସୀଦ୍ୱୟ ନିୟମପରାୟଣା ଶକୁନ୍ତଳାଙ୍କୁ ଏହା ଜଣାଇବା ପାଇଁ ତ୍ୱରାନ୍ୱିତ ହୋଇ ଗମନ କରନ୍ତେ ବାଳକ ମା ପାଖକୁ ଯିବାପାଇଁ ଚଞ୍ଚଳ ହୋଇ ପଡ଼ିଲା । ରାଜା କହିଲେ ‘‘ପୁତ୍ର, ରହ, ମୋ ସଙ୍ଗରେ ମାଙ୍କୁ ଅଭିନନ୍ଦନ କରିବ ।’’ ବାଳକ ଅର୍ଦ୍ଧସ୍ପୁଟ ସ୍ୱରରେ କହିଲା, ‘‘ମୋର ପିତା ଦୁଷ୍ମନ୍ତ, ତୁମ୍ଭେ ମୋର ପିତା ନୁହ ।’’ ବାଳକର ଏହି ବିବାଦମୂଳକ ଉକ୍ତିରେ ରାଜାଙ୍କର ବିଶ୍ୱାସ ଦୃଢ଼ୀଭୂତ ହେଲା ।

 

ଏହି ସମୟରେ ସାଧ୍ୱୀ ଶକୁନ୍ତଳା ପତିବ୍ରତାର ଚିହ୍ନସ୍ୱରୂପ ଏକବେଣୀ ଧାରଣ କରି ମଳିନବସନରେ ଓ ଶୁଷ୍କମୁଖରେ ସେ ସ୍ଥାନରେ ଉପସ୍ଥିତ ହେଲେ । ବିକାରକାଳରେ ସର୍ବଦମନର ଔଷଧ ଅବିକୃତ ଥିବାର ଜାଣି ସୁଦ୍ଧା ତାଙ୍କ ମନରେ ସମ୍ପୂର୍ଣ୍ଣ ବିଶ୍ୱାସ ଜନ୍ମି ନ ଥିଲା । ଏଥିପୂର୍ବେ ମିଶ୍ରକେଶୀ ତାଙ୍କ ନିକଟରେ ଯାହା ବର୍ଣ୍ଣନା କରିଥିଲେ, ତାହା ସ୍ମୃତିପଥାରୂଢ଼ ହେବାରୁ ତାଙ୍କ ହୃଦୟରେ କିଞ୍ଚିତ୍ ଆଶାର ସଞ୍ଚାର ହେଲା ।

 

ସର୍ବଦମନ ମାଙ୍କୁ ଦେଖି କହିଲା ‘‘ମା, ଏ କିଏ, ମୋତେ ପୁତ୍ର ବୋଲି କହି ସ୍ନେହରେ ଆଲିଙ୍ଗନ କରୁଅଛି ।’’

 

ଅନନ୍ତର ରାଜା ଶକୁନ୍ତଳାଙ୍କୁ ସମ୍ବୋଧନ କରି କହିଲେ ‘‘ପ୍ରିୟେ ତୁମ୍ଭ ପ୍ରତି ମୁଁ ନିଷ୍ଠୁର ଆଚରଣ କରିଥିଲି, ପରିଣାମରେ ତାହା ମଙ୍ଗଳର ନିଦାନ ହୋଇଅଛି । ସେହି ହେତୁରୁ ବର୍ତ୍ତମାନ ତୁମ୍ଭ ସହିତ ପୁନଃପରିଚୟପ୍ରତ୍ୟାଶୀ ହେଉଅଛି ।’’

 

ଏହା ଶୁଣି ଶକୁନ୍ତଳାଙ୍କର ସଂଶୟ ତିରୋହିତ ହେଲା । ତାଙ୍କର ପ୍ରାଣପତି ମହର୍ଷି ଦୁଷ୍ମନ୍ତ ଯେ ସମ୍ମୁଖରେ ଦଣ୍ଡାୟମାନ ଏଥିରେ ଆଉ ତାଙ୍କର ସନ୍ଦେହ ରହିଲା ନାହିଁ ।

 

ରାଜା ପୁନର୍ବାର କରୁଣକଣ୍ଠରେ କହିବାକୁ ଲାଗିଲେ ‘‘ସୁମୁଖି ! ମୋର ସେହି ମୋହାନ୍ଧକାର ଦୂରୀଭୂତ ହୋଇଅଛି । ସୌଭାଗ୍ୟକ୍ରମେ ମୁଁ ଆଜି ତୁମ୍ଭଙ୍କୁ ଦେଖିଲି ।’’ ରାହୁଗ୍ରାସ ପରେ ଚନ୍ଦ୍ରମାଙ୍କ ସଙ୍ଗେ ରୋହିଣୀ ସମ୍ମିଳିତ ହେଲେ । ଶକୁନ୍ତଳାଙ୍କ ହୃଦୟ ଆନନ୍ଦରେ ଉଲ୍ଲସିତ ହେଲା । ‘ଆର୍ଯ୍ୟ ପୁତ୍ରଙ୍କର ଜୟ ହେଉ’ ଏତିକିମାତ୍ର ଉଚ୍ଚାରଣ କରୁ କରୁ ବାସ୍ପରେ ତାଙ୍କ କଣ୍ଠ ରୁଦ୍ଧ ହୋଇଗଲା ।

 

ଏ ସମସ୍ତ ଅବଲୋକନ କରି ସର୍ବଦମନ ପଚାରିଲା ‘‘ମା, ଏ କିଏ ?’’ ‘ଅଦୃଷ୍ଟକୁ ପଚାର’ ଏହି କଥା କହି ଶକୁନ୍ତଳା କ୍ରନ୍ଦନ କରିବାକୁ ଲାଗିଲେ । ଶକୁନ୍ତଳାଙ୍କୁ ଅଶ୍ରୁ ବିସର୍ଜନ କରିବା ଦେଖି ରାଜା ଏକାନ୍ତ ଅଧୀର ହୋଇ ପଡ଼ିଲେ । ସେ ତାଙ୍କର ପଦଦ୍ୱୟ ଧାରଣ କରି କହିଲେ ‘‘ପ୍ରିୟେ, ତୁମ୍ଭଙ୍କୁ ଯେତେବେଳେ ପରିତ୍ୟାଗ କରିଥିଲି, ସେତେବେଳେ ମୋର ଏକପ୍ରକାର ସମ୍ମୋହ ଉପସ୍ଥିତ ହୋଇଥିଲା । ସେଥିରେ ତୁମ୍ଭ ପ୍ରାଣରେ ଯେଉଁ ଦାରୁଣ ଆଘାତ ହୋଇଅଛି ତାହା ପରିତ୍ୟାଗ କର । ମଙ୍ଗଳ କାର୍ଯ୍ୟରେ ଏହି ମୋହ ପ୍ରାୟଶଃ ବଳବାନ୍ ହୋଇଥାଏ । ତୁମ୍ଭେ ଜାଣ ଯେ, ମୋହାନ ବ୍ୟକ୍ତି ମସ୍ତକସ୍ଥିତ ପୁଷ୍ପମାଳାକୁ ସର୍ପ ଭ୍ରମରେ ଭୂମିରେ ନିଷେଧ କରେ ।’’

 

ଶକୁନ୍ତଳା ରାଜାଙ୍କୁ ଉଠାଇ କହିଲେ ‘‘ଆର୍ଯ୍ୟପୁତ୍ର ! ଏହା ତୁମ୍ଭର ଦୋଷ ନୁହେ । ପୂର୍ବଜନ୍ମରେ ମୋର ନିଶ୍ଚୟ କୌଣସି ସୁଖପ୍ରତିବନ୍ଧକ କର୍ମ ଥିଲା, ସେହି କର୍ମଫଳର ଅବସାନରେ ପରିଣାମ ଏପରି ମଙ୍ଗଳମୟ ହେଲା । ଏ ଦୁଃଖିନୀ କିପରି ପୁଣି ଆର୍ଯ୍ୟପୁତ୍ରଙ୍କର ସ୍ମୃତିପଥାରୂଢ଼ ହେଲା ?’’ ରାଜା କହିଲେ ‘‘ଜୀବିତେଶ୍ୱରି ! ବିଷାଦରୂପ ଶଲ୍ୟ ଉଦ୍ଧାର କରି ପରେ ଏ କଥା କହିବି-। ସୁମୁଖି ! ତୁମ୍ଭର ଚକ୍ଷୁରୁ ଯେଉଁ ଅଶ୍ରୁଧାରା ନିପତିତ ହୋଇ ଗଣ୍ଡଦେଶକୁ ମଳିନ କରିଥିଲା ଏବଂ ମୁଁ ଯାହାକୁ ମୋହନବଶତଃ ଉପେକ୍ଷା କରିଥିଲି, ଆଜି ସେହି ଅଶ୍ରୁବାରି ତୁମ୍ଭର କୁଟିଳ ପକ୍ଷରୁ ସ୍ୱହସ୍ତରେ ‘‘ପୋଛିଦେଇ ମୋର ହୃଦୟର ଶଲ୍ୟ ଉଦ୍ଧାର କରିବି ।’’ ଏହା କହି ରାଜା ଶକୁନ୍ତଳାଙ୍କ ଚକ୍ଷୁରୁ ଅଶ୍ରୁମାର୍ଜନ କରିଦେଲେ । ସେତେବେଳେ ଶକୁନ୍ତଳା ସେହି ମୁଦ୍ରିକାକୁ ରାଜାଙ୍କ ଅଙ୍ଗୁଳିରେ ଦେଖି ପଚାରିଲେ ‘ଏ କଣ ସେହି ମୁଦି ?’ ରାଜା କହିଲେ ‘‘ହଁ ସେହି ମୁଦି; ଅତି ଅଦ୍ଭୁତ ରୂପେ ତାହା ମୋର ହସ୍ତଗତ ହେଲା । ତଦ୍ଦ୍ୱାରା ମୋର ସମସ୍ତ କଥା ମନେ ପଡ଼ିଲା । ’ ଶକୁନ୍ତଳା କହିଲେ ‘‘ଆର୍ଯ୍ୟପୁତ୍ରଙ୍କର ବିଶ୍ୱାସ ଜନ୍ମାଇବା ବେଳେ ଏହା ଦୁର୍ଲଭ ହେବାରୁ ବିଷମ ଅନର୍ଥ ଘଟାଇଥିଲା ।’’ ଏହା ଶୁଣି ରାଜା ହସି ହସି କହିଲେ, ‘‘ତାହାହେଲେ ବାସନ୍ତୀ ଲତା ଋତୁସମାଗମର ଚିହ୍ନସ୍ୱରୂପ କୁସୁମ ଧାରଣ କରୁ ।’’ ଏଥିରେ ଶକୁନ୍ତଳା କହିଲେ ‘‘ମୁଁ ଏହାକୁ ବିଶ୍ୱାସ କରୁ ନାହିଁ । ଆର୍ଯ୍ୟପୁତ୍ର ଏହାକୁ ପରିଧାନ କରିଥାନ୍ତୁ ।’’

 

ଏହି ସମୟରେ ମାତଳି ସହର୍ଷବଦନରେ ସେଠାରେ ଉପସ୍ଥିତ ହୋଇ, ପୁତ୍ର ଓ ଧର୍ମପତ୍ନୀ ସଙ୍ଗେ ରାଜାଙ୍କର ମିଳନ ହୋଇଥିବାରୁ ଆନନ୍ଦ ପ୍ରକାଶପୂର୍ବକ କହିଲେ ‘‘ମହାତ୍ମନ୍ ! ଆସନ୍ତୁ, ମହର୍ଷି ମାରୀଚଙ୍କୁ ଦର୍ଶନ କରିବା ।’’ ରାଜା ତହୁଁ ଶକୁନ୍ତଳାଙ୍କୁ କହିଲେ ‘‘ପ୍ରିୟେ, ପୁତ୍ରକୁ ଧାରଣ କର । ତୁମ୍ଭଙ୍କୁ ଅଗ୍ରସର କରି ମହର୍ଷିଙ୍କୁ ଦର୍ଶନ କରିବି ।’’ ଶକୁନ୍ତଳା କହିଲେ ‘‘ଆର୍ଯ୍ୟପୁତ୍ରଙ୍କ ସଙ୍ଗେ ଗୁରୁଜନଙ୍କ ସମୀପକୁ ଗମନ କରିବାକୁ ମୋର ଲଜ୍ଜା ହେଉଅଛି ।’’ ଏହା ଶୁଣି ରାଜା କହିଲେ ‘‘ପ୍ରିୟେ, ଅଭ୍ୟୁଦୟ ସମୟରେ ଏପରି ଆଚରଣ ଦୋଷାବହ ନୁହେ ।’’

 

ଅନନ୍ତର ସମସ୍ତେ ମହର୍ଷିଙ୍କ ଆଶ୍ରମରେ ଉପସ୍ଥିତ ହୋଇ ଯଥାବିଧି ତାଙ୍କୁ ଅଭିବାଦନ କଲେ । ରାଜାଙ୍କୁ ସମ୍ମୁଖରେ ଦେଖି ମହର୍ଷି ଅଦିତିଙ୍କୁ ସମ୍ବୋଧନ କରି କହିଲେ ‘‘ଦାକ୍ଷାୟଣି ! ଏହାଙ୍କ ନାମ ଦୁଷ୍ମନ୍ତ । ଏ ଭୂଲୋକର ଭର୍ତ୍ତା, ତୁମ୍ଭର ପୁତ୍ରଙ୍କ ସାହାଯ୍ୟ ନିମିତ୍ତ ଏ ଯୁଦ୍ଧରେ ଅଗ୍ରସର ହୁଅନ୍ତି । ଏହାଙ୍କର ଶକ୍ତି-ପ୍ରଭାବରେ ଦେବରାଜଙ୍କର ସମଗ୍ର କାର୍ଯ୍ୟ ସୁସଂପାଦିତ ହେବାରୁ ତାଙ୍କର କୁଳିଶାସ୍ତ୍ର କେବଳ ଆଭରଣରୂପେ ରହିଅଛି ।’’ ଏହା ଶୁଣି ଅଦିତି କହିଲେ ‘‘ଆକୃତିରୁହିଁ ଏହାଙ୍କର ପ୍ରଭାବ ଅନୁମିତ ହେଉଅଛି ।’’ ମୁନିଗଣ ଯେଉଁ ଦମ୍ପତିଙ୍କୁ ଦ୍ୱାଦଶାତ୍ମାରେ ବିଭକ୍ତ ତେଜୋମୟ ସୂର୍ଯ୍ୟଙ୍କର କିରଣ ବୋଲି ନିର୍ଦ୍ଦେଶ କରନ୍ତି, ଯେ ତ୍ରିଭୁବନ ପାଳକ ଯଜ୍ଞଭାଗର ଅଧୀଶ୍ୱରଙ୍କୁ ପ୍ରସବ କରିଅଛନ୍ତି, ସ୍ୱୟଂ ପରମପୁରୁଷ ବାମନରୂପରେ ଯାହାଙ୍କଠାରୁ ଜନ୍ମଗ୍ରହଣ କରିଥିଲେ, ଦକ୍ଷମରୀଚିସମ୍ଭବ ସେହି ମୁନି ଓ ମୁନିପତ୍ନୀଙ୍କ ପଦତଳରେ ପ୍ରଣାମ କରି ରାଜା ଆପଣାକୁ ଧନ୍ୟ ମନେ କଲେ । ଅନନ୍ତର ଶକୁନ୍ତଳା ପୁତ୍ର ସହିତ ପ୍ରଣାମ କରନ୍ତେ ଋଷିଦମ୍ପତି କହିଲେ ‘ମା, ତୋର ସ୍ୱାମୀ ଇନ୍ଦ୍ରତୁଲ୍ୟ, ପୁତ୍ର ଜୟନ୍ତ ସଦୃଶ, ଏପରି ସ୍ଥଳରେ ଅନ୍ୟ କି ଆଶୀର୍ବାଦ ତୋର ଯୋଗ୍ୟ ହେବ-? ଇନ୍ଦ୍ରାଣୀଙ୍କ ପରି ଅବୈଧବ୍ୟ ମଙ୍ଗଳ ଲାଭ କର, ଏହାହିଁ ଆଶୀର୍ବାଦ ।’’ ପରେ ରାଜାଙ୍କୁ ଲକ୍ଷ୍ୟ କରି କହିଲେ, ‘‘ସାଧ୍ୱୀ ଶକୁନ୍ତଳା ସାକ୍ଷାତ୍ ଶ୍ରଦ୍ଧାସ୍ୱରୁପା, ଏହି ଅପତ୍ୟଟି ବିତ୍ତସଦୃଶ ଓ ତୁମ୍ଭେ ବିଧିସଦୃଶ । ଏହି ତ୍ରିତୟର ଏକତ୍ର ସମାଗରେ ଆମ୍ଭେ ପ୍ରକୃତରେ ଅମଳ ଆନନ୍ଦ ଲାଭ କରୁଅଛୁଁ । ଏହା ଶୁଣି ରାଜା କହିଲା ‘‘ଭଗବନ୍, ପ୍ରଥମେ କୁସୁମୋଦୟ, ତତ୍ପରେ ଫଳୋଦ୍ଗମ; ପ୍ରଥମେ ମେଘୋଦୟ, ପରେ ବାରିବର୍ଷଣ; ସାଧାରଣତଃ ଏହିପରି ପୌର୍ବାପର୍ଯ୍ୟକ୍ରମରେ କାର୍ଯ୍ୟକାରଣସମ୍ବନ୍ଧ ପରିଲକ୍ଷିତ ହୋଇଥାଏ । ମାତ୍ର ଆପଣଙ୍କ ଅନୁଗ୍ରହରୁ ମୋ ପକ୍ଷରେ ଏହି କ୍ରମର ବିପର୍ଯ୍ୟୟ ପରିଦୃଷ୍ଟ ହେଲା । ପ୍ରଥମେ ପୁତ୍ରଦାରରୂପ ସମ୍ପଦ୍‌ଲାଭ, ପରେ ଆପଣଙ୍କର ଦର୍ଶନ-।’’ ଏହା ଶୁଣି ମାତଳ କହିଲେ ‘‘ଆୟୁଷ୍ମନ୍, ଏହାହିଁ ବିଶ୍ୱଗୁରୁଙ୍କର ପ୍ରସନ୍ନତାର ନିଦର୍ଶନ ।’’ ରାଜା କହିଲେ ‘‘ଭଗବାନ୍, ଆପଣଙ୍କର ନିଦେଶବର୍ତ୍ତିନୀ ଏହି ଶକୁନ୍ତଳାଙ୍କୁ ମୁଁ ଗାନ୍ଧର୍ବବିଧାନରେ ବିବାହ କରିଥିଲି । କେତେଦିନ ପରେ ଯେତେବେଳେ ଏହାଙ୍କର ବନ୍ଧୁମାନେ ମୋ ନିକଟକୁ ଏହାଙ୍କୁ ଆଣିଲେ ସେତେବେଳେ ସ୍ମୃତିଶୈଥିଲ୍ୟ ହେତୁରୁ ମୁଁ ଏହାଙ୍କୁ ପରିତ୍ୟାଗ କରି ଆପଣଙ୍କ ଆତ୍ମଜ ମହର୍ଷି କଣ୍ୱଙ୍କ ନିକଟରେ ଅପରାଧୀ ହୋଇଅଛି । ତତ୍ପରେ ଅଙ୍ଗୁରୀୟକ ଦର୍ଶନରେ ଏହାଙ୍କୁ ବିବାହ କରିଥିବା ବିଷୟ ମୋର ସ୍ମୃତି ପଥାରୂଢ଼ ହେଲା । ଏହା ମୋତେ ବଡ଼ ଆଶ୍ଚର୍ଯ୍ୟଜନକ ବୋଧ ହେଉଅଛି । ଚକ୍ଷୁସମ୍ମୁଖରେ ହସ୍ତୀ ଚାଲିଗଲାବେଳେ ତାକୁ ହସ୍ତୀ ବୋଲି ସନ୍ଦେହ କରି ପରେ ପଦଚିହ୍ନ ଦେଖି ହସ୍ତୀରୂପେ ନିର୍ଣ୍ଣୟ କରିବା ‘‘ଯେପରି, ମୋର ସ୍ମୃତିତ୍ରଂଶ ଠିକ୍ ସେହିପରି ।’’ ମାରୀଚ ଉତ୍ତର କଲେ ‘‘ବତ୍ସ, ତୁମ୍ଭେ ଏହି ବିଷୟରେ ନିଜ ଅପରାଧ ଆଶଙ୍କା କର ନାହିଁ । ସମ୍ମୋହ ହେତୁରୁ ତୁମ୍ଭେ ଏପରି ଆଚରଣ କରିଥିଲ । ଶ୍ରବଣ କର—ଯେଉଁଦିନ ମେନକା ଅପ୍ସରସ୍ତାର୍ଥ ନିକଟରୁ ଦୁଃଖିନୀ ଶକୁନ୍ତଳାଙ୍କୁ ଆଣି ଦାକ୍ଷାୟଣୀଙ୍କ ନିକଟରେ ଉପସ୍ଥିତ ହୋଇଥିଲେ ସେଦିନ ମୁଁ ଧ୍ୟାନବଳରେ ବୁଝିଲି ଯେ ଦୁର୍ବାସାଙ୍କ ଅଭିଶାପ ହେତୁରୁ ତୁମ୍ଭେ ଏହି ତପସ୍ୱିନୀକୁ ତ୍ୟାଗ କଲ । ପରେ ଅଙ୍ଗୁରୀୟଦର୍ଶନରେ ସେହି ଶାପର ଅବସାନ ହୋଇଅଛି ।’’ ରାଜା ଏହା ଶୁଣି ଦୀର୍ଘନିଶ୍ୱାସତ୍ୟାଗୃସହକାରେ କହିଲେ ‘‘ତାହେଲେ ମୁଁ ପାପ ଓ ଅପବାଦରୁ ମୁକ୍ତି ଲାଭ କଲି ।’’

 

ରାଜା ଯେ ମୂଢ଼ଭାବରେ ତାଙ୍କୁ ତ୍ୟାଗ କରି ନ ଥିଲେ, ଶକୁନ୍ତଳା ଏହା ବୁଝିପାରି ହୃଦୟରେ ପରମ ପରିତୋଷ ଲାଭ କଲେ । ଦୁର୍ବାସା ତାଙ୍କୁ କେତେବେଳେ ଅଭିଶାପ ଦେଇଥିଲେ, ତାହା ତାଙ୍କର ସ୍ମରଣ ନ ଥିଲା; ତେଣୁ ସେ ମନେ କଲେ, ସମ୍ଭବତଃ ଶୂନ୍ୟହୃଦୟରେ ବସିଥିବାବେଳେ ଦୁର୍ବାସା ତାଙ୍କୁ ଶାପ ଦେଇଥିବେ ଏବଂ ସଖୀମାନେ ଏହା ଜାଣିପାରି ରାଜା ସ୍ମରଣ ନ କଲେ ତାଙ୍କୁ ଅଙ୍ଗୁରୀୟକ ଦେଖାଇବାପାଇଁ ଦୃଢ଼ରୂପେ କହିଥିଲେ ।

 

ଅନନ୍ତର ମହର୍ଷି ଶକୁନ୍ତଳାଙ୍କୁ କହିଲେ ‘‘ବତ୍ସେ, ବର୍ତ୍ତମାନ ସମସ୍ତ ବୁଝିପାରିଅଛ, ଏପରି ଅବସ୍ଥାରେ ସହଧର୍ମଚାରୀଙ୍କ ପ୍ରତି ମନୋମଧ୍ୟରେ କ୍ରୋଧାଭାବ ରଖିବା ଉଚିତ ନୁହେ । ଦୁର୍ବାସାଙ୍କ ଅଭିଶାପରୁ ସେ ତୁମ୍ଭ ପ୍ରତି ସ୍ନେହଶୂନ୍ୟ ହୋଇଥିଲେ । ତେଣୁ ତୁମ୍ଭଙ୍କୁ ପରିତ୍ୟାଗଦୁଃଖ ସହିବାକୁ ପଡ଼ିଅଛି । ବର୍ତ୍ତମାନ ତାଙ୍କର ମୋହ ଦୂର ହୋଇଅଛି । ତୁମ୍ଭେ ସଂପ୍ରତି ତାଙ୍କ ସହବାସର ସଂପୂର୍ଣ୍ଣ ଯୋଗ୍ୟ । ଦେଖ, ଯେତେବେଳଯାଏ ଦର୍ପଣ ମଳିନ ଥାଏ, ସେ ପର୍ଯ୍ୟନ୍ତ ତହିଁରେ ପ୍ରତିବିମ୍ବ ପତିତ ହୁଏ ନାହିଁ । ଦର୍ପଣ ନିର୍ମଳ ହେଲେ, ଅକ୍ଳେଶରେ ତହିଁରେ ପ୍ରତିବିମ୍ବ ହୁଏ ।’’

 

ଅନନ୍ତର ମହର୍ଷି ମାରୀଚ ରାଜାଙ୍କୁ କହିଲେ, ‘‘ବତ୍ସ ଆମ୍ଭେମାନେ ବିଧାନାନୁସାରେ ଯାହାର ଜାତକର୍ମାଦିସଂସ୍କାର ସମାହିତ କରିଅଛୁଁ ଶକୁନ୍ତଳା ଗର୍ଭଜାତ ତୁମ୍ଭର ଏହି ପୁତ୍ରକୁ ତୁମ୍ଭେ ଅଭିନନ୍ଦନ କରିଅଛ କି ?’’ ରାଜା ପୁତ୍ରକୁ ହସ୍ତରେ ଧାରଣ କରି କହିଲେ, ‘‘ଭଗବାନ୍, ଏହାଠାରେହିଁ ମୋ ବଂଶ ପ୍ରତିଷ୍ଠା ।’’ ଏହା ଶୁଣି ମହର୍ଷି କହିଲେ ‘‘ତୁମ୍ଭର ଏହି ପୁତ୍ର ଭବିଷ୍ୟତରେ ଚକ୍ରବର୍ତ୍ତୀ ହେବ-। ବଳପୂର୍ବକ ସମସ୍ତ ଜୀବଙ୍କୁ ଏଠାରେ ଦମନ କରିବାରୁ ଆମ୍ଭେ ଏହାକୁ ସର୍ବଦମନ ନାମ ପ୍ରଦାନ କରିଅଛୁଁ । ଅତଃପର ଏ ସସାଗରା ଧରାର ଅଧୀଶ୍ୱର ହୋଇ ଲୋକମାନଙ୍କୁ ସୁଖରେ ଭରଣ କରି ଭରତ ନାମ ପ୍ରାପ୍ତ ହେବ ।’’

 

ରାଜା କୃତକୃତ୍ୟ ହୋଇ କହିଲେ ‘‘ଆପଣ ଯାହାର ଜାତସଂସ୍କାର କରିଅଛନ୍ତି ତାଠାରେ ଏ ସମସ୍ତ ସମ୍ଭବପର ।’’ ଅନନ୍ତର ଦାକ୍ଷାୟଣୀ ପ୍ରସ୍ତାବ କଲେ ଯେ ଏ ସମସ୍ତ ଘଟନା ମହର୍ଷି କଣ୍ୱଙ୍କର ଶ୍ରୁତିଗୋଚର ହେବା ଆବଶ୍ୟକ । ଦୁହିତବତ୍ସଳା ମେନକା ଏଠାରେ ଏହା ସ୍ୱୟଂ ପ୍ରତ୍ୟକ୍ଷ କରିଅଛନ୍ତି । ଏହା ଶୁଣି ମହର୍ଷି କହିଲେ ‘‘କଣ୍ୱ ଧ୍ୟାନବଳରେ ସମସ୍ତ ଅବଗତ ହୋଇଅଛନ୍ତି, ତଥାପି ତାଙ୍କର ପୁତ୍ରବତୀ କନ୍ୟାର ସ୍ୱାମୀ ସହିତ ପୁନର୍ମିଳନ ବିଷୟ ତାଙ୍କୁ ଜଣାଇବା ଉଚିତ ।’’ ଏହା କହି ମହର୍ଷିଗାଲବ ନାମକ ଶିଷ୍ୟକୁ ବିହାୟସଗତିରେ କଣ୍ୱାଶ୍ରମକୁ ଯିବାପାଇଁ ଏବଂ ରାଜାଙ୍କ ପତ୍ନୀପୁତ୍ରସମଭିବ୍ୟାହାରରେ ସ୍ୱରାଜଧାନୀକୁ ପ୍ରସ୍ଥାନ କରିବାପାଇଁ ଆଦେଶ ପ୍ରଦାନ କଲେ । ରାଜର୍ଷି ମହର୍ଷିଙ୍କଠାରୁ ବିଦାୟ ନେଇ ମାତଳି ସହ ବ୍ୟୋମ ଯାନରେ ବସି ପତ୍ନୀପୁତ୍ରସମଭିବ୍ୟାହାରରେ ରାଜଧାନୀରେ ଉପସ୍ଥିତ ହେଲେ । ପରମପରିତୋଷସହକାରେ ରାଜ୍ୟ ଶାସନ କରି ଚରମକାଳରେ ସର୍ବଗୁଣାନ୍ୱିତ ପୁତ୍ର ହସ୍ତରେ ରାଜ୍ୟଭାର ସମର୍ପଣପୂର୍ବକ ବାନପ୍ରସ୍ଥାବଳମ୍ବନରେ ଜୀବନର ଶେଷାଂଶ ଅତିବାହିତ କଲେ ।

Image